Unknown

 

 

 

 

 

 

 

 

 

 

ସମ୍ମୋହିନୀ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ମୁଖବନ୍ଧ

 

ଆନ୍ତର୍ଜାତିକ ପି.ଇ.ଏନ୍‌.ର ପରାମର୍ଶକ୍ରମେ ଯେତେବେଳେ ଇଉନେସ୍‌କୋ (ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ଶାଖା) ପ୍ରାଚ୍ୟ ଲେଖକମାନଙ୍କର ଗ୍ରନ୍ଥଗୁଡ଼ିକର ଇଂରାଜୀ ବା ଫରାସୀ ଅନୁବାଦ କରିବାକୁ ଯାଉଛି, ଶ୍ରୀଯୁକ୍ତ ଦାସ ଠିକ୍‌ ସେତିକିବେଳେ ତାଙ୍କର ଦେଶବାସୀମାନଙ୍କୁ ‘ଗାଲିଗାଇ’ର ଓଡ଼ିଆ ଅନୁବାଦଟି ନିବେଦନ କରିବାକୁ ଯାଉଛନ୍ତି । ଫ୍ରାଁସୋୟା ମୋରିୟାକ୍‌ ହେଉଛନ୍ତି ଫ୍ରାନ୍‌ସର ସର୍ବଶ୍ରଷଷ୍ଠ ଆଧୁନିକ ସାହିତ୍ୟିକମାନଙ୍କ ମଧ୍ୟରେ ଜଣେ ଏବଂ ‘ଗାଲିଗାଇ’ ହେଉଛି ତାଙ୍କର ସର୍ବାଧୁନିକ ଉପନ୍ୟାସ । ପ୍ରାଚ୍ୟରୁ ପାଶ୍ଚାତ୍ୟ ଉଦ୍ଦେଶ୍ୟରେ ଏବଂ ପାଶ୍ଚାତ୍ୟରୁ ପ୍ରାଚ୍ୟ ଉଦ୍ଦେଶ୍ୟରେ ବାହାରିଥିବା ଏହି ସମାନ୍ତରାଳ ଅନୁବାଦ-ସମାରୋହକୁ ମାନବିକ ଭ୍ରାତୃତ୍ୱର ଏକ ସମାନ୍ତରାଳ ସ୍ପନ୍ଦନ ବୋଲି କହିବାକୁ ହିଁ ହେବ । ନାନା ଖଣ୍ଡରେ ବିଚ୍ଛିନ୍ନ ଓ ବିଦୀର୍ଣ୍ଣ ହୋଇଯାଇଥିବା ଆମର ପୃଥିବୀରେ ଏହି ସ୍ପନ୍ଦନ ମଣିଷକୁ ମଣିଷ ସହିତ ଅନ୍ତରଙ୍ଗ ଭାବରେ ପରିଚିତ ଓ ସମ୍ମିଳିତ କରାଇବାର ଇଚ୍ଛାହିଁ ପ୍ରକଟ କରୁଅଛି । ଆମକୁ ପରସ୍ପରଠାରୁ ବ୍ୟବହିତ କରି ରଖିଥିବା ଘଟଣାବଳୀ ଉପରେ ଆଜି ଏହି ଇଚ୍ଛା, କ୍ରମେ ଯଥେଷ୍ଟ ପ୍ରଭାବ ପକାଇବାକୁ ଆରମ୍ଭ କଲାଣି ।

 

ମୁଁ ବିଶ୍ୱାସ କରୁଛି, ଶ୍ରୀଯୁକ୍ତ ଦାସ ତାଙ୍କର ଦେଶବାସୀଙ୍କ ମଧ୍ୟରେ ଏହି ଆଧ୍ୟାତ୍ମିକ ଭ୍ରାତୃତ୍ୱ ସ୍ଥାପନ କରିବାକୁ ବ୍ରତୀ ହୋଇ ବାହାରିଛନ୍ତି । କାରଣ ଅନୁବାଦ କରିବାର ଅର୍ଥ ହେଉଛି ଅନ୍ୟମାନଙ୍କ ସହିତ ବିଚାରସୂତ୍ର ସ୍ଥାପନ କରିବା ଏବଂ ଆପଣାର ସ୍ୱତନ୍ତ୍ର ଓ ସ୍ୱକୀୟ ପରିଚୟକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ତଥାପି ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ।

 

ପାରିସ୍

ସ୍ୱା/ଆଁଦ୍ରେ ଚାମ୍ସଁ

ସେପ୍ଟେମ୍ବର ୨୨, ୧୯୫୮

ସଭ୍ୟ, ଫରାସୀ ଏକାଡେମୀ,

 

ଆନ୍ତର୍ଜାତିକ ସଭାପତି, ପି.ଇ.ଏନ୍‌

Image

 

ସାହିତ୍ୟରେ ନୋବେଲ ପୁରସ୍କାର–୧୯୫୨

 

ସୁଇଡିଶ୍‌ ଏକାଡେମୀର ସ୍ଥାୟୀ ସମ୍ପାଦକ ଡକ୍ଟର ଆଣ୍ଡରସ୍‌ ଉଇଷ୍ଟର୍‌ଲିଙ୍ଗ୍‌ ପ୍ରଥମେ ନିମ୍ନଲିଖିତ ପ୍ରକାରେ ଭାଷଣ ଦେଲେ:-

 

କୌଣସି ଏକ ନିର୍ଦ୍ଦିଷ୍ଟ ପରିବେଶ, ଫ୍ରାନ୍‌ସର ମାନଚିତ୍ର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଇ ପରିବାଭଳି ଏକ ସ୍ଥାନର ବର୍ଣ୍ଣନା କରିବା ଲାଗି ଫ୍ରା୍ଁସୋୟା ମୋରିୟାକ୍‌ ଯେଉଁ ନିଷ୍ଠା ଓ ଐକାନ୍ତିକତା ପ୍ରଦର୍ଶନ କରିଥାନ୍ତି, ତାଙ୍କର ରଚନାବଳୀ ଅଧ୍ୟୟନ କଲାବେଳେ ପ୍ରଥମେ ଆମ ଆଗରେ ତାହାହିଁ ସ୍ପଷ୍ଟ ହୋଇଉଠେ । ଦ୍ରାକ୍ଷାଖେତ ପରିପୂର୍ଣ୍ଣ ପ୍ରାଚୀନ ବୋର୍ଦୋ ଅଞ୍ଚଳ,-ଚାରିଆଡ଼େ ଦୁର୍ଗ ଓ ଦୁଗ୍ଧଶାଳାମାନ ବିକ୍ଷିପ୍ତ ହୋଇ ରହିଛି,-ଯେଉଁ ଆଡ଼କୁ ଆଖି ପକାଇବ, କେବଳ ପାଇନ ଜଙ୍ଗଲ ଓ ମେଷଚାରଣ ଭୂମି ବିସ୍ତୀର୍ଣ୍ଣ ହୋଇ ରହିଚି । ନିଛାଟିଆ ଜାଗାମାନ ଝିଙ୍କାରିର ଝିଂ ଝିଂ ଶବ୍ଦରେ ମୁଖରିତ ହୋଇ ଉଠୁଛି, ଅତିଦୂରରୁ ଆଟଲାଣ୍ଟିକ୍‍ ମହାସାଗରର ଦୂର ବିକ୍ଷୋଭଧ୍ୱନି ବଡ଼ ଅସ୍ପଷ୍ଟ ଭାବରେ ଭାସି ଭାସି ଆସୁଚି, ଏହିପରି ଏକ ଅଞ୍ଚଳରେ ଅବସ୍ଥିତ ଜିରୋନ୍ଦଠାରେହିଁ ମୋରିୟାକ୍‌ଙ୍କର ପ୍ରାୟ ପ୍ରତ୍ୟେକ ଉପନ୍ୟାସର ଘଟଣାବଳୀ ଘଟିଛି, ମୋରିୟାକ୍‌ଙ୍କର ଜନ୍ମଭୂମିର ପ୍ରାକୃତିକ ପରିବେଶ ଏହିପରି । ଏହି ଗୋଟିଏ ଅଞ୍ଚଳ ଓ ତାହାର ଅଧିବାସୀମାନଙ୍କର ଜୀବନକୁ ସେ ଅତି ନିଷ୍ଠା ସହକାରେ ବର୍ଣ୍ଣନା କରିଚନ୍ତି । ବିଶେଷତଃ ଏହି ଅଞ୍ଚଳର ଜମି ମାଲିକମାନେ ତାଙ୍କର ବର୍ଣ୍ଣନାରେ ପ୍ରଧାନ ସ୍ଥାନ ପାଇଚନ୍ତି । ଦ୍ରାକ୍ଷାଲତାର ଶାଖାପ୍ରଶାଖା ଭିତରେ ସଞ୍ଚରଣ କରୁଥିବା ଜୀବନୀଶକ୍ତି ଓ ଶୁଷ୍କ ଆକାଶରୁ ବିଞ୍ଚି ହୋଇ ପଡ଼ୁଥିବା ନିର୍ମମ ଓ ସ୍ପଷ୍ଟ ସୂର୍ଯ୍ୟାଲୋକ ସହିତ ମୋରିୟାକ୍‌ଙ୍କର ବ୍ୟକ୍ତିଗତ ରଚନାଶୈଳୀର ଆତ୍ମୀୟତା ରହିଚି ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ ।

 

ଆଜି ପୃଥିବୀବ୍ୟାପୀ ସବୁଆଡ଼େ ଲୋକେ ମୋରିୟାକ୍‌ଙ୍କର ରଚନା ପାଠ କରୁଚନ୍ତି, ତଥାପି ତାଙ୍କୁ ଅତି ଅନୁସ୍ୱୀକାର୍ଯ୍ୟ ଭାବରେ ଜଣେ ସ୍ଥାନୀୟ ବା ପ୍ରଦେଶୀୟ ବ୍ୟକ୍ତି ବୋଲି କୁହାଯାଇପାରେ । କିନ୍ତୁ ତାଙ୍କର ପ୍ରଦେଶୀୟତା ସମଗ୍ର ବିଶ୍ୱର ମୌଳିକ ଓ ମାନବିକ ସମସ୍ୟାଗୁଡ଼ିକରୁ ଆପଣାକୁ କଦାପି ବିଚ୍ଛିନ୍ନ କରି ରଖିନାହିଁ । କାରଣ ସିଏ ଗଭୀରତା ଭିତରକୁ ଅନୁସନ୍ଧାନ କରିବାକୁ ଇଚ୍ଛାକରେ, ସର୍ବପ୍ରଥମେ ଓ ସର୍ବଦା ତାକୁ ମପଣାର ଖଣତି ଚଳାଇବାଲାଗି ଖଣ୍ଡେ ଭୂଇଁ ବାଛିନେବାକୁହିଁ ପଡ଼େ । ଆମେ ସମସ୍ତେ ଜାଣୁ ଯେ ମୋରିୟାକ୍‌ ତାଙ୍କର ଯୌବନକାଳ ଆପଣା ଲୋକମାନଙ୍କର ମେଳରେ କଟାଇଥିଲେ । ଯେଉଁ ବାତାବରଣର ଆଶ୍ରୟ ତଳେ ସେ ବଢ଼ୁଥିଲେ, ସେଥିରେ ମାଆଙ୍କର ପ୍ରଭାବ ଅଧିକ ଶକ୍ତିଶାଳୀ ଥିଲା । ତାଙ୍କର କିଶୋରାବସ୍ଥାର ସମସ୍ତ ଅନୁଭୂତି ଉପରେ ଏହି ପ୍ରଭାବ ସର୍ବଦା ଆପଣାର ଶକ୍ତି ବିସ୍ତାର କରି ରହିଥିଲା । ଏପରି ଏକ ବିଶ୍ୱାସ ପୋଷଣ କରିବାଲାଗି ଯଥେଷ୍ଟ କାରଣ ଅଛି ଯେ ବୃହତ୍ତର ଜଗତର ସମ୍ପର୍କରେ ଆସି ତାଙ୍କୁ ଅନେକ ବ୍ୟଥାଦାୟକ ବିସ୍ମୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେତେବେଳଯାଏ କେବଳ ଧର୍ମୋପଥୋଚିତ ଉପଦେଶମାନ ଶୁଣିଆସିଥିଲେ; ସଂସାରର ସମସ୍ତ ସତ୍ୟ ପାପର ଗ୍ରାସରେ ପଡ଼ିଯାଇଛି ବୋଲି ସେ ପୂରାପୂରି ବିଶ୍ୱାସ କରୁଥିଲେ, ପ୍ରାତ୍ୟହିତ ଜୀବନର ସମସ୍ତ ଅବିଚାରିତ୍ରତା ଓ ନୀରସତାକୁ ସେ ଏହି ଭୂମି ଉପରେହିଁ ଗ୍ରହଣ କରୁଥିଲେ । ସେ କାଥୋଲିକ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ, କାଥୋଲିକ୍‌ ପରିବେଶରେ ପ୍ରତିପାଳିତ ହୋଇଥିଲେ, ଏହି ପରିବେଶକୁ ତାଙ୍କର ଆଧ୍ୟାତ୍ମିକ ମାତୃଭୂମିବୋଲି କୁହାଯାଇପାରେ । କୌଣସି ଧର୍ମ ବିଶ୍ୱାସର ପକ୍ଷ ବା ବିପକ୍ଷରେ ଯିବାର କୌଣସି ଅବସର ସେ ପାଇନଥିଲେ, ଅବଶ୍ୟ ଜଣେ ଖ୍ରୀଷ୍ଟୀୟାନ୍‌ ହିସାବରେ ତାଙ୍କର ସ୍ଥାନକୁ ସେ ଅନେକଥର ପରୀକ୍ଷା କରି ଦେଖୁଥିଲେ ଏବଂ ଆପଣା ମତକୁ ସର୍ବସାଧାରଣରେ ପ୍ରକଟ କରୁଥିଲେ । ସାହିତ୍ୟ ରଚନାର ବାସ୍ତବତା ଜଣେ ସାହିତ୍ୟିକଠାରୁ ଯାହା ଦାବୀ କରେ ଏବଂ ଗୀର୍ଜା ଓ ଧର୍ମସଂସ୍କାର ଆଜ୍ଞା ଓ ଅନୁଶାସନମାନେ ପ୍ରତ୍ୟେକ ମଣିଷଠାରୁ ଯାହା ଦାବୀ କରେ, ଏହି ଉଭୟ ମଧ୍ୟରେ କେତଦୂର ଏକ ସମନ୍ୱୟ ସମ୍ଭବ ହୋଇପାରିବ, ବିଶେଷକରି ସେ ତାହାରି ଅନୁସନ୍ଧାନ କରୁଥିଲେ । କିନ୍ତୁ ଏହି ଅବଶ୍ୟମ୍ଭାବୀ ଓ ଅସମାହିତ ପରସ୍ପର ବିରୋଧି ସତ୍ତ୍ୱେ ତଥାପି କୁହାଯାଇପାରିବ ଯେ ଜଣେ ଲେଖକ ହିସାବରେ ମୋରିୟାକ୍‌ ତାଙ୍କର ଉପନ୍ୟାସ ମଧ୍ୟଦେଇ ମନୁଷ୍ୟ-ଜୀବନର ଏକ ବିଶେଷ ଦିଗର ଚିତ୍ରଣ କରିବାର ପ୍ରୟାସ କରିଚନ୍ତି, ତାଙ୍କର ସମସ୍ତ ଚିତ୍ରଣରେ କାଥୋଲିକ୍‌ ବିଚାର ଓ ମନ, ସାଧାରଣ ଭୂମି ଓ ସାଧାରଣ ପ୍ରବେଶପଥ ହୋଇ ରହିଚି । ତାଙ୍କର ଅଣ-କାଥୋଲିକ୍‍ ପାଠକମାନଙ୍କୁ ଏହା କେତେକ ପରିମାଣରେ ଅସୁଖ ଲାଗିପାରେ, କିନ୍ତୁ ମୋରିୟାକ୍‌ଙ୍କୁ ବୁଝିବାକୁ ହେଲେ ଆମକୁ ମନେରଖିବାକୁ ହେବ ଯେ, କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିବା ଲେଖକମାନଙ୍କର ଗୋଷ୍ଠୀରେ ଆମେ ମୋରିୟାକ୍‌ଙ୍କୁ ଅନ୍ତର୍ଭୁକ୍ତ କରିପାରିବାନାହିଁ;-ମୋରିୟାକ୍‌ଙ୍କୁ ଠିକ୍‌ କରି ବୁଝିବାପାଇଁ ଆମକୁ ଏକଥା ଅବଶ୍ୟ ଜାଣି ରଖିବାକୁ ହେବ । ଭୁଲ ଓ ଭ୍ରମର ଗୁରୁଭାବରେ ପରିପୀଡ଼ିତ ହୋଇ ରହିଥିବା ମନୁଷ୍ୟାତ୍ମାଗୁଡ଼ିକର ମଧ୍ୟ ଆବିଷ୍କାର ଓ ସେମାନଙ୍କର ଗୋପନ ମନୋବୃତ୍ତଗୁଡ଼ିକର ବିଶ୍ଲେଷଣ କଲାବେଳେ ମଧ୍ୟ ମୋରିୟାକ୍‌ କାଥୋଲିକ୍‌ ଧର୍ମପ୍ରତି ତାଙ୍କର ଏହି ଅନୁରକ୍ତି ବିଷୟରେ ସର୍ବଦା ସଚେତ ରହି ଆସିଛନ୍ତି ।

 

ଆଧୁନିକ ସାହିତ୍ୟରେ ମୋରିୟାକ୍‌ଙ୍କର ସ୍ଥାନ ଏତେ ପୂର୍ବସିଦ୍ଧ ଯେ, କୌଣସିପ୍ରକାର ଧର୍ମାନୁରକ୍ତି ସେଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ । ତାଙ୍କର ସମସାମୟିକ ଅନେକ ପ୍ରତିଭାଶାଳୀ ଲେଖକ ବର୍ତ୍ତମାନ ପ୍ରାୟ ବିସ୍ତୃତ ହୋଇ ଗଲେଣି, କିନ୍ତୁ ମୋରିୟାକ୍‌ଙ୍କର ଖ୍ୟାତି ଓ ପ୍ରଭା ଅଧିକରୁ ଅଧିକ ବୃଦ୍ଧି ପାଉଚି । ତାଙ୍କର ସୁଦୃଢ଼ ସାହିତ୍ୟିକ ଦୃଷ୍ଟିକୁ ସେ ତାଙ୍କର ସମସାମୟିକମାନଙ୍କୁ ସନ୍ତୁଷ୍ଟ କରିବାଲାଗି କଦାପି ବ୍ୟବହାର କରିନାହାନ୍ତି, କାହାରି ସହିତ କୌଣସି ସାଲିସ୍‌ କରି ସେ ଆପଣାର ଖ୍ୟାତି କିଣିନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ସବୁବେଳେ ଉଚ୍ଚ ରହିଚି । ପାସ୍କାଲ, ଲାବୃଇରେ, ରସୁଇଟ୍‌ ପ୍ରଭୃତି ନୀତିବାଦୀ ଯୁଗର ଫରାସୀ ଲେଖକମାନଙ୍କର ପରମ୍ପରାକୁ ସେ ତାଙ୍କର ବାସ୍ତବବାଦୀ ଗଳ୍ପଗୁଡ଼ିକଦ୍ୱାରା ଅକ୍ଷୁର୍ଣ୍ଣ ରଖିପାରିଚନ୍ତି । ଅଧିକନ୍ତୁ ତାଙ୍କର ସାହିତ୍ୟରେ ଏକ ଆଧ୍ୟାତ୍ମିକ ପ୍ରେରଣାର ଏହା ଏକ ବଳିଷ୍ଠ ଉପାଦାନରୂପେ କାର୍ଯ୍ୟ କରିଚି । ଦୈନନ୍ଦିନ ଜୀବନର ଘଟଣା ଉପରେ ତାଙ୍କର ମନ୍ତବ୍ୟଗୁଡ଼ିକ ଫ୍ରାନ୍‍ସ ଓ ବୃହତ୍ତର ପୃଥିବୀର ସମ୍ମାନିତ ଦୃଷ୍ଟି ଆକର୍ଷଣ କରିପାରିଚି । ଇଉରୋପୀୟ ବିଚାରଧାରାକୁ ଏହା ସର୍ବଦା ଖାଦ୍ୟ ଯୋଗାଇ ଆସିଚି ।

 

କିନ୍ତୁ ବିଶେଷତଃ ତାଙ୍କର ପ୍ରଶଂସାନୀୟ ଉପନ୍ୟାସଗୁଡ଼ିକ ପାଇଁହିଁ ସେ ନୋବେଲ ପୁରସ୍କାର ପାଇବାର ଅଧିକାର ଅର୍ଜନ କରିଚନ୍ତି । ଏକଥା କହିବା ବାହୁଲ୍ୟ ଯେ ସାହିତ୍ୟିକ କଳା ଓ ଶୈଳୀ ଦୃଷ୍ଟିରୁ ଶ୍ରୀଯୁକ୍ତ ମୋରିୟାକ୍‌ଙ୍କର ଉପନ୍ୟାସଗୁଡ଼ିକ ଏକ ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ ହୋଇ ରହିବ । ତାଙ୍କର ଚିତ୍ରଣ ଅବିସ୍ମରଣୀୟ, ସଂଳାପ ଓ ପରିବେଶଗୁଡ଼ିକ ଅତି ରହସ୍ୟପୂର୍ଣ୍ଣ ଏବଂ ନିର୍ମମ ସତ୍ୟର ପ୍ରଦ୍ୟୋତକ । ଏକ ବିଷୟର ପୁନରାବୃତ୍ତ ହୁଏତ ବେଳେବେଳେ ନୀରସ ଲାଗିପାରେ, କିନ୍ତୁ ତାଙ୍କର ବିଶ୍ଳେଷଣର ଗଭୀରତା ଓ ଦୃଢ଼ ନିଶ୍ଚୟତା ଆମକୁ ତାଙ୍କର ରଚନାର ପଦେ ପଦେ ଅଭିଭୂତ କରିଦେଇଥାଏ । ପରିମିତତା ଓ ପ୍ରକାଶ ଶକ୍ତି ଦୃଷ୍ଟିରୁ ମୋରିୟାକ୍‌ ଅତୁଳନୀୟ । ମାତ୍ର କେତୋଟି ବ୍ୟଞ୍ଜନାପୂର୍ଣ୍ଣ ବାକ୍ୟଦ୍ୱାରା ତାଙ୍କର ଗଦ୍ୟ ଅତି ଜଟିଳଭାବକୁ ପ୍ରକାଶ କରିଦେଇପାରେ ।

 

ଯୌବନର ନିର୍ବୋଧ ଏବଂ ବିବେକଶୂନ୍ୟ ଅସ୍ଥିରତା ଓ ଉଦ୍‌ବେଗ ପାପର ଭୟାବହତାର ଉତ୍ପୀଡ଼ନ, ଦେହର ପ୍ରବଞ୍ଚନାକାରୀ ପ୍ରଲୋଭନ, ଭୌତିକ ସମ୍ପଦଜନିତ ମୋହ, ଆତ୍ମସନ୍ତୋଷ ଏବଂ ସଂସ୍କାରବାଦୀ ଜୀବନର କୁପରିଣାମ-ମୋରିୟାକ୍‌ଙ୍କର ରଚନାଗୁଡ଼ିକରେ ପ୍ରଧାନତଃ ଏହି ସବୁର ଆଲୋଚନା ହୋଇଛି । ମନୁଷ୍ୟକୁ ଘୃଣା କରୁଥିବା ଏକ ଲେଖକ ପରି ସେ ସବୁକଥାକୁ ଆପଣାର ଖୁସି ଅନୁସାରେ ଅଧିକ କଳା କରି ବର୍ଣ୍ଣନା କରିଚନ୍ତି, ଅନେକେ ତାଙ୍କୁ ଏହିପରି ଏକ ଦୋଷ ଦେଇଥାନ୍ତି । ଏହି ଦୋଷାରୋପର ଉତ୍ତର ଦେବାକୁ ଯାଇ ସେ ବାରମ୍ବାର କହିଚନ୍ତି ଯେ କେଉଁ ଲେଖକ ସଂସାରର ସମସ୍ତ ବିଚାରକୁ କରୁଣା ଓ କ୍ଷମା ଉପରେ ପର୍ଯ୍ୟବେସିତ କରିବ, ଭଗବତ୍‌ ପ୍ରେମକୁ ଯିଏ ଜୀବନର ଚରମ ଆଶ୍ରୟ ଓ ନିର୍ଭର ବୋଲି ମାନିନେବ, ତାହାକୁ ସର୍ବଦା ଆଶା ଓ ବିଶ୍ୱାସର ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ହିଁ ସାହିତ୍ୟ ରଚନା କରିବାକୁ ପଡ଼ିବ । ତାଙ୍କର ଏହି ଘୋଷଣାରେ ଆମେ କୌଣସି ସଂଶୟ ପ୍ରକାଶ କରିବା ନାହିଁ । କିନ୍ତୁ ତାଙ୍କର ରଚନାରୁ ଏହା ସ୍ପଷ୍ଟ ସୂଚିତ ହୁଏ ଯେ ନିଷ୍ପାପତା ଅପେକ୍ଷା ପାପହିଁ ମୋରିୟାକ୍‌ଙ୍କ ପାଇଁ ଅଧିକ ଆକର୍ଷଣର ପାତ୍ର ହୋଇ ରହିଚି ।

 

ମୋରିୟାକ୍‌ଙ୍କ ଥରେ ଏକଥା କହିଚନ୍ତି ଯେ ଜୀବନକୁ ଖାଲି ସୁନ୍ଦର କରି ଦେଖାଉଥିବା ଓ ତଦ୍ୱାରା ବାସ୍ତବ ସତ୍ୟରୁ ଦୂରକୁ ପଳାଇ ଯିବା ଲାଗି ଆମକୁ ସାହାଯ୍ୟ କରୁଥିବା ସାହିତ୍ୟ ପଢ଼ି ସନ୍ତୋଷ ଅନ୍ୱେଷଣ କରିବାର ସ୍ୱାଧୀନତା ପ୍ରତ୍ୟେକ ମଣିଷର ରହିଚି । ଅଧିକାଂଶ ଲୋକ ହୁଏତ ଏପରି ସାହିତ୍ୟ ପଢ଼ିବାରେ ଆଗ୍ରହୀ ହୋଇପାରନ୍ତି, କିନ୍ତୁ ମଣିଷ ଠିକ୍‌ ଯେମିତି, ତାକୁ ସେମିତି କରି ଜାଣିବାକୁ ଉଦ୍ୟମ କରୁଥିବା ଲେଖକମାନଙ୍କ ପ୍ରତି ମଧ୍ୟ ଆମକୁ ନ୍ୟାୟ ବିଚାର କରିବାକୁ ହେବ । ‘‘ଆମେ ଜୀବନକୁ ଘୃଣା କରୁନାହୁଁ, ଜୀବନର ସତ୍ୟକୁ ସହ୍ୟ କରି ନ ପାରି ଯେଉଁମାନେ ଏହାକୁ ନାନା ମିଥ୍ୟାରେ ରଞ୍ଜାଇ ଦିଆନ୍ତି, ସେହିମାନେହିଁ ଜୀବନକୁ ଘୃଣା କରନ୍ତି । ଅନବଗୁଣ୍ଠିତ ଜୀବନକୁ ଯେଉଁମାନେ ଭଲପାଆନ୍ତି, ସେହିମାନେହିଁ ଜୀବନକୁ ଭଲପାଆନ୍ତି । ଗୋଟି ଗୋଟି କରି ସେମାନେ ଜିବନ ଉପରୁ ସମସ୍ତ ମୁଖା କାଢ଼ି ନିଅନ୍ତି ଓ ଶେଷରେ ଏହି ମୁଖାଭରଣହୀନ ନଗ୍ନ ରାକ୍ଷସ ପାଖରେହିଁ ଆପଣାର ହୃଦୟକୁ ନିବେଦନ କରିଦିଅନ୍ତି ।’’ ଆଁଦ୍ରେଜିଦଙ୍କ ସହିତ ଏକ ବିବାଦ ପ୍ରସଙ୍ଗରେ ମଧ୍ୟ ସେ ଏହି କଥା କହିଥିଲେ ଯେ ଚରିତ୍ର ଚିତ୍ରଣରେ ପରିପୂର୍ଣ୍ଣ ନିଷ୍ଠାହିଁ ଲେଖକର ଲକ୍ଷ୍ୟ ହୋଇ ରହିବା ଉଚିତ ।

 

ସବୁ ପ୍ରକାର ନୀତିକୁ ହସରେ ଉଡ଼ାଇ ଦେଇ ସହଜ ସଫଳତା ଅର୍ଜନ କରାଯାଇପାରେ-। କିନ୍ତୁ ତଥାପି ଯେଉଁ ନୀତି ସମସ୍ତ ବିଦ୍ରୂପ ସତ୍ତ୍ୱେ ଆପଣାକୁ ବଳବତ୍ତର ରଖିପାରେ, ତାହା ହେଉଚି, ‘‘ପ୍ରତ୍ୟେକ ଲୋକ ଯେତିକି ଦୁଷ୍ଟ, ତାହାଠାରୁ ଯେ, ସେ ଆହୁରି କମ୍‌ ଦୁଷ୍ଟ ହୋଇପାରିବ । ଏକଥା ଆମେ ସମସ୍ତେ ଜାଣିଚୁ ।’’ ଏହି ଛୋଟିଆ ବାକ୍ୟଟି ଠିକ୍‌ ଗୋଟିଏ ଚାବିପରି ଆମକୁ ମୋରିୟାକ୍‌ଙ୍କର ରଚନାରେ ଅନେକ ନିଗୂଢ଼ ସମ୍ପଦପାଇଁ ବାଟ ଫିଟାଇ ଦିଏ । ଆପଣାକୁ ଧର୍ମପରାୟଣ ମନେକରିବାର କୌଣସି ପ୍ରକାର ରୁଗ୍‌ଣ ଆଗ୍ରହର ବଶବର୍ତ୍ତୀ ହୋଇ ମୋରିୟାକ୍‌ ମଣିଷ ଜୀବନର ବିଫଳତା, ଦୁର୍ବଳତା ଓ ପାପାସକ୍ତତାର ଗଭୀରକୁ ଭେଦ କରିବାକୁ ଉତ୍ସାହୀ ହୋଇନାହାନ୍ତି । ଅତି ନିର୍ମମ ଭାବରେ ସତ୍ୟର ବିଶ୍ଳେଷଣ କଲାବେଳେ ମଧ୍ୟ ସେ ଏହିପରି ଏକ ଚରମ ସତ୍ୟରେ ବିଶ୍ୱାସ ରଖିଚନ୍ତି ଯେ ସବୁ ପ୍ରକାରର ଜ୍ଞାନ, ବୁଦ୍ଧି ଓ ବିଚାରକୁ ଅତିକ୍ରମ କରି ଏକ ସହାନୁଭବତା ବଳବତ୍ତର ରହିଚି । ମୋରିୟାକ୍‌ କୌଣସି ଭଗବାନ୍‌ ବା ଚରମ-ସତ୍ୟର ଦାବୀ କରିନାହାନ୍ତି । ଯେଉଁମାନେ ଆପଣାକୁ ଧାର୍ମିକ ବୋଲି ଜାହିର କରନ୍ତି, ସେମାନଙ୍କର କଥା ଉପରେ ସେ ଖୁବ୍‌ ଗୁରୁତ୍ୱ ଦିଅନ୍ତି ନାହିଁ । ଆପଣା ଜୀବନରେ ସେ ଯେତିକି ସତ୍ୟର ଅନୁଭବ କରିଚନ୍ତି, ତାହାରି ପ୍ରତି ନିଷ୍ଠାପର ରହି ସେ ଆପଣାର ସାହିତ୍ୟିକ ଚରିତ୍ରଗୁଡ଼ିକର ଚିତ୍ରଣ କରିଛନ୍ତି । ଏହି ଚରିତ୍ରଗୁଡ଼ିକ ଆପଣାର ନଗ୍ନ ସତ୍ୟରୂପ ଉପଲବ୍ଧି କରି ଅନୁତାପରେ ଅଭିଭୂତ ହୋଇପଡ଼ିଚନ୍ତି ଏବଂ ଅଧିକ ଭଲ ହୋଇ ନ ପାରିଲେ ମଧ୍ୟ କମ୍‌ ମନ୍ଦ ହେବାକୁ ଚେଷ୍ଟା କରିଚନ୍ତି । ତାଙ୍କର ଉପନ୍ୟାସଗୁଡ଼ିକୁ ଆମେ ଛୋଟ, ଅଣଓସାରିଆ ଅଥଚ ଗଭୀର କୂପଗୁଡ଼ିକ ସହିତ ତୁଳନାର କରିପାରିବା, ଯେଉଁଗୁଡ଼ିକର ନିମ୍ନଦେଶ ଯେତେ ଅନ୍ଧାରରେ ବୁଡ଼ି ରହିଥିଲେ ମଧ୍ୟ ସେଠାରେ ଥିବା ରହସ୍ୟମୟ ଜଳରାଶିର ଉତ୍ସ ଆମ ଆଖିରେ ବେଶ୍‌ ପ୍ରତିଫଳିତ ହେଉଥାଏ ।

 

ଏବଂ ଆପଣ, ଶ୍ରୀଯୁକ୍ତ ମୋରିୟାକ୍‌ ଆପଣଙ୍କର ରଚନା ମଧ୍ୟ ଦେଇ ମଣିଷର ହୃଦୟ ଭିତରକୁ ପ୍ରବେଶ କରିପାରିଚନ୍ତି । ମଣିଷର ହୃଦୟକୁ ଆପଣ ଠିକ୍‌ ଯେଉଁପରି ଦେଖିଛନ୍ତି, ଠିକ୍‌ ସେହିପରି ମନୁଷ୍ୟଚିତ, ଅତି ମନୁଷ୍ୟଚିତ ଓ କେବଳ ମନୁଷ୍ୟଚିତ ଭାବରେ ତାହାର ପରିବେଷଣ କରିଛନ୍ତି । ଯଥା– ଘନକୃଷ୍ଣ ରଙ୍ଗର ବ୍ୟବହାର କରିବାକୁ ଆପଣ ଆଦୌ ସଙ୍କୋଚବୋଧ କରିନାହାନ୍ତି, ସତ୍ୟର ପ୍ରକାଶ କରିବାକୁ ଆପଣ ସବୁଠାରୁ ନିଦାରୁଣ ଓ ଦୁଃଖଦ ରଙ୍ଗର ମଧ୍ୟ ସାହାଯ୍ୟ ନେଇଛନ୍ତି । ତଥାପି ଆପଣ ଆପଣଙ୍କର ରଚିତ ଏକ ଚରିତ୍ରର କଥାରେ ଯାହା କହିଛନ୍ତି: ‘‘ନିମ୍ନତମ ଓ ଘୃଣ୍ୟତମର ମଧ୍ୟଦେଇହିଁ ଉଚ୍ଚତମରେ ପ୍ରବେଶ କରିବା ସମ୍ଭବ ହୋଇପାରିବ ।’’ ମନୁଷ୍ୟ ଜୀବନରେ ଦୁଃଖଦ ଓ ନୈରାଶ୍ୟମୟ ଚିତ୍ରମାନ ଯଦି ଆପଣ ନିର୍ମାଣ କରିଥାନ୍ତି, ତଥାପି ଅନ୍ୟପକ୍ଷରେ ବିଶ୍ୱାସ, ଭଗବତ୍‌ କରୁଣା ଓ କ୍ଷମାର ଆଲୋକ ମଧ୍ୟ ଆପଣ ଦେଖାଇ ଦେଇଛନ୍ତି–ସେହି ଆଲୋକ ନିଦାରୁଣତମ ଅନ୍ଧକାରର ଗର୍ଭର ଭେଦ କରିରହଚି । ଆମେ ଆପଣଙ୍କ ଲାଗି ଆମର ହାର୍ଦ୍ଧିକ ଅଜସ୍ର ଶ୍ରଦ୍ଧା ଜ୍ଞାପନ କରୁଚୁ ।

 

ତା’ପରେ ଶ୍ରୀଯୁକ୍ତ ଫ୍ରାସୋୟା ମୋରିୟାକ୍‌ ନିମ୍ନପ୍ରକାରେ ଭାଷଣ ଦେଲେ: ମୋର ମନେହେଉଚି ଯେ, ଯେଉଁ ଲେଖକକୁ ଆପଣମାନେ ଏତେ ଗୌରବରେ ମଣ୍ଡିତ କରିଅଛନ୍ତି, ସେହି ଲେଖକ ସହଜରେ ଆପଣାର ଓ ଆପଣାର ରଚନାଗୁଡ଼ିକର ବିଚାର ଏକାଡେମୀ ପ୍ରଭୃତି ସମ୍ମାନରେ ଭୂଷିତ ଓ ଅଭିଭୂତ କରିଚି, ସେହି ସରଳ ଫରାସୀ ଲେଖକ ଓ ତାହାର ରଚନାଗୁଡ଼ିକ ଉପରେ ବିଚାର ନ କରି ରହିପାରିବା ମୋ’ ପକ୍ଷରେ ଆଦୌ ସମ୍ଭବ ହୋଇପାରିବ ନାହିଁ । ତଥାପି ମୁଁ କହିବି ଯେ ମୋର ବିସ୍ତୃତପ୍ରାୟ ଶୈଶବକାଳରୁ ଆଜି ପର୍ଯ୍ୟନ୍ତ ମୁଁ ଯେଉଁ ପଥ ଅତିକ୍ରମ କରିଆସିଚି, ଆଜି ଆପଣମାଙ୍କର ସମ୍ମୁଖରେ ସେହି ପଥର ପର୍ଯ୍ୟାଲୋଚନା କଲାବେଳେ ମୁଁ କୌଣସି ପ୍ରକାରର ଦାମ୍ଭିକତା ଅନୁଭବ କରୁନାହିଁ ।

 

ମୋର ରଚନା ଭିତରେ ବିଗତ ଅତୀତର ଯେଉଁ କ୍ଷୁଦ୍ର ପୃଥିବୀଟିକୁ ଚିତ୍ରଣ କରିବାକୁ ମୁଁ ଚେଷ୍ଟାକରିଚି, ଫ୍ରାନ୍‍ସର ଯେଉଁ ଛୋଟ ଅଞ୍ଚଳଟି ବିଷୟରେ ଫରାସୀ ଲୋକମାନଙ୍କର ମଧ୍ୟ ଯଥେଷ୍ଟ ଜ୍ଞାନ ନାହିଁ, ଯେଉଁ ଅଞ୍ଚଳରେ ମୁଁ ମୋର ଛାତ୍ରାବସ୍ଥାର ଛୁଟି ଦିନଗୁଡ଼ିକ ଅତିବାହିତ କରିଚି, ସେହି ଅପ୍ରଖ୍ୟାତ ଅଞ୍ଚଳ ଯେ କୌଣସି ଦିନ ବିଦେଶୀ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବ, ଏକଥା ମୁଁ ସେତେବେଳେ ଆଦୌ କଳ୍ପନା କରି ନ ଥିଲି । ସ୍ୱଭାବତଃ ଆମେ ନିଜ ନିଜକୁ ବଡ଼ ସ୍ୱତନ୍ତ୍ର ବୋଲି ମନେକରିଥାଉ, ଅନ୍ୟମାନଙ୍କଠାରୁ ଆମର ବିଭିନ୍ନତା ବିଷୟରେ ଆମେ ଭାରି ସଚେତ ରହିଥାଉ । ଆମେ ଭୁଲିଯାଉ ଯେ ଯେଉଁ ଗ୍ରନ୍ଥମାନ ପାଠକରି ଆମେ ମୁଗ୍ଧ ହୋଇ ଯାଉ ଜର୍ଜ ଇଲିଅଟ୍‌ ବା ଡିକେନ୍‌ସ, ଟଲଷ୍ଟୟ ବା ଡଷ୍ଟୋଭସ୍କି ବା ସେଲ୍‌ମା ଲାଗେରଲଫ୍‌ଙ୍କର ଗ୍ରନ୍ଥମାନ, ଆମେ ଭୁଲିଯାଉ ଯେ ସେହିସବୁ ଗ୍ରନ୍ଥରେ ଭିନ୍ନ ଭିନ୍ନ ଦେଶ ଓ ଭିନ୍ନ ଜାତି ଓ ଭିନ୍ନ ଧର୍ମର ମଣିଷମାନଙ୍କର ବର୍ଣ୍ଣନା ରହିଚି । ତଥାପି ଆମେ ସେହିସବୁ ଗ୍ରନ୍ଥ ପଢ଼ି ମୁଗ୍ଧ ହୋଇଯାଇଚୁ, ସେହିସବୁ ଗ୍ରନ୍ଥକୁ ଆମେ ଭଲ ପାଇଚୁ । ତାହାର କାରଣ ହେଉଚି ଯେ ସେହିସବୁ ଗ୍ରନ୍ଥ ଭିତରେ ଆମେ ଆମ ନିଜର ମଧ୍ୟ ପରିଚୟ ପାଇଚୁ । ଆମ ଦେଶର କୃଷକ ସମାଜରେ ସମସ୍ତ ସମାଜର ଆତ୍ମା ଅନ୍ତର୍ନିହିତ ହୋଇ ରହିଚି, ଆମ ପିଲାଦିନେ ଆମର ପରିଚିତ ଦିଗ୍‌ବଳୟ ଉପରେ ଯେଉଁ ପରିଚିତ ପ୍ରାକୃତିକ ଦୃଶ୍ୟ ଆମକୁ ମୁଗ୍‌ଧ କରି ଦେଇଥିଲା, ତାହା ଭିତରେ ସମସ୍ତ ପୃଥିବୀର ପ୍ରାକୃତିକ ଦୃଶ୍ୟର ସୌନ୍ଦର୍ଯ୍ୟ ଗୁପ୍ତ ହୋଇରହିଚି । ଏହି ବିଶ୍ୱଜନୀନତାର ଆବିଷ୍କାର ଓ ସ୍ପଷ୍ଟୀକରଣ କରିବାଦ୍ୱାରାହିଁ ଉପନ୍ୟାସକାର ତା’ର ଦକ୍ଷତା ଓ ପ୍ରତିଭାର ପରିଚୟ ଦେଇଥାଏ । ଯେଉଁ ସଂକୀର୍ଣ୍ଣ ଓ ସୀମାବଦ୍ଧ ପୃଥିବୀରେ ଆମେ ଜନ୍ମ ହୋଇଚୁ ଓ ଯେଉଁଠି ଆମେ ଭଲ ପାଇ ଓ ଦୁଃଖ ଭୋଗି ଶିଖିଚୁ, ସେହି ପୃଥିବୀର ବିଶ୍ୱଜନୀନତାକୁ ପ୍ରକଟ କରି ଉପନ୍ୟାସକାରର ଉପନ୍ୟାସ ସାର୍ଥକ ହୁଏ ।

 

ଫ୍ରାନ୍‍ସର ଓ ଫ୍ରାନ୍‍ସ ବାହାରେ ପାଠକମାନଙ୍କୁ ମୋର ବର୍ଣ୍ଣନାମାନ ଏପରି ତମସାଚ୍ଛନ୍ନ ଓ ନିଦାରୁଣବୋଧ ହୋଇଚି, ଏକଥା ଶୁଣି ମୁଁ ସବୁବେଳେ ବଡ଼ ବିସ୍ମିତ ହୋଇପଡ଼େ । ମରଣଶୀଳ ପ୍ରାଣୀ ମରଣକୁ ପ୍ରାଣେ ପ୍ରାଣେ ଭୟ କରେ, କାରଣ ସେ ମରଣଶୀଳ । ଯେଉଁମାନେ ନିଜେ କେବେହେଲେ ଭଲ ପାଇନାହାନ୍ତି ବା କାହାରିଠାରୁ ଭଲପାଇବା ପାଇନାହାନ୍ତି, ଯେଉଁମାନେ ବଞ୍ଚିତ ଓ ପ୍ରବଞ୍ଚିତ ହୋଇ ରହିଚନ୍ତି, ସେମାନେ ମଧ୍ୟ ପ୍ରେମର ସରୋବରରେ ପ୍ରେମତୃଷାର୍ତ୍ତ ଏକାକୀ ମଣିଷର କଥା ଶୁଣି ବିସ୍ମିତ ହୁଅନ୍ତି ଏବଂ ଅପମାନିତ ମନେକରନ୍ତି । ‘‘ଆମକୁ ଭୁଲାଇ ରଖ,’’–ସନ୍ଥ ଏସାୟାଙ୍କୁ ଇହୁଦୀମାନେ ଏହି ଅନୁରୋଧ କରିଥିଲେ ।

 

ହଁ ଆମେ ପାଠକକୁ ଏହିପରି ଭଲ କରିବା ଭଳି ଭୁଲ କଥା କହି ଭୁଲାଇ ରଖୁ, ପାଠକ ଆମଠାରୁ ଠିକ୍‌ ଏହି ଦାବୀ କରିଥାଏ । କିନ୍ତୁ ଯେଉଁ ସାହିତ୍ୟକୃତି ମନୁଷ୍ୟ ଜୀବନର ପରିପୂର୍ଣ୍ଣ ନାଟକର ଅବତାରଣା କରାଇବାର ପ୍ରୟାସ କରିଚି, ମରି ସଢ଼ିଯିବା ପର୍ଯ୍ୟନ୍ତ ଆପଣାର ଭାଗ୍ୟକୁ ସାନ୍ତ୍ୱନା ଦେବାଲାଗି ଯେଉଁ ଗ୍ରନ୍ଥ ଆମଲାଗି କୌଣସି ଅବକାଶ ଛାଡ଼ି ଯାଇନାହିଁ, ସେହିପରି କୃତୀ ଓ ସେହିପରି ଗ୍ରନ୍ଥ ମଣିଷର ସ୍ମୃତିରେ ଜୀବନ୍ତ ହୋଇ ରହିଛି ।

 

କୌଣସି ପ୍ରକାରର କାମନାରହିତ ପ୍ରତ୍ୟେକ ଉପନ୍ୟାସକାର ଏହିପରି ଏକ ପୃଥିବୀର ଚିତ୍ରଣ କରେ । ଷ୍ଟ୍ରିଣ୍ଡବର୍ଗ ଏହିପରି ଏକ ନିଦାରୁଣ ଅଥଚ ସତ୍ୟମୟ ପୃଥିବୀର ପରିଚୟ ଆମକୁ ଦେଇଛନ୍ତି । ମୋର ପୃଥିବୀ ମଧ୍ୟ ଠିକ୍‌ ଏହିପରି ଏକ ପୃଥିବୀ ହୋଇଥାଆନ୍ତା, ଯଦି ଗୋଟାଏ ବଳବତୀ ଆଶା ବା କାମନା ମୋତେ ତା’ର କବଳରେ ପକାଇ ଦେଇନଥାନ୍ତା । ଆଲୋକର ଏକ ରେଖା ଓ ଅଗ୍ନିର ଏକ ଉଦ୍‌ଭାସ ପରି ଏହି ଆଶା ମୋର ବର୍ଣ୍ଣିତ ସମସ୍ତେ ଅନ୍ଧାର ଓ ତମିସ୍ରାକୁ ଭେଦ କରିବାକୁ ବସିଛି । କଳା ରଙ୍ଗ ଦେଇ ମୁଁ ମୋର ସମସ୍ତ ଚିତ୍ରର ଚିତ୍ରଣ କରିଚି ଏବଂ ଏହି କଳା ପାଖଟାରୁହିଁ ସମସ୍ତେ ମୋର ବିଚାର କରିଚନ୍ତି । କିନ୍ତୁ ଏହି କଳା ଓ ଅନ୍ଧାର ଭିତରେ ଯେଉଁ ଆଲୋକ ରେଖା ଭେଦ କରିଯାଇଚି, ଅତିଗୋପନ ଏବଂ ଅସ୍ପଷ୍ଟ ଭାବରେ ଯେଉଁ ଅଗ୍ନି ଏହି କଳାର ଗର୍ଭ ଭିତରେ ଜଳୁଛି, ତାହା କାହାରି ଆଖିରେ ପଡ଼ି ନାହିଁ । ଫ୍ରାନ୍‍ସ ଦେଶରେ ଯେତେଥର କୌଣସି ରମଣୀ ତାହାର ସ୍ୱାମୀକୁ ବିଷ ଦେଇ ମାରିଦେବାକୁ ପ୍ରବୃତ୍ତ ହୁଏ, ସେତେଥର ଲୋକେ ମୋତେ କହନ୍ତି, ‘‘ନିଅ, ତୁମଲାଗି ଗୋଟାଏ ବଢ଼ିଆ ସରଞ୍ଜାମ ମିଳିଗଲା ।’’ ...ଲୋକେ ଭାବନ୍ତି ମୋ’ ପାଖରେ ଯେପରି ତ୍ରାସ ଓ ଭୟାବହତାର ଗୋଟାଏ ସଂଗ୍ରହାଳୟ ମହଜୁଦ୍‌ ରହିଚି । ତଥାପି ଏ ଯୁଗର ରୋମାଣ୍ଟିକ୍‌ ଗ୍ରନ୍ଥମାନଙ୍କରେ ଭର୍ତ୍ତି ହୋଇଥିବା ଚରିତ୍ରମାନଙ୍କଠାରୁ ମୋ’ଦ୍ୱାରା ବର୍ଣ୍ଣତ ଚରିତ୍ରମାନଙ୍କର ଏକ ମୂଳଗତ ପାର୍ଥକ୍ୟ ରହିଚି । ସେମାନଙ୍କ ଭିତରେ ଏକ ଆତ୍ମା ରହିଚି । ନିତ୍‌ସେ ତାଙ୍କର ଏକ ଗ୍ରନ୍ଥରେ ଭଗବାନ ମରି ଗଲେଣି ବୋଲି କହିଥିଲେ । ମୋର ବର୍ଣ୍ଣିତ ପ୍ରତ୍ୟେକ ଚରିତ୍ର ଅବଶ୍ୟ ଭଗବାନ ବଞ୍ଚିଛନ୍ତି ବୋଲି ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ସେମାନେ ଏକଥା ବେଶ୍‌ ଭଲ କରି ଜାଣିଚନ୍ତି ଯେ ସେମାନଙ୍କର ଅସ୍ତିତ୍ୱର ଗୋଟାଏ ଅଂଶ ପାପକୁ ଜାଣିଚି ଓ ପାପ କରିବାକୁ ଚାହୁଁ ନାହିଁ । ସେମାନେ ପାପକୁ ଜାଣିଚନ୍ତି । ସେମାନଙ୍କର ପ୍ରତ୍ୟେକଙ୍କର ଭିତରେ ଏହିପରି ଏକ ପ୍ରଚ୍ଛନ୍ନ ଅନୁଭୂତି ରହିଚି ଯେ ସେମାନଙ୍କର କର୍ମ ସେମାନଙ୍କୁ ବାନ୍ଧି ରଖିଚି ଏବଂ ଅନ୍ୟାନ୍ୟ ଜୀବନ ଉପରେ ସେମାନଙ୍କର କ୍ରିୟାର ପ୍ରକ୍ରିୟା ମଧ୍ୟ ଅନୁଭୂତ ହେଉଚି ।

 

ମୋର ନାୟକମାନେ ଜାଣନ୍ତି ଯେ, ଯେତେ ଦୁର୍ଗତ ଭାବରେ ହେଲେ ସୁଦ୍ଧା ବଞ୍ଚିବାର ଅର୍ଥ ହେଉଛି ଏକ ଅବିରାମ ଗତିର ଅନୁଭବ କରିବା, ଆପଣାକୁ ଏକ ଅନିର୍ଦ୍ଦିଷ୍ଟ ଓ ଅସମାପ୍ତ ପଥରେ ଉତ୍ତୋଳିତ କରିନେବା । ଜୀବନର ଏକ ଗତି ଓ ଏକ ଦିଗ ରହିଚି ବୋଲି ନିଃସନ୍ଦେହ ଭାବରେ ବିଶ୍ୱାସ କରୁଥିବା ମଣିଷ ଜାତି କଦାପି ନିରାଶ ଓ ଆଶାଶୂନ୍ୟ ହୋଇନପାରେ । ଆଧୁନିକ ମଣିଷର ନୈରାଶ୍ୟ, ପୃଥିବୀ ଓ ମଣିଷ ଜୀବନର ନିଷ୍ଫଳତା ଓ ଉଦ୍ଦେଶ୍ୟହୀନତାରୁ ଜାତ ହୋଇଚି । ନାନାପ୍ରକାର କଳ୍ପିତ ବିନ୍ୟାସ ଓ ଅନୁନ୍ୟାସ ପାଖରେ ଆତ୍ମସମର୍ପଣ କରିବାଦ୍ୱାରା ତା’ର ନୈରାଶ୍ୟ ବଢ଼ି ଚାଲିଚି । ନିତ୍‌ସେ ଯେତେବେଳେ ଭଗବାନ ମରିଗଲେଣି ବୋଲି ଘୋଷଣା କଲେ, ସେତେବେଳେ ଆମେ ଅତୀତରେ ବଞ୍ଚିଥିବା ଓ ଭବିଷ୍ୟତରେ ବଞ୍ଚିବାକୁ ଯାଉଥିବା ଜୀବନର ସତ୍ୟକୁହିଁ ସେ ଘୋଷଣା କରିଥିଲେ । ଆପଣାର ଭାଗ୍ୟଦ୍ୱାରା ହତାଶ୍‍ ଓ ପରାଭୂତ ହୋଇ ମଣିଷ ଆଜି ବୋଝବୁହା ପଶୁଙ୍କଠାରୁ ଅଧିକ ନିର୍ମମ ଭାବରେ ବ୍ୟବହୃତ ହେଉଛି । ନାତ୍‌ସିମାନେ ଓ ନାତ୍‌ସିମାନଙ୍କର ଉପାୟ ଅବଲମ୍ବନ କରୁଥିବା ଅନ୍ୟମାନେ ମଣିଷକୁ ଏହିପରି ନିର୍ମମ ଭାବରେ ବ୍ୟବହାର କରୁଚନ୍ତି । ଘୋଡ଼ା କହ, ଖଚର କହ ବା ବଳଦ କହ, ଏମାନଙ୍କର କେବଳ ପଣ୍ୟ ହିସାବରେ କୌଣସି ମୂଲ୍ୟ ରହିଚି । କିନ୍ତୁ ମଣିଷ ପଶୁକୁ କୌଣସି ପଇସା ଦେଇ କିଣିବାକୁ ପଡ଼ୁନାହିଁ । କେବଳ ଏକ ସଭ୍ୟତାର ସୁନିୟନ୍ତ୍ରିତ ପଦ୍ଧତି, ତାକୁ ମଣ କରି ଦିଆଯାଉଛି, ଯାହା ଫଳରେ କି ମରିବା ପର୍ଯ୍ୟନ୍ତ କେବଳ ଆତ୍ମସମର୍ପଣ କରିବା ବ୍ୟତୀତ ମଣିଷପାଇଁ କୌଣସି ଗତ୍ୟନ୍ତର ରହୁନାହିଁ । କିନ୍ତୁ ମୋ’ ଭଳି ଯେଉଁ ଲେଖକ ଆପଣା ରଚନାର ମର୍ମେ ମର୍ମେ ମଣିଷକୁ ଜଗତ୍‌ ପିତା କଲ୍ୟାଣସ୍ୱରୂପ ଭଗବାନଙ୍କର ଅନୁକୃତି ବୋଲି ଘୋଷଣା କରୁଚି, ମଣିଷ ଭିତରେ ଆତ୍ମାର ଉଦ୍‌ଭାସକୁ ଯିଏ ସ୍ୱୀକାର କରୁଚି, ତା’ର ରଚନା ବାହାରକୁ ଯେତେ ଆଶାଶୂନ୍ୟ ଓ ଅନ୍ଧକାରମୟ ଦେଖାଗଲେ ମଧ୍ୟ, ସେହି ଲେଖକ ନୈରାଶ୍ୟର ସ୍ତୁତିଗାନ କରୁଣ ବୋଲି କଦାପି କୁହାଯାଇ ପାରିବ ନାହିଁ ।

 

ତା’ର ବର୍ଣ୍ଣନା ସ୍ଥାୟୀ, ତେଣୁ ତାହା ଅନ୍ଧକାରମୟ ବୋଲି ପ୍ରତୀତ ହୁଏ । ସେ ଜାଣିଚି ଯେ ମନୁଷ୍ୟ ପ୍ରକୃତି ଆଜି ଅପମାନିତ, ଆକ୍ରାନ୍ତ ଓ ଦୂଷିତ ହୋଇରହିଚି । କୌଣସି ଖ୍ରୀଷ୍ଟିୟାନ ଉପନ୍ୟାସକାର ଯେ ମଣିଷର ଇତିହାସକୁ କେବଳ ପ୍ରଶଂସା କରିପାରିବ ନାହିଁ, ଏହା ଅତ୍ୟନ୍ତ ସ୍ୱାଭାବିକ କଥା । କାରଣ ପାପର ରହସ୍ୟ ଭେଦ ନ କରି ତାକୁ କେବଳ ଏଡ଼ିଦେଇ ତାହାଠାରୁ ଲୁଚି ପଳାଇଯିବାକୁ ସେ ଏକ ନିଷେଧ ବୋଲି ମନେକରେ ।

 

ପାପକୁ ଏତେ ପ୍ରାଧାନ୍ୟ ଦେବାର ଅର୍ଥ ହେଉଚି ଶୁଦ୍ଧତାକୁ ପ୍ରାଧାନ୍ୟ ଦେବା, ଶିଶୁ ଓ ଶିଶୁ-ସୁଲଭତାକୁ ପ୍ରାଧାନ୍ୟ ଦେବା । ମୋର କାହାଣୀଗୁଡ଼ିକରେ ଏହି ଶିଶୁ ଏକ ପ୍ରଧାନ ସ୍ଥାନ ଅଧିକାର କରିଚି, ମୋତେ ଭାରି ଦୁଃଖ ଲାଗୁଚି ଯେ, ମୋର ସମାଲୋଚକମାନେ ଅସ୍ଥିର ହୋଇ ଏହାକୁ ହୃଦୟଙ୍ଗମ କରିପାରି ନାହାନ୍ତି । ଶିଶୁର ସ୍ୱପ୍ନ ହେଉଚି ମୋର ସମସ୍ତ ରଚନାର ସବୁଠାରୁ ପ୍ରଧାନ କଥା । ଲୋକେ ମୋର ଉପନ୍ୟାସରେ କେବଳ ବିଷଧର ସର୍ପଗୁଡ଼ାକୁ ଦେଖିଚନ୍ତି, କିନ୍ତୁ ଏକାଧିକ ସ୍ଥାନରେ ସେଥିରେ ଯେଉଁ କପୋତମାନେ ବସାବାନ୍ଧି ରହିଛନ୍ତି, ସେଗୁଡ଼ିକ ଉପରେ କାହାରି ଆଖି ପଡ଼ିନାହିଁ । ଶୈଶବ କାଳରୁ ମୁଁ ଆମ ଜୀବନର ହୃତ୍‍ସ୍ୱର୍ଗ ବୋଲି ବିଶ୍ୱାସ କରେ, ଏହି ଶୈଶବହିଁ ଆମକୁ ସବୁ ଭ୍ରମ ଓ ଦୁଃଖର ରହସ୍ୟ ଏବଂ ଗୂଢ଼ସତ୍ୟ ଭିତରକୁ ପ୍ରବେଶ କରାଇ ଦିଏ ।

 

ଏହା ଦୁଷ୍ଟତା ଓ ପାପର ରହସ୍ୟ–ଏହାର ଉଦ୍‌ଘାଟନ କରିବା ଲାଗି ଆଉ ଦ୍ୱିତୀୟ ପନ୍ଥା ନାହିଁ । ହୁଏତ ଆମେ ପାପକୁ ଏକାବେଳକେ ଅସ୍ୱୀକାର କରିଦେଇ ପାରିବା ବା ଆମ ଭିତରେ ଓ ଆମ ବାହାରେ ଅର୍ଥାତ୍‌ ଆମର ଇତିହାସରେ ପାପ ଠିକ୍‌ ଯେଉଁ ରୂପରେ ପ୍ରକାଶିତ ହୁଏ, ଠିକ୍‌ ସେହି ରୂପରେ ଆମେ ପାପକୁ ସ୍ୱୀକାର କରିନେବା । ଆମ ଭିତରେ ଆମର କାମନା ରୂପରେ ଏହି ପାପ ପ୍ରକାଶିତ ହୁଏ, ପୁଣି ଆମର ବାହାରେ ଆମର ଇତିହାସ ଭିତର ଦେଇ ଏହା ପ୍ରକଟିତ ହୁଏ । କେତେ କେତେ ସାମ୍ରାଜ୍ୟର କ୍ଷମତା ଲୋଲୁପତା ମଣିଷର ଲହୁ ଦେଇ ଏହି ଇତିହାସ ଲେଖି ଲେଖି ଚାଲିଚି ଓ ପାପକୁ ପ୍ରକାଶିତ କରି ଚାଲିଚି । ବ୍ୟକ୍ତିଗତ ଓ ସାମୂହିକ ଅପରାଧ ମଧ୍ୟରେ ଯେ ଏକ ନିକଟ ସମ୍ପର୍କ ରହିଚି, ଏହା ମୁଁ ସର୍ବଦା ବିଶ୍ୱାସ କରିଆସିଚି । ଏବଂ ଜଣେ ସାମ୍ବାଦିକ ହିସାବରେ ରାଜନୀତିକ ଇତିହାସର ଦୈନନ୍ଦିନ ଘୃଣା ଓ ଦ୍ୱେଷର ବର୍ଣ୍ଣନା କରି ମନୁଷ୍ୟର ହୃଦୟ ଭିତରେ, ଗୋପନରେ ବିକଶିତ ହୋଇ ଚାଲିଥିବା ଅଦୃଶ୍ୟ ଇତିହାସରେ ଦୃଶ୍ୟମାନ ପରିଣତିଗୁଡ଼ିକୁ ମୁଁ ଲୋକ ସମକକ୍ଷକୁ ଆଣିବାକୁ ଚେଷ୍ଟା କରିଚି । ପାପକୁ ପାପବୋଲି ଜାଣିବାପାଇଁ ଆମେ କେତେ ଯାତନା ଭୋଗ କରିଚୁ । ଆଜି ମଧ୍ୟ ଆମ ସଂସାରରେ ଆକାଶରେ ଅନେକ ଶ୍ମଶାନରେ ଧୂଆଁ ଆବର୍ତ୍ତିତ ହୋଇ ରହିଚି । ତଥାପି ଆମର ଆଖି ଆଗରେ ଲକ୍ଷ ଲକ୍ଷ ନିରୀହ ମଣିଷ, ଏପରିକି ଶିଶୁ ମଧ୍ୟ ସେହି ଶ୍ମଶାନର କବଳରେ ପଡ଼ିଚନ୍ତି । ଆଜି ମଧ୍ୟ ସେହି ଇତିହାସ ଉଦାସୀନ ଗତିରେ ଚାଲିଚି । ଯେଉଁସବୁ ପ୍ରାଚୀନ ଦେଶରେ ଲୋକେ ଯୀଶୁଙ୍କୁ ଭଲପାଉଥିଲେ ଗୌରବ ଦେଉଥିଲେ ଏବଂ ଶତାବ୍ଦୀ ଶତାବ୍ଦୀଧରି ପୂଜା କରୁଥିଲେ, ସେହିସବୁ ଦେଶରେ ଏହି ଅତ୍ୟାଚାର ଓ ଉତ୍ପୀଡ଼ନର ଚେର ସବୁଠାରୁ ଅଧିକ ଗଭୀରକୁ ଭେଦି ରହିଚି ।

 

ଭଗବାନଙ୍କ ଉପରେ ବିଶ୍ୱାସ କରୁଥିବା ଜଣେ ମଣିଷ ହିସାବରେ ମୁଁ ଭଗବଦ୍‌ ବିଶ୍ୱାସର ପଥରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିବା ପାପକୁ ନ ଦେଖିବା ପରି ଛଳନା କରୁଚି ବୋଲି ଆପଣମାନେ ଯେପରି ବିଶ୍ୱାସ ନ କରନ୍ତି । ପ୍ରତ୍ୟେକ ଖ୍ରୀଷ୍ଟିୟାନ ପାଖରେ ଏହି ପାପହିଁ ଆଜି ମଧ୍ୟ ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ରହସ୍ୟ ହୋଇରହିଚି । ଇତିହାସର ଯାବତୀୟ ଅପରାଧ ଭିତରେ ରହି ମଧ୍ୟ ଯିଏ ଆଜି ଆପଣାର ବିଶ୍ୱାସରେ ଅଟଳ ରହିଚି, ତାହାକୁ ଏକ ଚିରନ୍ତନ ଲୋକାପବାଦର ଆଘାତ ସହିବାକୁହିଁ ପଡ଼ିବ । ବୁଦ୍ଧିବାଦୀ ଧର୍ମତତ୍ତ୍ୱବିତ୍‌ମାନେ ପାପ ବିଷୟରେ ଯେଉଁସବୁ କୈଫିୟତ ଦେଇଚନ୍ତି, ତଦ୍ୱାରା ମୋର ଆଦୌ ହୃଦ୍‌ବୋଧ ହୋଇନାହିଁ । ସେମାନେ ବୁଦ୍ଧି ଦେଇ ସବୁ ପ୍ରମାଣ କରିବାକୁ ଚାହାନ୍ତି ବୋଲି ବୋଧହୁଏ ସେମାନେ ମୋତେ ସନ୍ତୁଷ୍ଟ କରିପାରନ୍ତି ନାହିଁ । କାରଣ ଯେଉଁ ରହସ୍ୟକୁ ଆମେ ସମସ୍ତେ ବୁଝିବାକୁ ଚାହୁଁଚୁ, ତାହା କଦାପି ବୁଦ୍ଧି ରାଜ୍ୟର ଅନ୍ତର୍ଗତ ନୁହେଁ, ଏକା କରୁଣା ଓ କଲ୍ୟାଣରାଜ୍ୟର ଅନ୍ତର୍ଗତ । ‘‘ଭଗବାନ ହେଉଚନ୍ତି ପ୍ରେମ’’–ଜନ୍‌ଙ୍କର ଏହି ଉକ୍ତିରେ ଏହା ସମ୍ପୂର୍ଣ୍ଣ ପରିସ୍ଫୁଟ ହୋଇପାରିଚି । ଜୀବନ୍ତ ପ୍ରେମପାଇଁ କିଛି ଅସମ୍ଭବ ନୁହେଁ, କିଛି ଅପ୍ରାପ୍ୟ ନୁହେଁ ।

 

କାଳେ କାଳେ ଅନେକ ସମାଲୋଚନା ବିବାଦ, ଧର୍ମଦ୍ରୋହ, ଅତ୍ୟାଚାର ଓ ଜୀବନହାନୀର ସଂଘଟନ କରାଇଥିବା ଗୋଟିଏ ସମସ୍ୟାର ଏଠାରେ ଉତ୍‌ଥାପନ କରିଥିବାରୁ ମୁଁ ଆପଣମାନଙ୍କ ପାଖରେ କ୍ଷମାଭିକ୍ଷା କରୁଚି । କିନ୍ତୁ ଆପଣମାନଙ୍କର ସମ୍ମୁଖରେ ଜଣେ ଉପନ୍ୟାସକାର ଏହି ସମସ୍ୟାର ଉତ୍‍ଥାପନ କରିଚି, ଯେଉଁ ଉପନ୍ୟାସକାରକୁ କି ଆପଣମାନେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରି ଚିହ୍ନାଇ ଦେଇଛନ୍ତି । ତା’ର ଜୀବନକୁ ଯୋଗାଇଥିବା ପ୍ରେରଣାକୁ ଆପଣମାନେ ସ୍ୱତନ୍ତ୍ର ମୂଲ୍ୟ ଦେଇଛନ୍ତି ବୋଲି ଏଥିରୁ ସ୍ପଷ୍ଟ ସୂଚିତ ହେଉଚି । ଏହାଦ୍ୱାରା ପ୍ରମାଣିତ ହେଉଚି ଯେ ତା’ର ବିଶ୍ୱାସ ଓ ଆଶା ସହିତ ତା’ଠାରୁ ଅନ୍ୟ ବିଶ୍ୱାସ ଓ ଆଶା ପୋଷଣ କରିଥିବା ପାଠକମାନଙ୍କର ଅନୁଭୂତିର କୌଣସି ପରସ୍ପର–ବିରୋଧ ନାହିଁ ।

 

ଆଜି ଆମେ ସମସ୍ତେ ଏକମତ ଯେ, ଏ ଯୁଗର ଧର୍ମଚ୍ୟୁତ ଓ ଖ୍ରୀଷ୍ଟଚ୍ୟୁତ ମନୁଷ୍ୟ ସମାଜକୁ ଏକ କ୍ରୁଶବିଦ୍ଧ ମନୁଷ୍ୟ ସମାଜ ବୋଲି କହିବାକୁ ହେବ । କ୍ରୁଶ ଯୁଗେ–ଯୁଗେ ମନୁଷ୍ୟର ଦୁଃଖର ପ୍ରତୀକରୂପେ ରହି ଆସିଚି । ପୃଥିବୀର କୌଣସି ଶକ୍ତି ଏହାକୁ ଧ୍ୱଂସ କରିପାରିବ ନାହିଁ । ଏପରିକି ହୃଦୟର ଗଭୀରତମ ପ୍ରଦେଶକୁ ଭେଦ କରିପାରିଥିବା ଷ୍ଟ୍ରିଣ୍ଡ୍‌ବର୍ଗ ମଧ୍ୟ ତାଙ୍କର ସମାଧି ଉପରେ ସେହି ଗୋଟିଏ ବାକ୍ୟ ଲିଖିତ ହୋଇ ରହିବାର ଇଚ୍ଛା ପ୍ରକାଶ କରିଯାଇଛନ୍ତି– ‘‘ଜଗତର ସବୁଦୁଃଖ ଭୋଗ କରିସାରିବା ପରେ, ସେ ମଧ୍ୟ ସେହି ଆଶା ଓ ସେହି ପ୍ରେମର ଛାୟାଶ୍ରୟରେ ବିଶ୍ରାମ ନେଇଛନ୍ତି ।’’ ତାଙ୍କରି ନାମରେ ଆଜିର ଏହି ପୁରସ୍କୃତ ଲେଖକ ଆପଣମାନଙ୍କଠାରୁ କ୍ଷମାଭିକ୍ଷା କରି ନେଉଚି । ତା’ର ବ୍ୟକ୍ତିଗତ କଥାଗୁଡ଼ାକ କହି ଆଜିର ଏହି ଅତି ଗମ୍ଭୀର ବାତାବରଣ ସୃଷ୍ଟି କରିଥିବାରୁ କ୍ଷମା ମାଗି ନେଉଚି । କିନ୍ତୁ ଆପଣମାନେ ତା’ ଉପରେ ଯେଉଁ ପୁରସ୍କାର ଲଦିଦେଇ ତାକୁ ଅଭିଭୂତ କରି ପକାଇଛନ୍ତି, ଆଉ କି’ ପ୍ରକାରେ ସେ ତାହାର ପ୍ରତ୍ୟୁତ୍ତର ଦେଇପାରିଥାନ୍ତା ? ଆପଣାର ହୃଦୟର ଅନ୍ତରଙ୍ଗ ତଳ ଖୋଲି ନ ଦେଇ, ତା’ର ଆତ୍ମାକୁ ପ୍ରସାରି ନ ଦେଇ, କିପରି ସେ ଆପଣାର କର୍ତ୍ତବ୍ୟ କରିପାରିଥାନ୍ତା ? ତା’ର ଚରିତ୍ରଗୁଡ଼ିକର ମଧ୍ୟଦେଇ ସେ ଆପଣମାନଙ୍କୁ ତା’ର ଅନ୍ତର ଭିତରର ସବୁ ପୀଡ଼ା ଓ ଅଶ୍ୱସ୍ତି ପରିବେଷଣ କରି ଦେଇଥିଲା । ତେଣୁ ଆଜି ସନ୍ଧ୍ୟାରେ ଆପଣା ଶାନ୍ତିର ଗୋପନ ଦ୍ୱାରଦେଶରେ ଆପଣମାନଙ୍କୁ ପ୍ରବେଶ କରାଇ ଦେଇ ସେ ଆପଣାର ବିହିତ କର୍ତ୍ତବ୍ୟ ସମ୍ପାଦନ କରିଚି ।

Image

 

‘କ୍ରୁଶ’ ବନ୍ଦୀ ଫ୍ରାଁସୋୟା ମୋରିୟାକ୍‌

 

ଫରାସୀ ସାହିତ୍ୟ, ଦର୍ଶନ ଓ ଚିନ୍ତାଧାରା ବିଶ୍ୱସାହିତ୍ୟ ରାଜ୍ୟରେ ସାଂସ୍କୃତିକ ରାଜଧାନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ୟାରିସ୍‌ର ସାହିତ୍ୟ ଏକାଡେମୀ ଓ ବିଶ୍ୱବିଦ୍ୟାଳୟ ବିଶ୍ୱର ଆଦର୍ଶ-

ଇଂଲଣ୍ଡ ଓ ଫ୍ରାନ୍‍ସ ମଝିରେ ଇଂଲିଶ ପ୍ରଣାଳୀ ପ୍ରବାହିତ । ମାତ୍ର କେତେକ ମାଇଲ ବ୍ୟବଧାନ କିନ୍ତୁ ଉଭୟ ଦେଶ ମଧ୍ୟରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳେ ।

ଫରାସୀ ଚିନ୍ତାଧାରା ଓ ସାହିତ୍ୟ ସଙ୍ଗେ ଭାରତବାସୀଙ୍କର ପରିଚୟ ଘଟେ ଇଂରେଜୀ ଅନୁବାଦ ମାର୍ଫତ; ସେଥିଯୋଗୁଁ ଫ୍ରାନ୍‍ସର ବହୁ ବିଚିତ୍ର ପୂର୍ଣ୍ଣାଙ୍ଗ ପରିଚୟ ବର୍ତ୍ତମାନ ମଧ୍ୟ ଭାରତବସୀଙ୍କ ମଧ୍ୟରେ ଘନିଷ୍ଠ ହୋଇ ଉଠିନାହିଁ ।

ଆଜିସୁଦ୍ଧା ନଅଜଣ ଫରାସୀ ସାହିତ୍ୟିକ ନୋବେଲ୍‌ ପୁରସ୍କାରଦ୍ୱାରା ସମ୍ମନିତ ହୋଇଛନ୍ତି । ସର୍ବପ୍ରଥମ କବି ସଲି ପ୍ରୁଧୋମ୍‌ ଏବଂ ସର୍ବାଧୁନିକ ହେଉଛନ୍ତି ଆଲବର୍ଟ କାମସ୍‌ । ୧୯୫୨ ସାଲରେ ‘‘ଗାଲିଗାଇ (ସମ୍ମୋହିନୀ)’’ ପ୍ରକାଶ ପାଇବା ପରେ ସେହି ବର୍ଷ ଫ୍ରାଁସୋୟା ମୋରିୟାକ୍‌ ନୋବେଲ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।

ପୌରାଣିକ ସାହିତ୍ୟରେ ପାପ ଓ ପୁଣ୍ୟ ମଧ୍ୟରେ ବହୁତ ସଂଘର୍ଷର ଚିତ୍ର ଦେଖିବାକୁ ମିଳେ । ଏହି ଚିରନ୍ତନ ସଂଗ୍ରାମ ‘ଦେବତା’ ଓ ‘ଅସୁର’ ସଂଗ୍ରାମ ଆଖ୍ୟା ଲାଭ କରି ତାହା ଧର୍ମଗ୍ରନ୍ଥ ହିସାବରେ ମର୍ଯ୍ୟାଦାଲାଭ କରିଛି । ନିଜଠାରୁ ବଳୀୟାନ୍‌ ଶକ୍ତିଗୁଡ଼ିକୁ ସନ୍ତୁଷ୍ଟ କରିବା ହେଉଛି ମଣିଷର ସହଜାତ ପ୍ରବୃତ୍ତି, କିନ୍ତୁ ମନସ୍ତତ୍ତ୍ୱ ଦୃଷ୍ଟିକୋଣରୁ ଏହି ସଂଗ୍ରାମ ହେଉଛି ମଣିଷ ମନ ମଧ୍ୟରେ ଲାଗି ରହିଥିବା ଅବିଚ୍ଛିନ୍ନ ଅନ୍ତର୍ଦ୍ୱନ୍ଦ୍ୱ ।

ଶ୍ରୀଯୁକ୍ତ ମୋରିୟାକ୍‌ ଏହି ଅପରାଧ ପ୍ରବଣତାକୁ ନିଜ ଉପନ୍ୟାସମାନଙ୍କ ଚରିତ୍ର ଭାବରେ ଗ୍ରହଣ କରିଛନ୍ତି । ଅପରାଧୀ ସମାଜରୁ ଗ୍ରହଣ କରିଥିବା ଚରିତ୍ରଗୁଡ଼ିକ ଆମଭଳି ପ୍ରତ୍ୟେକ ମଣିଷ ଏବଂ ମୋରିୟାକ୍‌ କହିଛନ୍ତି ଯେ, ଅପରାଧ ସମାଜର ଏକ ବ୍ୟାଧି । ତାହା ମଧ୍ୟ ଆରୋଗ୍ୟ କରାଯାଇପାରେ, କାରଣ ଭଲ ଓ ମନ୍ଦ, ପାପ ଓ ପୁଣ୍ୟ ଗୋଟିଏ ବୃନ୍ତରେ ଦିଓଟି ପୁଷ୍ପ ଭଳି ବିକଶିତ । ଏହାର ପ୍ରକୃତସ୍ୱରୂପ ଊଉଲବ୍ଧି କରିବାପାଇଁ ଆବଶ୍ୟକ ପୋଥିଗତ ବିଚାର ଓ ଶାସ୍ତ୍ରର ଗଣ୍ଡି ବହିର୍ଭୁତ ବୁଦ୍ଧି ଏବଂ ଉଚ୍ଚ ଚିନ୍ତାଧାରା ।

୭୪ ବର୍ଷ ତଳେ ଦକ୍ଷିଣ ଫ୍ରାନ୍‌ସର ଅନ୍ତର୍ଗତ ବୋର୍ଦ୍ଦୋ ନାମକ ସ୍ଥାନରେ ୧୮୮୫ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୧୧ ତାରିଖରେ ଫ୍ରାଁସୋୟା ମୋରିୟାକ୍‌ ଜନ୍ମଗ୍ରହଣ କରିଥିଲେ । ସମ୍ଭ୍ରାନ୍ତ ବିତ୍ତବାନ୍‌ ପରିବାରରେ ଚାରି ଭାଇ ଓ ଜଣେ ଭଉଣୀ ମା’ଙ୍କର ସତର୍କ ତତ୍ତ୍ୱାବଧାନରେ ଗତାନୁଗତିକ ଭାବରେ ରୋମାନ୍‌ କାଥୋଲିକ୍‌ ଧର୍ମାନୁଯାୟୀ ବଢ଼ିବାକୁ ଲାଗିଲେ । ପାଞ୍ଚୋଟି ଶିଶୁମାନଙ୍କ ମଧ୍ୟରେ ମୋରିୟାକ୍‌ ହେଉଛନ୍ତି ସର୍ବକନିଷ୍ଠ ଏବଂ ଅନ୍ୟ ତିନି ଭାଇମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୋର୍ଦ୍ଦୋ ବିଶ୍ୱବିଦ୍ୟାଳୟର ଭେଷଜବିଦ୍‌, ଅନ୍ୟଜଣେ ବାରିଷ୍ଟର, ଆଉଜଣେ ପୁରୋହିତ ।

ମୋରିୟାକ୍‌ଙ୍କୁ ଯେତେବେଳେ ମାତ୍ର ୨୦ ମାସ ବୟସ ସେତେବେଳେ ସେ ହଠାତ୍‌ ପିତୃହରା ହୁଅନ୍ତି । ତାଙ୍କର ପିତା ସେଦିନ ନିଜର ସମ୍ପତ୍ତିବାଡ଼ି ଦେଖାଶୁଣା କରି ସନ୍ଧ୍ୟାବେଳେ ଘରକୁ ଫେରି କହିଲେ ଯେ ଭୀଷଣ ମୁଣ୍ଡ ବିନ୍ଧୁଛି ଏବଂ ତା’ ପରଦିନ ଆକସ୍ମିକ ଭାବରେ ତାଙ୍କର ମୃତ୍ୟୁ ଘଟିଲା । ମୋରିୟାକ୍‌ ୫ବର୍ଷ ବୟସରେ ପିତାମହଙ୍କୁ ମଧ୍ୟ ହରାଇଥିଲେ ଏବଂ ପିତାଙ୍କଭଳି ପିତାମହଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । କିଛିଦିନ ପରେ ସେ ବିଦ୍ୟାଳୟରେ ପ୍ରବେଶ କଲେ । ପିଲାଦିନୁ ପ୍ରତ୍ୟେକ ବିଷୟ ଓ ତାଙ୍କ ଭାବନା ନିଜର ଟିପା ଖାତାରେ ଲେଖି ରଖିବାରେ ଅଭ୍ୟସ୍ତ । ବିଦ୍ୟାଳୟରେ ସେ ଜଣେ ମେଧାବୀ ଓ ସାହିତ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ଛାତ୍ର ହିସାବରେ ପରିଚିତ । ଚଉଦ ବର୍ଷ ବୟସରୁ ଶ୍ରେଷ୍ଠ ପୁସ୍ତକମାନ ପଢ଼ିବାରେ ମନୋନିବେଶ କଲେ । ଏତିକିବେଳେ ଜଣେ ବେନାମୀ ଲେଖିକାଙ୍କର ରଚନା ‘ଫିଟ୍ ଅଫ୍‌ କ୍ଳେ’ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହେଲେ । ୧୯୦୬ରେ ପ୍ୟାରସ୍‌କୁ ଉଚ୍ଚଶିକ୍ଷା ଲାଭ କରିବାପାଇଁ ଗଲାଉତ୍ତାରୁ ପାସ୍କାଲ, ରାବୋଁ ଏବଂ ରେସାଇନ୍‌ ଇତ୍ୟାଦିଙ୍କ ରଚନାମାନଙ୍କଦ୍ୱାରା ସେ ବିଶେଷ ଭାବରେ ପ୍ରଭାବାନ୍ୱିତ ହେବାକୁ ଲାଗିଲେ-। ୧୯୦୯ରେ ତାଙ୍କର ସର୍ବପ୍ରଥମେ ରଚନା କରିବା ଗ୍ରନ୍ଥ ‘‘ଦି ଜଏନ୍‌ ହ୍ୟାଣ୍ଡସ୍‌’’ ପ୍ରକାଶିତ ହେଲା, ତା’ପରେ ‘‘ପେୟାର ଓ୍ୟେଲ୍‌ଟୁ ଆଦୋଲସେନ୍‌’’ ଏବଂ ‘‘ଦି ଚାଇଲଡ଼୍‌ ବର୍ଡ଼େନ୍‌ ଉଇଥ୍‌ ଚେନସ୍‌’’ ପ୍ରକାଶ ପାଇଲାବେଳକୁ ମୋରିୟାକ୍‌ଙ୍କୁ ୨୪ ବର୍ଷ ବୟସ ହୋଇଥିଲା । ଏତିକିବେଳେ ସେ ଫରାସୀ ସରକାରଙ୍କ ରେଭିନ୍ୟୁ ବିଭାଗର ଜଣେ ଉଚ୍ଚ କର୍ମକର୍ତ୍ତାଙ୍କ ଝିଅ ଜାଁନେ ଲାଫୋଁଙ୍କୁ ବିବାହ କଲେ । ମୋରିୟାକ ଚାରୋଟି ଶିଶୁର ଜନକ, ଯୋଡ଼ିଏ ପୁଅ ଏବଂ ଯୋଡ଼ିଏ ଝିଅ । ବଡ଼ ପୁଅ କ୍ଲୋଦେଁ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ସମାଲୋଚକ । ‘‘ଆଦ୍ରେଁଜିଦ୍‌ଙ୍କ ସଙ୍ଗେ କଥାବାର୍ତ୍ତା’’ ନାମକ ଗ୍ରନ୍ଥ ରଚନା କରି ସେ ବିଶେଷ ପ୍ରସିଦ୍ଧି ଲାଭ କରିଛନ୍ତି ।

ଯୁଦ୍ଧ ଆରମ୍ଭ ହେବା ପରେ ଫ୍ରାଁସୋୟା ମୋରିୟାକ୍‌ ସାଲୋନିକା ଆନ୍ଦୋଳନରେ ଯୋଗଦାନ କରି ସୈନ୍ୟ ବିଭାଗରେ ସେବା ଶୁଶ୍ରୁଷା କାର୍ଯ୍ୟରେ ନିଯୁକ୍ତ ହେଲେ । ଯୁଦ୍ଧର ଅଭିଜ୍ଞତା ଘେନି ସେ ଫେରିଆସି ଲେଖକ ଭାବରେ ଜୀବିକା ନିର୍ବାହ ଆରମ୍ଭ କଲେ । ୧୯୨୦ରେ ‘‘ଫେସ୍‍ ଏଣ୍ଡ ବ୍ଲଡ଼୍‌’’ ଏବଂ ‘‘ପ୍ରିସିଡେନ୍‌ସ’’, ୧୯୨୧ରେ ‘‘ଏ କିସ୍‌ ଫର ଦି ଲେପର’’, ୧୯୨୩ରେ ‘‘ଜେନିଟ୍ରିକ୍‌ସ’’, ୧୯୨୪ରେ ‘‘ଦି ଏନିମି’’, ୧୯୨୫ରେ ‘‘ଦି ଡେଚ୍ଚାର୍ଟ ଅଫ୍‌ ଲଭ’’, ୧୯୨୬ରେ ‘‘ଥେରେସେ ଡେକୋରେ’’ ଓ ‘‘ଭାଇପରସ ଟାଙ୍ଗ୍‌ଲ’’, ୧୯୨୭ରେ ‘‘ଦ୍ୟାଟ୍‌ ହୁଇଚ୍‌ ଓ୍ୟାଜ ଲଷ୍ଟ’’ ଓ ‘‘ଡେଷ୍ଟିନ୍‌ସ’’, ୧୯୨୮ରେ ‘‘ଲାଇଫ ଅଫ୍‌ ଜାଁ ରେସାଇନ୍‌’’, ୧୯୩୧ରେ ‘‘ପାସ୍କାଲ୍‌ଙ୍କ ଜୀବନୀ’’, ୧୯୩୩ରେ ‘‘ଦି ଫ୍ରଣ୍ଟେନାକ୍‌ ମିଷ୍ଟ୍ରି’’, ୧୯୩୫ରେ ‘‘ଦି ହାଇ ଉଏକ୍‌ ଅଫ୍‍ ଦି ସି’’, ୧୯୪୦ରେ ‘‘ଓମ୍ୟାନ୍‌ ଅଫ୍‌ ଦି ଫାରିସିସ୍‌’’, ୧୯୪୫ରେ ‘‘ସେଣ୍ଟ୍‍ ମାର୍ଗାରିଟା ଦି କର୍ଟୋନ୍‌’’, ୧୯୪୮ରେ ‘‘ଦି ଷ୍ଟମ୍‌ବଲିଙ୍ଗ ବ୍ଲକ୍‌’’, ୧୯୫୧ରେ ‘‘ଦି ଲିଟ୍ଲଲ ମିଜରି’’, ୧୯୫୨ରେ ‘‘ଗାଲିଗାଇ’’, ୧୯୫୪ରେ ‘‘ଦି ଲ୍ୟାମ୍ବ’’, ଗଡ୍‍ ଏଣ୍ଡ୍‌ ମାମନ୍‌ ଏବଂ ତିନି ଖଣ୍ଡ ‘‘ଜର୍ଣ୍ଣାଲ’’ ଇତ୍ୟାଦି ଗ୍ରନ୍ଥମାନ ପ୍ରକାଶିତ ହୋଇଥିଲା ।

‘‘ଦି ସ୍ଲୋଭେନ୍‌ଲି’’ ପ୍ରକାଶ ପାଇବା ଉତ୍ତାରୁ ତାଙ୍କର ଗ୍ରନ୍ଥାବଳୀ ପ୍ରକାଶ ପାଇଅଛି ।

ନାଜିମାନଙ୍କ ଆକ୍ରମଣ ବେଳେ ମୋରିୟାକ୍‌ ଜାତୀୟ ଲେଖକ ସଂଘରେ ଯୋଗଦାନ କରି ଓ ‘‘ଫୋରେଜ୍‌’’ ନାମ ଧାରଣ କରି ଗୁପ୍ତଭାବରେ ରହି ଲେଖାଲେଖି କରୁଥିଲେ । ତାହା ମିଡ୍‌ନାଇଟ୍‌ ପ୍ରକାଶନୀଦ୍ୱାରା ‘‘ଦି ବ୍ଲାକ୍‌ ବୁକ୍‌’’ ନାମରେ ପ୍ରକାଶିତ ହୋଇଅଛି । ୧୯୪୪ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୨୫ ତାରିଖରେ ମୋରିୟାକ୍‌ ସାମ୍ବାଦିକ ଭାବରେ ତାଙ୍କର ସମ୍ପାଦକୀୟ ବିଖ୍ୟାତ ସାହିତ୍ୟ ପତ୍ରିକା ‘‘ଲା ଫିଗାରୋ’’ରେ ପ୍ରକାଶ କଲେ ଏବଂ ବଳୀୟାନ୍‌ ସାମ୍ବାଦିକ ହିସାବରେ ପରିଚିତ ହେଲେ ।

‘‘ଦି ଡେଜାର୍ଟ ଅଫ୍‌ ଲଭ୍‌’’ ପୁସ୍ତକପାଇଁ ୧୯୩୨ ଫରାସୀ ଏକାଡେମୀର ଶ୍ରେଷ୍ଠ ପୁରସ୍କାର ଏବଂ ୧୯୩୩ରେ ଫରାସୀ ଏକାଡେମୀ ସଭାପତିର ଆସନ ଲାଭ କରିଥିଲେ ।

୧୯୩୮ରେ ସେ ତାଙ୍କର ଯୁଦ୍ଧର ପୂର୍ବବର୍ତ୍ତୀ ପ୍ରଥମ ନାଟକ ରଚନା ‘‘ଆସ୍‌ମୋଦି’’ ପ୍ରକାଶ କରିଥିଲେ । ଏବଂ ଯୁଦ୍ଧ ପରେ ଅନ୍ୟାନ୍ୟ ନାଟକ ‘‘ଆଇ ଉଇଲ ଲଭଡ଼୍‌ ଏଣ୍ଡ ଲିଭଡ଼୍‌ ଉଇଥ ଫ୍ରେଞ୍ଚ’’, ‘‘ଦି ଟାନଜିସନ୍‌ ଅଫ୍‌ ଦି ରୋଗ୍‌’’ ଏବଂ ‘‘ଦି ଫାୟାର ଅନ୍‌ ଦି ଲାଣ୍ଡ’’ ପ୍ରକାଶିତ ହୋଇଥିଲା ।

ମୋରିୟାକ୍‌ଙ୍କ ସ୍ରୋତସ୍ୱିନୀ ଲେଖନୀରୁ ପ୍ରତ୍ୟେକ ବର୍ଷ ଗୋଟାଏ ନା ଗୋଟାଏ କବିତା ଗୁଚ୍ଛ କିମ୍ବା ଉପନ୍ୟାସଟିଏ ଅଥବା ପ୍ରବନ୍ଧମାଳା ପ୍ରକାଶ ଲାଭ କରେ ।

୧୯୫୨ ଖ୍ରୀଷ୍ଟାବ୍ଦ ନଭେମ୍ବର ୬ ତାରିଖରେ ନିମ୍ନଲିଖିତ କାରଣ ଦର୍ଶାଇ ତାଙ୍କୁ ନୋବେଲ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଗଲା ।

‘‘ମର୍ମସ୍ପର୍ଶୀ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ଏବଂ ସୁସଂହତ ଲେଖନୀଦ୍ୱାରା ସେ ମାନବର ଜୀବନ ନାଟିକାକୁ ଉପନ୍ୟାସର ରୂପରେଖ ଦେଇଅଛନ୍ତି ।’’

ଏହି ଘୋଷଣା ଉଦ୍ଦେଶ୍ୟରେ ଫ୍ରାଁସୋୟା ମୋରିୟାକ୍‌ ସାମ୍ବାଦିକମାନଙ୍କୁ କ୍ଷୁଦ୍ର ବିବୃତିଟିଏ ଲେଖିଦେଲେ ‘‘ଏହି ପୁରସ୍କାର ପାଇଁ ବନ୍ଧୁ ଗ୍ରାହମ୍‌ ଗ୍ରୀନ୍‌ଏବଂ ପ୍ରସିଦ୍ଧ ଇଂରାଜୀ ଅନୁବାଦକ ଜିରାରଡ଼୍‌ ହପକିନସ୍‌ଙ୍କ ନିକଟରେ କୃତଜ୍ଞତା ଜଣାଉଛି ।’’

ଇଂରାଜୀ ନବବର୍ଷ

ସୁଭଦ୍ରା–ନନ୍ଦନ

୧୯୫୯

 

Image

 

ନାମକରଣ

 

‘ଗାଲିଗାଇ’ ଉପନ୍ୟାସର ଓଡ଼ିଆ ନାମକରଣ କିପରି ହେବ, ଏହା ଚିନ୍ତା କଲାବେଳକୁ ଆଈ ମାଆ କାହାଣୀରୁ ଶୁଣିଥିବା ଜ୍ଞାନଦେଈ ମାଲ୍ୟାଣୀ କଥା ମୋର ମନେପଡ଼ିଗଲା । ଜ୍ଞାନଦେଈ ମାଲ୍ୟାଣୀ ଓଡ଼ିଶାର କାହାଣୀ ରାଜ୍ୟରେ ଏକ ବିଚିତ୍ର ସୃଷ୍ଟି । ତା’ ପାଖରେ ଧନ ନ ଥାଏ, ରାଜ୍ୟ ନ ଥାଏ, ବା ବିଦ୍ୟା ମଧ୍ୟ ନ ଥାଏ । କେବଳ ଦୁଇଗୋଟି ଫୁଲ ଥାଏ, ଯାହା ସାହାଯ୍ୟରେ କି ସେ ରାଜାପୁଅ ଓ ରାଜା ଝିଅ ପରି ଚରିତ୍ରମାନଙ୍କୁ ଆପଣାର ବଶକୁ ନେଇଆସିପାରେ । ଗୋଟିଏ ଫୁଲ ଶୁଂଘାଇ ପୁରୁଷକୁ ସେ ଦିନରେ ମେଣ୍ଢା କରେ ଓ ଆଉ ଗୋଟିଏ ଫୁଲ ଶୁଂଘାଇ ରାତିରେ ପୁଣି ଭେଣ୍ଡା କରି ରଖେ । ହୃଦୟର ସଞ୍ଚରଣ-ଭୂମିରେ ଯେଉଁଠି ମଣିଷ ପାଖରେ ମଣିଷ ଧରାଦିଏ, ସେହିଠାରେହିଁ ପ୍ରେମ ସମ୍ଭବ ହୁଏ । ଫୁଲ ଶୁଂଘାଇ ମଣିଷକୁ ଇଚ୍ଛାନୁସାରେ ମେଣ୍ଢା ଓ ଭେଣ୍ଡା କରିବାର ଉତ୍ସାହ ଭିତରେ ପ୍ରେମାନୁଭୂତିର କୌଣସି ଗନ୍ଧ ନ ଥାଏ-। ସେଠାରେ ପ୍ରେମ ରାଜ୍ୟରେ ଆଧିପତ୍ୟ ଓ ଉତ୍ସାହ କରିବାଲାଗି ଅନ୍ୟ ବଳର ଆଶ୍ରୟ ନିଆଯାଏ, ଅନ୍ୟ ବଳ ଉପରେ ବିଶ୍ୱାସ କରାଯାଏ ।

 

ଗ୍ରାସ୍‌ଦେଶର ପୁରାଣ-କାହାଣୀରେ ଏହିପରି ଦୃଷ୍ଟାନ୍ତ ମଧ୍ୟ ଶୁଣିବାକୁ ମିଳେ । ଇଉଲିସିସ୍‌ର ସମୁଦ୍ର ଭ୍ରମଣ ସମୟରେ ହଠାତ୍‌ ଗୋଟାଏ ସ୍ଥାନରେ ସେ ଓ ତା’ର ସହଯାତ୍ରୀମାନେ ସମୁଦ୍ର ଉପରେ ସଙ୍ଗୀତ ଶୁଣିବାକୁ ପାଇଲେ । ସେହି ସଙ୍ଗୀତ ସେମାନଙ୍କର ଇଚ୍ଛା ବିରୁଦ୍ଧରେ ମଧ୍ୟ ସେମାନଙ୍କୁ ବଶ କରି ଗୋଟିଏ ଦ୍ୱୀପ ପାଖକୁ ଟାଣି ନେଲା । ସେଠାରେ ଥିବା ରମଣୀ ଏହିପରି ସଙ୍ଗୀତ ଓ ବାଦ୍ୟର ଏକ କୁହୁକ ସୃଷ୍ଟିକରି ସମୁଦ୍ର ଯାତ୍ରୀମାନଙ୍କୁ ଟାଣି ଆଣେ ଓ ସେମାନଙ୍କର ପ୍ରଣୟ ଉପଭୋଗ କରେ । ଅନେକ କୌଶଳରେ ଇଉଲିସିସ୍‌ ଆପଣାକୁ ଏହି କବଳରୁ ମୁକ୍ତ କରି ପାରିଥିଲା ।

 

ସବୁ ଯୁଗ ଓ ଦେଶର ପ୍ରେମ କାହାଣୀରେ ପ୍ରେମ ସହିତ ପ୍ରେମ ଲାଳସାର ଏକ ବିକୃତ କାହାଣୀ ମଧ୍ୟ ସଂଯୁକ୍ତ ହୋଇ ରହିଚି । ପ୍ରେମର ସଞ୍ଚାରପଥ ହେଉଚି ହୃଦୟର ନିବେଦନ କ୍ଷେତ୍ରରେ, ହୃଦୟର ଆବିଷ୍କାରରେ । କିନ୍ତୁ ଏହି ପଥରେ ଅବତୀର୍ଣ୍ଣ ହେବାକୁ ଯେଉଁ ଧୈର୍ଯ୍ୟ ଦରକାର, ଅନେକ ସମୟରେ ସେହି ଧୈର୍ଯ୍ୟ ପ୍ରେମାତୁର ମଣିଷଠାରେ ନ ଥାଏ । ସେତିକିବେଳେ ତରତର ହୋଇ ସେ ପ୍ରେମକୁ ଏକ ଶିକାରଖେଦା ବୋଲି ଭ୍ରମ କରେ, ନାନା ପ୍ରକାର ସବଳ ରଜ୍ଜୁ ନେଇ ସେ ସଦର୍ପେ ଶିକାର କରି ବାହାରେ ଓ ତା’ର ଆଖି ପଡ଼ିଥିବା ଜଣକୁ ବାନ୍ଧିଆଣି ତାହାକୁହିଁ ପ୍ରେମ କରିବ ବୋଲି ମନସ୍ଥ କରେ । ମଣିଷ ଭିତରେ ଥିବା ଏହି ପ୍ରବୃତ୍ତିକୁ ପ୍ରଶୟ ଦେଇ ପ୍ରେମ ବିଦ୍ୟାର କେଡ଼େ କେଡ଼େ ସମ୍ମୋହନ, ମାରଣ ଓ ଉଚ୍ଚାଟନ ପ୍ରଭୃତି ବିଦ୍ୟାର ଭିଆଣ ହୋଇଚି । ଏ ଯୁଗରେ ମଧ୍ୟ ମନ୍ତ୍ର ପଢ଼ି ବା ଗୁଣିଗାରେଡ଼ୀ କରି ଜଣକୁ ପ୍ରେମିକ ବା ପ୍ରେମିକା ରୂପରେ ବାନ୍ଧି ଅଣାଯାଇ ପାରିବ ବୋଲି ଅନେକ ବିଶ୍ୱାସ କରନ୍ତି ।

 

ଅନୁରକ୍ତିର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରେମ-ମାର୍ଗର ସମାନ୍ତର ଭାବରେ ମୋହ ଓ ବଳର ମାର୍ଗ ରହିଚି । ସାମଜିକ କ୍ଷେତ୍ରରେ ରହିଚି, ରାଜନୀତିରେ ରହିଚି, ତଥାକଥିତ ସେବାଦର୍ଶର ସଂସାରରେ ମଧ୍ୟ ରହିଚି । ଅଧିକରୁ ଅଧିକ ମଣିଷ ମୋର ଅଙ୍ଗୁଳି ନିର୍ଦ୍ଦେଶରେ ବା ଅଧୀନରେ ରହିବେ, ମୋହରି ଅନୁଗ୍ରହରୁ ହାଣ୍ଡିରେ ସେମାନଙ୍କର ଦାନାପାଣିର ଯୋଗାଡ଼ ହେବ, ମୋ’ର କଥାରେ, ମୋ’ର ଆଦେଶରେ ଓ ମୋର ଆଦର୍ଶରେ ସେମାନେ ଠିକ୍‌ କଣ୍ଢେଇ ପରି ନାଚିବେ, ଏହିପରି ଏକ କ୍ଷୁଧା ତଥାକଥିତ ଯୌନ କ୍ଷୁଧାଠାରୁ ମଣିଷକୁ କମ୍‌ ପାଗଳ କରେ ନାହିଁ । ଏହି କ୍ଷୁଧାର ଆବହରେ ପଡ଼ି ସମାଜିକ କ୍ଷେତ୍ରରେ ମଣିଷ ସମ୍ପତ୍ତି ବଢ଼ାଏ, ଅପର ଅନେକଙ୍କର ତୁଳନାରେ ଆପଣାକୁ ଅଧିକ ବିଜ୍ଞ ଓ ଅଧିକ ସମ୍ପନ୍ନ ବୋଲି ଦେଖାଇବାକୁ ଚେଷ୍ଟା କରେ । ରାଜନୀତି କ୍ଷେତ୍ରରେ ଏହି କ୍ଷୁଧା ମଣିଷକୁ କ୍ଷମତାର ନିଶାରେ ପକାଇଦିଏ । କ୍ଷମତାପାଇଁ ସେ ହୀନ ଭାବରେ ଅନେକ ଅପକର୍ମ କରେ । ଏକ ମିଛ ସମ୍ମାନ ସଚେତନତାର ବିକାରଦ୍ୱାରା ଚାଳିତ ହୋଇ ସେ ସବୁପ୍ରକାର ରକ୍ତ ନଦୀର ସନ୍ତରଣ କରିବାକୁ ରାଜି ହୋଇଯାଏ । ସେବା ଓ ଆଦର୍ଶର କ୍ଷେତ୍ରରେ ପ୍ରେମ ମାର୍ଗକୁ ଭୁଲିଗଲେ ମଣିଷ କମ୍ ଦୁରାତ୍ମତାର ପରିଚୟ ଦିଏ ନାହିଁ । ସେବାର ଅହଙ୍କାର ତାକୁ ଅସହିଷ୍ଣୁ କରିପକାଏ, ସେବା ଓ ଉପକାରର ଫାଶ ପକାଇ ସେ ମଣିଷ ଧରିବାର ଏକ ବ୍ୟସ୍ତ ବ୍ୟବସାୟ ଆରମ୍ଭ କରେ । ହୃଦୟ ଖୋଲିବାରେହିଁ ପ୍ରେମ ଆନନ୍ଦ ପାଏ । ଫାଶରେ ଧରି ଆଣିଥିବା ମଣିଷର ମୁଣ୍ଡ ଗଣତି କରି ସେବା ଓ ଆଦର୍ଶ କ୍ଷେତ୍ରରେ ଦାମ୍ଭିକ ଆତ୍ମପ୍ରସାଦ ଲାଭ କରେ ।

 

କିନ୍ତୁ ମାଡ଼ାମ୍‌ ଆଗାଥେ ତାଙ୍କର ରଜ୍ଜୁ ବନ୍ଧନରେ ବିଫଳ ହେଲା ପରି ମଣିଷକୁ ବାନ୍ଧିଆଣି ହାତମୁଠାରେ ରଖିବାର ସମସ୍ତ ପ୍ରୟାସ ସବୁଦିନେ ବିଫଳ ହୁଏ ।

 

ଉପନ୍ୟାସର ମାଡ଼ାମ ଆଗାଥେ କୌଣସି ମନ୍ତ୍ର ବା ଗୁଣିଗାରେଡ଼ି ଜାଣିନଥିଲେ । କିନ୍ତୁ ତଥାପି ତାଙ୍କର ବଳବାନ ମନର ଫାଶ ବସାଇ ସେ ହୃଦୟ ଧରିବାର ଦୁଃସାହସ ବାନ୍ଧିଥିଲେ । ଅଜଗର ସାପର ବଳବାନ୍‌ ଆଖି କୁଆଡ଼େ ଏହିପରି ଦୁର୍ବଳ ପଶୁକୁ ସମ୍ମୋହିତ କରି ମପଣା ପାଖକୁ ଟାଣି ନେଇଆସେ । ଆପଣାଣ ଅସୁନ୍ଦର ରୂପ ବିଷୟରେ ତାଙ୍କ ନିଜର ମନ ଭିତରେ ଯେଉଁ ଗ୍ଳାନି ବା ହୀନଭାବ ଥିଲା, ହୁଏତ ତାହାରିଦ୍ୱାରା ପୀଡ଼ିତ ହୋଇପଡ଼ି ଆଗାଥେ ପ୍ରେମର ରାସ୍ତା ଭୁଲି ସମ୍ମୋହନର ରାସ୍ତା ଧରିଥିଲେ । ଖାସ୍‌ ଏଇଥିପାଇଁ ସେ କିଛି ପାଇପାରିଲେ ନାହିଁ । ପ୍ରେମ ସୂତ୍ର ଅନୁସାରେ ଆପଣାକୁ ନିର୍ମଳ କରି ଦେଇପାରିଲେହିଁ ମଣିଷ ନିର୍ମଳ କରି ପାଏ । ପ୍ରଥମେ ଜଣକୁ ଫାଶ ଭିତରେ ଧରି ତା’ ପରେ ତାହାରି ପାଖରେ ଆପଣାକୁ ଦେବାର ଦୁରାଶାରେହିଁ ରହିଯାଏ । ଯିଏ ଯେତିକି ହରାଏ, ସେ ସେତିକି ପାଏ, ଯିଏ ଯେତିକ ପାଇବ ବୋଲି ବା ସାଉଁଟି ଧରିବ ବୋଲି ଲୋଭ କରି ବାହାରେ ସେତିକି ହରାଏ; ପ୍ରେମର ପାରମାର୍ଥିକ ଶାସ୍ତ୍ର ବାଇବେଲ୍‌ରେ ଘୋଷଣା କରାଯାଇଥିବା ଏହି ଉକ୍ତିଟି ଜୀବନରେ ସବୁ କ୍ଷେତ୍ରରେ ସ୍ୱୀକାର କରିବାକୁ ପଡ଼େ ।

 

ମଧ୍ୟଯୁଗୀୟ ଫ୍ରାନ୍‍ସର ଲେଓନୋରା ଡୋରି ନାମକ ଜଣେ ମହିଳାଙ୍କ ୧୬୧୭ ଖ୍ରୀଷ୍ଟାବ୍ଦରେ ଡାହାଣୀ ବୋଲି ପୋଡ଼ି ମାରି ଦିଆ ହୋଇଥିଲା । ଆଉ ଜଣେ ପୁରୁଷଙ୍କୁ ଆପଣାର ବଶ କରି ସତୀତ୍ୱ ହୀନତାର ଆଚରଣ କରିଥିବାରୁ ତାଙ୍କୁ ଏହିପରି ଶାସ୍ତି ଦିଆଯାଇଥିଲା । କେଉଁ ସମ୍ମୋହନ-ଶକ୍ତିଦ୍ୱାରା ଲେଓନାରା ଅପର ପରୁଷଙ୍କୁ ବଶ କରିପାରିଲେ ବିଚାରପତିଙ୍କର ଏହି ପ୍ରଶ୍ନ ଉତ୍ତରରେ ଲେଓନାରା ଉତ୍ତର ଦେଲେ ‘‘ଦୁର୍ବଳର ମନ ଉପରେ ସବଳ ମନର ଇଚ୍ଛାଶକ୍ତି ଯେଉଁ କ୍ଷମତା ବିସ୍ତାର କରେ, ତାହାହିଁ ହେଉଚି ମୋର ଏକମାତ୍ର ସମ୍ମୋହନ ଶକ୍ତି ।’’ ଏହି ଲେଓନାରାଙ୍କର ଅଧିକ ଲୋକ ପ୍ରଚଳିତ ନାମ ହେଉଚି ଗାଲିଗାଇ–ଏବଂ ତାହାରି ଅନୁସରଣରେ ମୂଳ ପୁସ୍ତକଟିର ନାମ ‘ଗାଲିଗାଇ’ ଦିଆ ହୋଇଚି ।

 

ଇଂରାଜୀ ଅନୁବାଦଟିର ନାମ ହେଉଚି The Loved and the Unloved । କହିବା ବାହୁଲ୍ୟ ଯେ ଏଥିରୁ ମୂଳ ପୁସ୍ତକର ନାମ ବା ବିଷୟାଭାସ ଆଦୌ ସୂଚିତ ହେଉନାହିଁ । ବଙ୍ଗଭାଷାର ଅନୁବାଦଟିକୁ ଅନୁବାଦକ ‘ମାୟାବତୀ’ ନାମ ଦେଇଚନ୍ତି । ଇଂରାଜୀ ନାମଟି ଅପେକ୍ଷା ଏହା ମୂଳ ପୁସ୍ତକର ନାମଟିର ଅଧିକ ନିକଟବର୍ତ୍ତୀ ହୋଇଥିଲେହେଁ ଗାଲିଗାଇ ଚରିତ୍ରର ବିଶେଷ ଧର୍ମଟି ଏଥିରୁ ଆଦୌ ଧରାପଡ଼ି ପାରୁନାହିଁ । ‘ଦୁର୍ବଳ ଉପରେ ବଳବାନ୍‌ର ପ୍ରଭାବ ବିସ୍ତାର’ ହେଉଚି ‘ଗାଲିଗାଇ’ ଚରିତ୍ରର ଧର୍ମ । ଏବଂ ସମ୍ମୋହନ ହେଉଚି ଏହି ଧର୍ମର ପ୍ରଧାନ ସାଧନ । ପ୍ରଧାନତଃ ଏହାକୁ ଯଥା-ସମ୍ଭବ ସୂଚିତ କରାଇବା ଉଦ୍ଦେଶ୍ୟରେ ସମସ୍ତ ଅପରିପୂର୍ଣ୍ଣତା ସତ୍ତ୍ୱେ ଓଡ଼ିଆ ଅନୁବାଦଟିର ନାମ ’ସମ୍ମୋହିନୀ’ ରଖାଯାଇଛି ।

 

ମୂଳ ପୁସ୍ତକର ଇଂରାଜୀ ଅନୁବାଦରୁ ଓଡ଼ିଆ ଅନୁବାଦ ପ୍ରସ୍ତୁତ ହୋଇଚି । ତିନି ତୁଣ୍ଡରେ ଛେଳି ଛେଳି ହୋଇ ରହେନାହିଁ ବୋଲି ଲୋକାପବାଦ ରହିଚି । ଭାଷା ବିଷୟରେ ଯାହାର ଯେତେ ବ୍ୟୁତ୍ପତ୍ତି ଥାଉ ନା କାହିଁକି, ତଥାପି ଆମକୁ ଏହି ଅପବାଦ ସ୍ୱୀକାର କରିବାକୁ ପଡ଼ିବ । ତେଣୁ ଓଡ଼ିଆ ଅନୁବାଦଟି ମୂଳ ରଚନାଟିର ଭାବ ଓ ରଚନା ସୌନ୍ଦର୍ଯ୍ୟକୁ କେତେ ବେଶୀ ବ୍ୟାହତ କରିପକାଇବ, ଆମ ପକ୍ଷରେ ତାହା ନିର୍ଦ୍ଧାରଣ କରିବା ଆଦୌ ସମ୍ଭବ ନୁହେଁ । ଫରାସୀ ଭାଷା ନ ଜାଣିଥିବା ହେତୁ ଅନୁବାଦକ ପାଠକମାନଙ୍କର କ୍ଷମାର ପାତ୍ର । ଏହିସବୁ ସୀମାବଦ୍ଧ ପରିଧି ଭିତରେ ତଥାପି ପାଠକ ବର୍ଗ ଅନୁବାଦଟିରୁ କିଞ୍ଚିତ ଆନନ୍ଦ ପାଇ ପାରିଲେ ଅନୁବାଦକର ଦୁଃସାହସ ସମ୍ପୂର୍ଣ୍ଣ ବିଫଳ ହୋଇନାହିଁ ବୋଲି ପ୍ରତ୍ୟାଶା କରାଯାଇପାରିବ ।

 

ବାଗଲପୁର

ଚିତ୍ତରଞ୍ଜନ ଦାସ

୦୧।୦୯।୧୯୫୮

 

Image

 

ଏକ

 

‘‘ଆଜି ତୁ ଦୁଇଥର ପଛକୁ ମୁହଁ ବୁଲାଇ ଅନାଇଥିଲୁ !’’

ଗାତ୍ର କୁଞ୍ଚନ କରି ମେରି ଗୋଟିଏ ପାଖ କାନ୍ଧକୁ ଉପରକୁ କରିଦେଲା ।

‘‘କହିଲ ମାଡ଼ାମ୍‌ ଆଗାଥେ, ସେ ପଛକୁ ଅନାଇଥିଲାକି ନାହିଁ, ମୁଁ କ’ଣ ମିଛ କହୁଛି ?’’

 

ଗୃହଧାତ୍ରୀ ମାଡ଼ାମ୍‌ ଆଗାଥେ ହୁଏତ କ’ଣ ଉତ୍ତର ଦେଇଥାନ୍ତେ–ଏତିକିବେଳେ ଗୀର୍ଜାରୁ ଠଣ୍‌ ଠଣ୍ ଘଣ୍ଟା ଶବ୍ଦ ଆସି କାନରେ ବାଜିଲା । ତେଣୁ ସେ ଉତ୍ତର ଦେବାରୁ ନିଷ୍କୃତି ପାଇଲେ । ସମସ୍ତଙ୍କର ଅତି ଆତ୍ମୀୟ ଲୋକ ପରି ଡୁବେର୍ନେଟ୍‌ ଦମ୍ପତି ଏଣେତେଣେ ବୁଲି ନାନା ଲୋକଙ୍କ ସହିତ କଥାବାର୍ତ୍ତା ହେଉଥାନ୍ତି, କିନ୍ତୁ କାହାରି ସହିତ କୌଣସି ପ୍ରକାର ବାନ୍ଧିହୋଇ ଯାଉନଥାନ୍ତି । ପ୍ରାର୍ଥନା ପରେ ସମସ୍ତେ ଗୀର୍ଜା ଭିତରୁ ବାହାରି ଆସିଲାବେଳେ ମନେହେଉଥିଲା ଯେପରି ଜୁଲିଆ ଡୁବେର୍ନେଟ୍‌ଙ୍କ ଉପରେ ସମସ୍ତଙ୍କର ଆଖି ପଡ଼ିଯାଉଥିଲା । ତାଙ୍କ ପରି ଆଉ କେହି ଲୋକମାନଙ୍କର ଏପରି ଦୃଷ୍ଟି ଆକର୍ଷଣ କରୁନଥିଲେ । ପ୍ରତ୍ୟେକ ମଣିଷ ସହିତ ଠିକ୍‌ ଯେତିକି ମିଶିବା କଥା, ଯେତିକି ଆତ୍ମୀୟତା ସହିତ କଥାବାର୍ତ୍ତା କରିବା କଥା, ଜୁଲିଆ ଡୁବେର୍ନେଟ୍‍ ତାହା ନିପୁଣ ଭାବରେ ଜାଣିଥିଲେ । ତାଙ୍କର ଆଚରଣ ବା ବାର୍ତ୍ତାଳାପରେ କଦାପି କୌଣସିଠାରେ କମ୍‌ ବେଶୀ ହୋଇ ଯାଉନଥିଲା । ବାହାରୁ ଦେଖିବାକୁ ତାଙ୍କର ଚେହେରାଟି ବେଶ୍‌ ପତଳା ଥିଲା, କିନ୍ତୁ ଉଚ୍ଚ ହୋଇ ବାହାରି ପଡ଼ିଥିବା ତାଙ୍କର ତଳିପେଟଟା ହେତୁ ତାଙ୍କୁ ଦେଖିଲେ କୌଣସି ଏକ ରାଜବଂଶ ରମଣୀ ପରି ମନେହେଉଥିଲା । ତାଙ୍କୁ ଦେଖି ଅନେକ ସମୟରେ ଲୋକମାନେ ମତାମତବି ପ୍ରକାଶ କରୁଥିଲେ–କହୁଥିଲେ, ଉଦର ଭିତରେ ଗୋଟାଏ କିଛି ବୃଦ୍ଧି ପାଉଚି ବୋଧହୁଏ ।

 

‘‘ମାଡ଼ାମ୍‌ ମଙ୍ଗି ଆମ ଆଡ଼କୁ ଅନାଇ ହାତ ହଲାଉଛନ୍ତି’’–ମେରି କହିଲା ।

 

‘‘ନାଇଁ ଥାଉ, ଆଉ ଅଟକିବା ଦରକାର ନାହିଁ’’–ଦାନ୍ତ ଚିପି ଚିପି ମାଆ ତା’ର କାନ ପାଖରେ ଫୁସ୍‌ଫୁସ୍‌ କରି କହିଲେ, ‘‘ସେମାନେ ଆର୍‌ବିବାଟ୍‌ ଘରର ଲୋକଗୁଡ଼ାଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି । ସେ ଆର୍‌ବିବାଟ୍‌ମାନଙ୍କ ସହିତ ପରିଚିତ ହେବାକୁ ବା ଗପ କରିବାକୁ ମୋର ଆଦୌ ଇଚ୍ଛା ନାହିଁ ।’’

 

ଡୁବେର୍ନେଟ୍‌ ଘରର ରମଣୀମାନେ ଗୋଲବଜାର ଅତିକ୍ରମ କରି ତରତର ହୋଇ ଚାଲିଯିବାକୁ ଲାଗିଲେ । ସେଦିନ ଟାଣ ଖରାରେ ଦେହ ସିଝିଗଲା ପରି ଲାଗୁଥାଏ । ଗୋଲ ବଜାରଟା ଗୋଟାଏ ଧନୁ ପରି ପଦାକୁ ବାହାରି ପଡ଼ିଥାଏ, ଶତାବ୍ଦୀ ପରେ ଶତାବ୍ଦୀର ଦୁର୍ବହ ଓଜନରେ ସତେ ଯେପରି ଝୁଲି ପଡ଼ିଥିବା ପରି ଦେଖାଯାଉଥାଏ । ଦୁଇ ପାଖରେ ଥିବା ଘରଗୁଡ଼ାକ ପରସ୍ପରକୁ ଠେଁସ ଦେଇ ରହିଲା ପରି ଠିଆ ହୋଇଥାନ୍ତି । ଏହିପରି ଭାବରେ ପରସ୍ପର ପରସ୍ପରକୁ ଅଟକାଇ ନ ଧରିଲେ ସେମାନେ ଯେ କେତେବେଳେ ତଳେ ଭୁଶୁଡ଼ି ପଡ଼ନ୍ତେ, ତାହା କିଏ କହିପାରିବ ! ସବୁ ଘରର ସବୁ ଝରକା ବନ୍ଦ ଥାଏ । ଯେକୌଣସି ମୁହୂର୍ତ୍ତରେ ଯେପରି ସେହିବାଟ ଦେଇ ଶତ୍ରୁମାନେ ପ୍ରବେଶ କରିବାର ଆଶଙ୍କା ରହିଚି, ଝରକାଗୁଡ଼ିକୁ ଚାହିଁଲାବେଳକୁ ଏହିପରି ମନେହେଉଥାଏ । ଏଣେତେଣେ ପଡ଼ିଥିବା ଅନ୍ତ୍ରପୁଟା ଉପରେ ମାଛିଗୁଡ଼ାକ ଭଣଭଣ ହେଉଥାନ୍ତି । ଠିକ୍‌ ମଝିରେ ସମସ୍ତଙ୍କର ଦୃଷ୍ଟି ପଡ଼ିବାଭଳି ଜାଗାରେ ତିନିଟା କୁକୁର ମରି ପଡ଼ିଥିବା ଗୋଟାଏ ମାଈ କୁକୁର ଦେହରେ ନାକ ମାରି କ’ଣ ଶୁଂଘିବାରେ ଲାଗିଥାନ୍ତି ।

 

ସେମାନେ ଶେଷକୁ ଉପରେ ଖିଲାଣ ଦିଆ ହୋଇଥିବା ରାସ୍ତା ଉପରେ ଆସି ପହଞ୍ଚିଲେ । ହୁତୁହୁତୁ ହୋଇ ଜଳୁଥିବା ଖରାର ଚୁଲୀରୁ ବାହାରି ଆସି ଏଠି ଟିକିଏ ଛାଇରେ ଚାଲିଲାବେଳେ ଯେପରି କାହାର ଆଶୀର୍ବାଦ ପାଇଲା ପରି ମନେହେଉଥାଏ । ସବୁ ଦୋକାନ ବନ୍ଦ, କେବଳ କାଲିଅଟଙ୍କର ମିଷ୍ଟାନ୍ନ ଭଣ୍ଡାରଟି ଖୋଲାଥାଏ । ମେରିର ଆଖି ସିଧା ଯାଇ ତା’ର ଏକ ପ୍ରିୟ ମିଷ୍ଟାନ୍ନ ଉପରେ ପଡ଼ିଗଲା । ସେଇଟି ହେଉଚି ମେରିର ସବୁଠାରୁ ପ୍ରିୟ ମିଷ୍ଟାନ୍ନ । ସବୁ ରବିବାର ଦିନ ଗୀର୍ଜାରୁ ଫେରିଥିବାବେଳେ ଠିକ୍ ଏହିପରି ଘଟଣା ଘଟେ, ଅର୍ଥାତ୍‌ ସେ ନିୟମିତ ଭାବରେ ତା’ର ପ୍ରିୟ ମିଷ୍ଟାନ୍ନଟି କିଣି ଖାଇବାର ଅନୁମତି ପାଏ । ସେହି ମିଷ୍ଟାନ୍ନକୁ ଦେଖିଲେ ସେ ଭାବେ ସତେ ଯେପରି ମଧ୍ୟାହ୍ନ ଭୋଜନ ତା’ପାଇଁ ଅତି ସଯତ୍ନରେ ବଢ଼ାହୋଇ ଟେବୁଲ୍‌ ଉପରେ ଥୁଆ ହୋଇଚି । ପ୍ରତ୍ୟେକ ଥର ସେହି ମିଷ୍ଟାନ୍ନଟିକୁ କିଣିବାକୁ ମାଆ ସେଥିରେ ଆପତ୍ତି କରନ୍ତି, କିନ୍ତୁ ଆଜି ସେପରି କିଛି ଘଟିଲା ନାହିଁ ।

 

‘‘ଏଠାରେ ଅଟକିବାକୁ ଆଉ ଆମର ସମୟ ନାହିଁ, ବରଂ ମାଡ଼ାମ୍‌ ଆଗାଥେ ଓହ୍ଲାଇ ଯାଆନ୍ତୁ, ମିଷ୍ଟାନ୍ନଟା ନେଇ ପଛରେ ଯିବେ । ଆମେ କାଲିଅଟ୍‌ ଦୋକାନକୁ ଯାଉଥିବାବେଳେ ଯଦି ଆର୍‌ବିବାଟ୍‌ ଘରର ଲୋକମାନଙ୍କ ଆଖିରେ ସେହି ଦୃଶ୍ୟଟା ପଡ଼ିଯିବ ତେବେ କଥା ସରିଲା । ତାହାହେଲେ ତ ସେମାନେ ମହୁମାଛିଙ୍କ ପରି ଆସି ଆମ ଉପରେ ପଡ଼ିବେ । ମାଡ଼ାମ୍‌ ଆଗାଥେ, ତୁମେ ଟିକିଏ ଏହିଠାରେ ଓହ୍ଲାଇ ଯାଇ ମିଠେଇଟା ନେଇ ଘରକୁ ଯିବ । ଏଥିରେ ବୋଧହୁଏ ତୁମକୁ ବେଶୀକିଛି କଷ୍ଟ ହେବ ନାହିଁ ।’’

 

ସେତେବେଳକୁ ଗୃହଧାତ୍ରୀ ଓହ୍ଲାଇ ଗଲେଣି । କାମ୍‌ବ୍ଳେନେସ୍‌ ପରିବାରର ଲୋକ ହୋଇଥିଲେ ମଧ୍ୟ ସେ ଅନୁରୋଧ ରକ୍ଷା କରିବାରେ ସର୍ବଦା ଖୁବ୍‌ ତତ୍ପର ଥିଲେ । କାମ୍‌ବ୍ଳେନେସ୍‌ ପ୍ରଦେଶରେ ଗୃହଧାତ୍ରୀଙ୍କର ଜନ୍ମ, ତାଙ୍କୁ କୌଣସି ଆଦେଶ ଦେଲାବେଳେ ବା ବୋଲ ବତାଇଲାବେଳେ ମାଡ଼ାମ୍‌ ଡୁବେର୍ନେଟ୍‌ ଅବଶ୍ୟ ଏହି କଥାଟି ସ୍ମରଣ ରଖୁଥିଲେ । ମାଡ଼ାମ୍‌ ଆଗାଥେଙ୍କ ସମ୍ମୁଖରେ ସେ ଆପଣାକୁ ଟିକିଏ ବଡ଼ ବୋଲି ମନେକରୁଥିଲେ, ତାଙ୍କୁ ଟିକିଏ ଟିକିଏ ଅଡୁଆ ମଧ୍ୟ ଲାଗୁଥିଲା, ଗୋଟାଏ ପ୍ରକାରର କରୁଣା ଭାବ ମଧ୍ୟ ତାଙ୍କର ମନରେ ଜାତ ହେଉଥିଲା-। ମାଡ଼ାମ୍‌ ଆଗାଥେ ଚାଲିଗଲାବେଳେ ସେ ପଛରୁ ଅନାଇ ଦେଖୁଥାନ୍ତି, ମୋଡ଼ି ମୋଡ଼ି ହୋଇଯାଉଥିବା ବ୍ଲାଉଜ୍‌ ଉପରୁ ତାଙ୍କର ଅପୃଥୁଳ ଗ୍ରୀବାଟା ବାହାରି ଯାଇଥାଏ, ପତଳା କଳାବାଳ କେରାକ ମୁଣ୍ଡପଛକୁ ପଡ଼ିଥାଏ, ସେ ପରିଧାନ କରିଥିବା ଗ୍ରୀଷ୍ମକାଳୀନ କୁର୍ତ୍ତାଟିର ତଳୁ ଦେହର ଗଢ଼ଣଟା ଅବିକଳ ଫୁଟି ଉଠୁଥାଏ, ‘‘ଠିକ୍‌ ଗୋଟିଏ ଚଢ଼େଇର ହାଡ଼ପରି ହାଡ଼ଗୁଡ଼ିକ ଯେତେ ହେଲେ ଯାହାର ଯେମିତି ଜନ୍ମ ନା ! ତାକୁ କଦାପି କେହି ଏଡ଼ି ଦେଇପାରିବ ନାହିଁ ।’’

 

ସେମାନେ ଗାଡ଼ିରୁ ଓହ୍ଲାଇ ସିଧା ଗୃହ କକ୍ଷରେ ପ୍ରବେଶ କଲେ । କାନ୍ଥଯାକ ସନ୍ତସନ୍ତିଆ ଦାଗ । ତଳ ମହଲାରେ ଥିବା ଅଫିସ ଘର ଧାଉଡ଼ିଟି ବର୍ତ୍ତମାନ ଆଉ କୌଣସି କାମରେ ଲାଗୁ ନାହିଁ, କାରଣ ଶ୍ରୀଯୁକ୍ତ ଆର୍‌ମାଣ୍ଡ ଡୁବେର୍ନେଟ୍‍ ଏବେ ତାଙ୍କର ବ୍ୟାଙ୍କ ବ୍ୟବସାୟ ଛାଡ଼ି ଦେଇଛନ୍ତି । କିଛି ଗୋଟାଏ କାମ ନ କଲେ ଭଲ ଲାଗିବ ନାହିଁ ବୋଲି ସେ ଏହି ବ୍ୟବସାୟଟା ଆରମ୍ଭ କରିଥିଲେ–ମାଡ଼ାମ୍‌ ଡୁବେର୍ନେଟ୍‍ ମନ୍ତବ୍ୟ ପ୍ରକାଶ କଲେ । ପୁଣି କହିଲେ, ‘‘କୌଣସି କାମ ନ କରି ମଧ୍ୟ ସୁଖରେ ଜୀବନ ନିର୍ବାହ କରିବାର ସମ୍ବଳ ଯାହା ହେଉ ଭଗବାନ ତାଙ୍କୁ ଦେଇଛନ୍ତି ।’’ ଅଳ୍ପ ସଞ୍ଚୟଗୁଡ଼ିକୁ ସୁରୁଖୁରୁରେ ସଂଗ୍ରହ କରିବା ଉଦ୍ଦେଶ୍ୟରେ କରଜ ବ୍ୟାଙ୍କରୂପକ ବଡ଼ ବଡ଼ ମାଛମାନେ ଯେତେବେଳେ ଥିର ଜଳ ଭିତରେ ଆସି ପଶିଲେ ସେତିକିବେଳେ ସେ କାମରୁ ଅବସର ଗ୍ରହଣ କରିଛନ୍ତି । ଠିକ୍‌ ଏହି କାରଣଟିପାଇଁ ସ୍ତ୍ରୀ ତାଙ୍କୁ ସବୁବେଳେ ଭାରି ପ୍ରଶଂସା କରନ୍ତି–ଯାହା ହେଉ ବଡ଼ ବଡ଼ କରଜ ବ୍ୟାଙ୍କର ଗ୍ରାସରେ ପଡ଼ିବାର ବିପତ୍ତିରୁ ସେ ଆପଣାକୁ ରକ୍ଷା କରିପାରିଚନ୍ତି ।

 

ସିଡ଼ି ବାଟଟା ବେଶ୍‌ ଅନ୍ଧାରୁଆ, ତଥାପି ଗାଡ଼ିରୁ ଓହ୍ଲାଇ ପ୍ରଥମ ମହଲାର ଘରକୁ ପଶିଲାବେଳକୁ ସତେ ଅବା ମଧ୍ୟାହ୍ନ ସମୟର ଆଖି ଝଲସାଇ ଦେଉଥିବା ଆଲୁଅରୁ ବାହାରକୁ ବାହାରି ଆସିଲା ପରି ମନେହେଲା । ଝରକା ଉପରେ ଦିଆଯାଇଥିବା ଢିଲା ଧଳା ପରଦାଗୁଡ଼ିକ ଯାହା ଟିକିଏ ଉଜ୍ଜ୍ୱଳ ଦେଖାଯାଉଥାଏ । ବଡ଼ ପେଚୀ ଆଉ ସାନ ପେଚୀ ଉଭୟଙ୍କୁ ଏଇ ଝାପ୍‌ସା ଅନ୍ଧାରୁଆଟା ଭାରି ଆରେଇ ଯାଇଥାଏ । ଡୋର୍ଥେରେ ବାସ କରୁଥିବା ଲୋକମାନଙ୍କର ମାଛି ଆଉ ସୂର୍ଯ୍ୟାଲୋକ ହେଉଛି ସବୁଠାରୁ ବଡ଼ ବୈରୀ । ସେଥିପାଇଁ ବସନ୍ତ ପରେ ଗ୍ରୀଷ୍ମକାଳର ସମୟଟା ସେମାନେ ଏକ କୃତ୍ରିମ ସନ୍ଧ୍ୟାର ପରିବେଶ ସୃଷ୍ଟି କରି ବାସ କରନ୍ତି, ଆପଣାର ରୁଚିକୁ ଅନୁମୋଦନ କରନ୍ତି ।

 

କକ୍ଷ ମଝିରେ ଥିବା ଟେବୁଲ ପାଖରେ ଆର୍‌ମାଣ୍ଡ ଡୁବେର୍ନେଟ୍‌ ଗୋଟିଏ ଚଉକି ଭିତରେ ଆପଣାର ଶରୀରକୁ ନେଇ ଅଜାଡ଼ି ଦେଲେ । ପେନ୍‌ସିଲର ମୁନ ପରି ସରୁଆ ସୂର୍ଯ୍ୟକିରଣର ଗୋଟିଏ ଗାର ଛାତର କୋଉ ଫାଙ୍କବାଟେ ଆସି କୋଠରୀଟାଯାକ ଅତିକ୍ରମ କରି ଠିକ୍‌ ତାଙ୍କର ମୁଣ୍ଡ ଉପରେ ଆସି ନାଚୁଥାଏ, ଚକ୍‌ ଚକ୍ କରି ଆଖି ଝଲସାଇ ଦେଉଥାଏ । ସେହି କିରଣଗାର ଗୋଟାସୁଦ୍ଧା ଅଗଣିତ ଧୂଳିକଣା ନୃତ୍ୟ କରିବାରେ ଲାଗିଥାନ୍ତି ।

 

‘‘ଆଜି ଗୀର୍ଜା ପ୍ରାର୍ଥନାଟା ତ ଗୁଡ଼ାଏ ସମୟ ନେଇଗଲା ।’’

‘‘ନିଜେ ଯାଇଥିଲେ ତୁମକୁ କଦାପି ଏପରି ମନେ ହୋଇନଥାନ୍ତା ।’’

 

ସେ ଗୋଟାଏ କାନ୍ଧକୁ କୁଞ୍ଚିତ କରି ଉପରକୁ ଟେକିଦେଲେ ଅଳ୍ପ କେତେ ମିନିଟ୍ ପୂର୍ବରୁ ତାଙ୍କର ଝିଅ ଠିକ୍‌ ଯେମିତି କରିଥିଲା । ତାଙ୍କୁ କିଛି କହିବାକୁ ହେବ–କ’ଣ କହିବାକୁ ହେବ ସେଇଟା ପ୍ରଧାନ କଥା ନୁହେଁ–କାରଣ ଏତିକିବେଳେ କିଛି ନ କହିଲେ ଜୁଲିଆ ତାଙ୍କର ପ୍ରିୟ ବିଷୟଟି ସମ୍ବନ୍ଧରେ କଥାବାର୍ତ୍ତାର ପେଡ଼ି ଫିଟାଇ ଦେବେ । ସେତେବେଳେ ଆଉ ତାଙ୍କୁ ବନ୍ଦ କରିବାକୁ କାହାର ସାଧ୍ୟ ନ ଥିବ । ମଣିଷ କିପରି ହଠାତ୍‌ ମରିଯାଇପାରେ, ସେହି କଥା ସେ ଆରମ୍ଭ କରିଦେବେ । ଯାଜକଙ୍କୁ ଠିକ୍‌ ସମୟରେ ଡାକିବାକୁ କହି କିପରି ଲାରିଅର କଂସେଇ ସେହି ଅଖଣ୍ଡନୀୟ ପାପର ମୁହୂର୍ତ୍ତରେ ମୃତ୍ୟୁମୁଖରେ ପତିତ ହେଲା, ସେ ତାହାରି ଦୃଷ୍ଟାନ୍ତ ଆଣି ଥୋଇବେ । ...ଗୀର୍ଜାରେ ଆଜି ବେଶୀ ମଣିଷ ହୋଇଥିଲେକି ନାହିଁ, ହଠାତ୍‌ ସେ ଏହି ପ୍ରଶ୍ନଟି ପଚାରିଲେ । ବାପାଙ୍କଠାରୁ ଯଥା ସମ୍ଭବ ଦୂରଛଡ଼ା ହୋଇ ମେରି ବସି ପଡ଼ିଥିଲା । ଚିମନ୍‌ ଖୁଣ୍ଟର ଅଧା କାନ୍ଥ ଉପରେ ଥୁଆ ହୋଇଥିବା ଦର୍ପଣଟି ଆଗରେ ଠିଆ ହୋଇ ଶ୍ରୀମତୀ ଜୁଲିଆ ଡୁବେର୍ନେଟ୍‍ ତାଙ୍କର ଟୋପିରୁ ଓ ବାଳରୁ ଦୁଇଟି ବଡ଼ ପିନ୍‌କଣ୍ଟା ବାହାର କରୁଥିଲେ ।

 

‘‘ଆଜି କ’ଣ ହେଲା ଜାଣିଚ ? ଆମେ ଠିକ୍‌ ବାହାରି ଆସିଲାବେଳେ ମଙ୍ଗି-ଘରର ମାଇପେ ଆରବିବାଟ୍‌ ଘରର ମାଇପିମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ । କେତେ ଅଡ଼ୁଆ କଥା କହିଲ ! ମଙ୍ଗି ପରିବାରକୁ ଲକ୍ଷ୍ୟ କରି ଅବଶ୍ୟ ମୋତେ ନମସ୍କାର ଜଣାଇବାକୁ ହେଲା, ତାଙ୍କ ପାଖରେ ଥିବା ଆର୍‌ବିବାଟ୍‌ ପରିବାର ମୁଁ ସେମାନଙ୍କୁ ମଧ୍ୟ ନମସ୍କାର କରୁଚି ବୋଲି ନିଶ୍ଚୟ ଅନୁମାନ କରି ନେଇଥିବେ ।’’

 

‘‘କାଲିଅଟ୍‌ ଦୋକାନରୁ କିଛି ଭଲ ଜିନିଷ ପାଇଲ ?’’

‘‘ଆମେ ଭିତରକୁ ଯାଇନୁ,-ସେଇ ଆର୍‌ବିବାଟ୍‌ମାନଙ୍କର ଜାଳାରୁ । କିନ୍ତୁ ମାଡ଼ାମ୍‌ ଆଗାଥେ ମିଠେଇ ନେଇ ପଛରେ ଆସୁଛନ୍ତି ।’’

 

‘‘କିନ୍ତୁ ଝୁଅ, ତୋ’ର ଅତିପ୍ରିୟ ମିଷ୍ଟାନ୍ନଟି ଆଜି ଆସିବ ନା ନାହିଁ ? ତୋ’ର ସେହି ମିଷ୍ଟାନ୍ନଟି, ଯାହାକୁ ରଖିଦେଲେ ମଧ୍ୟାହ୍ନ ଭୋଜନ ଆସି ଟେବୁଲ ଉପରେ ବଢ଼ାହେଲା ବୋଲି ମନେହୁଏ ।’’

 

ଝିଅକୁ ଏତକ କହିଲାବେଳେ ତାଙ୍କର କଣ୍ଠସ୍ୱର ବଦଳି କ୍ରମେ କୋମଳ ହୋଇ ଆସିଲା-

‘‘ତାହା ସହିତ କିଛି କଥାବାର୍ତ୍ତା କରନାହିଁ । ଜାଣିଚ, ଆଜି ଗୀର୍ଜାରେ ବସିଥିଲାବେଳେ ସେ ଦୁଇଥର ପଛକୁ ମୁହଁ ବୁଲାଇ ଅନାଇଚି ।’’ ଝିଅଟିର ଆଖିରେ ସେତେବେଳକୁ ଲୁହ ବୁହେ କି ନ ବୁହେ । ସେ କହିଲା–‘‘ତୋ’ କଥା ଯିଏ ଶୁଣିବ ସେ ଭାବିବ ଗୀର୍ଜାରେ ମୁହଁ ବୁଲାଇ ପଛକୁ ଅନାଇବା ଗୋଟାଏ ମସ୍ତବଡ଼ ଅପରାଧ !’’

 

‘‘ଅତି ଜାଣି ଚତୁରୀ ହୋଇ ଆଉ କଥା କହନାହିଁ । ତୁ ଭଲକରି ଜାଣିଚୁ ଗୋଟାଏ ନିର୍ଦ୍ଦିଷ୍ଟ ଦିଗକୁ ମୁହଁ ବୁଲାଇବାର ଅର୍ଥ କ’ଣ ! ବର୍ତ୍ତମାନ ଘରକୁ ଯାଇ ସମସ୍ତେ ସେହି ବିଷୟରେ କଥାବାର୍ତ୍ତା ହେଉଥିବେ । ଯାଆ ଦେଖିବୁ ମୋ’ କଥା ସତ କି ମିଛ !’’

 

ଶ୍ରୀଯୁକ୍ତ ଡୁବେର୍ନଟ୍‌ ପଚାରିଲେ !

‘‘ସେ ପୁଅଟି ସେଠାରେ ଥିଲା ନା କ’ଣ ?’’

 

‘‘ନ ଥିଲା ତ ଆଉ କ’ଣ ? ତା’ ସାଙ୍ଗକୁ ପୁଣି ସେଇ ପ୍ଲାସାକ୍‌ ସିଏ ତ ତା’ର ସାଙ୍ଗ କେବେହେଲେ ଛାଡ଼ିବ ନାହିଁ !’’

 

ଇତ୍ୟବସରରେ ଝିଅ ଝରକା ପାଖକୁ ଉଠିଯାଇ କାଚ ଉପରେ କପାଳଟିକୁ ମାଡ଼ିଦେଇ ବାହାରକୁ ଅନାଇଥିଲା । କଳା ପଡ଼ିଯାଉଥିବା ତା’ର ନିଜର ମୁହଁଟି ଛଡ଼ା ଅବଶ୍ୟ ଦେଖିବାପାଇଁ ଆଉ ସେପରି କିଛି ନ ଥିଲା । କାନ୍ଦ ସମ୍ଭାଳି ନ ପାରି ସେ ଦୁଆର ଆଡ଼କୁ ବାହାରିଲା ।

 

‘‘ସର୍ବନାଶ’’–ଶ୍ରୀଯୁକ୍ତ ଡୁବେର୍ନେଟ୍‌ ଆପତ୍ତି କରି ଉଠିଲେ, ‘‘ଆଜି ମଧ୍ୟାହ୍ନ ଭୋଜନର ସବୁ ମଜା ଏଇଠି ନଷ୍ଟ ହୋଇଗଲା । ଆଜି ପୁଣି ଚୁଙ୍ଗୁଡ଼ିମାଛ ଖିଆଯିବାର କଥା ଥିଲା, ତୁମେ ତ ସେ କଥା ଜାଣିଚ !’’

 

‘‘ଚିଙ୍ଗୁଡ଼ିମାଛ ! ତୁମର ମୂତ୍ରାଶୟକୁ ଭାରି ଖରାପ କରିବ ।’’

‘‘ନାଇଁ, ମୁଁ ପିଲାଟି କଥା କହୁଥିଲି । ସବୁକଥାରେ ଖାଲି ତୁମେ ତିଳକୁ ତାଳ କରି ପକାଇବ ।’’

‘‘ଏକଥାକୁ କ’ଣ ତୁମେ ତିଳ ବୋଲି ମନେକରୁଚ ?’’

 

‘‘ଯେତେହେଲେ–ପିଲାଟା ସାଲୋନ୍‌ର ପୁଅ ତ ! ତୁମେ ଶୁଣିଚ, ବର୍ତ୍ତମାନ ଡାକ୍ତର ସାଲୋନ୍‌ ତାଙ୍କ ସମ୍ପତ୍ତିର ଗୋଟାଏ ଲେଖାପଢ଼ା କରିବାକୁ ଯାଉଚନ୍ତି । ଫସଲ ଜମି ଏବଂ ଘରବାଡ଼ୀ ରହିଥିବା ପ୍ରାୟ ଛଅଶହ ଏକର ଜମି ସେ କେତେ ଶସ୍ତାରେ ପାଇବେ ଜାଣିଚ ?’’

 

‘‘ନା–ନା–ନା, ଆରମାଣ୍ଡ୍‌ । ମୁଁ ବଞ୍ଚିଥିଲା ଯାଏ ତାହା କଦାପି ହୋଇପାରିବ ନାହିଁ ।’’

ହାତରେ ପୁଟୁଳାଟିଏ ଧରି ମାଡ଼ାମ୍‌ ଆଗାଥେ ଆସି ପହଞ୍ଚିଲେ । ପୁଟୁଳା ଭିତରେ ମିଷ୍ଟାନ୍ନ ବନ୍ଧା ହୋଇଥିଲା । ଅନ୍ଧାର ଘର ଭିତରେ ପେସ୍ତା ବାଦାମର ସୁଗନ୍ଧ ଖେଳିଗଲା । ଆର୍‌ମାଣ୍ଡ୍‌ ଉଠିଯାଇ ତାଙ୍କ ହାତରୁ ପୁଟୁଳାଟି ନେଲେ । ମେରି କୁଆଡ଼େ ଗଲା ବୋଲି ମାଡ଼ାମ୍‌ ଆଗାଥେ ପଚାରିଲେ ।

 

‘‘ତା’ରି ଘରେ ବସି କୁଁ କୁଁ ହେଉଥିବ । ଗୀର୍ଜାଭିତରେ ସେ ଦୁଇଥର ମୁହଁ ବୁଲାଇ ପଛକୁ ଅନାଇଥିଲା ବୋଲି ମୁଁ ବାପ ଆଗରେ କହିଦେଲି ଯେ ମୋର ପରା ଦୋଷ ହୋଇଗଲା ।’’

 

ମାଡ଼ାମ୍‌ ଆଗାଥେ ଯାଇକରି ତାକୁ ଆଣିବାଲାଗି ଅନୁମତି ଚାହିଁଲେ, କିନ୍ତୁ ଆର୍‌ମାଣ୍ଡ ଡୁବେର୍ନେଟ୍‌ ମନାକରି କହିଲେ ଯେ ଏଥର ସମସ୍ତେ ମଧ୍ୟାହ୍ନ ଭୋଜନ ଆରମ୍ଭ କଲେ ଭଲ ହେବ । ଯେମିତି, ତାକୁ ବୁଝାଇ ଶାନ୍ତ କରିବାକୁ ତ ଯୁଗେ ଚାଲିଯିବ ! ଆଉ ସେତେବେଳକୁ ମାଂସର ସୁଆଦ ଚାଲି ଯାଇଥିବ ।

 

‘‘ଆଡ଼ିଲା ତା’ର ମୂର୍ତ୍ତି ଖୋଳିବା କାମ ଶେଷ କରୁ କରୁ……’’

‘‘ହଉ, କିନ୍ତୁ ମନେରଖିଥା, ଆଜି ଆଗ ଚୁଙ୍ଗୁଡ଼ି ଲଗାଇବ ।’’

 

ଦୁଇ

 

ମେରିର କୋଠରୀ ଓ ଛାତ ମଝିରେ କେବଳ ଗୋଟିଏ ମହଲାର ବ୍ୟବଧାନ । ଗୀର୍ଜାକୁ ଯିବାପୂର୍ବରୁ ଝରକା ବନ୍ଦ କରିବାକୁ ସେ ଭୁଲି ଯାଇଥିଲା । ଆକାଶ-ଝରକାଗୁଡ଼ାକ ମଧ୍ୟ ଅଧା ଖୋଲା ରହିଥିଲା । ଫିକା ପଡ଼ିଯାଇଥିବା ପୁରୁଣା ଟାଇଲଗୁଡ଼ାକର ସେ ପାଖରେ ଅନେକ ଦୂରରେ ପର୍ବତଟା ଏକ ନିଶ୍ଚଳ ଉଜ୍ଜ୍ୱଳତା ଭିତରେ ଘାଲେଇ ପଡ଼ିଥିଲା ପରି ବୋଧ ହେଉଥିଲା । ପିନ୍ଧିଥିବା ମସ୍‌ଲିନ୍‌ କୁର୍ତ୍ତାଟାକୁ ସେ ଦେହରୁ କାଢ଼ି ପକାଇଲା । କେବଳ ଆପଣାର ଦୁଃଖଟାକୁ ଆବୋରି ଧରି ଅର୍ଦ୍ଧଉଲଗ୍ନ ହୋଇ ବିଛଣାରେ ପଡ଼ି ରହିବାକୁ ତା’ର ଇଚ୍ଛା ହେଉଥିଲା । ମୁହଁଟାକୁ ତକିଆ ଉପରେ ମାଡ଼ି ଦେଇ ଶୋଇଥିବାବେଳେ ହଠାତ୍‌ ତା’ର ଆଖିରୁ ଅସମ୍ଭାଳ ଲୁହ ବୋହିବାକୁ ଆରମ୍ଭ କଲା । ସେହି ଲୁହର ନିଶାରେ ସେ ଆପଣାକୁ ହଜାଇଦେଲା । କୁଆଡୁ ଗୋଟାଏ ଭଅଁର ଉଡ଼ିଆସି ଝରକାର କାଚ ଉପରେ କେତେଥର ମୁଣ୍ଡ ବାଡ଼େଇଲା, ତା’ପରେ ଅନନ୍ତ ନୀଳିମା ଭିତରେ କୁଆଡ଼େ ଅଦୃଶ୍ୟ ହୋଇଗଲା । ଏକ ନାରୀର ଶରୀର ରୂପେ କ୍ରମେ ପରିଣତ ଆସୁଥିବା ସେହି ଶୈଶବଚପଳ ଶରୀରଟିକୁ ସାନ୍ତ୍ୱନା ଦେବାକୁ ବା ତା’ ସହିତ ସମ-ଦୁଃଖୀ ହେବାକୁ ସେଠାରେ ଆଉ କେହି ନ ଥିଲେ । କାନ୍ଥରେ ମଡ଼ା ହୋଇଥିବା କାଗଜରେ ବାଇଗଣି ରଙ୍ଗର ଫୁଲ ପଡ଼ିଥାଏ । କୋଉ ଭଟ୍ଟଙ୍କ ଅମଳରୁ ଯେ ସେଠାରେ ସେହି କାଗଜ ରହିଆସିଲାଣି, ସେକଥା ଆଉ କାହାରି ମନେନାହିଁ । ଯେଉଁ ଖଟଟି ଉପରେ ଝିଅଟିର ବିଛଣା ହୋଇଚି, ତାହାକୁ କୌଣସି ଜାହାଜରୁ ଗୋଟିଏ ଖଟ ସହିତ ତୁଳନା କରାଯାଇପାରିବ । କେଉଁ ଶାଶ୍ୱତ ଅନାଦି କାଳରୁ ଯେପରି ଜାହାଜଟି ଏହି କ୍ଷୁଦ୍ର ଜୀବନହୀନ ଜଳସମତଳ ଉପରେ ଲଙ୍ଗର ପକାଇ ଠିଆ ହୋଇଚି । ଯେପରି ଏହି ସହରଟିରୁ ସମସ୍ତ ଯୌବନ କୁଆଡ଼େ ନିଷ୍କାସିତ ହୋଇ ଚାଲିଯାଇଚି । ଡୋର୍ଥେ ସହରରେ ଯୌବନ ଲାଗି କୌଣସି ସ୍ଥାନ ନ ଥିଲା । ତକିଆ ଭିତରକୁ ମୁହଁଟାକୁ ସେହିପରି ମାଡ଼ି ଦେଇ ଝିଅଟି ବାଷ୍ପାରୁଦ୍ଧ କଣ୍ଠରେ କାହାର ନାମ ଉଚ୍ଚାରଣ କରିବାକୁ ଲାଗିଲା, ଗିଲେସ୍‌ ! ଗିଲେସ୍‌ ! ଗିଲେସ୍‌ ! ...କେବଳ ତିନୋଟି ଥର ତା’ ସହିତ ଦେଖା ହୋଇଚି । ଥରେ ମଙ୍ଗିକି ପରିବାର ତରଫରୁ ଆୟୋଜିତ ହୋଇଥିବା ବଣଭୋଜିରେ, ଆଉ ଦୁଇଟି ଥର ଲୋରୋଟ୍‌ ନଦୀର କୂଳରେ ! ଶେଷ ଦୁଇଥରର ଦେଖାକୁ ହିଁ ପ୍ରକୃତରେ ଦେଖାବୋଲି କୁହାଯାଇପାରିବ । ପୁଅଟି ନିକୋଲାସ୍‌ ପ୍ଲାସାକ୍‌ ସହିତ ନଦୀରେ ସ୍ନାନ କରୁଥିଲା । ତା’ର ସୁନାରଙ୍ଗର ଚମ ଉପରେ ବିନ୍ଦୁ ବିନ୍ଦୁ ହୋଇ ପାଣି ଚକଚକ କରୁଥିବାବେଳେ ତାକୁ ଦେଖି ଠିକ୍‌ ଗୋଟାଏ ଗଧିଆ ପରି ମନେହେଉଥିଲା । ପ୍ଲାସାକ୍‌ ଦେଖିବାକୁ ଭାରି ଅସୁନ୍ଦର । କେମିତି ଗୋଟାଏ ସିଠାସିଠା ରୂପ । ଗିଲେସ୍‌ ପାଟିକରି କହିଲା ଯେ ବର୍ତ୍ତମାନ ସେମାନେ ଉପରକୁ ଉଠି ଲୁଗା ପଟା ପିନ୍ଧିବେ । ତେଣୁ ସେ ଯେପରି ସେମାନଙ୍କ ପାଇଁ ଅପେକ୍ଷା କରେ ! ନିକୋଲାସ୍‌ ଖଣ୍ଡେ ଦୂରେ ଠିଆ ହୋଇ ଅପେକ୍ଷା କରିଥିଲା । ଗିଲେସ୍‌ କହିଲା–‘‘ସେ ଯାଉଚି ଦୁଆର ଜଗି ରହିବ’’ । ମାଡ଼ାମ୍‌ ଆଗାଥେ ଆସି ତା’ ପାଖରେ ପହଞ୍ଚି ଯାଇଥିଲେ । କିନ୍ତୁ କ’ଣ ଘଟୁଚି ନ ଘଟୁଚି ସବୁ ଦେଖି ଯେପରି ସେ କିଛି ଦେଖିନଥିଲେ । ଆଉଥରେ ଏହିପରି ଭେଟ ହେବାପାଇଁ ସେଦିନ କଥା ହୋଇଥିଲା । ଓଃ, ସେଇ ଦିଓଟି ଘଣ୍ଟା ! ଆଉଥରେ ସେଇ ଅପୂର୍ବ ସମୟର ମାଧୁରୀ ଆସ୍ୱାଦନ କରିବାକୁ ହେବ, ଯାହା ହେଉ ପଛକେ ଆସ୍ୱାଦନ କରିବାକୁ ହିଁ ହେବ । ...କିନ୍ତୁ ସେ ? ...ସେ କ’ଣ ଏମିତି କଷ୍ଟ ପାଉଚି ? ତିନିବର୍ଷ ହେଲା ଦିନେହେଲେ ସେ ରବିବାରର ଗୀର୍ଜା ପ୍ରାର୍ଥନାକୁ ଆସିନଥିଲା । ତେବେ ବୁଝିବାକୁ ହେବ ଯେ ଏଥର ସେ କେବଳ ତାହାକୁ ଦେଖିବାକୁ ହିଁ ଗୀର୍ଜାକୁ ଆସିଥିଲା । ମାଡ଼ାମ୍‌ ଆଗାଥେ ସବୁ ବନ୍ଦୋବସ୍ତ କରିଦେବେ, ଶେଷରେ ସେ ଏତିକି କହିଗଲା । ସେତ କହିଲା ଯେ ମାଡ଼ାମ୍‌ ଆଗାଥେ ନିକୋଲାସ୍‌ ପ୍ଲାସାକ୍‌ର ପ୍ରେମରେ ପଡ଼ିଛି...ସତେ ଯେପରି ଯେ କୌଣସି ପୁରୁଷ ସହିତ ପ୍ରେମରେ ପଡ଼ିବାର ଶକ୍ତି ତାଙ୍କର ରହିଚି । ଆପଣାର ମନ ଭିତରେ ସେ କ’ଣ ସବୁ ଭାବୁଥିଲେ । ବର୍ତ୍ତମାନ ଗୋଟାଏ କଥା କହି ଠିକ୍‌ ପରମୁହୂର୍ତ୍ତରେ କାହିଁକି ସେ ପୁଣି ତା’ର ଓଲଟା କଥା କହୁଥିଲେ, ତାଙ୍କର ମୁହଁର ଚାହାଣୀରୁ କଥା କେହି ଜାଣି ପାରୁନଥିଲେ । ତାଙ୍କର ଖୁସି ହେଲେ ସେ ଗୋଟିସୁଦ୍ଧା ମିଠା ମଣିଷଟିଏ ହୋଇଯାଉଥିଲେ, ଠିକ୍‌ ଯେପରି ଅବିକଳ ମହୁ । କିନ୍ତୁ ପ୍ରକୃତରେ ଭିତରୁ ଦେଖିଲେ ତାଙ୍କୁ ଗୋଟିଏ ଅସଲ ବୁଢ଼ିଆଣୀ ବୋଲି କହିବାକୁ ହବ । ଘାସ ଭିତରେ ଲୁଚି ରହିଥିବା ସାପ ସହିତ ତାଙ୍କର ତୁଳନା କରାଯାଇ ପାରିବ । ତାଙ୍କୁ ଦେଖିଲେ ମନେହେଉଥିଲା ଯେପରି ଭିତରୁ କ’ଣ ଗୋଟାଏ ତାଙ୍କୁ ଖାଇ ଖାଇ ଯାଉଛି । ତାଙ୍କର କ’ଣ ଆଉ କର୍କଟରୋଗ ହୋଇଚି କି ? ସେ ମରିଯାଆନ୍ତେ କି ! ନାଇଁ–ନାଇଁ ସେପରି ପାପ ଚିନ୍ତାକୁ ମନରେ ସ୍ଥାନ ଦେବା ଉଚିତ ହେବନାହିଁ । ନା ସେ ମରି ଯାଆନ୍ତୁ ବୋଲି ମୁଁ କଦାପି ଚାହେଁ ନାହିଁ । ଖାଲି ରହସ୍ୟରେ ମୁଁ ସେକଥା ଭାବୁଥିଲି ନା...ହେ ଭଗବାନ, ତୁମେ ମାଡ଼ାମ୍‌ ଆଗାଥେକୁ ବଞ୍ଚାଇ ରଖିଥାଅ ।

 

ତିନି

 

ଠିକ୍‌ ସେତିକିବେଳେ, ଗୋଟାଏ ଯୁବତୀ ବାଳିକା ବିଛଣା ଉପରେ ଅର୍ଦ୍ଧ-ଉଲଗ୍ନ ଅବସ୍ଥାରେ ପଡ଼ିରହି ଯେତେବେଳେ ତା’ ଲାଗି ତୀବ୍ର ସନ୍ତାପରେ ସନ୍ତାପିତ ହେଉଥିଲା, ଗିଲେସ୍‌ ସୋମ୍‌ ଫ୍ରିଫେକ୍‌ଚର୍‌ ରାସ୍ତାରେ ଅବସ୍ଥିତ ତା’ର ବନ୍ଧୁ ନିକୋଲାସ୍‌ଙ୍କ ଘରର ଗୋଟିଏ ଟେବୁଲ ପାଖରେ ବସିଥିଲା । ତା’ର ବୟସ ତେଇଶି ବର୍ଷ, ଏହି ବୟସର ଯେ କୌଣସି ଯୁବକ ସହିତ ତା’ର ଚମତ୍କାର ତୁଳନା କରାଯାଇ ପାରିବ । କୁନିଝିଅ ମେରି ଓ ନିକୋଲାସ୍‌ର ଆଖିକୁ ଛାଡ଼ିଦେଲେ ଆଉ କାହାରି ଆଖିରେ ଅଦ୍ଭୁତ ବା ଅପୂର୍ବ ପରି ଲାଗିବା ଭଳି ତା’ ଭିତରେ ସେପରି କିଛି ନ ଥିଲା । ନିକୋଲାସ୍‌ର ମାଆ ମାଡ଼ାମ୍‌ ପ୍ଲାସାକ୍‌ ଅବଶ୍ୟ ତାକୁ ଭଲ ପାଇଥିଲେ । କିନ୍ତୁ ତାଙ୍କର ମତରେ କୌଣସି ମୂଲ୍ୟ ନ ଥିଲା ବୋଲି କହିବାକୁ ହେବ । ସ୍ଥାନୀୟ ଭଦ୍ର ସମାଜର ଜଣେ ଯୁବକ ଭାବରେ ସେ ଗିଲେସ୍‍କୁ ଜାଣିଥିଲେ । ଡାକ୍ତର ସାଲୋନ୍‌ ହେଉଛନ୍ତି ନଗର-ସଭାର ଜଣେ ସଦସ୍ୟ, ତେଣୁ ଏଡ଼େ ବଡ଼ ଜଣେ ଲୋକଙ୍କର ପୁଅ ଯେ ନିକୋଲାସ୍‌ର ବନ୍ଧୁ ହୋଇପାରିଚି, ଏଥିଲାଗି ସେ ଆପଣାର ଭାଗ୍ୟକୁ ଧନ୍ୟବାଦ ଦେଉଥାନ୍ତି । ସେ ପୁଣି ତାଙ୍କ ଘରେ ମଧ୍ୟାହ୍ନଭୋଜନ କରିବ ବୋଲି ଆଜି ରାଜି ହୋଇ ଆସିଚି ! ଟେବୁଲ୍‌ ଉପରେ ବାଢ଼ୁଥିବା ପ୍ରତ୍ୟେକ ଖାଇବା ଦ୍ରବ୍ୟର ପ୍ରଶଂସା ଓ ଆଜି ତା’ର ମୁହଁରୁ ଶୁଣିବାକୁ ପାଇବେ, ଏପରି ସୁଆଦିଆ ମାଂସଭଜା ସେ ଆଗରୁ କେବେ ଖାଇନଥିଲା । ତେଣୁ ଆଉଥରେ ସେହି ଭଜାକୁ ତା’ର ଥାଳିରେ ଆଣି ଦେବାକୁ ସେ ଅନୁରୋଧ କରିବ । ଏହି ସବୁକଥା ଭାବି ଭାବି ସେ କାମ ସନ୍ତୋଷ ଲାଭ କରୁନଥିଲେ ।

 

‘‘ଶ୍ରୀମାନ୍‌ ଗିଲେସ୍‌, ତୁମେ ବୋଧହୁଏ ଖାଲି ବାହୁଲ୍ୟ କରି କହୁଚ ।’’ ତୁମ ଘରେ ତ ତୁମକୁ କେତେ କେତେ ବଢ଼ିଆ ଜିନିଷ ଖାଇବାକୁ ମିଳୁଥିବ । ଅବଶ୍ୟ ବେଳେ ବେଳେ ଖରାପ ବି ମିଳୁଥିବ । କାରଣ ମୋର ବୃଦ୍ଧ ସ୍ୱାମୀ ପରା ବେଳେ ବେଳେ କହୁଥିଲେ, ଧନୀମାନଙ୍କ ଘରେ ଯେ ସବୁଦିନେ ଆମଠାରୁ ଭଲ ଖାଆନ୍ତି, ସେକଥା କୁହାଯାଇପାରିବ ନାହିଁ ।

 

ଗିଲେସ୍ ପ୍ରଥମେ ଭାବୁଥିଲା ଯେ ଏଭଳି କଥାମାନ ଶୁଣି ବୋଧହୁଏ ନିକୋଲାସ୍‍କୁ ଅଡ଼ୁଆ ଲାଗୁଥିବ । କିନ୍ତୁ ଆପଣାର ମାଆ ବିଷୟରେ ନିକୋଲାସ୍ ବିଲକୁଲ୍ ଅନ୍ଧ ଥିଲା ବୋଲି କୁହାଯାଇପାରେ । ତାଙ୍କର ଏହି ବଖରାଟି ଖାଇବା ଓ ରହିବା ଉଭୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା । ସେଠାରେ ଦିନେ ଭୁଲରେ ମଧ୍ୟ ସୂର୍ଯ୍ୟକିରଣ ପଡ଼ୁନଥିଲା, ସବୁବେଳେ ଭାରି ଅନ୍ଧାରୁଆ ଓ ସନ୍ତସନ୍ତିଆ ଲାଗୁଥିଲା । ଘରର କାନ୍ଥରେ ଗୋଟିଏ ଘଣ୍ଟା ଟଙ୍ଗା ହୋଇଥିଲା, ଘୁଣ ଖାଇଯାଇଥିବା କାଠର ଫ୍ରେମ୍ ଭିତରେ ରଙ୍ଗୀନ୍ ଲେଖା କେତେଟା ମଧ୍ୟ ଝୁଲୁଥିଲା । ଏହିସବୁ ବିବରଣୀ ଦେଇ ଆପଣାର କବିତା ଭିତରେ ନିକୋଲାସ୍ ତାଙ୍କ ଦରିଦ୍ର ଅଥଚ ପବିତ୍ର ଘରର ବର୍ଣ୍ଣନା ଅନେକ ସମୟରେ କରୁଥିଲା, ଯେଉଁ ଘରେ କି ପ୍ରତ୍ୟେକ ସାମଗ୍ରୀ ତା’ର ନିଜସ୍ୱ ଏକ ନିର୍ବାକ ଜୀବନ ସ୍ପନ୍ଦନରେ ସ୍ପନ୍ଦିତ ହୋଇଉଠିଥିଲା । ଠିକ୍ ସେହିପରି ତା’ର ବୃଦ୍ଧା ମାଆ ମଧ୍ୟ ଏକ ସୌନ୍ଦର୍ଯ୍ୟ ସମୁଜ୍ଜ୍ୱଳ ବିନମ୍ରତାର ପ୍ରତିମୂର୍ତ୍ତିରେ ରୂପାନ୍ତରିତ ହୋଇଯାଇଥିବା ପରି ତାକୁ ବୋଧ ହେଉଥିଲା ।

 

ନିକୋଲାସ୍ ଆଖିରେ ଗିଲେସ୍ ସବୁ ଯୌବନ, ସବୁ କମନୀୟତା ଓ ଜୀବନର ସମସ୍ତ ଭୟାବହ ଭଙ୍ଗୁରତାର ପ୍ରତୀକ ହୋଇ ରହିଥିଲା । ...ମନ ଭିତରେ କୌଣସି ପ୍ରକାରେ ବିବ୍ରତ ନ ହୋଇ ସେ ଜୀବନର ଏହି ପଳାୟମାନ ବିସ୍ମୟ ଉପରେ ଦୃଷ୍ଟିପାତ କରୁଥିଲା, ତା’ ଉପରେ ସମୟର ହାତବାଜିବା ଆରମ୍ଭ ହୋଇଯାଇଥିଲା । ସେ ଗିଲେସ୍‍କୁ ଭାରି ଭଲ ପାଉଥିଲା । ସେ କ’ଣ ଖାଉଥିଲା, ସେହି ବିଷୟରେ ତା’ର କୌଣସି କାନ ନ ଥିଲା । ତା’ର ମାଆ କ’ଣ ସବୁ କହୁଥିଲେ ଓ ଗିଲେସ୍ କ’ଣ ସବୁ ଉତ୍ତର ଦେଉଥିଲା, ସେ ସବୁ ସେ ଆଦୌ ଶୁଣି ପାରୁନଥିଲା । ଗିଲେସ୍ ତାଙ୍କ ଘରେ ସେଇଠି ବସିଥିଲା, ଏତିକି ଜାଣିବା ତା’ପାଇଁ ଯଥେଷ୍ଟ ଥିଲା । ତେଣୁ ବର୍ତ୍ତମାନ ଗୋଟିଏ ବୋଲି ମୁହୂର୍ତ୍ତ ନଷ୍ଟକରିବା ଉଚିତ ନୁହେଁ । ଯିଏ ଗିଲେସ୍‍କୁ ତାଙ୍କ ଘରକୁ ଆଣିଲେ, ତା’ର ହୃଦୟକୁ ଆଣିଲେ, ତା’ର ଜୀବନକୁ ଆଣିଲେ, ସେହିଠାରେ ତାକୁ ସବୁଦିନପାଇଁ ରଖିଲେ, ସେହି ଭଗବାନଙ୍କର ମଙ୍ଗଳ ହେଉ । ପାରସ୍‍ରେ ଥିଲାବେଳେ ଦୁହିଁଙ୍କର କ୍ୱଚିତ୍ ଭେଟ ହୁଏ, ସେହି ଭେଟରେ ଆଦୌ ମନବୋଧ ହୁଏନାହିଁ । ...ନିକୋଲାସ୍ ଯେଉଁ ସ୍କୁଲରେ ସହକାରୀ ଶିକ୍ଷକର କାର୍ଯ୍ୟ କରୁଥିଲା, ସେହି ସ୍କୁଲର ତାକୁ ରାତିରେ ମଧ୍ୟ ଶୋଇବାକୁ ପଡ଼ୁଥିଲା । ଦିନଯାକ ଅଧ୍ୟାପକମାନଙ୍କ କ୍ଲାସକୁ ଯିବାରେ ଗିଲେସ୍ ବ୍ୟସ୍ତ ରହୁଥିଲା । ତାହାଛଡ଼ା ଆହୁରି ଅନ୍ୟାନ୍ୟ ଲୋକଙ୍କ ଲାଗି ମଧ୍ୟ ତାଙ୍କୁ ସମୟ ଦେବାକୁ ପଡ଼ୁଥିଲା । ଅବଶ୍ୟ ତା’ ସହିତ ଖୁବ୍ ବେଶୀ ସମୟ ନ କଟାଇବା ବରଂ ଭଲ ଥିଲା । ସଂସାରରେ ଯିଏ ଯାହାକୁ ସବୁଠାରୁ ଅଧିକ ଭଲପାଏ, ତାହାଠାରୁ ଟିକିଏ ବିଚ୍ଛିନ୍ନ ହୋଇ ରହିବା ଅବଶ୍ୟ ଭାରି ଭଲ କଥା । ବିଚ୍ଛିନ୍ନ ଓ ଏକାକୀ ରହି ମଧ୍ୟ ମଣିଷ ତଥାପି ଯାହାକୁ ଭଲ ପାଇପାରେ, କେବଳ ତାହାକୁହିଁ ସେ ପ୍ରକୃତରେ ଆପଣାର କରି ରଖିପାରିବ-। ନିକୋଲାସ୍ ଅନେକ ସମୟରେ ତା’ରି ଏହି ବିଶ୍ୱାସକୁ ଅନେକ ପାଖରେ ପ୍ରକଟ କରୁଥିଲା ।

 

କିନ୍ତୁ ଛୁଟିରେ ଡୋର୍ଥେକୁ ଆସିଲେ ତା’ର ବନ୍ଧୁ ପୂର୍ଣ୍ଣଭାବରେ ତା’ର ହୋଇ ପାରୁଥିଲା । ଅବଶ୍ୟ ମେରୀ ପ୍ରତି ତା’ର ପ୍ରେମ ବ୍ୟତୀତ ସେ ଆଉ କୌଣସି ବିଷୟରେ କେବେ କଥାବାର୍ତ୍ତା କରୁନଥିଲା । ମେରୀହିଁ ସେହି ବର୍ଷର ଉଜ୍ଜ୍ୱଳ ଓ ସ୍ୱତନ୍ତ୍ର ତାରକା ଥିଲା । ନିକୋଲାସ୍ ତା’ର କଥା ଶୁଣୁ, ଏତିକି ହେଲେ ଗିଲେସ୍ ସନ୍ତୁଷ୍ଟ । ନିକୋଲାସ୍‍ର ସାହଚର୍ଯ୍ୟ ତାକୁ କେବେହେଲେ ନୀରସ ବା ବିରକ୍ତିକର ବୋଧ ହେଉନଥିଲା । କାରଣ କେବଳ ନିକୋଲାସ୍ ସହିତହିଁ ସେ ମେରୀ ବିଷୟରେ କଥାବାର୍ତ୍ତା ହୋଇପାରୁଥିଲା । ବର୍ତ୍ତମାନ ମଧ୍ୟ ସେ ସେହି ବିଷୟ ନ ପକାଇ ରହିପାରିଲା ନାହିଁ । ମାଡ଼ାମ୍ ପ୍ଲାସକ୍ ମଝିରେ ମଝିରେ ରୋଷେଇ ଘରୁ କାର୍ଯ୍ୟାନ୍ତରରେ ବାହାରକୁ ଚାଲି ଯାଉଥିଲେ । ସେତିକିବେଳେ ଗିଲେସ୍ ଆପଣା ମନର ନିବିଡ଼ତମ କଥାମାନ କହିବାର ସୁଯୋଗ ପାଉଥିଲା ।

 

‘‘ସେ ଦୁଇଥର ମୁହଁ ବୁଲାଇ ପଛକୁ ଅନାଇଥିଲା,’’ –ସେ କହିଲା ।

 

‘‘ତୁ ଠିକ୍‌ କହୁଚୁ ? କିନ୍ତୁ ଗାଲିଗାଇ ମଧ୍ୟ ଫେରି ଚାହିଁଲା । ଓଃ–ସେତେବେଳେ ମୁଁ ଭାବୁଥାଏ ଯେ ଏଥର ତୋ’ର ମୁହଁଟା ଲାଜରେ ବଡ଼ ଫିକା ପଡ଼ିଯିବ ।’’

 

‘‘ନାଇଁ ଗିଲେସ୍‌, ତୋତେ ମୋର ଏକାନ୍ତ ଅନୁରୋଧ, ତୁ ଆଉ ମୋ, ଆଗରେ ମାଡ଼ାମ୍‌ ଆଗାଥେଙ୍କ ବିଷୟରେ କିଛି କହିବୁ ନାହିଁ ।’’

 

‘‘ଗାଲିଗାଇ ତୋତେ ଭଲ ପାଏ, କିନ୍ତୁ ସେଥିରେ ମୁଁ କି ଦୋଷ କଲି ?’’

 

‘‘ତୁମେମାନେ ତାଙ୍କୁ କାହିଁକି ଗାଲିଗାଇ ବୋଲି କହୁଚ ?’’ ମାଡ଼ାମ୍‌ ପ୍ଲାସାକ୍‌ ପଚାରିଲେ-

 

ଆପଣାର ଦୁଇ ହାତରେ ନିକୋଲାସ୍‌ ମୁହଁଟାକୁ ଲୁଚାଇ ରଖିଲା ।

 

‘‘ଶୁଣ ଗିଲେସ୍‌,-ଛୁଟିଦିନ ପ୍ରାୟ ଶେଷ ହୋଇ ଆସିଲା ବୋଲି ଭାବିଲାବେଳକୁ ମନରେ କେବଳ ଏତିକି ଆନନ୍ଦ ଆସୁଚି ଯେ ଏଥରକ ତା’ ଆଉ ମୋ’ ଭିତରେ ଶହଶହ ମାଇଲ ବ୍ୟବଧାନ ହୋଇଯିବ । ... ମୁଁ ତାକୁ ଅପେକ୍ଷା କରିନଥିଲାବେଳେ ସେ ଆଉ ହଠାତ୍‌ ଆସି ପହଞ୍ଚି ଯାଇପାରିବ ନାହିଁ...ସେ...ସେ ମୋର କୋଠରୀ ଉପରେ ବଳାତ୍କାର କରିବାକୁ ଆସେ ।’’

 

‘‘ତୁ ପରା ମୋତେ ଜବାବ ଦେଇଥିଲୁ ଯେ ଆଉ ତା’ ସହିତ କଳହ କରିବୁ ନାହିଁ ? ଆମର ଏକମାତ୍ର ଆଶା ଓ ନିର୍ଭର ତ ସେଇ–ମୋର ଆଉ ମେରୀର । ସେ ଯଦି ତୋ’ର କୋଠରୀ ଉପରେ ବଳାତ୍କାର କରୁଥାଏ,-ଆଉ ତୋ’ ଉପରେ ମଧ୍ୟ,-ତେବେ ତ ତାହାକୁ ବଡ଼ ଦୁର୍ଭାଗ୍ୟର କଥାବୋଲି କହିବାକୁ ହେବ ।’’

 

‘‘ଓଃ, ଗିଲେସ୍‌ !’’

ଗିଲେସ୍‌ ହସିଲା । ବନ୍ଧୁ ମନରେ କୌଣସି ପ୍ରକାର ଗୋଟାଏ ଆତଙ୍କ ବା ଆନ୍ଦୋଳନ ସୃଷ୍ଟି କରିପାରିଲେ ସେ ଠିକ୍‌ ଏମିତି ହସେ ।

 

‘‘ତୁମେ ଦି’ଜଣ ବସି ଏଠାରେ କ’ଣ କଥାବାର୍ତ୍ତା ହେଉଚ ?’’ –ମାଡ଼ାମ୍‌ ପ୍ଲାସାକ୍‌ ପଚାରିଲେ ।

 

ତାଙ୍କର ହାତରେ ଗୋଟିଏ ଥାଳିରେ ସେ କୋଳି ଦିଆ–ହୋଇଥିବା ପିଠା ଥାଳିଏ ଧରିଥାନ୍ତି । ଏ ପିଠା ଡୋର୍ଥେର ଲୋକମାନଙ୍କ ପକ୍ଷରେ ଏକ ଅତି ଲୋଭନୀୟ ବସ୍ତୁ ଥିଲା । ପେଟେ ଖାଇସାରିବା ପରେ ମଧ୍ୟ ଏଠାରେ ଯେ କୌଣସି ଲୋକ ଏହାକୁ ଟପ୍‌ଟାପ୍‌ ପାଟିରେ ପକାଇ ଦେଇପାରିବ ।

 

‘‘ଆମେ ମାଡ଼ାମ୍‌ ଆଗାଥେଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲୁଁ’’ –ଗିଲେସ୍‌ ଉତ୍ତର ଦେଲା ।

‘‘ଓହୋ, ତାଙ୍କ କଥା ?’’

 

‘‘ତାଙ୍କୁ କ’ଣ ଆପଣ ଭଲପାଆନ୍ତି ନାହିଁ ?’’ ବାହାରେ ବେଶ୍‌ ନିରୀହତାର ଅଭିନୟ କରି ଗିଲେସ୍‌ ପଚାରିଲା ।

 

‘‘ଏଠାକୁ ତ ସେ ଯେତେବେଳେ ଇଚ୍ଛା ସେତେବେଳେ ଆସୁଚନ୍ତି । ସତେ ଅବା ଆମ ଘରକୁ ସେ ଗୋଟାଏ ଧର୍ମଶାଳା କରି ପାଇଚନ୍ତି ! ମୋତେ ତ ସିଏ କେତେବେଳେ ହେଲେ ପଦେକଥା କହନ୍ତି ନାହିଁ, ସିଧା ନିକୋଲାସ୍‌ର କୋଠରୀକୁ ଚାଲି ଯାଆନ୍ତି । ତାଙ୍କର ସାହସ ତ କିଛି କମ୍‌ ନୁହେଁ ! ମୋ’ ପୁଅ ଉପରେ ସିଏ କ’ଣ ପାଇଁ ଆଖି ପକାଇଚନ୍ତି କେଜାଣି ?’’

 

‘‘ଥାଉ, ମାଆ, ଥାଉ !’’ ଆତଙ୍କିତ ହୋଇ ନିକୋଲାସ୍‌ ଚିତ୍କାର କରି ଉଠିଲା ।

ଏଥର ଆସିଲାବେଳେ ତାଙ୍କୁ ମୁଁ ଭଲକରି ପଦେ ଶୁଣାଇ ଦେଇଚି । ମୋ’ ମନକୁ ଯାହା ଆସିଲା, କହିଚି । ଆଉ ଦିନେ ସେ ମୋ’ ଘରର ପାହାଚ ମାଡ଼ିବେ ନା ?’’

 

କିନ୍ତୁ ମାଡ଼ାମ୍‌ ପ୍ଲାସାକ୍‌ ! ମୁହଁଟାକୁ ଗମ୍ଭୀର କରି ଗିଲେସ୍‌ କହିଲା, ‘‘ଆପଣ ତ ଜାଣିଥିବେ ସେ ହେଉଛନ୍ତି ଶ୍ରୀଯୁକ୍ତ ଡି କାମ୍‌ବ୍ଲେନଙ୍କ୍‌ର ଝିଅ...ଜଣେ କାଉଣ୍ଟ୍‌ଙ୍କର ଝିଅ ।’’

 

‘‘ମୁଁ ସେ ସବୁ ଭଲକରି ଜାଣିଚି । ଭାରି ବଢ଼ିଆ କାଣ୍ଟ୍‌ସେ । ଆପଣାର ଝିଅକୁ ପୁଣି ଉପାର୍ଜନ କରି ଖାଇବାକୁ ସେ ଏଠାକୁ ପଠାଇ ଦେଇଛନ୍ତି । ଆଉ କାମ ବୋଲି କାମ ? ଶ୍ରୀଯୁକ୍ତ ଡୁବେର୍ନେଟ୍‌ଙ୍କ ଘରେ ସିଏ କି କାମ କରୁଚନ୍ତି, ସେ କଥା ତ ଆମେ ସମସ୍ତେ ଜାଣିଚୁ !’’

 

ନିକୋଲାସ୍‌ ଆଉଥରେ କହିଲା–‘‘ଓଃ, ସେତିକି ଥାଉ !’’ ଏତିକ କହି ସେ ଆଖି ବୁଜି ରଖିଲା, ଆପଣ ମାଆକୁ ସେପରି ଅବସ୍ଥାରେ ଦେଖିବାଟା ତା’ର ଆଦୌ ସହ୍ୟ ହେଲା ନାହିଁ । ଗିଲେସ୍‌ ଚୁପ ହୋଇ ବସି ଏହି ଦୃଶ୍ୟର ପୂରା ମଜାଟା ଉପଭୋଗ କରୁଥାଏ । ବିଚାରି ଗାଲିଗାଇ-! ଦୀର୍ଘ ନିଃଶ୍ୱାସ ପକାଇ ସେ ଭାବୁଥାଏ । ମାଡ଼ାମ୍‌ ପ୍ଲାସାକ୍‌ ପୁଣି ପଚାରିଲେ, ଆଚ୍ଛା, ତାଙ୍କର ଏଲ ଗାଲିଗାଇ ନାଆଁଟା କେଉଁଠାରୁ ଆସିଲା ?’’

 

‘‘ଆପଣ ତ ଜାଣିଥିବେ, ମାଡ଼ାମ୍‌ ପ୍ଲାସାକ୍‌, ସେ ପରା ଥରେ ଜଣେ ସାମନ୍ତଙ୍କୁ ବିବାହ କରିଥିଲେ !’’

 

‘‘ହଁ, ଜାଣିଚି । ସେଇ ସାମନ୍ତଟି, ଯିଏ ତାଙ୍କୁ ସେହି ବିଭାଘର ଦିନ ରାତିରେ ଛାଡ଼ିଦେଇ ଚାଲିଗଲା । ବାହାଘର ହୋଇସାରିବା ପରେ ତାଙ୍କର ଆଈବୁଢ଼ୀ ତାକୁ ଯେଉଁ ଟଙ୍କା ଦେବବୋଲି ପ୍ରତିଶ୍ରୁତି ଦେଇଥିଲା, ସେହି ଟଙ୍କାଟା ପାଇବା ପର୍ଯ୍ୟନ୍ତ ସେ ମତେ ଅବା ଅପେକ୍ଷା କରି ରହିଥିଲା । ପରିମାଣ ତ କିଛି କମ ନୁହେଁ,-କୋଡ଼ିଏ ଲକ୍ଷ । ଆଉ ଠିକ୍‌ ସେହିଦିନ ରାତିରେ ବୋହୁ ଲୁଗା ପାଲଟୁଥିବା ସମୟରେ ସେ ଚମ୍ପଟ ଦେଲା ।

 

‘‘ସତେ ?’’ –ଗିଲେସ୍‍ ବିସ୍ମୟ ପ୍ରକାଶ କଲା ।

 

ନିକୋଲାସ୍‌ ଅତି କରୁଣ ଦୃଷ୍ଟିରେ ତା’ ଆଡ଼କୁ ଅନାଇଲା । କଥା କହିଲାବେଳେ ତା’ର କଣ୍ଠ ସ୍ୱରରେ ତିରସ୍କାରର ଭାବ ପ୍ରକଟ ହୋଇଉଠୁଥିଲା ।

 

‘‘କିନ୍ତୁ ଗିଲେସ୍‌, ମାଆ ଯେତିକି ଜାଣିଚନ୍ତି, ସେ ବିଷୟରେ ତ ତୁ ମଧ୍ୟ ସେତିକି ଜାଣିଚୁ-।’’

 

ମାଡ଼ାମ୍‌ ପ୍ଲାସାକ୍‌ ତାଙ୍କର ଗୋଜିଆ ନାକଟାକୁ ଟେକିଦେଲେ । (ସେତେବେଳକୁ ସେ ପିଠା କାଟିବାରେ ବ୍ୟସ୍ତ ଥାଆନ୍ତି ।) ଚଷମା ତଳେ ଥିବା ତାଙ୍କର ଆଖି ଦୁଇଟା ଚକଚକ ଦେଖାଯାଉଥାଏ ।

 

‘‘ଆଉ ତୁମେ କ’ଣ ଭାବୁଚ ସେ ଏକା ପଳାଇଗଲା ?’’

 

‘‘ତେବେ ସାଙ୍ଗରେ ଆଉ କିଏ ଥିଲା ?’’ –ଗୋଟାଏ ପବିତ୍ରତାର ଭାବ ଦେଖାଇ ଗିଲେସ୍‌ ପଚାରିଲା ।

 

କିନ୍ତୁ ନିକୋଲାସ୍‌ ପୁଣିଥରେ ପ୍ରତିବାଦ କଲା, ‘‘ଓଃ, ଶୁଣ ଗିଲେସ୍‌, ମାଆଙ୍କୁ ଏହି ବିଷୟରେ କୌଣସି କଥା କହିବାର ସୁଯୋଗ ଦେବା ତୋ’ର ଆଦୌ ଉଚିତ ନୁହେଁ !’’

 

‘‘ଅବଶ୍ୟ ଆଉ କୌଣସି ଯୁବତୀ ସହିତ ସେ ଯାଇନଥିଲା ।’’ ଗିଲେସ୍‌ ବି ସହଜେ ଛାଡ଼ିବାର ନୁହେଁ । ସେ ପଚାରିଲା–

 

‘‘ତେବେ ତା’ ସାଙ୍ଗରେ କିଏ ଗଲା ?’’

 

‘‘ତୁମେ ଯଦି ସେକଥା ନ ଜାଣିଥାଅ, ତେବେ ମୋର ସେ କଥା ତୁମକୁ କହିବା ଅନୁଚିତ-।’’

 

ତା’ର କଥାଟା ଟିକିଏ ଡେଇଁଗଲା ବୋଲି ମାଡ଼ାମ୍‌ ପ୍ଲାସାକ୍‌ଙ୍କର ସ୍ୱରରୁ ଗିଲେସ୍‍ ଜାଣିପାରିଲା । ଆକାଶ ଝରକାଗୁଡ଼ାକ ଅଧା ଖୋଲିଦେଇ ମାଡ଼ାମ୍‌ ପ୍ଲାସାକ୍‌ କହିଲେ ଯେ ଝଡ଼ ହେବାର ଆଶଙ୍କା ଦେଖାଯାଉଚି । ସୂର୍ଯ୍ୟ ଆଉ ଦେଖାଯାଉ ନାହାନ୍ତି । ହେ ଭଗବାନ୍‌, ପିଠାଗୁଡ଼ାକ ହଜମ ହେବାକୁ ପୁଣି ଏତେବେଳ ଲାଗୁଛି । ଦୂରରୁ ସନ୍ଧ୍ୟା ପ୍ରାର୍ଥନାର ଘଣ୍ଟା ବାଜୁଥାଏ । ଗୀର୍ଜା ମଣ୍ଡଳୀର ପିଲାମାନେ ଶୋଭାଯାତ୍ରା କରି ଚାଲିଗଲେ । ଆଉ ପନ୍ଦର ମିନିଟ ପରେ ଗୀର୍ଜା ଭିତରକୁ ଯାଇ ଗମ୍ଭୀର ଭାବରେ ସେମାନେ ଲାଟିନ୍‌ ଭାଷାରେ ସ୍ତ୍ରୋତ୍ରସବୁ ବୋଲିବେ । ତୁଣ୍ଡରେ ବୋଲୁଥିବା ସ୍ତ୍ରୋତ୍ରର ଗୋଟିଏ ଶବ୍ଦ ମଧ୍ୟ ଯେ ସେମାନେ ବୁଝିପାରୁ ନାହାନ୍ତି, ସେଥିଲାଗି ଅବଶ୍ୟ ସେମାନେ ଆଦୌ ଶୋଚନା କରିବେ ନାହିଁ ।

 

ଚାରି

 

କାନ୍ଦି କାନ୍ଦି ମେରୀକୁ ନିଦ ହୋଇ ଯାଇଥିଲା । ଗୀର୍ଜାର ଘଣ୍ଟା ଶବ୍ଦ ଶୁଣି ମଧ୍ୟ ତା’ର ନିଦ ଭାଙ୍ଗିଲା ନାହିଁ । ମାଡ଼ାମ୍‌ ଆଗାଥେ ଥିରି ଥିରି ଆସି ସେହି ଘର ଭିତରେ ପ୍ରବେଶ କଲାବେଳେ ମଧ୍ୟ ତା’ର ନିଦରେ କୌଣସି ବ୍ୟାଘାତ ହେଲା ନାହିଁ । ତାଙ୍କର ହାତରେ ଗୋଟିଏ ଟ୍ରେ, ଟ୍ରେ ଉପରେ ଖାଇବା ଜିନିଷମାନ ସଜ୍ଜିତ ହୋଇ ରହଚି । ଛଅଟି ନାଲି ଟହଟହ ଚୁଙ୍ଗୁଡ଼ି, କିଛି ବିସ୍କୁଟ, କୋତୋଟି ବିବର୍ଣ୍ଣ ଦେଖାଯାଉଥିବା ପିଚ୍‌ଫଳ, ପୋକ ଖାଇ ଯାଇଥିବା ଅଳ୍ପ କେତୋଟି କୋଳି, ଥଣ୍ଡା ହେତୁ ଉପରେ କୁହୁଡ଼ିଆ ଦେଖାଯାଉଥିବା ଗିଲାସେ ପାଣି । ମେରୀର ଶରୀରଟା କେଡ଼େ କରୁଣ ଭାବରେ କୋମଳ ଓ ଅପାକଳ ଦେଖାଯାଉଥିଲା ! ଦୁଃଖ ଓ ନିଦ୍ରା ଭିତରେ ରାତିଯାକ ଏହି ଶରୀର ଉପରେ ଲଢ଼େଇ ଚାଲିଥିଲା । ହାତ ଉପରେ ମୁହଁଟାକୁ ରଖି ମେରୀ ଶୋଇଥିଲା । ଗୋଟିଏ ଗୋଡ଼ ବଙ୍କା, ଆଣ୍ଠୁଟା ବହିଯାଉଥିବା ପାଣି ତଳର ଗୋଟିଏ ଛୋଟିଆ ପଥର ପରି ଚିକ୍‌କ’ଣ ଦେଖା ଯାଉଥିଲା, ଯୋଉ ପଥର ଦେହରେକି କେବେ କୌଣସି ଲୋକର ହାତ ବାଜିନଥିଲା । ଆର ଗୋଡ଼ଟି ବିଛଣା ଦାଢ଼ରେ ନଡ଼ ବଡ଼ ହେଉଥିଲା । ସୂର୍ଯ୍ୟାଲୋକର ଗୋଟିଏ ସିଧା ସାଦା ଲୋମାବୃତ ତା’ର ଫିକା ଦେହଟି ଉପରେ ଆସି ପଡ଼ିଥିଲା । ସେହି ଲୋମକୁ ଦେଖି ଯେପରି ଅଳ୍ପବୟସ୍କ କୌଣସି ବନ୍ୟ ଜନ୍ତୁର ଲୋମ ପରି ମନେହେଉଥିଲା । ତା’ର ଶରୀର ଉପରୁ ଟିକିଏ ଟିକିଏ ଓଦା ଓ ଝାଳୁଆ ଗନ୍ଧ ବାହାରୁଥିଲା, ଉପରକୁ ବଙ୍କେଇ ହୋଇଯାଇଥିବା ସୁନ୍ଦର ବାହୁ ଦୁଇଟି ଗୋଟିଏ ଥଳୀର ଦୁଇଟି ହ୍ୟାଣ୍ଡଲ୍‌ପରି ଦେଖାଯାଉଥିଲା । ତା’ ଫଳରେ ବ୍ଲାଉଜ୍‌ ତଳେ ଥିବା କାଖପର୍ଯ୍ୟନ୍ତ ବେଶ୍‌ ଦୃଷ୍ଟି ଗୋଚର ହେଉଥିଲା, ଠିକ୍‌ ଯେଉଁଠାରେ କାଖ ପାଖରୁ ବାହୁଟି ବାହାରି ଆସିଚି । କାଖ ଦୁଇଟି ଗାଢ଼ ସୁନେଲୀ ରଙ୍ଗର ଦୁଇଟି ଚିତା ପରି ଦେଖାଯାଉଚି । ସବୁଥିରୁ ଗୋଟିଏ ପ୍ରକାର ଗନ୍ଧ ବାହାରୁଚି, କୌଣସି ପ୍ରାଣୀର ଗନ୍ଧ ନ କହି ସେହି ଗନ୍ଧକୁ ଉଦ୍ଭିଜ ବୋଲି କହିବାକୁ ହେବ । ମାଟି, ପାଣି, ସମୁଦ୍ର ଜୁଆର ଆଉ ବଗିଚାରେ ଥିବା ଗଛ ପତରର ଗନ୍ଧ । ମାଡ଼ାମ୍‌ ଆଗାଥେ ଉପରକୁ ଆଖି କରି ଅନାଇଲେ । ଝରକାର କାଚ ଉପରେ ସେ ଆପଣାର ପ୍ରତିବିମ୍ବ ଦେଖିପାରିଲେ । ତାଙ୍କର ଶିରା ବହୁଳ ହାଡ଼ୁଆ ମୁହଁଟି ରବିବାର ପିନ୍ଧା ବ୍ଲାଉଜଟିରେ କେଉଁ ଦିନୁ ଇସ୍ତ୍ରୀ ବାଜିନାହିଁ । ପ୍ରତିବିମ୍ବ ତଳେ ସେ ଆପଣାର ବହୁତଳେ ଥିବା ଅର୍ଦ୍ଧବୃତ୍ତାକାର ଝାଳ ଚିହ୍ନଗୁଡ଼ିକ ଦେଖିପାରିଲେ ନାହିଁ । କିନ୍ତୁ ଝାଳଚିହ୍ନଗୁଡ଼ିକ ଯେ ବାହୁତଳେ ରହିଛି, ସେ କଥା ସେ ଭଲକରି ଜାଣିଥିଲେ । ବ୍ଲାଉଜଟା ତାଙ୍କର ଦେହକୁ ଭାରି ଢିଲା ହୋଇଥିଲା । ଫୁଲକା ହୋଇ ଆଗକୁ ଝୁଲି ପଡ଼ିଥିଲା । ‘‘ମୋ ଛାତିରେ ସ୍ତନ ନାହିଁ’’ ଏହି କଥାଟି ଯଦି ଆକ୍ଷରିକ ଭାବରେ ସତ୍ୟ ହୋଇଥାନ୍ତା ! କିନ୍ତୁ ତାଙ୍କ ଛାତିରେ ଥିବା ସ୍ତନଠାରୁ ମୋଟେ ସ୍ତନ ନ ଥିଲେ ବୋଧହୁଏ ଅଧିକ ଭଲ ହୋଇଥାନ୍ତା । ଯେଉଁଠାରେ ସେ ଠିଆ ହୋଇଥିଲେ, ସେଠାରୁ ମେରୀର ସ୍ତନ ଦୁଇଟି ତାଙ୍କର ଦୃଷ୍ଟିଗୋଚର ହେଉନଥିଲା । ତଥାପି ସେ ଦୁଇଟିର ସୁଦୃଶ୍ୟତା ସମ୍ବନ୍ଧରେ ତାଙ୍କର କୌଣସି ସନ୍ଦେହ ନ ଥିଲା । ମେରୀର ଗୋଡ଼ ଉପରେ ପଡ଼ିଥିବା ସୂର୍ଯ୍ୟକିରଣର ଧାସଟି ମାଡ଼ାମ୍‌ ଆଗାଥେଙ୍କର ଚର୍ମଳ ବାହୁ ଉପର ଦେଇ ଯାଇଥିଲା । କାଳେ କୌଣସି ଶବ୍ଦ ହେବ ବୋଲି ସେ ଆପଣା ନିଶ୍ୱାସକୁ ମଧ୍ୟ ଚାପି ରଖିଥିଲେ, ତଥାପି ଶୋଇଥିବା ମନୁଷ୍ୟାକୃତିଟି କହିଲା, ‘‘କିଏ ସେ-?’’

 

ଟ୍ରେ-ଆଡ଼କୁ ଇଙ୍ଗିତ କରି ମାଡ଼ାମ୍‌ ଆଗାଥେ କହିଲେ, ‘‘ତୁମ ଲାଗି ମୁଁ କିଛି ଖାଇବାକୁ ଆଣିଚି । କିନ୍ତୁ ପ୍ରଥମେ ଉଠି ତୁମେ କିଛି ଲୁଗାପଟା ପିନ୍ଧି ପକାଅ ।’’

 

‘‘କବାଟ ପାଖରେ ଠିଆ ହୋଇ ଆଗ ମୋତେ ଡାକିବା ଉଚିତ ଥିଲା,’’ ମେରୀ ଆପତ୍ତି କଲା ପରି କହିଲା, ‘‘ତାହାହେଲେ ତୁମକୁ ଘର ଭିତରକୁ ଆସିବାକୁ ଅନୁମତି ଦେବା ପୂର୍ବରୁ ମୁଁ ନିଶ୍ଚୟ ମୋର କୁର୍ତ୍ତାଟା ପିନ୍ଧି ନେଇଥାନ୍ତି ।’’

 

‘‘ତୁମେ ପୁଣି କି ଅନୁମତି ଦିଅନ୍ତ ? ତୁମେ ତ କୌଣସି କଥାରେ ମୋତେ ନିଷେଧ କରିପାରିବ ନାହିଁ ।’’

 

ହାୟରେ ବିଧାତା ! ମାଡ଼ାମ୍‌ ଆଗାଥେଙ୍କୁ ସତେ ସେ କେତେ ବିରକ୍ତ ନ କରୁଚି ! ସେଇ ମାଡ଼ାମ୍‌ ଆଗାଥେ ତ ତା’ରି ଏକମାତ୍ର ଆଶା, ତା’ର ଶେଷ ସୁଯୋଗ ! ତା’ର ଦୁଇଟିଯାକ କୃଶ ବାହୁଲତାକୁ ସେ ଗୃହଧାତ୍ରୀଙ୍କର ବେକ ଚାରି ପାଖରେ ଲମ୍ବାଇ ଦେଲା । ସେ ତ ତାଙ୍କ ପାଖରେ କୌଣସି ଦୋଷ କରିନାହିଁ ! ଯୁବତୀର ଶରୀରଟି ଆପଣାର ଶରୀର ଉପରେ ଚାପିହୋଇ ଗଲାବେଳେ ମାଡ଼ାମ୍‌ ଆଗାଥେ ବେଶ୍‌ ତଜ୍ଜନିତ ଉଷ୍ଣତାଟି ଅନୁଭବ କରୁଥିଲେ ।

 

‘‘ବର୍ତ୍ତମାନ ଉଠିବାକୁ ପଡ଼ିବ, ମେରୀ !’’

ଆପଣାର ବେକରୁ ମେରୀର ହାତ ଛଡ଼ାଇ ଦେଇ ସେଠାକୁ ଠେଲିଦେଲେ । ଅବଶ୍ୟ ସେହି ଠେଲିବାରେ କୌଣସି କର୍କଶତା ନ ଥିଲା । ‘‘ଲୁଗାପଟା ପିନ୍ଧି ପକାଅ, ଖାଇବ ପରା !’’

 

‘‘ମୋତେ ଭୋକ କରୁନାହିଁ !’’

‘‘ତୁମ ବୟସରେ ତ ସବୁବେଳେ ଭୋକ କରିବାର କଥା ।’’

 

ମସ୍‌ଲିନ୍‌ କୁର୍ତ୍ତାଟି ପିନ୍ଧିବାରେ ସେ ମେରୀକୁ ସାହାଯ୍ୟ କଲେ, ଟେବୁଲ ପାଖରେ ନେଇ ବସାଇଲେ, ସେଇଠୁ ତାକୁ ଶୁଆଇ ବସିଲେ ।

 

‘‘ଚିଙ୍ଗୁଡ଼ିକୁ ତୁମେ କେତେ ଭଲପାଅ, ସେ କଥା କ’ଣ ତୁମେ ଜାଣନାହିଁ ? ତୁମପାଇଁ ପରା ବାପା ଏତକ ଛାଡ଼ି ଯାଇଚନ୍ତି । ସେ ତ ଏମିତି ଆଗ୍ରହରେ ଖାଇବାରେ ଲାଗିଥିଲେ ଯେ ତାଙ୍କୁ ବନ୍ଦ କରିବା ମଧ୍ୟ ସମ୍ଭବ ହେଲା ନାହିଁ ।’’

 

ଚିରାଭ୍ୟସ୍ତ ଭଙ୍ଗୀରେ ଗାତ୍ର କୁଞ୍ଚନ କରି ମେରୀ ଗୋଟିଏ କାନ୍ଧ ଉପରକୁ ଟେକି ଦେଲା-। ପେଟ ଫାଟିଯିବା ପର୍ଯ୍ୟନ୍ତ ବାପା ଗିଳିଲେ ଗିଳୁଥାନ୍ତୁ । ସେଥିରେ ତା’ର ଓ ଗିଲେସ୍‍ର ଯାଏ ଆସେ କେତେ ? ମନେକର ଯଦି ତା’ର ବାପା ମାଆ କୁଆଡ଼େ ଅନ୍ତର୍ହିତ ହୋଇଯାଆନ୍ତେ ଯଦି, ସେମାନେ ଆଦୌ ଏ ସଂସାରରେ ନ ଥାନ୍ତେ । ...ଆଙ୍ଗୁଠିଗୁଡ଼ାକ ପୋଛୁ ପୋଛୁ ସେ କହିଲା-

 

‘‘ସାଲୋନ୍ ଆଉ ଆମ ଭିତରେ କ’ଣ ପ୍ରଭେଦ ? ଆମେ କାହିଁକି ଆମକୁ ତାଙ୍କଠାରୁ ଅଧିକ ଭଲ ବୋଲି କହି ବୁଲିବା ?’’

 

ମାଡ଼ାମ୍ ଆଗାଥେଙ୍କର ଉପର ଓଠ ଉପରକୁ ମୋଡ଼ି ହୋଇଗଲା । ତାଙ୍କର ପାଟି ଭିତରେ ଥିବା ଦାନ୍ତ ଦୃଷ୍ଟିଗୋଚର ହେଲା । ଦାନ୍ତଗୁଡ଼ିକ ବେଶ୍ ମଜବୁତ୍, କିନ୍ତୁ ଠିକ୍ ଧାଡ଼ୀରେ ବସିନାହିଁ । ତାଙ୍କର କୁକୁର ଦାନ୍ତଗୁଡ଼ିକ ପୁଣି ବେଶ୍ ବଡ଼ ବଡ଼ । ସେ ମୁରକି ମୁରକି ହସିବାକୁ ଲାଗିଲେ ।

 

‘‘ସେକଥା ତୁମର ମାଆକୁ ପଚାରିବା ଉଚିତ, ମୋ’ ଆଖିରେ ତ କେବେ ସେ ପ୍ରଭେଦଟା ଧରାପଡ଼େ ନାହିଁ ।’’

 

‘‘କିନ୍ତୁ ମୁଁ ଜାଣିବାକୁ ଚାହେଁ, ସେ ପ୍ରଭେଦଟା କ’ଣ ।’’

ଯଥା ସମ୍ଭବ କଅଁଳ ସ୍ୱରରେ ଗୃହଧାତ୍ରୀ ଉତ୍ତର ଦେଲେ–

‘‘କଳା ଆଉ ନାଲି ପିମ୍ପୁଡ଼ି ଭିତର ଯେଉଁ ପ୍ରଭେଦ ।’’

‘‘ମୁଁ କିଛି ବୁଝିପାରିଲି ନାହିଁ’’–ମେରୀ କହିଲା ।

‘‘ସେଥିରେ ବୁଝିପାରିବାର କିଛି ନାହିଁ ।’’

 

ମାଡ଼ାମ୍ ଆଗାଥେ କାମ୍ଲେନେସ ଘରର ଝିଅ । ତାଙ୍କର ବାପାଙ୍କର ପୂର୍ବ ପୁରୁଷମାନେ ଷୋଡ଼ଶ ଶତାବ୍ଦୀରେ ସେହି ପ୍ରଦେଶର ସବୁଠାରୁ ଅଧିକ ବିଖ୍ୟାତ ପରିବାରର ଲୋକ । ଚବିଶି ଘଣ୍ଟାପାଇଁ ସେ ଡି’ ଗୋଥ୍‍ର ସାମନ୍ତଙ୍କର ବିବାହିତା ସ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ । ଯେଉଁଦିନ ଏହି ବିବାହ ଅନୁଷ୍ଠିତ ହେଲା, ଠିକ୍ ସେହିଦିନ ସେ ତାଙ୍କ ବାପାଙ୍କର ମାଳୀଙ୍କୁ ସାଙ୍ଗରେ ନେଇ ପଳାଇଗଲେ; ତଥାପି ରୋମର ବିଚାରାଳୟରେ ସେହି ବିବାଦ ଖାରଜ ହୋଇଗଲା ଦିନଯାଏ ସେ ଆପଣାର ନାମ ସହିତ ସେହି ନାମଟି ସଂଯୁକ୍ତ କରି ରଖିଥିଲେ । ଆଭିଗ୍‍ନନ୍‍ର ପ୍ରଥମ ପୋପ୍ ପଞ୍ଚମ କ୍ଲେମେଣ୍ଟ୍ ଯେଉଁ ନାମଟିକୁ ଆପଣାର ପବିତ୍ର ସ୍ୱୀକୃତି ଦେଇଥିଲେ । ମାଡ଼ାମ୍ ଆଗାଥେଙ୍କର ଆଖିରେ ଦେଖିବାକୁ ଗଲେ ସେହି ଏକା ପ୍ରକାରର ମନୁଷ୍ୟମଳରୁ ସାଲୋନ୍‍ ଓ ଭୁବେନେର୍ଟ ପରିବାରର ମଣିଷମାନଙ୍କର ଉଦ୍ଭବ ହୋଇଥିଲା । ସାମାଜିକ ମାପକାଠିରେ ସେ ସେମାନଙ୍କୁ ସାଧାରଣ ମଣିଷଙ୍କଠାରୁ ଆହୁରି ନ୍ୟୁନ୍‍ ଭାବରେ ଦେଖୁଥିଲେ । ଏହିପରି ଏକ ସାଧାରଣ ପରିବାର ହେଉଚି ପ୍ଲାସାକ୍ ପରିବାର, ସେମାନେ କୌଣସି କଥାରେ କିଛି ଦେଖାଇ ହେବାକୁ ଯାଆନ୍ତି ନାହିଁକି କିଛି ଛଳନା କରନ୍ତି ନାହିଁ । ଅଧିକନ୍ତୁ ତାଙ୍କର ଆଉ ଦେଖାଇ ହେବାକୁ କିଛି ନାହିଁ ବୋଲି ସେ ଭାବୁଥିଲେ । ସ୍ୱାମୀ ଛାଡ଼ି ଚାଲିଯିବା ଦିନଠାରୁ ସ୍ୱାମୀଙ୍କର ସମସ୍ତ ଜାତିଟା ପ୍ରତି ତାଙ୍କ ମନରେ ଗୋଟାଏ ତୀବ୍ର ଘୃଣାଭାବ ଜାତ ହୋଇଥିଲା । ଡୁବେର୍ନେଟ୍‍ ଘରେ ଧାତ୍ରୀ ହୋଇ ରହିବାଲାଗି ସେ କରିଥିବା ଯୋଜନାକୁ ବାପା ଯେତେବେଳେ ବିରୋଧ କରିବାକୁ ବସିଲେ, ଏହି କାରଣ ଦେଖାଇ ସେ ସେତେବେଳେ ଆପଣାର ପକ୍ଷ ରକ୍ଷା କରିଥିଲେ ଓ ବାପାଙ୍କର ମତ ବଦଳାଇ ପାରିଥିଲେ । ମାଟି ଛଡ଼ା ଆଉ କୌଣସିଥିରେ ତାଙ୍କର ଭରସା ନ ଥିଲା ବୋଲି ତାଙ୍କର ବାପା ଭାରି ଗର୍ବ କରୁଥିଲେ । ସେହି ମାଟିକୁହିଁ ସେ ଆପଣାର ସମସ୍ତ ସମର୍ପଣ କରି ଦେଇଥିଲେ-। ଶେଷରେ ବେଲ୍‍ମଣ୍ଟ୍‍ର ଅଙ୍ଗୁରଚାଷୀମାନେ ତାଙ୍କର ସମସ୍ତ ଜମି ଆତ୍ମସାତ୍ କରି ନେଇଥିଲେ । ପୁରୁଣା ଅଙ୍ଗୁର ମୂଳ ତାଡ଼ିନେଇ ସେ ଆଉ ନୂଆ ନୂଆ ପୁଆ ପକାଇ ପାରିଲେ ନାହିଁ-। ବଜାର ମାନ୍ଦା ଥିବା ସମୟରେ ଅଙ୍ଗୁର ବିକିଲେ । ତେଣୁ ବାଧ୍ୟ ହୋଇ ତାଙ୍କ ପଟ୍ଟା ଦିଆ ହୋଇଥିବା ସମ୍ପତ୍ତି ଉପରେ ନିର୍ଭର କରି ଚଳିବାକୁ ପଡ଼ିଲା । ଝିଅ ଯାହା ରୋଜଗାର କରୁଥିଲା, ସେଥିରୁ ଅଧେ ବାପାଙ୍କର ଜୁଆ ଖେଳରେ ଉଡ଼ି ଯାଉଥିଲା । ଡୋର୍ଥେରେ ଲୋକମାନେ କହୁଥିଲେ, ‘‘କେବଳ ବାପାର ବଦଖରଚଗୁଡ଼ାକ ଚଳାଇବାପାଇଁ ବିଚାରି ଝିଅକୁ ଜାତି ହରାଇବାକୁ ପଡ଼ିଲା ।’’ କିନ୍ତୁ କୌଣସି କାମ କଲେ ଯେ ମଣିଷର ଜାତି ଚାଲିଯିବ, ସେହିପରି ଭାବିବା ସବୁବେଳେ ଉଚିତ ହେବ ନାହିଁ । ତେଣୁ ଆଗାଥେ ଆପଣାର ମନକୁ ତଳକୁ କରି ଦେଇଚନ୍ତି ବୋଲି କହିବାର କୌଣସି ଯଥାର୍ଥତା ନାହିଁ । ସେ ଯେ କାହା ଆଡ଼କୁ ଉଦ୍ଦେଶ୍ୟ କରି ଗତି କରୁଚନ୍ତି, ସେ ଯେ ଜାଣିଶୁଣି ଆପଣାକୁ ତଳକୁ ଖସାଇ ଆଣୁଚନ୍ତି, ଯାହାକୁ ଉଦ୍ଦେଶ୍ୟ କରି ସେ ତଳକୁ ଆସୁଚନ୍ତି, ତାହାର ସ୍ୱାଭାବିକ ସ୍ତର ପର୍ଯ୍ୟନ୍ତ ଆସିବାଯାଏ ଯେ ସେ ଏହିପରି ତଳକୁ ଖସି ଆସୁଥିବେ, ଏକଥା ଅନ୍ୟମାନେ ଜାଣନ୍ତେ କିପରି ! ତାଙ୍କୁ ସାଙ୍ଗରେ ନେଇ ନିକୋଲାସ୍‍କୁ ଅନେକ ବାଟ ଯିବାକୁ ହେବ, ଅନେକ ଉପରକୁ ଆରୋହଣ କରିବାକୁ ହେବ । ମାଡ଼ାମ୍ ଆଗାଥେଙ୍କୁ ନିକୋଲାସ୍‍ର ଜୀବନଭୂମି ପର୍ଯ୍ୟନ୍ତ ଘୁଷୁରି ଘୁଷୁରି ଯିବାକୁ ହେବ ଓ ସେହିଠାରେ ଦୃଢ଼ ପ୍ରତିଷ୍ଠିତ ରହିବାକୁ ପଡ଼ିବ । ଅବଶ୍ୟ ବର୍ତ୍ତମାନ ନିକୋଲାସ୍ ତାଙ୍କ ପାଖରୁ ଦୂରକୁ ଚାଲିଯାଉଚି, କିନ୍ତୁ ତଥାପି ହାସଲ କରି ନ ହେବା ଭଳି ସଂସାରରେ କୌଣସି ଜିନିଷ ନାହିଁ, ପ୍ରେମ, ଜୀବନରେ ମଧ୍ୟ ନୁହେଁ । ଆପଣାର ତୀବ୍ର ଇଚ୍ଛାଶକ୍ତିଦ୍ୱାରା ଚାଳିତ ହୋଇ ସେ ଏପରି ଭାବୁଥିଲେ । ତାଙ୍କର ମନରେ ଦୁସ୍ଥ ଓ ଦୁର୍ଦ୍ଦଶାଗ୍ରସ୍ତ ମଣିଷ ପ୍ରତି କେବେ କୌଣସି ଐକାନ୍ତିକ ସହାନୁଭୂତି ନ ଥିଲା । ମନେ ମନେ ସେ ଭାବୁଥିଲେ ଯେ ଇଚ୍ଛା କରିଥିଲେ ସେ ନିକୋଲାସ୍ ଖୁସିରେ ରଖି ପାରିଥାନ୍ତେ । ତାଙ୍କର ରୂପରେ ଯେ କୌଣସି ଆକର୍ଷଣ ନ ଥିଲା, ଏକଥା କଦାପି କୁହାଯାଇ ପାରିବ ନାହିଁ । ଶ୍ରୀ ଆର୍‍ମାଣ୍ଡ ଡୁବେର୍ନେଟ୍ ତାଙ୍କୁ ସବୁବେଳେ ଯେ ଗୋଟାଏ ନିର୍ଦ୍ଦିଷ୍ଟ ଭଙ୍ଗୀରେ ଅନାଉଥିଲେ, ଏହିଥିରୁ ତ ତା’ର ପ୍ରମାଣ ମିଳୁଛି--...ରାତିରେ ଆପଣାର ଶୋଇବା ଘରର କବାଟରେ ଗୋଟାଏ କିଳା ଦେଇ ତାଙ୍କୁ ସବୁଦିନେ ଶୋଇବାକୁ ପଡ଼ୁଥିଲା । ...ଖାଲି ଯଦି ସେ ତାଙ୍କର ଆପଣାର ମନର କଥା ଖୋଲି କହିଦେଇ ପାରନ୍ତେ, ତେବେ ଏହି ପ୍ଲାସକ୍ ଯୁବକ–ଗୀର୍ଜାରେ ଚଉକି ଟେବୁଲ ଝଡ଼ାଝଡ଼ି କରିବାର କାମରେ ନିଯୁକ୍ତ ହୋଇଥିବା ସେହି ସ୍ତ୍ରୀ’ର ପୁଅ–ସେ କେତେବେଳେ ଲାଗନ୍ତା ? ସତକଥା କହିବାକୁ ଗଲେ ମାଡ଼ାମ୍ ଆଗାଥେଙ୍କ ସହିତ ଏକୁଟିଆ ରହିବାକୁ ନିକୋଲାସ୍‍କୁ ଭାରି ଭୟ ଲାଗୁଥିଲା–ଅବଶ୍ୟ ତା’ର ଲଜ୍ଜାଶୀଳତା ଛଡ଼ା ସେହି ଭୟର ଆଉ କୌଣସି କାରଣ ନ ଥିଲା । ସେ ନିଜେ କିପରି ନିକୋଲାସ୍ ଆଡ଼କୁ ଭାରି କଟମଟ କରି ଅନାଇ ରହନ୍ତି, ଏକଥା ସେ ନିଜେ ବେଶ୍ ଭଲ କରି ଜାଣିଥିଲେ । ନିକୋଲାସ୍‍ପାଇଁ ତାଙ୍କ ମନରେ ଏକ ତୀବ୍ର ବୁଭୁକ୍ଷା ରହିଥିଲା ।

 

‘‘ମାଡ଼ାମ୍ ଆଗାଥେ, ତୁମେ ମୋ’ କଥା ମୋଟେ ଶୁଣୁନାହଁ ।’’ ମେରୀ ଆରମ୍ଭ କଲା । ବାଳିକାଟି ଯେ ବେଶ୍ ଅନେକ ସମୟ ହେଲା କ’ଣ କହୁଥିଲା, ମାଡ଼ାମ୍ ଆଗାଥେ ଏକଥା ଭଲ କରି ବୁଝିପାରୁଥିଲେ ।

 

‘‘କାହିଁକି ତମେ ଆମ ବିରୁଦ୍ଧରେ ଯାଉଚ ? ତୁମରି ସାହାଯ୍ୟରେ ଓ ତା’ ସହିତ ମୋର ପରିଚୟ ହେଲା ।’’

 

‘‘ତୁମର ହିତାହିତ ଜ୍ଞାନ ଚାଲି ଯାଇଥିବା ପରି ମୋର ମନେହେଉଚି । ପ୍ଲାସକ୍ ଯୁବକ ମୋର ଜଣେ ବନ୍ଧୁ । ଯୁବକ ସାଲୋନ୍ ଦୈବାତ୍ ସିନା ତା’ ସାଙ୍ଗରେ ଥିଲା ! ସେ ବିଷୟରେ ମୁଁ କିଛି କରିପାରିବି ନାହିଁ ।’’

 

‘‘ମାଡ଼ାମ୍ ଆଗାଥେ, ତୁମ ପରି ସହାନୁଭୂତିଶୀଳ ଜଣେ ରମଣୀ ନିଶ୍ଚୟ ପ୍ରଥମରୁ ଲକ୍ଷ୍ୟ କରିଥିବ ସେ ଗିଲେସ୍ ଆଉ ମୋ’ ଭିତରେ ଗୋଟାଏ କିଛି ଆରମ୍ଭ ହୋଇଯାଉଚି । ତୁମେ ନିଶ୍ଚୟ ସେହି କଥା ଦେଖିଚ, ଆମର ସାକ୍ଷାତ୍‍କୁ ତୁମେ ସର୍ବଦା ଉତ୍ସାହିତ କରି ଆସିଚ । ମୁଁ ସେ ସବୁ କଥା କଦାପି ଭୁଲିବି ନାହିଁ... ।’’

 

ମେରୀର ମୁହଁରେ ବ୍ୟଗ୍ରତା ପ୍ରକାଶ ପାଇଲା ନା, ଏହି ନିର୍ବୋଧ ଶିଶୁଟି କଦାପି ଛଳନା କରୁନଥିଲା । ତା’ର ପ୍ରେମ ଯେ ଧାତ୍ରୀର ହୃଦୟକୁ ମଧ୍ୟ ସ୍ପର୍ଶ କରିଚି, ସେ ଏହା ପ୍ରକୃତରେ ବିଶ୍ୱାସ କରୁଥିଲା । କେବଳ ନିଜେ ନିକୋଲାସ୍‍କୁ ହାତର ପାଞ୍ଚ କରିବା ଲାଗି ଯେ ମାଡ଼ାମ୍ ଆଗାଥେ ସେମାନଙ୍କର ସାକ୍ଷାତ୍‍ ଲାଗି ଏତେ ଆୟୋଜନ କରିଛନ୍ତି, ମୂହୁର୍ତ୍ତକପାଇଁ ମଧ୍ୟ ଏପରି କୌଣସି ସଂଶୟକୁ ସେ ଆପଣା ମନରେ ସ୍ଥାନ ଦେଇନଥିଲା । ନିକୋଲାସ୍ ତ ଆଉ ମାଡ଼ାମ୍ ଆଗାଥେଙ୍କୁ ବର୍ଜନ କରି ଚାଲିଯାଇ ନ ଥିଲା । ସେ ଯେ ତାଙ୍କ ସହିତ ପ୍ରେମରେ ପଡ଼ିଥିଲାବୋଲି ଏପରି କରୁଥିଲା, ତାହା ନୁହେଁ । ଏ ବିଷୟରେ ମେରୀର କୌଣସି ସନ୍ଦେହ ନ ଥିଲା । ଗିଲେସ୍‍ର ଇଚ୍ଛା ପୂରଣ କରିବାଲାଗି ନିକୋଲାସ୍ ନିଶ୍ଚୟ ଏପରି କରୁଥିଲା । ନିକୋଲାସ୍ ସେଦିନ ମାଡ଼ାମ୍ ଆଗାଥେଙ୍କ ସହିତ ଜଙ୍ଗଲ ପଥରେ ବୁଲି ବାହାରିଲା, ମେରୀ ଓ ଗିଲେସ୍‍କୁ ଏକୁଟିଆ ରହିବାର ସୁଯୋଗ ଦେବା ଲାଗିହିଁ ସେ ଏହା କରିଥିଲା । ସେ ଯାହାହେଉ ବା ଯେଉଁଥି ସକାଶେ ହେଉ, ଏଥିରେ ମାଡ଼ାମ୍ ଆଗାଥେଙ୍କର ମନବି ଭାରି ଖୁସି ହୋଇଥିଲା ।

 

ଝରକା ଅତିକ୍ରମ କରି ଯାଇ ସେ ଆକାଶଜଳାଗୁଡ଼ାକ ଖୋଲିଦେଲା । ସେତେବେଳକୁ ଆକାଶର ନୀଳିମା କୃଷ୍ଣ ହୋଇ ଆସିଲାଣି । ଆସନ୍ନ ତୋଫାନ୍‍ର ଆବେଶ ଲାଗି ଘରର ଛାତଗୁଡ଼ାକ କଳାକଳା ଦେଖାଯାଉଥିଲା । ଘରଚଟିଆ ଚଢ଼େଇଗୁଡ଼ାକ ମଧ୍ୟ ଭାରି ତଳେ ଉଡ଼ାଉଡ଼ି କରୁଥାନ୍ତି । ପବନରେ ଭଉଁରୀ ଖେଳି ଧୂଳିଗୁଡ଼ାକ ଉପରକୁ ଉଠିଯାଉଥାଏ, ପୁଣି କିଛିସମୟ ପରେ ତଳକୁ ବସିଯାଉଥାଏ । କ୍ଲାନ୍ତ ମହୁମାଛିମାନଙ୍କର ଭଣଭଣ ଶବ୍ଦ କାହାର ଏକ ଖେଦପୂର୍ଣ୍ଣ ଅଭିଯୋଗ ପରି ଆକାଶ ଉପରକୁ ଉଠିବାରେ ଲାଗିଥିଲା । ମାଡ଼ାମ୍ ଆଗାଥେ ମେରୀ ଆଡ଼କୁ ଫେରି ଅନାଇଲେ । ତାଙ୍କର ମୁଖମଣ୍ଡଳ କୌଣସି ଭାବ ପ୍ରକାଶ ପାଉନଥିଲା । ଗୋଟାଏ ଟାଣ ଗଳାରେ ସେ କହିଲେ ।

 

‘‘ମେରୀ, ତୋ’ ପରି ପ୍ରତିପାଳିତ ହୋଇ ଆସିଥିବା ସତର ବରଷର ଜଣେ ଯୁବତୀ ଝିଅ ଯେ ଜଣେ ଯୁବକ ପାଖରେ ଆପଣା ହୃଦୟକୁ ସମର୍ପଣ କରିଦେବା ଲାଗି ସାହସ କରିଥାନ୍ତା, ଏକଥା ମୁଁ କଦାପି ବିଶ୍ୱାସ କରି ପାରିନଥାନ୍ତି । ତୁ’ ପୁଣି ତା’ ସହିତ ବିବାହ କରିବାକୁ ଚିନ୍ତା କରିବସିଲୁଣି ! ...ତୋ’ର ମାଆ ସବୁକଥା ବେଶ୍ ବୁଝିପାରୁଚନ୍ତି । ସେ ଏକଥା ବେଶ୍ ଜାଣୁଚନ୍ତି ଯେ ମୁଁ ତ କଳ୍ପନା କରିନଥିବି ଯେ ଡୁବେର୍ନେଟ୍ ଓ ସାଲୋନ୍ ପରିବାରର ଦୁଇଜଣଙ୍କ ମଧ୍ୟରେ….’’

 

‘‘ତଥାପି, ତୁମେ ପରା ବର୍ତ୍ତମାନ କହିଲ ଯେ ଆମ ଦୁଇ ପରିବାର ଭିତରେ କୌଣସି ପ୍ରଭେଦ ନାହିଁ ? ଠିକ୍ ଯେମିତି କଳା ଆଉ ନାଲି..…’’

 

‘‘ତୋତେ ହସେଇବାପାଇଁ ମୁଁ ସେପରି କହିଥିଲି । ତୋ’ ଆଖିରେ ଲୁହ ଦେଖିବା ମୁଁ ସହିପାରେ ନାହିଁ ।’’

 

‘‘ମେରୀ ମାଡ଼ାମ୍ ଆଗାଥେଙ୍କର କୋଳକୁ ଯାଇ ତାଙ୍କର ବ୍ଲାଉଜ ଭିତରେ ମୁହଁ ଗୁଞ୍ଜି ବସିଲା ।

 

‘‘ତୁମେ କ’ଣ ମୋତେ ଏତେ ଟିକିଏ ଭଲ ପାଅ ନାହିଁ ? –କହ, ସତରେ ପାଅ ନାହିଁ-?-–ନିଶ୍ଚୟ ପାଅ !’’ ହଁ, ଏହି ମୁହୂର୍ତ୍ତରେ ସେ ନିଶ୍ଚୟ ତାକୁ ଟିକିଏ ଭଲ ପାଉଥିଲେ ।

 

‘‘ମୋତେ ଟିକିଏ ଭଲକରି ଗେଲ କର !’’ –ମେରୀ କହିଲା ।

 

ନିଜର ବାହୁ ପାଶରେ ଗୋଟିଏ ଶିଶୁଟିକୁ ଧରି ଗେଲ କରୁଥିବାଭଳି ମାଡ଼ାମ୍ ଆଗାଥେ ଅଭିନୟ କରିବାକୁ ଲାଗିଲେ । କାମବ୍ଳେନେସ୍ ପରିବାରର ସୂତ୍ର ଅନୁସାରେ ଗୁଣୁଗୁଣୁ କରି ଗୀତ ଗାଇ ସେ ତାକୁ ବୁଝାଇବାକୁ ଲାଗିଲେ ।

 

‘‘ମୋତେ ତୁମେ ଏତେ ଜୋରରେ ଚାପି ଧରୁଚି ଯେ ମୁଁ ନିଶ୍ୱାସ ନେଇପାରୁ ନାହିଁ । ଉଠ, ଯିବା !’’ ହାତ ଆଙ୍ଗୁଠିର ଟିପ ଦେଇ ମେରୀ ତା’ର କୁର୍ତ୍ତାକୁ ସିଧା କରିନେଲା । ମାଡାମ୍ ଆଗାଥେଙ୍କ ଆଡ଼କୁ ସେ ଟିକିଏ ଧୂର୍ତ୍ତାଭାବରେ ଅନାଇଲା ।

 

‘‘ତୁମେ ଚେଷ୍ଟାକଲେ ସବୁ ହୋଇପାରନ୍ତା । କହ କାହିଁକି ତୁମେ ଚେଷ୍ଟା ନ କରିବ ।’’

‘‘ମୁଁ ତ ଆଉ ତୋର ମାଆଙ୍କର ଇଚ୍ଛା ବିରୁଦ୍ଧରେ ଯାଇପାରିବି ନାହିଁ !’’

 

ମେରୀ ପ୍ରତିବାଦ ଜଣାଇ କହିଲା ଯେ ମାଆଙ୍କର ଇଚ୍ଛାରେ ପରିବର୍ତ୍ତନ କରିବା ମାଡ଼ାମ୍ ଆଗାଥେଙ୍କର କ୍ଷମତାର ବାହାରେ ନ ଥିଲା । ତାଙ୍କର ଏପରି କ୍ଷମତା ବା ପ୍ରଭାବ ଅଛି ବୋଲି ଗୃହଧାତ୍ରୀ ସ୍ୱୀକାର କରିବାକୁ ରାଜିହେଲେ ନାହିଁ । ତା’ଛଡ଼ା, ପ୍ରଭାବ ଥିଲେ ମଧ୍ୟ, ମେରୀ ଯେ ଏହାଦ୍ୱାରା ଭବିଷ୍ୟତରେ ସୁଖପାଇବ ନାହିଁ, ସେ ବିଷୟରେ ସେ ଏକାବେଳେ ଆଖି ବୁଜିଦେବେ କିପରି ? ସତ କହିବାକୁ ଗଲେ ଗିଲେସ୍ ମଣିଷଟି ଯେ ଠିକ୍ କେଉଁଭଳି ପ୍ରକୃତିର, ସେ କଥା ମୁଁ କିପରି ଜାଣିଲି ?’’

 

‘‘ତୁମେ ଯଦି ଥରେ ତାକୁ ଜାଣନ୍ତ !’’

ଗୃହଧାତ୍ରୀ ଶୁଷ୍କଭାବରେ ଉତ୍ତର ଦେଇ କହିଲେ ।

 

‘‘ମୋ’ଠାରୁ ତା’ ବିଷୟରେ ତୁ ଆଦୌ ବେଶୀ ଜାଣୁନାହିଁ । ସେ ପ୍ରକୃତରେ କିଭଳି ମଣିଷ, ସେ ବିଷୟରେ ତୋ’ର କୌଣସି ଧାରଣା ନାହିଁ । ସେ ଖାଲି ତୋତେ ଆପଣାର ବାହୁ ପାଶ ଭିତରେ ରଖି ଆଲିଙ୍ଗନ କରୁଥାଉ, ଏତିକି ବ୍ୟତୀତ ତା’ ବିଷୟରେ ତୁ କ’ଣ ଜାଣିଚୁ ? ସେ ଗୋଟାଏ ହିଂସ୍ର ଜନ୍ତୁର ଛୁଆ, ଜନ୍ମବେଳେ ମାଆର ଚଟା ବି ସେ ଖାଇନାହିଁ । ବ୍ୟକ୍ତିଗତ ଭାବରେ କହିଲେ, ହଠାତ୍ ଗୋଟାଏ ପ୍ରକାର ହିଂସାନ୍ୱିତ ଭାବରେ ସେ କହିଲେ, ‘‘ମୋର ତା’ପାଖକୁ ଯିବାକୁ ମଧ୍ୟ ଇଚ୍ଛା ହୁଏ ନାହିଁ ।’’

 

ମେରୀ ମନେମନେ ଭାବିଲା ଯେ ମାଡ଼ାମ୍ ଆଗାଥେ ରହସ୍ୟ କରି ଏପରି କହୁଚନ୍ତି । ତେଣୁ ସେ ହସିହସି ଉତ୍ତର ଦେଲା–‘‘ମୁଁ କିନ୍ତୁ ତାକୁ ସେପରି ଭାବେ ନାହିଁ, କଦାପି ଭାବେ ନାହିଁ । ଅବଶ୍ୟ ମୁଁ ସ୍ୱୀକାର କରୁଚି ଯେ ଖୁବ୍‍ବେଶୀ ପରିଷ୍କାର ପରିଚ୍ଛନ୍ନ ନୁହେଁ ।’’ ବସ୍ତୁତଃ ଗିଲେସ୍‍ର କୌଣସି କଥା ଯେ ମେରୀକୁ ଭଲ ଲାଗୁନଥିଲା, ତାହା କୁହାଯାଇ ପାରିବ ନାହିଁ । ତା’ର ମୁଣ୍ଡର ଆଲୁରୁ ବାଲୁରୁ ବାଳ, ତା’ର ଅପରିଷ୍କାର ହାତ, ଯେତେଦିନ ପିନ୍ଧା ହେବା କଥା, ତା’ଠାରୁ ଅଧିକଦିନ ପିନ୍ଧା ହୋଇଥିବା ତା’ର କମିଜ୍, ଗିଲେସ୍‍ର ସଙ୍ଗେ ସଙ୍ଗେ ରହିଥିବା ତା’ର ଦେହର ଗନ୍ଧ, ବାସ ତମାଖୁ, ଅ.ଡ଼ି.କଲନ୍ ଓ ଦଉଡ଼ି ଯିବା ଫଳରେ ଗରମ ହୋଇ ରହିଥିବା ଗୋଟାଏ ଶରୀର,-ସବୁ ମିଶି ଯେପରି ଗନ୍ଧ ବାହାରିବା କଥା ଠିକ୍ ସେମିତି ।

 

ତା’ପରେ କିଛି ସମୟ ପର୍ଯ୍ୟନ୍ତ ଗୋଟାଏ ପ୍ରକାର ଅସ୍ପଷ୍ଟ ଗୁଁ ଗୁଁ ଶୁଭିଲା ! ‘‘ବରଫ ନ ବରଷିଲେ ହୁଏତ ବର୍ଷା ହୋଇପାରେ’’–ମେରୀ କହିଲା ।

 

ମାଡ଼ାମ୍ ଆଗାଥେ ଝରକାପାଖକୁ ଗଲେ ଓ ବାହାରକୁ ହାତ ବଢ଼ାଇ ଦେଖିଲେ ।

 

‘‘ବିନ୍ଦୁଏ ହେଲେ ନାହିଁ । ଶୁଣ୍ ମେରୀ, ହୁଏତ ଆଜି ଉପର ଓଳି ମୋ’ର ତା’ସହିତ ଦେଖା ହୋଇପାରେ ।’’

 

ମେରୀର ଆଖି ଦୁଇଟା ତତ୍‍କ୍ଷଣାତ୍ ଉଜ୍ଜ୍ୱଳ ହୋଇ ଉଠିଲା । ‘‘ନିକୋଲାସ୍ ପ୍ଲାସାଙ୍କ ଘରେ ?’’ –ସେ ପଚାରିଲା ।

 

‘‘ହୁଏତ ବର୍ତ୍ତମାନ ମୁଁ ଠିକ୍ କରି ଜାଣି ନାହିଁ । ସେ ବିଷୟ ତୁ ଭାବି କୌଣସି ଲାଭ ନାହିଁ, କେବଳ ଯଦି ତୋ’ପାଇଁ କୌଣସି ଖବର ଥାଏ, ତେବେ ମୁଁ ଆସି ତୋତେ ନିଶ୍ଚୟ କହିବି । ଲେଖା ଖବର ନୁହେଁ, ଏତେବେଶୀ ଆଶା କରିବା ଆଦୌ ଉଚିତ ନୁହେଁ ।’’

 

‘‘ଓହୋ, ମୋର ମୁଣ୍ଡ ଉପରୁ ତୁମେ କେଡ଼େ ବଡ଼ ବୋଝଟାଏ ଓହ୍ଲାଇ ନେଲ ।’’ ସେ ମାଡ଼ାମ୍ ଆଗାଥୋଙ୍କୁ ଆଉଥରେ କୁଣ୍ଢାଇ ଧରିଲା ।

 

‘‘ବୋଝ ଆଉ କ’ଣ ଓହ୍ଲାଇ ନେଲି ? ମୁଁ ତ କେବଳ ଏତିକି କହିଲି ଯେ ହୁଏତ ତା’ ସହିତ ମୋର ଦେଖା ହୋଇପାରେ । କିନ୍ତୁ କଦାପି ତାକୁ ଖୋଜି ବୁଲିବି ନାହିଁ ।’’

 

‘‘ଓଃ’’ ନିରାଶ କଣ୍ଠରେ ମେରୀ କହିଲା, ‘‘ଏକା ତୁଣ୍ଡରେ ଅରୁଆ ଉଷୁନା କହିବା ତୁମର ଆଦୌ ଉଚିତ ହେଉନାହିଁ । ମୋ’ର ଅବସ୍ଥାଟା କ’ଣ ତୁମେ ଟିକିଏ ହେଲେ ହୃଦୟଙ୍ଗମ କରିପାରୁ ନାହଁ ?

 

ମେରୀ ଆଡ଼କୁ ଗୋଟାଏ ଦୀର୍ଘ ଦୃଷ୍ଟି ପକାଇ ମାଡ଼ାମ୍ ଆଗାଥେ କହିଲେ, ‘‘ମୁଁ କିନ୍ତୁ ଭାରୀ ଗମ୍ଭୀର ଭାବରେ ଏକଥା କହୁଛି, ତୋ’ର ବୁଝିବାକୁ ଚେଷ୍ଟା କରିବା ଉଚିତ ।’’

 

‘‘ବୁଝିବାକୁ ଚେଷ୍ଟା କରିବି ? କ’ଣ ମୋର ବୁଝିବାକୁ ଅଛି ?’’

 

ମାଡ଼ାମ୍ ଆଗାଥେ ସେହିପରି କଟମଟ କରି ଅନାଇଥାନ୍ତି । ସତେଅବା ଆଖିର ଚାହାଣୀଦ୍ୱାରା ସେ ତା’ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥାନ୍ତି । କୌଣସି ଏକ ଅବ୍ୟକ୍ତ ଭାବିବାକୁ ଯେପରି ସେ ମେରୀକୁ ସୂଚେଇ ଦେବାକୁ ଯାଉଥାନ୍ତି ।

 

‘‘ମୁଁ ସତେ କେଡ଼େ ବୋକା ।’’ ଦୀର୍ଘ ନିଶ୍ୱାସ ପକାଇ ମେରୀ କହିଲା । ମାଡ଼ାମ୍ ଆଗାଥେ ତାକୁ ପାଖକୁ ଟାଣିନେଲେ ଓ ତା’ର କପାଳରେ ଚୁମ୍ବନ ଦେଲେ ।

 

‘‘ହଁ, ଭାରି ବୋକା !’’ –ସେ କହିଲେ । ତା’ପରେ ?

 

‘‘ମୁଁ ବର୍ତ୍ତମାନ ଏଠାରୁ ଚାଲିଯିବା ପରେ ତୁ କ’ଣ କରିବୁ ? ସେ ମେରୀକୁ ପଚାରିଲେ ।

 

ମେରୀ କହିଲା ମାଆ ସନ୍ଧ୍ୟା ପ୍ରାର୍ଥନାରେ ଯୋଗ ଦେବାକୁ ଯିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବ, ତା’ପରେ ନିଜେ ଗୀର୍ଜାକୁ ଯିବ ।

 

‘‘ମୁଁ ସେଠି ପ୍ରାର୍ଥନା ପୂର୍ବରୁ ପହଞ୍ଚିଯାଇ ପାରିବି ।’’

 

‘‘ଭଲ କଥା । ତେବେ ତୋ’ର ମୁଣ୍ଡରୁ ଅନେକ ଚିନ୍ତାର ବୋଝ ମଧ୍ୟ ଖସି ପଡ଼ିବ ।’’

 

‘‘କିନ୍ତୁ ମୁଁ ତ ଚିନ୍ତାର ବୋଝ ଖସାଇ ଦେବାକୁ ଚାହୁଁ ନାହିଁ । ମୋର ଅନେକ ବର ମାଗିବାର ଅଛି ।’’

 

ମାଡ଼ାମ୍ ଆଗାଥେଙ୍କର ଉନ୍ମୁକ୍ତ ଅଧରର ଫାଙ୍କରୁ ଆଗକୁ ବାହାରି ପଡ଼ିଥିବା ତାଙ୍କର କ’ଣଦାନ୍ତ ଦୁଇଟି ଦିଶିଗଲା ।

 

‘‘ନିଶ୍ଚୟ କରେ । ତୁମେ କ’ଣ ସେଇଟାକୁ ଗୋଟାଏ ଅଶିଷ୍ଟତା ବୋଲି ମନେକରୁଚ ?’’

 

‘‘ନା ମୁଁ ସେପରି କାହିଁକି ମନେକରିବି ? ବୋକା ଝିଅଟା,-ଏଥିରେ କାହିଁକି କୌଣସି ଅଶିଷ୍ଟତା ରହିବ ? ମୁଁ ତେଣୁ ଫେରିଆସିଲେ ତୁ ଯାଇ କୋଠରୀରେ ମୋତେ ସାକ୍ଷାତ୍ କରିବୁ । ମୋର ଟିକିଏ ବିଳମ୍ବ ହୋଇଯାଇପାରେ ।’’

 

‘‘ତୁମେ କ’ଣ ଭାବୁଚ କାଲିଅଟ୍ ଦୋକାନକୁ ଯାଇ ଆଜି ହରାଇଥିବା ମିଷ୍ଟାନ୍ନ ଆଣିବାର ସମୟ ମୁଁ ପାଇବି ? ସେତେବେଳକୁ ତ ମୋତେ ନିଶ୍ଚୟ ଭାରି ଭୋକ କରୁଥିବ । ପ୍ରକୃତରେ କହିଲି, ଆଜି ତ ମୁଁ ଠିକ୍ ଭାବରେ ମୋର ମଧ୍ୟାହ୍ନଭୋଜନ ମଧ୍ୟ କରିନାହିଁ !

 

ଧନ୍ୟ ଏ ଡୁବେର୍ନେଟ୍ ବଂଶର ଲୋକଗୁଡ଼ାକ ! ଏପରିକି ଏହି ପ୍ରୀତି ପାଗଳିନୀ ଝିଅଟି ମଧ୍ୟ ଖାଇବା ଜିନିଷ ବ୍ୟତୀତ ଆଉକିଛି ଚିନ୍ତା କରିପାରୁନାହିଁ । ମାଡ଼ାମ୍ ଆଗାଥେ ଟ୍ରେ’ଟିକୁ ହାତରେ ଉଠାଇ ଧରିଲେ । ମେରୀ ସେଇଟିକୁ ତାଙ୍କ ହାତରୁ ନେବାକୁ ଇଚ୍ଛା କଲା । ସେ ନିଜେ ନେଇ ତଳେ ରଖିଦେଇ ଆସିବ ବୋଲି ପ୍ରତିବାଦ ଜଣାଇଲା ।

 

‘‘ନା, ଏଇଟା ମୋର କାମ । ଏଇଥିପାଇଁ ତ ମୁଁ ଦରମା ପାଉଚି ।’’ –ମାଡ଼ାମ୍ ଆଗାଥେ କହିଲେ ।

 

କବାଟ ବନ୍ଦ କରି ଗଲାବେଳେ ସେ କହିଗଲେ, ‘‘ଭଲକରି ମୁଣ୍ଡ ଖରଚ କରି ଜାଣିବା ଦରକାର । ଆପଣାର ମୁଣ୍ଡକୁ କାମରେ ଲଗାଇ ପାରିବା ହେଉଚି ଜୀବନର ସବୁଠାରୁ ବଡ଼ କଥା । ହୃଦୟର ବ୍ୟାପାରରେ ମଧ୍ୟ ତଥାପି ଆପଣାର ମୁଣ୍ଡକୁ କାମରେ ଲଗାଇ ଶିଖିବା ଉଚିତ ।’’

 

Unknown

ପାଞ୍ଚ

 

ବର୍ଷା ତଥାପି ସବୁର କରିଥାଏ । ଗୋଲବଜାର ଅତିକ୍ରମ କରି ମାଡ଼ାମ୍ ଆଗାଥେ ସୋ-ଫ୍ରିଫେକ୍‍ଚର ରାସ୍ତା ଉପରେ ଯାଇ ପହଞ୍ଚିଲେ । ରାସ୍ତାଟି ଗୀର୍ଜାର ବିପରୀତ ପାଖରୁ ବାହାରିଚି । ରାସ୍ତାଏ ରାସ୍ତାଏ ଗଲେ ବାଁ ପାଖରେ ଥିବା ଶେଷ ଏକମହଲା ଘରଟି ହେଉଚି ମାଡ଼ାମ୍ ପ୍ଳାସାକ୍‍ଙ୍କର । ତା’ପରେ ଆଉ ଘର ନାହିଁ-ଖାଲି ଖୋଲା ପଡ଼ିଆ । ଠିକ୍ ଯେଉଁ ସ୍ଥାନରୁ ସେଠି ବଗିଚାଟିଏ କଣେଇ ହୋଇ ଆରମ୍ଭ ହୋଇଥିଲା, ତାହାକୁ ଡୋର୍ଥେର ଅଧିବାସୀମାନେ ‘ବୁଲେଭାର୍ଡ’ ବା ‘ରାମ୍ପାର୍ଟ ଓ୍ୱାର୍କ’ ବୋଲି କହୁଥିଲେ । ଅବଶ୍ୟ ସେହି ରାସ୍ତାରେ ଚାଲିକରି ଯିବାକୁ କେହି କେବେ ଚିନ୍ତାହିଁ କରୁନଥିଲେ । ସେଠାରେ କୋତୋଟି ପଥରର ବେଞ୍ଚ ପଡ଼ିଥିଲା କିନ୍ତୁ ତା’ଉପରେ କେବେ କୌଣସି ମଣିଷ ବସିଥିଲେ, ସେ କଥା ଭଗବାନ ଜାଣନ୍ତି । କିନ୍ତୁ ମାଡ଼ାମ୍ ଆଗାଥେଙ୍କପାଇଁ ସେଇଠି ଯେପରି ସମସ୍ତ ସଂସାରଯାକର ହୃଦୟ ସ୍ପନ୍ଦିତ ହୋଇଉଠୁଥିଲା । ବିଶେତଃ ଛୁଟିଦିନମାନଙ୍କରେ, ଯେତେବେଳେ ନିକୋଲାସ୍ ପ୍ୟାରିସରୁ ଘରକୁ ଆସୁଥିଲା, ସେ ଘରେ ନ ଥିବାବେଳେ ମଧ୍ୟ ଏହି ସ୍ଥାନଟି କେବଳ ମାଡ଼ାମ୍ ଆଗାଥେଙ୍କୁ ଭାରି ପବିତ୍ର ମନେହେଉଥିଲା, କାରଣ ଏହି ସ୍ଥାନରୁ କେବଳ ଡାକେ ବାଟରେ ତ ତାଙ୍କର ଘର । ଛୁଟିବେଳେ ନିକାଲାସ୍ ସେହି ଘରେ ରହୁଥିଲା । ବୁଲେଭାର୍ଡର ଆରପାଖରେ ଗୋଟିଏ ନିକାଞ୍ଚନ ଜାଗା ତାଙ୍କର ଅତିପ୍ରିୟ ଥିଲା, ଯେଉଁଠି ଗୋଟିଏ ଛୋଟିଆ ବାଡ଼ର ଉଢ଼ୁଆଳରୁ ସେହି ଏକ ମହଲା କୋଠାରେ ଥିବା ନିକାଲାସ୍ ଛୁଟିବେଳେ ରହୁଥିବା ଘରର ଝରକାଟିକୁ ସେ ବେଶ୍ ଦେଖିପାରୁଥିଲେ-। (ଅନ୍ୟ ସମୟରେ ମାଡ଼ାମ୍ ପ୍ଲାସକ୍ ସେହି ଘରେ ରହୁଥିଲେ ।) ମାଡ଼ାମ୍ ପ୍ଲାସାକ୍ ରହୁଥିବାବେଳେ ସେହି ଝରକାଟି ସର୍ବଦା ବନ୍ଦ ରହୁଥିଲା, ଆକାଶଜଳାଗୁଡ଼ିକ ମଧ୍ୟ ଆଉଜା ହୋଇ ରହୁଥିଲା । କିନ୍ତୁ ନିକୋଲାସ୍ ଘରକୁ ଆସିବାମାତ୍ରକେ ପଡ଼ିଆ ପାଖରେ ଝରକାଟାକୁ ଖୋଲି ଦିଆଯାଉଥିଲା । ଅବଶ୍ୟ ଦି’ପହରେ ଭାରି ଗରମ ପଡ଼ିଥିବାବେଳେ ତାହା ବନ୍ଦ ରହୁଥିଲା । ନିକୋଲାସ୍‍ର ରହିବା ଘର ! ସିଧା ଉପର ମହଲାକୁ ଯିବାର ସାହସ ତାଙ୍କର ନ ଥିଲା ! ଗତଥର ଯେଉଁଦିନ ସେ ସେମିତି ସେଠାକୁ ଚାଲି ଯାଇଥିଲେ, ସେଦିନ ମାଡ଼ାମ୍ ପ୍ଲାସକ୍ ତାଙ୍କୁ ଭାରି କଟୁ କରି ଅନେକ କଥା କହିଥିଲେ ।

 

ଛୋଟ ପଡ଼ିଆଟିର ଗୋଟିଏ କ’ଣକୁ ଯାଇ ବାଡ଼ ଭିତରେ ଥିବା ଗୋଟିଏ ଫାଙ୍କ ଦେଇ ସେ ପୁଣି ଅନାଇଲେ । ଓକ୍ ଗଛର ପାଦ ଦେଶରେ ଘାସଗୁଡ଼ିକ ପାତଳା ହୋଇ ବଢ଼ିଚି । ଆଗରୁ ସେ କେତେଥର ସେଠାରେ ବସିଚି । ଆପଣାର ରବର କନାଦିଆ ବରଷାତି କୋଟଟିକୁ ସେ ତଳେ ବିଛାଇଦେଲେ । କେବଳ ବଡ଼ ଆଇନାଟାକୁ ଛାଡ଼ିଦେଲେ ନିକୋଲାସ୍‍ର କୋଠରୀରୁ ଏଠିକି ଆଉ କିଛି ଦେଖାଯାଉ ନାହିଁ । ଆପଣାର ଥଳିରୁ ମାଡ଼ାମ୍ ଆଗାଥେ ବହିଟିଏ ବାହାର କଲେ । ଆଖି ପାହାନ୍ତାରେ ସେହି ପବିତ୍ର ଘରଟି ଥିବାଯାଏ ଧାଡ଼ିଏ ମଧ୍ୟ ପଢ଼ିପାରିବା ତାଙ୍କ ପକ୍ଷରେ ସମ୍ଭବ ହୁଅନ୍ତା ନାହିଁ । ଏତିକିବେଳେ ସେ ହଠାତ୍ ନିକୋଲାସ୍‍ଙ୍କୁ ଦେଖିପାରିଲେ । ମୁହୂର୍ତ୍ତକ ପରେ ଗିଲେସ୍ ସାଲୋନ୍ ମଧ୍ୟ ଆସି ଠିଆ ସେଠାରେ ପହଞ୍ଚିଲା, ଝରକା ଉପରେ ହାତ ଭରାଦେଇ ନିକୋଲାସ୍ ପାଖରେ ଆସି ଠିଆ ହେଲା । ଦୁହେଁଯାକ ଉହୁଙ୍କି କରି ବଗିଚା ଆଡ଼କୁ ଅନାଇଲେ । ‘‘ସନ୍ତସନ୍ତିଆ ମାଟିରୁ କେଡ଼େ ଚମତ୍କାର ଗନ୍ଧ ବାହାରୁଚି ।’’ –ବୋଧହୁଏ ସେମାନେ ଏହିପରି କିଛି କଥାବାର୍ତ୍ତା ହେଉଥିଲେ । ଲାଇମ୍ ଗଛର ନରମ ପତ୍ର ଉପରେ କେତେଟା ବଡ଼ ବଡ଼ ବର୍ଷା ବିନ୍ଦୁ ଚକ୍‍ଚକ କରୁଥାଏ । ପରସ୍ପର ଆଡ଼କୁ ନ ଅନାଇ ସେମାନେ କଥାବାର୍ତ୍ତା କରୁଥାନ୍ତି । ବେଳେବେଳେ ହସୁଥାନ୍ତି । ଗିଲେସ୍ ଧୂମପାନ କରୁଥାଏ । ନିକୋଲାସ୍‍ର ଧୂମପାନ କରିବାର ଅଭ୍ୟାସ ନାହିଁ । ତା’ର ଜୀବନରେ ସେ ଯାହାକୁ ତପସ୍ୟା ବୋଲି କହୁଚି, ଏ ହେଉଚି ସେହି ତପସ୍ୟାର ଏକ ନିୟମ । ତାହାରି ପାଇଁ ମାଡ଼ାମ୍ ଆଗାଥେ ମଧ୍ୟ ଧୂମପାନ ଛାଡ଼ି ଦେଇଥିଲେ । ଏକ କରୁଣ ଅଭିଳାଷ ସହିତ ସେ ସେହି ଆଡ଼କୁ ଅନାଇ ରହିଥାନ୍ତି, ତଥାପି ସେହି ରହସ୍ୟକୁ ଭେଦ କରିପାରୁନଥାନ୍ତି । ଦୁଇ ଯୁବକଙ୍କର ଏହି ସମ୍ପର୍କ ମଧ୍ୟରେ ଯେପରି ତାଙ୍କ ଲାଗି କୌଣସି ସ୍ଥାନ ନ ଥିଲା । ନିକୋଲାସ୍ ତାଙ୍କୁ ଭଲ ପାଉଥିଲେ ମଧ୍ୟ ତଥାପି ସେ ସେହି ରହସ୍ୟକୁ ଭେଦ କରିପାରିନଥାନ୍ତେ । ପାପଠାରୁ ଅଧିକ ସରଳ ଓ ଅଧିକ ରହସ୍ୟମୁକ୍ତ ଆଉ କ’ଣ ସଂସାରରେ ଅଛି-? ତାଙ୍କର ବିବାହର ପ୍ରଥମ ରାତ୍ରିରେ ଯେଉଁଦିନ ତାଙ୍କର ଯୁବକ ସ୍ୱାମୀ ଆପଣାର ସଙ୍ଗୀକୁ ନେଇ ତାଙ୍କୁ ପରିତ୍ୟାଗ କରି ପଳାଇଲେ, ସେହି ଅଧ୍ୟାୟକୁ ତ ଏକ ଅତିସାଧାରଣ ଅଧ୍ୟାୟ ବୋଲି କହିବାକୁ ହେବ । ମାନବୀୟ ଲଜ୍ଜାର ଇତିହାସରେ ଏହା ଏକ ଅବଶ୍ୟମ୍ଭାବୀ ତଥା ସଂକ୍ଷିପ୍ତ ଅଧ୍ୟାୟ-। କିନ୍ତୁ ଦୁଇଜଣ ଯୁବକଙ୍କ ମଧ୍ୟରେ ଏହି ଯେଉଁ ଅତିରିକ୍ତ ଗୋପନ ବନ୍ଧୁତା, ଏହା ଏକାବେଳେ ଭିନ୍ନ ପ୍ରକାରର । ପରସ୍ପରକୁ କୌଣସି ପ୍ରକାରେ ବିରକ୍ତି ନ କରି ଯେ ସେମାନେ ପରସ୍ପର ପାଖରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାଳକ୍ଷେପଣ କରିପାରିବେ, ଏକଥା ଦୁହେଁ ଖୁବ୍ ଭଲକରି ଜାଣିଥିଲେ । ବାସନାର ତରଙ୍ଗ ଉପରେ ଏକାଠି ଭାସି ବୁଲୁଥିଲେ । କେହି ଅବଶ୍ୟ ମୁହଁରେ କିଛି କହୁନଥିଲା, କିନ୍ତୁ ସେମାନେ ପରସ୍ପରକୁ ସମ୍ପୂର୍ଣ୍ଣରୂପେ ବୁଝିପାରୁଥିଲେ । ପରସ୍ପରକୁ ବୁଝିବାଲାଗି ସେମାନଙ୍କର ନିଜସ୍ୱ ଏକ ଗୋପନ ଭାଷାଥିଲା, କଥାର କୌଶଳମାନ ମଧ୍ୟ ଥିଲା, ଯାହା ବିଷୟରେ ଅନ୍ୟ କେହି ଜାଣିନଥିଲେ । ଓଃ, ଏହି ରହସ୍ୟର ଅସ୍ତିତ୍ୱଟା ମାଡ଼ାମ୍ ଆଗାଥେଙ୍କୁ ମନେମନେ କେଡ଼େ ବିରକ୍ତିକର ବୋଧ ହେଉନଥିଲା, ତାଙ୍କୁ କେତେ ଗଭୀର ଭାବରେ ଉତ୍ପୀଡ଼ନ କରୁନଥିଲା ।

 

ପତ୍ର ଉପରେ ସେ ବର୍ଷା ବିନ୍ଦୁର ପ୍ରଥମ ପତନ ଶବ୍ଦ ଶୁଣିବାକୁ ପାଇଲେ, କିନ୍ତୁ ଦେହ ଉପରେ ପଡ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସେ ଅନୁଭବ କରିପାରୁନଥାନ୍ତି । ଝରକା ଉପରୁ ବଗିଚା ଭିତରକୁ ଝୁଙ୍କି ପଡ଼ିଥିବା ଓ ପରସ୍ପରକୁ ପ୍ରାୟ ସ୍ପର୍ଶ କରୁଥିବା ଆଲୁଳାୟିତ କେଶବିଶିଷ୍ଟ ସେହି ବଡ଼ ମୁଣ୍ଡ ଦୁଇଟି ଆଡ଼କୁ ସେ ଅନାଇ ରହିଥାନ୍ତି । ଓକ୍ ଗଛର ଗଣ୍ଡିଟା ଉପରେ ଏତେସମୟ ଆଉଜି ରହିବା ଫଳରେ ତାଙ୍କ ଦେହକୁ ଟିକିଏ କାଟିଲା । ମାଟି ବେଶ୍ କଠିନ ଥାଏ । ତାଙ୍କର କାନପାଖରେ ସେ ସେହି ଶୁଷ୍କ ଏବଂ ତୃଣହୀନ ପଡ଼ିଆର କମ୍ପନ ଶବ୍ଦ ଶୁଣିବାକୁ ପାଇଲେ । ରୁମାଲଟା ବାହାର କରି ସେ ମୁହଁରୁ ଝାଳ ପୋଛିଲେ । ବିନ୍ଦୁଏ ଦୁଇବିନ୍ଦୁ ପାଣି ତାଙ୍କର କପାଳ ଉପରେ ଆସି ପଡ଼ିଲା, ବେକ ବାଟଦେଇ କାନ୍ଧବାଟେ ତଳକୁ ବୋହିଗଲା । ହଠାତ୍ ଜୋରରେ ବର୍ଷା ହେବାକୁ ଆରମ୍ଭ କଲା । ଯୁବକ ଦୁହେଁ ବାହାରକୁ ହାତ ବଢ଼ାଇ ତାକୁ ଅନୁଭବ କରିବାକୁ ଲାଗିଲେ । ଆଗାଥେ ଉଠିଯାଇ ଆପଣାର ବରଷାତି କୋଟଟି ପିନ୍ଧି ନେଲେ । ଓକ୍ ଗଛଟିର ଉଢ଼ୁଆଳରେ ଠିଆ ହୋଇ ସେ ବେଶ୍ ବରଷାରୁ ରକ୍ଷା ପାଇଗଲେ । ହଠାତ୍ ବିଜୁଳିର ଆଲୁଅରେ ତାଙ୍କର ଆଖି ଅନ୍ଧ ହୋଇଗଲା ପରି ମନେହେଲା । ବୃଷ୍ଟିପାତର ସୁ ସୁ ଶବ୍ଦ ଭିତରେ କଳାମେଘର ଗର୍ଜନ ବୁଡ଼ିଯାଉଥାଏ । ତେଣେ ଝରକା ବନ୍ଦ ହୋଇଗଲା । ତଥାପି ଘର ଭିତରୁ ସେ ଆଇନାଟାର ରଶ୍ମି ଦେଖିପାରୁଥାନ୍ତି । ମଝିରେ ମଝିରେ କେବଳ ସେହି ଦୁଇଜଣ ଯୁବକଙ୍କ ଭିତରୁ କାହାରି ଜଣକର ଦେହର ଛାଇରେ ସେହି ରଶ୍ମି ବ୍ୟାହତ ହୋଇଯାଉଥାଏ ।

 

ଛଅ

 

ଓଦା ହୋଇ ମାଡ଼ାମ୍ ଆଗାଥେଙ୍କର ପଶମ ଟୋପିରୁ ପାଣି ବୋହୁଥାଏ । ଟୋପି କାଢ଼ି ପକାଇ ସେ ରୁମାଲଦ୍ୱାରା ମୁଣ୍ଡଟା ପୋଛିଦେଲେ । ବର୍ଷାର ଏହି ପ୍ରାଚୀର ଏବଂ ଏହି ଘର, ଉଭୟେ ମିଶି ଦୁଇ ଯୁବକଙ୍କର ମଧ୍ୟରେ ଥିବା ଅଭେଦ୍ୟ ଅନ୍ତରଙ୍ଗତାକୁ ଦୃଷ୍ଟିପଥରୁ ଅନ୍ତରାଳ କରି ରଖିଥିଲେ । ଆଗରେ ଏକତ୍ର ହୋଇ ଠିଆ ହୋଇଥିବା ଏହିସବୁ ଅନ୍ତରାୟ ତଥାପି ଏହି ରକ୍ତହୀନ, ବୃଷ୍ଟି ଝଟିକା ସିକ୍ତ କ୍ଷୁଦ୍ର ଜୀବଟିକୁ ନିରସ୍ତ କରିପାରିଲା ନାହିଁ । ଓଲଟି ତାଙ୍କର ଜଡ଼ତା ଭାଙ୍ଗି ଦେବାରେ ତାହା ସହାୟତା କଲା । ମେରୁଦଣ୍ଡକୁ ଦମ୍ଭ କରିଦେଇ ସେ ବର୍ତ୍ତମାନ କ’ଣ କରିବେ ବୋଲି ଭାବିବାକୁ ଲାଗିଲେ । ନିକୋଲାସ୍ ତାଙ୍କର ମନର ଭାବନାକୁ ଅଧିକାର କରିନେବା ଦିନଠାରୁ ଛୁଟିଦିନମାନଙ୍କରେ ତାହାର ସମସ୍ତ କାର୍ଯ୍ୟ ନିର୍ଘଣ୍ଟର ନିୟମମାନ ସେ ଅତି ଦକ୍ଷତାର ସହିତ ଆୟତ୍ତ କରି ନେଇଥିଲେ । ପ୍ରତ୍ୟେକ ରବିବାର ଦିନ, ମାଆ ସନ୍ଧ୍ୟା ପ୍ରାର୍ଥନାରୁ ଘରକୁ ଫେରିଆସିଲେ, ଶୋଇବାପୂର୍ବରୁ ଅବଶିଷ୍ଟ ସମୟତକ ନିକୋଲାସ୍ ମାଆ ପାଖରେ ଅତିବାହିତ କରୁଥିଲା । ପାଗ ଭଲ ଥିଲେ ନିଜ ହାତରେ ମାଆର ଦେହରେ ଖଣ୍ଡେ ସାଲ୍ ପକାଇ ଦେଉଥିଲା ଓ ସେଥିରେ ପ୍ରାଚୀନ କାଳର ଗୋଟିଏ ବ୍ରୁଚ ଲଗାଇ ଦେଇଥିଲା । ଆପଣାର ମାଆ ପ୍ରତି ସେ ଏପରି କରିବାଦ୍ୱାରା କେତେ ଶ୍ରଦ୍ଧା ଓ ଅନୁରକ୍ତି ଦେଖାଉଥିଲା, ଏ ବିଷୟରେ ସେ ଯଥେଷ୍ଟ ସଚେତ ଥିଲା ଓ ଏଥିଲାଗି ଗୋଟାଏ ପ୍ରକାରର ଆନନ୍ଦ ମଧ୍ୟ ଅନୁଭବ କରୁଥିଲା । କିନ୍ତୁ ବର୍ଷାପାଗ ହୋଇଥିଲେ ଦୁହେଁଯାକ ଝରକା ପାଖରେ ବସି ଡ୍ରଟ୍ ଖେଳୁଥିଲେ । ବେଳେବେଳେ ଅବଶ୍ୟ ଏପରି ଅବସର ଅଧିକାଂଶ ଦିନ ଘଟୁନଥିଲା, –ସେ ମାଆକୁ ବହି ପଢ଼ି ଶୁଣାଉଥିଲା; ସାହିତ୍ୟରେ ଯେଉଁସବୁ ସୁନ୍ଦର ଅଂଶମାନ ତାକୁ ଭଲ ଲାଗେ, ସେହିଗୁଡ଼ିକ ସେ ମାଆକୁ ବୁଝାଇ ଦେବାକୁ ଚେଷ୍ଟା କରୁଥିଲା । ମଝିରେ ମଝିରେ ମାଆ ହାସ୍ୟାସ୍ପଦ ମନ୍ତବ୍ୟମାନ ପ୍ରକାଶ କରୁଥିଲେ । ଶେଷରେ ଏକ କ୍ଷୀଣ ମଧୁର ଘୁଙ୍ଗୁଡ଼ି ଶବ୍ଦ ଆସି ନିକୋଲାସ୍‍ର କାନରେ ବାଜୁଥିଲା । ଏଥର ଏକୁଟିଆ ପଢ଼ିବା ବରଂ ଭଲ, ସେହି ଶବ୍ଦ ଯେପରି ତାକୁ ଏହିକଥା ଚେତାଇ ଦେଇଯାଉଥିଲା । ତେଣୁ ସନ୍ଧ୍ୟା ପ୍ରାର୍ଥନା ପରେ ଗିଲେସ୍ ନିଶ୍ଚୟ ସମ୍ମାନର ସହିତ ନିକୋଲାସ୍‍କୁ ତା’ ମାଆ ପାଖରେ ରହିବାକୁ ଛାଡ଼ି ଦେଇଯିବ । ତେଣୁ ମାଡ଼ାମ୍ ଆଗାଥେ ଯେ ଗିଲେସ୍‍କୁ ବର୍ତ୍ତମାନ ତା’ ବାପାଙ୍କ ଘରେ ଅବଶ୍ୟ ଦେଖିବାକୁ ପାଇବେ, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଆଗ ତାଙ୍କୁ ଘରକୁ ଯିବାକୁ ହେବ, ଲୁଗାପଟା ଓ ଜୋତା ବଦଳାଇବାକୁ ପଡ଼ିବ, ବାଳଗୁଡ଼ାକ ପରିଷ୍କାର କରି ଝାଡ଼ିନେବାକୁ ପଡ଼ିବ । ଆପଣା ଶରୀରର ରୂପ ପ୍ରତି ନିୟମିତ ଦୃଷ୍ଟିଦେବା କୁରୂପ ବ୍ୟକ୍ତିର ସବୁଠାରୁ ଅଧିକ ନିର୍ଭରେଯାଗ୍ୟ ଅସ୍ତ୍ର, ଏହିକଥା ସେ ଖୁବ୍ ଭଲଭାବରେ ଜାଣିଥିଲେ । ଆହୁରି ଅଧଘଣ୍ଟା ପର୍ଯ୍ୟନ୍ତ ତ କେହି ଘରକୁ ଲେଉଟିବେ ନାହିଁ । ଆର୍‍ମଣ୍ଡ ଡୁବେର୍ନେଟ୍‍ ତାଙ୍କ କ୍ଲବରେ ଥିବେ, ତାଙ୍କର ପତ୍ନୀ ଓ କନ୍ୟା ଗୀର୍ଜାକୁ ଯାଇଥିବେ ।

 

ଶୀଘ୍ର ଘର ଭିତରକୁ ଯାଇ ସେ ଦରଜି ସିଲାଇ କରିଥିବା ଧୂସର ରଙ୍ଗର ଆଉ ଗୋଟାଏ ପୋଷାକ ପିନ୍ଧିନେଲେ । ମାଡ଼ାମ୍ ଡୁବେର୍ନେଟ୍‍ଙ୍କର କୋଠରୀ ଭିତର ଦେଇ ଚାଲିଯାଉଚନ୍ତି ହଠାତ୍ ଯେପରି ଗୋଟାଏ ଗଅଁ ଗଅଁ ଶବ୍ଦ ଶୁଣି ସେ ଠିଆ ହୋଇଗଲେ । ହଁ, ପିଲା ଜନ୍ମ କଲାବେଳେ ସ୍ତ୍ରୀଲୋକମାନେ ଯେମିତି ଜନ୍ତୁ ବୋବାଳି ଛାଡ଼ିଲା ପରି ଚିତ୍କାର କରନ୍ତି, ସେମିତି-। ହାତରେ ଠେଲି ଦେଇ ସେ କବାଟଟାକୁ ଖୋଲି ଦେଲେ । ସେତେବେଳକୁ ଜୁଲିଆ ମୁଣ୍ଡରୁ ଟୋପି ଓ ଗୋଡ଼ରୁ ଜୋତାବି ଓହ୍ଲାଇ ନ ଥାନ୍ତି । ତାଙ୍କର ହାତର କଳା ମୋଜାଟା ତଥାପି ହାତ ଭିତରେ ରହିଥାଏ । ଆଣ୍ଠୁ ଦୁଇଟାକୁ ଉପରକୁ ଟେକି ସେ କଡ଼ମାଡ଼ି ଶୋଇଥାନ୍ତି । ମାଡ଼ାମ୍ ଆଗଥେଙ୍କୁ ଦେଖିପାରି ସେ ତରବର ହୋଇ ତାଙ୍କର ଫୁଲା ଫୁଲା ଗୋଡ଼ ଉପରେ ଥିବା ଭାଙ୍ଗ ପଡ଼ିଯାଇଥିବା କଳା ମୋଜାକୁ ଲୁଚାଇବା ଉଦ୍ଦେଶ୍ୟରେ ପିନ୍ଧିଥିବା କୁର୍ତ୍ତାଟାକୁ ତଳକୁ ଟାଣି ଆଣିଲେ-। ଖଟ ଆଉ କାନ୍ଥ ମଝିରେ ଥିବା ସନ୍ଧି ଭିତରକୁ ସେ କଳା କଳା ଦାଗ ଲାଗିଥିବା ଗୋଟାଏ ତଉଲିଆ ଭର୍ତ୍ତି କରିଦେଲେ, ଯେପରି ସେଇଟା କହାରି ଆଖିରେ ନ ପଡ଼େ ।

 

‘‘ଅନେକ ଦିନ ହେଲା ଏହି ରୋଗ ମତେ ଆକ୍ରମଣ କରିନଥିଲା...କିନ୍ତୁ ବର୍ତ୍ତମାନ ବେଶ୍ ଭଲ ଲାଗି ଆସିଲାଣି । ...ଔଷଧ ମଧ୍ୟ ଖାଇଚି । କେବଳ ଦେହଟା ଯାହା ଭାରିଭାରି ଲାଗୁଚି, ନ ହେଲେ... ।’’

 

ମାଡ଼ାମ୍ ଆଗାଥେ ଦଉଡ଼ି ଯାଇ ତାଙ୍କର ନାଡ଼ୀ ଦେଖିଲେ, ଲୋଚାକୋଚା ହୋଇଯାଇଥିବା ତକିଆଟାକୁ ହାତରେ ମାଠିମୁଠି ବାଗେଇ ଦେଲେ ଏବଂ ସତେ ଅବା ଆପଣାର ମନ ଭିତରେ ଥିବା ଉଦବେଗକୁ ଚାପି ରଖିବାକୁ ଯାଇ କହିଲେ, ‘‘ଏଥିର ମୁଁ ଯେମିତି କହିବି, ଆପଣଙ୍କ ଠିକ୍ ସେହିପରି କରିବାକୁ ପଡ଼ିବ । ବର୍ତ୍ତମାନ ଆପଣଙ୍କୁ ମୋର ସବୁକଥା ମାନିବାକୁ ହେବ । ଆଜି କୌଣସି ଜଣେ ଡାକ୍ତରଙ୍କ ପାଖକୁ ଯାଇ ଭଲକରି ଗୋଟାଏ ପରୀକ୍ଷା କରାଇନେବା ଦରକାର ।’’

 

ଓଠଗୁଡ଼ାକ ନେଫେଡ଼ି ଦେଇ, ଖଚର ପରି ଗୋଟାଏ ଏକଜିଦିଆ ମୁଖାକୃତିକରି ଜୁଲିଆ ବିଛଣା ଉପରେ ପଡ଼ିରହିଥାନ୍ତି । ମନାକରିବାର କୌଣସି ସଂକେତ ବା ଇଙ୍ଗିତ ତାଙ୍କଠାରୁ ମିଳୁନଥାଏ । ଗୋଡ଼ ଦୁଇଟାକୁ ସେ ଖୁବ୍ ଜୋରରେ ଯାକିକରି ରଖିଥାନ୍ତି ଓ ତାଙ୍କର ଦୁଇଟିଯାକ ଛୋଟ ହାତରେ ତଳିପେଟକୁ ଚିପି ଧରିଥାନ୍ତି । ଗୋଟାଏ ହାତର ହାତ ମୋଜାଟା ଏ ପର୍ଯ୍ୟନ୍ତ ମଧ୍ୟ ହାତରେ ରହିଥାଏ । ନା, ଆପଣାର ସମସ୍ତ ଯନ୍ତ୍ରଣାକୁ ସେ ଏହିପରି ଚୁପ୍ ହୋଇ ସହ୍ୟ କରିବେ ପଛକେ, କିନ୍ତୁ ନାରୀ ଶରୀରରେ ଥିବା ଯାବତୀୟ ରୋଗର ଉତ୍ପତ୍ତିସ୍ଥାନ ସେହି ଲଜ୍ଜାଜନକ ଦେହାଂଶରେ ସେ କୌଣସି ପୁରୁଷ ମଣିଷର ହାତ କଦାପି ବଜାଇବାକୁ ଦେବେ ନାହିଁ, ତାକୁ ଦେଖିବାକୁ ବା ଛୁଇଁବାକୁ କଦାପି ଦେବେ ନାହିଁ । ସେହି ପୁରୁଷ ଡାକ୍ତର ହୁଅନ୍ତୁ କି ଆଉ ଯାହା ହୁଅନ୍ତୁ, ସେଥିରେ କିଛି ଯାଏ ଆସେ ନାହିଁ । ଏପରି ପ୍ରକୃତିର ସ୍ତ୍ରୀଲୋକ ବର୍ତ୍ତମାନ ଯୁଗରେ ମଧ୍ୟ ମଫସଲ ଅଞ୍ଚଳରେ ଦେଖିବାକୁ ମିଳିବେ । ମାଡ଼ାମ୍ ଡୁବେର୍ନେଟ୍‍ଙ୍କର ପ୍ରକୃତି ଠିକ୍ ସେହିମାନଙ୍କ ଭଳି ।

 

‘‘ଆପଣ ଆଗରୁ କେତେଥର ମୋର କୁହା ମାନିଛନ୍ତି’’–ରୋଗୀର ପାଦରୁ ବୁଟ୍ ଜୋତା ଦୁଇଟା ବାହାର କରି ଦେଉ ଦେଉ ଆଗାଥେ କିହବାକୁ ଲାଗିଲେ ‘‘ମୋ ପାଖରେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଓ ଜୀବନ ସମ୍ବନ୍ଧରେ ସବୁ ବିଶ୍ୱାସ କଥା କହିଚନ୍ତି । କେବେ କୌଣସି କଥା ଗୋପନ ରଖିନାହାନ୍ତି ।’’

 

ମାଡ଼ାମ୍ ଡୁବେର୍ନେଟ୍ ଆଖି ଫିଟାଇ ଅନାଇଲେ । ଚତୁର ଓ କୁଟିଳ ଚାହାଣୀରେ ସତେଅବା ସେ କ’ଣ ସବୁ ନିରୀକ୍ଷଣ କରି ଦେଖୁଥିଲେ । ପ୍ରକୃତରେ କ’ଣ ମାଡ଼ାମ୍ ଆଗାଥେ ତାଙ୍କୁ ଏତେବେଶୀ ଦେଖିପାରନ୍ତି ? ସେହି ଦୃଢ଼ତମ ଜନ୍ତୁ ମାଡ଼ାମ୍ ଆଗାଥେ ଯାହାଙ୍କର ଜୀବନରେ ଆପଣାକୁ ଗୋପନ କରି ରଖିବାର କୌଣସି ଆବଶ୍ୟକତା ନାହିଁ, ଯେପରି ତାଙ୍କ (ଜୁଲିଆ) ନିଜର ଅଛି । ଡୋର୍ଥେ ଭଳି ଜାଗାରେ ଯେତେପ୍ରକାର ସାମାଜିକ ସଂସ୍କାର ଓ ନିୟମବନ୍ଧମାନ ରହୁଚି, ସେଗୁଡ଼ିକ ପ୍ରତି ଅନ୍ତତଃପକ୍ଷେ ବାକ୍ୟରେ ନିଜର ଆନୁଗତ୍ୟ ଦେଖାଇବାର କି ଆବଶ୍ୟକତା ଆଗାଥେଙ୍କର ଅଛି ? କାମବ୍ଲେନେସ୍ ପରିବାରରେ ଜନ୍ମ ହୋଇଥିବା ଏହି ଗୃହଧାତ୍ରୀ–ତାଙ୍କର ‘ନିଜର ମୁଣ୍ଡ’ବୋଲି ଗୋଟାଏ ଜିନିଷ କୋଉଦିନ ଥିଲା ନା ଆଜି ଅଛି ? ହୃଦୟବୋଲି ସାଧାରଣତଃ ଯୋଉ ଜିନିଷଟାକୁ ବୁଝାଏ, ସେଇଟା ତାଙ୍କର କୋଉଦିନ ଥିଲା ? ଆଉ ସେଥିରେ ତାଙ୍କ (ଜୁଲିଆ) ଲାଗି କେବେ କୋଉଦିନ ଟିକିଏ ହେଲେ ସ୍ଥାନ ଥିଲା ? କ୍ଷଣକପାଇଁ ଅଧିକ ବୟସର ରମଣୀ ଜଣକ ନିଜର ଝାଳୁଆ ହାତମୁଠା ଭିତରେ କନିଷ୍ଠାଙ୍କର କୃଶ ଓ ଶୁଷ୍କ ହାତଟି ଯାବୁଡ଼ି ଧରିଲେ ।

 

‘‘ଥାଉ, ଏତେ ବ୍ୟସ୍ତ ହୁଅନାହିଁ । ମୋ’ ମାଆଙ୍କର ମଧ୍ୟ ଠିକ୍ ଏହିପରି ବେମାରି ଥିଲା । କେବଳ ଲେର୍ଡ଼ସ ପାଣିର ପଟି ବାନ୍ଧିବା ବ୍ୟତୀତ ଏଥିପାଇଁ ସେ ଅନ୍ୟକୌଣସି ଚିକିତ୍ସା କରୁନଥିଲେ । ରୋଗଟା ଯାହା ହୋଇଥାଉ ପଛକେ, ତାହାକୁ ସେ ସେମିତି ଭିତରେ ଭିତରେ ଦବାଇ ରଖୁଥିଲେ । ସିଏତ ପୁଣି ଏମିତି ଏମିତି କରି ଚଉରାଅଶୀ ବର୍ଷ ବଞ୍ଚିଲେ ! ଜୀବନ ଥିବାଯାଏ ସେ ଥରେସୁଦ୍ଧା କୌଣସି ପ୍ରକାରର ଅବମାନଜନକ ପରୀକ୍ଷା କରାଇବାକୁ ଯାଇନଥିଲେ ବୋଲି ସେ ଭାରି ଗର୍ବ ଅନୁଭବ କରୁଥିଲେ । ଆମ ସ୍ତ୍ରୀଜାତି ପକ୍ଷରେ ସେହିସବୁ ପରୀକ୍ଷା କରାଇବା ପ୍ରକୃତରେ କେଡ଼େ ଲଜ୍ଜାର କଥା ।’’

 

ଦୀର୍ଘନିଶ୍ୱାସ ପକାଇ ସେ ପୁଣି କହିଲେ ‘‘ମୋତେ ବେଶ୍ ଭଲ ଲାଗିଲାଣି–ତୁମେ ଗୀର୍ଜାଆଡ଼େ ଯାଉଚକି ? ତାହାହେଲେ ଆସିଲାବେଳେ ମେରୀକୁ ସାଙ୍ଗରେ ନେଇଆସିବ ।’’

 

ସମ୍ମତିସୂଚକ ହଁ’କରି ମାଡ଼ାମ୍ ଆଗାଥେ ମୁଣ୍ଡ ଟୁଙ୍ଗାରିଲେ । ତଥାପି ସେ ମତଦେଲେ ଯେ ଝିଅଟିର ଯେପରି କେତେବେଳେ କୌଣସି ପ୍ରକାରର ଧାରଣା ନ ହୁଏ ଯେ ଆମେ ସବୁ ତା’ ପଛରେ ସବୁବେଳେ ଜଗି ବୁଲୁଚୁ । ତା’ର ବିଶ୍ୱାସ ନ ହରାଇବା ହେଉଚି ସବୁଠାରୁ ବଡ଼ କଥା ।

 

‘‘ତୁମ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଚି, ମାଡ଼ାମ୍‌ ଆଗାଥେ । ତୁମେ ଯାହା କରିବ ବା ସ୍ଥିର କରିବ, ତାହାଦ୍ୱାରା ଯେ ଝିଅର ସବୁଠାରୁ ଅଧିକ କଲ୍ୟାଣ ହେବ, ଏଥିରେ ବୁଁ କଦାପି ସନ୍ଦେହ କରିବି ନାହିଁ । ସିଏ ତ ମତେ ତା’ର ଶତ୍ରୁ ପରି ବିଚାରୁଚି । ଯେପରି କସ୍ମିନ୍‌କାଳେ ଏ ଭୟଙ୍କର ବିପଦ ନ ଘଟେ । ସେଥିପାଇଁ କେବଳ ତୁମରି ଉପରେ ମୁଁ ଭରସା ରଖିଚି । ଆଉ ଯଦି ଭଗବାନ ମତେ ନେଇଯିବାକୁ ଚାହାନ୍ତି...’’

 

‘‘ଏପରି କଥା ଆପଣଙ୍କର ତୁଣ୍ଡରେ ଧରିବା ଉଚିତ ନୁହେଁ ଜୁଲିଆ !’’

‘‘ମୁଁ ଚାହେଁ ଯେ ଏ ଘରେ କୌଣସି ପ୍ରକାରର ପରିବର୍ତ୍ତନ ନ ହେଉ ଏବଂ ମେରୀ….’’

 

ଅଧିକ କିଛି କହି ନ ପାରି ସେ ଓଠ ଦୁଇଟିକୁ ଚାପି ରଖିଲେ । ତାଙ୍କର ନାକଟା ସତେ ଅବା କୌଣସି ଅନାଗତ ଘଟଣାର ଆଶଙ୍କାରେ ଚୁମୁଟା ଖାଇବା ପରି ଦେଖାଯାଉଥାଏ । ଯେତେବେଳେ ତାଙ୍କୁ ଶବ୍ଦର ଅଭିନୟ ଡାକରା ଆସିବ, ସେତେବେଳେ ସେ କିପରି ସେହି ଭୂମିକାର ଅଭିନୟ କରିବେ, ସେ ଯେପରି ତାହାରି ଅଭିନୟ କରିବାକୁ ଚେଷ୍ଟା କରୁଥିଲେ । ସେ ପୁଣିଥରେ ଆଖି ଫିଟାଇଲେ ଓ ମାଡ଼ାମ୍‌ ଆଗାଥେଙ୍କ ଆଡ଼କୁ ଅନାଇ କରି ହସିଲେ । ତାଙ୍କ ଉପରେ ନିଦ୍ରାର ଆବେଶ ମାଡ଼ିପଡ଼ୁଥାଏ, ସବୁଥର ‘ଦୁର୍ଘଟଣା’ ଘଟିବାପରେ ତାଙ୍କର ଠିକ୍‌ ଏହିପରି ହେଉଥିଲା । ଗୃହଧାତ୍ରୀ ତାଙ୍କ ପାଖରେ ବିଛଣା ଉପରେ ସେମିତି ବସି ରହିଥାନ୍ତି । ନିୟମିତ ନିଶ୍ୱାସର ଶବ୍ଦ ଶୁଣି ପାରିବା ପରେ ସେ ଭାବିଲେ ଯେ ଏଥର ସେ ଇଚ୍ଛାକଲେ ଯାଇପାରିବେ । ଗଲାବେଳେ ତାଙ୍କର ଜୋତା ମଚମଚ ଶବ୍ଦ କରୁଥାଏ । ଥିରିଥିରି ସେ କବାଟଟି ବନ୍ଦ କରିଦେଇ ଗଲେ ।

 

ଏହିସବୁ ଜୀବଧାରୀମାନଙ୍କର ଯାନ୍ତ୍ରିକ ରୁଟିନ୍‌ ଉପରେ ମାଡ଼ାମ୍‌ ଆଗାଥେ ବେଶ୍‌ ନିର୍ଭର କରିପାରୁଥିଲେ । ଗୀର୍ଜାଘରେ ସନ୍ଧ୍ୟା ପ୍ରାର୍ଥନା ଶେଷ ନ ହେବାଯାଏ ମାଡ଼ାମ୍‌ ପ୍ଲାସାକ୍‌ ଘରକୁ ଫେରିବେ ନାହିଁକି ଗିଲେସ୍‌ ମଧ୍ୟ ନିକୋଲାସ୍‌ ପାଖରୁ କଦାପି ଯିବ ନାହିଁ । ତେଣୁ ଡା. ସାଲୋନଙ୍କର ଘରକୁ ଯିବାଟା ବର୍ତ୍ତମାନ ଅତିଶୀଘ୍ର ହୋଇଯିବ । କଡ଼ ପାଖରେ ଥିବା ଗୋଟିଏ ଦ୍ୱାର ଦେଇ ସେ ଗୀର୍ଜା ଭିତରେ ପ୍ରବେଶ କଲେ । ସେତେବେଳକୁ ଗୀର୍ଜାର ଜଣେ ଯାଜକ ପବିତ୍ର ଧର୍ମ ଶପଥ ପୂର୍ବରୁ ସନ୍ଧ୍ୟା ପ୍ରାର୍ଥନାର ବାକ୍ୟଗୁଡ଼ିକୁ ଉଚ୍ଚାରଣ କରୁଥାନ୍ତି । ତାଙ୍କର ମୁଖରୁ ଉଚ୍ଚାରିତ ବାକ୍ୟଗୁଡ଼ିକ ଶେଷ ହେବା ସଙ୍ଗେ ସଙ୍ଗେ ସମବେତ ଧର୍ମମଣ୍ଡଳୀ ତରତର ହୋଇ ଗିଳି ପକାଇଲା ପରି ସେହିସବୁ ବାକ୍ୟକୁ ଚିତ୍କାର କରି ଆବୃତ୍ତି କରିଯାଉଥିଲେ ଏବଂ ବେଶ୍‌ ଆଶ୍ଚର୍ଯ୍ୟର କଥା ଯେ ଗୀର୍ଜାରେ ଯେଉଁ ଅଳ୍ପ କେତେଜଣ ସ୍ତ୍ରୀଲୋକ ବିକ୍ଷିପ୍ତ ଭାବରେ ବସିଥିଲେ, ସେମାନଙ୍କର ଗୁରୁ-ଗମ୍ଭୀର ଚିତ୍କାର ଧ୍ୱନି ଗୀର୍ଜାଘରର ଉଚ୍ଚ ଛାତରେ ପ୍ରତିଧ୍ୱନିତ ହୋଇଉଠୁଥିଲା । ଆଣ୍ଠୁମାଡ଼ି ବସିବା ବା ପ୍ରାର୍ଥନାରେ ମନୋଧ୍ୟାନ ଦେବା ବିଷୟରେ କୌଣସି ପ୍ରକାର ମୁଣ୍ଡ ନ ଖେଳାଇ ମାଡ଼ାମ୍‌ ଆଗାଥେ ଗୋଟିଏ ଖୁମ୍ବର ଆଢ଼ୁଆଳରେ ଯାଇ ବସିପଡ଼ିଲେ । ସେଠି ତାଙ୍କୁ କେହି ଦେଖିପାରିଲେ ନାହିଁ । ଡୁବେର୍ନେଟ୍‌ ପରିବାର ସହିତ ତାଙ୍କର ଏହିପରି ଏକ ସାଲିସ୍‌ ହୋଇଯାଇଥିଲା ଯେ ସେ ଜାନ୍‌ସେନ୍‌ ଧର୍ମଗୋଷ୍ଠୀର ପରମ୍ପରା ମାନି ଚଳିବେ । କାମବ୍ଲେନେସ୍‌ ପରିବାର ପୁରୁଷ ପୁରୁଷ ଧରି ଏହି ପରମ୍ପରାକୁ ମାନି ଚଳି ଆସୁଥିଲେ। ସେହି ଅନୁସାରେ ମାଡ଼ାମ୍‌ ଡୁବେର୍ନେଟ୍‌ କେବଳ ଇଷ୍ଟର ପର୍ବ ସମୟରେ ପବିତ୍ର କମୁନିଅନ୍‌ର ବ୍ରତାନୁଷ୍ଠାନ କରୁଥିଲେ । ଅବଶ୍ୟ ସେତିକି ମଧ୍ୟ ସେ କରୁଥିଲେ କି ନାହିଁ, ସେଥିରେ ମଧ୍ୟ ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଚି । ଫଳରେ ଲୋକମାନେ ଯାହାଇଚ୍ଛା ତାହା କହୁଥିଲେ । ଧର୍ମାଚାରକୁ ଅମାନ୍ୟ କରିବା ବିଷୟରେ ତାଙ୍କର ଏହି ଯେଉଁ ଖ୍ୟାତି ଥିଲା, ସେଥିରେ ଯେ ବେଶ ଆତ୍ମପ୍ରସାଦ ଅନୁଭବ କରୁଥିଲେ । ଆପଣାର ଧର୍ମକୁ ସେ କୋଉଦିନୁ ହରାଇ ସାରିଚନ୍ତି ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । କିନ୍ତୁ ପ୍ରକୃତରେ କ’ଣ ସେକଥା କୁହାଯାଇପାରିବ ? ସତକଥା କହିବାକୁ ଗଲେ ତାଙ୍କର କୋଉଦିନ ଗୋଟାଏ ଧର୍ମ ଥିଲା ସେ ତାକୁ ହରାଇ ପକାଇଲେ ? ଅବଶ୍ୟ ସେ ସବୁ ବିଷୟ କେବଳ ଦାର୍ଶନିକ ବିବାଦ ବିସମ୍ବାଦର ଅନ୍ତର୍ଗତ । ସିଧା ହେଉଚି ଯେ ଭଗବାନଙ୍କ ସହିତ ତାଙ୍କର କୌଣସି ସୂତ୍ର ସମ୍ପର୍କ ନ ଥିଲା ବା ଭଗବାନଙ୍କୁ ସେ କେବେହେଲେ କୌଣସି ବିଷୟ ଜଣାଉନଥିଲେ । ତାଙ୍କର ମତଥିଲା ଯେ ରୂପଲାବଣ୍ୟ ଦେଲାବେଳକୁ ଭଗବାନ ତାଙ୍କପ୍ରତି ନିଶ୍ଚୟ ବଡ଼ ପକ୍ଷପାତ ବିଚାର କରିଚନ୍ତି । ତାଙ୍କ ଜୀବନରେ ବିଦ୍ଧ ହୋଇ ରହିଥିବା କଣ୍ଟାଗୁଡ଼ିକୁ ସେ ଗୋଇଠା ମାରୁଚନ୍ତି, –ଡୁବେର୍ନେଟ୍‌ ପରିବାରଠାରୁ ଅଧିକ ଦୂରଦୃଷ୍ଟି ସମ୍ପନ୍ନ ଜଣେ ଯାଜକ ଥରେ ଏହିପରି ମନ୍ତବ୍ୟ ପ୍ରକାଶ କରିଥିଲେ । ପ୍ରାର୍ଥନା କରି କି ଲାଭ ? ସଂସାର ଗୋଟାକର ପ୍ରାର୍ଥନା କଲେ ମଧ୍ୟ ତାଙ୍କର କୁତ୍ସିତ କଦାକାର ଚେହେରାଟା ସୁନ୍ଦର ହୋଇଯିବ ନା ତାଙ୍କର ବକ୍ଷସ୍ଥଳଟା ଅଧିକ ଉଚ୍ଚ ହୋଇଯିବ ? ଯାହାର ଆତ୍ମାକୁ ଏତେଦୂର ମାରି ଦିଆହୋଇଛି, ଶାରୀରିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଯେ ଏପରି ଶୋଚନୀୟ ଭାବରେ ବଞ୍ଚିତ ହୋଇରହିଚି, ଶାଶ୍ୱତ ପ୍ରେମର ଗୋଟାଏ କଣିକା ମଧ୍ୟ କିପରି ତା’ର ଜୀବନକୁ ସ୍ପର୍ଶ କରିପାରିବ ? ଆଗରେ ବସିଥିବା ଛଅଧାଡ଼ି ଛୋଟ ଛୋଟ ଝିଅ ‘ଆମ୍ଭମାନଙ୍କ ଲାଗି ପ୍ରାର୍ଥନା କର’ ପ୍ରାର୍ଥନା ମନ୍ତ୍ରଟି ଉଚ୍ଚାରଣ କରୁଥାନ୍ତି, ସେମାନଙ୍କର ମୁଖରୁ ଶବ୍ଦ ବୋମା ପଡ଼ିବା ପରି ସିଧା ଯାଇ ପୂଜାବେଦୀ ଉପରେ ପଡ଼ୁଥାଏ । ଦୁଇଜଣ ବୟସ୍କା ସନ୍ନ୍ୟାସିନୀଙ୍କର ନିର୍ଦ୍ଦେଶରେ ଏହି ବୋମାର ଅଗ୍ନି ସଂଯୋଗ କରାଯାଉଥାଏ । ଆଗରୁ ଡୋର୍ଥେରେ ସନ୍ନ୍ୟାସିନୀମାନଙ୍କର ଗୋଟିଏ ଗୋଷ୍ଠୀ ଥିଲା । କିନ୍ତୁ କାଳକ୍ରମେ କେହି ସନ୍ନ୍ୟାସିନୀ ହେବାକୁ ନ ବାହାରିବାରୁ ଏହି ପରମ୍ପରା ବନ୍ଦ ହୋଇଗଲା । ଏହି ଦୁଇଜଣ ସନ୍ନ୍ୟାସିନୀ ସେହି ପରୁଣା ଗୋଷ୍ଠୀର ଅବଶେଷ ମାତ୍ର ଥିଲେ । ଗୀର୍ଜାର ସବୁଲୋକ ଚାଲିଯିବା ପର୍ଯ୍ୟନ୍ତ ମାଡ଼ାମ୍‌ ଆଗାଥେ ଅପେକ୍ଷା କଲେ । ଏତିକିବେଳେ ଗୀର୍ଜାର ଅର୍ଗାନଟା କେତେଥରପାଇଁ ଏକ ସବିରାମ ଗଅଁ ଗଅଁ ଶବ୍ଦ ଉଦ୍‌ଗାର କରିବାକୁ ଲାଗିଲା, ଠିକ୍‌ ଘୁଷୁରିମାନେ ଯେପରି ଶବ୍ଦ କରନ୍ତି । କୋଉ ମରହଟ୍ଟୀ କାଳରୁ ପୁରୁଣା ଅରଗାନ୍‌, ଲକ୍ଷେ ଫ୍ରାଙ୍କ୍‌ (ଫରାସୀ ଦେଶର ମୁଦ୍ରା) ଖରଚ କଲେ ମଧ୍ୟ ତାହାକୁ ପୂରା ସଜାଡ଼ି ହୁଅନ୍ତା ନାହିଁ । ସେଥିରୁ ପୁଣି ଶ୍ୱାସଗ୍ରସ୍ତ ରୋଗୀପରି ଗୋଟାଏ ଘଡ଼ ଘଡ଼ ବାହାରୁଥାଏ । ତାକୁ ଶୁଣିଲାବେଳେ ପ୍ରସ୍ତର ବିକୀର୍ଣ୍ଣ କୌଣସି ଏକ ଅରଣ୍ୟରେ ଥକା ହୋଇପଡ଼ିଥିବା ଗୋଟାଏ ବୃଦ୍ଧ ଓ ବଳହୀନ ସିଂହର ଶବ୍ଦପରି ଶୁଭୁଥାଏ ।

 

ସାତ

 

ବୁଲେଭାର୍ଡ଼ ଜନଶୂନ୍ୟ ହୋଇଯାଇଥାଏ । ଗଭୀର ଚିନ୍ତାମଗ୍ନ ଭାବରେ ଗିଲେସ୍‌ ତାହାରି ଉପର ଦେଇ ଚାଲିଥାଏ । କୁ ଆଡ଼କୁ ଯାଉଚି, ସେ ବିଷୟରେ ଆଦୌ ସଚେତ ନ ଥାଇ ମଧ୍ୟ ସେ ବାପାଙ୍କ ଘରର କବାଟ ପାଖରେ ଯାଇ ପହଞ୍ଚିଲା । ସେତେବେଳକୁ ଡାକ୍ତର ସାଲୋନ୍‌ ତାଙ୍କର କାର୍‌ଟାକୁ ଷ୍ଟାର୍ଟ କରିବେ ବୋଲି ହ୍ୟାଣ୍ଡଲ୍‌ ମୋଡୁଥାନ୍ତି, କିନ୍ତୁ କୌଣସି ପ୍ରକାର ଷ୍ଟାର୍ଟ କରାଇ ପାରୁନଥାନ୍ତି। ଶେଷକୁ ସେଥିରୁ ନିବୃତ୍ତ ହୋଇ ସିଧା ଠିଆ ହେଲାବେଳକୁ ତାଙ୍କର ମୁହଁ ବାଇଗଣିଆ ପଡ଼ିଯାଇଥାଏ । ତାଙ୍କର ତ ଆଦୌ ବେକ ନାହିଁ ବୋଲି କହିଲେ ମୋଟେ ଭୁଲ ହେବନାହିଁ । ଫଣଫଣ ହୋଇ ସେ କହୁଥାନ୍ତି–‘‘ସେ ରଦ୍ଦି ସେଲଫ୍ ଷ୍ଟାଟର୍‌ଟା ଆଜି ପୁଣି ମୋତେ ଦଗା ଦେଲା ।’’ ‘‘ଆଚ୍ଛା, ମୁଁ କରିଦେଉଚି’’ ଗିଲେସ୍‌ କହିଲା । ଗୋଟିଏ ଚାଷୀ ପିଲାର ଆଈବୁଢ଼ୀ ବେରାମ ଥିଲା, ସେଥିପାଇଁ ସେ ଡାକ୍ତର ବାବୁଙ୍କୁ ନେଇଯିବାକୁ ଆସିଥିଲା । ଆଈବୁଢ଼ୀର ପ୍ରକୃତରେ କି ରୋଗ ହୋଇଚି । ସେ ବିଷୟରେ ତା’ର କୌଣସି ଧାରଣା ନ ଥିଲା ।

 

‘‘ଆରେ ସେ ମଲାଣି ନା ବଞ୍ଚିଚି ? ଅନ୍ତତଃ ସେତିକି ତ ତୁ ମତେ ନିର୍ଭର କରିକହିପାରନ୍ତୁ ! ବାଃ ରେ ! ମୋତେ ଏଠୁ ବାରମାଇଲ ବାଟ ଘୋଷାରି କରିନେବୁ, ଆଉ ସେଠାରେ ପହଞ୍ଚି ମୁଁ ତା’ର ଶବଟାକୁ ଯାଇ ଦେଖିବି ! ମୁଁ ବାଜିମାରି କହୁଚି, ସେ ତେଣେ ନିଶ୍ଚୟ ମରିସାରିଲାଣି ।’’ ତା’ପରେ ଗିଲେସ୍‌ ଆଡ଼କୁ ଲକ୍ଷ୍ୟକରି କହିଲେ, ‘‘ସବୁଥର ଠିକ୍‌ ଏହି କଥାହିଁ ହୁଏ ।’’

 

‘‘ତେବେ ଆପଣ କାହିଁକି ଯାଉଛନ୍ତି ? ହୁଏତ ଏମିତି ଯାଉ ଯାଉ କୋଉଦିନ ଆପଣ ମଟର ଦୁର୍ଘଟଣା କରିବେ ଯେ ଶେଷକୁ ଯାଇ ଗୋଟାଏ ଖାତ ଭିତରୁ ହୁଏତ ଆପଣଙ୍କୁ ଉଦ୍ଧାର କରିବାକୁ ପଡ଼ିବ ।’’ –କୌଣସି ସହାନୁଭୂତି ପ୍ରକାଶ ନ କରି ପୁଅ ଜବାବ ଦେଲା ।

 

‘‘ହଁ, କିଛି ଅସମ୍ଭବ ନୁହେଁ’’–ବାପା ଉତ୍ତର ଦେଲେ, ହଁ ପୁଅ, ତୋତେ ଗୋଟାଏ କଥା କହିବାକୁ ମୋର ମନେନାହିଁ । ଜଣେ ଭଦ୍ରମହିଳା ତୋ’ ସହିତ କ’ଣ ସବୁ ପରାମର୍ଶ କରିବାକୁ ଆସିଚନ୍ତି । ପ୍ରାୟ ଅଧଘଣ୍ଟା ହେଲା ସେ ବୈଠକଖାନାରେ ତୋ’ଲାଗି ଅପେକ୍ଷା କରିଚନ୍ତି । ସେ ତୋ’ ସହିତ ଦେଖା କରିବାକୁ ଚାହାନ୍ତି–ଏଥର ତୋ’ ପାଳି ।’’

 

‘‘କିଏ ସେ ?’’

‘‘ସେ କଥାଟା କହିଦେଇ କାହିଁକି ମୁଁ ତୋ’ର ଉତ୍କଣ୍ଠା ଭାଙ୍ଗି ଦେବାକୁ ଯିବି ?’’ ଡାକ୍ତର କହିବାକୁ ଲାଗିଲେ (ହସିଲାବେଳେ ତାଙ୍କ ଆଖି ଦୁଇଟା ଯେପରି କୁଆଡ଼େ ଉଭେଇ ଗଲା ପରି ବୋଧ ହେଉଥିଲା) ‘‘ସେ ଏମିତି ଜଣେ ଭଦ୍ରମହିଳା, ଯାହାଙ୍କର ତୋତେ ଅନେକ ବିଷୟ କହିବାକୁ ଅଛି । ଅବଶ୍ୟ ମୋର ସେଥିରେ ବିସ୍ମିତ ହେବାର କୌଣସି କାରଣ ନାହିଁ । ଭିତରକୁ ଯା’–ଚଞ୍ଚଳ-।’’

 

ବର୍ଷାରେ ଓଦା ହୋଇଯାଇଥିବା ଅରାଏ ଗିଲେସ୍‌ ଦଉଡ଼ି ଦଉଡ଼ି ପାରି ହୋଇ ଚାଲିଗଲା । ତରତରରେ ସେ ପୁଟୁନିଆ ଫୁଲର ଗୋଟାଏ ପଟାଳି ମଧ୍ୟ ଡେଇଁକରି ଚାଲିଗଲା...ସନ୍ଧ୍ୟା–ପ୍ରାର୍ଥନାର ସୁଯୋଗ ନେଇ ଆଉ କ’ଣ ମେରୀ ତା’ ସହିତ ସାକ୍ଷାତ୍‌ କରିବାକୁ ଆସିଚି କି ? ନା–ପୁରୁଣା ‘ଲା ମଁଦ୍‌ଇଲସ୍ତର’ ପତ୍ରିକାଗୁଡ଼ାକର ଗୋଟାଏ ଗଦା ଉପରେ ମୁଣ୍ଡଟାକୁ ଝୁଲାଇ ଦେଇ ବସିଥିବା ସେହି ମନୁଷ୍ୟ ମୂର୍ତ୍ତିଟି କଦାପି ମେରୀ ହୋଇନପାରେ । ସେ ଘର ଭିତରେ ପ୍ରବେଶ କରୁ କରୁ ମାଡ଼ାମ୍ ଆଗାଥେ ଉଠି ଠିଆହେଲେ । ଦୁହେଁ ପରସ୍ପରର କରମର୍ଦ୍ଦନ କଲେ । ନିଜେ ଠିଆହୋଇ ରହି ଗିଲେସ୍‌ତାଙ୍କୁ ଆସନ ଗ୍ରହଣ କରିବାକୁ ଇଙ୍ଗିତ ଦେଲା । ଗୋଟାଏ ସ୍ପଷ୍ଟ ଅଥଚ ଶୀତଳ ଦୃଷ୍ଟିରେ ସେ ତାଙ୍କ ଆଡ଼କୁ ଚାହିଁ ରହିଥାଏ । ଗିଲେସ୍‌ ଆସି ପହଞ୍ଚିବାମାତ୍ରକେ, ସେ ଯେଉଁ ବିଷୟରେ ଆସିଥିଲେ, ସିଧା ସେହି ବିଷୟ ଉତ୍‌ଥାପନ କରିବାକୁ ଆଗରୁ ନିଷ୍ପତ୍ତି କରିଥିବା କଥା । ମାଡ଼ାମ୍‌ ଆଗାଥେଙ୍କର ମନେପଡ଼ିଗଲା । ନିଜର ଯୋଜନାମାନ ତିଆରି କରି ରଖିବାକୁ ତ ସେ ଯଥେଷ୍ଟ ସମୟ ପାଇଥିଲେ । ବୈଠକଖାନାରେ ତ ସେ ପ୍ରାୟ ଅଧଘଣ୍ଟାଏ ସମୟ ଏକୁଟିଆ ବସିଚନ୍ତି । ପିଆନୋ ଉପରକୁ କାନ୍ଥରେ ଟଙ୍ଗା ହୋଇଥିବା ବିବାହ-ଉତ୍ସବର ସମବେତ ଛବିଟି ଦେହରୁ ମାଡାମ୍‌ ସାଲୋନ୍‌ ଯେପରି ତାଙ୍କରି ଆଡ଼କୁ ଅନାଇ ରହିଥିଲେ-। ଗିଲେସ୍‌ ଜନ୍ମ ହେବାର ମାତ୍ର ଅଳ୍ପ କେତେମାସ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଦିନ ଘରେ ଯେଉଁ ପଦାର୍ଥ ଯେଉଁ ସ୍ଥାନରେ ଥିଲା, ସେ ସବୁ ଚିରଦିନ ଠକ୍‌ ସେହି ସ୍ଥାନରେ ରହିବ, କେଉଁଠି କୌଣସି ପ୍ରକାରର ଅଦଳବଦଳ ହେବ ନାହିଁ, ଡାକ୍ତର ସାଲୋନ୍‌ ମନେ ମନେ ଏହିପରି ଏକ ଶପଥ କରିନେଇଥିଲେ । ତାଙ୍କର ପତ୍ନୀ ବିୟୋଗଜନିତ କ୍ଷତିପାଇଁ ସେ ଅନେକଦିନରୁ ସାନ୍ତ୍ୱନା ପାଇସାରିଥିଲେ । କିନ୍ତୁ ଊନବିଂଶ ଶତାବ୍ଦୀରେ ଶେଷ ଭାଗରେ ତିଆରି ହୋଇଥିବା ଆର୍ମଚେୟାରଗୁଡ଼ାକ ଉପରେ ତଥାପି ଯେଉଁ ଲେସବୁଣା ଝାଡ଼ଣମାନ ପଡ଼ିଥିଲା, ସେଗୁଡ଼ାକ ସତେ କେଡ଼େ ଅବର୍ଜିଆ ଦେଖାଯାଉଥିଲା । ଝରକାଗୁଡ଼ିକ ଉପରେ ତଥାପି ସେଇ ଝରା ନେଟ୍‌ ପରଦାଗୁଡ଼ିକ ପଡ଼ିଥିଲା; ସେହି ପରଦାର ଧାଡ଼ିଗୁଡ଼ିକୁ ତାଙ୍କର ପରଲୋକଗତା ଗୃହିଣୀ କେତେ ଧୈର୍ଯ୍ୟସହକାରେ କେତେବର୍ଷର ପରିଶ୍ରମ-ଦେଇ ତିଆରି କରିନଥିଲେ !
 

‘‘ମୁଁ ଯେଉଁ କାମରେ ଆସିଚି, ତୁମେ ନିଶ୍ଚୟ ତାହା ଅନମୁାନ କରିପାରୁଥିବ ।’’ ଗିଲେସ୍ ମୁଣ୍ଡ ଟୁଙ୍ଗାରିଲା । ସେ ତାଙ୍କର ହାସବାରିସି ହେଉ, ମାଡ଼ାମ୍ ଆଗାଥେ କ’ଣ ଏକଥା ଚାହୁଁଚନ୍ତିକି ? ଗିଲେସ୍ କେବେହେଲେ କାହାରି ହାତବାରିସି ହେବାକୁ ଯାଉନଥିଲା । ତଥାପି ହୁଏତ ଏ କ୍ଷେତ୍ରରେ ସେଥିରେ କିଞ୍ଚିତ୍ ବ୍ୟତିକ୍ରମ ଘଟିପାରେ । ଏତେ ଅସାଧାରଣ ପ୍ରବଳ ଓ ଏକାନ୍ତ ଭାବରେ ସେ ଯେଉଁ ବାସନା ପଛରେ ଧାଇଁଥିଲା, ସେହି ବାସନାର ଚରିତାର୍ଥତା ପ୍ରକୃତରେ ମାଡ଼ାମ୍ ଆଗାଥେଙ୍କ ଉପରେ ନିର୍ଭର କରୁନାହିଁକି ? ବର୍ତ୍ତମାନ ମଧ୍ୟ ସେ ଅନେକ ଉପକାରରେ ଆସିପାରିବେ । ଏପରି ଜଣେ ଗୋପନ-ସହାୟତ୍ରୀ ସାହାଯ୍ୟ ନ ପାଇଲେ ଡୋର୍ଥେ ଭଳି ସ୍ଥାନରେ ଏକ ସମୃଦ୍ଧିଶାଳୀ ମଧ୍ୟବିତ୍ତ ପରିବାରର କନ୍ୟାସହିତ ସାକ୍ଷାତ୍‍ କରିବା ଲାଗି ଯୋଗାଡ଼ ମଧ୍ୟ କରିହୁଅନ୍ତା ନାହିଁ ।

 

ଗାଲିଗାଇ ଭାରି ଧୀରେ ଧୀରେ କଥା କହୁଥାନ୍ତି । ସତେଅବା ସେ ବାଛି ବାଛି ଶବ୍ଦଗୁଡ଼ିକ ବ୍ୟବହାର କରୁଥାନ୍ତି ।

 

‘‘କୁମାରୀ ଡୁବେର୍ନେଟ୍‍ଙ୍କର ଶିକ୍ଷାର ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ କରାଯାଇଛି । ତୁମର ଉପସ୍ଥିତି ତାଙ୍କର ମନକୁ ଅତିଶୟ ଅଶାନ୍ତ କରିପକାଇଚି ।’’

 

ସେ କହିଚାଲିଥାନ୍ତି... ଯାହାକିଛି ଘଟୁନା କାହିଁକି, ମାଡାମ୍ ଆଗାଥେଙ୍କ ପ୍ରତି କୌଣସି ବୈରି ଆଚରଣ କରିବା ଗିଲେସ୍‍ର ଉଚିତ ନୁହେଁ । ଆଗାଥେଙ୍କ ଉପରେ ଦୃଷ୍ଟି ପଡ଼ିଯିବାମାତ୍ରକେ ତା’ର ମନରେ ଯେଉଁ ଘୃଣାଭାବ ଜାତହୁଏ, ଯାହାର ଲେଶମାତ୍ର ଗନ୍ଧ ସେ ଯେପରି ନ ପାନ୍ତି, ତାହାହିଁ ହେଉଚି ସବୁଠାରୁ ବଡ଼କଥା । ଆପଣାର ମନୋମତ ନ ହେଲେ ଯେଉଁ ଯୁବକମାନେ ଯୁବତୀମାନଙ୍କୁ ଘୃଣା କରନ୍ତି, ଗିଲେସ୍ ହେଉଛି ସେହିମାନଙ୍କ ଶ୍ରେଣୀର । କାଳେ ଆପଣା ମନ ଭିତରର ଭାବୟଗୁଡ଼ାକୁ ସେ ଗୋପନ କରିନପାରିବ, ଏଥିପାଇଁ ଗିଲେସ୍‍ର ମନରେ ଭାରି ଭୟ ଥାଏ । ତେଣୁ ସେ ଭାରି ସାବଧାନତାର ସହିତ ନୀରବ ରହିବାକୁ ଚେଷ୍ଟା କରୁଥାଏ । କିନ୍ତୁ ଠିକ୍ ଏତିକିବେଳେ ମାଡାମ୍ ଆଗାଥେ କହିଲେ–‘‘ମୁଁ ତୁମର ହୃଦୟକୁ ନିବେଦନ କରି କହୁଚି ।’’ ସେହି କଥାପଦକ ଶୁଣି ପ୍ରାୟ ଦୈବାତ୍ ତା’ର ପାଟିରୁ ବାହାରିଗଲା–‘‘କ୍ଷମା କରିବେ ମହାଶୟ, ମୋର କୌଣସି ହୃଦୟ ନାହିଁ ।’’

 

ମାଡ଼ାମ୍ ଆଗାଥେ ବିସ୍ମୟାଭିଭୂତ ହୋଇ କହିଲେ; ‘‘ସେକଥା ମୁଁ କଦାପି ବିଶ୍ୱାସ କରିପାରିବି ନାହିଁ ।

‘‘ହୃଦୟ କହିଲେ ଆପଣ ଯାହା ବୁଝନ୍ତି; ମୋର ସେପରି ହୃଦୟ ନାହିଁ ।’’

ମାଡ଼ାମ୍ ଆଗାଥେଙ୍କର କହିବା ବନ୍ଦ ହୋଇଗଲା । ଗିନେସକୁ ସେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଅନାଇଗଲେ । ଏହି ଅନାଇବାର ମୋହନ ପ୍ରଭାବରେ ଚାଳିତ ହୋଇ ଗିଲେସ୍ ଯାଇ ତାଙ୍କର ଚେୟାର ସାମନାରେ ପଡ଼ିଥିବା ଆଉ ଗୋଟିଏ ଚେୟାର ଉପରେ ନଥକରି ବସିପଡ଼ିଲା । ଚେୟାରଟାକୁ ସେ ଆହୁର ଆଗକୁ ଟାଣି ଆଣିଲା । ତା’ର ବଡ଼ ବଡ଼ ଆଣ୍ଠୁ ଦୁଇଟା ମାଡ଼ାମ୍ ଆଗାଥେ ପିନ୍ଧିଥିବା ଦରଜୀ ସିଲେଇ ଧୂସରବର୍ଣ୍ଣର ଜାମାଟାକୁ ପ୍ରାୟ ସ୍ପର୍ଶକରି ପକାଉଥିଲା ।

 

‘‘ପ୍ରକୃତରେ କହିଲେ, କେଉଁ କାରଣରୁ ଆପଣ ଏଠାକୁ ଆସିଚନ୍ତି ?’’ –ସେ ପଚାରିଲା-

 

କେଡ଼େ ନିର୍ବୋଧ ଗିଲେସ୍ । ଆପେ ବସିଥିବା ଚେୟାରଟାକୁ ମାଡ଼ାମ୍ ଆଗାଥେ ଟିକିଏ ପଛକୁ ଘୁଞ୍ଚାଇ ନେଲେ । ଗିଲେସ୍‍ର ଏପରି ବ୍ୟବହାରରେ ସେ ଆପଣାକୁ ମଧ୍ୟ ବେଶ ତ୍ରସ୍ତ ଅନୁଭବ କରିବାକୁ ଲାଗିଲେ । ତା’ର ଆଚରଣ ଭିତରେ ଏହି ବିରକ୍ତିକର ପୁରୁଷପଣିଆର ପରାକ୍ରମଟା ତାଙ୍କୁ ଭାରି ଘୃଣା ଲାଗୁଥାଏ । ଏ ପରାକ୍ରମ ସିନା କୌଣସି ଅକିଞ୍ଚନ ଛୁଆ ଝିଅ ପାଖରେ ଦେଖାଇଲେ ଶୋଭାପାଏ । ତାଙ୍କଭଳି ଜଣେ ବୟସ୍କା ଓ ଗୁରୁଜନ ସ୍ଥାନୀୟ ସ୍ତ୍ରୀଲୋକ ପାଖରେ ତାହା ଦେଖାଇବାରେ କି ଲାଭ ?

 

‘‘କେବଳ ଆପଣହିଁ ମାଡ଼ାମ୍ ଡୁବେର୍ନେଟ୍‍ଙ୍କୁ ପ୍ରବର୍ତ୍ତାଇ ପାରିବେ’’ ଗିଲେସ୍ କହିଲା, ‘‘ମୋର ଅନୁମାନ ନିକୋଲାସ୍ ଆପଣଙ୍କୁ କାହା ସହିତ ତୁଳନା କରେ, ସେ କଥା ଆପଣ ଜାଣିଚନ୍ତି-।’’

 

ମାଡ଼ାମ୍ ଆଗାଥେଙ୍କର ମୁଖ ରକ୍ତୋଜ୍ଜ୍ୱଳ ହୋଇଉଠିଲା । ତା’ହେଲେ ସେ ନିକୋଲାସ୍‍ର ମନରେ ପଡ଼ନ୍ତି । ନିକୋଲସ୍ ପୁଣି ତାଙ୍କୁ ଜଣେ କାହାରି ସହିତ ତୁଳନା କରେ ।

 

‘‘ଲେଓନାର ଗାଲିଗାଇ…ମୁଁ କାହା କଥା କହୁଚି ଆପଣ ବୁଝିପାରୁଛନ୍ତି ତ ?’’

 

‘‘ହଁ, ନିଶ୍ଚୟ ବୁଝିପାରୁଚି ।’’ –ହସି ହସି ସେ ଉତ୍ତର ଦେଲେ । ‘‘ଲେଓନାର ଗାଲିଗାଇ, ଯିଏ ମୋରୀ ଡି ମେଡିସିକୁ ବଶକରି ରଖିଥିଲା । ସେ କୌଣସି ଗୁଣିବିଦ୍ୟା ଜାଣେ ବୋଲି ଯେତେବେଳେ ତା’ର ନାମରେ ଅଭିଯୋଗ କରାଗଲା, ସେ ଉତ୍ତର ଦେଇଥିଲା ଯେ ଜଣେ ଦୃଢ଼ମନା ବ୍ୟକ୍ତି ଆଉଜଣେ ଦୁର୍ବଳମନା ବ୍ୟକ୍ତି ଉପରେ ଯେତିକି ଗୁଣି ବିସ୍ତାର କରେ, ସେତିକି ବ୍ୟତୀତ ଅନ୍ୟକୌଣସି ଗୁଣିବିଦ୍ୟା ସେ ଜାଣେନାହିଁ । ନୁହେଁ ? କିନ୍ତୁ ମାଡ଼ାମ୍ ଡୁବେର୍ନେଟ୍‍ଙ୍କୁ ଯଦି ତୁମେ ଦୁର୍ବଳମନା ବୋଲି ଭାବୁଥାଅ, ତେବେ ତୁମେ ଭାରି ଭୁଲ କରୁଚ ।’’

 

‘‘ଅତ୍ୟନ୍ତ ଆପଣଙ୍କର ମନଟା ତ ଦୃଢ଼ ।’’

‘‘ସମ୍ଭବତଃ……’’

 

ସେ ଦୀର୍ଘନିଶ୍ୱାସ ପକାଇଲେ । ତା’ପରେ କିଛି ସମୟ ନୀରବ ରହିବା ପରେ ‘‘କିନ୍ତୁ ମୁହଁର ଚେହେରା ଦେଖି ନିକୋଲାସ୍ ପ୍ଳାସାକ୍‍ଙ୍କ ବିଷୟରେ କୌଣସି ଅନୁମାନ କରିହେବ ନାହିଁ । ସେ ମଧ୍ୟ ଆଦୌ ଦୁର୍ବଳ ନୁହଁନ୍ତି ।’’

 

‘‘କିନ୍ତୁ ସେ ମୋତେ ଭାରି ଭଲ ପାଏ’’–ଗିଲେସ୍ କହିଲା ।

 

ଉଠିକରି ସେ ଝରକାଟା ଖୋଲିଦେବାକୁ ଗଲା । ବର୍ଷା ତୋଫାନ୍ ସମୟରେ ସମ୍ଭବତଃ ଚାକର ସେଇଟାକୁ ବନ୍ଦକରି ଦେଇଥିଲେ । ଆପଣା ସହିତ କଥାବାର୍ତ୍ତା କଲାପରି ଖୁବ୍ ନୀରବ ଭାବରେ ସେ କହିଲା–‘‘ଇସ୍‍, ଦେହରେ ଟୋପାଏ ହେଲେ ରକ୍ତ ନ ଥିବ ଏଇ ସ୍ତ୍ରୀଲୋକଗୁଡ଼ାକ । ଯେତେ ମାଠିମୁଠି ଯତ୍ନକରି ଗାଧୋଇଲେ ମଧ୍ୟ ଯେମିତି ।’’ ଗିଲେସ୍ ବର୍ଷାସିକ୍ତ ପିଟୁନିଆ ଫଳର ସୁଗନ୍ଧ ଆଘ୍ରାଣ କରୁଥିଲା ।, ଏଥର ଗାଲିଖାଇ ନିଶ୍ଚୟ ଗୋଟାଏ କିଛି ଓଜନଦାର ଉତ୍ତର ଦେବବୋଲି ବୋଧହୁଏ ଚିନ୍ତାମଗ୍ନ ହୋଇ ବସିଚି । କିନ୍ତୁ ତା’ର ଅନୁମାନ ସମ୍ପୂର୍ଣ୍ଣ ଭୁଲ । ‘‘ସେ ମୋତେ ଭାରି ଭଲପାଏ,’’ –ଗିଲେସ୍‍ର ଏଇକଥା ପଦକ ସେତେବେଳଯାଏ ସେ ହଜମ କରିବାକୁ ଚେଷ୍ଟା କରୁଥାନ୍ତି । ଡାକ୍ତର ସାଲୋନ୍‍ଡ଼ ଘରର ଏହି କ୍ଷୁଦ୍ର ଯୁବକଟି ନିଶ୍ଚୟ ନିକୋଲାସ୍ ଉପରେ ପ୍ରଭାବ ବିସ୍ତାର କରିପାରିବ, ଆଉ କେହି ପାରିବେନାହିଁ । ଯେକୌଣସି ମୂହୂର୍ତ୍ତରେ ଇଚ୍ଛାକଲେ କାମୁଡ଼ିବାକୁ ଦଉଡ଼ି ଆସୁଥିବା ବଦମେଜାଜୀ କୁକୁର ପରି ଦେଖାଯାଉଥିବା ଏହି ବର୍ବର ଅମାର୍ଜିତ ଯୁବକକୁ କେବଳ ଖୁସି କରିବାଲାଗି ହୁଏତ ନିକୋଲାସ୍ ପ୍ଲାସାକ୍ ଆଗାଥେ ଡି କାମରେନେସ୍‍କୁ ବିବାହ କରିବାପାଇଁ ସମ୍ମତ ହୋଇପାରେ । ଖୁବ୍ ଚେଷ୍ଟାକରି ସେ ଆପଣାକୁ କହିବାକୁ ବାଧ୍ୟ କଲେ-

 

‘‘ତୁମ କଥା ଓ ମୋ କଥା ସମାନ ନୁହେଁ । ମେରୀକୁ ପ୍ରବର୍ତ୍ତାଇବାପାଇଁ ତୁମର ଆଦୌ ପ୍ରୟୋଜନ ନାହିଁ । କେବଳ ବାହାରର କେତେଟା ବାଧା ଅତିକ୍ରମ କରିପାରିଲେ ହେଲା...କିନ୍ତୁ ମୋ....’’

 

‘‘କିନ୍ତୁ ମୋର ଚେଷ୍ଟାରେ ମୁଁ ସଫଳ ହେବି ବୋଲି ମୁଁ ଆପଣଙ୍କୁ ନିଶ୍ଚିତ କରି କହିପାରିବି ନାହିଁ’’–ଅର୍ଦ୍ଧକ୍ଷୀଣ ସ୍ୱରରେ ଗିଲେସ୍ କହିଲା ।

 

ହଠାତ୍ ଗିଲେସ୍‍ ଅନୁଭବ କଲା ସତେ ଯେପରି ତା’ର ଚିବୁକ କ୍ରୋଧରେ ସ୍ଫୀତ ହୋଇ ଉଠୁଚି । ସେ ଉଠିକରି ଝରକା ପାଖକୁ ଫେରିଗଲା । ସେ ଭୟଙ୍କର ଜନ୍ତୁଟି କ’ଣ ଏପରି ଭାବିବାକୁ ଆରମ୍ଭ କଲାଣି ଯେ ଗିଲେସ୍ ନିକୋଲାସ୍‍କୁ ଧରିଆଣି ତା’ ପାଖରେ ଉପହାର ଦେବ, ତା’ର ହାତଗୋଡ଼ ବାନ୍ଧି ତା’ଆଗରେ ଥୋଇଦେଇଯିବ ? ଅବଶ୍ୟ ଗିଲେସ୍‍ ସହିତ ମେରୀର ବାଗ୍‍ଦାନ ପକ୍‍କା ହୋଇଗଲା ପର୍ଯ୍ୟନ୍ତ ଯାହା ନିକୋଲାସ୍‍କୁ ଏହି ସ୍ତ୍ରୀଲୋକଟିର ମନଭୁଲାଇ ରଖିବାକୁ ପଡ଼ିବ । ତା’ପରେ ତ ଗୋଟାଏ ମୁହୂର୍ତ୍ତପାଇଁ ସୁଦ୍ଧା ନୁହେଁ । ନିକୋଲାସ୍‍କୁ ଆଣି ଏଇଟା ପାଖରେ ସମର୍ପଣ କରିବା କଥା ତ ସେ ସ୍ୱପ୍ନରେ ସୁଦ୍ଧା ଭାବି ପାରିବନାହିଁ । ତା’ର ବନ୍ଧୁକ ତା’ର ଆପଣାର ସ୍ୱାର୍ଥସିଦ୍ଧିପାଇଁ ଲଗାଇବା ଲାଗି ନିକୃଷ୍ଟ ଯୋଜନାମାନ କରୁକରୁ ସେ ହଠାତ୍ ଉପଲବ୍ଧ କଲା ଯେ ପୃଥିବୀରେ ସମସ୍ତଙ୍କଠାରୁ ସେ ନିକୋଲାସ୍‍କୁହିଁ ସବୁଠାରୁ ଅଧିକ ଭଲପାଏ । ଏପରିକି କହିବାକୁ ଗଲେ ନିକୋଲାସ୍‍ ବ୍ୟତୀତ ସେ ଆଉ କାହାରିକୁ କେବେ ଭଲ ପାଇନାହିଁ । ଏହି ଉପଲବଧିଟିର ସ୍ମୃତି ସହିତ ବର୍ଷାସିକ୍ତ ପିଟୁନିଆ ପୁଲର ସୁଗନ୍ଧ ତା’ର ମନ ଭିତରେ ସବୁଦିନପାଇଁ ଜଡ଼ିତ ହୋଇ ରହିଥିବ । ଏହି ଘରର କ’ଣରେ ଯେଉଁ ସ୍ତ୍ରୀଲୋକଟି ବର୍ତ୍ତମାନ ବସିଚି, ସେ ବିଷୟରେ ଗିଲେସ୍ ସମ୍ପୂର୍ଣ୍ଣ ଭାବରେ ବିସ୍ମତ ହୋଇପଡ଼ିଥିଲା । ଝରକା ଉପରର ପର୍ଦ୍ଦାରେ ଆଉ କ’ଣ ଗୋଟାଏ ବାଦୁଡ଼ି ଲାଖିକରି ରହିଚିକି? ବେଶ୍ ଅନେକ ସମୟପରେ ସେ ମୁଣ୍ଡ ବୁଲାଇ ଏଣେ ଚାହିଁଲା । ତା’ର ପରବର୍ତ୍ତୀ ପ୍ରଶ୍ନଟି ପଚାରିବା ଆଗରୁ ଗିଲେସ୍ ମାଡ଼ାମ୍ ଆଗାଥେଙ୍କ ଆଡ଼କୁ କଟମଟ କରି ଅନାଇ ରହିଥାଏ ।

 

‘‘ତେବେ ଆଉ କେବେ ତା’ସହିତ ସାକ୍ଷାତ୍‍ ହୋଇପାରିବ ? –ଅର୍ଥାତ୍ ମେରୀ ସହିତ…ମେରୀ ସହିତ ମୋର କେବେ ଦେଖା ହୋଇପାରିବ ?’’

 

‘ପାଗଳ ! ତା’ ସହିତ ତୁମର ଦେଖା ହେବାର ପ୍ରଶ୍ନହିଁ ଉଠୁନାହିଁ–ବର୍ତ୍ତମାନ ପର୍ଯ୍ୟନ୍ତ ନୁହେଁ । କେଡ଼େ ପିଲାଙ୍କ ପରି ତୁମେ କଥା କହୁଚ ।’’

 

ଗିଲେସ୍‍କୁ ଅନାଇ ସେ ହସୁଥାନ୍ତି, ଟିକିଏ ଉପହାସ କଲାପରି ।

 

ଯେଉଁସବୁ କଥା ସେ କହିବାକୁ ଆସିଥିଲେ, ସେ ସମସ୍ତ ତ ଶେଷ ହୋଇଗଲା । ତେଣୁ ସେ ଆସନରୁ ଉଠି କରମର୍ଦ୍ଦନ କରିବାକୁ ଗିଲେସ୍ ଆଡ଼କୁ କର ବଢ଼ାଇଲେ । ଗିଲେସ୍‍ ଠିକ୍ କରମର୍ଦ୍ଦନ କଲାବୋଲି ଆଦୌ କହିହେବ ନାହିଁ । ଆପଣା ଆଙ୍ଗୁଠିର ଟିପ ଦେଇ ଯେପରି ସେ ମାଡ଼ାମ୍ ଆଗାଥେଙ୍କର ହାତଟିକୁ କେବଳମାତ୍ର ଛୁଇଁ ଦେଲା ।

 

‘‘ମୋତେ ବୋଧହୁଏ ତୁମେ ଜଣେ ଅତି ନିର୍ବୋଧ ରମଣୀ ବୋଲି ମନେକରୁଥିବ ।’’

 

ରାଗିଗଲା ପରି ଗିଲେସ୍ ମୁହଁ ରଙ୍ଗା ପଡ଼ିଗଲା । ସେ ବାହାରକୁ ଅନାଇ ଥାଏ । ବେଶ୍ ତା’ ସହିତ ତାଙ୍କର ଯାହା କାମ ଥିଲା, ଶେଷ ହେଲା । ଆଉ ତ ବେଶୀ କିଛି କହିବାର ନାହିଁ । ଆଉ ଗୋଟିଏ ଶବ୍ଦ ମଧ୍ୟ ନୁହେଁ ।

 

ଆଠ

 

ବଗିଚା ଭିତରେ ଡୁବେର୍ନେଟ୍‍ ପରିବାର ଡିନର ଖାଇ ବସୁଥିଲେ । ବଡ଼ବଡ଼ ଟୁଲିପ୍ ଗଛର ଫାଙ୍କ ଦେଇ ଚନ୍ଦ୍ରର କିରଣ ଅଜାଡ଼ି ହୋଇ ପଡ଼ୁଥାଏ । ତେଣୁ ସେଠାରେ ଆଉ ଆଲୁଅ ଜଳାଇବାର କୌଣସି ଆବଶ୍ୟକତା ନ ଥିଲା । ଶ୍ରୀଯୁକ୍ତ ଡୁବେର୍ନେଟ୍‍ ଚିଜ୍‍ ଖାଇବାରେ ବ୍ୟସ୍ତ ଥାନ୍ତି-। ମେରୀ ଯେପରି କେଉଁ ଅଦୃଶ୍ୟ ଡେଣାର ସାହାଯ୍ୟ ନେଇ ତା’ର ଚେୟାରଟି ଉପରେ ଲାଖିକରି ରହିଥାଏ, ଗୋଟାଏ ପ୍ରକାରର ସ୍ନାୟବିକ ଉଦ୍‍ବିଗ୍ନତାର ବଶବର୍ତ୍ତୀ ହୋଇ ସେ ଥରଥର ହୋଇ କମ୍ପୁଥାଏ । ମାଡ଼ାମ ଆଗାଥେଙ୍କ ସହିତ କଥାବାର୍ତ୍ତା କରିବାକୁ ଏପର୍ଯ୍ୟନ୍ତ ସେ କୌଣସି ସୁଯୋଗ ପାଇନଥିଲା, କାରଣ ଯେମିତି ସେ ଆଗାଥେଙ୍କ ଘରକୁ ଯାଇଛି, ମାଆ ମଧ୍ୟ ତା’ର ପଛେ ପଛେ ଯାଇ ସେଠାରେ ପହଞ୍ଚିଗଲେ । ବୋଧହୁଏ ହଠାତ୍ ମାଆଙ୍କ ମନରେ ନିଶ୍ଚୟ କିଛି ସନ୍ଦେହ ଜନ୍ମିଥିଲା ।

 

ହଠାତ୍ ଗୋଟାଏ ଅପ୍ରତ୍ୟାଶିତ ପ୍ରଶ୍ନ ଉତ୍‌ଥାପନ କରି ଆର୍‌ମାଣ୍ଡ ଡୁବେର୍ନେଟ୍‍ ସମସ୍ତଙ୍କୁ ଚକିତ କରିଦେଲେ । ସମସ୍ତେ ତ ଭାବିଥିଲେ ସେ ବାସ୍ ଆରାମରେ ତାଙ୍କର ଖାଦ୍ୟ ହଜମ କରିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ପ୍ରକୃତରେ ସେ ଖୁବ୍ ଗଭୀର ଚିନ୍ତାରେ ନିମଗ୍ନ ହୋଇ ରହିଥିଲେ ।

 

‘‘ଆଗାଥେ, ଲା ରିଭ୍ୟୁରେ ନୂଆ ବାହାରିଥିଲା ମଣ୍ଟେସ୍କ ବିବରଣୀମାନ ତୁମେ ପଢ଼ିବ-?’’

‘‘ଏ ଜାଗାଟାରେ କ୍ରମେ ବେଶ୍ ଥଣ୍ଡା ଥଣ୍ଡା ଲାଗୁଚି,’’ ଜୁଲିଆ ଡୁବେର୍ନେଟ୍‍ କଥା କାଟିଲା ପରି କହିଲେ ।

 

ପନ୍ଦର ବର୍ଷପୂର୍ବେ, ଆର୍‍ମଣ୍ଡ ଏପରି ମନ୍ଥର, ଶିଥିଳ ଓ ପ୍ରାଣଶୂନ୍ୟ ହେବାପୂର୍ବରୁ ଜୁଲିଆଙ୍କଠାରୁ ଏପରି ଏକ ମନ୍ତବ୍ୟ ଶୁଣିଥିଲେ ସେ ଏହାକୁ ଜୁଲିଆର ଗୋଟାଏ ‘ହରିଣନାତ’ ବୋଲି ନିଶ୍ଚୟ କହିଥାନ୍ତେ । ଏପରି ଗୋଟାଏ କଥାର ନାତମାରି ଅତ୍ୟନ୍ତ ଅବ୍ୟର୍ଥ ସଫଳତାର ସହିତ ସେ ଡୋରି ଛାଡ଼ି ପୂରାଦମ୍‌ରେ ଉଡ଼ି ବୁଲୁଥିବା କଥୋପକଥନର ପକ୍ଷୀକୁ ସଙ୍ଗେ ସଙ୍ଗେ ତଳକୁ ନେଇଆସି ପାରୁଥିଲେ । ସବୁଦିନେ ଯାହାହୁଏ, ଆଜି ମଧ୍ୟ ତାହାହିଁ ହେଲା । ବାଧ୍ୟହୋଇ ଶ୍ରୀଯୁକ୍ତ ଡୁବେର୍ନେଟ୍‌ ଆଲୋଚନାରୁ ନିରସ୍ତ ହେଲେ ଓ ଆପଣାର ରକ୍‌ପୋର୍ଟ ଚିଜ୍‌ ଉପରେ ପୁଣି ମନଦେଲେ । ସ୍ଥାନତ୍ୟାଗ କରି ଅନ୍ୟତ୍ର ଯିବାକୁ ଉଚ୍ଛନ୍ନ ହେଲାପରି ମେରୀ ଉଠି ଠିଆହେଲା କିନ୍ତୁ ତା’ର ମାଆ ତାକୁ ପଛରୁ ଡାକିଲେ ।

 

‘‘ମୁଁ ନ କହିବା ପର୍ଯ୍ୟନ୍ତ ତୋତେ ସେହିଠାରେହିଁ ବସି ରହିବାକୁ ହେବ ।’’

ମେରୀ ପୁନରାୟ ତା’ର ଆସନରେ ବସିପଡ଼ିଲା । ଆର୍‍ମଣ୍ଡ ଡୁବେର୍ନେଟ୍‌ ଗିଲାସ ଖାଲି କରି ନିଶ ପୋଛିବାକୁ ଲାଗିଲେ ।

 

‘‘ଶୁଣ ଗୋ, ମୋ’ ଲାଗି ଆଉ ଅପେକ୍ଷା କରନାହିଁ,-’’ ତାଙ୍କର ଉଏଷ୍ଟକୋଟ୍‌ ପକେଟ୍‌ରୁ ଖଣ୍ଡେ ଚୁରୁଟ୍‌ ବାହାରକରି ସେ ଦୁଇହାତରେ ଆଙ୍ଗୁଠି ଭିତରେ ଗଡ଼ାଇବାକୁ ଲାଗିଲେ । ସେତେବେଳକୁ ମେରୀ ଅନ୍ତର୍ହିତ ହୋଇଯାଇଥାଏ । କୁଦଉପରେ ଅପେକ୍ଷା କରିଥିବ ବୋଲି ସେ ଗଲାବେଳେ ମାଡ଼ାମ୍‌ ଆଗାଥେଙ୍କୁ କହିଯାଇଥିଲା । କିନ୍ତୁ ତାଙ୍କୁ ଭେଟିବାଲାଗି ମାଡ଼ାମ୍‌ ଆଗାଥେ ତରତର ହେବାପରି ଆଦୌ ମନେ ହେଉନଥିଲା । ଜୁଲିଆ ବସି ମନେ ମନେ ଲକ୍ଷ୍ୟ କରୁଥାନ୍ତି । କୋଉଠି ଗୋଟାଏ କିଛି ଘଟିବାକୁ ଯାଉଥିବାର ଗନ୍ଧ ସେ ହୁଏତ ପାଇଲେଣି ... କିନ୍ତୁ ତାହା କଦାପି ନୁହେଁ । କାରଣ ଆଗାଥେଙ୍କୁ ସେ କହିଲେ :–

 

‘‘ମୁଁ ଯାଉଛି ଟିକିଏ ବିଶ୍ରାମ ନେବି । ଯନ୍ତ୍ରଣାଟା ବର୍ତ୍ତମାନ, ପୂରାପୂରି ଚାଲିଗଲାଣି । କିନ୍ତୁ ଭାରି କ୍ଳାନ୍ତ ଲାଗୁଚି । କିନ୍ତୁ ଦେଖ, ମେରୀକୁ କଦାପି ଏକୁଟିଆ ଛାଡ଼ିବ ନାହିଁ । କାରଣ ଘଟଣାମାନ ଯେତେଦୂରକୁ ଗଲାଣି, ସେ ଟୋକାଟା ବୋଧହୁଏ ବର୍ତ୍ତମାନ କୁଦତଳେ ନଇକୂଳରେ ଆସି ନଙ୍ଗର ପଙ୍ଗର ହେଉଥିବ ଆଉ ନାକର ଶବ୍ଦ କରି ଇସାରା ଦେଉଥିବ । ତା’ର ବର୍ତ୍ତମାନ ଯେଉଁ ବୟସ, ସେହି ବୟସରେ ଟୋକାମାନେ ଠିକ୍‌ ପଲେ କୁକୁରଙ୍କ ପରି ହୁଅନ୍ତି ।’’

 

ଆଗାଥେ କିଛିକ୍ଷଣପାଇଁ ସେଠାରେ ଆର୍‍ମାଣ୍ଡଙ୍କ ସହିତ ବସି ରହିଲେ । ‘‘ଆପଣଙ୍କର ବୁଝିବା ଉଚିତ,’’ ଆଗାଥେ ତାଙ୍କୁ କହିଲେ, ‘‘ଝିଅଟା ଉପରେ ମତେ ନିଶ୍ଚୟ ଟିକିଏ ଆଖି ରଖିବାକୁ ହେବ ।’’

 

ମାଡ଼ାମ୍‌ ଆଗାଥେଙ୍କୁ ଅଟକାଇ ରଖିବାଲାଗି ଆର୍‍ମାଣ୍ଡ ଆଉ କୌଣସି ଚେଷ୍ଟାକଲେ ନାହିଁ । କିନ୍ତୁ ଅପ୍ରସନ୍ନ ହେବାପରି ସେହିଠାରେ ବସି ରହିଲେ । କାରଣ ତାଙ୍କର ଚୁରୁଟ୍‌ଟି ସେତେବେଳେକୁ ଲିଭି ଯାଇଥିଲା ।

 

‘‘ମୁଁ ଏହିଠାରେ ଅଛି,’’–ଅନ୍ଧକାର ଭିତରୁ ମେରୀ କହିଲା ।

ମେରୀ ପାଖକୁ ଯାଇ ସିଡ଼ିରେ ଥିବା କାନ୍ଥଉପରକୁ ଆଉଜି ମାଡ଼ାମ୍‌ ଆଗାଥେ ଠିଆହେଲେ । ସେତେବେଳକୁ ଜହ୍ନ ଉଠୁଥାଏ । ଲେରୋଟ୍‌ ନଦୀ ସେଠାରୁ ଦୃଷ୍ଟିଗୋଚର ହେଉନଥାଏ, କିନ୍ତୁ ପଡ଼ିଆର ଘାସ ଓ ଧାଡ଼ିଧାଡ଼ି ଆଲ୍‌ଡର ଗଛରୁ ନଦୀର ଶୀତଳ ପବନ ବେଶ୍‌ ଅନୁଭୂତ ହେଉଥାଏ ।

 

‘‘ମତେ ଆଉ ବସାଇ ରଖିବା ଉଚିତ ନୁହେଁ’’–ମେରୀ କହିଲା, ‘‘କ’ଣ ସବୁହେଲା ମତେ ଶୀଘ୍ର କହନ୍ତୁ ।’’

 

ଗୃହଧାତ୍ରୀଙ୍କ ପ୍ରତି ମେରୀ ହଠାତ୍‌ ସପ୍ରତିଭ ହୋଇଉଠିଲା । ମତେ ଯେପରି ସେ ସାକ୍ଷାତ୍‌ ଗିଲେସ୍‌ ସହିତ କଥାବାର୍ତ୍ତା କରୁଛି । ଘଣ୍ଟାକରୁ ଅଳ୍ପ ସମୟପୂର୍ବରୁ ମାଡ଼ାମ୍‌ ଆଗାଥେ ତ ଗିଲେସ୍‌କୁ ଦେଖିଚନ୍ତି ଓ ତା’ ସହିତ କଥାବାର୍ତ୍ତା ହୋଇଚନ୍ତି ।

 

‘‘ଆପଣ କେଡ଼େ କୁନି ପୁସି ବିଲେଇଟିଏ ।’’

କନିଷ୍ଠାର କଥା ଶୁଣି ସେ ହସୁଥାନ୍ତି । ତାଙ୍କୁ ଭାରି ଉଶ୍ୱାସ ଲାଗୁଥାଏ, ସତେ ଯେପରି କାହାର କୌଣସି ଆବେଶର ସ୍ପର୍ଶ ତାଙ୍କୁ ଭାରି କୋମଳ କରିପକାଇଚି । ସେହି ଆବେଶକୁ ସୁଖ ବା ଆସନ୍ନ ସୁଖର ଆଦେଶ ବୋଲି କୁହାଯାଇ ପାରିବନାହିଁ । ସୁଖର ଲେଶମାତ୍ର ସମ୍ଭାବନା ମଧ୍ୟ ତାଙ୍କ ମନର ସମସ୍ତ ଆକର୍ଷ ବିକର୍ଷକୁ ଦୂର କରିଦେବାପାଇଁ ଯଥେଷ୍ଟ ଥିଲା । ବିଚାରୀ ଗାଲିଗାଇ ! ଡୋର୍ଥେର ଲୋକମାନଙ୍କୁ ତ୍ରସ୍ତ କରାଇ ଦେବାର ଶକ୍ତି ତାଙ୍କ ଭିତରେ ଥିଲା । କିନ୍ତୁ ଟିକିଏ ଆଉଜି ପଡ଼ିବାକୁ ଯେତେବେଳେ ତାଙ୍କୁ କୌଣସି ପୁରୁଷର କାନ୍ଧ ମିଳିଯାଇଥିଲା, ଯେତେବେଳେ କୌଣସି ପୁରୁଷର ବାହୁବନ୍ଧନ ତାଙ୍କୁ ନିବିଡ଼ କରି ଧରୁଥିଲା, ସେତେବେଳେ କେତେ ସମ୍ପୂର୍ଣ୍ଣ ଓ ନିଃଶେଷ ଭାବରେ ସେ ନିଜକୁ ସମର୍ପଣ କରିଦେଉଥିଲେ, କେଡ଼େ ବାଧାହୀନ ଭାବରେ ତାଙ୍କର ଆଖିରୁ ପ୍ରେମର ଅଶ୍ରୁ ବୋହି ଆସୁଥିଲା ।

 

‘‘ଆଜି କହିବାକୁ କିଛି ନାହିଁ, ସେ କହିଲେ, ‘‘ସବୁବେଳେ ସେ ତୋହରି କଥା ଭାବୁଛି, ସେ ତା’ର ସାହସ ଆଦୌ ହରାଇ ନାହିଁ । ଏତିକି କହିବା ବ୍ୟତୀତ ମୁଁ ଆଉ ଅଧିକ କ’ଣ କହିପାରିବି ?’’

 

ତରତର ହୋଇ ସେ ମେରୀ ପାଖରୁ ଦୂରେଇ ଠିଆ ହୋଇପଡ଼ିଲେ ‘‘ହେଇ ତୋର ମାଆ ଆସିଲେଣି ।’’

 

ଜୁଲିଆ ପରା ବିଶ୍ରାମ ନେବାକୁ ଯାଉଚନ୍ତି ବୋଲି କହି ଯାଇଥିଲେ ? ଆଉ କ’ଣ ସେ ଜାଲ ପକାଇ ଏମାନଙ୍କୁ ଧରିବାକୁ ଚେଷ୍ଟା କରୁଚନ୍ତିକି ? ତାଙ୍କର ମନରେ କୌଣସି ପ୍ରକାର ସନ୍ଦେହ ଜାତ ହୋଇଚିକି ?

 

‘‘ତୋ’ ଲାଗି ମୁଁ ଗୋଟିଏ କୋଟ୍‌ ଆଣିଚି,’’ ସେ ମେରୀକୁ ଲକ୍ଷ୍ୟକରି କହିଲେ ‘‘ସେହି ଗୋଟାଏ ସାଲ୍‌ ଏ ଶୀତପାଇଁ ଯଥେଷ୍ଟ ହେଉନଥିବ । ସେଇଟାକୁ ତୁ ମାଡାମ୍‌ ଆଗାଥେଙ୍କୁ ଦେଇଦେ ।’’

 

ସିଡ଼ି ଉପରେ ଥିବା କାନ୍ଥ ଉପରେ ହାତ-ଭରା ଦେଇ ମାଡ଼ାମ୍‌ ଡୁବେର୍ନେଟ୍‌ ଠିଆ ହୋଇଥାନ୍ତି । ମେରୀ ଆଉ ଗୃହଧାତ୍ରୀଙ୍କ ମଝିରେ ସେ ଠିଆ ହୋଇଥାନ୍ତି । କୌଣସି ପ୍ରକାର ସନ୍ଦେହ ବା ଈର୍ଷାପରବଶ ହୋଇ ସେ ଏଠାକୁ ଆସିଚନ୍ତିକି ? କିନ୍ତୁ ତାଙ୍କର କୌଣସି କଥାରୁ ସେପରି କୌଣସି ଗନ୍ଧ ମିଳିଲା ନାହିଁ ।

 

‘‘ଆଜି ତ ଚନ୍ଦ୍ର ଚାରିପାଖରେ କୌଣସି ମଣ୍ଡଳ ପଡ଼ିନାହିଁ,’’ ସେ କହିଲେ, ‘‘ବଡ଼ ଅଶୁଭ କଥା । ଆଉ ଟିକିଏ ବର୍ଷା ହୋଇଥିଲେ କଦାପି କୌଣସି କ୍ଷତି ହୋଇନଥାନ୍ତା । ମାଟି କେତେ ଟାଣ ଅଛି, ଅନାଇଲ.…ଯାହାବର୍ଷା ହେଉଚି, ସିଏ ତ ମାଟିରେ ଏତେ ଟିକିଏ ଭେଦୁ ନାହିଁ...ମେରୀ, ତୁ ପରା ଡଟ୍ରିଉକ୍‌ସ୍‌ ଘରର ସେ ପିଲାଟିକୁ ଧର୍ମାନୁଶାସନ ପୁସ୍ତକଟି ପଢ଼ାଇ ଦେଇଥାନ୍ତୁ ? ତୋର କ’ଣ ମନେନାହିଁକି ? ତା’ର ପ୍ରଥମ କମୁନିଅନ୍‌ ଉତ୍ସବଟି ଆଉ ଅଧିକ ଦିନ ଘୁଞ୍ଚାଇବା ତା’ର ବାପ ମାଆଙ୍କର ଆଦୌ ଇଚ୍ଛା ନୁହେଁ । ମୋର ତ ବ୍ୟକ୍ତିଗତ ମତ ଯେ ଧର୍ମଯାଜକମାନେ ଟିକିଏ ଚିକିଟା ପ୍ରକୃତିର, ସେମାନେ ଟିକିଏ ଅତିରିକ୍ତ ଦାବୀ କରୁଚନ୍ତି । ଦିନରାତି ମଦ ପିଇ ମାତାଲ ହୋଇପଡ଼ିଥିବା ଲୋକଙ୍କର ପିଲାମାନଙ୍କଠାରୁ ପ୍ରକୃତରେ ଆଉ କ’ଣ ଆଶା କରାଯାଇପାରିବ ? ଭଗବାନଙ୍କର ଅର୍ଥ ସେ ନ ଜାଣିବା ପର୍ଯ୍ୟନ୍ତ...କ’ଣ କହିଲୁ ? ଓଃ, ମୁଁ ଭାବିଲି ତୁ ମତେ କ’ଣ କହିବାକୁ ଯାଉଚୁ ।’’

 

ମେରୀ ପାଟିରୁ ପଦେହେଲେ କଥା ବାହାରି ନ ଥିଲା । ସେଠାରୁ ଅନ୍ୟତ୍ର ନ ଯିବାପାଇଁ ଯେପରି ତା’ର ମାଆ ସଂକଳ୍ପ କରି ଆସିଥିଲେ । ତାହାହେଲେ ବର୍ତ୍ତମାନ ଶୋଇବାକୁ ଯିବା ଦରକାର । ମାଡ଼ାମ୍‌ ଆଗାଥେ ତ ତାକୁ ‘ଶୁଭରାତ୍ରି’ର ଚୁମ୍ବନ ଦେବାକୁ ଅବଶ୍ୟ ଆସିବେ ।

 

ନିକୋଲାସ୍‌ ଆଉ ଗିଲେସ୍‌ କାଷ୍ଟଲନ୍‌ ରାସ୍ତାରେ ପରସ୍ପରକୁ ଭେଟିବେ ବୋଲି ସ୍ଥିର କରିଥିଲେ, ସହରଠାରୁ ଟିକିଏ ବାହାରକୁ ଆକାଶ ଆଡ଼କୁ ଅନାଇ ନିକୋଲାସ୍‌ ଚାଲିଥାଏ । ତାକୁ ବେଶ୍‌ ଗୋଟାଏ ଅନ୍ଧକାରର ଜୀବ ବୋଲି କୁହାଯାଇପାରେ । ଗ୍ରୀଷ୍ମକାଳର ରାତ୍ରୀ ତା’ର ସମ୍ମୁଖରେ ଜଗତର ଯେଉଁ ରୂପଟିକୁ ଉଦ୍‌ଘାଟିତ କରି ଦେଉଥିଲା, ତାହା ସହିତ ସେ ସୁପରିଚିତ ଥିଲା, ଅବଶ୍ୟ ପତ୍ରର ମର୍ମର ଶବ୍ଦକୁ ସେ ଆଦୌ ଶୁଣି ନ ଥିଲା, ଦୂରରୁ ଆସୁଥିବା କୁକୁର ଭୁକିବାର ଶବ୍ଦ ତା’ର କାନରେ ବାଜୁ ନ ଥିଲା । ଚନ୍ଦ୍ରର ଆଲୋକକୁ ଦିନର ଆଲୁଅ ବୋଲି ଭ୍ରମ କରି କୁକୁଡ଼ାଗୁଡ଼ାକ ମଧ୍ୟ ରାବ ଦେବାରେ ଲାଗିଥିଲେ କିନ୍ତୁ ନିକୋଲାସ୍‌ ସେହି ଶବ୍ଦକୁ ମଧ୍ୟ ଶୁଣି ପାରୁନଥିଲା । ରାସ୍ତାର କଠିନ ସମତଳ ଉପରେ ଗିଲେସ୍‌ର ଜୋତାଦ୍ୱାରା କିପରି ତା’ର ବନ୍ଧୁର ଚାଲି ଏକ ପରିମିତ ଛନ୍ଦ ସୃଷ୍ଟି କରିପାରୁଥିଲା, ନିକୋଲାସ୍‌ ତାହାହିଁ ଶୁଣୁଥିଲା । ଲମ୍ବ ହୋଇ ପଡ଼ିଥିବା ସେମାନଙ୍କର ଯୁଗଳ ଦେହଛାୟା ଅନେକ ସମୟରେ ପରସ୍ପର ସହିତ ମିଶିଯାଉଥିଲେ, ଯେପରି କୌଣସି ରହସ୍ୟମୟ ନିୟମର ସଂକେତକୁ ମାନି ଛାଇ ଦୁଇଟି ସେମାନଙ୍କର ଗତିପଥରେ ଚାଲିଥିଲେ । ଏହି ଦୁଇଜଣ ଯୁବକ ସତେ ଯେପରି ଦୁହିଁଙ୍କ ମଧ୍ୟରେ ରାତ୍ରି ଆକାଶର ଏକ ତାରାପୁଞ୍ଜ ସୃଷ୍ଟି କରିଯାଉଥିଲେ । ଗିଲେସ୍‌ କଥା କହୁଥାଏ, ଅବାରିତ ଗତିରେ ସେ କଥା କହିଚାଲିଥାଏ, ଆଉ ସେହି କଥାର ପରିମାପକରେ ନିକୋଲାସ୍‌ ସତେ ଅବା ସାକ୍ଷାତ୍‌ ଭଗବତ ଶାନ୍ତି ସଦୃଶ ରାତ୍ରିର ପ୍ରାଣବନ୍ତ ନୀରବତାକୁ ମାପି ମାପି ଯାଉଥାଏ । ଗିଲେସ୍‌ ତାକୁ କ’ଣ ସବୁ ପଚାରୁଚି ବା ପଚାରିବ, ସେ ବିଷୟରେ ଯେପରି ସେ କଥାରେ ‘ନାହିଁ’ ବୋଲି ଉତ୍ତର ଦେବାର ମୁହୂର୍ତ୍ତକୁ ସେ ଯଥାସମ୍ଭବ ବିଳମ୍ବିତ କରିରଖିବାକୁ ଚେଷ୍ଟା କରୁଥିଲା ।

 

‘‘ମୁଁ ତାକୁ ଭଲପାଏ ବୋଲି ତୁ ବିଶ୍ୱାସ କରିପାରୁନାହୁଁ, ତା’ର କାରଣ ହେଉଚି ଯେ ମୁଁ ଭଲ ପାଇବାକୁ ଅସମର୍ଥ ବୋଲି ତୁ ଆଗରୁ ଧରିନେଇଚୁ । ତୁ ମୋତେ କଦାପି ବିଶ୍ୱାସ କରିପାରିବୁ ନାହିଁ ହୁଏତ ତୁ ଜାଣିପାରିବୁ ନାହିଁ । ଶୁଣ, ତୁ’ ତ ଭଲ ପାଇବାର ଆବଶ୍ୟକତାହିଁ କେବେ ଅନୁଭବ କରିନାହୁଁ । କବିତା ତୋତେ ପରିପୂର୍ଣ୍ଣ ସନ୍ତୋଷ ଦାନ କରେ, କବିତା ଆଉ ବନ୍ଧୁତା…ତାହାର ପରିଣାମରେ ଏତିକି ହୁଏ ଯେ କେବଳ ମୁଇଁ ତୋତେ ସନ୍ତୋଷ ଦିଏ ଏବଂ ତୁ ମୋ’ ବ୍ୟତୀତ ଆଉ କୌଣସି ବ୍ୟକ୍ତି ବା କୌଣସି ପଦାର୍ଥର ଅଭାବହିଁ ଅନୁଭବ କରିପାରୁନାହିଁ । ନୁହେଁ ?’’

 

ନିକୋଲାସ୍‌ଠାରୁ କୌଣସି ଉତ୍ତର ପାଇବାକୁ ସେ ଅପେକ୍ଷା କଲା ନାହିଁ । ବରଂ କହିବାକୁ ଲାଗିଲା:

 

‘‘ଏଇଟା ଅତି ସ୍ୱାଭାବିକ କଥା ଯେ ମୋର ବିବାହ କରିବାଟା ତୁ କଦାପି ଇଚ୍ଛାହିଁ କରିବୁ ନାହିଁ । ସେଥିପାଇଁ ମୁଁ କଦାପି ତୋତେ ଦୋଷ ଦେଉନାହିଁ । ଆମ ଦୁହିଁଙ୍କ ଭିତରେ ବର୍ତ୍ତମାନ ଯେଉଁ ସମ୍ପର୍କ ଅଛି ମୋର ବିବାହ ହୋଇଗଲେ ଠିକ୍ ସେହି ସମ୍ପର୍କ ଆଉ କଦାପି ରହିପାରିବ ନାହିଁ ।’’

 

‘‘ଓଃ, ଗିଲେସ୍‌ !’’ –ନିକୋଲାସ୍‌ କେବଳ ଏତିକି କହିଲା । ରାସ୍ତା ଯେଉଁଠାରେ ଲେରୋଟ୍‌ ନଦୀକୁ ଅତିକ୍ରମ କରିଯାଇଚି, ସେମାନେ ଯାଇ ଠିକ୍‌ ସେହିଠାରେ ପହଞ୍ଚିଲେ । ସବୁଦିନ ପରି ଦୁହେଁ ପୋଲର ବାଡ଼ା ଉପରକୁ ଆଉଜି ଠିଆହେଲେ । କାରଣ ବହିଯାଉଥିବା ପାଣିର ଗନ୍ଧ ସେମାନଙ୍କୁ ଭାରି ଭଲ ଲାଗୁଥିଲା । ସିଗାରେଟ୍‌ବତୀ କାଢ଼ି ଗିଲେସ୍‌ ଖଣ୍ଡେ ସିଗାରେଟ୍‌ ଲଗାଇଲା-। ସେହି ବତୀର ଆଲୁଅରେ ମୁହୂର୍ତ୍ତକପାଇଁ ତା’ର ଯୁବକ ମୁହଁର କପାଳରେ ଓ ପାଟିର ଦୁଇ କ’ଣରେ ଅଦ୍ଭୁତ ଭାବରେ ଖୋଦା ହୋଇଥିବା ରେଖାଗୁଡ଼ିକ ଏବଂ ତା’ର ଚିବୁକ ଉପରେ ନୂଆ ହୋଇ ଗଜୁରି ଆସୁଥିବା ଦାଢ଼ିର ଇଷତ୍‌ ଚିହ୍ନଗୁଡ଼ିକ ଦୃଶ୍ୟ ହୋଇଉଠିଲା । ତା’ ପରେ ନିଆଁଟା ନିଭିଗଲା, ଛାଇ ଭିତରେ ଅର୍ଦ୍ଧଗୁପ୍ତ ହୋଇ ରହିଥିବା ଏକ କ୍ଷୀଣ ସଂକେତ ଛଡ଼ା ଚନ୍ଦ୍ରାଲୋକରେ ଆଉକିଛି ଦେଖାଗଲା ନାହିଁ ।

 

ସେ କହିଲା :

‘‘ମୋତେ କ୍ଷମା କରିବାକୁ ହେବ । ପ୍ରକୃତରେ ମୁଁ ଭଲ ପ୍ରକୃତିର ମଣିଷ ନୁହେଁ, ପୁଣି ଦୁଃଖ ମୋର ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦିଏ ।’’

 

ସେମାନେ ପୋଲର ବାଡ଼ା ଉପରେ ବସିଥିଲେ । ପଥର ଉପରେ କଳକଳ ଶବ୍ଦକରି ପାଣି ବୋହି ଯାଉଥାଏ, ପିଲାଦିନେ ସେହି ପାଣି ଭିତରେ ଚାଲବୁଲ କରିବାପାଇଁ ସେମାନେ ସେଠାରେ କେତେଥର ଗୋଡ଼ରୁ ଜୋତାମୋଜା ବାହାର କରିଛନ୍ତି ।

 

ନିକୋଲାସ୍‌ ତା’ର ବନ୍ଧୁର ମୁଣ୍ଡ ଉପରେ ହାତ ରଖିଲା ।

‘‘ତୋ’ର ବୟସ ଏତେ କମ୍‌,’’ –ସେ ଦୀର୍ଘ ନିଶ୍ୱାସ ପକାଇ କହିଲା ।

 

‘‘ମେରୀ –ମେରୀ ଡୁବେର୍ନେଟ୍‌..…’’ ଗିଲେସ୍‌ କହିଲା । ‘‘ତୋତେ ସବୁକଥା ଭାରି ଅଦ୍ଭୁତ ଲାଗୁଛି, ନୁହେଁ ? କହ, ଲାଗୁଚି କି ନାହିଁ ?’’

 

ନିକୋଲାସ୍‌ ନୀରବ ରହିଲା । ଗିଲେସ୍‌ ପୁଣି କହିଲା :

‘‘ମୁଁ ମଧ୍ୟ ସ୍ୱୀକାର କରିବି ଯେ, ମୋତେ ମଧ୍ୟ ବ୍ୟାପାରଟା ବଡ଼ ଅଦ୍ଭୁତ ଲାଗୁଚି । ମୁଁ ମଧ୍ୟ ତାହା ସହଜରେ ବିଶ୍ୱାସ କରିପାରୁନାହିଁ ।’’ ହୁଏତ ଏହାର ଅର୍ଥ ହେଉଚି ଯେ ମୁଁ ରକ୍ଷା ପାଇଯାଇଚି ।’’

 

‘‘କିନ୍ତୁ ଅନ୍ୟମାନଙ୍କ ଅପେକ୍ଷା ରକ୍ଷା ପାଇବାର କୌଣସି ଅଧିକ ଆବଶ୍ୟକତା ତୋ’ର ନାହିଁ ।’’

‘‘ଥାଉ ସେକଥା ।’’ –କ୍ଷୀଣ କଣ୍ଠରେ ଗିଲେସ୍‌ କହିଲା…‘‘ମୋ’ ବିଷୟରେ ପ୍ରତ୍ୟେକ କଥା ନ ଜାଣିଥିଲା ପରି ତୁ ଆଉ କିଛି କହନାହିଁ, ଏପରିକି ଯେଉଁସବୁ କଥା ତୋ’ ଆଗରେ ମୁଁ ଖୋଲି କହିନାହିଁ ତାହା ମଧ୍ୟ ତୁ ଜାଣିଚୁ ।’’

 

‘‘ତୋ’ ବୟସର ଅନ୍ୟାନ୍ୟ ଯୁବକମାନଙ୍କଠାରୁ ତୁ ଆଦୌ ଭିନ୍ନ ନୋହୁ ।’’

‘‘ପ୍ରକୃତରେ କ’ଣ ତୁ ତାହାହିଁ ଭାବୁଚୁ ?’’ –ଗିଲେସ୍‌ କହିଲା ।

ତା’ପରେ କିଛି ସମୟ ଉତ୍କଣ୍ଠିତ ଭାବରେ ନୀରବ ରହିବା ପରେ:

 

‘‘ତୋତେ କେବଳ ଆଉକିଛି ସମୟପାଇଁ ତାକୁ ଟିକିଏ ଖେଳାଇବାକୁ ପଡ଼ିବ । ତା’ ସହିତ ଟିକିଏ ଅଭିନୟ କରି ତାଙ୍କର ମନକୁ ଖୁସି ରଖିବାକୁ ହେବ, ଏ ବ୍ୟାପାରଟିରେ ଡୁବେର୍ନେଟ୍‍ ପରିବାର ମନେଇଗଲା ପର୍ଯ୍ୟନ୍ତ !’’

 

ତାହାର ବନ୍ଧୁ କାହା ବିଷୟରେ କହୁଚି, ସେକଥା ନ ଜାଣିଥିଲା ପରି ଛଳନା କରିବାକୁ ନିକୋଲାସ୍‌ ପୁଣିଥରେ ଚେଷ୍ଟାକଲା । ଗିଲେସ୍‌ର ଆଉ ଧୈର୍ଯ୍ୟ ରହିଲା ନାହିଁ ।

 

‘‘କାହିଁକି ? ମୁଁ ପରା ଗାଲିଗାଇ କଥା କହୁଚି ।’’ ସେ ହଠାତ୍‌ କହି ଉଠିଲା । ‘‘ତାକୁ ସହଜରେ ବୁଝାଇ ହେବନାହିଁ । ମୁଁ ସେ କଥା ଭଲକରି ଜାଣେ । ହୁଏତ ଆମେ ଗୋଟାଏ କିଛି ଶପଥ କରିବା ଲାଗି ସେ ଜିଦ୍‌ଧରି ବସିବ, -ହୁଏତ ଗୋଟା ନିର୍ଦ୍ଦିଷ୍ଟ ବାଗ୍‌ଦାନ୍‌, ଯେଉଁଥିରେ ସମ୍ମତ ହେବାଭଳି ଓ ଯାହାକୁ ଲୁଚାଇ ରଖିବାପାଇଁ ତୋତେ ଟିକିଏ ଛଳନା କରିବାକୁ ପଡ଼ିବ ।

 

ନିକୋଲାସ୍‌ ଏ କଥାର ପ୍ରତିବାଦ ନ କରି ଆଉ ରହିପାରିଲା ନାହିଁ ।

 

‘‘ନାଁ ! ...ତୁ ଏପରି ଏକ ଅଦ୍ଭୁତ ପରାମର୍ଶ ଦେଇପାରୁଚୁ କିପରି ? ମୋତେ କେହି ସାରା ସଂସାରଟାକୁ ଯାଚିଲେ ମଧ୍ୟ ମୁଁ ସେକଥା କରିପାରିବ ନାହିଁ । ତୁ ଜାଣୁ ମୁଁ ତାକୁ ଅନେକ ଦୁଃଖ ଦେଲିଣି ।’’

 

ଗିଲେସ୍‌ ଟିକିଏ ଦୂରକୁ ଘୁଞ୍ଚିଗଲା । ତା’ର ମନଟା ଭାରି ଖରାପ ହୋଇଗଲା ବୋଲି ନିକୋଲାସ୍‌ ସ୍ପଷ୍ଟ ଅନୁଭବ କରିପାରିଲା । ସେ କହିଲା :

 

‘‘ଗିଲେସ୍‌, ତୋ’ର ଅନ୍ତତଃ ବୁଝିବାକୁ ଚେଷ୍ଟାକରିବା ଉଚିତ । ତୁ’ ନୁହଁ, ମୁଇଁ ହେଉଚି ଖରାପ । ମୋର ମନ ଅନ୍ୟମାନଙ୍କପାଇଁ ସହାନୁଭୂତିରେ ବିଗଳିତ ହୋଇଯାଏ,–କେବଳ ଯେଉଁ ରମଣୀ ମୋତେ ଭଲ ପାଏ, ତାହାରିପାଇଁ ହୋଇପାରେନାହିଁ । ଏହି ଦୁର୍ଭାଗ୍ୟ ପ୍ରାଣୀଟିର ମନରେ ମୁଁ କେତେ ବାସନା ଓ ଆକାଙ୍‍କ୍ଷାର ଉଦ୍ରେକ କରିଚି, ଅଥଚ ମୁଁ ନିଜେ ସେ ସବୁରେ କୌଣସି ଅଂଶ ଗ୍ରହଣ କରିନାହିଁ । କିନ୍ତୁ ଖାସ୍‌ ଏକ କଥାଟି ମୋତେ ଆଦୌ ବିଚଳିତ କରୁନାହିଁ । କିନ୍ତୁ ସମସ୍ତ ଘଟଣାଟା ମୋତେ ବଡ଼ ବିରକ୍ତ କରି ପକାଇଚି । ମୋ’ ମୁଣ୍ଡକୁ ବିଲ୍‌କୁଲ୍‌ ଗରମ କରିଦେଇଚି...ଆଉ ପୁଣି ବର୍ତ୍ତମାନ । ତୁ ପରାମର୍ଶ ଦେଉଚୁ...’’

 

‘‘ବୋକାଙ୍କ ପରି ହେବାକୁ ଆଉ ଚେଷ୍ଟା କରନା ।’’ ଗିଲେସ୍‌ ଅଧୀର ଭାବରେ କହିଲା, ‘‘ତୁ କ’ଣ ଦେଖିପାରୁନୁ ଯେ ଅନ୍ତତଃ ଏହାଦ୍ୱାରା ତୁ ତାକୁ ଆଉକେତେ ସପ୍ତାହପାଇଁ କେତେସୁଖ ଦେଇପାରିବୁ ? ଅବଶ୍ୟ ତୋତେ ଧନ୍ୟବାଦ ଦେବାକୁ ପଡ଼ିବ, ନ ହେଲେ ସେହି ସୁଖ ତ ତା’ର ଉଚିତ ପ୍ରାପ୍ୟ ! ପ୍ରକୃତରେ ଦେଖିବାକୁ ଗଲେ ସୁଖ ଓ ସୁଖର ମାୟା ଭିତରେ ଆଉ କି ପ୍ରଭେଦ ରହିଚି ?’’

 

‘‘ପ୍ରକୃତରେ ତୁ କ’ଣ ମୋତେ ଏଡ଼େବଡ଼ ଓସ୍ତାଦ୍‍ ବୋଲି ଭାବୁଚୁ ?’’

 

ନିକୋଲାସ୍‌ ବଡ଼ ଗଭୀର ଭାବରେ ଆହତ ହୋଇପଡ଼ିଲା । ତା’ର ଅଧିକାର ଉପରେ କିଏ ଅନଧିକାର ଆକ୍ରମଣ କଲାପରି ସେ ବୋଧକଲା । ବୋଧ୍ୟ ଭାବରେ କିଛି କହିପାରିବାର ସାମର୍ଥ୍ୟ ଆଉ ତା’ର ରହିଲା ନାହିଁ । ଗିଲେସ୍‌ ପୋଲର ବାଡ଼ା ଉପରୁ ଖଣ୍ଡେଦୂରକୁ ଚାଲିଗଲା ଏବଂ ପୁଣି ପୂର୍ବଜାଗାକୁ ଫେରିଆସିଲା । ତା’ର କଣ୍ଠସ୍ୱରରେ ଏକ କଠିନମୁଦ୍ରା ପ୍ରକାଶ ପାଇଥିଲା ।

 

‘‘ତୁ ଆଉ ବ୍ୟସ୍ତ ହୁଅ ନା । ତୁ ଏ କାମ ପରିପାରିବୁ ବୋଲି ମଧ୍ୟ ମୁଁ ପ୍ରକୃତରେ କେବେ ଭାବି ନ ଥିଲି । ତୁ ପ୍ରକୃତରେ କ’ଣ ମୁଁ କହିବି ? ତୋ’ ପରି ଏପରି ବିରକ୍ତ ପ୍ରକୃତିର ମଣିଷ ସଂସାରରେ କୌଣସିଠାରେ ନ ଥିବେ । ନିଜକୁ ତୁ ଖୁବ୍‌ ଧର୍ମପରାୟଣ ବୋଲି ଭାବୁ, ଯେପରି ଭଗବାନଙ୍କର ଦରବାରରେ ଯେଉଁଦିନ ପାପପୂଣ୍ୟର ବିଚାର ହେବ, ସେହିଦିନଟି ତୁ ଆପଣାର ସମସ୍ତ ଘୃଣ୍ୟ ହିସାବଖାତା ନିଖୁଣ ଓ ନିର୍ଭୁଲ ଭାବରେ ପ୍ରସ୍ତୁତ କରି ରଖିବୁ । ଧର୍ମ ବା ନ୍ୟାୟକୁ ଭଲପାଇ ଯଦି କେବେ ମୁଁ ବିନଷ୍ଟ ହୋଇଯାଏ, ତେବେ ତାହା ତୋହରି ସକାଶେ ହେଲା ବୋଲି ମୁଁ କହିବି !’’

 

ନିକୋଲାସ୍‌ ତା’ର ଦୁଇଟିଯାକ ହାତ ଉପରକୁ ଉଠାଇ କହିଲା:

‘‘ମୋତେ ତୁ ଧର୍ମପରାୟଣ ବୋଲି କହୁଚୁ ? ତୁ କ’ଣ ପାଗଳ ହୋଇଗଲୁକି ?’’

 

ସେ ହସିଲା: ଆପଣାର ମୁଣ୍ଡ ଭିତରେ ତିଆରି କରି ରଖିଥିବା ପରି ପୂର୍ଣ୍ଣତାର ଗୋଟାଏ ତଥ୍ୟ ବ୍ୟତୀତ ତୁ’ ତ କୌଣସି କଥାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୋହୁ । ମୁଁ ଯାହା କହୁଚି, ତାହା କ’ଣ ସତ ନୁହେଁ ?’’

 

‘‘କିନ୍ତୁ ତୁ କ’ଣ ?’’ ନିକୋଲାସ୍‌ କହିଲା, ‘‘ମୋର ଅନୁମାନ, ପ୍ରବଳ ଅଧ୍ୟବସାୟ ସହକାରେ ତୁ କ୍ରମେ ଗୋଟାଏ ଘୁଷୁରି ହେବାର ଉଦ୍ୟମ କରିବାକୁ ଯାଉଚୁ ।’’

 

‘‘ମୁଁ ? ମୋର ବନ୍ଧୁମାନଙ୍କପାଇଁ ମୁଁ ଯାହାସବୁ କରିଚି, ତାହା ମୁଁ କେବେ କୌଣସିଠାରେ ଉଲ୍ଲେଖ କରିବିନାହିଁ । ନଦୀ ଭିତରକୁ ଗୋଟାଏ ମୁର୍ଦ୍ଦାର ଫୋପାଡ଼ି ଦେବାରେ ଯିଏ ତୁମକୁ ସାହାଯ୍ୟ କରିବ, ଅଥଚ ଗୋଟିଏ ବୋଲି ପ୍ରଶ୍ନ ପଚାରିବ ନାହିଁ, ମୁଁ ତାହାକୁହିଁ ବନ୍ଧୁ ବୋଲି କହିବି ।’’

 

‘‘ହଉ, ତେବେ ମୁଁ ଯେ ତୋତେ ଗୋଟିଏ ମୁର୍ଦ୍ଦାର ଆଣି ଯୋଗାଇଦେବି, ସେକଥା ବିଶ୍ୱାସ ନ କରିବାକୁ ମୁଁ ତୋତେ ଅନୁରୋଧ କରୁଚି ।’’ –ନିକୋଲାସ୍‌ର କଣ୍ଠସ୍ୱରରେ ବେଶ୍‌ ଗୋଟାଏ ତୀକ୍ଷ୍‌ଣତା ରହିଥିଲା । ମୁହୁର୍ତ୍ତକପାଇଁ ଖୁବ୍‌ ଅଧୀର ହୋଇ ଗିଲେସ୍‌ କ’ଣ ଗୋଟାଏ କହିଲା ପରି ମନେହେଲା ଓ ତା’ ପରେ ଡୋର୍ଥେ ଅଭିମୁଖରେ ଯିବାକୁ ଆରମ୍ଭ କଲା । ନିକୋଲାସ୍‌ ତଥାପି ପୋଲର ବାଡ଼ା ଉପରେ ବସି ଗିଲେସ୍‌ର ପଦ ଶବ୍ଦଗୁଡ଼ିକ ଦୂରରେ ମିଳାଇ ଯାଉଥିବାର ଶୁଣୁଥିଲା । ସେହି ଶବ୍ଦଗୁଡ଼ିକ ତା’ର ସଂସାରକୁ ପୂର୍ଣ୍ଣକରି ରଖିଥିଲେ । ସେ ସେଠାରୁ ଉଠି ହଠାତ୍‌ ଦଉଡ଼ିବାକୁ ଲାଗିଲା । ଗିଲେସ୍‌ ପାଖରେ ପହଞ୍ଚିଲାବେଳକୁ ସେ ପ୍ରାୟ ଅଣନିଶ୍ୱାସୀ ହୋଇପଡ଼ିଥାଏ । ତାକୁ ଦେଖିବାକ୍ଷଣି ତା’ର ବନ୍ଧୁ ଥରେ ହେଲେ ଫେରିଚାହିଁଲା ନାହିଁ ।

 

‘‘ଦେଖ୍’’ ଧଇଁସଇଁ ହୋଇ ନିକୋଲାସ୍‌ କହିଲା, ‘‘ମୁଁ ଗୋଟାଏ କଥା ବିଚାର କରିଚି...ମୁଁ ଭାବୁଚି ମୁଁ ସବୁକଥା ଠିକ୍ କରି ଦେଇପାରିବି । କିନ୍ତୁ ଚିନ୍ତାକରି ସବୁକଥା ସ୍ଥିର କରିବା ଲାଗି ମୋତେ ଟିକିଏ ସମୟ ଦେବାକୁ ପଡ଼ିବ ।’’

 

ଅଧିକ ଆଶ୍ୱସ୍ତି ହେଲାପରି ଗିଲେସ୍‌ ନିଶ୍ୱାସ ମାରିଲା । ନିଜେ ସମ୍ପୃକ୍ତ ଥିବା କୌଣସି ବ୍ୟାପାରରେ ନିକୋଲାସ୍‌ ଯେ ଏପରି ଦୁର୍ବଳତାର ପରିଚୟ ଦେବ, ଏହି କଥା ଭାବି ସେ ଭାରି ବିଚଳିତ ହୋଇପଡ଼ିଥିଲା । କିନ୍ତୁ ଆପଣାର ଅନୁଭୂତିକୁ ସେ ପ୍ରକାଶ କଲା ନାହିଁ ।

 

‘‘ବର୍ତ୍ତମାନ ତ ଆସି ସେପ୍ଟେମ୍ବର ହେଲାଣି’’ ସେ କହିଲା, ‘‘ଆଉ ଅଧିକ ସମୟ ପର୍ଯ୍ୟନ୍ତ କଥାଟାକୁ ପକାଇ ରଖିବା ଆଦୌ ଉଚିତ ହେବ ନାହିଁ । ଶେଷକୁ ହୁଏତ ଆମେ ଠିଆ ହୋଇଥିବା ଭୂମିଟି ମଧ୍ୟ ଭୁଶୁଡ଼ି ପଡ଼ିପାରେ । ସେ ସ୍ତ୍ରୀଲୋକଟି ଭାରି ଦୃଢ଼ମନା,-ତୁ’ ତ ସେକଥା ନିଶ୍ଚୟ ହୃଦୟଙ୍ଗମ କରିଥିବୁ, ନୁହେଁ ?’’

 

ଖଣ୍ଡେଦୂର ପର୍ଯ୍ୟନ୍ତ ସେମାନେ କେହି କାହାକୁ କିଛି କହିଲେ ନାହିଁ, ପ୍ରତ୍ୟେକେ ଆପଣା ଆପଣାର ଗୋପନ ଚିନ୍ତାଗୁଡ଼ିକରେ ନିମଜ୍ଜିତ ହୋଇ ରହିଥିଲେ । ହଠାତ୍‌ ଗିଲେସ୍‌ ପ୍ରଶ୍ନ କଲା:

 

‘‘ତୁ କ’ଣ ଭାବୁଚୁ ଯେ ତୁ ପ୍ରକୃତରେ ଗାଲିଗାଇ ସହିତ ଜମାଇ ପାରିବୁ ?’’

ସଙ୍ଗେ ସଙ୍ଗେ ନିକୋଲାସ୍‌ ଉତ୍ତର ଦେଲା :

‘‘ବନ୍ଦକର ସେସବୁ–ସେସବୁ ତୁଣ୍ଡରେ ଧରିବା ବଡ଼ କଦର୍ଯ୍ୟ !’’

‘‘ମୁଁ ଅବଶ୍ୟ ବନ୍ଦ କରନ୍ତି’’ ଚିନ୍ତାମଗ୍ନ ଭାବରେ ଗିଲେସ୍‌ କହିଲା:

‘‘କିନ୍ତୁ ତାହା ଅବଶ୍ୟ ହାସଲ କରିବାକୁ ପଡ଼ିବ ।’’

 

ସେ ହସିଲା । ତା’ର ମୁହଁର ଭିତର ଦେଇ ଯେପରି ଅନେକ ଭୟଙ୍କର ଜିନିଷ ନିର୍ଗତ ହୋଇଯାଉଥାଏ । ଏ ରାତିଟିକୁ ଆଉ ରାତି ବୋଲି କହିହେବ ନାହିଁ । ଗିଲେସ୍‌ ତାହାକୁ ଅପବିତ୍ର କରି ପକାଇଚି । ଭୁବନବ୍ୟାପୀ ଅନ୍ଧକାର ଭିତରେ ଡୋର୍ଥେର ଗୀର୍ଜାଟା ଠିକ୍‌ ନୋଆର ଜାହାଜ ପରି ଦେଖାଯାଉଥାଏ । ଭଟ୍ଟା ପଡ଼ିଥିବା ବନ୍ୟାସ୍ରୋତରେ ଯେପରି ତାହା ପଠାରେ ଲାଖିଯାଇଛି, ଧ୍ୱଂସକାରୀ ମୂଷାମାନଙ୍କର ରହିବାପାଇଁ ଛାଡ଼ି ଦିଆଯାଇଥିବା ଦୁର୍ଦ୍ଦଶାଗ୍ରସ୍ତ ଗ୍ରାମାଞ୍ଚଳର ଗୋଟାଏ ଅଟ୍ଟାଳିକା ପରି । ସେମାନେ ଆସି ମାଡ଼ାମ୍‌ ପ୍ଲାସାକ୍‌ଙ୍କର ଦୁଆର ପାଖରେ ପହଞ୍ଚିଲେ ।

 

‘‘ନାଇଁ– ଯିବା ଦରକାର ନାହିଁ ।’’ –ନିକୋଲାସ୍‌ କହିଲା ।

 

ନଅ

 

ଘର ଭିତରେ ପଶି ସିଡ଼ିରେ ଉଠିଗଲାବେଳକୁ ସେ ଆଲୁଅ ଲଗାଇଲା ନାହିଁ । ତା’ର ମାଆ ବୋଧହୁଏ ଶୋଇପଡ଼ିଥିଲେ । ନା, ସେ ଶୋଇନାହାନ୍ତି ତ ! ସେ ମାଆଙ୍କର କ୍ଷୀଣ ଅଥଚ କର୍କଶ ଡାକ ‘ନିକୋଲାସ୍‌’ ଶୁଣିବାକୁ ପାଇଲା । ନିକୋଲାସ୍‌ ଘରେ ଥିଲାବେଳେ ମାଆ ତଳ ମହଲାରେ ଥିବା ଗୋଟିଏ ଛୋଟିଆ ଘରେ ଶୁଅନ୍ତି । ଘରକୁ ପ୍ରବେଶ କଲାବେଳେ ସେ କବାଟ ଖଡ଼ଖଡ଼ କଲାନାହିଁ–ଘର ଭିତରକୁ ଆସି ତାଙ୍କର ବିଛଣା ପାଖରେ ଠିଆହେଲା, ଠିକ୍‌ ତାଙ୍କର ତକିଆ ପାଖକୁ । ଶୋଇଲାବେଳେ ସେ ଆପଣାର ଦାନ୍ତଗୁଡ଼ିକୁ କାଢ଼ି ରଖି ଦେଇଥିଲେ, ତେଣୁ ତାଙ୍କର ଓଠ ଓ ଗାଲଗୁଡ଼ିକ ଭିତରକୁ ପଶିପଶି ଯାଇଥାଏ । ଆଖିରେ ଚଷମା ନ ଥିବାରୁ ଆଖିଦୁଇଟା କଠିନ, ଉଜ୍ଜ୍ୱଳ ଓ ଅମାନୁଷିକ ଦେଖାଯାଉଥିଲା । ଯେ କୌଣସି ମାଛ ବା ଚଢ଼େଇର ଆଖି ସହିତ ସେହି ଆଖିର ବେଶ୍‌ ତୁଳନା କରାଯାଇପାରନ୍ତା ।

 

‘‘ତୁ ଏତେ ରାତିଯାଏ ବାହାରେ ରହୁଚୁ । ତୋ’ରି ପାଇଁ ମୁଁ କବାଟ ବନ୍ଦ କରିପାରିଲି ନାହିଁ । ଯଦି କୋଉଦିନ କିଏ ଘରେ ପଶି ମୋତେ ହତ୍ୟା କରେ, ତେବେ ତୁଇ ସେଥିପାଇଁ ଦୋଷୀ ହେବୁ ।’’

 

ନିକୋଲାସ୍‌ ଦୀର୍ଘ ନିଶ୍ୱାସ ପକାଇଲା: ‘‘ମାଆ ତାକୁ ଗୋଟାଏ ଚାବି ଦେଇଦେଲେ ହୁଅନ୍ତା !’’

 

‘‘ହଁ ଦିଅନ୍ତି ଯେ, କିନ୍ତୁ ଦେଲେ ତ ତୁ ହଜାଇ ଦେବୁ !’’

 

‘‘ହଁ, ଠିକ୍‌ କଥା । ବାରବର୍ଷ ତଳେ ପ୍ରକୃତରେ ସେ ଥରେ ଗୋଟାଏ ଚାବି ହଜାଇ ଦେଇଥିଲା, ସେହି ଦିନଠାରୁ ଆଜିଯାଏ ମାଡ଼ାମ୍‌ ପ୍ଲାସାକ୍‌ ସବୁବେଳେ ସେହି ଘଟଣାଟାର ଉଲ୍ଲେଖ କରୁଥିଲେ । ସେହିଥର ତାଙ୍କୁ କୋଲପଟାକୁ ବଦଳାଇବାକୁ ପଡ଼ିଥିଲା । କୋଲପ ତିଆରି କରିବାବାଲାର ରସିଦ୍‌ଟା ମଧ୍ୟ ସେ ଏପର୍ଯନ୍ତ ସାଇତି ରଖିଥିଲେ । ବିରକ୍ତ ହୋଇ ନିକୋଲାସ୍‌ କହିଲା :

 

‘‘ତା’ ହେଲେ ମୋତେ ତୁ କ’ଣ କରିବାକୁ ଚାହୁଁଚୁ ? ମୁଁ କ’ଣ ତେବେ ଝରକାବାଟେ ଚଢ଼ିକରି ଆସିବି ?’’

 

‘‘କାହିଁକି, ସନ୍ଧ୍ୟାବେଳଟା ତୋ’ର ମାଆ ପାଖରେ ଘରେ ରହିଲେ କ’ଣ ହୁଅନ୍ତା ନାହିଁ ? ତୋ’ପାଇଁ କାମ କରିକରି ଯୋଉ ମାଆର ଅଣ୍ଟା ଭାଙ୍ଗିଗଲାଣି । ତାକୁ ତ କେତେ କେତେ ଜାଗାରେ କେତେ ସୁବିଧା ମିଳୁଥିଲା, ତଥାପି ସେ ଦ୍ୱିତୀୟ ଥରପାଇଁ ବିବାହ କରିବାକୁ ନିଷେଧ କରିଦେଲା, -ତୋ’ର ଦରମା ଦିଆଯିବ ବୋଲି ଯିଏ ଏ’ ଦୁଆର ସେ’ ଦୁଆର ବୁଲୁଥିଲା, ଧନୀ ଲୋକଙ୍କର ଲୁଗାକାଚି ଯିଏ ପୁଅପାଇଁ ପଇସା ରୋଜଗାର କରୁଥିଲା । ଶେଷକୁ ଗୀର୍ଜା ଅଫିସ୍‌, ଦୟାକରି ଗୀର୍ଜାରେ ମୋତେ ଖଣ୍ଡେ ଚାକିରି ଦେଲେ ବୋଲି ସିନା ମୁଁ ତ୍ରାହି ପାଇଲି । ଚାକିରିଟି ମୋତେ ଦିଆଗଲେ ଧର୍ମ କଉଡ଼ି ଯେ ଜଣେ ଉପଯୁକ୍ତ ଲୋକ ହାତରେ ପଡ଼ିବ, ସେ କଥା ସେମାନେ ଅବଶ୍ୟ ହୃଦୟଙ୍ଗମ କରିଥିବେ ।’’

 

‘‘ମୁଁ କ’ଣ ଅକୃତଜ୍ଞ ପୁତ୍ରର କୌଣସି ପରିଚୟ ତୋ’ ପାଖରେ ଦେଇଛି ?’’- ରସହୀନ ଭାବରେ ନିକୋଲାସ୍‌ ପଚାରିଲା ।

 

‘‘ନାଁ–ତୁଃ ମୋର ସୁନାପୁଅ । ମୋ’ ରାଣ ପକାଉଚି, ମୁଁ କଦାପି ସେ କଥା ଅସ୍ୱୀକାର କରିବି ନାହିଁ । ତଥାପି ରାତିହେଲେ ଅଳ୍ପ ବୟସରେ ସେହି ଅପଦାର୍ଥଟା ସାଙ୍ଗରେ ୟାଡ଼େସାଡ଼େ ବୁଲିବାକୁ କାହିଁକି ଯେ ତୋତେ ଏତେ ଭଲ ଲାଗୁଚି ।’’

 

‘‘ତୋ’ର ଏପରି କହିବାଟା ଆଦୌ ସୁନ୍ଦର ହେଉନାହିଁ ମାଆ ! …ତୁ ସବୁଦିନେ କହି ଆସିଚୁ ଯେ ସେ ଭାରି ଭଲ ପିଲା... !’’

 

ତୋ’ ମନରେ କୌଣସି କଷ୍ଟ ନ ଦେବାପାଇଁ ମୁଁ ସେପରି କହିଥିଲି...ତୋତେ ମୁଁ ଠିକ୍‌ ଖଣ୍ଡେ ବହିପରି ପଢ଼ିନେଇ ପାରିବି ।’’ ତାଙ୍କର ଆଖିରେ ଗୋଟାଏ ପ୍ରକାର ହିଂସ୍ରଭାବ ଫୁଟି ଉଠୁଥାଏ, ନିଜେ ଥରେ ରଚନା କରିଥିବା ଗୋଟାଏ କବିତା ନିକୋଲାସ୍‌ର ମନେପଡ଼ିଗଲା । ତାହାର ମର୍ମ ହେଉଚି–ଗାର ପଡ଼ିଯାଇଥିବା ଆଖିପତା ଶୋଭିତ ସେହି ଅକିଞ୍ଚନ ରମଣୀଟି ସେ ହେଉଚି ମାଆ, ସେଇ, ଯିଏ ମୋତେ ଭଲ ପାଏ ।’’ –ମଆ କହିଲେ :

 

‘‘ଡୋର୍ଥେରେ ସସସ୍ତେ କହୁଛନ୍ତି ଯେ ଡାକ୍ତର ସାଲୋନଙ୍କର ପୁଅଟି ଆଦୌ ଭଲ ପିଲା ନୁହେଁ । ତୁ ସେହି ପୁଅଟିଠାରୁ କ’ଣ ଯେ ପାଉ ମୁଁ ତାହାର ଅନ୍ତ ଖୋଜି ବାହାର କରିପାରେନାହିଁ ।’’

 

ମାଆଙ୍କର ସେହି ଭୟଙ୍କର ମୁଖ ଉପରକୁ ନିକୋଲାସ୍‌ ଆପଣାକୁ ଆନତ କରି ଆଣିଲା ଏବଂ ଅତି ପ୍ରୀତିପୂର୍ଣ୍ଣ ଭାବରେ ଆପଣାର ଓଠ ଦୁଇଟିରେ ସେହି ମୁଖକୁ ସ୍ପର୍ଶ କଲା ।

 

‘‘ଏଥର ତୁମେ ଶୋଇବ ଯାଆ–’’ ସେ କହିଲା । ତଥାପି ସେ ବଡ଼ ଅସନ୍ତୁଷ୍ଟ ହେଲାପରି ଦେଖାଯାଉଥାନ୍ତି :

 

‘‘ଯେତେବେଳେ ମୁଁ ତୋତେ ଗୋଟାଏ ପ୍ରଶ୍ନ ପଚାରୁଛି, ତୁ ଅନ୍ତତଃ ତା’ର ଉତ୍ତର ଦେବା ଉଚିତ । ମୋତେ କ’ଣ ତୁ ଏତେଶୀଘ୍ର ଗୋଟାଏ ନିର୍ବୋଧ ବୁଢ଼ୀବୋଲି ଭାବି ସାରିଲୁଣି ?’’

 

ପ୍ରବଳ ଚେଷ୍ଟାକରି ନିକୋଲାସ୍‌ ଆପଣାର ମୁହଁ ଉପରେ ଈଷତ୍‌ ହାସ୍ୟଭାବ ପ୍ରକଟ କଲା, ଦୁଆର ଆଡ଼କୁ ଯିବା ପୂର୍ବରୁ ଆହୁରି ଗୋଟିଏ ଚୁମ୍ବନ ଦେଇଗଲା ।

 

ଧୀରେ ଧୀରେ ସେ ସିଡ଼ି ଉପର ଦେଇ ଯାଉଥାଏ, ସତେ ଯେପରି ପିଠି ଉପରେ ଗୋଟାଏ କ’ଣ ଭାରି ବୋଝ ନେଇ ସେ ଯାଉଚି । ସତେ ଯେପରି ଚାରିକୋଣିଆ ହୋଇ କଟା ଯାଇଥିବା ଗୋଟାଏ କାଠକଡ଼ି ତା’ର କାନ୍ଧକୁ କାଟି କାଟି ଯାଉଚି । ଘର ଭିତରକୁ ଯାଇ ସେ ତେଲର ବତୀଟି ଲଗାଇଲା । ଆଜି ରାତିରେ ଆପଣାକୁ ଗୋପନ କରି ରଖିବାର ସମସ୍ତ ଶକ୍ତି ସେ ହରାଇ ବସିଥିବା ପରି ତାକୁ ବୋଧ ହେଉଥାଏ । ସେ ଆଜି ତା’ର ମାଆର ପ୍ରକୃତ ରୂପ ଦେଖିବାକୁ ପାଇଲା–ଆପଣାର ରହିବା ଘରଟି ମଧ୍ୟ ତାକୁ ଠିକ୍‌ ସେହିପରି ଦେଖାଯାଉଥାଏ ।

 

ଘରର ଛାତ ଉପରେ ଅଳନ୍ଧୁ ବସିଯାଇଥାଏ, ଦିନକୁ ଦିନ ତା’ ଉପରେ ସନ୍ତସନ୍ତିଆ ଦାଗଗୁଡ଼ାକ ବଢ଼ି ବଢ଼ି ଚାଲିଥାଏ । କାନ୍ଥର କାଗଜ ଉପରେ ଦଳାହୋଇ ମରାଯାଇଥିବା ମାଛିଗୁଡ଼ାକର ଚିହ୍ନ ପୂରି ରହିଥିଲା । ସେ କେବେ ବ୍ୟବହାର କରୁନଥିବା କମୋଡ଼୍‌ ଉପରେ ଥିବା ମାହୋଗଳିରୁ ଯେଉଁ ଗନ୍ଧ ଆସୁଥିଲା, ସେଥିରୁ ବେଶ୍‌ ପ୍ରମାଣ ମିଳୁଥିଲା ଯେ ମାଡ଼ାମ୍‌ ପ୍ଲାସାକ୍‌ ଘରକୁ ଭଡ଼ା ଲଗାଇଲାବେଳେ କମୋଡ଼୍‌ଟି ରାତିରେ ବ୍ୟବହାର କରିବାକୁ ଦିଆଯାଇଥିଲା । ଭାରି ମୂଲ୍ୟବାନ୍‌ବୋଲି ସେ ଛଳନା କରି ଆସିଥିବା ଭାରତ ତିଆର ସାଲଟିକୁ ପୋକଖାଇ କଣା କରିଦେଇଥିଲେ । ସେଇଟିକୁ ସେ ଟେବୁଲ ଉପରେ ପକାଇ ଥିଲା, ଆପଣାର କବିତା କେତେ ଗୁଣଗାନ ନ କରିଚି ! ତା’ ଉପରେ ପୁଣି ଏଠି ସେଠି ଠୋପା ଠୋପା ହୋଇ ମହମ ବତୀ ପଡ଼ି ଦାଗ ବସି ଯାଇଥିଲା । ସେହି ଦାଗକୁ ଆଉ ଲିଭାଇ ପାରିବାର କୌଣସି ସମ୍ଭାବନା ନ ଥିଲା । ଆରାମ ଚଉକିର ପିଠି ଉପରେ, ତେଲଦାଗ ଲାଗି ଯାଇଥିଲା । ସେହି ଦାଗକୁ ଆଉ ଲିଭାଇ ପାରିବାର କୌଣସି ସମ୍ଭାବନା ନ ଥିଲା । ତା’ ଉପରେ ବସିଲାବେଳେ ଗିଲେସ୍‌ ଠିକ୍‌ ସେହି ଜାଗାରେ ଆପଣାର ମୁଣ୍ଡ ଦେଇକରି ବସେ । ଗିଲେସ୍‌ ! ଗିଲେସ୍‌ ! ତା’ର ଯୌବନର କ୍ରମକ୍ଷୀଣ କୁହେଳି ଭିତରୁ ଆଗାମୀ ଦଶବର୍ଷ ଭିତରେ ସେ ହେବାକୁ ଯାଉଥିବା ପୁରୁଷଟିର ଅତି ସ୍ପଷ୍ଟ ସଂକେତମାନ ସେ ଦେଖିପାରୁଥିଲା ।

 

ନିକୋଲାସ୍‌ ବତି ଲିଭାଇ ଦେଲା । ଗରମ ତେଲର ଗନ୍ଧ କ୍ରମେ କ୍ରମେ ମିଳେଇ ମିଳେଇ ଯାଉଥାଏ । ଘର ଭିତରେ ଜମି ରହିଥିବା ଅର୍ଦ୍ଧସ୍ପଷ୍ଟ ଅନ୍ଧାର ସହିତ ସେ ଆପଣାକୁ ମଣେଇ ଆଣୁଥାଏ । ଚନ୍ଦ୍ର ସେତେବେଳକୁ ଅସ୍ତ ହୋଇଗଲେଣି, ଆକାଶ ଉପରେ ଏକ ଦୁଗ୍‌ଧାଭ ପଥ ପଡ଼ିଥିଲା ପରି ଦେଖାଯାଉଥାଏ । ଅନସ୍ତିତ୍ୱ-ସାଗରର ଅନିଶ୍ଚିତ ଉପକୂଳ ପରି କେତେଖଣ୍ଡ ମେଘ ଅସ୍ପଷ୍ଟ ଭାବରେ ଭାସିଯାଉଥାନ୍ତି, ତାହାରି ଭିତରେ ଗୋଟିଏ ମାତ୍ର ତାରା ମିଟିମିଟି କରୁଥାଏ-। ନିକୋଲାସ୍‌ ପ୍ଲାସାକ୍‌ ସେହି ତାରାଟି ଆଡ଼କୁ ଅନାଇଲା । ଡୋର୍ଥେକୁ ଯିବା ରାସ୍ତାରେ ଗିଲେସ୍‌କୁ ଟପିବା ଲାଗି ଦଉଡ଼ୁଥିବା ସମୟରେ ତା’ ମନରେ ଯେଉଁସବୁ ଭାବନାର ଉଦୟ ହୋଇଥିଲା ଆଉଥରେ ସେହି ଭାବନାର ସମ୍ମୁଖୀନ ହେବାର ମୁହୂର୍ତ୍ତକୁ ସେ ଯଥାସମ୍ଭବ ଏଡ଼ି ରଖିବାକୁ ଚେଷ୍ଟା କରୁଥିଲା । …ମୁଁ ଗୋଟାଏ କଥା ବିଚାର କରିଚି, କିନ୍ତୁ ସେଥିପାଇଁ ମୋତେ ଟିକିଏ ସମୟ ଦେବାକୁ ହେବ…’’ । ଗୋଟାଏ କଥା ବିଚାର କରିଚି….କି କଥା ଏହି ଭାବନାର ଭୟାବହତା ତାକୁ ବିସ୍ମିତ କରିରଖିଥାଏ । ଅବଶ୍ୟ ଗିଲେସ୍‍ର ନିର୍ଦ୍ଦେଶକୁ ସେ କଦାପି ଅନ୍ୟଥା କରିବ ନାହିଁ । କିନ୍ତୁ ମିଛ ମଧ୍ୟ ସେ କଦାପି କହିପାରିବ ନାହିଁ । ଗାଲିଗାଇକୁ ଯଦି ସେ କୌଣସି କଥା ଦିଏ, ତେବେ ସେ କଦାପି ମିଥ୍ୟା କଥା ହୋଇପାରିବ ନାହିଁ ।

 

ଗର୍ଭ ଭିତରକୁ ଯାଇ ନିଜ ଆଖିରେ ସେହି ଗର୍ଭର ଗଭୀରତା ମାପିବାର କୌଣସି ପ୍ରୟୋଜନ ସେ ଦେଖିପାରିଲା ନାହିଁ । ଆଉ କେତେ ମାସପାଇଁ, ହୁଏତ କେତେ ବର୍ଷପାଇଁ ତା’ର ମାଆ ତାକୁ ନିଶ୍ଚୟ ସେହି ଗର୍ଭପାଖରୁ ଦୂରରେ ରଖିବେ । ସେ ତ ଆଗାଥେକୁ ଭାରି ଘୃଣା କରୁଥିଲେ, କିନ୍ତୁ ତାଙ୍କର ବିରୋଧକୁ ତଥାପି ଅତିକ୍ରମ କରିବାକୁ ପଡ଼ିବ । ସେଥିପାଇଁ ତାକୁ ନିଶ୍ଚୟ ଦରିଦ୍ର ରହିବାକୁ ପଡ଼ିବ । କାରଣ କି ଉପାୟରେ ସେ ଆଉ ତା’ର ସଂସାର ଚଳାଇବ ? ତା’ର ଆପଣା କ୍ଷୁଧା ନିବାରଣ କରିବାଲାଗି ମଧ୍ୟ ଯେତିକି ଖାଦ୍ୟ ଦରକାର ସେତିକି କିଣିବାର ସମ୍ବଳ ମଧ୍ୟ ତା’ ପାଖରେ ନାହିଁ ।

 

କିନ୍ତୁ ମାଡ଼ାମ୍ ଆଗାଥେଙ୍କ ସହିତ ତା’ର ଯେଉଁ ବାଗ୍‍ଦାନ ହେବ ତାହା ଏକ ପ୍ରକୃତ ବାଗ୍‍ଦାନ ହେବା ଉଚିତ । ଦୁହିଁଙ୍କ ମଧ୍ୟରେ ପ୍ରାୟ ଚାରିଶହ ମାଇଲର ବ୍ୟବଧାନ ରହିବ ଏବଂ ଗାଲିଗାଇଠାରୁ ସେ କେବଳ ଚିଠିର ଅପେକ୍ଷାହିଁ କରିବ । ଆଗାଥେ ଭାରି ସୁନ୍ଦର ଚିଠି ଲେଖିପାରନ୍ତି । ସେ ମଧ୍ୟ ତାଙ୍କ ପାଖକୁ ଚିଠି ଲେଖିବ, ସେ ଯେତିକି ଥର ଇଚ୍ଛା କରିବେ, ସେତିକି ଥର ସେ ନିଶ୍ଚୟ ଲେଖିବ । ସେ ସବୁ ବେଶ୍ ହେବ, କିନ୍ତୁ ଶୀଘ୍ର ହେଉ ବା ବିଳମ୍ବ ହେଉ, ଦିନେ ନା ଦିନେ ତାକୁ ଅନିବାର୍ଯ୍ୟ ଅଦୃଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ । ..…ଆପଣା ଇଚ୍ଛାଦ୍ୱାରା ଚାଳିତ ହୋଇ ସେ ସେହି ଆଗାମୀ ମୁହୁର୍ତ୍ତର କଳ୍ପନା କରିବାକୁ ଲାଗିଲା .. ଅଲଗା ଅଲଗା ବିଛଣା ? ..… ଅଲଗା ଅଲଗା ଶୋଇବା ଘର ? ..…ନା, ସେସବୁ କୌଣସି କାର୍ଯ୍ୟ ସାଧନ କରିପାରିବ ନାହିଁ, ମଝିରେ ଗୋଟାଏ କାନ୍ଥ ରଖିବାକୁ ପଡ଼ିବ, ସେହି କାନ୍ଥରେ ଗୋଟାଏ କବାଟ ରହିବ, ଯାହାକୁ କି କୋଲପ ଲଗାଇ ବନ୍ଦ କରି ରଖିହେବ । ତଥାପି ସମସ୍ତ ବ୍ୟପାର ସହିତ ଉତ୍ତମରୂପେ ଅଭ୍ୟସ୍ତ ହୋଇଯିବା ଲାଗି ଢେର ସମୟ ଲାଗିବ...ତା’ର କଳ୍ପନା ତାକୁ ତା’ର ସନ୍ତାନଠାରୁ ଅସଂଲଗ୍ନ କରି ରଖିଥିବା ଶୂନ୍ୟ ସ୍ଥାନଟିକୁ ଡିଆଁଇନେଇ ଚାଲିଗଲା,–କାରଣ ସନ୍ତାନ ତ ଅବଶ୍ୟ ହେବ । ସନ୍ତାନହିଁ ତା’ର ସମସ୍ତ କ୍ଷତିର ପୂରଣ କରିଦେଇ ଯିବ । ମାଡ଼ାମ୍ ଆଗାଥେଙ୍କର ସନ୍ତାନ...କିନ୍ତୁ ସେ ପୁଣି କିପରି ସନ୍ତାନଟିଏ ହେବ ? ଦେଖିବାକୁ ଅବଶ୍ୟ ଆଗାଥେ ଖୁବ୍‍ ବେଶୀ କୁରୂପା ନୁହନ୍ତି, ତାକୁ ଟିକିଏ ସୁଖ ଦେଇପାରିଲେ ସେ ପ୍ରାୟ ସ୍ୱରୂପ ଓ ସୁନ୍ଦର ଦେଖାଯାଇପାରିବେ । ଗିଲେସ୍ ମେରୀ ସହିତ କିଛି ସମୟ ଏକାନ୍ତରେ କଟାଇ ପାରିବବୋଲି ଯେଉଁଦିନ ମାଡ଼ାମ୍ ଆଗାଥେଙ୍କୁ ସାଙ୍ଗରେ ନେଇ ସେ ଜଙ୍ଗଲ ଭିତରକୁ ବୁଲି ବାହାରି ଯାଇଥିଲା, ସେଦିନ ସତେ ସେ କିପରି ପ୍ରସ୍ଫୁଟିତ ହୋଇ ଉଠିଥିବା ପରି ଦେଖା ଯାଇନଥିଲେ ? ସେତେବେଳେ ତାଙ୍କୁ ଦେଖି ଏକାବେଳକେ ଅନ୍ୟ ଏକ ଜୀବ ବୋଲି ମନେହେଉଥିଲା... ହଁ, ତାଙ୍କର ମନଟା ଅବଶ୍ୟ ଟିକିଏ ଅଧିକ ଟାଣକରି ବନ୍ଧାଯାଇଚି-। ତାଙ୍କ ସହିତ ସ୍ଥିର ଭାବରେ କଥାବର୍ତ୍ତା କରିବା ଆଦୌ ସମ୍ଭବ ନୁହେଁ, କୌଣସି ସଂକେତ ନ ଦେଇ ସେଦିନ ତାଙ୍କର ନିଶ୍ୱାସ କ୍ରମେ କ୍ଷୁଦ୍ର ଓ କ୍ଷିପ୍ର ହୋଇ ଆସିଥିଲା । ତାଙ୍କ ଆଖିର ଡୋଳାଗୁଡ଼ାକ ଆଲୋକରେ ଉଜ୍ଜ୍ୱଳ ହୋଇ ଉଠିଥିଲା, ତାଙ୍କର ଗଳାଟି ଫୁଲି ଉଠିଥିଲା । ଆପଣାର କଳ୍ପନା ଚକ୍ଷୁ ଆଗରେ ଭାସୁଥିବା ଗୋଟାଏ ଛବିପ୍ରତି ଅଧିକ ସହନଶୀଳ ହେବା ଲାଗି ନିକୋଲାସ୍ ଖୁବ୍ ଚେଷ୍ଟାକଲା–ଏହିପରି ଏକ ଛବି ପାଖରୁ ଦୂରକୁ ଚାଲିଯିବାକୁ ସେ ସବୁବେଳେ ଚେଷ୍ଟାକରି ଆସିଚି- ବୋର୍ଜୋ ସହର ମେରିଆଡେକ୍ ଅଞ୍ଚଳରେ ଥିବା ସେହି ଘରଟିରେ ପ୍ରଥମେ ସେ ଏହି ଚେଷ୍ଟା କରିଥିଲା...ସେଦିନ ସ୍ତ୍ରୀଲୋକଟା କହିଥିଲା–‘‘ଏତେବେଶୀ କାର୍ଯ୍ୟବ୍ୟସ୍ତ ରହିବା ଉଚିତ ନୁହେଁ’’ ଅବଶ୍ୟ ପରେ ସବୁ ଠିକ୍ ହୋଇଗଲା । ଗିଲେସ୍‍କୁ ରକ୍ଷା କରିବାକୁ ହେବ, ଗିଲେସ୍‍କୁ ସୁଖୀ କରିବାକୁ ହେବ । ନା–ସେଇଟା ପୂରା ସତକଥା ନୁହେଁ, ସେ ସୁଖୀ ହେବ ନାହିଁ, କିନ୍ତୁ ତାକୁ ଅନ୍ତତଃ ଟିକିଏ ଶକ୍ତି ମିଳିବ, ବିଶ୍ରାମ ମିଳିବ । ଗିର୍ଜା ଭିତରେ ଅନେକ ସମୟରେ ନିକୋଲାସ୍ ଯେଉଁଭଳି ଲୋକଙ୍କୁ ଦେଖେ, ଗିଲେସ୍ କ୍ରମେ ସେହିଭଳି ଗୋଟିଏ ଲୋକରେ ରୂପାନ୍ତରିତ ହୋଇଯିବ । ତା’ର ଚର୍ବି ବଢ଼ିଯାଇ ବେକର ପଛପାଖଟା ମୋଟା ହୋଇ ଓହଳି ପଡ଼ିବ, କାରଣ ଆପଣାର କମିଜ ଉପରେ ସେ ଗୋଟାଏ ଟାଣୁଆ କଲାର ବ୍ୟବହାର କରୁଥିବ । ଗିଲେସ୍, ବନ୍ଧୁତାର ସେହି ପ୍ରଥମ ଦିନଗୁଡ଼ିକର ସ୍ମୃତି ଭିତରକୁ ନିକୋଲାସ୍ ତା’ର ମନକୁ ଉଡ଼ାଇ ନେଲା । ପାରିସ୍ ସହରରେ ଏକତ୍ର ଚାଲିକରି ବୁଲିଥିବା ଦୀର୍ଘପଥଗୁଡ଼ିକ ତା’ର ମନେପଡ଼ିଗଲା । ମାଡ଼ୋଲାଇନ୍ ସମ୍ମୁଖରେ ଥିବା ବେଞ୍ଚ ଉପରେ ଯେଉଁଦିନ ରାତିରେ ଭାରି କ୍ଲାନ୍ତ ହୋଇ ସେମାନେ ବସି ପଡ଼ିଥିଲେ, ହଠାତ୍ ସେହି ରାତିଟିର କଥା ମନେପଡ଼ିଲା, ଥିରିଥିରି କରି ଯେଉଁ କବିତାଟି ସେ ଗିଲେସ୍‍କୁ ଆବୃତ୍ତି କରି ଶୁଣାଇଥିଲା, ସେ କଥା ମଧ୍ୟ ସେ ଭାବିବାକୁ ଲାଗିଲା । ଗିଲେସ୍ ସେଦିନ କହିଥିଲା, ‘‘ସକାଳ ହେବା ପୂର୍ବରୁ ଏହିଠାରେ ଆମ ଦୁହିଁଙ୍କର ଏକାଠି ମୃତ୍ୟୁ ହୋଇଗଲେ କେଡ଼େ ମନୋରମ ନ ହୁଅନ୍ତା ।’’

 

ଦଶ

 

‘‘ମେରୀ ସହିତ ଯିବା ମୋର ନିତାନ୍ତ ଉଚିତ ଥିଲା’’ ମାଡ଼ାମ୍ ଡୁବେର୍ନେଟ୍ କହିଲେ, ‘‘ମଙ୍ଗିଙ୍କ ଘରେ ସେ ଏକୁଟିଆ ରହିବା ମୁଁ ମୋଟେ କଳ୍ପନାହିଁ କରିପାରିବି ନାହିଁ ।

ପ୍ରତିବାଦ କରି ଆର୍‍ମାଣ୍ଡ କହିଲେ :

‘‘ତୁମକୁ ବିଶ୍ରାମ କରିବାକୁ ହେବବୋଲି ପରା ଡାକ୍ତର କହିଛନ୍ତି ?’’

ଝରକା ଉପରେ କହୁଣୀରେ ଭରାଦେଇ ସେ ଠିଆ ହୋଇଥିଲେ । ଝରକାଟି ଅଧାଖୋଲା ଥିଲା, ଅବଶ୍ୟ ସେତେବେଳକୁ ଚାରିଟା ବାଜି ନ ଥିଲା । କିନ୍ତୁ ସେହି ଭୀଷଣ ଝଡ଼ତୋଫାନ୍ ହେବା ଦିନଠାରୁ ଉତ୍ତାପ କ୍ରମେ କମିକମି ଯାଇଥିଲା । ସେ ଖଣ୍ଡେ ସିଗାରେଟ ଲଗାଇଲେ, କିନ୍ତୁ ସେଇଟି ଲଗାଇଲାବେଳକୁ ମାଡ଼ାମ୍ ଡୁବେର୍ନେଟ୍‍ଙ୍କର ଅଭିଯୋଗ ଆରମ୍ଭ ହୋଇଗଲା ।

‘‘ଅନୁଗ୍ରହ କରି,–ମୋ’ କୋଠରୀ ଭିତରେ ନୁହେଁ ।’’

ସିଗାରେଟ୍ ଖଣ୍ଡକ ସେ ବଗିଚା ଭିତରକୁ ଫୋପାଡ଼ି ଦେଲେ । ମାଡ଼ାମ୍ ଡୁବେର୍ନେଟଙ୍କ ହାତରୁ ଖାଲି କପଟା ଆଗାଥେ ନେଇଗଲେ ।

‘‘ମୁଁ ଯାଉଚି, ତାକୁ ଶୀଘ୍ର ସାଙ୍ଗରେ ନେଇ ଆସିବି ।’’

‘‘ସାଲୋନ୍ ଘରର ସେ ଟୋକାଟା ମଧ୍ୟ ସେଠାକୁ ଯେ ନିମନ୍ତ୍ରିତ ହୋଇ ଆସିଥିବ, ଏଇଟା ତ ପ୍ରାୟ ଜଣାଶୁଣା କଥା । ତାହାକୁ ନିମନ୍ତ୍ରଣ କରିବା ଉଚିତ ବା ଅନୁଚିତ ସେ ବିଷୟରେ ମଙ୍ଗିଙ୍କ ଘରେ କେହି କୌଣସି ବିଚାର କରୁଥିବା ପରି ମୋର ମନେହୁଏ ନାହିଁ ।’’

ମାଡ଼ାମ୍ ଆଗାଥେ କହିଲେ: ‘‘ମେରୀ ମତେ ଜବାବ୍ ଦେଇଯାଇଚି ଯେ ସେ ଟୋକାଟା ସେଠାକୁ ଆସିଥିଲେ ସେ ତା’ ସହିତ ପଦେ ହେଲେ କଥାବାର୍ତ୍ତା କରିବ ନାହିଁ ।’’

‘‘କିନ୍ତୁ ସେମାନେ ପରସ୍ପର ଆଡ଼କୁ ତ ନିଶ୍ଚୟ ଚାହିଁବେ ଆଉ ଚାହାଣୀରେ ତ ଅନେକ କିଛି କଥାବାର୍ତ୍ତା ହୋଇପାରିବେ । ତାହାରି ସକାଶେ ମତେ ପ୍ରକୃତରେ ଭାରି ଲଜ୍ଜିତ ଲାଗୁଚି । ସେ ମୋର ଝିଅ ବୋଲି ଭାବିଲାବେଳକୁ...’’

‘‘ମୁଁ ଅବଶ୍ୟ କହିବି ଯେ...’’

ଆର୍‍ମାଣ୍ଡ ଅଧା ବାକ୍ୟରେ ଚୁପ୍ ହୋଇଗଲେ ଏବଂ ପୁଣି ଝରକା ପାଖକୁ ଫେରିଗଲେ-। କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ନୀରବ ରହିଲେ, ସେଉଠୁ ପୁଣି ମାଡ଼ାମ୍ ଡୁବେର୍ନେଟଙ୍କର ଅଭିଯୋଗ ଆରମ୍ଭ ହେଲା ।

‘‘ସେ ନିକୃଷ୍ଟ ଶ୍ରେଣୀର ଗାଉଁଲି ଡାକ୍ତରଟା ପ୍ରତି ଯେ କାହିଁକି ମୁଁ ଏତେଟିକିଏ ମଧ୍ୟ ଧ୍ୟାନ ଦେବି, ସେଇକଥା ମୁଁ ଜାଣିପାରୁନାହିଁ । ଯେତେବେଳେ ମଣିଷ ତାଙ୍କ ପାଖକୁ ଯିବ ଓ ତାଙ୍କୁ କିଛି ପଚାରିବ, ବହି ଖେଳାଇ ନ ଦେଖିଲେ ସେ ଗୋଟିଏ ହେଲେ ଉତ୍ତର ଦେଇପାରିବେ ନାହିଁ । ତାଙ୍କ ସହିତ କଥାବାର୍ତ୍ତା ହେଲାବେଳେ ତାଙ୍କୁ ଠିକ୍ ଗୋଟିଏ ପକ୍‍କା ନିର୍ବୋଧ ପରି ମୋର ମନେହୁଏ ।’’

 

‘‘କିନ୍ତୁ ଚାଲିବାବେଳକୁ ତୁମକୁ ଯେଉଁ ଭାରି ଭାରି ଲାଗୁଚି ବୋଲି ତୁମେ କହୁଚ…. ଅବଶ୍ୟ ମୁଁ ସ୍ୱୀକାର କରୁଚି ଯେ,’’ ଶ୍ରୀଯୁକ୍ତ ଡୁବେର୍ନେଟ୍ କହିବାକୁ ଲାଗିଲେ, ‘‘ତାଙ୍କଭଳି ଅଳ୍ପ ବୟସର ଜଣେ ଡାକ୍ତରଙ୍କର କଦାପି ଡାକ୍ତର ସାଲୋନଙ୍କ ଭଳି ଅଭିଜ୍ଞତା ନ ଥିବ।’’

 

କୁଶନ୍ ଭିତରୁ ଗୋଟାଏ ଚିଡ଼ିଚିଡ଼ା ଲମ୍ୱା ମୁହଁ ବାହାର କରି ସ୍ତ୍ରୀ କହିଲେ:

‘‘ତୁମେ କ’ଣ କହୁଚ ମୁଁ ସେହି ଠକଟା ପାଖକୁ ପରାମର୍ଶ କରିବାକୁ ଯିବି ?’’

 

ଶ୍ରୀଯୁକ୍ତ ଡୁବେର୍ନେଟ୍ କହିଲେ ‘‘ତୁମେ ଜାଣିଚ, ସେ ଏହି ବିବାହ ବିଷୟରେ ତୁମଠାରୁ ଏତେ ଟିକିଏ ଅଧିକ ଆଗ୍ରହୀ ନୁହନ୍ତି ।’’

 

‘‘କେତେ ବାଜେକଥା ତୁମେ କହୁଚ । ତୁମେ ଏସବୁ କାହାଣୀ ଶୁଣିଲ କେଉଁଠାରୁ ?’’

 

ସେ ଉତ୍ତର ଦେବାକୁ ବସିଥିଲେ–‘‘କାହିଁକି, ମାଡ଼ାମ୍ ଆଗାଥେଙ୍କଠାରୁ’’–କିନ୍ତୁ ଗୃହଧାତ୍ରୀ ଓଠ ଉପରେ ଆଙ୍ଗଠି ଚାପାଦେଇ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ତାଙ୍କ ଆଡ଼କୁ ଅନାଇ ରହିଥିଲେ । ସେ କହିଲେ : ‘‘ସହରରେ ତ ସେ ବିଷୟରେ ସମସ୍ତେ କଥାବାର୍ତ୍ତା କରୁଚନ୍ତି । ମୁଁ ଶୁଣିବାକୁ ପାଇଲି ଯେ ବାଲୁଜ୍‍ଠାରେ ନୂଆ ଘରବାଡ଼ି କିଣିସାରିବା ପରେ ଆମ ଡାକ୍ତରବାବୁ ଆହୁରି ଆଗକୁ ଯୋଜନାମାନ କରିଚନ୍ତି । ...ସେହି ସଂକ୍ରାନ୍ତରେ ମଧ୍ୟ ଅନେକ ଲୋକଙ୍କର ନାମ ଶୁଣାଯାଉଚି । ଲୋକମାନେ କହୁଚନ୍ତି ଯେ ସେସବୁ ବିଷୟ ଜାଣିଲେ କୁଆଡ଼େ ଆମେମାନେ ମଧ୍ୟ ଅବାକ୍ ହୋଇଯିବା । ...ବୋର୍ଦୋର ବଡ଼ ବଡ଼ ବ୍ୟବସାୟମାନେ ଏହି ସ୍ଥାନର ଭୂସମ୍ପତ୍ତି ଉପରେ ଲୋଭ ଦୃଷ୍ଟି ପକାଇବାକୁ ଆରମ୍ଭ କରିଦେଲେଣି ।’’

 

‘‘ଏଥିରେ ସେମାନଙ୍କର ଯାହା ଲାଭ ହେବାର ହେଉଥାଉ ।’’ –ଜୁଲିଆ ଡୁବେର୍ନେଟ୍ ସତେ ଯେପରି ପରାସ୍ତ ହୋଇଗଲା ପରି ଅନୁଭବ କରୁଥିଲେ । ମାତ୍ର ସେ କହିଲେ, ‘‘ବୋର୍ଦୋର ଲୋକମାନେ ଯାହା କରନ୍ତୁ ପଛକେ, ଆମେ ସେଥିରେ ମୁଣ୍ଡ ପୁରାଇବା କାହିଁକି ? ସେ ଯାହାହେଉ, ସେମାନେ ଆଗ ଅନୁସନ୍ଧାନ କରି ଦେଖନ୍ତୁ । ……ଡୋର୍ଥେର ଲୋକମାନେ ଯାହା କହିବେ ସେଥିରେ ମୋର କିଛି ଯାଏ ଆସେ ନାହିଁ । କହିସାରିବାବେଳକୁ ତାଙ୍କୁ ରାଗିବା ପରି ଦେଖାଯାଉଥିଲା ।

 

‘‘ଆପଣ ଆଉ କ’ଣ ଆଶା କରୁଛନ୍ତି ?’’ –କଥାବାର୍ତ୍ତାରେ ଯୋଗଦେଇ ଆଗାଥେ କହିଲେ ‘‘ଟଙ୍କା ପଇସାକୁ ଜୀବନର ଏକମାତ୍ର ଜିନିଷ ବୋଲି ମନେ ନ କରୁଥିବା ଲୋକ ଯେ ସଂସାରରେ ଅଛନ୍ତି, ସେଭଳି ଲୋକ ତ ଆଉ ସେକଥା ବୁଝିବେ ନାହିଁ । ସେମାନେ ଏବଂ ଆପଣ ଭିନ୍ନ ଭିନ୍ନ ପ୍ରକୃତିର ମଣିଷ । ସମ୍ପୂର୍ଣ୍ଣ ଗମ୍ଭୀର ଭାବରେ ହୁଏତ ମୁଁ ସେମାନଙ୍କୁ କହିବି ଯେ ଦୁଇଜଣଙ୍କ ଲାଗି ଯଥେଷ୍ଟ ହେବାଭଳି ଅର୍ଥ ମେରୀର ଦରକାର । କେଡ଼େ ନିର୍ବୋଧ ଭାବରେ ସେମାନେ କଥା କହନ୍ତି, ତାହା ତ ଆପଣ ଜାଣନ୍ତି, -ଅଳପ ଥିବା ଲୋକମାନେ ବେଶୀପାଇଁ ଇଚ୍ଛା କରନ୍ତି’’ –ସେମାନଙ୍କର ବୁଦ୍ଧି ତ ଯାଇ ଯାଇ ଏଇ ପର୍ଯ୍ୟନ୍ତ !’’

 

‘‘ତଥାପି ଏଥିରେ ନିଶ୍ଚୟ କିଛି ରହିଚି,’’ –ଚାପିଚାପି ଆର୍‍ମଣ୍ଡ ଡୁବେର୍ନେଟ୍ ଆରମ୍ଭ କଲେ, ‘‘ହଁ ମୁଁ ଶୁଣିବାକୁ ପାଇଲି ଯେ ଯେଉଁ ନିର୍ବୋଧ ଲୋକମାନେ ବାଲୁଜ୍‍ ଘରବାଡ଼ିକୁ ବିକ୍ରୀ କଲେ, ସେମାନେ ତାହା ସହିତ ଗ୍ରନ୍ଥାଗାରଟିକୁ ମଧ୍ୟ ଦେଇ ଦେଇଛନ୍ତି । ସୋସ୍-ପ୍ରିଫେକ୍‍ଟର କହିବା ଅନୁସାରେ ଜଣାପଡ଼ୁଚି ଯେ ସେହି ଗ୍ରନ୍ଥାଗାରରେ ଅନେକ ମୂଲ୍ୟବାନ୍ ସାମଗ୍ରୀ ରହିଚି ।’’

 

‘‘ହଁ ମୁଁ ଜାଣିଚି’’–ମାଡ଼ାମ୍ ଆଗାଥେ କହିଲେ, ‘‘କଲେଜଆଡ଼େ ଶୁଣାଯାଉଛି ଯେ ତା’ ଭିତରେ ‘ପ୍ରୋଭିନସିଆଲ୍’ର ଗୋଟିଏ ପ୍ରଥମ ସଂସ୍କରଣ ମଧ୍ୟ ରହିଚି, ସେଥିରେ ମାର୍ଜିନ ଉପରେ ନିଜେ ଆର୍ନୋଲଡ଼୍ ଆପଣାର ମନ୍ତବ୍ୟମାନ ଲେଖିଛନ୍ତି ।’’

 

‘‘ସେକଥା ସମ୍ଭବ ହେଲାପରି ମୁଁ ଅନୁମାନ କରୁନାହିଁ, କାରଣ..…’’ ମାଡ଼ାମ୍ ଡୁବେର୍ନେଟ୍ ତାଙ୍କ କଥାକୁ ମାଡ଼ିବସି କହିଲେ :

 

‘‘ବୁଝିଲ ଆଗାଥେ, ମୁଁ ଭାବୁଚି ପାଞ୍ଚଟା ବାଜିବାପର୍ଯ୍ୟନ୍ତ ଅପେକ୍ଷା ନ କଲେ ବରଂ ଭଲ ହୁଅନ୍ତା । ତୁମେ ଶୀଘ୍ର ମଙ୍ଗିଙ୍କ ଘରକୁ ଯାଆନ୍ତକି ।’’

 

‘‘ମୁଁ ତୁମ ସହିତ କ୍ଲବ୍ ପର୍ଯ୍ୟନ୍ତ ଯାଇପାରିବି’’–ଆର୍‍ମାଣ୍ଡ କହିଲେ ।

 

‘‘ନାଇଁ, ତୁମେ ଏଇଠି ଥାଅ । ଘରେ ମୁଁ ଏକୁଟିଆ ରହିବାକୁ ଆଦୌ ଚାହୁନାହିଁ । ମୁଁ ଉପରେ ଘଣ୍ଟି ବଜାଇଲେ ତଳେ ତାହାକୁ କେହି ଶୁଣିପାରନ୍ତି ନାହିଁ । ଆଉ କ୍ଲବକୁ ଗଲେ ତ ତୁମେ ସେଠାରେ ବସି ଖାଲି ମଦ ପିଇବ ।’’

 

ସତେ ଯେପରି ଗୋଟାଏ କିଛି ଅନୁଗ୍ରହ ଦେଖାଉଥିବା ପରି ମୁଖଭଙ୍ଗୀ କରି ସେ କହିଲେ, ‘‘ତୁମର ଇଚ୍ଛା ହେଲେ ତୁମେ ଏଠାରେ ବସି ଧୁମ୍ରପାନ କରିପାରିବ । କିନ୍ତୁ ମନେରଖ, ଝରକାଟାକୁ ନିଶ୍ଚୟ ଖୋଲା ରଖିବାକୁ ହେବ’’

 

ଗୋଟିଏ ଛୋଟିଆ ଟୁଲ ଉପରେ ନଇଁପଡ଼ି ଆପଣାର ପକେଟରୁ ସେ ଗୋଟାଏ ପ୍ୟାକେଟ୍ କାପୋରାଲ୍ ସିଗାରେଟ୍ ବାହାର କରିନେଲେ ।

 

ପ୍ରଥମ ଦୃଷ୍ଟି ପକାଇବାମାତ୍ରକେ ମାଡ଼ାମ୍ ଆଗାଥେ ଦେଖିପାରିଲେ ଯେ ମେରୀ ଯାହା କଥା ଦେଇଯାଇଥିଲା, ଠିକ୍ ସେହି ଅନୁସାରେ ସେ କାମ କରୁଚି । ଗିଲେସ୍‍ଠାରୁ ଖଣ୍ଡେ ଦୂରରେ ଟେନିସ୍ ଖେଳ ଦେଖୁଥିବା ଦଳେ ଅତିଥିଙ୍କ ସହିତ ମେରୀ ଠିଆ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଝିଅମାନଙ୍କ ଭିତରୁ ତାକୁ ସବୁଠାରୁ ଅଧିକ ସମ୍ଭ୍ରାନ୍ତ ଘରର ବୋଲି ମନେହେଉଥିଲା, ତାହାରି ଉପରେ ଆଗ ଆଖି ପଡ଼ିଯାଉଥିଲା । ମ୍ୟାଡ଼ାମ୍ ଆଗାଥେ ଭାବିଲେ, ତା’ର ଚେହେରା ଖୁବ୍ ଚମତ୍କାର ଦେଖାଯାଉଚି । ତଥାପି ତା’ର ଚାହାଣୀରେ କାମାତୁରତା ଭରିରହିଚି, -ତାହାକୁ ବେଶ୍ ସଙ୍ଗତ ଭାବରେ ଏକ ମୃଣ୍ମୟ ଭଙ୍ଗୁରତା ବୋଲି କୁହାଯାଇପାରିବ । ଅନ୍ୟସବୁ ଝିଅଗୁଡ଼ାକ ଖାଲି ଥାକୁଲି ଆଉ ଆଉ ଗେଡ଼ା ଗେଡ଼ା, -କେବଳ ନିତମ୍ବ –ମୁଣ୍ଡରେ ଗୋଛାଏ ଗୋଛାଏ ବାଳ ଆଉ ଫିକାନାଲି ଓ ନୀଳ ରଙ୍ଗର ମୁଣ୍ଡଫିତା, ସେମାନଙ୍କ ଭିତରେ ମେରୀ ବେଶ୍ ଡେଙ୍ଗା ଆଉ ପତଳା ଦେଖାଯାଉଥାଏ, ତା’ର ନିତମ୍ବଗୁଡ଼ାକ ଆଦୌ ସ୍ଥୁଳ ନୁହେଁ,–ସ୍ତନ ଦୁଇଟି ଛୋଟ ଓ ଉଚ୍ଚ ଉଚ୍ଚ, ଯାହା ଉପରେ ଆଖି ପଡ଼ିଲାକ୍ଷଣି ମେରୀ ଦେହରେ ଥିବା ଅନ୍ୟସମସ୍ତ ଅଙ୍ଗକୁ ଭୁଲି ହୋଇଯାଉଥିଲା । ବଗିଚାର ବିଲ୍‍କୁଲ ସେଇ ଆଡ଼କୁ ଜଳଯୋଗର ବ୍ୟବସ୍ଥା କରାଯାଇଥିବା ଜାଗାରେ ଗିଲେସ୍ ଛିଡ଼ା ହୋଇଥିଲା । ତା’ର ମୁହଁ ଉପରେ ଗୋଟାଏ ପ୍ରକାର ଅସନ୍ତୋଷର ଭାବ, କାରଣ ତାକୁ ଭଲ ଲାଗୁ ନ ଥିଲା । ତା’ର ମୁଣ୍ଡରେ ସେ କେତେ ବାସନା ତେଲ ଢାଳି କରି ଆସିଥିଲା, ତଥାପି ତା’ର ବାଳଗୁଡ଼ାକ କୁକୁଡ଼ା ପୁଚ୍ଛ ପରି ଠିଆ ହୋଇରହିଥାଏ । ସେ ପରିଧାନ କରିଥିବା କଲାରରେ ଗୁଡ଼ାଏଷ୍ଟାର୍ଚ୍ଚ ଦିଆଯାଇଥିଲା, ତେଣୁ କଲାରଟା ଭିଡ଼ି ହୋଇ ରହିଥିବାରୁ ତା’ର ମୁହଁଟା ବେଶ୍ ରଙ୍ଗା ପଡ଼ିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଯୁବକମାନଙ୍କ ସହିତ ତା’ର ମଧ୍ୟ କୌଣସି ସାମଞ୍ଜସ୍ୟ ନ ଥିଲା । ସେମାନଙ୍କ ଭିତରୁ କେତେକ ବେଶ୍ ମୋଟା ହେବାକୁ ଆରମ୍ଭ କରିଥିଲେ । ସେମାନଙ୍କ ବେକ, ହାତ ସବୁ ଏକାପରି ଦେଖାଯାଉଥିଲା । ଗିଲେସ୍‍ର ଚେହେରାରେ ଦେବଦୂତର ଆଭାପରି ଗୋଟାଏ ଆଭା ରହିଚି ବୋଲି ନିକୋଲାସ୍ ତାଙ୍କ ଆଗରେ ଥରେ ଯେଉଁ ମନ୍ତବ୍ୟ ପ୍ରକାଶ କରିଥିଲା, ସେ କଥା ଆଗାଥେଙ୍କର ମନେପଡ଼ିଗଲା-। ‘‘ଅତି ନିବିଡ଼ ଭାବରେ ଦେବ ସୁଲଭ,’’ –ନିକୋଲାସ୍ ଠିକ୍ ଏହି ଶବ୍ଦଗୁଡ଼ିକ ବ୍ୟବହାର କରିଥିଲା-। ସାଲୋନ୍ ପରିବାରର ଏହି ଯୁବକଟିକୁ ଦେଖିବାକୁ ତାଙ୍କୁ ଆଉ ବିରକ୍ତ ଲାଗିଲା ନାହିଁ । ସେ ତାଙ୍କର ସମସ୍ତ ଈର୍ଷାଦ୍ୱେଷ ପାସୋରି ପକାଇଲେ । ମାଡ଼ାମ୍ ମଙ୍ଗୀ ଓ ତାଙ୍କୁ ବେଷ୍ଟିତ କରି ରହିଥିବା ସ୍ତ୍ରୀଲୋକମାନଙ୍କ ସହିତ ସେ ପଦେ ଦୁଇପଦ କଥାବାର୍ତ୍ତା ହେଲେ । ବସିବା ଲାଗି ତାଙ୍କୁ କେହି ଅନୁରୋଧ କଲେ ନାହିଁ । ଆଗାଥେ ତାଙ୍କ ବାପାଙ୍କ ଝିଅ ହୋଇପାରନ୍ତି କିନ୍ତୁ ବର୍ତ୍ତମାନ ତ ସେ ଗୋଟିଏ ପରିବାରର ଧାତ୍ରୀ ହିସାବରେ ଏଠାକୁ ଆସିଥିଲେ । ସେ ଚାଲିଗଲାବେଳକୁ ଜଣେ କିଏ କହିଲା:

 

‘‘ମାଡ଼ାମ୍ ଆଗାଥେଙ୍କର କ’ଣ ହେବ କେଜାଣି ? ତାଙ୍କର ଚେହେରାଟା କାହିଁକି ଭାରି କାମୋଦ୍ଦୀପକ ଦେଖାଯାଉଚି ।’’

 

‘‘ମୋତେ ସବୁକଥା ଜଣାଅଛି । ସେ ତ ଆଜିକାଲି ବୁଡ଼ି ବୁଡ଼ି ପାଣି ପିଉଚନ୍ତି… ।’’

 

‘‘ମୁଁ ଭାବୁଚି, ନିଶ୍ଚୟ ଗୋଟାଏ କିଛି ଘଟିବାକୁ ଯାଉଚି । ଲୋକମାନେବି ସେ ବିଷୟରେ ଫୁସ୍‍ଫୁାସ ହେଲେଣି… ।’’

 

ସମସ୍ତଙ୍କ ଭିତରେ ଉଛୁଳାଏ ହସ ଖେଳିଗଲା । ମାଡ଼ାମ୍ ଆଗାଥେ ବିଭିନ୍ନ ଦଳ ଭିତରେ ଆପଣାର ବାଟକାଟି ଚାଲିଗଲେ । ବାଟରୁ ଟିକିଏ ବଙ୍କେଇ ଯାଇ ସେ ଜଳଯୋଗାର ବ୍ୟବସ୍ଥା କରାହେଉଥିବା ଜାଗାରେ ଯାଇ ପହଞ୍ଚିଲେ । ଗିଲେସ୍ ତାଙ୍କ ପାଖକୁ ଆସି ପଚାରିଲା, ‘‘ଆପଣ କିପରି ଅଛନ୍ତି ?’’ ଅଳ୍ପ କଥାରେ ତା’ର ଜବାବ ଦେଇ ସେ ତା’ ପାଖରୁ ବିଦାୟ ନେଲେ । କିନ୍ତୁ ତା’ର କାନରେ ଫୁସ୍ କରି ଏତକ କଥା କହିବାକୁ ଅବଶ୍ୟ ସେ ଯଥେଷ୍ଟ ସମୟ ପାଇଲେ: ‘‘ଆଜି ରାତି ନଅଟାବେଳେ ମୁଁ କାଷ୍ଟଲନ୍ ରାସ୍ତା ପାଖରେ ଥିବି, ନିକୋଲାସ୍‍କୁ କହିଦେବ । ମେରୀ ତୁମଲାଗି କୁଦ ପାଖରେ ଅପେକ୍ଷା କରିଥିବ ।’’ ଗିଲେସ୍ ତାଙ୍କର କଥାଟା ଠିକ୍ ଠିକ୍ ବୁଝିପାରିଲାତ-? କାହାରି ମନରେ କାଳେ କୌଣସି ସନ୍ଦେହ ଜାତ ହେବ, ସେଥିପାଇଁ ସେ ତା’ପାଖରେ ଆଉ ମୁହୂର୍ତ୍ତେ ମଧ୍ୟ ଠିଆ ହୋଇ ରହିପାରିଲା ନାହିଁ । ତାଙ୍କର ମନେହେଲା, ସେପରି ଅନେକ ବିଳମ୍ବ ହୋଇଗଲାଣି । ସେ ମେରୀ ପାଖକୁ ଯାଇ କହିଲେ–‘‘ଆସ, ଯିବା ।’’ ବାଳିକାଟି ‘ଆଉ ଦୁଇଦଣ୍ଡ’ ଅପେକ୍ଷା କରିବାକୁ ଅନୁରୋଧ କଲା । ଧୀର ସ୍ୱରରେ ମାଡ଼ାମ୍ ଆଗାଥେ କହିଲେ:

 

‘‘ଆଜି ରାତିରେ ତୋ’ ସହିତ ତା’ର ସାକ୍ଷାତ୍ ହେବ ।’’ ‘‘ସତେ ? ଦୀର୍ଘ ନିଶ୍ୱାସ ପକାଇ ବାଳିକା ପଚାରିଲା ।’’

 

ତା’ର ମୁହଁ ବିଲକୁଲ୍ ଶେତା ପଡ଼ିଯାଇଥାଏ । ଗୃହଧାତ୍ରୀଙ୍କର ବାହୁପାଖରେ ଲାଖି ରହିବା ପରି ସେ ଠିଆ ହୋଇଥାଏ । ମାଡ଼ାମ୍ ଆଗାଥେ କହିଲେ:

 

‘‘କେଡ଼େ ନିର୍ବୋଧ ଛୁଆ ତୁ... ।’’

‘‘ମୁଁ ତୁମକୁ ଭାରି ଭଲପାଏ’’–ମେରୀ ଉତ୍ତର ଦେଲା ।

‘‘ଆଉ ତା’ ଆଡ଼କୁ ଅନାଇବା ଦରକାର ନାହିଁ । ଆମେ ଇଆଡ଼େ ଇଆଡ଼େ ଚାଲିଯିବା-।’’

‘‘ବୁଢ଼ୀ ବିଲେଇଟା ଆସି ତାକୁ ଝାମ୍ପିନେଇ ଚାଲି ଯାଉଚି... ।’’ ମାଡ଼ାମ୍ ମଙ୍ଗୀ କହିବାକୁ ଲାଗିଲେ ।

 

Unknown

ଏଗାର

 

କୃଷ୍ଣ ପକ୍ଷରେ କ୍ଷୟିଷ୍ଣୁ ଜହ୍ନରୁ ଏତେ ଆଲୁଅ କିପରି ବିଞ୍ଚିହୋଇ ପଡ଼ୁଥିଲା, ସେକଥା ଭାବିବାକୁ ବଡ଼ ଅବାକ ଲାଗୁଥାଏ । କାହାର ଆଖିରେ ପଡ଼ିଯିବା ଭୟରେ ମାଡ଼ାମ୍ ଆଗାଥେ ଲୁଚି ଲୁଚି ଯାଉଥାନ୍ତି । ଏ ପାଖରେ ଗୋଟିଏ ଧଳା ପଥରର ଗଦା ଅପର ପାଖରେ ଖାଲ । ସେ ଭାରି ବିବ୍ରତ ଅନୁଭବ କରୁଥାନ୍ତି । ସହରର ବାହାରେ ନିକୋଲାସ୍ ତାଙ୍କ ପାଇଁ ଅପେକ୍ଷା କରିଥିବ ବୋଲି ସେ କେତେ ଆଶା କରିଥିଲେ । ହୁଏତ ଗିଲେସ୍ ତାଙ୍କର କଥା ବୁଝିପାରିଲା ନାହିଁ, ବା ଭୁଲ ଖବର ଦେବା ଉଦ୍ଦେଶ୍ୟରେ ଖବରଟାକୁ ଅତି ସଂକ୍ଷିପ୍ତ କରି ସେ ନିକୋଲାସ୍ ଆଗରେ ଯାଇ କହିଚି ।

 

ରାସ୍ତାଟି ଯେଉଁଠାରେ ଲେରୋଟ୍ ନଦୀକୁ ଅତିକ୍ରମ କରିଚି, ସେହି ପର୍ଯ୍ୟନ୍ତ ଯିବା ଲାଗି ସେ ନିଷ୍ପିତ୍ତି କଲେ । ନଈଆଡ଼େ ସନ୍ତସନ୍ତିଆ ଦୁର୍ଗନ୍ଧ ଆସୁଥାଏ, ବେଙ୍ଗଗୁଡ଼ାଙ୍କର ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଥାଏ । ଠିକ୍ ତାଙ୍କର ମୁଣ୍ଡ ଉପରେ ପେଚାଟିଏ ବୋବାଉଥାଏ । ହଠାତ୍ ସେ ନିକୋଲାସ୍‍କୁ ଦେଖିବାକୁ ପାଇଲେ । ପୋଲର ବାଡ଼ା ଉପରେ ସେ ଛାଇ ଉଢ଼ୁଆଳରେ ବସିଥିଲା-। ନିକୋଲାସ୍ ଉଠି ଠିଆ ହେଲା । ସିଧା ଯାଇ ସେ ତା’ ପାଖରେ ପହଞ୍ଚିଲେ । ସେ କହିଲା:

 

‘‘ବସନ୍ତୁ । ରାସ୍ତା ଉପରୁ ଆଉ ଆପଣଙ୍କୁ କେହି ଦେଖିପାରିବେ ନାହିଁ ।’’ ମାଡ଼ାମ୍ ଆଗାଥେ ଅପେକ୍ଷା କରିଥାନ୍ତି,–କିନ୍ତୁ କାହିଁ, ନିକୋଲାସ୍ ତାଙ୍କୁ ଚୁମ୍ବନ ଦେଲାନାହିଁତ । ନିକୋଲାସ୍ ମନରେ ସେହି କଥାର ଖିଆଲହିଁ ହେଲା ନାହିଁ ।

 

‘‘ସେମାନେ କ’ଣ ଏକାଠି ଅଛନ୍ତି ?’’ ସେ ପଚାରିଲା । ‘‘କୌଣସି ବିପଦର ଆଶଙ୍କା ଅଛି ବୋଲି ଆପଣ ଅନୁମାନ କରୁଚନ୍ତିକି ?’’

 

‘‘ନାଇଁ, ଆଉ କି ବିପଦ ?’’ –ସେ ଶୁଷ୍କଭାବରେ କହିଲେ, ମାଡ଼ାମ୍ ଡୁବେର୍ନେଟ୍ ଘରେ ପୀଡ଼ିତ ଅଛନ୍ତି । ତା’ପରେ ଯଦି ସେମାନଙ୍କ ଉପରେ କାହାରି ଆଖି ପଡ଼ିଯାଏ, ତା’ହେଲେ ସବୁଠାରୁ ସହଜ ଉପାୟରେ ସମସ୍ୟା ସମାଧାନ ହୋଇଯିବ……ତେବେ ତ ବାଧ୍ୟ ହୋଇ ତାହାର ପିତାମାତା ସମ୍ମତ ହୋଇଯିବେ ।’’

 

ତଥାପି ନିକେଲାସ୍ କିଛି କହିଲା ନାହିଁ । ତାକୁ ଦେଖି ସେହି ପୋଲ ଦେହରେ ଥିବା ଖଣ୍ଡିଏ ପଥର ପରି ବୋଧ ହେଉଥିଲା । ପାଣି ଭିତରକୁ ଚେର ମଡ଼ାଇ ଠିଆ ହୋଇଥିବା ପାଇନ୍ ଗଛଟି ପରି ସେ ନିଶ୍ଚଳ ହୋଇ ରହିଥିଲା । ମାଡ଼ାମ୍ ଆଗାଥେ କହିଲେ :

 

‘ହଁ, ଅବଶ୍ୟ ମୋର ଚାକିରୀଟି ମୋତେ ହରାଇବାକୁ ପଡ଼ିବ । କିନ୍ତୁ ଆଜି ହେଉ ବା କାଲି ହେଉ, ତୁମ ସହିତ ପାରିସ୍ ଗଲେ ଦିନେ ତ ମୋତେ ସେଠାରୁ ଯିବାକୁହିଁ ପଡ଼ିବ ।’

 

ନିଦରୁ ଉଠିଲା ପରି ନିକୋଲାସ୍ କହିଲା:

 

‘‘ନାଁ–ଆଗାଥେ–ନା…ମୋର ବିଶ୍ୱାସ ତୁମର ମନରେ ସେପରି କୌଣସି ଭାବନାକୁ ତୁମେ ସ୍ଥାନ ଦେଇନାହଁ । ତୁମେ ତୁମର ସ୍ଥାନଟି ତ୍ୟାଗକରିବା ଆଦୌ ଉଚିତ ହେବନାହିଁ । ଏ ପର୍ଯ୍ୟନ୍ତ କିଛି ସ୍ଥିର ହୋଇନାହିଁ ଏ ବିଷୟରେ ମୋର ମାଆକୁ ଏ ପର୍ଯ୍ୟନ୍ତ ମୁଁ ପଦେହେଲେ କଥା କହିନାହିଁ ।’’

 

‘‘ତେବେ ତୁମେ ଆଉ କ’ଣପାଇଁ ଅପେକ୍ଷା କରିଚ ?’’ –ଆଗାଥେ ପଚାରିଲେ । ସେ ଖନିଖନି ହୋଇ କ’ଣ ଗୋଟାଏ ଉତ୍ତର ଦେଲା । ସେ ବିଷୟରେ ସେ ଗୋଟାଏ ପ୍ରାଥମିକ ଉଦ୍ୟମ କରିଚି, ବୋଧହୁଏ ଏହିକଥା ସେ କହିଲା । ସେ କହିଲା ଯେ ଖୁବ୍ ସାବଧାନତାର ସହିତ ତାକୁ ଅଗ୍ରସର ହେବାକୁ ପଡ଼ିବ ।

 

ଝାମ୍ପ ମାରିପଡ଼ିବା ପରି ମାଡ଼ାମ୍ ଆଗାଥେ କହିଲେ:

 

‘‘ତୁମ ମାଆର ଦାୟିତ୍ୱ ତୁମେ ମୋ ଉପରେ ଛାଡ଼ି ଦେଇପାରିବ । ତାଙ୍କର ଆପତ୍ତିଗୁଡ଼ାକୁ ଅତିକ୍ରମ କରିବାଲାଗି ମୋ ପାଖରେ ଉପାୟ ଓ ସାଧନ ରହିଚି । ସେଥିପାଇଁ ବେଶୀ ସମୟ ଲାଗିବ ନାହିଁ ।’’

 

ଆପଣା ବିଷୟରେ ସେ କେଡ଼େ ନିଶ୍ଚିତ ହୋଇରହିଥିଲେ । ଅସଲକଥା ପାଖକୁ ସେ କେତେ ସିଧାସଳଖ ଭାବରେ ଚାଲିଯାଇ ପାରୁଥିଲେ । ନିକୋଲାସ୍ ବଡ଼ ଶଙ୍କିତ ଅନୁଭବ କରିବାକୁ ଲାଗିଲା । ସେ ତ ଭାବିଥିଲା ଯେ ମାଆଙ୍କୁ ଆପଣା ପକ୍ଷକୁ ଆଣିବାକୁ ଅନେକ ସମୟ ଲାଗିବ । ମାଆ ମରିବା ପର୍ଯ୍ୟନ୍ତ ହୁଏତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ସେହିପରି ଗୋଟାଏ କିଛି ଘଟିବବୋଲି ମଧ୍ୟ ସେ ଆଶା କରିଥିଲା । ସେତ ବେଶ୍ ନିଶ୍ଚିନ୍ତ ହୋଇ ରହିଥିଲା ଯେ ମାଆ ଏହି ବ୍ୟାପାରରେ ନିଶ୍ଚୟ ‘ନାହିଁ’ ବୋଲି କହିବେ–ସେ ଏଥିରେ ନିଶ୍ଚୟ ବାଧା ଦେବେ । ଆଉ ଏହି ଏକଜିଦିଆ ଦୃଢ଼ମନା ଜନ୍ତୁ ସେ ସମସ୍ତକୁ ବିଲ୍‍କୁଲ୍‍ ବଦଳାଇ ଦେବାକୁ ବସିଚି । ..ସେ କହିଲା:

 

‘‘ତୁମେ ମୋର ମାଆଙ୍କୁ ଚିହ୍ନି ନାହିଁ ।’’

 

‘‘କିନ୍ତୁ ତୁମେ ତ ମୋତେ ଜାଣିଚ...’’ ସେ ଉତ୍ତର ଦେଲେ : ‘‘ଆଉ ଯେତେବେଳେ ମୁଁ କୌଣସି ଉଦ୍ୟମରେ ହାତ ଦିଏ…’’

 

ଗୋଟାଏ ପ୍ରକାର ଛଦ୍ମ ଉଦାସୀନତାର ଭାବ ପ୍ରକାଶ କରି ସେ ପଚାରିଲା :

‘‘ମାଆଙ୍କୁ ତୁମେ କ’ଣ ବୋଲି ଭାବିଚ ?’’

 

‘‘ସେକଥା ତୁମକୁ ମୁଁ କହିପାରିବି ନାହିଁ’’ ସେ ଉତ୍ତର ଦେଲେ, ‘‘ଦେଖିବ, ଆଉ ସପ୍ତାହକ ପରେ ତୁମର ମାଆ ଦିନ ଠିକ୍ କରିବା ଲାଗି ତୁମକୁ ଉଚ୍ଛନ୍ନ କରି ବସିବେ । ଦେଖିବ, ସେ ତାହା କରିବେ କି ନାହିଁ ।’’

 

ନିକୋଲାସ୍ ଭୟରେ କମ୍ପିବାକୁ ଲାଗିଲା । ବୋଧହୁଏ ସେ କେବଳ ବଡ଼ାଇ କରି କହୁଚନ୍ତି ବା, ହୁଏତ ତାକୁ ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଚନ୍ତି ।

 

କିଛି ସମୟ ପର୍ଯ୍ୟନ୍ତ ଦୁହେଁ ନୀରବ ରହିଲେ । ନିକୋଲାସ୍ ପ୍ରଥମେ ସେହି ନୀରବତା ଭଙ୍ଗ କଲା । ‘‘ଦିନ ଠିକ୍ କରିବାକୁ ? ମୁଁ ସେକଥା କିପରି କରିପାରିବି ? ଆମପାଇଁ ଗୋଟିଏ ସ୍ୱତନ୍ତ୍ର ସଂସାର ତିଆରି କରିପାରିବା ଭଳି ଅର୍ଥ ସଞ୍ଚୟ କଲା ପର୍ଯ୍ୟନ୍ତ ମୋତେ ଅବଶ୍ୟ ଅପେକ୍ଷା କରିବାକୁ ପଡ଼ିବ ।’’

 

ସେ କହିଥିଲା, ‘‘ଆମପାଇଁ’’–ଏଇଥିରେ ମଧ୍ୟ ମାଡ଼ାମ୍ ଆଗାଥେ ଆପଣାକୁ କମ୍ ଭାଗ୍ୟବତୀ ମନେକଲେ ନାହିଁ । ‘‘କିନ୍ତୁ ମୁଁ ମଧ୍ୟ କିଛି କାମ କରୁଥିବି,–ମୋ’ ପାଇଁ ତୁମକୁ ପାହୁଲାଟିଏ ଖରଚ କରିବାକୁ ପଡ଼ିବ ନାହିଁ । ମୋ’ପାଇଁ କେବେ କାହାରିକୁ ପଇସାଟିଏ ଖରଚ କରିବାକୁ ପଡ଼ିବ ନାହିଁ । ପାରସ୍‍ରେ କୌଣସି ଏକ କାମ ପାଇବାଲାଗି ମୁଁ ଅନୁସନ୍ଧାନ କରୁଚି, କରିବାକୁ ପଡ଼ିନାହିଁ । ପାରସ୍‍ର କୌଣସି ଏକ କାମ ପାଇବାଲାଗି ମୁଁ ଅନୁସନ୍ଧାନ କରୁଚି, ଗୋଟାଏ ଦୁଇଟା ଜାଗାରୁ ମୋ’ ପାଖକୁ ଡାକରା ମଧ୍ୟ ଆସିଚି । ଏହାଛଡ଼ା ଏକ ଆବେଗରେ ବଶୀଭୂତ ହେଲା ପରି ସେ କହୁଥାନ୍ତି, ‘‘ଆମପାଇଁ ତ କେବଳ ଗୋଟିଏ ବଖରା ଘର ଦରକାର । କୌଣସି ଶସ୍ତା ହୋଟଲକୁ ଯାଇ ଦିନରେ ଗୋଟିଏ ବକ୍ତ ଖାଇ ଆସିଲେ ତ ଆମର ଚଳିଯିବ । ମୁଁ ଭଲଭାବରେ ସବୁ ତାଲିମ ପାଇଚି । ସ୍ପିରିଟ୍ ଲ୍ୟାମ୍ପ ଉପରେ ନୁଡ଼ଲ୍‍ ରାନ୍ଧିରାନ୍ଧି ମୋର ଅଭ୍ୟାସ ହୋଇଯାଇଚି । ଏମିତି ନୁଡ଼ଲ୍ ଗରମ କରି ଖାଇ ଥରେ ମୁଁ ଗୋଟାଏ ଶୀତକାଳ କଟାଇ ଦେଇଚି-।’’

 

ଏହିପରି କଥାରେ ନିକୋଲାସ୍ ତା’ର ପ୍ରାଣର ଗୋପନ ତନ୍ତ୍ରୀରେ ଆଘାତ ପାଇଲା ପରି ଅନୁଭବ କଲା, ମନୁଷ୍ୟ ଜୀବନର ସାଧାରଣ ଶୁଦ୍ଧତାଗୁଡ଼ିକୁ ସେ ପୂଜା କରୁଥିବା ଜାଗାରେ ଯେଉଁଠାରେ ସେହି ଦାରିଦ୍ର୍ୟ ସଜ୍ଜିତ ଏବଂ ସୌନ୍ଦର୍ଯ୍ୟ ମଣ୍ଡିତ ହେବା ଦରକାର । ସେ ଆପଣାକୁ ଏହିପରି ଏକ ଶୃଙ୍ଖଳିତ ସଂସାରରେ କେନ୍ଦ୍ରବୋଲି ମନେକରିବାକୁ ଆନନ୍ଦ ଅନୁଭବ କରୁଥିଲା, ଯେଉଁଥିରେକି ପ୍ରତ୍ୟେକ ପଦାର୍ଥ ଏକ କାଳହୀନ ଜ୍ୟୋତିରେ ସ୍ନାତ ହୋଇ ରହିଥିବ । ପରିବାରରେ ଯେଉଁ ସୁପ୍ ରନ୍ଧା ହେଉଥିବା, ଚୀନା ବାସନା ଉପରେ ଯେଉଁ ଫଳ ସଜାହୋଇ ରହୁଥିଲା, ଦୀର୍ଘସମୟ ଧରି ସମସ୍ତେ ଯେତେବେଳେ ନୀରବରେ ଭୋଜନରେ ବସୁଥିଲେ, ନିକୋଲାସ୍ ସେହିସବୁଥିରେ ଏକ ଈଶ୍ୱରୀୟ ମହତ୍ତ୍ୱର ଆରୋପ କରୁଥିଲା । ଆଉ ସ୍ପିରିଟ ଲ୍ୟାମ୍ପ ଓ ନୁଡ଼ଲ୍ ବିଷୟରେ ଏହି ଗପଗୁଡ଼ାକ । ଯେଉଁ କଥାଟା ଶୁଣିଲେ ନିକୋଲାସ୍ ମନରେ ତୀବ୍ର ବରକ୍ତିଭାବ ଜାତ ହେବ, ଠିକ୍ ସେହି ବିଷୟଟି ଉତ୍‍ଥାପିତ କରିବାକୁ ଗାଲିଗାଇକୁ କେତେ କମ୍ ସମୟ ଲାଗିଲା ।

 

ମାଡ଼ାମ୍ ଆଗାଥେ ଆଉକିଛି କହିଲେ ନାହିଁ । ଦୁହିଁଙ୍କ ଭିତରେ ସେ ଭୀଷଣ ନୀରବତାର ଯେଉଁ ପ୍ରାଚୀରଟି ଗଢି ଠିଆ କରାଇ ଦେଇଥିଲେ, ତାହାହିଁ ତାକୁ ଭୟ ପ୍ରଦର୍ଶନ କରୁଥିଲା । ଦରାଣ୍ଡିଲା ପରି ହୋଇ ସେ ତାଙ୍କର ଗୋଟିଏ ହାତ ବଢ଼ାଇଲେ । ନିକୋଲାସ୍ ତା’ର ହାତକୁ ଫେରାଇ ନେଲା ନାହିଁ । ମାଡ଼ାମ୍ ଆଗାଥେ ସେହି ହାତଟିକୁ ଧରି ପକାଇଲେ । ନଖମୂଳର ବିଷ ଭିତରେ ମୃତ୍ୟୁକୁ ଲକ୍‍କାୟିତ କରି ରଖିଥିବା ଏକ ଘୃଣ୍ୟ ଓ କ୍ଷୁଦ୍ର ପ୍ରାଣୀ ସହିତ ଆଗାଥେଙ୍କର ହାତକୁ ତୁଳନା କରାଯାଇପାରିବ । ଆଗାଥେ ତା’ର ହାତକୁ ଚିପୁଥିବାର ନିକୋଲାସ୍ ଅନୁଭବ କଲା । ତଥାପି ସେ ଅପସରି ଗଲା ନାହିଁ । ନିକୋଲାସ୍‍ର କାନ୍ଧ ଉପରକୁ ସେ ଆପଣାର ମୁଣ୍ଡଟିକୁ ଆଉଜାଇ ଆଣିଲେ । ମୁଣ୍ଡରେ ଥିବା ଟୋପିଟିକୁ ସେ ଆଗରୁ କାଢ଼ି ଦେଇଥିଲେ । ଠିକ୍ ଗୋଟାଏ ଗଛର ଗଣ୍ଡିପରି ନିଶ୍ଚଳ ହୋଇ ନିକୋଲାସ୍ ସେହିଠାରେ ବସିଥାଏ । ସେ କହିଲେ–‘‘ତୁମର ହୃଦଯନ୍ତ୍ରର ସ୍ପନ୍ଦନ ଅନୁଭବ କରିବାକୁ ମୋର ଇଚ୍ଛା ହେଉଚି ।’’ ସତରେ କ’ଣ ସେ ଏଡ଼େବଡ଼ ସାହସ କରିପାରିବେ ? ହଁ, ସେ ତ ସାହସ କରିବାକୁ ଉଦ୍ୟତ ହେଲେଣି । ନିକୋଲାସ୍‍ର କମିଜ ତଳକୁ ସେ ଆପଣାର ଆଙ୍ଗୁଠି ଭର୍ତ୍ତି କରିନେଲେ । ହଠାତ୍ ସେ ଆପଣାର ଅନାବୃତ ଶରୀର ଉପରେ ତାଙ୍କର ଛୋଟିଆ ନଖଗୁଡ଼ିକର ସ୍ପର୍ଶ ଅନୁଭବ କରିପାରୁନାହିଁ ।’’ ପଥର ହୋଇଯାଇଥିବା ତା’ର ହୃଦୟଟା କିପରି ବା ସ୍ପନ୍ଦନ କରନ୍ତା ? ଆଗାଥେ ଖରବେଗରେ ନିଶ୍ୱାସ ପକାଉଥାନ୍ତି । ସେ ଏଥର କ’ଣ କହିବେ, ନିକୋଲାସ୍‍ ସେ କଥା ବେଶ୍ ଅନୁଭବ କରିପାରୁଥିଲା ।

 

‘‘ମୋତେ ଚୁମ୍ବନଟିଏ ଦିଅ । ତୁମେ ଆଜିଯାଏ ଦିନେ ହେଲେ ମୋତେ ଚୁମ୍ୱନଟିଏ ଦେଇନାହିଁ ।’’–ସେ ଆପଣାର ସତୃଷ୍ଣ ଅଧରକୁ ସମର୍ପି ଧରିଲେ ।

 

‘‘ନାଇଁ ’’ ନିକୋଲାସ୍ କହିଲା, ‘‘ତୁମର ଆଖି ଦିଓଟି..…ତମର ଆଖି ଦିଓଟିକୁହିଁ ମୁଁ ଭଲପାଏ ।’’

 

କୌଣସି ପ୍ରକାର ଅଶ୍ୱସ୍ତି ଅନୁଭବ ନ କରି କେବଳ ତୁମର ଆଖି ଦିଓଟିକିହିଁ ମୁଁ ମୋ‘ର ଓଠରେ ସ୍ପର୍ଶ କରିପାରିବି’’–ସେ ଠିକ୍ ଏହାହିଁ କହିବାକୁ ଚାହୁଁଥିଲା ।

 

ତଥାପି ତାଙ୍କ ଉପରକୁ ସେ ଯେଉଁ ଶବ୍ଦପୁଞ୍ଜ ନିକ୍ଷେପ କଲା, ସେଥିରେ ସେ ଆନନ୍ଦାତିଶଯ୍ୟାରେ ବିହ୍ୱଳ ହୋଇପଡ଼ିଲେ ।

 

ଠିକ୍ ସେହି ମୁହୂର୍ତ୍ତରେ, ଡୁବେର୍ନେଟ୍‌ ଘର ପାଖରେ ଥିବା କୁଦଟିର ତଳକୁ, କାହାର ଅତି କୋମଳ ଦୀର୍ଘଶ୍ୱାସର ଶବ୍ଦ ଶୁଣାଯାଉଥିଲା । ଓଲଟା ହୋଇ ଦେଖାଯାଉଥିବା କ୍ଷୟପ୍ରାପ୍ତ ବିଳମ୍ବିତ ଚନ୍ଦ୍ରାର ଦୃଷ୍ଟି ସେଠାରେ ଆଦୌ ପଡ଼ିପାରୁନଥିଲା । ସେହି ଦିର୍ଘଶ୍ୱାସକୁ ଚନ୍ଦ୍ର ହୁଏତ ପତ୍ରମର୍ମର ଶବ୍ଦ ବୋଲି ଭ୍ରମ କରୁଥିଲା । ‘‘ନାଁ–’’ ମେରୀ କହିଲା, ‘‘ଶେଷକୁ ତୁମେ ମୋର ବ୍ଲାଉଜ୍‌ ଚିରିପକାଇବ...ହଁ ସେଇଠି ଇଏ ବରଂ ଭଲ ।’’ ତା’ପରେ ପୁଣି କହିଲା : ‘‘ଓଃ ମୁଁ ଆଉ ନିଶ୍ୱାସ ମାରିପାରୁନାହିଁ ।’’ ଗୋଟାଏ ଚୁମ୍ବନ ଯେ ଏପରି ଦୀର୍ଘକାଳସ୍ଥାୟୀ ହୋଇପାରେ, ସେ କଥା ମେରୀ ଆଗରୁ କଦାପି କଳ୍ପନାହିଁ କରିନଥିଲା । କୌଣସି ପ୍ରକାରେ ନିଶ୍ୱାସ ନେଇ ସେ କହିଲା:

 

‘‘ତଳେ ଶୋଇ ପଡ଼ିଲେ ବରଂ ଦୁହିଁଙ୍କ ଲାଗି ଅଧିକ ଆରାମ ଦାୟକ ହୁଅନ୍ତା ।’’

‘‘ନାଁ–’’ ଗିଲେସ୍‌ ପ୍ରତିବାଦ କଲା, ‘‘ନାଇଁ, ନାଇଁ !’’

 

ଏହି କୁହୁକହିଁ ଚନ୍ଦ୍ରକୁ ବୃହତ୍‌ ଟୁଲିପ୍‌ ଗଛର ଡାଳ ଉପରେ ନିଶ୍ଚଳ କରି ରଖିଦେଇଥିଲା-। ସେ ସେଇ ଝିଅଟି ଆପଣାକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି ଦେଇଥିଲା । ହିଂସ୍ର ପୁରୁଷଟି କିନ୍ତୁ ଆପଣାକୁ ଏହି ଦିଗରୁ ସଂବୃତ କରି ରଖିଥିଲା । ଝିଅଟିର ଈଷତ୍‍ ବିଭକ୍ତ ଅଧରର ବିମ୍ବଫଳ ଓ ଦ୍ରୁତ ସ୍ପନ୍ଦନ କରୁଥିବା ବେକଟି ବ୍ୟତୀତ ନାରୀ ଦେହର କୌଣସି ରହସ୍ୟକୁ ଜାଣିବାଲାଗି ତା’ର କୌଣସି ଅଭିଳାଷ ନ ଥିଲା । ଝିଅଟିର ବେକକୁ ସେ ତା’ର ଦୀର୍ଘ ଓ ବ୍ୟବହାର ଅକୁଶଳ ହାତଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବେଷ୍ଟିତ କରି ଧରିଥିଲା।

 

‘‘ତୁମେ ଦୁହେଁଯାକ କ’ଣ ପାଗଳ ନା କ’ଣ ? –ରାତି କେତେ ହେଲାଣି ସେ ବିଷୟରେ କିଛି ହୋସ୍‌ ଅଛି ନା ନାହିଁ ?’’

 

ଚନ୍ଦ୍ର ଅସ୍ତ ହୋଇଯାଇଥାଏ । କୁଦର ଉପରୁ ଗାଲିଗାଇର ଅସ୍ପଷ୍ଟ ଶରୀରଟା ବେଶ୍‌ ଦୃଷ୍ଟ ହେଉଥିଲା । ଦୁହିଁଙ୍କର ମୁହଁ ପରସ୍ପରଠାରୁ ଛାଡ଼ି ଆସିଲା, କିନ୍ତୁ ସେମାନେ ଯେଉଁଠି ଥିଲେ, ସେଇଠି ବସି ରହିଲେ ।

 

‘‘ପୁଣି କାଲିକି, ପ୍ରିୟତମେ ।’’ ଅଧୀର ଆବେଗର ସହିତ ଗିଲେସ୍‌ କହିଲା । ‘‘ପୁଣି କାଲି ଅବଶ୍ୟ ଦେଖାହେବ–କେଉଁଠାରେ ହେବ, ମୁଁ ସେକଥା ଭାବିବାକୁ ଚାହେଁ ନାହିଁ, କିନ୍ତୁ ନିଶ୍ଚୟ ଭେଟ ହେବ ! ତୁମକୁ ମୋର ବାହୁ ବନ୍ଧନରେ ବେଷ୍ଟିତ ନ କରି ମୁଁ ଗୋଟିଏ ଦିନ ମଧ୍ୟ ଯିବାକୁ ଦେବି ନାହିଁ ।’’

 

‘‘ହଁ, କାଲି’’–ମେରୀ କହିଲା, ଓ ପୁଣି, ‘‘କାଲି !’’ କାଲି ଏବଂ ସେମାନଙ୍କର ଜୀବନର ପ୍ରତ୍ୟେକଟି ଦିନ । ଛୋଟିଆ ରାସ୍ତାଟିର ଧାରରେ ଥିବା ଉଇଲୋ ଗଛଗୁଡ଼ିକର ଅନ୍ତରାଳରେ ଗିଲେସ୍‌ ଅଦୃଶ୍ୟ ହୋଇଗଲା । ତୀଖ ବାଟଦେଇ ମେରୀ କୁଦ ଉପରକୁ ଉଠିଗଲା ।

 

‘‘ଭଗବାନଙ୍କ କୃପାରୁ ମାଆ ଶୋଇଥିବେ ବି !’’

 

‘‘ଚିନ୍ତାର କୌଣସି କାରଣ ନାହିଁ । ସେ ଆଜି ନିଦ–ଔଷଧରୁ ପାନେ ଖାଇ ନିଘୋଡ଼ ନିଦରେ ଶୋଇଚନ୍ତି ।’’

 

ମେରୀ ମ୍ୟାଡ଼ାମ୍‌ ଆଗାଥେଙ୍କର କୋଠରୀରେ ପ୍ରବେଶ କଲା । ବତୀଟି ସେତେବେଳେ ଯାଏ ସେଠି ଜଳୁଥାଏ । ଆଗାଥେ ତା’ ଆଡ଼କୁ ଅନାଇଲେ । ସେ ଦେଖିଲେ, ତା’ର ବ୍ଲାଉଜ୍‌ ଲୋଚାକୋଚା ହୋଇଯାଇଚି, ଓଠ ଦୁଇଟା ଫୁଲାଫୁଲା ଦିଶୁଚି, ଅବିନ୍ୟସ୍ତ କେଶଭିତରୁ ତା’ର ମୁହଁର ଚେହେରାଟା କୁଆଡ଼େ କେତେଦୂରରେ ହଜିଯାଇଥିବା ପରି ସ୍ୱପ୍ନାବିଷ୍ଟ ଦେଖାଯାଉଚି । ତୀବ୍ର ଭର୍ତ୍ସନା ଶୁଣିବାର ଆଶଙ୍କା କରି ବା ଚୁମ୍ବନ ପାଇବାର ଓ ଗେହ୍ଲାହେବାର ଆବଶ୍ୟକତା ଅନୁଭବ କରି, ଝିଅଟି ଜ୍ୟେଷ୍ଠାଙ୍କର ବେକକୁ ଆପଣାର ବାହୁ ଦୁଇଟିଦ୍ୱାରା ବେଷ୍ଟିତ କରିଧରିଲା, କିନ୍ତୁ ପ୍ରାୟ ତତ୍‌କ୍ଷଣାତ୍‌ ପୁଣି ବାହୁ ଦିଉଟିକୁ ଖସାଇ ଆଣିଲା ।

 

‘‘ତୁମେ କାନ୍ଦୁଚ, ମାଡ଼ାମ୍‌ ଆଗାଥେ ! –ତୁମେ କାନ୍ଦୁଚ କାହିଁକି ? ତାଙ୍କ ସହିତ ତ ତୁମର ଭେଟ ହୋଇଥିବ, ନୁହେଁ ? ଅତିଶୟ ଆନନ୍ଦରେ କ’ଣ ତୁମେ କାନ୍ଦୁଚକି ?’’

 

ଧାତ୍ରୀ କୌଣସି ଉତ୍ତର ଦେଲେନାହିଁ । ସେ କୌଣସି ଈର୍ଷା ଅନୁଭବ କରୁଥିଲେ ବୋଲି କଦାପି କୁହାଯାଇ ପାରିବନାହିଁ । ତାଙ୍କର ତୃଷ୍ଣାର ଜୁଆରରେ ଭଟ୍ଟା ପଡ଼ିବା ଆରମ୍ଭ ହୋଇଥିଲା, ପଛରେ କେବଳ ଏକ ତିକ୍ତ କୋମଳତା ଅବଶିଷ୍ଟ ରହିଯାଇଥିଲା, ସେଥିରେ ଆଶାର କୌଣସି ଚିହ୍ନ ନ ଥିଲା । ସେ ଆପଣା ଆଖିର ଲୁହକୁ ପୋଛି ନେଲେ ନାହିଁ । ସେହି ଅଶ୍ରୁ ଉପରେ କାହାର ଦୃଷ୍ଟି ପଡ଼ୁଚି କି ନାହିଁ, ସେଥିପ୍ରତି ତାଙ୍କର କୌଣସି ଦୃଷ୍ଟି ନ ଥିଲା ।

 

ବାର

 

ତହିଁ ଆରଦିନ ସଞ୍ଜବେଳେ ପୁଣି ଯେତେବେଳେ ସେହି ବଡ଼ ଟୁଲିପ ଗଛର ଡାଳ ଭିତରୁ ଖଣ୍ଡିଆ ଜହ୍ନଟା ମୁହଁ ଦେଖାଯାଉଥିଲା, ସେତେବେଳେ କୌଣସି ମାନବ ପ୍ରାଣୀର ଦୀର୍ଘନିଶ୍ୱାସ ଆଉ ପତ୍ରମର୍ମର ସହିତ ମିଶି ଯାଉଥିବାର ଶୁଣାଗଲାନାହିଁ । ଘାସ ଉପରେ କାଲିଠାରୁ ମଣିଷ ପାଦର ମଡ଼ା ଏପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଆଜି ମେରୀ ଓ ଗିଲେସ୍‌ ଆଉ ଏଠାକୁ ଆସିନଥିଲେ । ଇତିମଧ୍ୟରେ ଗୋଟାଏ ଘଟଣା ମଧ୍ୟ ଘଟିଯାଇଥିଲା । ନିକୋଲାସ୍‌ର କୋଠରୀରେ ବସି ମାଡ଼ାମ୍‌ ଆଗାଥେ ଦୁଇ ବନ୍ଧୁଙ୍କୁ ତାହାରି ବିବରଣୀ ଶୁଣାଉଥିଲେ । ସେଦିନ ବଡ଼ିଭୋରରୁ ଜୁଲିଆ ଡୁବେର୍ନଟ ପୁଣି ସେହି ଯନ୍ତ୍ରଣାଦ୍ୱାରା ଏଡ଼େ ପ୍ରବଳ ଭାବରେ ପୀଡ଼ିତ ହୋଇପଡ଼ିଲେ ଯେ, ସେହି ଯୁବକ ଡାକ୍ତରଙ୍କୁ ପୁଣି ଡକାଇ ପଠାଇବାକୁ ହେଲା । ଅଳ୍ପ ବୟସର ଡାକ୍ତରଙ୍କର ଏଥିକୁ ବୁଦ୍ଧି ପାଇଲା ନାହିଁ ଏବଂ ସେ ଯାଇ ଡାକ୍ତର ସାଲୋନ୍‍ଙ୍କ ସହିତ ଏହି ବିଷୟରେ ପରାମର୍ଶ କଲେ । ଏଥିଲାଗି ଯନ୍ତ୍ରଣାରେ ପୀଡ଼ିତ ହୋଇପଡ଼ିଥିବା ଭଦ୍ରମହିଳାଙ୍କର ଅନୁମତି ନେବା କଥାଟା କେହି ଭାବି ପାରିନଥିଲେ । ଡାକ୍ତର ସାଲୋନ୍‌ ରୋଗୀକୁ ସିଧା ବୋର୍ଦୋ ନେଇଯିବାର ବ୍ୟବସ୍ଥା କରିଦେଲେ । ସେ କହିଲେ, ସେମାନେ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ । ମେରୀ ମଧ୍ୟ ବାପାଙ୍କ ସାଙ୍ଗରେ ଘରୁ ଚାଲିଯାଇଥିଲା ।

 

‘‘ଆର୍‍ମାଣ୍ଡ କେତେ ଅନୁନୟ ବିନୟ କରି କହିଲେ, କିନ୍ତୁ ସେଥିରେ କୌଣସି ଲାଭ ହେଲା ନାହିଁ । ଘରେ ରହି ମୁଁ ଘରର ଯାବତୀୟ ଜିନିଷ ଉପରେ ଆଖି ରଖିଥିବ ବୋଲି ଜୁଲିଆ ଜିଦ୍‌ କରି କହିଲେ । ସେ ମୋତେ ଯେଉଁସବୁ ନିର୍ଦ୍ଦେଶ ଦେଇଯାଇଚନ୍ତି, ସେଥିରୁ ପରିଷ୍କାର ଜଣାଯାଉଚି ଯେ ସେ ଆଉ ଘରକୁ ଫେରି ଆସିବେ ବୋଲି ନିଜେ ମଧ୍ୟ ବିଶ୍ୱାସ କରୁନାହାନ୍ତି । ତାଙ୍କର ଶେଷେ ସମୟ ଆସି ପହଞ୍ଚିଲାଣି ବୋଲି ବୋଧହୁଏ ସେ ଅନୁଭବ କରୁଚନ୍ତି । ଏତେ ଧୀର ଓ ଶାନ୍ତ ଭାବରେ ଆଉ କେହି ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତେ ନାହିଁ ।’’

 

ଗିଲେସ୍‌ପାଇଁ ସବୁଦିନେ ଉଦ୍ଦିଷ୍ଟ ଥିବା ବିଶେଷ ଚେୟାର୍‌ଟି (ସେ ଗନ୍ଧୀ ପୁଣି ମୋ ଚେୟାରରେ ବସିଚି !) ଉପରେ ସେ ଆସନ ମାଡ଼ି ବସିଥାନ୍ତି, ସତେଅବା ସେ ଆପଣା ଘରେ ବସିଚନ୍ତି, ଯେପରି ସେ ନିକୋଲାସ୍‌ ପାଖରୁ ମୁକ୍ତି ପାଇଚନ୍ତି, ତା’ର ସମସ୍ତ ବ୍ୟକ୍ତିଗତ ସଂସାରରୁ ମୁକ୍ତି ପାଇଚନ୍ତି । ନିକୋଲାସ୍‌ ଏଥିରେ କୌଣସି ପ୍ରକାର ବିଚଳିତ ହେବାର ଜଣାପଡ଼ୁନାହିଁ ।

 

‘‘ତୁମେ କ’ଣ ଭାବୁଚ ଧର୍ମ ସମ୍ବନ୍ଧୀୟ ଜୀବନରେ ତାଙ୍କର କୌଣସି ସ୍ଥାନରେ କୌଣସି କଳୁଷ ନାହିଁ ?’’

 

ଜୁଲିଆ ଡୁବେର୍ନେଟ୍‌ଙ୍କର ? ସେ ବିଷୟରେ ଚିନ୍ତା କରିବାର କିଛି ନାହିଁ । ତାଙ୍କର ଦୃଢ଼ ବିଶ୍ୱାସ ଯେ ଭଗବାନ ଓ ତାଙ୍କ ଭିତରେ ଯାହା ଯେପରି ଭାବରେ ରହିବା ଉଚିତ, ସବୁ ଠିକ୍‌ ସେହିପରି ଭାବରେ ରହିଚି । ସେ ତ ଟିକିନିଖି କରି ସବୁ ବ୍ୟବସ୍ଥା କରିଯାଇଚନ୍ତି, କୋଉଁଠି କିଛି ବାଦ୍‌ ଦେଇନାହାନ୍ତି । କେତୋଟି ଅତ୍ୟନ୍ତ ପୁଣ୍ୟପ୍ରଦ ଦାନକର୍ମ ବିଷୟରେ ସେ ବ୍ୟବସ୍ଥା କରିଚନ୍ତି । ସେ ବିଷୟର କେବଳ ଭଗବାନ ଓ ତାଙ୍କ ବ୍ୟତୀତ ଆଉ କାହାରିକୁ ଜଣାନାହିଁ । ଭଗବାନଙ୍କ ବିଷୟରେ ସେ କୌଣସି ଚିନ୍ତା କରୁନାହାନ୍ତି । ପ୍ରକୃତରେ ଭଗବାନ ନାହାନ୍ତି ବୋଲି ଆବିଷ୍କାର କଲେ ମଧ୍ୟ ସେ ଆଦୌ ବିସ୍ମିତ ହେବେ ନାହିଁ । ଏହିସବୁ ବୃଦ୍ଧ ବୟସ୍କା କାଥୋଲିକ୍‌ ସ୍ତ୍ରୀଲୋକମାନଙ୍କ ଅପେକ୍ଷା ଅଧିକ ବାସ୍ତବ ବୁଦ୍ଧି-କୁଶଳ ଆଉ କେହି ନାହାନ୍ତି, ଏହି ଗୁଣଟା ଯେପରି ସେମାନଙ୍କର ମଜ୍ଜାଗତ ହୋଇଯାଇଚି ।’’

 

‘‘ତଥାପି ଜୁଲିଆ ଡୁବେର୍ନେଟ୍‍ଙ୍କ ଭିତରେ ଏକ ଅମର ଆତ୍ମା ବିଦ୍ୟମାନ ରହଚି’’ ନିକେଲାସ୍‌ କହିଲା, ‘‘ସେକଥା ଭାବିଲାବେଳକୁ ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ ଲାଗେ ।

 

ଗିଲେସ୍‌ କହିଲା, ‘‘ମୋର ବାପା ମୋତେ କହୁଥିଲେ ଯେ ମାଡ଼ାମ୍‌ ଡୁବେର୍ନେଟ୍‌ଙ୍କ ବିଷୟରେ ସେ ଯାହା ଭାବୁଚନ୍ତି, ତାହାହିଁ ଯଦି ସତ୍ୟ ହୁଏ, ତେବେତ ତାଙ୍କର ଆଶା ଛାଡ଼ି ଦେବାକୁ ହେବ । ତଥାପି ସେ ଆହୁରି କେତେଦିନ ନିଶ୍ଚୟ ବଞ୍ଚି ରହିବେ । ତଥାପି ଯାହା ଘଟୁ ନା କାହିଁକି,’’ –ଆପଣାର ଆନନ୍ଦକୁ ଗୋପନ କରି ରଖିବାରେ କୌଣସି ଚେଷ୍ଟା ନ କରି ସେ କହିଲା, ‘‘ଭାଗ୍ୟଦେବୀ ଆମ ପକ୍ଷରେ ଅଛନ୍ତି । ବର୍ତ୍ତମାନ ସବୁକଥା ପାଣିରେ ପହଁରିଗଲା ପରି ଠିକ୍‌ ଓ ସହଜ ହୋଇଯିବ ।’’

 

‘‘ଆମେ ଆଉ ତୁମର ସାହାଯ୍ୟ ଦରକାର କରିବୁ ନାହିଁ’’–ଗିଲେସ୍‌ର କଥାକୁ ଗାଲିଗାଇ ଏହିପରି ଅର୍ଥ କଲେ ।

 

‘‘ନିଶ୍ଚୟ’’ ସେ କହିଲେ–ତାଙ୍କର କଥାରେ ଏକ ତୀକ୍ଷ୍‌ଣତା ଅତି ସ୍ପଷ୍ଟ ହୋଇଯାଉଥିଲା, ‘‘ଭାଗ୍ୟଦେବୀ ନିଶ୍ଚୟ ତୁମ ପକ୍ଷରେ ଅଛନ୍ତି, କାରଣ ବର୍ତ୍ତମାନ କେବଳ ତୁମର କାରବାରଟା ବାକୀ ଅଛି ।’’

 

ଗିଲେସ୍‌ ପ୍ରାୟ ବାକ୍‌ରୁଦ୍ଧ ହୋଇ ଆସିଲା । ସେ ଫଣ ଫଣ କରି କହିଲା, ‘‘ତୁମର କି ଅଧିକାର ଅଛି..’’ ଆଗାଥେ ଆସନରୁ ଉଠି ଟେବୁଲ ଉପରୁ ବ୍ୟାଗଟି ଉଠାଇଲେ ।

 

‘‘ସେ କଥା ଜାଣିବାକୁ ବେଶୀ ଡେରି ଲାଗିବ ନାହିଁ, ତୁମେ ନିଜେ ନିଜେ ଜାଣିବ ।’’

 

ନିକୋଲାସ୍‌ ସଂକେତ ଦେଇ ଆଗାଥେଙ୍କୁ ଅଟକାଇ ରଖିଲା । ‘‘ତୁମ କଥାର କୌଣସି ଅର୍ଥ ମୁଁ ବୁଝିପାରୁନାହିଁ ’’ ସେ କହିଲା ‘‘ସବୁକଥା ତ ଠିକ୍‌ ହୋଇଯାଇଚି, ନୁହେଁ ?’’

 

ଅନେକ ସମୟ ପର୍ଯ୍ୟନ୍ତ ଗାଲିଗାଇ ସିଧା ତାହାରି ଆଡ଼କୁ ଅନାଇ ରହିଲେ । ନିକୋଲାସ୍‌ ଆଦୌ ଅପସରି ଗଲାନାହିଁ । ‘‘ଯାହା ଘଟିଲେ ପଛକେ, ସେଥିରେ କିଛି ଯାଏଆସେ ନାହିଁ ? –ଆଗାଥେ ପଚାରିଲେ, ସମ୍ମତି ଜଣାଇ ନିକୋଲାସ୍‌ ମୁଣ୍ଡ ହଲାଇଲା । ଆଗାଥେ ତାକୁ ପାଖକୁ ଟାଣି ନେଲେ ଓ ଏକ ଅସଣ୍ଠଣା ଆଲିଙ୍ଗନରେ ତାକୁ ଆବୃତ କରି ପକାଇଲେ । ଗିଲେସ୍‌ ଝରକା ଆଡ଼କୁ ଅପସରି ଯାଇଥିଲା । ଆଗାଥେ ଆପଣାର ବ୍ୟାଗ୍‌ରୁ ରୁମାଲଟିଏ ବାହାର କରି ଆଖି ପୋଛିବାକୁ ଲାଗିଲେ ।

 

‘‘ପ୍ରିୟ ନିକୋଲାସ୍‌, ପ୍ରକୃତରେ ମୁଁ କେବେହେଲେ ତୁମକୁ ସନ୍ଦେହ କରିନାହିଁ । ତୁମର ମାଆ ମୋ’ପାଇଁ ତେଣେ ଅପେକ୍ଷା କରୁଥିବେ–’’ ଆଗାଥେ କହିଲେ, ‘‘ସମୟ ପାଇବାମାତ୍ରକେ ତାଙ୍କୁ ଯାଇ ଦେଖାକରିବି ବୋଲି ମୁଁ ପ୍ରତିଶ୍ରୁତି ଦେଇଥିଲି । ଡୁବେର୍ନେଟ୍‌ ପରିବାର ବିଷୟରେ ସବୁ ବିଷୟ ଶୁଣିବାଲାଗି ତାଙ୍କର ଭାରି ଇଚ୍ଛା....କିନ୍ତୁ ପ୍ରକୃତରେ ଆମ ଦୁହିଁଙ୍କ ବିଷୟରେ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ମୁଁ ଇଚ୍ଛା କରୁଚି ।’’

 

‘‘ନା–ନା–ବର୍ତ୍ତମାନ ନୁହେଁ ।’’

 

ବାଧ୍ୟହୋଇ ସେ ଏହିପରି ଚିତ୍କାର କରି କହିଲା । କିନ୍ତୁ ସିଏ ଅଟଳ ରହିଲେ । ଅପେକ୍ଷା କରିବାର ଆଉ କି କାରଣ ରହିଚି ? ଆଉ ସମୟ ମଧ୍ୟ ବେଶୀ ନାହିଁ । ଡୁବେର୍ନେଟ୍‌ ପରିବାର ପାଖକୁ ତାଙ୍କୁ ବୋର୍ଦୋ ଯିବାକୁ ହେବ । ଯିବାପାଇଁ ସେ ଆର୍‌ମାଣ୍ଡ୍‌ଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ରାତିଦିନ ତାଙ୍କୁ ରୋଗୀ ପାଖରେ ଡାକ୍ତରଖାନାରେ ରହିବାକୁ ପଡ଼ିବ । ସେ ନ ଗଲେ ଆର୍‌ମାଣ୍ଡ୍‌ ଭାରି ହଇରାଣ ହେବେ ।

 

‘‘ମୋ’ର ମାଆଙ୍କୁ ତୁମେ କ’ଣ କହିବବୋଲି ଭାବିଚ ? –ନିକୋଲାସ୍ ବାହାରକୁ ଅନାଇଲା ।

 

‘‘ସେହି କଥାଟି ତୁମ ପାଖକୁ ଏକ ଛୋଟିଆ ବିସ୍ମୟ ପରି ଆସୁ ମୁଁ ଏହାହିଁ ଚାହେଁ । ଆଜି ରାତିରେ ତୁମେ ମାଆଙ୍କ ପାଖରୁ ସବୁକ କଥା ଶୁଣିବାକୁ ପାଇବ । …ଶୁଣିବକି ନାହିଁ ଦେଖିବ-।’’

 

ମାଡ଼ାମ୍‌ ଆଗାଥେ ନାସିକା କୁଞ୍ଚନ କଲେ । ହସିବାକୁ ଯାଇ ତାଙ୍କର ଅଧର ବିସ୍ଫାରିତ ହୋଇଗଲା ଏବଂ ତାଙ୍କର ପାଟି ଭିତରେ ଥିବା ପ୍ରଧାନ ଦାନ୍ତଗୁଡ଼ିକୁ ପ୍ରକଟ କରିଦେଲା ।

 

‘‘ଆମ ଦୁହିଁଙ୍କର ବାଗ୍‌ଦାନ ହୋଇସାରିଚି ବୋଲି ତୁମେ କହିବ ନାହିଁତ ?’’

ବାସ୍‌ କଥାଟା ଏତିକିବେଳେ ଧରାପଡ଼ିଗଲା ।

ସେ ଅତି ଖଳ ଭାବରେ ନିକୋଲାସ୍‌ ଆଡ଼କୁ ଅନାଇଁଲେ ।

‘‘ଆଃ–ସେ କଥାଟା ମୋର ଅତି ଗୋପନକଥା –ତାହା କେବଳ ମୁଇଁ ଜାଣିଚି ।’’

 

ଅବଶ୍ୟ ବିଜୟ ଲାଭ କରିବାକୁ ସେ ଅଟଳ ହୋଇ ରହିଥିଲେ । ସେ କ’ଣ କରିବାକୁ ଯାଉଚନ୍ତି, ଅତି ନିଷ୍ଠୁର ଭାବରେ ତାହା ସେ ଜାଣିଥିଲେ ।

 

‘‘ଆଚ୍ଛା, ମୁଁ ତଳ, ମହଲାକୁ ଯାଉଚି, ତୁମର ମାଆଙ୍କ ସହିତ ଦେଖା କରିବି । ଆଜି ସନ୍ଧ୍ୟାପର୍ଯ୍ୟନ୍ତ–ରାତି ନଅଟାବେଳେ କାଷ୍ଟିଲନ୍‌ ରାସ୍ତାରେ ।’’

 

ଆଗାଥେ ଗୃହ ପରିତ୍ୟାଗ ମାତ୍ରକେ ଆଉ ଗିଲେସ୍‌ ସମ୍ଭାଳି ପାରିଲା ନାହିଁ–‘‘କୁତୀ, ଗନ୍ଧୀ କୋଉଠିକାର !’’ –ସେ ଗର୍ଜନ କରି ଉଠିଲା ।

 

ତା’ ପାଟିରେ ହାତ ଦେଇ ନିକୋଲାସ୍‌ ତାକୁ ବନ୍ଦ କରିବାକୁ ବସିଲା ।

 

‘‘ତାକୁ ତ ସମ୍ପୂର୍ଣ୍ଣ ଭୁଲ ବୁଝିଚୁ,’’ ସେ କହିଲା; ସେଇଠୁ ଟିକିଏ କ୍ଷୀଣ ସ୍ୱରରେ, ‘‘ସେ ପ୍ରକୃତରେ କ’ଣ, ତାହା ଆବିଷ୍କାର କରିବା ଲାଗି ତ ବର୍ତ୍ତମାନ ମୁଁ ଜୀବନଯାକ ସମୟ ପାଇବି ।’’

 

‘‘ତୁ ତାକୁ ଭୟ କରୁଚୁ ! ସେ ତୋତେ ଭୀତତ୍ରସ୍ତ କରି ପକାଇଚି, ତୁ ଯେତେ ନାହିଁ କଲେ ମଧ୍ୟ ମୁଁ ମାନିବି ନାହିଁ ।’’

 

‘‘ଏପରି କଥାମାନ କହିବାକୁ ତା’ର ଆଦୌ ଇଚ୍ଛା ନ ଥିଲା । ତଥାପି ଆପଣାର ସମ୍ମତି ଦେଲାବେଳେ କଦାପି ସେ ଭୟ ପରବଶ ହୋଇ ତାହା ଦେଇନଥିଲା । ସ୍ଥିର ଭାବରେ ସେ ଗିଲେସ୍‌ ଆଡ଼କୁ ଅନାଇ ରହିଲା । ଆଖି ଫେରାଇ ଗିଲେସ୍‌ ଝରକା ବନ୍ଧ ଉପରେ କହୁଣୀ ଭରାଦେଇ ଠିଆହେବାକୁ ଗଲା । ଚାତକ ପକ୍ଷୀମାନେ ଏବର୍ଷ ଟିକିଏ ଶୀଘ୍ର ବସା ଭାଙ୍ଗିବା ଆରମ୍ଭ କରିଦେଇଚନ୍ତି । ସେମାନେ ପଞ୍ଝା ପଞ୍ଝା ହୋଇ ଲାଇମ୍‌ ଗଛ ଉପରେ ବସୁଥାନ୍ତି, ଚିତ୍କାର କରୁଥାନ୍ତି, କୌଣସି ଏକ ଅଦୃଶ୍ୟ ଶିକାର ନେଇ କେଁକଟର ଆରମ୍ଭ କରିଦେଇଥାନ୍ତି । ତା’ର ଶିକାର ତ ମେରୀ ! କିନ୍ତୁ ଏ ପର୍ଯ୍ୟନ୍ତ ତାହା ହସ୍ତଗତ ହୋଇନାହିଁ । ଏ ପର୍ଯ୍ୟନ୍ତ ମଧ୍ୟ ଗାଲିଗାଇ ଗୋଟାଏ ବିପଦ ହୋଇ ରହିଚନ୍ତି । ସେ ବର୍ତ୍ତମାନ ଯେଉଁସବୁ ଧମକ ଦେଇଗଲେ, ସେ ସବୁକୁ ଏକାବେଳେକେ ଫମ୍ପାବୋଲି କୁହାଯାଇପାରିବ ନାହିଁ । ତାଙ୍କର କଥା ନ ମାନି ପ୍ରକୃତରେ ସେ କେଡ଼େ ବୋକାମି କରିଚି । ବରଂ କୌଣସି ପ୍ରକାର ବିପଦକୁ ବରଣ ନ କରିବାହିଁ ଭଲ । ବିଚାରା ନିର୍ବୋଧ ମାଛିଟା ଜାଲ ଭିତରେ ପଡ଼ିଲେ ପଡ଼ୁ ପଛକେ, ଶେଷ ମୁହୂର୍ତ୍ତରେ ମଧ୍ୟ ତାକୁ ସେହି ଜାଲରୁ ଉଦ୍ଧାର କରିବାର ଅବସର ସବୁବେଳେ ମିଳିବ । ଘର ଭିତରକୁ ଫେରିଆସି ସେ ଚେୟାର ଉପରେ ବସିପଡ଼ିଲା । ନିକୋଲାସ୍‌ ଗୋଟାଏ ବହି ଖୋଲି ବସିଥିଲା, କିନ୍ତୁ ପଢ଼ୁନଥିଲା । ଘରର ଚଟାଣ ଭିତର ଦେଇ ତଳ ମହଲାରୁ ସେ ଗୋଟାଏ ହସ–ଗାଲିଗାଇର ହସ-ଶୁଣିବାକୁ ପାଇଲା । ସେହି ହସ ମଝିରେ କୌଣସି ପୁରୁଷର କଣ୍ଠ ପରି କାହାର କଣ୍ଠ ଶୁଣାଯାଉଥିଲା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତା’ର ମାଆର କଣ୍ଠସ୍ୱର ବଡ଼ ଘାଗଡ଼ା ହୋଇଯାଇଚି !

 

କେଁକଟର ଶବ୍ଦ କରି ଉଡ଼ୁଥିବା ଚାତକ ପକ୍ଷୀଙ୍କର ପଲ ଉପରେ ତା’ର ଆଦୌ ଆଖି ନ ଥିଲା, ଫାନ୍ଦରେ ପଡ଼ିଯାଇଥିବା ପରି ସୂର୍ଯ୍ୟର ଏକ ରଶ୍ମି ଭିତରେ ଭଣଭଣ ହୋଇ ବୁଲୁଥିବା ପଲେ ଛୋଟିଆ ମାଛି ଆଡ଼କୁ ସେ ଅନାଇ ରହିଥିଲା । ସେମାନଙ୍କୁ ଦେଖି ସୂର୍ଯ୍ୟାଲୋକିତ ଗୋଟିଏ ଗୋଟିଏ ଚଞ୍ଚଳ ପ୍ରାଣବିନ୍ଦୁ ପରି ମନେହେଉଥିଲା । ଠିକ୍‌ ଏହିପରି ଆମର ଦୃଶ୍ୟମାନ ଜଗତର ଆବର୍ତ୍ତ ଭିତରେ ଏହିସବୁ ଡୁବେର୍ନେଟ୍‌, କାମବ୍ଲେନେସ୍‌, ପ୍ଲାସାକ୍‌, ସାଲୋନ୍‌ ଓ ମଙ୍ଗି ପ୍ରଭୃତି ପରିବାରର ଏକ ଅହରହ ଉତ୍ତେଜିତ ପରିକ୍ରମା ଚାଲି ନାହିଁକି ? ତା’ର ଅନ୍ତରର ଅଭେଦ୍ୟ ଗଭୀର ଭିତରୁ ଏକ ଯନ୍ତ୍ରଣାର ପ୍ରବାହ ମାଡ଼ି ଆସୁଥିବା ଭଳି ସେ ଅନୁଭବ କଲା । ଏକୁଟିଆ ଥିଲେ ହୁଏ ତ ସେ ସେଇଠି ଆଣ୍ଠୁମାଡ଼ି ପଡ଼ିଯାଇଥାନ୍ତା । କିନ୍ତୁ ଝରକାର ଚୌକାଠ ଉପରେ ରେଖାଙ୍କିତ ହେଲା ପରି ସେହି ନଶ୍ୱର ପ୍ରାଣୀଟି ଠିଆ ହୋଇଥିଲା, ଯିଏ ଭଗବାନଙ୍କୁ ତାହା ପାଖରୁ ବାରିତ କରି ରଖିଥିଲା । ‘‘ଗିଲେସ୍‌ !’’ –ସେ ଡାକିଲା । ଗିଲେସ୍‌ ବୁଲିପଡ଼ି ଅନାଇଲା । ତା’ର ମୁଖମଣ୍ଡଳ କର୍କଶ ଦେଖାଯାଉଥିଲା ।

 

‘‘ମୋତେ ଖଣ୍ଡେ ସିଗାରେଟ୍‌ ଦେ’’ : ମୁଁ ଏଥର ସିଗାରେଟ୍‌ ଖାଇବା ପୁଣି ଆରମ୍ଭ କରିବି, ଆଉ ଛାଡ଼ିବି ନାହିଁ ।

 

‘‘ପ୍ୟାକେଟ୍‌ଟା ଯାକ ତୋ ପାଖରେ ଥାଉ ।’’ –ଗିଲେସ୍‌ କହିଲା । ଭବିଷ୍ୟତରେ କେତେବେଳେ କେଉଁଠାରେ ପୁଣି ସାକ୍ଷାତ୍‌ ହେବ, ସେ କଥା ଠିକ୍‌ ନ କରି ଚାଲିଯିବା ଦୁହିଁଙ୍କର ଜୀବନରେ ଆଜି ପ୍ରଥମଥରପାଇଁ ଘଟିଲା ।

 

ତଳ ମହଲାକୁ ଯିବାପାଇଁ ନିକୋଲାସ୍‌ର ସାହସ ହେଲା ନାହିଁ । ତା’ର ଭାରି ଭୟ ହେଉଥାଏ ଯେ ଗିଲେସ୍‌ ହୁଏତ ତା’ର ମାଆ ଓ ଗାଲିଗାଇ ପାଖକୁ ଧାଇଁଯିବ । ଏପର୍ଯ୍ୟନ୍ତ ତଳ ମହଲାରୁ ସେମାନଙ୍କର ପାଟି ଶୁଭୁଥାଏ । ଚଟାଣ ବାଟ ଦେଇ ସେ ଦୁଇଟି ବିପରୀତ କଣ୍ଠର ପ୍ରତିଧ୍ୱନି ବେଶ୍‌ ଶୁଣିପାରୁଥିଲା । ମାଡ଼ାମ୍‌ ପ୍ଲାସାକ୍‌ ଆନୁଗତ୍ୟ ସ୍ୱୀକାର କଲାପରି ସବୁକଥାରେ ରାଜି ହୋଇଯାଉଥିଲେ ଓ ଗାଲିଗାଇ ତାଙ୍କର ‘କର୍ତ୍ତବ୍ୟ ପ୍ରଣୋଦିତ’ ଓ ‘ପରିଦର୍ଶକ’ର ହସ ହସିବାରେ ଲାଗିଥିଲେ । ଘରୋଇ କଥାବାର୍ତ୍ତା ହେଲାବେଳେ ସେ କଦାପି ଏପରି ହସ ହସନ୍ତି ନାହିଁ-। ଉପର ମହଲାରେ ଥାଇ ମଧ୍ୟ ନିକୋଲାସ୍‌ ସବୁ ଜାଣିପାରୁଥିଲା । ଓଁ, କେତେବେଳେ ହେଲା ସେ ସେଠାକୁ ଗଲାଣି । ଦୁଇ ବିବଦମାନ ପକ୍ଷ ହଠାତ୍‌ କେଉଁ ନିଷ୍ପତ୍ତିରେ ଆସି ଉପନୀତ ହୋଇଚନ୍ତି ? ସେ କିଏ ? ସେ ପୁଣି ସେହି ପ୍ରଶ୍ନର ଉତ୍ତର ମଧ୍ୟ ଜାଣିପାରିବ ନାହିଁ, ସବୁଦିନ ତାକୁ ଏ ବିଷୟରେ ଅଜ୍ଞ ରହିବାକୁ ପଡ଼ିବ ! ସବୁବେଳେ ଏକ ଗଭୀର ସ୍ୱପ୍ନ ମଧ୍ୟରେ ଆପଣାକୁ ନିମଜ୍ଜିତ କରି ରଖିବାର ଶିକ୍ଷା ସେ ଆପଣାକୁ ଦେଇ ଆସିଚି । ଏହି ସ୍ୱପ୍ନାଚ୍ଛନ୍ନତାକୁ ସେ ଦିନକୁ ଦିନ ଅଧିକ ଦୁର୍ଭେଦ୍ୟ କରିଆସିଚି । ନିଜପାଇଁ ସେ ଗୋଟିଏ ଗାତ ଖୋଳି ରଖିଚି, କିନ୍ତୁ ସେହି ଗାତ ଭିତରେ ପଶିବା କେବଳ ବୃଥାହିଁ ହୋଇଯାଇଚି । କ୍ରମେ ନିକଟବର୍ତ୍ତୀ ହୋଇ ଆସୁଥିବା କାହାର ପଦଶବ୍ଦ ସେ ଶୁଣିବାକୁ ପାଇଲା ।

 

କବାଟରେ ଖଡ଼ଖଡ଼ ଶବ୍ଦ ହେଲା । ନିକୋଲାସ୍‌ କ’ଣ କରିବାକୁ ଯାଉଥିଲା । ‘‘ମୁଁ ଭିତରକୁ ଯିବାକୁ ଆସି ନାହିଁ’’ ଗାଲିଗାଇ କହିଲେ–‘‘ମୁଁ କେବଳ ଏତିକି କହିବାକୁ ଆସିଥିଲି ଯେ...’’

 

ସେ କବାଟ ଖୋଲିଦେଲା, କିନ୍ତୁ ଆଗାଥେ ମଣ୍ଡ ହଲାଇଲେ ।

 

‘‘ନାଇଁ, ମୁଁ ଭିତରକୁ ଯିବି ନାହିଁ । ମୁଁ କେବଳ କହିବାକୁ ଆସିଥିଲି ଯେ ଆଜି ରାତିରେ ମୋ’ ପାଇଁ ଅପେକ୍ଷା କରିବାକୁ ତୁମକୁ ଆଉ କାଷ୍ଟିଲନ୍‌ ରାସ୍ତାକୁ ଯିବା ଦରକାର ହେବ ନାହିଁ । ଆଜି ମୁଁ ନିଜେ ଏହିଠାକୁ ଆସିଚି । ଦୁଇଜଣ ଯାକ ବଗିଚାରେ ବସିବା, ତାହା ଅଧିକ ଆରାମଦାୟକ ହେବ । ତୁମର ମାଆ ମଧ୍ୟ ଏଥିରେ ସମ୍ମତ ହୋଇଚନ୍ତି ।’’

 

ଏତକ କହି ସାରିବାମାତ୍ରକେ ସେ ସିଡ଼ିବାଟ ଦେଇ ଓହ୍ଲାଇ ଯାଉଥିଲେ । ହୁଏତ ନିକୋଲାସ୍‌ର କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନଥିଲେ ବା ହୁଏତ ତାଙ୍କ ମନରେ ଭୟ ଜାତ କଲାଭଳି କୌଣସି ଚାହାଣୀ ସେ ନିକୋଲାସ୍‌ର ମୁହଁ ଉପରେ ଦେଖିବାକୁ ଇଚ୍ଛା କରୁନଥିଲେ ।

 

ତେଏର

 

ମାଆଙ୍କ ଆଡ଼କୁ ମୁହଁକରି ସେ ଟେବୁଲ ପାଖରେ ବସିଥିଲା । ‘‘ଏତେଶୀଘ୍ର ସନ୍ଧ୍ୟା ହୋଇଆସିଲାଣି’’ ସେ କହିଲେ, ‘‘ଏଥର ଆଲୁଅ ଲଗାଇବାକୁ ହେବ ।’’

 

ନିକୋଲାସ୍‌ ମାଆଙ୍କୁ କୌଣସି ପ୍ରଶ୍ନ ପଚାରିଲା ନାହିଁ । ସେ ଭଲ କରି ଜାଣିଥିଲା ଯେ ମାଆ ତା’ର ସମସ୍ତ ପ୍ରଶ୍ନକୁ ଭୁରାଡ଼ି ଦେବେ । ମାଆ କଥା କହି ଚାଲିଥାନ୍ତି, ସେ ଖାଲି ଶୁଣି ଯାଉଥାଏ । ତାଙ୍କ କଥାର ପ୍ରବାହ ଭିତରେ ସତ୍ୟକୁ ପ୍ରକାଶ କଲାଭଳି କୌଣସି କଥାକୁ ସଙ୍ଗେ ସଙ୍ଗେ ଯାଇ ଧରିବ ବୋଲି ଯେପରି ସେ ସତର୍କ ଓ ପ୍ରସ୍ତୁତ ହୋଇ ରହିଥିଲା ।

 

‘‘ବିଚାରୀ ମାଡ଼ାମ୍‌ ଡୁବେର୍ନେଟ୍‌ ! ତାଙ୍କର ଭାରି ଗର୍ବ ଥିଲାବୋଲି ଲୋକମାନେ ସବୁବେଳେ କହୁଥିଲେ । ତାଙ୍କ ଘର କେଡ଼େ ପୁରୁଣା ପରିବାରରେ ଘର, ତାଙ୍କର କେତେ ଜମି–ତେଣୁ ଗର୍ବ ନ କରିବାର କ’ଣ କାରଣ ଅଛି ? ତାଙ୍କର ଜୋତା ପୋଛିବା ଚାକର ହୋଇଥିଲେ ଆମେ ଅଧିକ ନ ହେଲେ ମଧ୍ୟ ଠିକ୍‌ ସେହିଭଳି ଗର୍ବ କରୁଥାନ୍ତୁ । ସେ ମରିଗଲେ ସମସ୍ତେ କାହିଁକି କ୍ଷତିଗ୍ରସ୍ତ ହେବେ ? ମାଡ଼ାମ୍‌ ଆଗାଥେ କ’ଣ ତୋତେ କିଛି କହିନାହାନ୍ତି ? ମାଡ଼ାମ୍‌ଙ୍କ ଦେହରୁ ଏପର୍ଯ୍ୟନ୍ତ ପ୍ରାଣ ଯାଇନାହିଁ, ମଣିଷ ମରିବାପୂର୍ବରୁ ସେମାନଙ୍କୁ ଏହିପରି ମାରିଦେବା ମୋଟେ ଭଲକଥା ନୁହେଁ । ହୁଏତ ଭଗବାନଙ୍କର ଦୟାହେଲେ ସେ ଆଗ ମୋତେ ନେଇଯିବେ । କିନ୍ତୁ ଡାକ୍ତର ସାଲୋନ୍‌ତ କହୁଛନ୍ତି ଯେ ଆଉ କୌଣସି ଆଶା ନାହିଁ । ମାଡ଼ାମ୍‌ ଆଗାଥେ ସେସବୁ ବିଷୟରେ ଚାରିଆଡ଼େ କହି ବୁଲିବାଟା ପ୍ରକୃତରେ ବଡ଼ ଅସ୍ୱାଭାବିକ କଥା... !

 

ମାଡ଼ାମ୍‌ ଡୁବେର୍ନେଟ୍‌ ତାଙ୍କର ଉଇଲରେ ମାଡ଼ାମ୍‌ ଆଗାଥେଙ୍କର ନାମ ଉଲ୍ଲେଖ କରିଚନ୍ତି କି ନାହିଁ ନିକୋଲାସ୍‌ ପଚାରିଲା ।

 

ବୁଢ଼ୀ କହିଲେ: ‘‘ନାଁ–ନାଁ–ସେସବୁ ବିଷୟ ପୁଣି ୟା’ ଭିତରକୁ କୋଉଠୁ ଆସିବ ?’’

‘‘ମୁଁ କିଛି ବୁଝିପାରୁନାହିଁ, ମାଆ: ତୁମେ ପ୍ରକୃତରେ କ’ଣ କହୁଚ, ମୁଁ ସେ କଥା କିଛି ବୁଛିପାରୁନାହିଁ ।’’

 

‘‘ଏଥିରେ ନ ବୁଝିବାର କ’ଣ ଅଛି ? ଯାହା ଜଣାପଡ଼ୁଚି, ମାଡ଼ାମ୍‌ ଆଗାଥେ ଭଲ ହୁଅନ୍ତୁ କି ନ ହୁଅନ୍ତୁ, ସେମାନେ କାମବ୍ଲେନେସ୍‌ ପରିବାରର ସମସ୍ତ ଋଣ ପରିଶୋଧ କରିବାକୁ ନିଷ୍ପତ୍ତି କରିଚନ୍ତି । ବେଲ୍‍ମନ୍ତ ଉପରେ ଆଉ କାହାରି କୌଣସି ଦାବୀ ରହିବ ନାହିଁ । କିନ୍ତୁ ଏସବୁ କେବଳ ଗୋଟିଏ ସର୍ତ୍ତରେ କାର୍ଯ୍ୟକାରୀ ହେବ ଯେ ବୁଢ଼ା ତାଙ୍କର ସମସ୍ତ ସମ୍ପତ୍ତି ଝିଅକୁ ଦାନ କରିଦେବେ ଓ ତାହା ଉପରେ ଆଉ ତାଙ୍କର କୌଣସି ଅଧିକାର ରହିବ ନାହିଁ । ସେ ବିଷୟରେ ତୁ କ’ଣ ମତ ଦେଉଚୁ, ପୁଅ ? କିନ୍ତୁ ବଞ୍ଚନ୍ତୁ କି ମରନ୍ତୁ, ମାଡ଼ାମ୍‌ ଡୁବେର୍ନେଟ୍‌ଙ୍କଠାରୁ ଆଗାଥେଙ୍କୁ ଏହି ବିରାଟ ସମ୍ପତ୍ତି ପାଇବାକୁ ହେବ, ବୁଢ଼ା ଆର୍‌ମାଣ୍ଡଙ୍କ ପାଖରୁ କଦାପି ନୁହେଁ ।’’

 

‘‘ମୁଁ ତ ସେଥିରେ କୌଣସି ପ୍ରଭେଦ ଦେଖିପାରୁନାହିଁ’’, କ୍ଳାନ୍ତ ଭାବରେ ନିକୋଲାସ୍‌ କହିଲା ।

 

‘‘ହଁ–ଏତିକି ପ୍ରଭେଦ ଯେ ଏଥିରେ ଆଉ କାହାରି କିଛି କହିବାକୁ ନ ଥିବ । ଏ ବିଷୟରେ କେହି କିଛି ନ କହନ୍ତି, ତୋ’ ଦୃଷ୍ଟିରୁ ଏହା ଅତିଗୁରୁତ୍ୱପୂର୍ଣ୍ଣ । ଲୋକଙ୍କର ତୁଣ୍ଡ ତ ସବୁବେଳେ ଖର । ଏହି ଡୋର୍ଥେ ସହରରେ ତ ସମସ୍ତେ ଜାଣିଚନ୍ତି ଯେ ସେମାନଙ୍କର ଅଧିକାଂଶ ସମ୍ପତ୍ତି ଜୁଲିଆ ଆଡୁ ଆସିଚି, ଡୋନ୍‌ଜାକ୍‌ ପରିବାରରୁ ଆସିଚି...ଦେଖ, ତୁ ପୁଣି ତୋ’ ର ସ୍ୱପ୍ନ ଭିତରେ ବୁଡ଼ିଗଲୁଣି–ମୁଁ ଯାହା କହୁଚି, ସେ କଥାକୁ ମୋଟେ କାନ ଦେଉନାହୁଁ ।’’

ତା’ ନ ହେଲେ ଆଗାଥେ ଦରିଦ୍ର ନ ଥିଲେ । ନିକୋଲାସ୍‌ର ଏହି ବିଷୟରେ ଏକ ଭ୍ରମଧାରଣା ଥିଲା । ଏ ବିଷୟରେ ତ ସେ ତାକୁ ଦିନେହେଲେ ପଦେକଥା କହିନାହାନ୍ତି ! ତା’ର ବୁଢ଼ୀମାଆକୁ ବିସ୍ମିତ ଓ ପରାସ୍ତ କରିବା ଲାଗି ବୋଧହୁଏ ସେ ଏ କଥାକୁ ଆପଣା ଭିତରେ ଗୋପନ କରି ରଖିଥିଲେ ।

କଥାର ଜୁଆର ଉପରେ ମାଡ଼ାମ୍‌ ପ୍ଲାସାକ୍‌ ଭାସି ବୁଲୁଥାନ୍ତି !

‘‘ଗତବର୍ଷ କାମବ୍ଲେନେସ୍‌ ପରିବାରକୁ ଗୋଟାଏ ଜରସମନ ଭଳି କ’ଣ ଆସିଥିଲା, ବେଲ୍‌ମନ୍ତରେ ଥିବା ତାଙ୍କର ସମସ୍ତ ଜମି ତଦ୍ୱାରା ହାତରୁ ଚାଲି ଯାଇଥାଆନ୍ତା । ସମ୍ପତ୍ତିର ଦେଖାଚାହାଁ କରିବାକୁ ତ ତାଙ୍କର ଜଣେ କେହି ମଣିଷ ଥିବା ଦରକାର...ବର୍ତ୍ତମାନ ତ ଶସ୍ୟ ଭଣ୍ଡାରରେ ଦୁଇବର୍ଷର ଦ୍ରାକ୍ଷା ସାଇତା ହୋଇରହିଚି–ଦ୍ରାକ୍ଷା ଫସଲର ଚାଷ ଚାଲୁ ରଖିବାକୁ ତାହା ଯଥେଷ୍ଟ ହେବ । ଗାଆଁରେ ତ ବେଶ୍‌ ଶସ୍ତାରେ ଚଳିହେବ । ସେମାନଙ୍କର ପ୍ରାୟ ଶହେ ହେକ୍ଟର ଜମି ଅଛି, ପୁଣି ଜଣେ ମାଲିକର ନାମରେ । ତେଣୁ ମାଡ଼ାମ୍‌ ଆଗାଥେ ମୋ’ ବିଷୟରେ ଚିନ୍ତା କରୁଚନ୍ତି...କିନ୍ତୁ ତୁ ପଚାରିବୁ କି ଅଧିକାର ବଳରେ ମୁଁ ସେଠାକୁ ଯିବି ଓ ସେହି ଜମିକୁ ଦଖଲ କରିବି–ହଁ, ଅନେକ ପରିମାଣରେ ଏହା ତୋ ଉପରେ ନିର୍ଭର କରୁଚି ।’’

ସେ ଉଠିଯାଇ ପୁଅକୁ ଚୁମ୍ବନ ଦେଲେ ।

‘‘ମୋ’ ସୁନାପୁଅ, ତୁ ସବୁ ଜାଣିଚୁ !’’ –ପୁଅର ମନକୁ ଗୋଟା ସୁଦ୍ଧା ଚିହ୍ନିଥିଲା ପରି ସେ କହିଲେ, ‘‘ଲୋକମାନେ ପରା କହନ୍ତି ଯେ ଭଲ ଲୋକମାନଙ୍କର ଭଣ୍ଡାରକୁ ଭଗବାନ କଦାପି ଶୂନ୍ୟ ରଖନ୍ତି ନାହିଁ ।’’

 

ଗୀର୍ଜାରୁ ଘଣ୍ଟା ବାଜୁଥାଏ । ଆଜି ସେପେଟମ୍ବର ମାସର ପ୍ରଥମ ଶୁକ୍ରବାର । ଅର୍ଦ୍ଧମୃତ ଏହି କ୍ଷୁଦ୍ର ସହରଟି ଉପରେ ନିଦ୍ରା ତା’ର ପକ୍ଷ ଆବୃତ କରି ଆଣିବାକୁ ଆଉ ଅଧିକ ବିଳମ୍ବ ହେବନାହିଁ । ଶତାବ୍ଦୀ ଶତାବ୍ଦୀ ଧରି ପୂର୍ବେ ଏହି ସହରରେ ଜଣେ ବିଶପ୍‌ ରହୁଥିଲେ, ଏହା ଏକ ସମୃଦ୍ଧଶାଳୀ ସହର ଥିଲା ଏବଂ ଗୁଏନେ ଯୁଦ୍ଧ ସମୟରେ ଅନେକ ଲଢ଼େଇ ଏହିଠାରେହିଁ ହୋଇଥିଲା । ଲଢ଼େଇ ହୋଇଥିବା ଜାଗାରେ ନାଁଆଗୁଡ଼ାକ ମଧ୍ୟ ଆଉ କାହାରି ମନେନାହିଁ ।

 

ମାଆ କହିଲେ :

 

‘‘ପୁଅ, ମୋ’ ସାଙ୍ଗରେ ଆ । ତୋତେ ମୁଁ ଗୋଟାଏ ଜିନିଷ ଦେବାକୁ ରଖିଚି ।’’

 

ମାଆଙ୍କ ସାଙ୍ଗରେ ନିକୋଲାସ୍‌ ରୋଷେଇ ଘରକୁ ଗଲା । ଆପ୍ରାନ୍‌ ପକେଟରୁ ନେଥାଏ ଚାବି ବାହାର କରି ସେ ଥାକ ଆଲମିରା ଫିଟାଇଲେ ।

 

‘‘ଟିକିଏ ଆଲୁଅଟା ଦେଖା’’–ସେ କହିଲେ: ‘‘ଓଃ, ସତେ ମୁଁ କେଡ଼େ ଗେଡ଼ା ! ସେଇ ଟୁଲ୍‌ଟାକୁ ଟିକିଏ ଦିଅନ୍ତୁ...କେବଳ କେତେଖଣ୍ଡ ପାମ୍ପରା ହାଡ଼ ଛଡ଼ା ମୋ’ ଦେହରେ ଆଉ କ’ଣ ଅଛି ?’’

 

ଭିତରକୁ ହାତମାରି ସେ ଭଙ୍ଗା ହୋଇ ରହିଥିବା ଟେବୁଲ୍‌କନାର ଗଦାତଳୁ କାଗଜ ପଟାର ଗୋଟିଏ ବାକ୍ସ ବାହାର କଲେ ।

 

‘‘ଦେଖିଲୁ, ଏ କ’ଣ !’’

 

ଆଗରୁ ମଧ୍ୟ ସେ ତାକୁ ଏହି ମୁଦିଟି ଦେଖାଇଥିଲେ–ସେଥିରେ ଅତି ମୂଲ୍ୟବାନ୍‌ ଚକ୍‌ଚକ୍‌ ପଥରମାନ ବସିଚି । ଅନ୍ତତଃ ସେଗୁଡ଼ିକ ଅତି ମୂଲ୍ୟବାନ୍‌ ପଥର ବୋଲି ତାକୁ ସେ ସବୁକାଳେ କହି ଆସିଚନ୍ତି । ତାଙ୍କ ବାପାଙ୍କର ଭଉଣୀ ପାଖରେ ପ୍ରଥମେ ଏହି ମୁଦିଟି ଥିଲା । ସେ ଆର୍‌ବିବାଟ୍‌ ପରିବାରରେ ରୋଷେଇ କାମ କରୁଥିଲେ । ଏଠି କାହିଁକି ସେ ଏହି ମୁଦିଟିକୁ ଛାଡ଼ି ଯାଇଚନ୍ତି ? ‘‘ମୁଁ ସେକଥା ତୋତେ ଠିକ୍‌ କରି କହିପାରିବି ନାହିଁ, ପୁଅ !’’

 

ସେ ରୋଷେଇ ଘର ମଝିରେ ଠିଆହୋଇ ରହିଲା । ନୂଆ ପିନ୍‌-କଣ୍ଟା ପରି ଘରଟି ସଫା ଚକ୍‌ଚକ୍‌ ଦିଶୁଥିଲା । ପ୍ରତ୍ୟେକ ଜିନିଷ ଠିକ୍‌ ଆପଣା ଆପଣା ଜାଗାରେ ସଜା ହୋଇ ରହିଥିଲା । ସେ ଏ ପର୍ଯ୍ୟନ୍ତ ଦୀପଟିକୁ ହାତରେ ଧରିଥାଏ । ତମ୍ବା ବାସନଗୁଡ଼ିକ ଉପରେ ତା’ର ଆଲୁଅ ପଡ଼ି ବର୍ତ୍ତୁଳାକାର ରକ୍ତବର୍ଣ୍ଣ ଚିବୁକ୍‌ପରି ଚକ୍‌ଚକ୍‌ ହେଉଥାଏ ।

 

‘‘ଏ ମୁଦିଟି ନେଇ ମୁଁ କ’ଣ କରିବି ବୋଲି ତୁ କହୁଚୁ ?’’

 

‘‘ରହ, ଧୈର୍ଯ୍ୟ ଧର–ସେକଥା ବର୍ତ୍ତମାନ ତୋତେ କିଏ ଭାବିବାକୁ କହୁଚି ? ଆଜି ରାତିରେ ବଗିଚାରେ ତା’ର ଆଙ୍ଗୁଠିରେ ତୁ ଏହି ମୁଦିଟି ପିନ୍ଧାଇଦେବୁ...ଦେଖ, ହୁସିଆର, ଯେପରି ହଜାଇ ନ ହେଉ । ଏହି ମୁଦିଟିପାଇଁ ତୋ’ର ବୁଢ଼ୀ ମାଆଟିକୁ କ’ଣ ତୁ ଧନ୍ୟବାଦ ଦେବୁ ନାହିଁ ?’’

 

ନା–ଧନ୍ୟବାଦ୍‌ ଦେଇ ସେ ଗୋଟାଏ ଶବ୍ଦ ମଧ୍ୟ ଉଚ୍ଚାରଣ କଲା ନାହିଁ । ତଥାପି ସେ ମୁଦିଟିକୁ ନେଲା ଓ ନିଜର ହାତମୁଠା ଭିତରେ ଯାବୁଡ଼ି କରି ଧରିଲା ।

 

ଚଉଦ

 

‘‘ତୁମେ ଗରିବ ବୋଲି ମୋତେ କାହିଁକି କହିଥିଲ ?’’

 

‘‘କିନ୍ତୁ ମୁଁ ପ୍ରକୃତରେ ଗରିବ, ନିକୋଲାସ୍‌ । ପାରିସ୍‌ରେ ରହିବାବେଳେ ବେଲ୍‍ମନ୍ତରୁ ଆମକୁ ପଇସାଟିଏ ମଧ୍ୟ ମିଳିବ ନାହିଁ । ଦ୍ରାକ୍ଷାଲତା ମାଡ଼ି ସବୁ ଫସଲକୁ ନଷ୍ଟ କରିଦେବ । ସେଠାରେ ରହିଥିଲେ ହୁଏତ ଆମେ ଦେଖାଚାହାଁ କରିଥାନ୍ତେ । କିନ୍ତୁ ପାରିସ୍‌ରେ ରହିଲେ... ?’’

 

ପ୍ରାୟ ଘଣ୍ଟାଏକାଳ ସେମାନେ ଲାଇମ୍‌ ଗଛଟିର ତଳେ ବସିଥିଲେ । ଗାଲିଗାଇ ସମସ୍ତ ସମୟ ଏହି କଥା ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ନିକୋଲାସ୍‌କୁ ଠକିବା ତାଙ୍କର ଆଦୌ ଉଦ୍ଦେଶ୍ୟ ନ ଥିଲା । ଜାକେଟ୍‌ର ପକେଟ୍‌ ଭିତରେ ଗୋଟିଏ ହାତ ପୂରାଇ ନିକୋଲାସ୍‌ ମୁଦିଟିକୁ ଆଙ୍ଗୁଠିରେ ଏପାଖ ସେପାଖ କରୁଥିଲା । ତା’ ପାଖରେ ମୁଦିଟା ଅଛି ବୋଲି ଗାଲିଗାଇଙ୍କୁ ଜଣାଥିଲା ।

 

‘‘ତୁମର ମାଆ ମଝିରେ ମଝିରେ ଆମପାଇଁ ଖାଦ୍ୟ-ଜିନିଷ ନ ପଠାଇବେ ବୋଲି ମୁଁ କହୁନାହିଁ । ସେମାନେ ଯେତେବେଳେ ଘୁଷୁରି ମାରିବେ, ସେତେବେଳେ ମଧ୍ୟ ଆମପାଇଁ କିଛି ମାଂସ ପଠାଇ ଦେବେ, ବେଳେ ବେଳେ କୁକୁଡ଼ା ମଧ୍ୟ ପଠାଇବେ ।’’

 

‘‘କିନ୍ତୁ ମୁଁ ତଥାପି ଗରମ ନୁଡ଼୍‌ଲ୍‌ ଓ ସ୍ପିରିଟ ଲ୍ୟାମ୍ପର ବ୍ୟବହାର ଚାଲୁ ରଖିବି ।’’

 

‘‘ମୁଁ ମଧ୍ୟ ପ୍ରିୟତମ ।’’ ତାଙ୍କର କଣ୍ଠ କ୍ରମେ ଧୀର ହୋଇ ଆସିଲା । କାରଣ ‘ପ୍ରିୟତମ’ ଡାକ ଶୁଣିଲେ ନିକୋଲାସ୍‌ କିପରି ବଡ଼ ଅଶ୍ୱସ୍ତି ବୋଧ କରୁଥିଲା, ତାହା ସେ ଭଲକରି ଜାଣିଥିଲେ-। ତା’ର କଥାରେ ଥିବା ବ୍ୟଙ୍ଗାଭାସଟି ସେ ଆଦୌ ବୁଝିପାରିନଥିଲେ ।

 

ସେହି ଝାପ୍‌ସା ଅନ୍ଧାରରେ ମଧ୍ୟ ସେ ମାଆର ବଗିଚାଟି ବଡ଼ ଅସୁନ୍ଦର ହୋଇପଡ଼ିଥିବାର ଦେଖିପାରିଲା । ବଗିଚାର ସେ ପାଖଟି କ’ଣ ଟିକିଏ ଅଧିକ ସୁନ୍ଦର ହୋଇପାରିନଥାନ୍ତା ! ତୃଣଶଯ୍ୟାଟି ପ୍ରାୟ ଧୂଳି ହୋଇପଡ଼ିଥିଲା, କୁକୁଡ଼ାମାନେ ସେଥିରୁ ଆଉ ଗୋଟିଏ ହେଲେ ଘାସ ବାକୀ ରଖିନଥିଲେ । ଏ ଜୁନ୍‌ ମାସରେ ମଧ୍ୟ ଲାଇମ୍‌ ଗଛଟା ଫୁଲରେ ଭର୍ତ୍ତି ହୋଇ ରହିଥିବାବେଳେ–ମୂଷା ରହିବାପାଇଁ ତିଆରି ହୋଇଥିବା ଅଡ଼ାଟା ଚତୁର୍ଦ୍ଦିଗ କେବଳ ଦୁର୍ଗନ୍ଧରେ ପୂର୍ଣ୍ଣ କରି ରଖିଥିଲା । ଏସବୁ ଦେଖି ନିକୋଲାସ୍‌କୁ ଭାରି ଘୃଣା ଲାଗୁଥାଏ । ଗାଲିଗାଇର ମନ ଭିତରେ ଥିବା ପୀଡ଼ିତ ଭାବନାଗୁଡ଼ିକ ନିକୋଲାସ୍‌ ଭଲକରି ଜାଣିଥାଏ । ଯେ କୌଣସି ମୁହୂର୍ତ୍ତରେ ତା’ର ମୁହଁରୁ ଏପରି କଥା ବାହାରିବ, ଯାହା କି ତାଙ୍କର ସୁଖର ପାତ୍ରକୁ ଉଛୁଳାଇ ପକାଇବ ବା ତାଙ୍କୁ କେଉଁ ଗର୍ଭ ଭିତରେ ନେଇ ଫୋପାଡ଼ି ଦେବ । ପ୍ରେମର ଉପବାସରେ ମରୁଥିବା ଗୋଟାଏ ଜୀଅ ଭିତରେ ଜୀବନ ଭରିଦେବା...ଗିଲେସ୍‌ର ଗୋପନ ସାହାଯ୍ୟକାରୀ ହିସାବରେ ନିଜର କର୍ତ୍ତବ୍ୟ କରିବାର ଇଚ୍ଛା ଅପେକ୍ଷା ଏହି ପ୍ରଲୋଭନଟି ଆଜି ସନ୍ଧ୍ୟାରେ ନିକୋଲାସ୍‌ ଉପରେ ଅଧିକ କ୍ଷମତା ବିସ୍ତାର କରି ରହିଥିଲା । ଯେଉଁମାନେ ପ୍ରୀତି ପାଆନ୍ତି, ସେହିମାନେ ହାସଲ କରିଥିବା କୁହୁକକୁ ବ୍ୟବହାର କରିବାର ଶକ୍ତି ନିକୋଲାସ୍‌ର ଥିଲା । ସେ ପଦେକଥା କହିବା ମାତ୍ରକେ ବର୍ତ୍ତମାନ ଏହି ଅନ୍ଧାର ଭିତରେ ତା’ ଦୃଷ୍ଟି ପଥରୁ ଲୁକ୍‌କାୟିତ ହୋଇ ରହିଥିବା କୁତ୍ସିତ ମୁଖଟି ଭିତରେ ଉଷ୍ଣ ରକ୍ତର ସଞ୍ଚାଳନ ଆରମ୍ଭ ହୋଇଯିବ । ସେ ଏପର୍ଯ୍ୟନ୍ତ ସେହି ମୁଖକୁ ସ୍ପର୍ଶ କରିନଥିଲା, ତଥାପି ଜାଣିଥିଲା ଯେ ସେହି ମୁଖ ବର୍ତ୍ତମାନ ଅଶ୍ରୁରେ ସିକ୍ତ ହୋଇ ରହିଚି । ଅନ୍ୟମାନଙ୍କର କାନ୍ଦ ଦେଖି ନିକୋଲାସ୍‌ ଆଦୌ ହୃଦୟ ଧରି ରହିପାରୁନଥିଲା ।

 

‘‘ଥାଉ, ଆଉ କାନ୍ଦନା,’’ ସେ କହିଲା: ‘‘ମୋତେ ତୁମର ହାତଟା ଦିଅ ।’’

 

ନିକୋଲାସ୍‌ ତାଙ୍କର ହାତର ମଝି ଆଙ୍ଗୁଠିରେ ମୁଦିଟା ଗଳାଇ ଦେଉଥିବାର ସେ ବେଶ୍‌ ଅନୁଭବ କରିପାରିଲେ । ଏତେବେଳ ଯାଏ ତା’ର ପାପୁଲି ଭିତରେ ରହିଥିବାରୁ ମୁଦିଟା ବେଶ୍‌ ଗରମ ଥିଲା । ମାଡ଼ାମ୍‌ ଆଗାଥେଙ୍କର ଦେହଭରି ସୁଖ ଓ ବାସନାର ଏକ ତରଙ୍ଗ ଉଦବେଳିତ ହେଲା, କିନ୍ତୁ ସେ ଜାଣିଥିଲେ ଯେ ଯଦି ସେ ଏହି ବାସନା ପାଖରେ ଆପଣାକୁ ସମର୍ପଣ କରିଦେବେ ଓ ନିକୋଲାସ୍‌ର ବାହୁ ଭିତରକୁ ଢଳି ପଡ଼ିବେ, ତେବେ ନିକୋଲାସ୍‌ ତାଙ୍କୁ ସଙ୍ଗେ ସଙ୍ଗେ ଅପସରାଇ ଦେବ । ତେଣୁ ସେ ବାଧ୍ୟ ହୋଇ ଅତି ଦୃଢ଼ ଭାବରେ ବନ୍ୟାପ୍ଲାବନର ତୋରଣମାନ ବନ୍ଦ କରି ରଖିଲେ–ଆପଣା ଭିତରୁ ଉଠି ଆସୁଥିବା ପାଗଳ ଅଧୀରତାକୁ ସେ ପଛକୁ ଅଟକାଇ ରଖିଲେ ।

 

ଉଠିଯାଇ ସେ ଆପଣାର ଅଧର ଯୁଗଳକୁ ନିକୋଲାସ୍‌ କପୋଳ ଉପରେ ଲଗାଇ ରଖିଲେ ।

ସେ କହିଲା : ‘‘ମୁଁ ତୁମକୁ ଖୁବ୍‌ବେଶୀ କିଛି ଦେଇପାରିବି ନାହିଁ । ତେଣୁ ପ୍ରଥମରୁହିଁ ସେଥିଲାଗି ତୁମଠାରେ କ୍ଷମା ମାଗି ନେଉଚି । କେତେବେଳେ ହେଲେ ତୁମେ ମୋ’ଠାରୁ ଅଧିକ ଆଶା କରିବ ନାହିଁ ।’’

 

‘‘ତୁମରି ପାଖେ ପାଖେ, ତୁମରି ଛାୟା ଭିତରେ ରହିବି, ଏତିକି ସୁଖ ବ୍ୟତୀତ ଆଉ ମୁଁ କିଛି ଚାହେଁ ନାହିଁ । ମୁଁ ପରା ତୁମଠାରୁ ବୟସରେ ବଡ଼ ! ଯଦି ତୁମେ ତାହାହିଁ ଇଚ୍ଛା କରୁଥାଅ, ତେବେ ମୁଁ ତୁମର ବଡ଼ ଭଉଣୀ ହୋଇ ରହିବି ।’’

 

‘‘ତୁମକୁ ଆହୁରି ଧୈର୍ଯ୍ୟ ଅବଲମ୍ବନ କରି ରହିବାକୁ ହେବ,’’ ସେ କହିଲା, ‘‘ଲୋକମାନଙ୍କ ସହିତ ଚଳି ଓ ରହି ଶିଖିବାକୁ ମୋତେ ଅନେକ ସମୟ ଲାଗେ । ବେଳେ ବେଳ ମୁଁ ସେ କଥା ଆଦୌ କରିପାରେ ନାହିଁ ।’’ ...‘‘ମୋ’ ଭିତରେ ସେହିପରି ଗୋଟାଏ କିଛି ଉପାଦାନ ରହିଚି...ମୁଁ ତାହାକୁ ବୁଝାଇ କହିପାରିବି ନାହିଁ...ଆମର ମୃତ୍ୟୁତ୍‌ଥିତ୍‌ ଭଗବାନଙ୍କର ବାକ୍ୟଟି ତୁମର ମନେଅଛି..…’’ ମୋତେ ସ୍ପର୍ଶ କରନାହିଁ...ମୋ’ କଥାର ଅର୍ଥ ବୁଝିପାରୁଚ ?’’

 

ନିଶ୍ଚୟ ସେ ବୁଝିପାରିଲେ । ଖୁବ୍‌ ନମ୍ର ଭାବରେ କହିବାକୁ ଆରମ୍ଭ କଲେ, ‘‘ତୁମର ଯେତେଦିନ ଇଚ୍ଛା ସେତେଦିନ ମୁଁ ତୁମର ଭଉଣୀ ହୋଇରହିବି । ଅପେକ୍ଷା କରିବାପାଇଁ ମୁଁ ଆଗରୁ ତାଲିମ୍‌ ପାଇଚି । କେବଳ ସେମାନେ ଯାହା ଠିକ୍‌ ତାହାହିଁ ହୋଇପାରିଲେ ହେଲା । କିନ୍ତୁ ମୁଁ ଭଲକରି ଜାଣେ ଯେ କେବଳ ଦୀର୍ଘ ଅଧ୍ୟବସାୟଦ୍ୱାରାହିଁ ମୁଁ ତୁମର ଜୀବନରେ ମୋ’ ଲାଗି ଟିକିଏ ସ୍ଥାନ ଖୋଜି ପାଇବାରେ ସଫଳ ହୋଇପାରିବି । କିନ୍ତୁ ଯେତେ ବିଳମ୍ବରେ ହେଉ ପଛକେ, ଦିନେ ମୋତେ ତାହା ଉପଲବ୍‌ଧି କରବାକୁ ହେବ, ମୋତେ ସୁଖ ପାଇବାକୁହିଁ ହେବ ।’’

 

‘‘ସୁଖ’’–ତମସାଚ୍ଛନ୍ନ ମୁଦ୍ରାରେ ନିକୋଲାସ୍‌ କହିଲା–‘‘ସୁଖ’’ –ତୁମର ଅଭିଳାଷ ଖୁବ୍‌ ଉଚ୍ଚ, ଆଗାଥେ...ସଂସାରରେ କେଉଁ ମଣିଷ ସୁଖ ପାଇଚି ?’’

 

ଆପଣାର ମୁହଁଟିକୁ ସେ ତା’ର କାନ୍ଧ ପାଖକୁ ଚାପି ଧରିଲେ, ସେ ଆପଣାର କାନ୍ଧକୁ ଚାପି ରଖିବା ଲାଗି ଚେଷ୍ଟା କରୁଥିଲେ । ନିକୋଲାସ୍‌ ଆପଣାର ଅଧରକୁ ନେଇ ଚାପି ରଖିଲା–କିନ୍ତୁ ଏଥରକ ତାଙ୍କର ଆଖି ଉପରେ ନୁହେଁ, କିନ୍ତୁ ତାଙ୍କର ବୈଚିତ୍ରହୀନ ପତଳା ବାଳ କେରାକ ଉପରେ–ଏବଂ ତାଙ୍କୁ ଆପଣା ପାଖକୁ ଟିକିଏ ଟାଣି ଆଣିଲା ।

 

‘‘ତୁମେ ପ୍ରକୃତରେ କେଡ଼େ ଭଲ !’’ –ସେ ଦୀର୍ଘ ନିଶ୍ୱାସ ପକାଇଲେ । ହଁ, ତାଙ୍କର ବନ୍ଧନ ମୁକ୍ତିପାଇଁ, ସେ ଅବଶ୍ୟ ଭଲ ଥିଲା ।

 

ପନ୍ଦର

 

ତହିଁଆରଦିନ ସେ ଆସି ବୋର୍ଦୋରେ ଡୁବେର୍ନେଟ୍‌ ପରିବାରରେ ଯୋଗ ଦେଲେ । ଗିଲେସ୍‌ ମଧ୍ୟ ସେହିଠାକୁ ଛୁଟି ଯାଇଥିଲା–‘‘ବାଲୁଜ୍‌ରେ ଶିକାର-ସମାରମ୍ଭର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବାପାଇଁ–‘‘ସେ ନିକୋଲାସ୍‌କୁ କହିଯାଇଥିଲା, କିନ୍ତୁ ସେ ମିଛ କହିଲା ଏବଂ ଜାଣିଥିଲା ଯେ ଏପରି କହି ନିକୋଲାସ୍‌କୁ ସେ ଠକି ପାରିଲା ନାହିଁ । ବୋର୍ଦୋ ସହରରେ କୌଣସି ହୋଟେଲ୍‌ରେ ସେ ନିଜପାଇଁ ଗୋଟିଏ ସ୍ଥାନ ଠିକ୍‌ କରିବାକୁ ଯାଉଥିଲା । ଡାକ୍ତରଖାନାରେ ରୋଗୀ ପାଖରେ ମେରୀ କିପରି ପ୍ରତିଦିନ ସମସ୍ତ ସମୟ ବନ୍ଦୀଘରେ ରହିବା ପରି ରହିଥିବେ ? ଗାଲିଗାଇଙ୍କର ପ୍ରଥମ ଚିଠି ତା’ର ବନ୍ଧୁର ସନ୍ଦେହକୁ ଦୃଢ଼ୀଭୂତ କରିଦେଲା । ଝିଅଟି ଏବେ ଘଣ୍ଟା ଘଣ୍ଟା ଧରି ବାହାରେ ରହିବା ଆରମ୍ଭ କରିଦେଇଚି ।

 

ଜୁଲିଆ ଡୁବେର୍ନେଟ୍‍ ଆଉ ଆରୋଗ୍ୟ ଲାଭ କରିବେ ବୋଲି କୌଣସି ଆଶା ନ ଥିଲା । ତାଙ୍କୁ ନିଜ ଘରକୁ ଫେରାଇ ଆଣିବାର ଆଉ ପ୍ରଶ୍ନହିଁ ଉଠୁନଥିଲା । କିନ୍ତୁ ଶେଷ ସମୟ ଆସି ପହଞ୍ଚିବାକୁ ହୁଏତ ଆହୁରି ଅନେକ ଦିନ ବାକୀ ଅଛି । ଆଗାଥେ ତ ମୁମୁର୍ଷୁ, ଗୃହସ୍ୱାମିନୀଙ୍କୁ ଦଣ୍ଡେହେଲେ ଛାଡ଼ି ଯାଇପାରିବେ ନାହିଁ । ନିକୋଲାସ୍‌ ପାଖକୁ ସେ ଯେତେ ଚିଠି ଲେଖି ପଠାଉଥିଲେ, ସେ ସମସ୍ତଙ୍କୁ ପ୍ରେମାତୁରା ଧୈର୍ଯ୍ୟହୀନ ଚିତ୍କାର,–ପ୍ରାୟ ହତାଶାର ଚିତ୍କାର ବୋଲି କହିବାକୁ ହେବ ।

 

ଏହି ହତାଶାପୂର୍ଣ୍ଣ ପତ୍ରଗୁଡ଼ିକରୁ ନିକୋଲାସ୍‌ ଏହି ଆଶ୍ୱାସନା ପାଇଲା ଯେ ଛୁଟି ଶେଷ ହୋଇଯିବା ପର୍ଯ୍ୟନ୍ତ ଆଗାଥେ ଆଉ ଡୋର୍ଥେକୁ ଫେରିଆସି ପାରିବେ ନାହିଁ । ମୃତ୍ୟୁ ଯେ ଜୁଲିଆ ଡୁବେର୍ନେଟ୍‍ଙ୍କୁ ନିଶ୍ୱାସ ମାରିବାକୁ ସମୟ ଦେବା ଉଦ୍ଦେଶ୍ୟରେ ଆସିବାକୁ ବିଳମ୍ବ କରୁଥିଲା, ଏଥିଲାଗି ବୋଧହୁଏ ନିକୋଲାସ୍‌ଠାରୁ ଅନ୍ୟକେହି ଅଧିକ ଆତୁରତାର ସହିତ ମୃତ୍ୟୁକୁ ଧନ୍ୟବାଦ ଦେଇପାରିନଥାନ୍ତେ । ଜୁଲିଆ ଡୁବେର୍ନେଟ୍‌ ଅଳ୍ପ ଅଳ୍ପ କରି ମରୁଚନ୍ତି; କେବେ ଯେ ତାଙ୍କ ଜୀବନର ସମାପ୍ତି ହେବ, ସେ କଥା କେହି କହିପାରିବ ନାହିଁ । –ଏହା ଫଳରେ ପାରିସ୍‌ ଯିବା ପୂର୍ବରୁ ନିକୋଲାସ୍‌କୁ ଆଉ ଗାଲିଗାଇ ସହିତ ସାକ୍ଷାତ୍‌ କରିବାକୁ ପଡ଼ିବ ନାହିଁ । ବାଗ୍‌ଦାନ ବିଷୟରେ ତାଙ୍କୁ ସେ ଯେଉଁ ଅନିଶ୍ଚିତ ଜବାବ ଦେଇଥିଲା, ତା’ର ପରବର୍ତ୍ତୀ କୌଣସି କଥା ବିଷୟରେ ଚିନ୍ତା କରିବାଲାଗି ତାହାର କୌଣସି ଆଗ୍ରହ ନ ଥିଲା । ଗାଲିଗାଇ ପାଖରୁ ତା’ ନାମରେ ସବୁଦିନେ ଯେଉଁ ଚିଠି ଆସି ପହଞ୍ଚିବ, ତାହାକୁ ମଧ୍ୟ ସେ ନ ଖୋଲି ସେହିପରି ପକାଇ ରଖନ୍ତା, କିନ୍ତୁ ଆପଣାର ଆଶାକୁ ଆହୁରି ଦୃଢ଼ କରିବାକୁ ଚିଠିଗୁଡ଼ାକ ତାକୁ ଦେଖିବାକୁହିଁ ହେବ । ‘‘କୌଣସି ପରିବର୍ତ୍ତନ ହୋଇନାହିଁ !’’ –ବାସ୍‌, ତେବେ ସେ ଏଥର ଆଶ୍ୱସ୍ତ ହୋଇ ରହିପାରେ । କ୍ୟାଲେଣ୍ଡର୍‌ ଦେଖି ସେ ଦିନ ଗଣିବାରେ ଲାଗିଥାଏ । ଯିବାକୁ ଆଉ କୋଡ଼ିଏ ଦିନ ଅଛି, –ଅଠର ଦିନ, –ଆଉ ଅଳ୍ପ କେଇଟା ଦିନ ଗଲେ ନୂଆ ଟର୍ମ ଆରମ୍ଭ ହୋଇଯିବ ।

 

କିନ୍ତୁ ଏଣେ ତା’ର ମାଆର ମନ ଭିତରେ ଗାଲିଗାଇ ଯେଉଁ ମଞ୍ଜି ବୁଣିଦେଇ ଯାଇଚନ୍ତି, ସେଥିରୁ କିପରି ଅଙ୍କୁରୋଦ୍‌ଗମ୍‌ ହେବାକୁ ଆରମ୍ଭ କଲାଣି, ସେକଥା ନିକୋଲାସ୍‌ ତା’ର ଆଖି ଆଗରେ ବେଶ୍‌ ଦେଖିପାରୁଥିଲା । ବେଲ୍‌ମନ୍ତ ! ପ୍ରକୃତରେ ସେ ବେଲ୍‌ମନ୍ତର ମାଲିକାଣୀ ହେବାକୁ ଯାଉଚନ୍ତି ! –କେତେ ମଣିଷ ଆଉ କେତେ ପଶୁଙ୍କ ଉପରେ ଅଧିକାରିଣୀ ହେବାକୁ ଯାଉଚନ୍ତି । ଅବଶ୍ୟ ଖାଇଲାବେଳେ ତାଙ୍କର ପରିଚର୍ଯ୍ୟା କରିବା ଲାଗି ପରିଚାରିକା ରହନ୍ତୁ, ସେ କଦାପି ସେ କଥା ଉପରେ ଜିଦ୍‌ଧରି ବସିବେ ନାହିଁ । ଅବଶ୍ୟ ଜଣେ ବିରାଟ ସମ୍ଭ୍ରାନ୍ତ ମହିଳା ହେବାକୁ ସେ ଇଚ୍ଛା କରିବେ ନାହିଁ । ତାଙ୍କର ସମ୍ଭ୍ରାନ୍ତ ହେବାର ବୟସ ଚାଲି ଯାଇଥିଲା । କିନ୍ତୁ ବୈଠକ ଘରେ ବସି ସମ୍ପତ୍ତି ବାଡ଼ିର ତତ୍ତ୍ୱାବଧାନ କରିବା ଅପେକ୍ଷା ରୋଷେଇ ଘରେ ବସି ତତ୍ତ୍ୱାବଧାନ କରିବା ବରଂ ଯଥେଷ୍ଟ ଭଲ । ଭୂସମ୍ପତ୍ତିଟା କେଉଁଠି କିପରି ଅବସ୍ଥାରେ ଅଛି, ତାହା ସେ ନକ୍‌ସାରୁ ଦେଖିନେଇ ସାରିଲେଣି । ଅସୁସ୍ଥ ହେବା ପରେ ବୁଢ଼ା କାମବ୍ଲୋନେସ୍‌ ଆଉ କାହାରି ସହିତ ଦେଖା କରିନାହାନ୍ତି-। ସେ ତାଙ୍କର କନ୍ୟା ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ରହିଥିଲେ, ପୁଣି ‘‘ତାଙ୍କର ଝିଅ ଏଣିକି ମୋର ବୋହୂ ହେବ । ଆମରି ଉପରେହିଁ ତ ଝିଅଟିର ସମସ୍ତ ସୁଖ ନିର୍ଭର କରିବ । କେବଳ ତୋହରି ସକାଶେ ସିନା ତାକୁ ୟାଡ଼ୁସାଡ଼ୁ କେତେ କ’ଣ କାମରେ ଗୁରେଇ ହୋଇ ରହିବାକୁ ପଡ଼ିବ, କିନ୍ତୁ ଆମେ ଦୁହେଁ ଏକମତ ହୋଇ ଗଲାପରେ ଆଉ ତାକୁ ସେହି ଦଶା ଭୋଗିବାକୁ ପଡ଼ିବ ନାହିଁ । ପୁଅ, ତୋ ମୋ ଭିତରେ ଆଉ କୌଣସି କଜିଆ ରହିଲେ ଆଦୌ ଚଳିବ ନାହିଁ । ଲୋକମାନେ କହିବେ ଯେ ଭାଗ୍ୟଦେବୀ ଠିକ୍‌ ଆମ ପକ୍ଷରେ ରହିଛନ୍ତି–କିନ୍ତୁ ଏତେ ବିଳମ୍ବରେ, ଏ ବୁଢ଼ୀ ବୟସରେ ଏଡ଼େବଡ଼ ସୌଭାଗ୍ୟର ଉଦୟ ହେବାଟା ପ୍ରକୃତରେ ଦାରୁଣ ଦୁଃଖର ବିଷୟ ନୁହେଁକି-? କିନ୍ତୁ ମୋ’ପାଇଁ ଚିନ୍ତା କରବାର କୌଣସି କାରଣ ନାହିଁ । ମୁଁ ତ ଗୋଟାଏ ଘୋଡ଼ା ପରି ମଜବୁତ୍‌ ରହିଚି । କିନ୍ତୁ ସେଠାକୁ ଗଲେ ବୟସ ହୋଇଯାଇଥିବା ମୋର ଦଦରା ଦେହଟାକୁ ଟିକିଏ ବିଶ୍ରାମ ମିଳିବ । ମୋତେ ପୂର୍ଣ୍ଣ ବିଶ୍ରାମ ମିଳିବାର ସମୟ ବି ତ ନିକଟ ହୋଇଆସିଲାଣି !’’

 

ଗାଲିଗାଇ ଚିଠି ଅପେକ୍ଷା ମାଆଠାରୁ ସେ ଶୁଣୁଥିବା ଏହି ଧରଣର କଥାମାନ ଘରଛାଡ଼ି ଶୀଘ୍ର ପାରିସ୍‌ ପଳାଇବାକୁ ନିକୋଲାସ୍‌ର ମନକୁ ଏକାବେଳେକେ ଉଚ୍ଛନ୍ନ କରି ପକାଇଲା । କୌଣସି ଏକ ବିରାଟ ସହରରେ ଆପଣାକୁ ଗୋପନ କରି ରଖିବାକୁ ଟିକିଏ ସ୍ଥାନ ଖୋଜୁଥିବା ଅପରାଧୀ ପରି ପାରିସ୍‌ ଯିବାର ଚିନ୍ତା ତା’ର ମନକୁ ସମ୍ପୂର୍ଣ୍ଣ ଅଧିକାର କରି ବସିଲା । ହାତରେ କଲମ ଧରି ବସିବାମାତ୍ରକେ ବିଚାର-ସଂଯମହୀନା ଗାଲିଗାଇ ସଂଯମର ସମସ୍ତ ସୀମାହିଁ ଭୁଲି ଯାଉଥିଲେ । ହୃଦୟର ସମସ୍ତ ସ୍ରୋତମୁଖକୁ ସେ ଉନ୍ମୁକ୍ତ କରି ଦେଉଥିଲେ । ଆଖି ଆଗରେ ଖଣ୍ଡେ ଅଲେଖା କାଗଜ ପାଇବାମାତ୍ରକେ କ’ଣ ଲେଖିବା ଉଚିତ ବା ଅନୁଚିତ, ସେଥିପ୍ରତି ଦୃଷ୍ଟି ରଖିବାରେ ସମସ୍ତ ଆବଶ୍ୟକତା ସେ ଭୁଲି ଯାଉଥିଲେ । କ୍ଷୁଧା ଓ ତୃଷ୍ଣାରେ ଦୁର୍ବଳ ହୋଇ ସେ ଉଇଲ୍‌ଟା ହାତରେ ଟେବୁଲ ପାଖରେ ବସୁଥିଲେ । ଦୁଇ ତିନି ଦିନରେ ଥରେ ଲେଖାଏଁ ନିକୋଲାସ୍‌ ପାଖରୁ ସଂକ୍ଷିପ୍ତ କେତୋଟି ଶବ୍ଦରେ ଚିଠିର ଉତ୍ତର ଆସୁଥିଲା । ଏହି ସଂକ୍ଷିପ୍ତ ଚିଠି ପାଇ ସୁଦ୍ଧା ସେ ଆଦୌ ନିରାଶ ହେଉନଥିଲେ । ନିକୋଲାସ୍‌ଠାରୁ କୋମଳ ହୃଦୟତାର କୌଣସି ସଂକେତ ନ ପାଇବାରେ ସେ ଭାରି ଅଭ୍ୟସ୍ତ ହୋଇଯାଇଥିଲେ । ପାରିସ୍‌କୁ ଯାଇସାରିବା ପରେ ସପ୍ତାହରେ ଥରେ ଲେଖାଏଁ ଏକାକିନୀର ମନବୋଧ କରିବାପାଇଁ ଏମିତି ମୁଠାଏ ମୁଠାଏ ଖାଦ୍ୟ ସେ ଫୋପାଡ଼ି ଦେଉଥିବେ ଏବଂ ସେଇଥିରେ ସେ ଯଥେଷ୍ଟ ସନ୍ତୋଷ ଲାଭ କରିବେ । ତାଙ୍କ ପାଖରେ କରିଥିବା ଶପଥ ତାକୁ ଅବଶ୍ୟ ପାଳନ କରିବାକୁ ପଡ଼ିବ । ବ୍ୟାପାରଟିରେ ସେ ଅଭ୍ୟସ୍ତ ହୋଇଗଲା ପର୍ଯ୍ୟନ୍ତ ଓ ସେଥିରେ ପ୍ରବେଶ କଲା ପର୍ଯ୍ୟନ୍ତ ଆଗାଥେ ଟିକିଏ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ, ସେ ତାଙ୍କଠାରୁ କେବଳ ଏତିକ ଚାହୁଥିଲା । କାରଣ ସେ ଭାବୁଥିଲା ଯେ କାଳକ୍ରମେ ଆଗାଥେ ଅଧିକ ସ୍ଥିର ହୋଇ ଆସିବେ ଏବଂ ଠିକ୍‌ ତାହାରି ପରି ଏକ ଶାନ୍ତ ଦାମ୍ପତ୍ୟ-ଜୀବନ ବା ସାହଚର୍ଯ୍ୟକୁ ଆଦର କରି ଶିଖିବେ, ଯେପରି କି ଏହି ସାହଚର୍ଯ୍ୟକୁ ଦୁଇଜଣ ସତୀର୍ଥ ଛାତ୍ରଙ୍କ ମଧ୍ୟରେ ଥିବା ବନ୍ଧୁତା ସହିତ ତୁଳନା କରାଯାଇପାରିବ । ନିକୋଲାସ୍‌ ସବୁବେଳେ ଭାବୁଥିଲା ଯେ ‘ଏହା’–ଏଥିପାଇଁ ଅନ୍ୟକୌଣସି ଶବ୍ଦ ସେ ପାଉନଥିଲା,–କୌଣସି ଉତ୍ତେଜନା ବା କୌଣସି ଭାବପ୍ରବଣତା ନ ଥାଇ ସମ୍ପନ୍ନ ହେବା ଉଚିତ-। ସେ ଅତି ନିର୍ଲିପ୍ତ ଭାବରେ ଏକଥା ଭାବୁଥିଲା,–ଗୋଟାଏ ଶରୀର ଭିତରୁ ଆଉ ଗୋଟାଏ ଶରୀର ଭିତରେ ରକ୍ତ ନେବାଠାରୁ ଯେପରି ଏହା ଆଦୌ ଅଧିକ ମହତ୍ତ୍ୱପୂର୍ଣ୍ଣ ନୁହେଁ । ତଥାପି ଆହୁରି ପନ୍ଦର ଦିନ ବାକୀ,–ଦଶଦିନ-ଏଥର ସେ ତ୍ରାହି ପାଇବ । ଏହି ସମୟରେ ହଠାତ୍‌ ଚିଠି ଆସି ପହଞ୍ଚିଲା,–ତିନିଧାଡ଼ିର ତରତରିଆ ଲେଖା । ‘‘ଏତେ ଦିନକେ ସବୁ ସମାପ୍ତ ହେଲା । ତାଙ୍କୁ କଫିନ୍‌ ଭିତରକୁ ନିଆଯିବା ପର୍ଯ୍ୟନ୍ତ ମୋତେ ଏଠାରେ ରହିବାକୁ ପଡ଼ିବ, କିନ୍ତୁ ପଅରଦିନ ମୁଁ ଅବଶ୍ୟ ତୁମର ବାହୁବେଷ୍ଟନ ଭିତରକୁ ଚାଲିଯାଇପାରିବି ।’’ ରୋଷେଇ ଘରେ କଫି କପ୍‌ଟାକୁ ଆଗରେ ରଖି ସେ ବସିଥିଲା । ମାଆ ଚିଠିଟାକୁ ତା’ର ଆଙ୍ଗୁଠି ଭିତରୁ ଛଡ଼ାଇ ନେଇଗଲେ । ‘‘ଯାହାହେଉ, ଏତେଦିନକେ ସବୁ ଠିକ୍‌ ହୋଇଗଲା । ଏକଥା ଦିନେନା ଦିନେ ଅବଶ୍ୟ ଘଟିବ ବୋଲି ପରା ମୁଁ ଆଗରୁ ଜାଣିଥିଲି । କିନ୍ତୁ ଯାହାହେଉ, ବର୍ତ୍ତମାନ ମୋ’ ମୁଣ୍ଡଟା ଟିକିଏ ଶାନ୍ତ ହୋଇପାରିବ ।’’ ସମ୍ପୃକ୍ତ ସମସ୍ତେ ଏହି ଘଟଣାଟିକୁ ଭଗବାନଙ୍କର କରୁଣା ବୋଲି ମନେକରୁଥିଲେ-। ପ୍ରକୃତରେ କ’ଣ ନିକୋଲାସ୍‌ ପାରିସ୍‌କୁ ଫେରିଯିବାକୁ ଇଚ୍ଛା କରୁଥିଲା ? ତା’ ହେଲେ ତାକୁ ଅତି ନିର୍ବୋଧ ବୋଲି କହିବାକୁ ହେବ । ବିବାହ କରିବାପାଇଁ ଅଧିକ ଦିନ ରହିବାକୁ ହେଲେ ତ ତାକୁ ଅତି ସହଜରେ ଛୁଟି ମିଳିଯିବ । ବ୍ୟାପାରଟାକୁ ଅଧିକ ପକାଇ ନ ରଖିବାହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ।

 

ଏକ ମୃତପ୍ରାୟ କଣ୍ଠସ୍ୱରରେ ସେ ‘ବିଚାର କରିବି’, ‘ଦେଖିବି’ ବୋଲି ଉତ୍ତର ଦେଲା । ଉଠିକରି ସେ ବାହାରକୁ ଗଲା–ବାହାରେ ସୂର୍ଯ୍ୟକିରଣ କୁହୁଡ଼ିରେ ଆଚ୍ଛନ୍ନ ହୋଇ ରହିଚି । କାଷ୍ଟିଲନ୍‌ ରାସ୍ତାରେ ସେ ପଦଚାରଣା କରୁଥାଏ, ସତେ ଅବା ଗୋଟାଏ କୌଣସି ଜାଲରେ ପଡ଼ିଗଲା ପରି ସେ ଅନୁଭବ କରୁଥାଏ । ସେହି ଜାଲରେ ସେ ଛନ୍ଦି ହୋଇପଡ଼ିଲା । ସଂଗ୍ରାମ କରିବାର ଆଉ କୌଣସି ପ୍ରୟୋଜନ ନ ଥିଲା । ଚାରିଆଡ଼ୁ ସଢ଼ାକାଠ, ପୋଡ଼ାପତର ଓ ପଚା ଦ୍ରାକ୍ଷାରସର ଗନ୍ଧ ଭାସି ଆସୁଥିଲା । ଦ୍ରାକ୍ଷା ପେଷା ହେଉଥିବା ଖାଇରୁ ଧଡ଼ଧଡ଼ ଶବ୍ଦ ଶୁଣାଯାଉଥିଲା । ନିକୋଲାସ୍‌ ଖାଇଟାରୁ ଦେଖିପାରୁନଥିଲା, କେବଳ ଶବ୍ଦଟା ଶୁଣିପାରୁଥିଲା । ଶେଷ ସେପ୍ଟେମ୍ବର ସମୟକୁ ପିଲାଦିନରୁ ପ୍ରତ୍ୟେକ ବର୍ଷ ସେ ଏହିସବୁ ଶବ୍ଦ ଓ ଦୃଶ୍ୟକୁ ଭାରି ଭଲ ପାଇ ଆସୁଥିଲା । କୌଣସି ଏକ ସଂକୀର୍ଣ୍ଣ ପ୍ରକୋଷ୍ଠରେ ବାରିତ ବାତାୟନ ବାଟେ ସେସବୁ ଆଜି ଆସୁଥିବା ପରି ସେ ଅନୁଭବ କରୁଥିଲା । ଯଦି ମୃତ୍ୟୁ ପ୍ରକୃତରେ ମୃତ୍ୟୁହିଁ ହୋଇଥାନ୍ତା ! ମୃତବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲାବେଳେ ଗୀର୍ଜା ଯେଉଁ ନିଦ୍ରାର ପ୍ରାର୍ଥନା କରେ, ଯଦି ମୃତ୍ୟୁ ପ୍ରକୃତରେ ସେହି ନିଦ୍ରା ହୋଇଥାନ୍ତା :–ତାଙ୍କର ଆତ୍ମା ଶାନ୍ତିରେ ବିଶ୍ରାମ କରୁ, ହେ ଭଗବାନ, ତାକୁ ଚିର ଶାନ୍ତି ଓ ବିଶ୍ରାମ ପ୍ରଦାନ କର...କିନ୍ତୁ ଏହି ଶାନ୍ତି ପ୍ରାର୍ଥନା ମୃତତ୍ମା ଲାଗି କୌଣସି ନିର୍ଭର ଦେଇପାରୁନଥିଲା । ଏହି ପ୍ରାର୍ଥନାର ଉତ୍ତରରେ କୁହାଯାଉଥିଲା : ଶାଶ୍ୱତ ଆଲୋକ ଓ ଅଗ୍ନି । ବୁଲି ବୁଲି ସେ ଚେଷ୍ଟନଟ୍‌ ବଣରେ ପହଞ୍ଚିଲା–ଗଲାଦିନେ ସେ ଆଉ ଗିଲେସ୍‌ ଠିକ୍‌ ଏହି ଜାଗାକୁ ଛତୁ ତୋଳି ଆସିଥିଲେ । ଯନ୍ତ୍ରଚାଳିତ ହେଲାପରି ସେ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ପଚା ଓ ପାଚିଲା ପତ୍ରଗୁଡ଼ାକ ଉଖାରିବାରେ ଲାଗିଥାଏ । ଖ୍ରୀଷ୍ଟିଆନ୍‌ ଧର୍ମ ବିଶ୍ୱାସର ଯେଉଁ ଘନୀଭୂତ ସ୍ତୁପ ତା’ର ହୃଦୟ ଭିତରେ ଠିଆ ହୋଇ ରହିଥିଲା, ସତେ ଅବା ତାହାରି ପାଖକୁ ଆସି ହଠାତ୍‌ ଝୁଣ୍ଟି ପକାଇଲା-। ସେଠାରୁ ରକ୍ଷା ପାଇ ପଳାଇ ପାରିବ ବୋଲି ଆଉ ତା’ର ବିଶ୍ୱାସ ହେଲା ନାହିଁ । ସମସ୍ତେ ମିଶି ଯେପରି ତାକୁ ଗୋଟାଏ କ’ଣକୁ ନେଇ ଆସିଲେଣି, ତାକୁ ଚାରିଆଡୁ ଘେରି ଗଲେଣି-। ସେଠାରୁ ଯେପରି ମୁକ୍ତିର କୌଣସି ଉପାୟ ନ ଥିଲା ।

 

ଆପଣା ହାତରେ ଟେକି ଯେଉଁ ବୋଝଟାକୁ ସେ ଆପଣାର ପିଠି ଉପରେ ରଖିଚି, ସେହି ବୋଝକୁ ସେହିପରି ପିଠିରେ ବୋହି ସନ୍ତୁଷ୍ଟ ହେବା ବ୍ୟତୀତ ଆଉ ଅନ୍ୟଗତି ନାହିଁ । ‘‘ଧିକ୍‌ ତୁମକୁ, କାରଣ ତୁମେମାନେ ମଣିଷ ଉପରେ ଦୁର୍ବହ ବୋଝମାନ ଲଦି ଦେଇଚ ଆଉ ନିଜେ କୌଣସି ପ୍ରକାରର ବୋଝକୁ ଗୋଟିଏ ଆଙ୍ଗୁଠିରେ ମଧ୍ୟ ସ୍ପର୍ଶ କରିବାକୁ ତୁମେମାନେ ପ୍ରସ୍ତୁତ ନୁହଁ-।’’ ଏହି ଅଭିଶାପ ବାକ୍ୟ ଉଚ୍ଚାରଣ କଲାବେଳେ ଈଶ୍ୱରଙ୍କର ଅବଶ୍ୟ କହିବା ଉଚିତ ଥିଲା–ଧିକ୍‌ ସେମାନଙ୍କୁ, ଯେଉଁମାନେ ଆପଣାକୁ ପେଷି ଦେଉଥିବା କ୍ରସ୍‌କୁ ନେଇ ଆପଣାର ପିଠି ଉପରେ ଲଦି ଦିଅନ୍ତି, ଯାହାକୁ ବହନ କରି ନେବାକୁ ସେମାନଙ୍କର ଶକ୍ତି ନ ଥାଏ, ଯାହା ସେମାନଙ୍କର କ୍ରସ୍‌ ନୁହେଁ । ଅତି ନିର୍ବୋଧତା ସହକାରେ ଆପଣା ଉପରକୁ ଆପଣା ଉପରକୁ ଅତିମାନୁଷିକ ବୋଝମାନ ଆଦରି ଆଣି ତାହାରି ତଳେ କେତେକେତେ ଲୋକ ନିଃଶେଷିତ ହୋଇଯାଉ ନାହାନ୍ତି ? ଆତ୍ମତ୍ୟାଗର ଶବ୍ଦଗୁଡ଼ାକ ମୁହଁରେ କହିବା ଏବଂ ଆପଣାକୁ ସଂକଳ୍ପଦ୍ୱାରା ଆବଦ୍ଧ କରି ପକାଇବା ସତେ କେଡ଼େ ସହଜ । କିନ୍ତୁ ତା’ପରେ ଆଣ୍ଠୁରେ ଗୋଟାଏ ଲୁହାର ବଲ୍‍ ବାନ୍ଧି ମୃତ୍ୟୁପର୍ଯ୍ୟନ୍ତ ଆପଣାର ବାଟ ଚାଲିବାକୁ ପଡ଼ିବହିଁ ପଡ଼ିବ । ମାତ୍ର ଅପରାଧୀର ଗୋଡ଼ରେ ବନ୍ଧା ହୋଇଥିବା ଲୁହାର ଏହି ବଲ୍‍ଟା ଅପରାଧୀ ଉପରେ କୌଣସି ପ୍ରଭାବ ପକାଇ ପାରେନାହିଁ । ହେ ଭଗବାନ : -ଏହି ସ୍ତ୍ରୀଲୋକଟା ତା’ର ହୃଦୟ ଓ ଦେହକୁ ଅଧିକାର କରି ବସିବ, ରାତି ଆଉ ଦିନ, ମୃତ୍ୟୁ ପର୍ଯ୍ୟନ୍ତ ଏବଂ ମୃତ୍ୟୁ ଅନ୍ତେ ମଧ୍ୟ ଅଧିକାର କରି ରହିଥିବ... ।

 

କେଡ଼େ ଦୃଢ଼ ଓ ଅଦମ୍ୟ ସଂକଳ୍ପର ସହିତ ସମସ୍ତ ବାଧା ଅତିକ୍ରମ କରିବାକୁ ପଡ଼ିଲା । ନିକୋଲାସ୍ ତା’ର ମାଆଙ୍କ କଥା ଭାବୁଥାଏ । ପ୍ରଥମେ ପ୍ରଥମେ ସେ ଟିକିଏ ବୈର ଆଚରଣ କରୁଥିଲେ, କିନ୍ତୁ ଗାଲିଗାଇ ତାଙ୍କୁ ଏକାବେଳେ ବଶ କରିନେଲେ । ଏପରିକି ସେ ଅତି ଅଳ୍ପଦିନ ପରେ ପ୍ରବେଶ କରିବାକୁ ଯାଉଥିବା ସ୍ୱର୍ଗରାଜ୍ୟର ଦ୍ୱାରକୁ ତାଙ୍କ ପଛରେ ଧଡ଼କରି ବନ୍ଦ କରିଦେବାର କଳ୍ପନା ସୁଦ୍ଧା ସେ କରିପାରିବ ନାହିଁ । ସେ ହାତମୁଠା କରିବାକୁ ଲାଗିଲା । ସେ ଯାହାସବୁ କଲା, କାହିଁକି କଲା ? କିଏ ତା’ର କାନ୍ଧକୁ ଧରି ଏମିତି ତଣ୍ଟିଆ ମାରିମାରି ତାକୁ ଆଗକୁ ନେଇଯାଇଚି ? ଗିଲେସ୍...ଘଟଣା ଅନୁକ୍ରମରେ ସେହି ଗିଲେସ୍ ଆଜି ଗାଲିଗାଇର ବିନା ସାହାଯ୍ୟରେ ତା’ର ଉଦ୍ଦେଶ୍ୟ ହାସଲ କରିପାରିଚି: ସେହି ଗିଲେସ୍, ଝକ୍‍ମକି ପଥରରେ ଗଢ଼ା ମୁହଁ ଭିତରେ ନାନାରଙ୍ଗର ଚକ୍‍ମକ ଆଖି ଦୁଇଟା, ସତତ ସନ୍ତୁଷ୍ଟ ହେବାଲାଗି ଅସ୍ଥିର ହେଉଥିବା ନାନା କ୍ଷୁଧାଦ୍ୱାରା ସଞ୍ଚାଳିତ ଅସ୍ଥି ଓ ମାଂସପେଶୀଦ୍ୱାରା ଗ୍ରଥିତ ହୋଇଥିବା ସେହି ଜୀବନ୍ତ ସୃଷ୍ଟି…କିନ୍ତୁ ଏ ଦୋଷ କାହାର ? ସେ,–ନିକୋଲାସ୍, ସବୁବେଳେ ତା’ର ଜୀବନରେ ଏପରି ଏକ ପିତୁଳାଟିଏ ରଖିବାକୁ ଚାହୁଁଥିଲା, ଯାହାପାଖରେ କି ସିଏ ଆପଣାକୁ ବଳି ଦେଇପାରିବ । ହଁ, ତାକୁ ବଳି ପଡ଼ିବାକୁହିଁ ପଡ଼ିବ,–ବିଚାରା ନିର୍ବୋଧ ବଳିଭୋଜ୍ୟ ।

 

ତାହାର ପ୍ରକୃତି ସେହିପରି । କିନ୍ତୁ ତାହାର ଚେତନା ଶକ୍ତିର ଏହିସବୁ ଜଳଭଉଁରୀ କୌଣସି ଏକ ଅନ୍ତିମ ବଳିର ଅନୁଷ୍ଠାନ କରି ମୁକ୍ତି ପାଇବାର ବାଟ ଅନୁସନ୍ଧାନ କରିବାରୁ ଯେପରି ତାକୁ କୌଣସି ପ୍ରକାରେ ନିବୃତ୍ତ କରି ନ ରଖେ । ଗାଲିଗାଇଙ୍କର ଇଚ୍ଛାନୁସାରେ ତାକୁ ସମସ୍ତ କାର୍ଯ୍ୟ କରିବାକୁ ହେବ । କିନ୍ତୁ ଯେପର୍ଯ୍ୟନ୍ତ ବିବାହ-ଉତ୍ସବଟି ଅନୁଷ୍ଠିତ ଓ ସମାପ୍ତ ନ ହୋଇଚି, ଯେପର୍ଯ୍ୟନ୍ତ ମାଆ ବେଲ୍‍ମନ୍ତରେ ସ୍ଥାୟୀଭାବରେ ନିବାସ ନ କରିଚନ୍ତି, ସେପର୍ଯ୍ୟନ୍ତ ସେ ଜୀବନ ପାଖରୁ କୁଆଡ଼େ ପଳାଇ ଯାଇପାରିବ ନାହିଁ । ଗୋଟାଏ ଆତ୍ମହତ୍ୟାର ‘ଅଭିନୟ’ କରିବା ଭାରି ସହଜ । କେଉଁଭଳି ଦୁର୍ଘଟଣାମାନ ଘଟିଲେ ସେ ଆହତ ହୋଇପଡ଼ିବାର ଆଶଙ୍କା ରହିଚି, ମନେମେନ ସେ ସେହି ସବୁର ବିଚାର କରିବାକୁ ଲାଗିଲା । କ୍ରମେ ସେ ଟିକିଏ ଅଧିକ ଶାନ୍ତି ଅନୁଭବ କଲା । କିନ୍ତୁ ଗିଲେସ୍ ପ୍ରତି ସେ ଯେଉଁ ବୈଚିତ୍ର ବିହୀନ ତିକ୍ତତା ଅନୁଭବ କରୁଥିଲା, ତା’ର ନୂତନଲବ୍ଧ ଶାନ୍ତିକୁ ସେହି ତିକ୍ତତା ଗ୍ରାସ କରିବାକୁ ଆସିଲାବେଳେ ସେ ଆଦୌ ତାକୁ ନିବୃତ୍ତ କରି ରଖିପାରିଲା ନାହିଁ । ଆଜି ଶରତ ୠତୁରେ ସେ ଯେଉଁ ରାସ୍ତାଟି ଉପରେ ଯାଉଥିଲା, ଦୁହେଁ ତା’ଉପରେ କେତେଥର ଏକାଠି ହୋଇ ଯାଇଚନ୍ତି । ଆଜି ସେଇଠି ଯାଉଯାଉ ସେ ଭାବୁଥିଲା, ବନ୍ଧୁତା ପ୍ରତିଷ୍ଠିତ ହେବାର ପ୍ରଥମ ପର୍ବରୁହିଁ କିପରି ସବୁବେଳେ ତାକୁ ବଞ୍ଚିତ ହେବାକୁ ପଡ଼ିଚି । ଜୀବନ୍ତ ମୃତ୍ୟୁର ମୂର୍ତ୍ତିସ୍ୱରୂପ ଏହି ସହରର ଚିମନିଗୁଡ଼ିକରୁ ଉଠୁଥିବା ଧୂଆଁ ବୃହଦାକାର ଗୀର୍ଜାଉପରେ ଜମି ରହିଥିବା କୁହୁଡ଼ିକୁ ଅଧିକ ଘନୀଭୂତ କରିଦେଉଥିଲା ।

 

ଷୋହଳ

 

ରାମ୍ପାର୍ଟ ରାସ୍ତାଦେଇ ସେ ଘରକୁ ଫେରିଲା । ହଠାତ୍...ପରିଚିତ କୌଣସି କଣ୍ଠ ତାକୁ ଡାକୁଥିବାର ଶୁଣିପାରି ସେ ଉପରକୁ ଅନାଇଲା । ତା’ର ନିଜ କୋଠରୀରୁ ତଳକୁ ଉହୁଙ୍କି ପଡ଼ି ଗିଲେସ୍ ତାକୁ ଡାକୁଥିଲା ।

ଆଉ ଜଣକ କାରରେ ବସି ସେ ବୋର୍ଦୋରୁ ଘରକୁ ଆସିଥିଲା । ସିଧା ଆସି ନିକୋଲାସ୍‍ଙ୍କ ଘର ପାଖରେ ଓହ୍ଲାଇ ପଡ଼ିଥିଲା, କାରଣ ତା’ ସହିତ ସାକ୍ଷାତ୍‍ କରି ତାକୁ ସବୁକଥା ନ କହିବା ଯାଏ ଆଉ ତା’ର ଧେର୍ଯ୍ୟ ରହିଲା ନାହିଁ । ...ଅବଶ୍ୟ ସେ ବାଲୁଜ୍‍କୁ ଯେ ଶିକାର କରିବାକୁ ଯାଇଥିଲା, ସେ କଥା ଠିକ୍ । କି ଅଦ୍ଭୁତ ଓ ଚମତ୍କାର ଦୁଇଟା ସପ୍ତାହ ସେ ବୋର୍ଦୋରେ କଟାଇ ନ ଆସିଲା । ଅବଶ୍ୟ ତାହାକୁ ଭୟଙ୍କର ମଧ୍ୟ କହିବାକୁ ପଡ଼ିବ । ମାଆ ପାଖରେ...ଡାକ୍ତରଖାନାରେ ମୁହୁର୍ତ୍ତେ ବସି ରହିବା ଆଉ ମେରୀ ପକ୍ଷରେ ସମ୍ଭବ ହୋଇପାରିଲା ନାହିଁ । ଏପରିକି ନିଜେ ମଧ୍ୟ ତାକୁ ବାହାରକୁ ଯିବାଲାଗି ଜିଦ୍ ଧରି କହିଲେ । ନାନା ସ୍ଥାନରେ ସେମାନଙ୍କର ଭେଟ ହେଲା । ସାଧାରଣ ପାର୍କମାନଙ୍କରେ, ବନ୍ଦର ପାଖରେ ଓ କେବଳ ସାଁତ-ଜାଁ ଷ୍ଟେସନ ପାଖରେ ଥିବା ତା’ର ହୋଟେଲର କୋଠରୀଟିକୁ ଛାଡ଼ିଦେଲେ ଆଉ ସବୁଠାରେ । ବେଶ୍ କେତେଦିନ ପର୍ଯ୍ୟନ୍ତ ସେମାନଙ୍କୁ ସେହି ପ୍ରଲୋଭନରୁ ଆପଣାକୁ ଦୂରରେ ରଖିବାକୁ ପଡ଼ିଲା–କାରଣ ସେମାନେ ଠିକ୍ ଜାଣିଥିଲେ ଯେ ଘର ଭିତରେ ପଶି କବାଟ ବନ୍ଦ କରିଦେବା ମାତ୍ରକେ…ତଥାପି ଏକଥା ଘଟିଥିଲା । ଠିକ୍ ମେରୀ ପରି ଏଥିଲାଗି ତାକୁ ମଧ୍ୟ ଭାରି ଖରାପ ଲାଗିଲା, ପରେ ଦୁହେଁ ପରସ୍ପରଠାରୁ ବିଦାୟ ନେଇ ଆସିଲାବେଳେ ମଧ୍ୟ ସେହିପରି ଖରାପ ଲାଗିଲା । ଝାମ୍ପ ମାରି ଏପରି ସୁଖକୁ ଆତ୍ମସାତ୍ କରିବାକୁ ଆସିବା, ଆଉ ଗୋଟାଏ ଘରେ ତା’ର ମାଆ ପୀଡ଼ିତ ହୋଇପଡ଼ିଥିବାବେଳେ ଗୋପନ ଆଲିଙ୍ଗନରେ ଏପରି ମାତି ରହିବା, ଚରମ ଲଜ୍ଜାରେ ଦୁହେଁ ସତେ ଅବା ସଢ଼ି ଯାଉଥିଲେ । ତଥାପି, ସୁଖ ପାଇବାକୁ ହେଲେ ଏହିପରି ଅନେକ ପାପର ପଥ ମାଡ଼ିଯିବାକୁ ପଡ଼େ….‘‘କାରଣ ତତେ ମୁଁ ଏତିକି କହିବାକୁ ଯାଉଚି ସେ ତା’ପରେ ମୋତେ କୌଣସି ପ୍ରକାରେ କ୍ଷୁନ୍ନ, କ୍ଳାନ୍ତ ବା କ୍ଷୟିତ ବୋଧ ହେଲା ନାହିଁ–ମୋ’ ଜୀବନରେ ଏ ପ୍ରଥମ ଥରପାଇଁ ! ତାହାର ମର୍ମ ତୁ ହୃଦୟଙ୍ଗମ କରିପାରୁଚୁ ? ...ଯେତେଥର ଏପରି ଘଟେ, ପ୍ରତ୍ୟେକଥର ଯେପରି ମତେ କିଏ କୁ ଆଡ଼କୁ ଉତ୍ତୋଳିତ କରି ନେଇଯାଏ, ସତେଅବା ମୁଁ ପୃଥିବୀର କୋଟୀ ଉପରେ ଯାଇ ବସେ…ପ୍ରତ୍ୟେକଥର ଠିକ୍ ପ୍ରଥମଥର ପରି ଲାଗେ…ମେରୀକୁ ମଧ୍ୟ ସବୁକଥା ଅତି ସହଜ ଓ ସ୍ୱାଭାବିକବୋଲି ଲାଗୁଚି …ଏହା ଅନ୍ୟକୌଣସି ପ୍ରକାରର ହୋଇପାରେବୋଲି ସେ କଳ୍ପନା ମଧ୍ୟ କରିପାରେ ନାହିଁ…କିନ୍ତୁ ମୁଁ ସେହିପରି ଅନୁଭବ କରେ...ତୁ’ ତ ମୋତେ ଜାଣିଚୁ...କି ଅଦ୍ଭୁତ ଉପଲବଧି ଏ । କି ଅଲୌକିକ ଘଟଣା ।’’

ଏପର୍ଯ୍ୟନ୍ତ ସେ ନିକୋଲାସ୍ ଆଡ଼କୁ ଚାହିଁ ନ ଥିଲା । ସବୁଦିନେ ସେ ଏହିପରି ନିଜକୁ ନିଜେ କଥାବାର୍ତ୍ତା କରେ, ନିଜ ବିଷୟ ଛାଡ଼ି କ୍ୱଚିତ୍‍ ସେ ଅନ୍ୟ ବିଷୟରେ କଥାବାର୍ତ୍ତା କରେ । ନିକୋଲାସ୍‍ର ନୀରବତା ଏଥିପାଇଁ ଏକ ପରିଚିତ ଓ ପ୍ରୟୋଜନୀୟ ତୃଣଭୂମି ଯୋଗାଇ ଦେଉଥିଲା । କିନ୍ତୁ ଆଜିର ନୀରବତା ଟିକିଏ ସ୍ୱତନ୍ତ୍ର ଧରଣର–ଗିଲେସ୍ ଅସ୍ପଷ୍ଟ ଭାବରେ ଏକଥା ବୁଝିପାରୁଥାଏ ଓ ତା’ର ବନ୍ଧୁ ଆଡ଼କୁ ଅନାଇ ରହିଥାଏ । କାନ୍ଥ ଆଡ଼କୁ ମୁହଁକରି ନିକୋଲାସ୍ ଦରଶୁଆ ହୋଇ ବିଛଣା ଉପରେ ଗଡ଼ୁଥାଏ । ଦୁଇ ହାତରେ ସେ ତା’ର ବାଳକୁ ଯାଇ ଧରିଲା ଓ ମୁଣ୍ଡ ଟେକିବା ଲାଗି ତାକୁ ବାଧ୍ୟ କଲା । ତା’ପରେ ସେ ବୁଝିପାରିଲା ।

‘‘ଘଟଣା କ’ଣ ?–ଗାଲିଗାଇ ସକାଶେ କଦାପି ଏପରି ହୋଇନଥିବ । ତା’ହେଲେ ଏ କ’ଣ ? ତୁ ବନ୍ଧନରେ ପଡ଼ିଯାଉଚୁ ବୋଲି କ’ଣ ମୋତେ କହିବାକୁ ଇଚ୍ଛା କରୁନାହିଁ ? …ବାଗ୍‍ଦାନଟା ଏକ ପ୍ରକୃତ ଅଥଚ ଅନିର୍ଦ୍ଦିଷ୍ଟ ବାଗ୍‍ଦାନ ହେବାର ତ କଥା ଥିଲା, ତୁ ଠିକ୍ ସେହିପରି ହେଉ ବୋଲି ଇଚ୍ଛା କରିନଥିଲୁକି ? ତୋ’ ମନରେ ହୁଏତ ଆଉକିଛି ଅଛି ବୋଲି ତ ମୁଁ ଆଦୌ ଭାବିନାହିଁ । ତୁ କ’ଣ ଭାବିଲୁ ଯେ ମୁଁ ଖାଲି ଠିଆହୋଇ ତୋତେ କିଏ ଜୀଅନ୍ତା ଗିଳି ପକାଉଥିବାର ଦେଖୁଥିବି ? –ପୁଣି ତାହାଦ୍ୱାରା, ସେହି ଆତଙ୍କଟାଦ୍ୱାରା ? ଏହାର ପରିଣାମ କ’ଣ ହେବ ତୁ ଭାବିଛୁ ? ତୁ କେବଳ ତୋହରି ବିଷୟରେ ଚିନ୍ତା କରୁଚୁ କିନ୍ତୁ ଗାଲିଗାଇ ବିଷୟ ପୁଣି କ’ଣ ହେବ-? ଏହା ତାକୁ ଠିକ୍ ଅଳ୍ପ ଅଳ୍ପ କରି ହତ୍ୟାକଲା ପରି ହେବ । ତାହାର ଅର୍ଥ ? –ତୁ ତାକୁ ପରିତ୍ୟାଗ କଲେ ଭାବୁଚୁ ସେ ନିଶ୍ଚୟ ମରିଯିବ ? ମିଛକଥା–ତୋ’ଠାରୁ ଦୁଇଗୁଣ କୌଶଳ ତାକୁ ଜଣାଅଛି । ନିଶ୍ଚୟ ତାକୁ ଜଣାଅଛି । -ସେଥିପାଇଁ ତୋ’ର ମୁଣ୍ଡ ବଥାଇବା ଆଦୌ ଦରକାର ନାହିଁ-। ତୁ ତାକୁ ବିବାହ କଲେ ତାହା ତା’ର ଚକରେ କେବଳ ଗୋଟାଏ ସ୍ପୋକ୍ ଲଗାଇଲା ପରି ହେବ- ତଦ୍ୱାରା ଦୁହିଁଙ୍କର ଜୀବନ ବଡ଼ ଶୋଚନୀୟ ହୋଇପଡ଼ିବ...କିନ୍ତୁ ବୁଢ଼ା ଡୁବେର୍ନେଟ୍, ବର୍ତ୍ତମାନ ସେ ପତ୍ନୀ ହରାଇ ସାରିଲେଣି...କାହିଁକି ନିଶ୍ଚୟ । -ଯଦି ତୁ ଆସି ମଝିରେ ଠିଆ ନ ହେଉ, ତେବେ ସେ ତତ୍‍କ୍ଷଣାତ୍‍ ତାଙ୍କୁ ବିବାହ କରିବ–ଗଧ, ତୁ କ’ଣ ଜାଣିଚୁ, ଚାରିଆଡ଼େ ତ ସମସ୍ତେ ସେହିକଥା କଥାବାର୍ତ୍ତା ହେଉଛନ୍ତି: ବୋଧହୁଏ କେବଳ ତୁହିଁ ଏ ବିଷୟରେ କିଛି ଜାଣିନାହୁଁ-। କୌଣସି କଥା, କୌଣସି ଗମ୍ଭୀର କଥା ଘଟିଛି ବୋଲି ମୁଁ କଦାପି କହୁନାହିଁ । କିନ୍ତୁ ପବନଟା ପ୍ରକୃତରେ କୁ ଆଡ଼କୁ ବହୁଚି, ତାହା ଜାଣିବାକୁ ଆଗରୁ ଅନେକ ସୂଚନା ମିଳୁଛି । ମେରୀ ତ ସେକଥା ନିଜେ ଦେଖିଛି । ତେଣୁ ବେଲ୍‍ମନ୍ତର ଭୂସମ୍ପତ୍ତି ଫେରାଇଦେବା କ’ଣ କେବଳ ଏକ ବନ୍ଧୁତ୍ୱସୂଚକ କାର୍ଯ୍ୟବୋଲି ତୁ ଭାବୁଚୁକି ? ତୋର ମାଆ କେବଳ ତୋତେ ବଗିଚା ଆଡ଼କୁ ବୁଲାଇ ନେଉଚନ୍ତି । ଏଥିରେ ଜୁଲିଆ ଡୁବେର୍ନେଟ୍‍ଙ୍କର ଅର୍ଥ ଆଦୌ ସମ୍ପୃକ୍ତ ନୁହେଁ । ଭୂସମ୍ପତ୍ତିଟା ତାଙ୍କର ବୋଲି ମୁଁ ଭଲକରି ଜାଣିଥିଲି । ଡୋନଜାକ ପରିବାର ଆଡ଼ୁ ସେ ସେହି ସମ୍ପତ୍ତି ପାଇଥିଲେ, କିନ୍ତୁ ପୁଞ୍ଜି ହେଉଚି ଶ୍ରୀଯୁକ୍ତ ଡୁବେର୍ନେଟ୍‍ଙ୍କର । ଗତ କୋଡ଼ିଏବର୍ଷ ହେଲା ସେ ଏଥିରେ ପଇସା ଖଟାଇଛନ୍ତି, ନିଜକୁ ଜଣେ ବ୍ୟାଙ୍କ୍ ବ୍ୟବସାୟୀ ବୋଲି ଛଳନା କରୁଛନ୍ତି–ଡୋର୍ଥେରେ ଥିବା ସମସ୍ତ ଛୋଟ ଦୋକାନକୁ ସେ ଟଙ୍କା ଦେଇ କିଣିସାରିଚନ୍ତି । ବେଲ୍‍ମନ୍ତ ହେଉଛି ତାଙ୍କର ସମ୍ପତ୍ତି, ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି । ତାଙ୍କର କୃତଜ୍ଞତାର ଏକ ନିଦର୍ଶନ । ନା ଏହା କଦାପି ଅସମ୍ଭବ ନୁହେଁ ଯେ ଗାଲିଗାଇ ପ୍ରତି ଶ୍ରୀଯୁକ୍ତ ଡୁବେର୍ନେଟ୍‍ ଆକୃଷ୍ଟ ହୋଇଚନ୍ତି । ଶ୍ରଘ୍ର ହେଉ ବା ବିଳମ୍ୱରେ ହେଉ, ମଫସଲ ଅଞ୍ଚଳରେ ପ୍ରତ୍ୟେକ ସ୍ତ୍ରୀଲୋକର ସୁଯୋଗ ଅବଶ୍ୟ ଦିନେ ନା ଦିନେ ଆସି ପହଞ୍ଚିବ । ଗାଲିଗାଇର ପରାମର୍ଶ ନ ନେଇ ଶ୍ରୀଯୁକ୍ତ ଡୁବେର୍ନେଟ୍‍ କଦାପି କୌଣସି କାର୍ଯ୍ୟ କରନ୍ତି ନାହିଁ । ତାଙ୍କ ସହିତ ସେ ସବୁବେଳେ ଅନେକ ଗୁପ୍ତ କଥାବାର୍ତ୍ତା କରନ୍ତି । ‘ରିଭ୍ୟୁଦେସ୍ ଦିଉ ମଁଦ୍‍ସ୍’ ପତ୍ରିକାରେ ସେ ଯାହା ପଢ଼ନ୍ତି, ସବୁ ତାଙ୍କ ଆଗରେ କହନ୍ତି । -ସେ ଯେ କେବଳ ଜଣେ ଗାଉଁଲୀ ସାଧାରଣ ଲୋକ ଆଦୌ ନୁହନ୍ତି, ଏ ବିଷୟରେ ଗାଲିଗାଇ ତାଙ୍କଠାରୁ ଅନେକ ପ୍ରମାଣ ପାଇଚନ୍ତି...ତୁ ଜଣେ ନାରୀର ପ୍ରବୋଧ ପାଇଚୁ–କେବଳ ପ୍ରବୋଧ ନୁହେଁ, ଯୁକ୍ତି ମଧ୍ୟ ପାଇଚୁ । ତୁ ପୁରା ଠକାମିରେ ପଡ଼ିଯାଇଚୁ । ମୁଁ ବେଶ୍‍ ଦେଖିପାରୁଚି ଯେ ଏହାଦ୍ୱାରା ତୋ’ର ସମ୍ମାନକୁ ମଧ୍ୟ ଆଞ୍ଚ ଆସିବ । କିନ୍ତୁ ତଥାପି ସମୟ ଅଛି । ଦେଖ୍‍–କାଲି ସନ୍ଧ୍ୟାବେଳେ ବାପାଙ୍କର କାରରେ ବସାଇ ତୋତେ ମୁଁ ଲାଁଗୋକୁ ନେଇଯିବି–ଅଠଚାଳିଶି ଘଣ୍ଟାରେ ତୁ ଯାଇ ପାରସ୍‍ରେ ପହଞ୍ଚିବୁ–ଠିକ୍ ପ୍ରାୟ ସେତିକିବେଳେ ଗାଲିଗାଇ, ସମସ୍ତ ପରିବାର ଓ ଶବ, ସମସ୍ତେ ଆସି ଡୋର୍ଥେରେ ପହଞ୍ଚିବେ । ପାରସ୍‍ରୁ ତୁ ତାକୁ ଖଣ୍ଡେ ଚିଠି ଲେଖି ପଠାଇଦେବୁ–ଖୁବ୍ ସାବଧାନତାର ସହିତ ଶବ୍ଦପ୍ରୟୋଗ କରି ଚିଠି ଲେଖିବୁ । ମୁଁ ତ ଏଇଠି ଥିବି, ଆଘାତଟାକୁ ଟିକିଏ ସହିବା ଭଳି କରିଦେବାର ଦାୟିତ୍ୱ ମୋ’ ଉପରେ । ତୋ’ର ମାଆ ? –ହଁ, ସେ ବିଷୟରେ ମଧ୍ୟ ବିଚାର କରିବାର କଥା, କିନ୍ତୁ ସେ କଥାଟା ବର୍ତ୍ତମାନ ଥାଉ, ବିବାହ ପୂର୍ବରୁ ଆଉ ଗୋଟାଏ ବଡ଼ ଜରୁରୀ ବିଷୟ କରିବାକୁ ଅଛିବୋଲି କହି ତୁ ତାଙ୍କୁ ଭୁଲାଇ ଦେଇପାରିବୁ । ତା’ପରେ ଗୋଟାଏ ଦ୍ୱିତୀୟ ଚିଠି ଲେଖିବୁ, ଗାଲିଗାଇ ପାଖକୁ–ଏକଥା ନିଶ୍ଚୟ ତୁ ଜାଣିଚୁ ଯେ କେବଳ ମାଆ ସକାଶେ ତୁ ତୋ’ର ସବୁ ନଷ୍ଟ କରି ଦେବାକୁ କଦାପି ଇଚ୍ଛା କରିବୁ ନାହିଁ । ଖାଲି ତାଙ୍କୁ ନିରାଶ ନ କରିବା ଭୟରେ ତୁ ତୋ’ର ସମସ୍ତ ଜୀବନଟା ବଳି ଦେବାକୁ ଯାଉଚୁ, ମୋତେ ତୁ ସେକଥା କହିଲେ ମଧ୍ୟ ମୁଁ କଦାପି ବିଶ୍ୱାସ କରିବି ନାହିଁ । ପୁଣି କୋନ୍ତଡ଼ି କାମବ୍ଲେନେସ୍ ତ ସପ୍ତାହକ ଭିତରେ ତାଙ୍କୁ ବାଟ ଦେଖାଇ ଦେଇଥାନ୍ତେ, ମୁଁ ଯାହା କହିବି ତୁ ବିଶ୍ୱାସ କର । ମୋ’ ବାପା ଗୋଟାଏ ଜୀବନର ଅଧିକାଂଶ ବରଷକାଳ ସେହି ଯୁଦ୍ଧଘୋଡ଼ା (ଶ୍ରୀଯୁକ୍ତ ଡୁବେର୍ନେଟ)ର ଚିକିତ୍ସା କରି ଆସୁଚନ୍ତି । ମୁଁ ଭଲକରି ଜାଣେ, ଆପଣାର ସମ୍ପଦକୁ ଆଉ କାହାରି ସହିତ ଭାଗକରି ଭୋଗ କରିବାଭଳି ବୋକା ସେ କଦାପି ନୁହନ୍ତି ।’’

‘‘ତୁ କ’ଣ ସତରେ ଏହିପରି ଭାବୁଚୁ ?’’ ‘‘ସତେ କ’ଣ ତୁ ଏହିପରି ଅନୁମାନ କରୁଚୁ’’–ମଝିରେ ମଝିରେ କେବଳ ଏତିକି ବ୍ୟତୀତ ନିକୋଲାସ୍ ଆଉକିଛି କହୁନଥିଲା । ତଥାପି ସେ ପ୍ରତିରୋଧ ପ୍ରଦର୍ଶନ କରିବା ଛାଡ଼ିନଥିଲା । ଗିଲେସ୍ କହିଲା । ‘‘ଚୁପ ହ’’, ମୁଁ ଯେପରି କହୁଚି, ତୁ ଠିକ୍ ସେହିପରି କର ଏବଂ ଏ ସମସ୍ତ ବ୍ୟାପରରୁ ଆପଣାକୁ ନିଷ୍କୃତ କରିପକା ।’’ ହଁ, ଠିକ୍ ସେହିକଥା । ଆପଣାକୁ ନିଷ୍କୃତ କରିପକା । ଅଧିକ ମୁକ୍ତ ହୋଇ କ୍ରମେ ସେ ନିଶ୍ୱାସ ମାରିବାକୁ ଆରମ୍ଭ କରୁଥିଲା । ପୃଥିବୀ ଉପରେ ଆଲୋକ ଅବତରଣ କରି ଆସୁଥିଲା । କୁହୁଡ଼ି ଭିତର ଦେଇ ସୂର୍ଯ୍ୟର ହୁଳା ଜଳୁଥିଲା । ଆପେ ଆପେ ଉଠି ଠିଆ ହେବାକୁ ସେ କଦାପି ଶକ୍ତି ପାଇନଥାନ୍ତା । ଗୋଟି ଗୋଟି କରି ତା’ର ଛାତି ଉପରୁ ଗିଲେସ୍ ବଡ଼ ବଡ଼ ପଥର ଖଣ୍ଡମାନ ଉଠାଇ ଦେଉଥିଲା ।

କିନ୍ତୁ ସେ ତଥାପି ପ୍ରତିରୋଧ କରିବା ଲାଗି ଆପଣାକୁ ବାଧ୍ୟ କରୁଥିଲା । ତା’ର ତ ଗୋଟିଏ ବିବେକ ଅଛି, ‘‘ହଉ, କିନ୍ତୁ ମୋର ନାହିଁ ।’’ –ଗିଲେସ୍‍ ଉତ୍ତର ଦେଲା । ତା’ର ହୃଦୟ ନାହିଁ ବୋଲି ଠିକ୍ ଯେଉଁ ସ୍ୱରରେ ସେ ସେଦିନ ଗାଲିଗାଇକୁ କହିଥିଲା, ଆଜି ସେହି ସ୍ୱରରେ ଉତ୍ତର ଦେଲା । ନିକୋଲାସ୍‍ର ବିବେକ ତାକୁ ସେମିତି କାମୁଡ଼ି ଧରିଥାଏ । କରତ କଳରୁ ସିଂଘା ବାଜି ଉଠି ଡୋର୍ଥେର ସୁନାଗରିକମାନଙ୍କୁ ଡିନରର ସମୟ ହେଲାଣି ବୋଲି ସୂଚନା ଦେଇଗଲା । ସାକ୍ରିଷ୍ଟାନ୍ ମଧ୍ୟ ଆଞ୍ଜେଲସ୍‍ପାଇଁ ଘଣ୍ଟା ବଜାଇବାର ସମୟ ହେଲାଣି ବୋଲି ସେଇଥିରୁ ସୂଚନା ପାଇଲା । ସକାଳଟା ଯାକ ମାଡ଼ାମ୍ ପ୍ଳାସାକ୍‍ଙ୍କୁ ବାରଆଡ଼େ ବାର କାମରେ ଯିବାକୁ ପଡ଼ିଲା । ବୁଢ଼ୀ ଶୂକପକ୍ଷୀଟି ଆପଣା ପିଞ୍ଜରାର ଲୁହାକାଠି ଭିତରେ ଚବିଶି ଘଣ୍ଟା ଖାଲି ଏପାଖ ସେପାଖ ହେଉଥାଏ । ସିଏ ତ ଫେଲଟ ଚପଲ ପିନ୍ଧିଥାନ୍ତି, ତେଣୁ ତାଙ୍କର ଯିବା ଆସିବାର କୌଣସି ଶବ୍ଦହିଁ ଶୁଣାଯାଇ ନ ଥାଏ । କିନ୍ତୁ ନିକୋଲାସ୍ ଘରର କବାଟ ଉପରେ ତାଙ୍କର ପାତଳା କାନଟାକୁ ମାଡ଼ିଦେଇ ସେ ବିଶେଷ କିଛି ଉପକାର ପାଇଲେ ନାହିଁ । କଥାବାର୍ତ୍ତା ଭିତରେ ଥରେ ଦୁଇଥର ଗାଲିଗାଇର ନାଆଁ ପଡ଼ିଥିଲା, ଏତିକି ବ୍ୟତୀତ ସେ ବିଶେଷ କିଛି ଶୁଣିପାରିଲେ ନାହିଁ । ଦଣ୍ଡକପାଇଁ ସୁଦ୍ଧା ତାଙ୍କ ମନର କୌଣସି ସଂଶୟ ରହିଲା ନାହିଁ ଯେ ଗିଲେସ୍ ସୌଭାଗ୍ୟର ବିପଣୀଟିକୁ ଉଜୁଡ଼ାଇ ଦେବାକୁ ଏଠାକୁ ଆସିଚି । ଅବଶ୍ୟ ସେ ଗିଲେସ୍‍ଙ୍କୁ କୌଣସି ଦୋଷ ଦେଉନଥିଲେ । ନାନାପ୍ରକାର ଚିନ୍ତା ଓ ଦୁଶ୍ଚିନ୍ତାରେ ଗତ ରାତ୍ରିରେ ତାଙ୍କର ଆଖି କଷା ପଡ଼ିନଥିଲା । ନିଜ ଘରର ମହମବତିଟି ସେ ଜଳାଇ ଦେଇଥିଲେ, ପୂର୍ବଦିନର ସନ୍ଧ୍ୟାରେ ଯାହା ତାଙ୍କୁ ମୁଗ୍ଧ କରିଦେଇଥିଲା, ଆଜି ତାହାହିଁ ବର୍ତ୍ତମାନ ମନଃପୀଡ଼ନର ନିମିତ୍ତ ହୋଇ ବସିଲା । ସେହି ବୁଢ଼ୀଆଣିର ଜାଲ ଭିତରେ ତାଙ୍କର ପୁଅ ନିକୋଲାସ୍ ? ତା’ ଛଡ଼ା କୌଣସି ବିଷୟ ନିଶ୍ଚୟ କରି କହିହେବ ନାହିଁ । ହୁଏତ ବେଲ୍‍ମନ୍ତରେ ଏକୁଟିଆ ରହି ରହି ତାଙ୍କୁ ଭାରି ଚିକିଟା ଲାଗିବ, ତାଙ୍କର ଅବସ୍ଥା ବଡ଼ ଶୋଚନୀୟ ହୋଇଯିବ ଏବଂ ତା’ପରେ ତାଙ୍କର ଗତି କ’ଣ ହେବ ? ତାଙ୍କର ନିଜର ଘରଟା ସେ ପୁଣି ଫେରିପାଇବେ ବୋଲି ନିଶ୍ଚୟତା ବା କ’ଣ ଅଛି ? ତାଙ୍କର ସ୍ୱାମୀଙ୍କର ବାପା ସେହି ସମ୍ପତ୍ତିର ମାଲିକ ଥିଲେ । ବର୍ତ୍ତମାନ ସେଇଟା ନିକୋଲାସ୍ ନାଆଁରେ ଅଛି । ଆଉ ଯାହାକିଛି ଅଳ୍ପ ଆୟ ହୁଏ, ତାକୁ ନିକୋଲାସ୍ ସବୁବେଳେ ତାଙ୍କ ହାତରେ ଦେଇଦିଏ । ସରଳ ମନରେ ସେ ଏକଥା ଭାବି ଦେଖିବାକୁ ଭୁଲି ଯାଇଥିଲା ଯେ କେବଳ ଏହି ଯତକିଞ୍ଚିତ୍ ଭୂସମ୍ପତ୍ତିକୁହିଁ ସେ ଉତ୍ତରାଧିକାର ସୂତ୍ରରେ ଲାଭ କରିଚି । ଗାଲିଗାଇ ହୁଏତ ତାଙ୍କ ଘରଟି ଉପରେ ଯେ ଆଖି ନ ପକାଇଚି, ସେ କଥା କିପରି କହିପାରିବେ ? ନା ସେଗୁଡ଼ାକ ବଡ଼ ନିରର୍ଥକ କଥା: ଆଗ ବେଲ୍‍ମନ୍ତଟା ତାଙ୍କ ହାତକୁ ଆସିବା ଦରକାର …ସବୁବେଳେ ସତର୍କ ରହିବା ହେଉଚି ସବୁଠାରୁ ବଡ଼ କଥା । ‘‘ସେ ମୋର ବୋହୂ ହୋଇ ଆସିଲେ ମୁଁ ତାକୁ ଠିକ୍ ତାଲିମ ଦେଇ ଦେବି ।’’ ସବୁ ବିଷୟ ବିଚାର କରି ଦେଖିଲେ ସାଲୋନ୍ ଘରର ସେହି ଟୋକାଟା ଛିଡ଼ା ହୋଇଥିବା ଭୂମିଟିକୁ ଭୁଶୁଡ଼ାଇ ପକାଇବାହିଁ ସବୁଠାରୁ ବଡ଼ କର୍ତ୍ତବ୍ୟ । ବୁଢ଼ୀ ପ୍ଲାସକ୍ ସ୍ଥିର କଲେ ଯେ ଟେଲିଗ୍ରାମ୍‍ଦ୍ୱାରା ପ୍ରଥମେ ମାଡ଼ାମ୍ ଆଗାଥେଙ୍କୁ ଡକାଇ ଆଣିବା ଦରକାର । କିପରି ଶବ୍ଦ ବସାଇଲେ ଟେଲିଗ୍ରାମଟି ସବୁଠାରୁ ଶସ୍ତାରେ ଯାଇ ପାରିବ, ସେ ଅନେକ ସମୟ ପର୍ଯ୍ୟନ୍ତ ସେହିକଥା ଭାବିଲେ: ‘‘ଆସ–ଜରୁରୀ’’–ବାସ୍ ଦୁଇଟି ଶବ୍ଦ । ଅଧିକ ସଂକ୍ଷିପ୍ତ ଭାବରେ ଟେଲିଗ୍ରାମଟା ପଠାଇବା ଆଉ ସମ୍ଭବପର ହେଲା ନାହିଁ । ଡାକଘରେ ବସିଥିବା ସ୍ତ୍ରୀଲୋକଟି କ’ଣ ଭାବିବ ? ଅଃ ସେ ତ ଏହି ଡାକଘରକୁ ଏବେ ଆସିଚି, ଡୋର୍ଥେର ଲୋକମାନଙ୍କ ସମ୍ୱନ୍ଧରେ ଜାଣିବାକୁ ତା’ର ବେଶୀ ଆଗ୍ରହ ହୋଇନଥିବ-

ଉପରବେଳା ଗଡ଼ିଗଲାବେଳକୁ ଗାଲିଗାଇ ରୋଷେଇ ଘରର ଦରଜା ପାଖରେ ଆସି ପହଞ୍ଚିଲେ । ମାଡ଼ାମ୍ ପ୍ଲାସାକ୍ ସେତେବେଳକୁ ପିଆଜ ଭାଜୁଥାନ୍ତି ।

‘‘ଏଡ଼େ ବେଗି ?’’

ଆଗାଥେ ଗୋଟାଏ କଳା ଚମଡ଼ା ବ୍ୟାଗ୍ ହାତରେ ଧରିଥାନ୍ତି । ତାଙ୍କର ବାଁ ଗାଲରେ ଅଳନ୍ଧୁର ଟିକିଏ ଦାଗ ଲାଗିଥାଏ । ହ୍ୟାଟ୍ ବଦଳରେ ସେ ପିନ୍ଧିଥିବା ଅଣ୍ଡିରି ପୁଅଙ୍କର ଟୋପି ପଛରୁ ତାଙ୍କର ବାଳଗୁଡ଼ାକ ଝୁଲି ପଡ଼ିଥାଏ । ‘‘ସେ କ’ଣ ଉପରେ ?’’ –ଆଗାଥେ ପଚାରିଲେ । ହଁ, ସେ ଉପର ମହଲାରେ ଥିଲା । ଆଗାଥେ ଶ୍ୱସ୍ତିର ନିଶ୍ୱାସ ମାରିଲେ । ଯେକୌଣସି ପରିସ୍ଥିତିପାଇଁ ସେ ପ୍ରସ୍ତୁତ ହୋଇ ଆସିଥିଲେ । ଯେ କୌଣସି ପ୍ରକାର ବିପର୍ଯ୍ୟୟର ଗତିରୋଧ କରିବାର କ୍ଷମତା ତାଙ୍କର ଥିଲା, ସେ କଥା ସେ ଭଲକରି ଜାଣିଥିଲେ । ପ୍ରତ୍ୟେକ ଦିନପରି ଆଜି ମଧ୍ୟ ମାଡ଼ାମ୍ ପ୍ଲାସକ୍ ଶବ୍ଦର ସାଗର ଭିତରେ ହାତଗୋଡ଼ ପିଟି ପହଁରିବାକୁ ଲାଗିଲେ । ଆରଦିନ ସନ୍ଧ୍ୟାପୂର୍ବରୁ ସେ ଅନୁକୂଳ କରିଯାଉନାହିଁ । କିନ୍ତୁ ତେବେ ଚିନ୍ତା କରିବାର ଆଉ କି ବିଷୟ ଥିଲା ?

‘‘ସେ ସେଠାକୁ କେବଳ ଯିବ ଓ ଫେରିଆସିବ ।’’

‘‘ଆପଣଙ୍କୁ ସେ ଏହି କଥା କହିଚି ?’’

‘‘ହଁ, କହିଚି ପୁଣି କହି ନାହିଁ । ଅଧ୍ୟାପକଙ୍କୁ ସାକ୍ଷାତ୍ ନ କରି ସେ ବିବାହ କରିପାରିବବୋଲି ଆଦୌ ଭାବିପାରୁନାହିଁ । ଛୁଟି ନେବାକୁ ପଡ଼ିବ, କ’ଣ ସବୁ କାଗଜରେ ଦସ୍ତଖତ କରିବାକୁ ପଡ଼ିବ । ...ତା’ପରେ ଆହୁରି କେତେକଥା ଠିକ୍ କରି ଆସିବାକୁ ହେବ ।’’

‘‘ଏହି କାରଣଗୁଡ଼ାକ ସେ ଆପଣଙ୍କୁ କହିଚି ?’’

‘‘ହୁଏତ କହିଚି, ହୁଏତ କହି ନାହିଁ । ହୁଏତ, ସବୁକଥା ମୁଁ ନିଜେ ଅନୁମାନ କରି କହୁଚି । ତୁମେ ତ ଭାରି ପରାକ୍ରମରେ ଏକ ଅଦ୍ଭୁତ ପ୍ରକାରେ ବ୍ୟବହାର କରୁଚ, ମାଡ଼ାମ୍ ଆଗାଥେ ।’’

ସେତେବେଳକୁ ସେ ରୋଷେଇ ଘର ଖରକିବା ଆରମ୍ଭ କରି ଦେଇଥିଲେ ଓ ତେଣୁ ଉପରକୁ ଆଖି ନ ଟେକି କଥାବାର୍ତ୍ତା କରୁଥିଲେ ।

‘‘ଖାଲି ଇଚ୍ଛା କଲେ ତ ହେବନାହିଁ, ସବୁକଥାକୁ ଶକ୍ତି ଥିବା ଦରକାର ।’’

ପ୍ରାୟ ଏକପ୍ରକାର ଅତି ମିଷ୍ଟ କଣ୍ଠରେ ଗାଲିଗାଇ କହିଲେ, ‘‘ତାର ଅର୍ଥ ?’’

‘‘ତା’ର ଅର୍ଥ କିଛି ନୁହେଁ ମାଡ଼ାମ୍ ଆଗାଥେ । ମୋ’ ଆଡ଼କୁ ତୁମେ କାହିଁକି ଏପରି ଭାବରେ ଅନାଉଚ ? କିନ୍ତୁ ମୋର ପୁଅକୁ ତ ମୁଁ ଭଲକରି ଚିହ୍ନିଚି । ମୁଁ ପରା ତା’ର ମାଆ ? ଏପରି ମିଷ୍ଟ ସ୍ୱଭାବର ପିଲା ଆଉ କୋଉଠି ନ ଥିବେ । କିନ୍ତୁ ତଥାପି ତ ସିଏ ମଣିଷ, ତେଣୁ ଭଲ ମନ୍ଦ ତ ଅବଶ୍ୟ ମିଶିକରି ରହିବ ।’’

ଭାରି ରାଗିଯାଇ ଗାଲିଗାଇ କହିଲେ ।

‘‘ନିକୋଲାସ୍, ବିଷୟରେ ମୋତେ ପାଠ ପଢ଼ାଇବାକୁ ତୁମକୁ ମୁଁ କହୁନାହିଁ ।’’ –ସେ କହିଲେ, ‘‘ସେ କ’ଣ ଏକୁଟିଆ ଅଛି ?’’

‘‘ହଁ, ଏକୁଟିଆ । ତା’ର ଜିନିଷପତ୍ର ବନ୍ଧାବନ୍ଧି କରୁଚି । ଭବିଷ୍ୟତ କଥା ଚିନ୍ତା କରୁଚି । ନିଜର ଜିନିଷପତ୍ର ସବୁ ନେଇ ସେ ଯିବ ବୋଲି ବାହାରିଚି । ମନେହେଉଚି ଯେପରି ତା’ର ଫେରିବାର କୌଣସି ମତଲବ ନାହିଁ ।’’ ତାଙ୍କ କଥାରେ ଈର୍ଷାର ଟିକିଏ ପରଖ ଲାଗି ରହିଥିଲା ।

ମାଡ଼ାମ୍ ଆଗାଥେ ସିଡ଼ି ଉରପକୁ ଅଧା ଉଠି ଯାଇଥିଲେ । ବୃଦ୍ଧା ମାଡ଼ାମ୍ ପ୍ଲାସାକ୍ ଝାଡ଼ୁଦେବା ବନ୍ଦ କରି କିଛି ସମୟ ପର୍ଯ୍ୟନ୍ତ କବାଟ ଆଡ଼କୁ ମୁହଁକରି ଠିଆ ହୋଇ ରହିଲେ ।

‘‘ଘୋଡ଼ାକୁ ସମସ୍ତେ ପାଣିକୁଣ୍ଡ ପାଖକୁ ନେଇପାରିବେ’’, ସେ ମନ୍ତବ୍ୟ ଦେଲାପରି କହିଲେ, ‘‘କିନ୍ତୁ ତାକୁ କେହି ପାଣି ପିଆଇ ପାରିବନାହିଁ, ମୋ’ ମାଆ ।’’

ମୁଣ୍ଡ ଉପରେ ନିକାଲାସର କୋଠରୀରୁ ଆସୁଥିବା ଶବ୍ଦ ସେ ଶୁଣିବାକୁ ପାଇଲେ; ଗୋଟାଏ ଚେୟାରକୁ ଘୋଷାରି ସ୍ଥାନାନ୍ତରିତ କରାଯାଉଚି, ଚଟାଣ ଉପରେ ଟ୍ରଙ୍କ୍‍ଟାକୁ ଟାଣି ଅଣାଯାଉଚି । ଦୁଇଜଣଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ଆସି ତାଙ୍କ କାନରେ ବାଜିଲା । ମଝିରେ ମଝିରେ ସବୁ ନୀରବ ହୋଇଯାଉଥାଏ । ମାଈ କୁକୁଡ଼ା ପରି କବାଟ ଉପରେ ମୁଣ୍ଡଟାକୁ କଣେଇ କରି ମାଡ଼ି ଧରି ସେ କାନ ଡେରି ଶୁଣିଲେ ।

 

Unknown

ସତର

 

‘‘କବର ଦିଆଯିବାର ବ୍ୟବସ୍ଥାଗୁଡ଼ିକ ମୁଁ ଦେଖିବାକୁ ଆସିଥିଲି ।’’ –ଗାଲିଗାଇ କହିଲେ, ‘‘ସେଦିନ ଭାରି ଭିଡ଼ ହେବ, ଚାରିଆଡ଼ୁ ଅନେକ ମଣିଷ ଆସିବେ । ତୁମେ ପ୍ୟାରିସ୍ ଯାଉଚ ବୋଲି ତ ମୋତେ କୌଣସି ଖବର ଦେଇନଥିଲ ।’’

 

ମେଲା ହୋଇଥିବା ତା’ର ଟ୍ରଙ୍କଟା ଆଗରେ ନିକୋଲାସ୍ ଠିଆ ହାଇଥିଲା । ଆପଣାର ଭୟଟା ସକାଶେ ତାକୁ ବଡ଼ ଲଜ୍ଜିତ ଲାଗିଲା । ପଡ଼ିଯିବାରୁ ଗୋଟିଏ ନିଷିଦ୍ଧ କାମ କରି ପକାଇଥିବା ପିଲାଟି ପରି ଧରାପଡ଼ି ଯିବାରୁ ସେ ଭାରି ଲଜ୍ଜା ଅନୁଭବ କଲା ।

 

‘‘ପାରସ୍‍ରେ ମୋର କେତେକ କାମ ଅଛି ।’’

‘‘କେବେ ଫେରି ଆସିବ ବୋଲି ଅନୁମାନ କରୁଚ ?’’

 

ଠିକ୍ ଏହିପରି କର୍କଶ କଣ୍ଠରେ ସେ ମେରୀକୁ ମଧ୍ୟ ପ୍ରଶ୍ନ କରିଥାନ୍ତେ । ଗୃହଧାତ୍ରୀ ହିସାବରେ ସେ କୌଣସି ବିଷୟକୁ ହାଲୁକା ଭାବରେ କଦାପି ଗ୍ରହଣ କରୁନଥିଲେ ।

 

ମୁଣ୍ଡଟାକୁ ତଳକୁ ପୋତିରଖି ସେ ଉତ୍ତର ଦେଲା:

‘‘ସପ୍ତାହକ ଭିତରେ ।’’

 

ବିଛଣା ଉପରେ ଖେଳା ହୋଇ ପଡ଼ିଥିବା ତଳପିନ୍ଧା, ସୁଟ, ବହିପତ୍ର ଆଡ଼କୁ ଗାଲିଗାଇ ତର୍ଜନୀ ନିର୍ଦ୍ଦେଶ କଲେ । ସତେ ଯେପରି ସେ କ’ଣ ଗୋଟିଏ ଦୋଷ ଦେଖାଇବାକୁ ଯାଉଚନ୍ତି ।

 

‘‘ମୁଁ ଜଣେ ସ୍ୱତନ୍ତ୍ର ମଣିଷ, ନୁହେଁ ?’’ –ସେ ପଚାରିଲା ।

 

‘‘ମୋ ପାଖରେ ଖୋଲା ହୋଇପାରୁନାହିଁ କାହିଁକି ?’’–ତାଙ୍କର କଣ୍ଠସ୍ୱରରେ କୋମଳତା ନ ଥିଲା । ନିକୋଲାସ୍‍ର ନିଶ୍ୱାସ ରୁଦ୍ଧ ହୋଇଗଲା ପରି ଲାଗିଲା । ଯେପରି ସେ ଗୋଟାଏ ସୁଦ୍ଧା ଯନ୍ତା ଭିତରେ ପଡ଼ିଗଲା । ତଥାପି ବଡ଼ ଅପ୍ରତ୍ୟାଶିତ ଭାବରେ ସେଠାରେ ତାକୁ ଗୋଟିଏ ଜଳାବାଟ ମିଳିଗଲା । ସେହିବାଟେ ସେ ଉପରକୁ ଚାହିଁଲା ।

 

‘‘ଆଚ୍ଛା, ଯଦି ତୁମେ ଖୁବ୍ ଜିଦ୍ କରୁଚ, ତେବେ ମୁଁ ସବୁ ଖୋଲି କରି କହିଦେଉଚି ।’’

 

‘‘ଏଠାରେ ମୁଁ ନ ଥିଲାବେଳେ ଯାହାସବୁ ଘଟିଚି, ମୋତେ ସବୁ କହିବାକୁ ହେବ । ନିଶ୍ଚୟ କିଛି ଘଟିବ–ସେ ଘଟଣାଟା କ’ଣ ?’’

 

ସେ ନିକୋଲାସ୍‍ର ବିଲ୍‍କୁଲ ପାଖକୁ ଆସିଯାଇଥିଲେ, ଟିକିଏ ଡିମା ଡିମା ଆଖି କରି ସେ ତା’ ଆଡ଼କୁ ଅନାଇଥାନ୍ତି । ଆଖିରୁ ପିଛୁଳା ପଡ଼ୁନଥାଏ । ନିକୋଲାସ୍ ଘୁଞ୍ଚି ଠିଆ ହେଲା ।

 

‘‘ତୁମେ ସିଧା ଟ୍ରେନରୁ ଆସିଚ’’–ସେ କହିଲା, ‘ଟିକିଏ ହାତ ମୁହଁ ଧୋଇ ପକାଅ ।’’

ଟିକିଏ ଅପ୍ରତିଭ ହୋଇପଡ଼ି ଗାଲିଗାଇ ଦର୍ପଣକୁ ଅତିକ୍ରମ କରି ଚାଲିଗଲେ । ଗାତ୍ରକୁଞ୍ଚନ କରି କହିଲେ:

‘‘ତୁମକୁ କ’ଣ ସେଇଥିପାଇଁ ଅଶ୍ୱସ୍ତି ଲାଗୁଚି ?’’

 

‘‘ଅଶ୍ୱସ୍ତି ଲାଗିବାର ଅନେକ ବିଷୟ ମୋର ଅଛି । ଦୃଷ୍ଟାନ୍ତସ୍ୱରୂପ, ତୁବେର୍ନେଟ୍ ପରିବାର ତୁମକୁ ଦେଉଥିବା ଇନାମ୍‍ଟାର ଅର୍ଥ କ’ଣ ? ..…ମୋ’ର ଅନୁମାନ, ଡୋର୍ଥେର ଲୋକମାନେ ଯାହାସବୁ କହୁଚନ୍ତି, ତୁମେ ସେ ସବୁ ଜାଣିଚ ।’’

 

‘‘ଆର୍‍ମଣ୍ଡ ଡୁବେର୍ନେଟ୍ ଆଉ ମୋ’ ବିଷୟରେ ?’’

 

ଅଧିକ ନିଶ୍ଚିତ ହୋଇଗଲା ପରି ସେ ହସିଲେ । ନିକୋଲାସ୍ ପ୍ରତିବାଦ ଜଣାଇଲା । ‘‘ଅବଶ୍ୟ ମୁଁ ଏସବୁ କଥା ବିଶ୍ୱାସ କରୁଚିବୋଲି ତୁମକୁ କହୁନାହିଁ–ତୁମର ସେପରି ଅନୁମାନ କରିବା ଉଚିତ ନୁହେଁ । ତୁମେ ଓ ଆର୍‍ମଣ୍ଡ ଡୁବେର୍ନଟ୍’’–ସେ ଗାତ୍ରକୁଞ୍ଚନ କଲା–‘‘ହୁଏ ତ ଏପରି ଗୋଟାଏ କଥା ତୁମେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବ–ତୁମେ ତ ଜାଣିଚ, ମୁଁ ଏକାବେଳେ ନିର୍ବୋଧ ନୁହେଁ ।

 

‘‘ତା’ ହେଲେ ଏଇ କଥା ।’’

 

ବିଚରା ବ୍ୟର୍ଥବଳ ନିକୋଲାସ୍, ତା’ର ସମସ୍ତ ରକ୍ଷାବ୍ୟୁହ ଏଇଠି ଭାଙ୍ଗିପଡ଼ିଲା । ପ୍ରଥମେ ଯାହା କହିଥିଲା, ସେହିଠାକୁ ପୁଣି ଫେରିଯିବାପାଇଁ ସେ ଏଇ ବ୍ୟର୍ଥ ପ୍ରୟାସ କରିବାକୁ ଲାଗିଲା–‘‘ତଥାପି, ସମସ୍ତେ ସେହି କଥାବାର୍ତ୍ତା କରୁଚନ୍ତି–ମୁଁ ଏସବୁ ଶୁଣି ଆଉ କ’ଣ ଭାବନ୍ତି ? ତଥାପି ମୋର ଶପଥ ଯାହା ଥିଲା, ଠିକ୍ ତାହାହିଁ ଅଛି ।’’ ତାକୁ ଦେଖିଲାବେଳକୁ ସତେ କେଡ଼େ ଶୋଚନୀୟ ମନେ ହେଉନଥିଲା । ମୁଣ୍ଡ ଉପରକୁ ଗୋଟାଏ ବଡ଼ ବୋଝ ଓହ୍ଲାଇ ଗଲାପରି ସେ ଅନୁଭବ କରୁଥାନ୍ତି । ‘‘ତା’ହେଲେ କଥାଟା ହେଉଚି ଏଇଆ ।’’ –ସେ ପୁଣି କହିଲେ । ସେ ଅନେକ ଉଶ୍ୱାସ ଅନୁଭବ କରୁଥାନ୍ତି, ମନେ ମନେ ବେଶ୍ ଆନନ୍ଦିତ ହେଉଥାନ୍ତି । ‘‘ତୁମେ ସତେ କେଡ଼େ ସରଳ ବିଶ୍ୱାସୀ, କେଡ଼େ ନିର୍ବୋଧ, ପ୍ରିୟତମ ।’’ ନିକୋଲାସ୍‍କୁ ଆଲିଙ୍ଗନ କରିବାର ଇଚ୍ଛା ପ୍ରକଟ କଲା ପରି ସେ ଏକ ଅସ୍ୱାଭାବିକ ଦେହଭଙ୍ଗୀ କରିବାକୁ ଲାଗିଲେ, କିନ୍ତୁ ସେ ରକ୍ଷା ପାଇବାକୁ ଦୂରକୁ ଖସିଗଲା । ତା’ର ଏହି ଅବୋଧ ଆଚରଣକୁ ସେ ଅବଶ୍ୟ କ୍ଷମା କଲେ, କିନ୍ତୁ ପ୍ରାୟ ବର୍ବରୋଚିତ ଭାବରେ ସେ ତା’ର ଗାଲରେ କଅଁଳ ଚଟକଣାଟିଏ ଦେଲେ ।

 

‘‘ଗୋଟିଏ ଚଟକଣାରେହିଁ ତୁମେ ଆତ୍ମସମର୍ପଣ କରିପକାଅ । ତୁମେ କେଡ଼େ ଦୁର୍ବଳ ସତେ ? ସୌଭାଗ୍ୟବଶତଃ ମୋ’ ଭିତରେ ଦୁଇଜଣଙ୍କର ମନର ବଳ ରହିଚି । ତା’ହେଲେ ତୁମେ ଭାବି ନେଇଥିଲ ଯେ ତୁମପାଇଁ ବେଲ୍‍ମନ୍ତଟାକୁ ଦେଇପାରିବି ନାହିଁ । ଆଚ୍ଛା ! –ମୁଁ ତୁମକୁ କ୍ଷମା କରୁଚି । ଏ ବିଷୟରେ ମୁଁ ତୁମକୁ ଆଉ କିଛି କହିବି ନାହିଁ । ନିକୋଲାସ୍ ଯେତେ ଯାହା କଲେ ମଧ୍ୟ ଆଉ ଗାଳିଗାଇର କବଳରୁ ନିସ୍ତାର ପାଇବାର କୌଣସି ଉପାୟ ନାହିଁ । ସେ ଅନୁଭବ କଲା, ଯେପରି ସମସ୍ତ ଆଶା ପ୍ରତିହିତ ହୋଇ ପଡ଼ିଲାଣି । ନାକଟାକୁ ଟେକିଲାବେଳକୁ ପାଟି ଭିତରୁ ତାଙ୍କର ଦାନ୍ତଗୁଡ଼ାକ ଦେଖାଗଲା…ଆଗରୁ ସେ କେବେ ଏପରି ଦୀର୍ଘ ସମୟ ଧରି ହସି ନ ଥିଲେ । ଅନୁକମ୍ପା ଦେଖାଇବା ପରି ସେ ଆପଣାର ଦୁଇ ହାତକୁ ତା’ ଆଡ଼କୁ ବଢ଼ାଇ ଦେଲେ–ବାହୁ ଦୁଇଟାକୁ ସିଧା କରି ଲମ୍ୱାଇ ଦେଲେ–ଠିକ୍ କୁମାରୀ ମେରୀଙ୍କର ଛୋଟ ପ୍ଲାଷ୍ଟର ମୂର୍ତ୍ତିର ହାତ ଦୁଇଟି ପରି । କିନ୍ତୁ ନିକୋଲାସ୍ ତାହା ଗ୍ରହଣ କଲା ନାହିଁ ।

 

‘‘ନିଶ୍ଚୟ ତୁମେ ଗୋଟିଏ ହେଲେ କଥା ବିଶ୍ୱାସ କରିନାହଁ । ତଥାପି ଲୋକେ କ’ଣ କହୁଥିଲେ, ସେଇଥିପାଇଁ ତୁମେ ଆତଙ୍କିତ ହୋଇପଡ଼ିଲ...ନା, ମୋ’ କଥାରେ ବାଧା ଦିଅ ନାହିଁ...ଏହି କଥା ମୁଁ ସ୍ପଷ୍ଟ କହିଦେବାକୁ ଚାହେଁ ଯେ ମୋ’ ପାଖରେ କାହାରି କୌଣସି ମୂଲ୍ୟ ନାହିଁ, କାହାରି ଅସ୍ତିତ୍ୱ ନାହିଁ, କେବଳ ତୁମକୁ ବାଦ୍ ଦେଲେ । ଡୁବେର୍ନେଟ୍‍ଙ୍କର ବଦାନ୍ୟ ଦାନ ମୁଁ ଗ୍ରହଣ କରିବି ନାହିଁ । ବାସ୍, ସେ ସବୁ କଥା ଏତିକିରେ ମେଣ୍ଟିଯାଉ । ସେ ବିଷୟରେ ଆଉ ଚିନ୍ତାକରିବା ଉଚିତ ନୁହେଁ । ଅନ୍ତତଃ ମୋ’ ଆଡ଼ୁ ଏହି ପ୍ରତିବନ୍ଧକଟିକୁ ମୁଁ ନଷ୍ଟ କରିଦେଉଚି ।

 

ପ୍ରତିବନ୍ଧକଟି ନଷ୍ଟ କରି ଦେଲେବୋଲି ସେ କ’ଣ ପ୍ରକୃତରେ ଭାବୁଥିଲେ ? ନିଶ୍ଚୟ ସେ ଭାବିଥିଲେ । -ଜୟଲାଭ କରିବା ବିଷୟରେ ତାଙ୍କ ମନରେ କୌଣସି ସନ୍ଦେହ ନ ଥିଲା ।

 

‘‘ତୁମେ ପାଗଳ ହୋଇଗଲା ନା କ’ଣ ?’’ ସେ କହିଲା, ‘‘ଏପରି ଏକ ତ୍ୟାଗ ସ୍ୱୀକାର କରିବା ପାଇଁ ମୁଁ ତୁମକୁ କିପରି ସମ୍ମତି ଦେଇପାରିବି ? –ବିଶେଷ କରି ଯେତେବେଳେ ତା’ର ପ୍ରତି ବଦଳରେ ତୁମକୁ ଦେବାଲାଗି ମୋ’ ପାଖରେ କୌଣସି ଜିନିଷ ନାହିଁ । କିଛି ନାହିଁ । ତୁମେ ହୃଦୟଙ୍ଗମ କରୁଚତ ? ଆଦୌ କିଛି ନାହିଁ ।’’

 

ନିକୋଲାସ୍ ଟଙ୍କା ପଇସା ଓ ସମ୍ପତ୍ତିର କଥା ପକାଇଚି, ଗାଲିଗାଇ ଏହିପରି ଭାବିବାର ଛଳନା କରିବାକୁ ଲାଗିଲେ ।

 

‘‘କିନ୍ତୁ ଯାହାକୁ ତୁମେ କିଛି ନାହିଁ ବୋଲି କହୁଚ, ସେଇ ତ ମୋର ସବୁ । ତୁମେ କ’ଣ ଜାଣିପାରୁନାହଁ ସଂସାରରେ ତୁମ ଆଉ ମୋ ବ୍ୟତୀତ ଆଉ କୌଣସି ପଦାର୍ଥ ନାହିଁ ?’’

 

ତଥାପି ସେ ସ୍ମିତ ମୁଖରେ ତା’ ଆଡ଼କୁ ଅଗ୍ରସର ହେଲେ ଆହୁରି ଥରେ ହାତ ଦୁଇଟିକୁ ଲମ୍ୱାଇ ଦେଲେ । କଙ୍କଡ଼ା ବା ଅଷ୍ଟପଦୀର ଗୋଡ଼ଗୁଡ଼ାକ ହୁଏତ ନିକୋଲାସ୍‍କୁ ଅଧିକ ଭୟଭୀତ କରିପାରିନଥାନ୍ତା । ତା’ପାଖକୁ ମାଡ଼ି ଆସି ତାକୁ କାମୁଡ଼ି ଧରିବାପୂର୍ବରୁ ଗୋଟାଏ ମାଡ଼ରେ ସେ ସେହି ଗୋଡ଼ ଗୁଡ଼ାକୁ ଛତୁ କରିଦେଇ ପାରନ୍ତାକି !

 

‘‘ଆଗାଥେ, ତୁମକୁ ମୁଁ ଏ ପର୍ଯ୍ୟନ୍ତ ମିଛ କହୁଥିଲି–ମୋତେ ଭୟତ୍ରସ୍ତ କରି ପକାଉଥିବା କୌଣସି ଏକ ବିଷୟରୁ ରକ୍ଷା ପାଇବାର ଆଳ ଦେଖାଇ ମୁଁ ଏପରି କରୁଥିଲି ।’’

 

ଇଚ୍ଛା ନ କରୁ ଥିଲେ ମଧ୍ୟ ଏହି କଥାଗୁଡ଼ାକ ତା’ର ପାଟିରୁ ବାହାରିଗଲା–ତାକୁ ଭାରି ଆଶ୍ୱସ୍ତ ଲାଗୁଥାଏ । ପରିଶେଷରେ ଯାହାହେଉ ସେ ଯେଉଁ ମାଡ଼ଟା ମାରିଲା, ସେଥିରୁ ରକ୍ଷା ପାଇବାର କୌଣସି ଉପାୟ ନାହିଁ । ତାଙ୍କର ହାତ ଦୁଇଟା ନଥ୍‍କରି ଦୁଇକଡ଼କୁ ଖସି ପଡ଼ିଲା । ଘରେ ପ୍ରବେଶ କଲାବେଳେ ଯେଉଁ କଳା ଚମଡ଼ା ବ୍ୟାଗଟିକୁ ସେ ଚେୟାର ଉପରେ ରଖିଦେଇଥିଲେ, ତାହାରି ଆଡ଼କୁ ହାତ ବଢ଼ାଇଲେ । ସେଥିରୁ ରୁମାଲଟିଏ ବାହାର କରି ମୁହଁ ପୋଛିଲେ ଏବଂ ପୁଣି ନିକୋଲାସ୍‍ର ସମ୍ମୁଖକୁ ଆସିଲେ । ପ୍ରତିବନ୍ଧକଟାକୁ ଦୂର କରିଦେବା ତାଙ୍କର ଇଚ୍ଛା ଥିଲା । ସେ ଭାବୁଥିଲା ଯେ ବିବାହର ଦୈହିକ ପ୍ରକରଣଟାର କଳ୍ପନା କରି ନିକୋଲାସ୍ ତା’ର ମନ ଭିତରେ ଯେଉଁ ତ୍ରାସ ଅନୁଭବ କରୁଥିଲା, ତାହାହିଁ ଯାବତୀୟ ପ୍ରତିବନ୍ଧକ ସୃଷ୍ଟି କରୁଚି । ଯୌବନର ପ୍ରାକ୍ କାଳରେ ସମସ୍ତେ ଠିକ୍ ଏହିପରି ଅନୁଭବ କରନ୍ତି, ନାରୀଜାତି ସମ୍ୱନ୍ଧରେ ଏତିକି ବ୍ୟତୀତ ସେମାନେ ଆଉକିଛି ଭାବି ପାରନ୍ତି ନାହିଁ ତେଣୁ ନିର୍ଦ୍ଦିଷ୍ଟ ଭାବରେ ତାଙ୍କରିଯୋଗୁଁ ଯେ ନିକୋଲାସ୍ ମନରେ ଏହି ଭୟର ଉଦ୍ରେକ ହୋଇଥିଲା, ତାହା ନୁହେଁ । ଆଗାଥେ ଡ଼ି କାମବ୍ଲେନେସ୍‍ଙ୍କ ଯୋଗୁଁ ମଧ୍ୟ ନୁହେଁ । ଅତି ଧୀର ଓ ପ୍ରକୃତିସ୍ଥ ଭାବରେ ସେ ବୁଝାଇବାକୁ ଆରମ୍ଭ କଲେ ।

 

‘‘ନିକୋଲାସ୍, ତୁମେ ଯେଉଁ ଭୟର କଥା ଚିନ୍ତା କରୁଚ, ତାହା ମୁଁ ଠିକ୍ ଅନୁମାନ କରିପାରୁଚି । ସେଦିନ ଉଦ୍ୟାନ ଭିତରେ ବସି ପରସ୍ପର ପାଖରେ ପ୍ରତିଜ୍ଞାବଦ୍ଧ ହେଲାବେଳେ ତୁମେ ଏହି ବିଷୟରେ ତ କୌଣସି ସୂଚନାହିଁ ଦେଇନଥିଲ । ଏପରିକି ତୁମେ ତ ଈଶ୍ୱରଙ୍କର ଉକ୍ତି ଉଦ୍ଧାର କରି କହିଥିଲ,–‘‘ମୋତେ ସ୍ପର୍ଶ କର ନାହିଁ ।’’ କିନ୍ତୁ ସବୁକଥା ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝିପାରୁଥିଲି, ତୁମର ସେଥିପାଇଁ ଭୟ କରିବାର କୌଣସି କାରଣ ନ ଥିଲା । ତୁମ ପାଖରୁ ମୁଁ କିଛି ଆଶା କରୁନାହିଁ, ମୁଁ କେବଳ ତୁମର ଛାୟାକୁ ଆଶ୍ରୟ କରି ରହିବାକୁ, ତୁମର ସେବା କରିବାକୁ ଚାହୁଁଚି–ସେ ଦିନ ମୁଁ ଠିକ୍ ଏହି ଉତ୍ତର ଦେଇଥିଲି । ଆଉ ମୋ’ କଥା ଶୁଣି ସାରିଲା ପରେ ତୁମେ ଏହି ମୁଦିଟି ମୋର ଆଙ୍ଗୁଠିରେ ପିନ୍ଧାଇ ଦେଇଥିଲ ।’’

 

ତାଙ୍କର କଣ୍ଠସ୍ୱର ବେଶ୍ ବିନୀତ, ଆବେଗମୟ ଓ ପ୍ରବର୍ତ୍ତନା ପୂର୍ଣ୍ଣ ହୋଇ ଆସିଥିଲା । ତାକୁ ମୁଦିଟି ଦେଖାଇବା ଉଦ୍ଦେଶ୍ୟରେ ସେ ହାତକୁ ଟେକି ଧରିଲେ । ନିକୋଲାସ୍ ଆତ୍ମଗୋପନ କରି ରହିପାରିବାଭଳି କୌଣସି ନୂତନ ଘଟଣା ଯେ ଘଟିନାହିଁ, ଏହି ବିଷୟରେ ତା’ର ହୃଦ୍‍ବୋଧ ଜନ୍ମାଇବା ଲାଗି ସେ ବଦ୍ଧ ପରିକର ହୋଇଥିବାପରି ମନେହେଉଥିଲା । ପ୍ରକୃତରେ ତ ସେପରି କିଛି ଘଟିନଥିଲା । ତାଙ୍କର ବିଜୟ ବହୁପୂର୍ବରୁ ସମ୍ପୂର୍ଣ୍ଣ ହାସଲ ହୋଇ ସାରିଥିଲା । ଆଉ କ’ଣ ପରିବାର ବାକୀ ରହିଚି ବୋଲି ସେ ଭାବିପାରିଲେ ନାହିଁ । ତଥାପି ନମ୍ର ଅଥଚ ଅପରାଭୂତ ଭାବରେ ସେ କହିବାକୁ ଲାଗିଲେ:

 

‘‘କେବଳ ତୁମରି ସେବା କରିବାକୁ,–ଆଉ କୌଣସି କଥା ନୁହେଁ । ମୁଁ ରାଣ ପକାଇ କହୁଚି ।’’

‘‘ସତ କହୁଚ ଆଉ କିଛି ନୁହେଁ ?’’

 

ନିକୋଲାସ୍ ବଡ଼ ପାଟିରେ କଦାପି ହସେ ନାହିଁ, କେବଳ ମୁରକି ହସେ । ହଠାତ୍ ହାସ୍ୟରୋଳ ଉଠାଇ ସେ କହିଲା:

 

‘‘ଆଉ କିଛି ନୁହେଁ ? କିନ୍ତୁ ଭୟ ବିଷୟରେ କହିଲାବେଳେ ମୁଁ ଠିକ୍ ସେହିକଥା ଚିନ୍ତା କରୁଥିଲି ।’’

ତା’ପରେ ଟିକିଏ ଧୀର କଣ୍ଠରେ ସେ କହିଲା:

 

‘‘ପ୍ରକୃତରେ ମୁଁ ସେହି କଥାଟା ଉପରେ କୌଣସି ଗୁରୁତ୍ୱ ଦେଇନଥିଲି,–ଏହି ଅଭାବନୀୟ ବିଷୟଟି ଉପରେ । କାଲି ବା ଭବିଷ୍ୟତରେ ଆଉ କୌଣସି ଦିନ ସେହି ବିଷୟ ନେଇ ଆମ ଦୁହିଁଙ୍କ ଭିତରେ କୌଣସି ସମସ୍ୟା ଉପୁଯିବ ବୋଲି ମୁଁ ଆଦୌ ଭାବିନଥିଲି,’’–ତା’ର କଣ୍ଠସ୍ୱରରେ ଏକ କ୍ରୋଧସୂଚକ ଆବେଗ ପ୍ରକାଶ ପାଉଥିଲା ।

 

ସାଧାରଣତଃ ମିଷ୍ଟ ସ୍ୱଭାବର ଲୋକମାନେ ଯେତେବେଳେ କ୍ରୁଦ୍ଧ ହୋଇପଡ଼ନ୍ତି, ସେତେବେଳେ ତାହା ଦେଖିବାକୁ ଅତି ଭୟଙ୍କର ବୋଧହୁଏ । ଆଗରୁ ନିକୋଲାସ୍ ବ୍ୟବହାରରେ ସେ କୌଣସି ବନ୍ଧୁତାର ପରିଚୟ ପାଇନଥିଲେ । ଆପଣା ଭିତରେ କେଉଁ ଗଭୀରରେ ପୋତା ହୋଇ ରହିଥିବା ଘୃଣାକୁ ଯେପରି ସେ ଉଦ୍‍ଗାର କରି ପକାଉଥିଲା ।

 

‘‘ତୁମର ଘନିଷ୍ଠ ନିକଟକୁ ନ ଆସିଥିଲେ ମଧ୍ୟ, ତୁମକୁ ସ୍ପର୍ଶ ନ କଲେ ମଧ୍ୟ ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ ରାତିରେ ତୁମ ସହିତ ଏକତ୍ର ବାସ କରିବା ମୁଁ ଅସମ୍ଭବ ବୋଲି ମନେକରୁଚି । ତା’ ଅପେକ୍ଷା ବରଂ ମୋ’ର ମରିଯିବାହିଁ ଭଲ ହେବ ।’’

 

ଗୋଟାଏ ସୁତୀକ୍ଷ୍‍ଣ ଚିତ୍କାର କଲା ପରି ସେ ଶବ୍ଦ କଲେ । କିନ୍ତୁ ନିକୋଲାସ୍‍ର ସମସ୍ତ କଥାର ମର୍ମ ଯେ ବୁଝିପାରୁନଥିଲେ, ଏହା ଅତି ସ୍ପଷ୍ଟ ହୋଇଯାଉଥିଲା ।

 

‘‘ନାଁ–’’ ଅନୁନୟ କରି ସେ କହିଲେ, ‘‘ତୁମକୁ ମୁଁ ହରାଇଲି ବୋଲି ତୁମେ କଦାପି କହନାହିଁ ।’’

 

ନିକୋଲାସ୍ ଆଉ ପ୍ରକୃତିସ୍ଥ ହୋଇନଥିଲା ।

 

‘‘ତୁମେ ମୋତେ ପ୍ରକୃତରେ ହରାଇ ନାହଁ ।’’ –ସେ ପାଟିକରି କହିଲା: ‘ଦିନକ ସକାଶେ ମଧ୍ୟ ଯାହା ତୁମର ହୋଇନଥିଲା, ତାହାକୁ ତୁମେ ଆଉ ହରାଇବ କ’ଣ ? ଆଉ ଦୁହିଁଙ୍କ ମଧ୍ୟରେ ବହୁଦୂରବ୍ୟାପୀ ଶୂନ୍ୟ ଓ ବୃହତ୍ ଗିରିଗର୍ଭର ବ୍ୟବଧାନ ରହିଚି ।’’

 

ଆଖି ବୁଜିଲା ପରି ତା’ର ମନକୁ ଯାହା ଆସୁଥିଲା, ସେ ସେହିକଥାର ବାଣ ମାରିବାରେ ଲାଗିଥିଲା । ତଥାପି ତାକୁ ଅବିରାମ ବାଣ ମାରିବାକୁହିଁ ପଡ଼ିବ ।

 

‘‘ମୋ’ ଲାଗି କିଛି ଅବଶିଷ୍ଟ ରଖିଯାଅ’’–ସେ ବଡ଼ ଅନୁନୟ କରି କହିଲେ:-

 

‘‘ଲେରୋଟ୍ ନଦୀ କୂଳରେ କାଷ୍ଟଲନ୍ ରାସ୍ତାରେ ସେଦିନ ସନ୍ଧ୍ୟାର ସ୍ମୃତିଟିକକ ମୋ’ପାଇଁ ଅବଶିଷ୍ଟ ରଖିଯାଅ ।’’

 

ତାଙ୍କର ହାତ ମୁଠାର ଯାବକୁ ସେ କଦାପି ହୁଗୁଳା କରିବେ ନାହିଁ,–କଦାପି ନୁହେଁ । କିନ୍ତୁ ନିକୋଲାସ୍ ମଧ୍ୟ ହଟିଯିବାର ନୁହେଁ । ‘‘ସତ କଥାଟା ମଧ୍ୟ ତୁମର ଜାଣି ରଖିବା ଉଚିତ । ସେଦିନ ସନ୍ଧ୍ୟା ପରି ମୋ’ଜୀବନରେ ଆଉ କୌଣସି ଦିନ ମୁଁ ତୁମଠାରୁ ଏତେଦୂରକୁ ଚାଲି ଯାଇଥିବାର ଅନୁଭବ କରିନଥିଲି । ମନେହେଉଥିଲା ଯେପରି ଆମ ଦୁହିଁଙ୍କ ଭିତରେ ଅନନ୍ତ, ବ୍ୟବଧାନମାନ ଦଣ୍ଡାୟମାନ ହୋଇ ରହିଚି ।’’

 

ଗୋଟାଏ ମରଣାନ୍ତ୍ରକ ଆଘାତ ପାଇଲା ପରି ତାଙ୍କର ମୁହଁ ଦେଖି ମନେହେଉଥାଏ । ତାଙ୍କର ଦୁଇଟା ଯାକ ହାତ କାନ୍ଧର ଦୁଇ ପାଖରେ ତଳକୁ ଝୁଲିପଡ଼ିଥାଏ ।

 

‘‘ତେବେ କାହିଁକି ତୁମେ ସମ୍ମତ ହେଲ, କାହିଁକି କଥା ଦେଲ... ।’’

 

ସେ ଆଉ ଅଧିକ କିଛି କହିପାରିଲେ ନାହିଁ । ସେହି ମୁହୂର୍ତ୍ତରେ ତାଙ୍କ ସହିତ ସମ୍ପୂର୍ଣ୍ଣ ହିସାବ ନିକାଶ କରିଦେବା ନିକୋଲାସ୍‍ପାଇଁ ଭାରି ସହଜ ହୋଇଥାନ୍ତା । ତା’ର ହାତମୁଠାରେ ଯେପରି ସେ କାହାର ତଣ୍ଟିକୁ ଚିପିଧରିଚି । ଧୀରେ ଧୀରେ ଆପଣାର ମୁଠାଟିକୁ ସେ ଶିଥିଳ କରି ଆଣିଲା ।

 

‘‘ଆଗାଥେ ।’’ –ସେ ଚିତ୍କାର କରି କହିଲା, ‘‘ଏହା ଅତି ଭୟଙ୍କର ।’’

 

ଭୟବିହ୍ୱଳ ହୋଇ ସେ ସମ୍ମୁଖରେ ଦଣ୍ଡାୟବାନ ହୋଇଥିବା ମନୁଷ୍ୟ ପ୍ରାଣୀଟି ଉପରେ ଦୃଷ୍ଟିପାତ କରିବାକୁ ଲାଗିଲା । ସତେ ଅବା ତାହାକୁ ସେ ଆଉ ଚିହ୍ନିପାରିଲା ନାହିଁ ।

 

‘‘ମୋ ସଙ୍ଗେ ସଙ୍ଗେ ମୋର କଥାଗୁଡ଼ାକ ମଧ୍ୟ ମୋ’ଠାରୁ ବାହାରି ପଳାଇଲା । ମୁଁ ଯାହା ସବୁ କହିଗଲି, ସେଗୁଡ଼ାକ ଆଦୌ ସତ୍ୟ ନୁହେଁ ।’’

 

ଆଗାଥେଙ୍କର ସରୁଆ କାନ୍ଧଟି ଉପରେ ସେ ଆପଣାର ହାତ ରଖିଲା । ତାଙ୍କୁ ଆପଣା ଆଡ଼କୁ ଯାକି ଆଣିଲା । ନିଶ୍ୱାସ ଅଟକିଗଲା ପରି ସେ ଗୋଟାଏ ଶବ୍ଦ କଲେ । ନିକୋଲାସ୍ କହିଲା:

 

‘‘ମୁଁ ଜାଣେ, ମୁଁ ବଡ଼ ଖରାପ ବ୍ୟବହାର କରିଚି । କିନ୍ତୁ ତୁମର ଜାଣିବା ଉଚିତ ଯେ ମୁଁ ତୁମରି ପକ୍ଷ ଲଢ଼ୁଥିଲି ।’’

 

ସେହି ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଅର୍ଦ୍ଧମୃତ ପରି ମନେହେଉଥିଲେ, କିନ୍ତୁ ହଠାତ୍ ଏହି ମୁହୂର୍ତ୍ତରେ ରାଗ ଚଢ଼ିଗଲା ପରି ସେ ଆପଣାକୁ ତା’ ପାଖରୁ ମୁକ୍ତ କରିନେଇ କହିଲେ :

 

‘‘ମୋ’ ଆଗରେ ଆଉ ସେସବୁ ଘଟଣା ବର୍ଣ୍ଣନା କରିବାର କୌଣସି ଆବଶ୍ୟକତା ନାହିଁ-। ଏହି ଘରକୁ ଏହାହିଁ ହେଉଚି ମୋ ଶେଷ ଆସିବା ।’’

 

ଆପଣାର ହାତ ଦୁଇଟି ଭିତରେ ତାଙ୍କର ମୁହଁଟି ଧରି ନିକୋଲାସ୍ କହିଲା : ‘‘ମୋ’ ଆଡ଼କୁ ଅନାଅ ! ମୋ’ର ଅନୁରୋଧ, ମୋ’ ଆଡ଼କୁ ଥରେ ଅନାଅ ! ତୁମକୁ ମୁଁ କେତେ କେତେ ଦୁଃଖ ଦେଇଚି ! ତୁମେ ଆଉ ମୁଁ–ଦୁହେଁ ଦୁହିଁଙ୍କୁ ହତ୍ୟା କରିବା ଉଚିତ ଥିଲା । ମୁଁ ଠିକ୍ କହୁଚି ନା ଭୁଲ କହୁଚି ?’’

 

ଗଅଁ ଗଅଁ ହେଲା ପରି ସେ କହିଲେ :

‘‘ତା’ ହେଲେ ସେକଥା ହୃଦୟଙ୍ଗମ କରିବା ଲାଗି ତୁମେ ଆଜିଯାଏ ଅପେକ୍ଷା କରିଥିଲ କାହିଁକି ?’’

 

‘‘ହଁ, ମୋ’ର ବିଳମ୍ୱ ହୋଇଯାଇଚି । କିନ୍ତୁ ଭଗବାନଙ୍କର କୃପାରୁ ଅତିରିକ୍ତ ବିଳମ୍ୱ ହୋଇନାହିଁ । ତୁମର ଜୀବନକୁ ନୂତନ କରି ଆରମ୍ଭ କରିବାକୁ ବର୍ତ୍ତମାନ ମଧ୍ୟ ସମୟ ଅଛି ।’’

 

ପୁଣିଥରେ ତାଙ୍କର କାନ୍ଧ ପାଖରୁ ଧରି ସେ ତାଙ୍କର ଆଖି ଆଡ଼କୁ ଅନାଇଲା । କିନ୍ତୁ ସେ ମୁହଁଟାକୁ ବୁଲାଇ ନେଲେ । ନିକୋଲାସ୍ ଯେ ଆରମାଣ୍ଡ୍ ଡୁବେର୍ନେଟ୍‍ଙ୍କ କଥା ଭାବୁଚି, ସୌଭାଗ୍ୟବଶତଃ ସେ ଏହିକଥା ହୃଦୟଙ୍ଗମ କରି ପାରିନଥିଲେ ।

 

‘‘ତୁମ ବ୍ୟତୀତ ଏକ ଜୀବନ ।’’

 

ସେ କାନ୍ଦୁଥିଲେ, ତାଙ୍କର ଆଖିରୁ ଅତ୍ୟୁଷ୍ଣ ଲୁହ ଟୋପାମାନ ଗଡି ଆସୁଥିଲା । ତାଙ୍କର ମହଁଟା ବଡ଼ ଛୋଟ ଦେଖାଯାଉଥାଏ । ଅନୁକମ୍ପା ଅଥବା ଲଜ୍ଜା ହେତୁ ନିକୋଲାସ୍ ଆଉ ସେହି ମୁହଁକୁ ଅନାଇ ପାରିଲା ନାହିଁ । ସେ ଟିକିଏ ବିଚଳିତ ହେଇଗଲା ପରି ଅନୁଭବ କରୁଥାଏ । ତାଙ୍କର ହାତଧରି ସେ ତାଙ୍କୁ ବିଛଣା ଉପରେ ନେଇ ବସାଇଦେଲା । ନିଜେ ଯାଇ ତାଙ୍କ ପାଖରେ ବସିଲା ଓ ତାଙ୍କର କାନ ପାଖରେ ମୁହଁଟାକୁ ପ୍ରାୟ ଗୁଞ୍ଜି ଦେଇ କହିବାକୁ ଲାଗିଲା:

 

‘‘ମୋର ଏପରି ଆଚରଣ କରିବାର କାରଣ ରହିଚି, ଆଗାଥେ । ମୁଁ ମୋ’ର ଦୋଷ ସ୍ୱୀକାର କରିନେଉଚି, କିନ୍ତୁ ତଥାପି ତୁମକୁ ମୋ’ର କଥା ବୁଝିବାକୁ ପଡ଼ିବ । ମୁଁ ତୁମର ସେଇ ଅତି ଭୟଙ୍କର ଇଚ୍ଛାଶକ୍ତିର କବଳରେ ପଡ଼ିଯାଇଚି,–ଗୋଟାଏ ଅନ୍ଧ ଓ ପ୍ରାୟ ପାଶବିକ ଅଦମ୍ୟତା ସହିତ ତୁମର ଯେଉଁ ଇଚ୍ଛାଶକ୍ତି ଯେକୌଣସି ପ୍ରତିବନ୍ଧ ଉପରକୁ ତୁମକୁ ନିକ୍ଷିପ୍ତ କରିଦିଏ । ମୋ’ର ସମସ୍ତ ଦୁର୍ବଳ ରକ୍ଷାବନ୍ଧକୁ ତୁମେ ଠେଲିଦେଇ ଚାଲିଗଲ, ତୁମର ପଛେ ପଛେ ତଥାପି ଯେ ସେହି ବନ୍ଧ ପୁଣି ଯୋଡ଼ି ହୋଇଗଲା, ତାହା ତୁମେ ଦେଖି ମଧ୍ୟ ତଥାପି ଦେଖିପାରିଲ ନାହିଁ । ନୁହେଁ ?’’

 

‘‘ହଁ–’’ ସେ ଆବେଗର ସହିତ ବିନୀତ ଭାବରେ ଉତ୍ତର ଦେଲେ ‘‘ମୁଁ ବୁଝିପାରୁଚି ମୁଁ ମୋ’ର ଭୁଲଟିକୁ ହୃଦୟଙ୍ଗମ କରିପାରୁଚି ।’’

 

ଆପଣାର ଶାସ୍ତି ବିଧାନରେ କିଞ୍ଚିତ୍‍ ପରିବର୍ତ୍ତନ କରିବାକୁ ଯେ ସମ୍ମତ ହେଲା । ହାତ ଉପରୁ ଏପର୍ଯ୍ୟନ୍ତ ମଧ୍ୟ କିଛି ଖସି ପଳାଇ ଯାଇନାହିଁ । ନିକୋଲାସ୍ ଆଉ ଏକ ନୂତନ ବ୍ୟକ୍ତିହୋଇ ଜନ୍ମ ଲାଭ କରିବାର ବେଳ ତଥାପି ଗତ ହୋଇନାହିଁ ।

 

‘‘ମୁଁ ପ୍ରତିଜ୍ଞା କରି କହୁଚି ଯେ ମୁଁ ସଂଶୋଧନ କରିପାରିବି । ମୁଁ ବିଲୁପ୍ତ ହୋଇଯିବି । ତୁମେ ଆଉ ମୋତେ ଦେଖିପାରିବ ନାହିଁ, କିନ୍ତୁ ତଥାପି ମୁଁ ରହିଥିବି ।’’

 

ହେ ଭଗବାନ ! ଶବରେ ଜୀବନୀଶକ୍ତିର ସଞ୍ଚାର ହେଉଥିଲା । ସେ ତାଙ୍କ ପାଖରୁ ଦୂରେଇ ଠିଆହେଲା ।

 

‘‘ଏହିଠାରୁହିଁ ସମାପ୍ତି ହୋଇଯାଇ ।’’ –ବିରକ୍ତିବ୍ୟଞ୍ଜକ ସ୍ୱରରେ ସେ ଚିତ୍କାର କରି କହିଲା, ‘‘ଆଗାଥେ । ଏହିଠାରୁ ସବୁ ସମାପ୍ତ ହେଲା ବୋଲି ତୁମକୁ ମଧ୍ୟ ହୃଦୟଙ୍ଗମ କରିବାକୁ ହେବ ।’’

 

ସେ ସିଧା କଥା ଉପରକୁ ଆସିଲା,–ତା’ର ହାତକୁ ସତେ ଯେପରି ସେ ଆପଣାର ତରବାରୀ ଉପରେ ରଖିଥିଲା ।

 

‘‘ଏହିଠାରେ ସବୁ ସମାପ୍ତ ହେଲା ବୋଲି ତୁମର ହୃଦ୍‍ବୋଧ ହେବାକୁ ମୁଁ କ’ଣ କରିପାରିବି, ମୋତେ କହ । ମୁଁ ଅନେକ ସଂଗ୍ରାମ କରିସାରିଲିଣି, ଅନୁଗ୍ରହ କରି ଏଥର ମୋତେ କ୍ଷମାକର । ମୋ’ର ସମସ୍ତ ବିରକ୍ତି ସତ୍ତ୍ୱେ ତଥାପି ଯେ ମୁଁ ସଂଗ୍ରାମ କରିବାକୁ ଏତେ ଦୀର୍ଘ ସମୟଧରି ଚେଷ୍ଟା କରୁଥିଲି, ସେଥିପାଇଁ ମୋତେ ତୁମକୁ କ୍ଷମା କରିବାକୁ ହେବ… ।’’

 

ଏହି କଥା ଶୁଣି ତାଙ୍କର ଶରୀର ଶକ୍ତ ହୋଇ ଆସିଲା । ଅକୁଞ୍ଚିତ ଅଧର ଓ ଶୁଷ୍କ ନୟନରେ ନିକୋଲାସ୍ ଆଡ଼କୁ ସେ ପାଦେ ଅଗ୍ରସର ହେଲେ ଏବଂ ପ୍ରାୟ ତା’ର ମୁହଁ ଉପରେ ସୁ, ସୁ, ହେଲା ପରି କହିଲେ :

 

‘‘ତେବେ ତୁମକୁ ମୁଁ ବିରକ୍ତ କରୁଚି, ନୁହେଁ ? କିନ୍ତୁ କେଉଁ ନାରୀ ନ କରିଥାନ୍ତା କହିଲ-?’’

 

ଏହିପରି ଭାବରେ ଏହାର ପରିଣତି ହେଲା । ସେ ଆପଣାକୁ ନାନା ଆବର୍ଜନା ଭିତରେ ବୁଡ଼ାଇ ରଖିବାକୁ ଚେଷ୍ଟା କରୁଥିଲେ । ଅନ୍ତତଃ ଏତିକିରୁ ପ୍ରମାଣ ମିଳିବ ଯେ ଆପଣାର ବିଫଳତାକୁ ସେ ବେଶ୍ ହୃଦୟଙ୍ଗମ କରିପାରୁଚନ୍ତି । ଅତି ଧୀର ଭାବରେ ସେ ଉତ୍ତର ଦେଲା :

 

‘‘ମୋ’ ବିଷୟରେ ତୁମେ ଯାହା ଭାବୁଚ, ମୁଁ ଠିକ୍ ତାହାହିଁ ହୋଇଥାଏ, ତେବେ ମୋ’ଠାରୁ ଉଦ୍ଧାର ପାଇଲବୋଲି ତ ତୁମକୁ ଖୁସି ହେବାକୁ ପଡ଼ିବ ।’’

 

ସେ ଝରକା ପାଖକୁ ଗଲା । ତଳେ ଝରକା ପାଖରେ ତା’ର ମାଆ ଲୁଗାପଟା ସଫା କରିବାରେ ବ୍ୟସ୍ତ ଥିବା ଅଭିନୟ କରୁଥିଲେ । ଗାଲିଗାଲ ତା’ ପାଖକୁ ଆସିଲାବେଳେ ସେ ମୁହଁ ବୁଲାଇ ଚାହିଁଲା ନାହିଁ ।

 

‘‘ତୁମକୁ ଆପଣାର କାର୍ଯ୍ୟସାଧନ କରିବାପାଇଁ ଲଗାଇଥିବା ସେହି ଘୁଷୁରି କଦାପି ତା’ର ଇପ୍‍ସିତ ଫଳ ପାଇବ ନାହିଁ । ତୁମର ବନ୍ଧୁ ସେହି ସାଲୋନ୍ କଦାପି ତା’ର ମେରୀକୁ ପାଇପାରିବ ନାହିଁ ।’’

 

‘‘ତୁମେ କ’ଣ ପ୍ରକୃତରେ ତାହାହିଁ ଭାବୁଚ ?’’ –ସେ ଅତି ନିଶ୍ଚଳ ଭାବରେ ପଚାରିଲା । ସେ କହିଲେ: ‘‘ଦେଖିବ...’’ ଓ ଗୋଟିଏ ଚେୟାର ଉପରେ ଯାଇ ବସିପଡ଼ିଲେ । ବ୍ୟାଗରେ ଥିବା ରୁମାଲଟିକୁ ଖୋଜିବାକୁ ଲାଗିଲେ । ନିକୋଲାସ୍ ଅପେକ୍ଷା କରି ରହିଥାଏ । ପ୍ରକୃତରେ ଏହାହିଁ ହେଉଚି ସମାପ୍ତି । ସେ ପୁଣି କହିଲେ :

 

‘‘ଆଉ ଚିନ୍ତା କରନାହିଁ, ମୁଁ ଯାଉଚି ।’’

 

ନିକୋଲାସ୍ ଝରକା ପାଖକୁ ଫେରିଆସିଲା । ସେତେବେଳକୁ ତା’ର ମାଆ ବଗିଚାରୁ ଘର ଭିତରକୁ ଚାଲିଗଲେଣି । ସେ ଲାଇମ୍ ଗଛ ଆଡ଼କୁ ଅନାଇ ରହିଲା । ଭାବିଥିଲା, ତେଣୁ ମୁହଁ ଫେରାଇବା ବେଳକୁ ଆଗାଥେ ସେହି ଘରୁ ଚାଲିଯାଇଥିବେ । ସେ ଗଭୀର ଧ୍ୟାନନିବେଶ ସହକାରେ ଆପଣାର ଘନୀଭୂତ ଶରୀରଟା ଆଡ଼କୁ ଅନାଇଥିଲେ, ତିରିଶି ବର୍ଷ ପୂରିଗଲେ ଏହି ଶରୀର ଆହୁରି ସ୍ଥୂଳ ହୋଇଯିବ । ବରିଶେଷରେ ସେ ଉଠିକରି ଠିଆ ହେଲେ ଦରଜା ଆଡ଼କୁ ଗଲେ–ତାଙ୍କୁ ଦେଖି ଯେପରି ଟିକିଏ କୁଣ୍ଠିତ ବୋଧ ହେଉଥିଲା ।

 

‘‘ଏଠାରୁ ବିଦାୟ ନେଇଗଲା ପରେ, ମୁଁ ବର୍ତ୍ତମାନ କ’ଣ କରିବି, ସେକଥା ଜାଣିବାକୁ ବୋଧହୁଏ ତୁମେ ଚିନ୍ତା କରିନାହଁ ?’’

 

ଝରକାବନ୍ଧ ଉପରେ କହୁଣୀଭରା ଦେଇ ସେ ଠିଆହେଲା । ଆଗାଥେ କେବଳ ତା’ର ପିଠିଟାକୁହିଁ ଦେଖିପାରୁଥାନ୍ତି । ସେ ପୁଣି କହିଲେ :

 

‘‘ହୁଏତ ମୁଁ ଆତ୍ମହତ୍ୟା କରିବି ବୋଲି କ’ଣ ତୁମର ଆଶଙ୍କା ହେଉନାହିଁ ?’’

 

ସେ ଫେରିକରି ଅନାଇଲା ନାହିଁ । ସତେଅବା ସେ ମୂକ ଆଉ ଅନ୍ଧ ହୋଇଯାଇଥିଲା । ଆଗାଥେ ଘର ଭିତରୁ ବାହାରି ଚାଲିଗଲେଣି ବୋଲି ନିଶ୍ଚିତ ଭାବରେ ନ ଜାଣିବା ପର୍ଯ୍ୟନ୍ତି ସେ ଆଦୌ ହଲଚଲ ହେଲା ନାହିଁ । ତା’ପରେ ଆପଣାର ରୁମାଲ ନେଇ ହାତ ପୋଛିଲା । ଗାଲିଗାଇ ଚଟାଣ ଉପରେ ଫୋପାଡ଼ିଦେଇ ଯାଇଥିବା ମୁଦିଟାକୁ ସେ ଗୋଟାଇ ନେଲା ନାହିଁ । ଦର୍ପଣଟାର ସମ୍ମୁଖରେ ଠିଆ ହୋଇ ସେ ଆପଣାର ଯଥାର୍ଥ ପୁରୁଷ ରୂପ ଉପରେ ଦୃଷ୍ଟିପାତ କରିବାକୁ ଲାଗିଲା-

 

ଅଠର

 

ଅନ୍ତ୍ୟେଷ୍ଟିକ୍ରିୟାର ଖାଇବା ପିଇବା ଏକ ସମ୍ପନ୍ନ ମିତବ୍ୟୟିତାର ଉଜ୍ଜ୍ୱଳ ପରିବେଶ ଭିତରେ ସମାହିତ ହୋଇଗଲା । ଖାଇବାଟା ଯେ ସେପରି ବିଶେଷ ଆଡ଼ମ୍ୱରପୂର୍ଣ୍ଣ ହୋଇଥିଲା, ସେକଥା କୁହାଯାଇ ପାରିବ ନାହିଁ । ବେଶ୍ ସାଧାରଣ ଭୋଜନର ବ୍ୟବସ୍ଥା ହୋଇଥିଲା–ତଥାପି, ଡୋର୍ଥେର ଲୋକମାନେ ରନ୍ଧାବଢ଼ାର ବାଗ ଜାଣନ୍ତି; ଠେକୁଆର ମୁଣ୍ଡ, ସିମ୍ବ ଆଉ ମାଂସର ଗୋଟାଏ ତରକାରୀ । କାଷ୍ଟିଲିନ୍‍ରୁ ଆସିଥିବା ଜଣେ ଭାଇ ହିସାବ ହେବା ଲୋକ କହିଲା–’’ କେଡ଼େ ଚମତ୍କାର ମାଂସ । କେବଳ ଡୋର୍ଥେକୁ ଛାଡ଼ିଦେଲେ ମୋ’ର ଜାଣିବାରେ ଆଉ ସବୁଠାରେ ମାଂସଟାକୁ ଅତିରିକ୍ତ ସିଝାଇ ଦିଅନ୍ତି ।’’ ତଥାପି ଚାରିଆଡ଼େ ଗୋଟାଏ ବିରସତାର ବାୟୁମଣ୍ଡଳ ଘାରି ରହିଥିଲା ପରି ମନେହେଉଥିଲା । ମାଡ଼ାମ୍ ଆଗାଥେ ଖାଇବା ଟେବୁଲର ଗୋଟାଏ ମୁଣ୍ଡରେ ଆସନ ଗ୍ରହଣ କରିଥିଲେ (ପରିବାରର ପ୍ରତିନିଧିତ୍ୱ କରିବା ଲାଗି ପରିବାର ତରଫରୁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।) କିନ୍ତୁ ତାଙ୍କୁ ବୋଧହୁଏ ଏହି ଦୃଶ୍ୟଟି ସକାଶେ ଅତିଥିମାନେ ଭୋଜନବେଳେ ଯେତେ ଉପଭୋଗ କରିବାର କଥା ସେତେ ଉପଭୋଗ କରିପାରିଲେ ନାହିଁ । ମାଡ଼ାମ୍ ଆଗାଥେ ମୃତ ଗୃହସ୍ୱାମୀଙ୍କୁ ଗଭୀର ଭାବରେ ଭଲ ପାଉଥିଲେ, ଅନ୍ତେଷ୍ଟିକ୍ରିୟାର ଉତ୍ସବ ଅନୁଷ୍ଠିତ ହେଲାବେଳେ ଏହାହିଁ ସମସ୍ତଙ୍କର ଦୃଷ୍ଟିରେ ସ୍ପଷ୍ଟଭାବରେ ପ୍ରକଟ ହୋଇଥିଲା । ତାଙ୍କର ଦୁଃଖ ଓ କ୍ରନ୍ଦନ ସମସ୍ତଙ୍କର ଆଖିରେ ପଡ଼ିଲା । ଏତେବେଶୀ ସ୍ନେହର ଉଦ୍ରେକ କରାଇବାରେ ଜୁଲିଆ ଡୁବେର୍ନେଟ୍‍ଙ୍କର ସଫଳତା ଓ ମାଡ଼ାମ୍ ଆଗାଥେଙ୍କର ଏହି ସ୍ନେହକୁ ଅନୁଭବ କରିବାର ଶକ୍ତି, ଦୁଇଟି ଭିତରୁ ଯେ କେଉଁଟିକୁ ଅଧିକ ପ୍ରଶଂସା କରିବାକୁ ପଡ଼ିବ, ସେଥିପାଇଁ ଡୋର୍ଥେର ଅଧିବାସୀ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ...କେହି ଅପରର ବିଚାର କରିବା ଉଚିତ ନୁହେ,–ଏହା ପ୍ରକୃତରେ କେଡ଼େ ବଡ଼ ସତକଥା । ଲୁଣିଆ ଲୁହଗୁଡ଼ାକ ମାଡ଼ାମ୍ ଆଗାଥେଙ୍କର ଆଖିପତା ଉପରେ କ’ଣ ଗୋଟାଏ ଚର୍ମରୋଗ ହୋଇ ଆଖିପତା ଉପରେ ଠିକ୍‍ କୌଣସି କ୍ଷୟକାରୀ ଏସିଡ଼୍‍ ପରି କାମ କରିଥିଲା । ଅବଶ୍ୟ ତାଙ୍କର ଆଖି ଉପରେ କ’ଣ ଗୋଟାଏ ଚର୍ମରୋଗ ହୋଇ ଆଖିପତାଟା ସାଧାରଣ ସମୟରେ ମଧ୍ୟ ଲାଲ ଦେଖାଯାଉଥିଲା । ଯେତେ ଉପାୟ କଲେ ମଧ୍ୟ ସେହି ରୋଗଟା ଆଦୌ ଭଲ ହୋଇନଥିଲା ।

 

କାଷ୍ଟଲିନ୍‍ର ସେହି ଲୋକଟିର କଡ଼କୁ ବସିଥିବା ଭଦ୍ର ମହିଳା ମତ ପ୍ରକାଶ କଲେ : ‘‘ତଥାପି ଏହି ଦୁଃଖପୂର୍ଣ୍ଣ ମୁହୂର୍ତ୍ତରେ ତାଙ୍କର ଆଖି ଆଗରେ କିଭଳି ଚିତ୍ର ପ୍ରକଟିତ ହୋଇ ଉଠୁଥିବ-! ମୋଟ କଥା ହେଉଚି ଯେ ଆର୍‍ମଣ୍ଡ ତାଙ୍କୁ ଭାରି ଭଲପାଆନ୍ତି । ସବୁଠାରୁ କମ୍ ରୂପବତୀ ରମଣୀପାଇଁ ମଧ୍ୟ ଜୀବନର ଲଟେରୀରେ ଏକ ବଡ଼ ପୁରସ୍କାର ଅପେକ୍ଷା କରି ରହିଥାଏ-। ମୋ’ ଘରେ ଯେତେ ସ୍ତ୍ରୀଲୋକ ରୋଷେଇ କରିବା କାମରେ ନିଯୁକ୍ତ ହୋଇଚନ୍ତି, କୌଣସି ନା କୌଣସି ପୁରୁଷ ମଣିଷପାଇଁ ସେମାନେ ମୋ’ ପାଖରୁ ଛାଡ଼ି ଯାଇଚନ୍ତି;–ମୋଟୀ ହୁଅନ୍ତୁ, ଆଖି ଯେତେ ଚିଲା ହୋଇଥାଉ ବା ସେମାନେ ମଦ ପିଉଥାନ୍ତୁ ପଛକେ, କେହି ବଞ୍ଚିତ ହୋଇ ରହି ନାହାନ୍ତି । ତାହାହିଁ ତ ଜୀବନ । ବର୍ତ୍ତମାନ ହୁଏତ ମାଡ଼ାମ୍ ଆଗାଥେଙ୍କର ଜୀବନ ସଫଳ ହେବାକୁ ଯାଉଚି,–ଏହି କାରବାରରେ ଆର୍‍ମାଣ୍ଡଙ୍କର ମଧ୍ୟ ଆଦୌ କ୍ଷତି ହେବ ନାହିଁ । ସିଏ ତ ତାଙ୍କ ସହିତ ଚଳି ଆସିଚନ୍ତି, ବର୍ତ୍ତମାନ ମଧ୍ୟ ତାଙ୍କର ଘରେ ଜଣେ ଘରଣୀର ପ୍ରୟୋଜନ ରହିଚି-। ବର୍ଷ ବର୍ଷ ଧରି ତ ସେ ତାଙ୍କ ଘରେ ସବୁକଥା ଚଳାଇ ଆସିଚନ୍ତି । ବର୍ତ୍ତମାନ ପ୍ରଭେଦ ଏତିକି ହେବ ଯେ ଏସବୁ କଥା କରିବାପାଇଁ ବର୍ତ୍ତମାନ କୌଣସି ପାରିଶ୍ରମିକ ଦେବାକୁ ପଡ଼ିବ ନାହିଁ-। ଆର୍‍ମାଣ୍ଡଙ୍କ ପାଇଁ ଏହି ବ୍ୟବସ୍ଥାଟା ଆଦୌ ମନ୍ଦ ହେବନାହିଁ । ତା’ ଛଡ଼ା, ତୁମେ ବୁଝିପାରୁଚଟି, ଯଦି ମାଡ଼ାମ୍ ଆଗାଥେ ଆଗ ମରିଯାଆନ୍ତି, ତେବେ ବୁଢ଼ା ଆର୍‍ମଣ୍ଡ ବେଲ୍‍ମନ୍ତର ସ୍ୱପ୍ନ...ମଣିଷ ଏହି କଥାଟି ଯେତିକି ଭାବିବ, ମାଡ଼ାମ୍ ଆଗାଥେଙ୍କୁ ଗୋଟାଏ ବିୟୋଗାନ୍ତକ ନାଟକର ନାୟିକା ପରି ବସିଥିବାର ଦେଖି ସେତିକି ବିସ୍ମିତ ହେବାକୁ ପଡ଼ିବ । ହୁଏତ ଏପରି କିଛି ଘଟିଚି, ଯାହା ବିଷୟରେ ଆମେ କେହି କିଛି ଜାଣିନାହୁଁ ।’’

 

ଏ ବିଷୟରେ ସେହି ଭଦ୍ରମହିଳା ବିସ୍ମୟ ପ୍ରକାଶ କରିବା ଭଳି କୌଣସି ନୂତନ ବିଷୟ ନ ଥିଲା, କାରଣ ଆପଣାର ଗ୍ଲାସଟି ଶେଷକରି ମୁହଁ ପୋଛି କାଷ୍ଟିଲନ୍‍ର ସେହି ଲୋକଟି ଉତ୍ତର ଦେଲା,–ହୁଏତ ପଶ୍ଚାତ୍ତାପ ଏହାର କାରଣ ହୋଇପାରେ । ହୁଏତ ସେ ମାଡ଼ାମ୍ ଆର୍‍ମାଣ୍ଡଙ୍କୁ ବିଷ ଦେଇ ଥାଇ ପାରନ୍ତି ।’’

 

‘‘ଏ ସବୁ କଥାରେ ଆଦୌ ରହସ୍ୟ କରିବା ଉଚିତ ନୁହେଁ ।’’ ଭଦ୍ରମହିଳା କହିଲେ, ‘‘ତାଙ୍କ ଆଡ଼କୁ ଥରେ ଅନାଇ ଦେଖିଲ, ଏ ପର୍ଯ୍ୟନ୍ତ ବି ଗୁଣ୍ଡାଏ ଖାଇବା ସେ ମୁହଁକୁ ନେଇ ନାହାନ୍ତି-। ଆର୍‍ମଣ୍ଡ ଓ ମେରୀ ଠିକ୍ ମାଡ଼ାମ୍ ଆଗାଥେଙ୍କ ପରି ଏହି ଦୁଃଖ ଅନୁଭବ କରୁଚନ୍ତି କି ନାହିଁ, ମୁଁ ସେଇ କଥା ଭାବୁଚି ।’’

 

ଉପର ମହଲାରେ ଥିବା ଆପଣା କୋଠରୀରେ ଆର୍‍ମଣ୍ଡ ଡୁବେର୍ନେଟ୍ ବସିଥିଲେ, ତଳ ମହଲାରୁ ସେ ଅତିଥିମାନଙ୍କର ପାଟିତୁଣ୍ଡ ଏବଂ କଣ୍ଟା ଆଉ ଥାଳିଆର ଠଣ୍ ଠଣ୍ ଶବ୍ଦ ବେଶ୍ ଶୁଣିପାରୁଥିଲେ । ଟେବୁଲର ଡ୍ରୟରଗୁଡ଼ାକ ଖୋଲି ସେ ପୁରୁଣା କାଗଜପତ୍ରଗୁଡ଼ାକୁ ଫାଇଲରେ ସଜାଡ଼ୁଥିଲେ । ମରଣ ପରି ଅନ୍ୟ କୌଣସି ମଣିଷକୁ ଆପଣାର ନାନା ସାଂସାରିକ ବିଷୟ ପ୍ରତି ଧ୍ୟାନ ଦେବା ଓ ସେଗୁଡ଼ିକୁ ବ୍ୟବସ୍ଥିତ କରି ରଖିବାକୁ କ୍ଷେତ୍ର ପ୍ରସ୍ତୁତ କରିପାରେ ନାହିଁ । ଆର୍‍ମାଣ୍ଡ ବିସ୍ମିତ ହୋଇ ଭାବୁଥିଲେ, ‘‘ସେ ଚୁକ୍ତିଟା ବିଷୟରେ ମୁଁ କ’ଣ କଲି ?’’ ଅଳ୍ପ ସମୟ ହେଲା ସେ ଆପଣାର ମନ ଭିତରେ ଖୁବ୍ ବେଶୀ ସକ୍ରିୟ ହୋଇ ଉଠିଥିଲେ । ମେରୀ ଗୋଟାଏ ଲୋ’ ଚେୟାରରେ ବସିଥିଲା । ଆପଣାର ଛାତି ଭିତରକୁ ଗଳାଇ ପକାଇଥିବା ଚିଠିଟା ତା’ର ମନରେ ଯେଉଁ ସ୍ୱାଦିଷ୍ଟ ଅସନ୍ତୋଷ ସୃଷ୍ଟି କରିଥିଲା, ସେ ବିଷୟରେ ଅତି ଉତ୍କଟ ଭାବରେ ସେ ସଚେତନ ହୋଇ ବସିଥିଲା । ବ୍ଲାଉଜ ତଳୁ ଚିଠିଟିକୁ ବାହାର କରି ଆଉଥରେ ପଢ଼ିବାର କୌଣସି ଆବଶ୍ୟକତା ନ ଥିଲା, କାରଣ ଚିଠିଟା ତ ତା’ର ବିଲ୍‍କୁଲ ମୁଖସ୍ଥ ହୋଇଯାଇଥିଲା । ‘‘ସେହି ଦୁର୍ବଳ ପତଙ୍ଗ ନିକୋଲାସ୍‍କୁ ଉଦ୍ଧାର କରିବାପାଇଁ ମୋର ଆଉକିଛି ସମୟ ଅପେକ୍ଷା କରିବା ଉଚିତ ଥିଲା...ତଥାପି ଜାଲଟା ବର୍ତ୍ତମାନ ସୁଦ୍ଧା ବୁଢ଼ିଆଣୀ ହାତରେ ପଡ଼ି ନାହିଁ । ପୁଣି ବୁଢ଼ିଆଣୀ ତା’ର ଜାଲ ପାଖରେ ନ ଥିବା ସମୟରେ ତାକୁ ଯେତେଶୀଘ୍ର ଗୋଡ଼ରେ ଦଳି ଦିଆଯାଇପାରେ, ତାହା ସେତେ ମଙ୍ଗଳର ବିଷୟ । ତଥାପି ତୋତେ ଏଣିକି ଗାଲିଗାଇ ସହିତ ସାବଧାନ ହାଇ କାରବାର କରିବାକୁ ହେବ । ତା’କଥା ଛାଡ଼ିଦେଲେ ମଧ୍ୟ, ଆଗାମୀ ଦିନେ ଦୁଇଦିନପାଇଁ ଆମର ସୁଖରେ ଆଦୌ ବିହ୍ୱଳ ହେବା ଉଚିତ ନୁହେଁ । ତୋ’ର ଅଭାଗିନୀ ମାଆଠାରୁ ଆମେ ଏହି ବିଚାର କିରବାର ଶକ୍ତିଟିକକ ଶିଖିଚେ । ଅବଶ୍ୟ ମୁଁ ନିଜେ ମଧ୍ୟ ବୁଝିପାରୁନାହିଁ କିପରି ତୋତେ ନ ଦେଖି ମୁଁ ଏତେ ଦୀର୍ଘ ସମୟ ଧୈର୍ଯ୍ୟ ଧରି ରହିପାରିବି । ବର୍ତ୍ତମାନ ଆଦୌ ଦେଖାସାକ୍ଷାତ୍ ନ ହେବାର ମଧ୍ୟ କୌଣସି କାରଣ ନାହିଁ । –ଅବଶ୍ୟ ଆମକୁ ଟିକିଏ ସୀମା ଭିତରେ ରହି ଚଳିବାକୁ ପଡ଼ିବ–କିନ୍ତୁ ସୀମାଭିତରେ ରହି ଚଳିବାର ପ୍ରଶ୍ନ ଉଠିବାମାତ୍ରକେ, ତୁ’ ନାଁ ମୁଁ କିଏ ଅଧିକ ଦୁର୍ବଳ, ସେହିକଥା ଜଣାପଡ଼ିଗଲେ ତ ମୋର କଥା ସରିଗଲା । ସୀମା ଭିତରେ ତ ଆମେ ତିନିମିନିଟ ସମୟ ମଧ୍ୟ ଏକାଠି ରହିପାରିବା ନାହିଁ । –ଶୁଣ, ମୋର ଗୋଟାଏ ପ୍ରସ୍ତାବ ଅଛି...ରାତ୍ରି ଭୋଜନ ପରେ ତୁ ବାହାରକୁ ଚାଲିଆସିବୁ–କିନ୍ତୁ ଟୁଲିପ୍ ଗଛପାଖରେ ଥିବା କୁଦତଳର ଆମର ସବୁଦିନର ଜାଗାକୁ ନୁହେଁ । କିନ୍ତୁ ଲେଟୋଟ୍ ନଦୀ ପାଖକୁ, ଯେଉଁଠି ଲୋକେ ଆଲଡ଼ର ଗଛ କାଟୁଛନ୍ତି । ତୁ କୁଆଡ଼େ ଯାଉଚୁ, ସେ ବିଷୟ ଗୋପନ କରି ରଖିବାର କୌଣସି ପ୍ରୟୋଜନ ନାହିଁ । କିନ୍ତୁ ଭଲକରି ଘୋଡ଼ିଘାଡ଼ି ହୋଇ ଆସିଥିବୁ । ମୁଁ ସେହି ନଈ କୂଳରେ ଆର ପାଖରେ ଥିବି । ମୁଁ ଟିକିଏ ନିଆଁ ଜଳାଇବି, ସେଇଥିରୁ ମୁଁ କେଉଁଠି ଅଛି, ତୁ ଠିକ୍ ଅନୁମାନ କରି ନେଇପାରିବୁ, –କିନ୍ତୁ ତାହାପୂର୍ବରୁ ମୁଁ ଯେପରି ତୋ’ର ସାଗାରେଟ୍‍ଟି ଦେଖିବାକୁ ପାଏ...ଲୁଚୋଁରୁ ଯେଉଁ ଧଳା କୋଟ୍‍ଟି ତୁ କିଣିଥିଲୁ, ସେଇଟିକୁ ପିନ୍ଧିକରି ଆସିବୁ ।

 

‘‘ମାଆ, ତୋର ଅଭାଗିନୀ ମାଆର କେଉଁ କେଉଁ ଲୁଗାପଟା ତୁ ରଖିବାକୁ ଚାହୁଁଚୁ, ସେହି ବିଷୟରେ ମାଡ଼ାମ୍ ଆଗାଥେଙ୍କ୍ ସହିତ ଥରେ କଥାବାର୍ତ୍ତା କିରିନେବା ଉଚିତ । ବାକୀ ଲୁଗାପଟାକୁ ଆମେ ଅନାଥାଶ୍ରମକୁ ଦେଇଦେବା । ...ମେରୀ, ମୁଁ ଯାହା କହୁଚି, ତୁ ବୋଧହୁଏ ସେଥିରୁ ପଦେ ହେଲେ କଥା ଶୁଣିପାରୁନାହିଁ...’’ ହଠାତ୍ ଟିକିଏ ଅଧୀର ହୋଇପଡ଼ି ଆର୍‍ମାଣ୍ଡ କହିଲେ ।

 

‘‘ମୁଁ କିଛି ରଖିବାକୁ ଚାହୁଁ ନାହିଁ ।’’

 

ମାଆ ବ୍ୟବହାର କରିଥିବା ଯେତେ ଲୋଚାକୋଚା ତଳ ପିନ୍ଧା ବଡ଼ିସ୍ ଅଦ୍ଭୂତ ଡ୍ରୟର୍‍ ଓ ପେଟିକୋଟମାନ ଥିଲା, ମେରୀ ସେହିଗୁଡ଼ିକର କଥା ଭାବୁଥିଲା ।

 

‘‘ମାଡ଼ାମ୍ ଆଗାଥେଙ୍କର କୌଣସି ନା କୌଣସି ବ୍ୟବହାରରେ ସେଗୁଡ଼ିକ ନିଶ୍ଚୟ ଆସିବ,’’ –ଆଖିରେ ଗୋଟାଏ ଦୁଷ୍ଟାମିର ଭାବ ଫୁଟାଇ ମେରୀ କହିଲା ।

 

‘‘ତୋ’ର ଆସିବ ନାହିଁ ତ ମାଡ଼ାମ୍ ଆଗାଥେଙ୍କ କାହିଁକି ଆସିବ ?’’

 

ତାଙ୍କର କଥା ହଠାତ୍ ବନ୍ଦ ହୋଇଗଲା । ବାହାରୁ ସଂକେତ ନ ଦେଇ ଗାଲିଗାଇ ଘରଭିତରେ ପ୍ରବେଶ କରିଥିଲେ । ତତ୍‍କ୍ଷାଣାତ୍ କବରତଳୁ ଉଠିଆସିଥିବା ଭୂତଙ୍କ ପରି ମାଡ଼ାମ୍ ଆଗାଥେ କାହିଁକି ଦେଖାଯାଉଥିଲେ, ତାହାର କାରଣ ମେରୀ ଖୁବ୍ ଭଲକରି ଜାଣିଥିଲା । କିନ୍ତୁ ଆର୍‍ମାଣ୍ଡ କ’ଣ ଭାବୁଥିଲେ ?

 

‘‘ମୁଁ ସେକଥା ଆଉ ଗୋଟାଏ ମୁହୂର୍ତ୍ତ ମଧ୍ୟ ସହ୍ୟ କରିପାରିବି ନାହିଁ’’,–ମାଡ଼ାମ୍ ଆଗାଥେ କହିଲେ, ‘‘ଗୋଟାଏ ବିଷୟରେ ମୁଁ ତୋ’ର ବାପାଙ୍କ ସହିତ ଆଲୋଚନା କରିବାକୁ ଆସିଚି । ମେରୀ, କିଛି ସମୟପାଇଁ ତୁ ଟିକିଏ ଆର ଘରକୁ ଗଲେ ତୋ’ର କୌଣସି ଆପତ୍ତି ଅଛିକି-?’’

 

‘‘ମୁଁ କାହିଁକି ଯିବି ? ଯାହା ତୁମର କହିବା କଥା, ମୁଁ ଥାଇ କରି କ’ଣ କହିପାରିବ ନାହିଁ-? ମୁଁ ଭାବୁଚି, ସବୁ ଦିନଠାରୁ ଆଜି ଅଧିକ ନିଶ୍ଚିତ ଭାବରେ ମୋର ବାପାଙ୍କ ପାଖରେ ରହିବା ଲାଗି ମୋର ଅଧିକାର ଅଛି ।’’

 

‘‘ମେରୀ, ଏମିତି ଭାବରେ କଥା କହନ୍ତି ନାହିଁ ।’’ –ଶ୍ରୀଯୁକ୍ତ ଆର୍‍ମାଣ୍ଡ କହିଲେ ।

 

ତଥାପି ସେହିଘରୁ ଅନ୍ୟତ୍ର ଯିବା ଲାଗି ମେରୀକୁ ସେ ନିର୍ଦ୍ଦେଶ ଦେଇପାରିଲେ ନାହିଁ । ଝିଅଟି ଯାହା କହିଲା, ମାଡ଼ାମ୍ ଆଗାଥେ ସେଥିରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । କୌଣସି ପ୍ରକାର ଭାବଲେଶ ଶୂନ୍ୟ ମୁଖରେ ସେ ଆର୍‍ମାଣ୍ଡଙ୍କ ପାଖରେ ବସି ଅଭାଗିନୀ ଜୁଲିଆର ବିଲ୍‍ଗୁଡ଼ିକୁ ସଜାଡ଼ିବାରେ ତାଙ୍କୁ ସାହାଯ୍ୟ କରିବାକୁ ଲାଗିଲେ । ମେରୀ ତା’ର ଚେୟାରରୁ ଆଦୌ ହଲଚଲ ହେଲା ନାହିଁ । ସେ ସେଇଠି ସିଧା ହୋଇ ବସିଥାଏ, ଦୁଇଗୋଡ଼କୁ ଯୋଡ଼ିକରି ଲମ୍ୱାଇ ଦେଇଥାଏ । ଛାତି ଭିତରେ ଲୁଚାଇ ରଖିବାକୁ କାଗଜ ଖଣ୍ଡକ ସକାଶେ ସେ ଅବିଶ୍ୱାସପୂର୍ଣ୍ଣ ସତର୍କତାର ଏକ ଦୟନୀୟ ପରିସ୍ଥିତିରେ ପଡ଼ିଯାଇଥିଲା । କାଗଜଟା ଭିତରେ ଫୋଡ଼ି ଫୋଡ଼ି ଦେଲାପରି ଲାଗୁଥାଏ, ପ୍ରକୃତରେ ବଡ଼ ଆଘାତ ଦେଉଥାଏ ।

 

ତଳୁ ମନୁଷ୍ୟ କଣ୍ଠର କୋଳାହଳ ଶୁଣାଗଲା, ହଠାତ୍ ଏକ ବିପୁଳ ହାସ୍ୟରୋଳ ଶୁଭିଲା, ପୁଣି ହଠାତ୍ ବନ୍ଦ ହୋଇଗଲା । ଅତିଥିମାନଙ୍କ ଭିତରୁ କେହି ଜଣେ କଥାବାର୍ତ୍ତା କରୁଥିଲେ । ସେ ହେଉଚନ୍ତି ଶ୍ରୀଯୁକ୍ତ ବୋରୋଟ ସାଧାରଣ କାଉନ୍‍ସିଲର୍‍ ସଦସ୍ୟ ଏବଂ ସେ ତାଙ୍କର ଆତ୍ମୀୟମାନଙ୍କୁ ଏହି ଦୁଃଖପୂର୍ଣ୍ଣ ସମ୍ୱାଦଟି ଦେଉଥିଲେ ଯେ ଡୋର୍ଥେ ତା’ର ସୋସଫ୍ରିଫେକଚରର ପାହ୍ୟା ହରାଇବାକୁ ଯାଉଚି । ଊଣେଇଶି ବର୍ଷ ବୟସର ଜଣେ ଶିକ୍ଷକ ଓ ଜୁଲିଆଙ୍କର ଜଣେ ପୁତୁରା ଆଁଦ୍ରେ ଦୋନଜାକ୍ଂ –ଶ୍ରୀଘ୍ର ପରିପକ୍ୱ ହୋଇଥିବା ଜଣେ ତରୁଣ ଯୁବକ–ସେ ଏପର୍ଯ୍ୟନ୍ତ ନୀରବ ଥିଲେ (ଧର୍ମଯାଜକଙ୍କ ପାଖକୁ କାଳେ ତାଙ୍କୁ ବସିବାକୁ କୁହାଯିବ, ସେହି ଭୟରେ) । କିନ୍ତୁ ମାଉଁସ ପରିବେଷଣ ହୋଇଗଲା ପରେ ପରେ ତାଙ୍କର ପାଟି ଏକାବେଳେକେ ଖୋଲିଗଲା । ସେ ବଡ଼ପାଟିକରି ପଚାରିଲେ, ଗୋଷ୍ଠୀ ହିସାବରେ ଡୋର୍ଥେର ଏହି ଅଧଃପତନକୁ କେତେଦୂର ଏକ ବିଚ୍ଛିନ୍ନ ଘଟଣାବୋଲି କୁହାଯାଇପାରିବ, -ବା ବସ୍ତୁତଃ ସହରଟି କ୍ରମେ ଏକ ଜୀବନ ହୀନ ଜନ–ବସତିରେ ପରିଣତ ହେଲାଣି, ଯାହାକୁ କି ମନୁଷ୍ୟର ପାଦରେ ସମୟେ ସମୟେ ଦେଖାଯାଉଥିବା ଗୋଦରା ଓ କର୍କଶ ଚମବିଣ୍ଡି ସହିତ ତୁଳନା କରାଯାଇପାରିବ ? ବା ଏହାକୁ ଗୋଟାଏ ସଂକ୍ରମଣ କେନ୍ଦ୍ର ବୋଲି କହିବାକୁ ହେବ । ସମସ୍ତ ଦେଶ, ଏପରି କି ସମଗ୍ର ଇଉରୋପ ଯେଉଁ ଦୂରାରୋଗ୍ୟ ରୁଗ୍‍ଣ ଦଶାରେ ଆସି ଉପନୀତ ହେଲାଣି, ତାହାରି ଏକ ଦୃଷ୍ଟାନ୍ତ ବୋଲି କହିବାକୁ ହେବ ? ଏହା ପଚିଯାଉଥିବା ଏକ ଅବୟବର ସମସ୍ୟା ବା ଅତି ସୀମାବଦ୍ଧ ଅରାଏ କଠିନ ସମସ୍ୟା-? ‘‘ମୋତେ ସେହିକଥା ଆପଣ ଭଲକରି ବୁଝାଇ କହି ଦିଅନ୍ତୁ, ମହାଶୟ ।’’

 

ଆର୍‍ମଣ୍ଡ ଆଗାଥେ ଓ ମେରୀ ସମସ୍ତେ ଏହି ଉତ୍ତେଜିତ କଣ୍ଠସ୍ୱର ଶୁଣି ପାରୁଥିଲେ । ମଝିରେ ମଝିରେ ଚେୟାର ଘୋଷାରି ନେବାର ଶବ୍ଦ ଶୁଭୁଥିଲା, ପୁଣି ମଝିରେ ବେଳେବେଳେ ସବୁ ଚୁପ୍ ହୋଇଯାଉଥିଲା । ମେରୀ ବରାବର ଗାଲିଗାଇଙ୍କର ମୁଖକୁ ଅନାଇ ରହିଥାଏ । ସେ ତାଙ୍କୁ ଜାଗିବାକୁ ଏପରି କରୁଥିଲା, ତାହା ନୁହେଁ; ବରଂ ସେ ଭାବୁଥିଲା ଯେ ଦୁର୍ବଳତାର କୌଣସି ସଂକେତ ଯେପରି ସେ ନ ଦେଖାଏ । ଶକ୍ତି ଓ ବିଜୟର ଏକ ସଚେତନତା ବିରୁଦ୍ଧରେ ସେ ସଂଗ୍ରାମ କରିବାରେ ଲାଗିଥିଲା । ଗୋଟାଏ ପ୍ରକାର ଲଜ୍ଜାନୁଭୂତି ତାକୁ ଆଚ୍ଛନ୍ନ କରି ରଖିଥିଲା ଏବଂ ଗିଲେସ୍‍କୁ ଦିନେହେଲେ ଭଲ ପାଇ ନ ଥିବ ତା’ର ମୃତା ମାଆ ଲାଗି ସେ ପ୍ରାର୍ଥନା କରିବାକୁ ଚେଷ୍ଟା କରୁଥିଲା । ହୁଏତ ଗିଲେସ୍‍କୁ ତା’ର ମାଆ ଘୃଣା ବି କରୁଥିଲେ, ପରେ ହୁଏତ ସେ ଘୃଣା ଆଉ ଭଲ ପାଇବାର ମଝିରେ ମଝିରେ ପଡ଼ି ଏପାଖ ସେପାଖ ହେଉଥିଲେ । ...କି ଘୃଣ୍ୟ ବିଚାର ଏଗୁଡ଼ାକ....ଭଗବାନ୍ ଦୟା କଲେ ହୁଏତ ତାଙ୍କୁ ଏଥିପାଇଁ କୌଣସି ଶାସ୍ତି ନ ଦେଇପାରନ୍ତି । ‘‘ହେ ଭଗବାନ ! –ନା ! ମାଆ ମରିଯିବା ପରେ ମୁଁ ପ୍ରକୃତରେ ବଡ଼ ବିବଶ ହୋଇପଡ଼ିଚି । ତୁମେ ତ ସବୁ ଜାଣିଚ, ତୁମେ ଅବଶ୍ୟ ଜାଣୁଥିବ ଯେ ମୁଁ ତାକୁ ଭଲ ପାଉଥିଲି ।’’ ମାଆଠାରୁ ଘଡ଼ିଏ ଛାଡ଼ି କେଉଁଠି ରହିବାକୁ ଯେତେବେଳେ ସେ ଆଦୌ ସହିପାରୁନଥିଲା, ସେହି ଦିନଗୁଡ଼ିକର କଥା ସେ ମନେପକାଇବାକୁ ଲାଗିଲା । ସେତେବେଳେ ସେ ଘଣ୍ଟାକପାଇଁ ସୁଦ୍ଧା ମାଆଠାରୁ ଅନ୍ତର ହୋଇ ରହିପାରୁନଥିଲା । ମାଡ଼ାମ୍ ଡୁବେର୍ନେଟ୍ ସର୍ବଦା ଅଭିଯୋଗ କରୁଥିଲେ ଯେ ‘‘ପିଲାଟା ଖାଲି ସବୁବେଳେ ମୋ’ରି କାନି ତଳେ ଗୁଞ୍ଜି ହୋଇ ରହୁଚି ।’’ ଏ କଥା ସମସ୍ତଙ୍କୁ ଭଲ ଭାବରେ ଜଣାଥିଲା ଯେ ଆପଣା ମାଆ ବ୍ୟତୀତ ମେରୀ ଆଉ କାହାରି ବିଷୟରେ କିଛି ଅନୁଭବ କରିପାରେ ନାହିଁ ।’’ ..…ମାଆ–ବାକ୍‍ସ ଭିତରେ ବର୍ତ୍ତମାନ ସେ କଣ୍ଟା ପିଟା ହୋଇ ରହିଚି, ଜପାମାଳୀ ଦେଇ ତାହାର ଦୁଇ ହାତକୁ ଛନ୍ଦି ଦିଆ ହୋଇଚି, ମୃତ ବ୍ୟକ୍ତିମାନଙ୍କୁ ପିନ୍ଧାଇ ଦିଆଯାଉଥିବା ଶକ୍ତ ପଟିରେ ତା’ର ଗାଲ ବନ୍ଧା ହୋଇ ରହିଚି ...ଗିଲେସ୍ । ତା’ର ନିର୍ଦ୍ଦୟ ମୁହଁଟା–ଅନ୍ୟ ସମସ୍ତଙ୍କ ପ୍ରତି ନିର୍ଦ୍ଦୟ, କେବଳ ତାହାରି ପ୍ରତି କୋମଳ । ନିହାଣ ଭାଙ୍ଗି ଦେଉଥିବା କୌଣସି ଅତି ଶକ୍ତ ପଥରରୁ କଟାଯାଇଥିବା ପରି ତା’ର କଠିନ ଓ କୃଷ୍ଣ ଆଖି ଦିଓଟି, ତା’ ଆଡ଼କୁ ଅନାଇ ରହିଥିଲାବେଳେ ଯିଏ ଅବଗୁଣ୍ଠିତ ଓ ଅସ୍ପଷ୍ଟ ହୋଇଗଲା ପରି ଦେଖାଯାଏ । ଦିନେ ରାତିରେ ସେ ସେହି ଆଖିର ବିନ୍ଦୁଏ ଲୁହବି ଚାଖିବାକୁ ପାଇଚି । ସେ ଆଦୌ କାନ୍ଦେ ନାହିଁ ବୋଲି ଗିଲେସ୍ ଥରେ ତାକୁ କହିଥିଲା । ‘‘ଯଦି ମୁଁ ବର୍ତ୍ତମାନ କାନ୍ଦୁଥାଏ,’’ ଗିଲେସ୍ କହିଥିଲା, ‘‘ତାର ଏକମାତ୍ର କାରଣ ହେଉଚି, ଯେ ମୁଁ ତୋତେ ଏତେ ଭଲପାଏ ।’’ ଠିକ୍ ଏହି ଶବ୍ଦଗୁଡ଼ିକୁ ସେ ପ୍ରୟୋଗ କରିଥିଲା । ତା’ଠାରୁ ଏପରି ପଦେ ଶୁଣିବ ବୋଲି ମେରୀ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ‘‘ମୁଁ କାନ୍ଦୁଚି, କାରଣ ମୁଁ ତୋତେ ଏତେ ଭଲ ପାଏ ।’’

 

ଉଣେଇଶି

 

‘‘ଠିକ୍ ଏହି ମୂହୂର୍ତ୍ତରେ ସମ୍ଭବତଃ ମେରୀ ତାହାରି ସହିତ ଥିବ ବୋଲି କ’ଣ ତୁମର ଆଦୌ ମନେ ହେଉନାହିଁ ?’’

ଆର୍‍ମଣ୍ଡ ଡୁବେର୍ନେଟ୍ ମୁଣ୍ଡ ହଲାଇଲେ, କିନ୍ତୁ ବିଷୟଟି ସେତିକିରେ ଶେଷ କରିବାକୁ ଆଗାଥେ ଆଦୌ ପ୍ରସ୍ତୁତ ନ ଥିଲେ ।

‘‘ତେବେ ବର୍ତ୍ତମାନ ସେ କେଉଁଠାରେ ଥିବ ବୋଲି ତୁମେ ଅନୁମାନ କରୁଚ ?’’

ଗାତ୍ରକୁଞ୍ଚନ କାରି ଆର୍‌ମାଣ୍ଡ ଆପଣାର ଅଜ୍ଞତା ପ୍ରକାଶ କଲେ:

‘‘ଅବଶ୍ୟ ତାହା ସହିତ ନ ଥିବ, ମାଆର ଅନ୍ତ୍ୟେଷ୍ଟ୍ରିକ୍ରିୟା ଦିନଟାରେ ସେ ଏପରି ଆଚରଣ କରିବ ବୋଲି କଦାପି କଳ୍ପନା କରାଯାଇ ନ ପାରେ ।’’

ଆର୍‌ମାଣ୍ଡ ଡୁବେର୍ନେଟ୍‌ ଓ ମାଡ଼ାମ୍‌ ଆଗାଥେ ଏକାଠି ବସି ଶୀତଳ ମାଂସ ତରକାରୀକୁ ପୋଛି ପାଛି ଖାଇ ଦେଉଥିଲେ, ଠିକ୍‌ ଅନେକ ବର୍ଷ ପୂର୍ବେ ବିବାହ କରିଥିବା ଦମ୍ପତି ପରି । ରାତ୍ରି ଭୋଜନରେ ଉପସ୍ଥିତ ରହିପାରିବ ନାହିଁ ବୋଲି ମେରୀ ଆଗରୁ ଜଣାଇ ଦେଇଥିଲା । ଖାଇବା ଶେଷ ହୋଇ ଆସିବା ପର୍ଯ୍ୟନ୍ତ କେହି କାହାରିକୁ ପଦେ ହେଲେ କଥା କହିନଥିଲେ । ମାଡ଼ାମ୍‌ ଆଗାଥେ ଆପଣାର ହାତପୋଛାଟିକୁ ଭାଙ୍ଗି କରି ରଖୁଥିଲେ ।

‘‘ମୋ’ ସାଙ୍ଗରେ କୁଦ ଉପରକୁ ଯିବ ଚାଲ ! ମୋରି ଅନୁମାନ ସେହିଠାରେ ଟୁଲିପ୍‌ ଗଛ ତଳେ ଆମେ ସେମାନଙ୍କୁ ନିଶ୍ଚୟ ଦେଖିବାକୁ ପାଇବା ।’’

ଆର୍‌ମାଣ୍ଡ ଡୁବେର୍ନେଟ୍‌ ଉଠିବା ପୂର୍ବରୁ ଆଉ ଗିଲାସେ ମଦ ପିଇଲେ ଏବଂ ଖୁବ୍‌ ଚେଷ୍ଟାକରି ତାଙ୍କର ପାଦ ସହିତ ସଂଗ୍ରାମ କରିବାକୁ ଲାଗିଲେ ।

‘‘କଦାପି ନୁହେଁ’’–ସେ କହିଲେ: ‘‘ବରଂ ମୋର ସେ କଥା ଜାଣିବା ଦରକାର ନାହିଁ ।’’

‘‘ଯଦି ମୁଁ ଫେରି ଆସି ସେମାନଙ୍କୁ ଧରିଚି ବୋଲି ଖବର ଦିଏ, ତେବେ ମୋତେ ବିଶ୍ୱାସ କରିବକି ନାହିଁ ?’’

ଉତ୍ତରରେ ସେ ଗୋଟିଏ ବୋଲି ଶବ୍ଦ ଉଚ୍ଚାରଣ କଲେ ନାହିଁ, କିନ୍ତୁ ବୈଠକଖାନା ଆଡ଼କୁ ଆଗେ ଆଗେ ଗଲେ । କହିଲେ ଯେ ଆଜି ରାତିରେ ଭାରି ଗରମ ହେଉଚି, ଆକାଶ ଝରକାଗୁଡ଼ାକ କେହି ଖୋଲି ଦେଇନାହାନ୍ତି ବୋଲି ସେ ଭାରି ଦୁଃଖିତ ହେଲେ । ଅବଶ୍ୟ ଅନ୍ତ୍ୟେଷ୍ଟିକ୍ରିୟା ସରିବାର ଏତେଅଳ୍ପ ସମୟ ପରେ ସେଗୁଡ଼ିକୁ ଖୋଲିବା ଉଚିତ ହୋଇନଥାନ୍ତା । ନୀରବ ରହିବାକୁ ତାଙ୍କୁ ଆଦୌ ଭଲ ଲାଗୁ ନ ଥିଲା ବୋଲି ସେ ନାନା ପ୍ରକାର କଥା କହିବାକୁ ଚେଷ୍ଟା କରୁଥିଲେ । ଆଗାଥେ ଭାବିଲେ ଯେ ଆର୍‌ମଣ୍ଡ ନିଶ୍ଚୟ ତାଙ୍କର ଗୁପ୍ତ ବିଷୟଟି ଅନୁମାନ କରି ସାରିବେଣି କାରଣ ଯାହା ହେବାର ହେଉ ପଛକେ, ସେହି ଅତିପ୍ରିୟ ନାମଟିକୁ ସେ କଦାପି କଥୋପକଥନରୁ ବାଦ୍‌ ଦେଇପାରିବେ ନାହିଁ । ଆର୍‌ମଣ୍ଡ ସ୍ଥବିର ପଦକ୍ଷେପରେ ଆଗାଥେଙ୍କର ଅନୁସରଣ କରି ପ୍ରବେଶ କକ୍ଷକୁ ଗଲେ । ଆଗାଥେ ଗୋଟିଏ ଗୋଟିଏ କୋଟ୍‍ ନେଇ ଆପଣା କାନ୍ଧରେ ପକାଇଦେଲେ, ତା’ପରେ ମୁହଁ ବୁଲାଇ କହିଲେ:

‘‘କହ ଫେରିଆସି ମୁଁ ସେମାନଙ୍କୁ ଧରିଚି ବୋଲି ତୁମ ଆଗରେ କହିଲେ ତୁମେ ମୋତେ ବିଶ୍ୱାସ କରିବ ନାହିଁ ?’’

ଏଥର ମଧ୍ୟ ସେ କୌଣସି ଉତ୍ତର ଦେଲେ ନାହିଁ । ମପଣା ପଛରେ ସେ କାଚର କବାଟଟିକୁ ଧଡ଼୍‌ କରି ବନ୍ଦ କରିଦେଲେ ଓ ଉଦ୍ୟାନରେ ଅନ୍ଧକାର ଭିତରେ ପ୍ରବେଶ କଲେ ।

ସେ ଠିକ୍‌ କହୁଥିଲେ, ଆଜି ପ୍ରକୃତରେ ବଡ଼ ଗରମ ହେଉଚି । କୁଦ ଉପରକୁ ପଡ଼ିଥିବା ଧଳା ପଥରର ଛୋଟିଆ ରାସ୍ତାଟି ପୃଥିବୀ ଉପରକୁ ସମ୍ପ୍ରସାରିତ ହୋଇ ଆସିଥିବା ଛାୟାପଥ ପରି ଦେଖାଯାଉଥିଲା । ସ୍ପନ୍ଦନ ଚଞ୍ଚଳ ରାତ୍ରି ଆକାଶ ତଳେ ସତେଅବା ଏକ ଜୁଆର ସ୍ରୋତ ପୁଣିଥରେ ଏହି ପୃଥିବୀର ପାତ୍ରଟିକୁ ଉପରକୁ ଉଠାଇ ନେଉଥିଲା । ଗୀର୍ଜାଟି ଘରଗୁଡ଼ିକର ଛାତ ଓ କୁହୁଡ଼ି ଉପରେ ଭାସୁଥିବା ପରି ମନେହେଉଥିଲା । ଟୁଲିପ୍‌ ଗଛ ତଳେ ପରସ୍ପରକୁ ପ୍ରେମାଲିଙ୍ଗନରେ ଭିଡ଼ି ଧରିଥିବାବେଳେ ଏହିପରି ଗୋଟିଏ ରାତ୍ରି ସେହି ତରୁଣ ଜୀବନ ଦୁଇଟିକୁ କିପରି ମନେହେଉଥିବ, ଆଗାଥେ ଆପଣାର ଦେହ ଭିତରେ ତାହାହିଁ ଅନୁଭବ କରୁଥିଲେ । ସେହି ତରୁଣ ଦୁହିଁଙ୍କର ସୁଖର ପଦ୍ମବନକୁ ସେ ଆଜି ନଷ୍ଟ କରିଦେବାକୁ ଯାଉଚନ୍ତି । ସେହି ପ୍ରେମିକ ପ୍ରେମିକା ବର୍ତ୍ତମାନ ତା’ର ଖୁବ୍‌ ନିକଟରେ ଅଛନ୍ତି । ହୁଏତ ଟେକାଟାଏ ଫୋପାଡ଼ିଲେ ଯେତିକି ବାଟ ଯିବ, ସେତିକି ଦୂରରେ । ଆଜିର ଏହି ଅନ୍ଧକାର ସେମାନଙ୍କ ପ୍ରାଣରେ କେଉଁ ସ୍ୱର୍ଗୀୟତାର ସମ୍ପଦ ଅଜାଡ଼ି ଦେଉଥିବ, ତାହାରି ସ୍ମରଣ କରି ଆଗାଥେ ଆପଣା ଲାଗି ନୈରାଶ୍ୟର ଖାଦ୍ୟ ଆହରଣ କରୁଥିଲେ । ହୁଏତ ସେମାନେ ନିବିଡ଼ କରି ଧରିଥିବା କୁହୁକର ମୁଗ୍ଧତା ସେମାନଙ୍କ ମନରୁ ସମସ୍ତ ଭୟ ଦୂରୀଭୂତ କରି ନେଇଥିବ । କାହିଁକି ସେ ବାହାରକୁ ଆସିଲେ, ସତେ କାହିଁକି ଆସିଲେ ? ଅନ୍ଧାରୁଆ ଖାଇବା ଘରର ଛାତରେ ଜଳୁଥିବା ଆଲୋକର ଘନୀଭୂତ ଉଦ୍ଭାସ ତଳେ ସେ କାହିଁକି ଘର ଭିତରେ ଆବଦ୍ଧ ହୋଇ ନ ରହିଲେ ? ତାଙ୍କୁ ସ୍ପର୍ଶ କରିବାକୁ ଗୋପନରେ ସତୃଷ୍ଣ ହୋଇ ରହିଥିବା ସେହି ଆଳସ୍ୟ-ସ୍ଥବିର ବୃଦ୍ଧଙ୍କ ପାଖରେ ସେ ନ ରହିଲେ କାହିଁକି ? ତାଙ୍କପରି ଏଭଳି ଏକ ଶୋଚନୀୟ ଜୀବନ ଧାରଣ କରିଥିବା ଜଣେ ମଣିଷର ଏ ମଧୁମୟୀ ରାତ୍ରି ସହିତ ସମ୍ପର୍କ ଅଛି ? ମେରୀ ଆଉ ଗିଲେସ୍‌ ହୁଏତ ମୃତ୍ୟୁ ସମୟ ପର୍ଯ୍ୟନ୍ତ ମଧ୍ୟ ଏହି ରାତିଟିକୁ ମନେରଖିଥିବେ । ଏପରି ଗୋଟିଏ ଆନନ୍ଦମୟ ମୁହୂର୍ତ୍ତ ସେମାନଙ୍କୁ ଆଣି ଦେଇଥିବାରୁ ସେମାନେ ଭଗବାନଙ୍କୁ ଆଶୀର୍ବାଦ କରିବେ । ଆପଣାକୁ ସବୁବେଳେ ପରିଚାଳିତ କରି ଆସିଥିବା ଚିତ୍ତବୃତ୍ତ ପାଖରେ ସେ ପୁଣି ଆତ୍ମସମର୍ପଣ କଲେ । ଜୀବନର ଯାବତୀୟ ପ୍ରତିବନ୍ଧକର ସମ୍ମୁଖୀନ ହେବାପାଇଁ ସବୁଦିନେ ସେ ଏହାରି ଶରଣାପନ୍ନ ହୋଇଚନ୍ତି । କିନ୍ତୁ ଆଉ ଏଣିକି ସେ କଦାପି ସେହି ଚିତବୃତ୍ତିଦ୍ୱାରା ପ୍ରବଞ୍ଚିତ ହେବେ ନାହିଁ । ଟିକିଏ ଅଗ୍ରସର ହୋଇ ସେ ବଡ଼ ଟୁଲିପ୍‌ ଗଛଟି ପାଖରେ ପହଞ୍ଚିଲେ । ତାଙ୍କର ମୁଣ୍ଡ ଉପରେ ଝୁଲୁଥିବା ପତ୍ର ଶାଖାଗୁଡ଼ିକ ଧୀର ସମୀରଣରେ ମର୍ମରିତ ହୋଇ ଉଠୁଥାଏ । ସତେ ଯେପରି ରାତ୍ରି ନିଶ୍ୱାସ ମାରୁଚି ! କାଇଁ, ସେଠି ତ କେହି ନ ଥିଲେ । ସେମାନଙ୍କର ଗୋପନ-ମିଳନର ସ୍ଥାନଟିରେ ଥିବା ଘାସଗୁଡ଼ିକ ମଣିଷ ପାଦରେ ମଡ଼ା ହୋଇଥିବା ପରି ଦେଖାଯାଉଥିଲା । କିନ୍ତୁ ଆଜି ରାତିରେ ସେମାନେ ନିଶ୍ଚୟ ଆଉ ଏକ ଲୁଚିବା ସ୍ଥାନ ସ୍ଥିର କରି ସେହିଠାକୁ ଯାଇଚନ୍ତି ।

‘‘ତୁମେ ମୋତେ ଖୋଜୁଥିଲକି, ମାଡ଼ାମ୍‌ ଆଗାଥେ ?’’

ମେରୀର କଣ୍ଠରୁ ବିଦ୍ରୂପମିଶ୍ରିତ ଏହି ବାକ୍ୟଟି ଶୁଣାଗଲା ।

‘‘ମୋତେ କ’ଣ ତୁମେ ଦେଖିପାରୁନାହଁ ? କୁଦଉପରୁ ତ ତୁମର ଦେହ-ରେଖାକୁ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଚି । ମୁଁ ଆସି ଏଠି, କଟା ହୋଇଥିବା ଆଲ୍‌ଡ଼ର ଗଛଗୁଡ଼ିକ ପାଖରେ ।’’

ଲାଙ୍ଗୁଳ ଜାକି ସେଠାରୁ ପଳାଇ ପାରିଥିଲେ ବରଂ ଭଲ ହୋଇଥନ୍ତା, ଗାଲିଗାଇ ଭାବିବାକୁ ଲାଗିଲେ । ନା–ସେ ଅବଶ୍ୟ ଦେଖିବେ, ଅପରର ସୁଖକୁ ସେ ଅବଶ୍ୟ ସ୍ପର୍ଶ କରିବେ ।

‘‘ଏଇଠି…ମୁଁ ଗୋଟିଏ କଟାଗଛର ମୂଳ ଉପରେ ବସିଚି ।’’

ବାଳିକାଟି ସେଠାରେ ପ୍ରକୃତରେ ଏକାକୀ ବସିଥିଲା, ଅନ୍ଧାର ଭିତରେ ନିଶ୍ଚଳ ହୋଇ ବସିଥିଲା, ଠିକ୍‌ ଗୋଟିଏ ଛୋଟିଆ ମାଈ ଠେକୁଆଟି ପରି ଚତୁର୍ଦ୍ଦିଗରେ ଖେଳି ବୁଲୁଥିବା ପବନରେ ଆପଣାର ସୁଗନ୍ଧ ଖେଳାଇ ଦେଇ ପୁରୁଷ-ଠେକୁଆକୁ ମୁଗ୍ଧ କରି ଆଣିବାପାଇଁ ।

‘‘ମୋ’ ପାଖରେ ବସ, ମୁଁ ତୁମପାଇଁ ଜାଗା କରିଦେଉଚି ।’’

‘‘ଲେରୋଟ ନଈ ଭିତରୁ କିପରି ଗୋଟାଏ କାଲୁଆ ପବନ ଆସୁଚି ।’’ ମାଡ଼ାମ୍‌ ଆଗାଥେ କହିଲେ, ‘‘ଏଠି ବସିଲେ ଥଣ୍ଡାରେ ସନ୍ନିପାତ ହୋଇଯିବ ।’’

‘‘ନାଇଁମ, ସେଠି ଜଳୁଥିବା ନିଆଁ ମତେ ଭାରି ଉଷୁମ ଲାଗୁଚି ।’’

‘‘ନିଆଁ ? –କି ନିଆଁ ?’’

‘‘ସେଇଠି,-ନଈ ଆରପାରିରେ ।’’

ଗାଲିଗାଇ ହୁତୁହୁତୁ ହୋଇ ଜଳୁଥିବା ନିଆଁ ଆଡ଼କୁ ନୀରବରେ ଅନାଇ ରହିଲେ । ପ୍ରାୟ ନିଭିଯିବା ପର୍ଯ୍ୟନ୍ତ ଶିଖାଟି କ୍ରମେ କମିକମି ଆସୁଥାଏ–ଶେଷକୁ ହଠାତ୍‌ ପୁଣି ଜଳିଉଠିଲା ।

‘‘ଏତେଦୂରରେ ଜଳୁଥିବା ନିଆଁରୁ ମୁଁ କୌଣସି ଉଷୁମ ପାଇପାରୁନାହିଁ । ତୋ’ ଦେହରୁ ଆସୁଥିବା ଉତ୍ତାପହିଁ ମୋତେ ଉଷୁମ କରିଦେଉଚି ।’’

ଦୁହେଁ ପରସ୍ପରର ଦେହକୁ ଦେହ ଲଗାଇ ବସିଥାନ୍ତି । ମେରୀର ତରୁଣ ଶରୀରକୁ ନିର୍ଗତ ହେଉଥିବା ଜୈବିକତାପ କ୍ରମେ ମାଡ଼ାମ୍‌ ଆଗାଥେଙ୍କୁ ଅସଭ୍ୟ ବୋଧହେଲା । ମେରୀ କିଛି କହୁ ନ ଥାଏ । ସେ ତ ଅତି ପିଲାଟିଏ, ଠିକ୍ ପିଲାଟି ପରି ତା’ର ଜଳନ୍ତା ସିଗାରେଟ୍‌ ସାହାଯ୍ୟରେ ଅନ୍ଧାର ଶୂନ୍ୟଉପରେ ନାନାରକମର କୋଠି କାଟି ସେ ବେଶ୍‌ ଆନନ୍ଦ ଲାଭ କରୁଥିଲା । ଏତେବେଳେ ଯାଇ ଗାଲିଗାଇ ବୁଝିପାରିଲେ । ନଈ ଆରପାରିରେ ଏ ଜଳନ୍ତା ଡାଙ୍ଗଟିଏ ଧରି କିଏ ହଲାଉଥିବାର ଦେଖାଯାଉଥିଲା । ଯୁବକଟି ଉପରେ ତା’ର ଆଖି ପଡ଼ିନଥିଲା । କିନ୍ତୁ ଯୁବକଟି ଯେ ଯେଉଁଠାରେ ଅଛି, ସେକଥା ସେ ଭଲକରି ଜାଣିଥିଲେ । ତା’ର ମୁଣ୍ଡ ଉପରେ ବୁଲାଉଥିବା ନିଆଁ ଡାଙ୍ଗଟି ଅପେକ୍ଷା ସେ ନିଜେ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିଲା । ଯେତେବେଳେ ନିଆଁଟା ହଠାତ୍‌ ଟିକିଏ ଅଧିକ ଜଳି ଉଠିଲା, ସେତିକିବେଳେ ମୁହୂର୍ତ୍ତକପାଇଁ ତା’ର ମୁହଁଟା ଦିଶିଗଲା–ସେ ଗୋଡ଼କୁ ଫରକଟା କରି ଠିଆ ହୋଇଥାଏ । ତା’ପରେ ସେ ତା’ର ଦୁଇହାତକୁ ଲମ୍ବାଇଲା–ତା’ପରେ ଅନ୍ଧାରରେ ଗ୍ରାସ ଭିତରେ ଅଦୃଶ୍ୟ ହୋଇଗଲା ।

ହଁ, ଗାଲିଗାଇ ସବୁ ବୁଝିପାରିଲେ । ପ୍ରେମିକ ଓ ପ୍ରେମିକା ଉଭୟେ ଇଚ୍ଛା କରିଥିଲେ ଯେ ଗୋଟିଏ ତରବାରୀ ସେମାନଙ୍କୁ ବ୍ୟବହିତ କରି ରଖିବ, ବୃକ୍ଷଲତା-ପରିପୂର୍ଣ୍ଣ ପଥଉପରେ ମର୍ମର ଶବ୍ଦ କରୁଥିବା ଓ ପ୍ରସ୍ତରଶର୍ଯ୍ୟା ଉପରେ କଳକଳ ନାଦ କରୁଥିବା ବହମାନ ଏହି ତରବାରୀର ଫଳକକୁ ଆପଣା ମଧ୍ୟରେ ରଖି ସେମାନେ ପରସ୍ପର ସହିତ ମିଳିତ ହେବେ । ଆଜି ସନ୍ଧ୍ୟାକାଳର ମିଳନ ଯଥାର୍ଥରେ ଅତୁଳନୀୟ । ପୃଥିବୀର ବୃକ୍ଷଲତା ଓ ତାରାପୁଞ୍ଜ ସହିତ ଆଜି ପରି ସେମାନେ ଆଉ କେବେ ଏକାତ୍ମତା ଅନୁଭବ କରିନଥାନ୍ତେ,–ଅନାଦି ଅଯୋନି ପରମପୁରୁଷ ସହିତ କଦାପି ଏପରି ସମ୍ମିଳିତ ହୋଇଥିବାର ଅନୁଭବ କରିନଥାନ୍ତେ । ଦଉଡ଼ି ପଳାଉଥିବା କୌଣସି ପଶୁ ଚାଲିଗଲାବେଳେ ଯେମିତି ଶୁଭେ, ଡାଳପତ୍ରଗୁଡ଼ାକ ସେମିତି ମଡ଼ମଡ଼ ହୋଇ ଭାଙ୍ଗିଯିବାର ଶବ୍ଦ ମେରୀ ଶୁଣିପାରିଲା । ସେତେବେଳକୁ ଗାଲିଗାଇ ଉଠି ଚାଲିଗଲେଣି ।

ବୈଠକଖାନାରେ ସେ ପ୍ରବେଶ କରି ଦେଖିଲେ, ଗଲାବେଳେ ଆର୍‌ମଣ୍ଡ ଡୁବେର୍ନେଟ୍‌ ଯେଉଁଠି ଥିଲେ, ବର୍ତ୍ତମାନ ଠିକ୍‌ ସେହିଠାରେ ବସିଚନ୍ତି, ଖଣ୍ଡିଏ ଚୁରୁଟ୍‌ ଲଗାଇ ଟାଣୁଚନ୍ତି । ତାଙ୍କର ନାକ ଓ ମୁହଁ ଉପରୁ କୁଣ୍ଡଳାକାର ହୋଇ ଉଠୁଥିବା ଦୁର୍ଗନ୍ଧ ଧୂଆଁର ଆଚ୍ଛାଦନ ଭିତରେ ବସି ସେ କେଉଁ ବିଷୟରେ ଚିନ୍ତା କରୁଚନ୍ତି ?

ତାଙ୍କର କୁଞ୍ଚିତ ଓ ଶିଥିଳ ଆଖିପତା ଦୁଇଟି ଭାରି ନିଶ୍ଚଳ ଦେଖାଯାଉଥାଏ । ଠିକ୍‌ ଏହି ମୁହୂର୍ତ୍ତରେ ମାଡ଼ାମ୍‌ ଆଗାଥେଙ୍କୁ ଦେଖିବାକୁ ପଡ଼ିବ ନାହିଁ ବୋଲି ସେ ଭଲକରି ଜାଣିଥିଲେ । ସିଧା ତାଙ୍କର (ଆଗାଥେଙ୍କର) ଘରକୁ ଯିବାରେ ତାଙ୍କର ଖୁବ୍‌ ବେଶୀ ଆପତ୍ତି ଅଛିକି ? –ବୋଲି ମାଡ଼ାମ୍‌ ଆଗାଥେ ତାଙ୍କୁ ପଚାରିଲେ ।

ଆଗାଥେ ପ୍ରକୃତରେ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇପଡ଼ିଥିଲେ ।

‘‘ମେରୀକୁ ଦେଖିଲ ?’’

ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ ।

‘‘ଏକୁଟିଆ ?’’

କିଛି କହିବା ଲାଗି ଗାଲିଗାଇ କେତେ ସେକେଣ୍ଡ ଯାଏ କୁଣ୍ଠାବୋଧ କଲେ । ସେ ଯାହା ଦେଖି ଆସିଚନ୍ତି, ଯଦି ଠିକ୍‌ ଠିକ୍‌ ସେହିକଥା କହି ଦିଅନ୍ତି, ତାହାଦ୍ୱାରା ତ ତରୁଣୀ ଦୁହିଁଙ୍କର ବାହାଦୂରୀ ଜଣାପଡ଼ିଯିବ ।

ସେ ଉତ୍ତର ଦେଲେ,–‘‘ହଁ ଆଉ ନାହିଁ ।’’

ସେ ଆଉ କଥାରୁ ଶିରାକାଢ଼ି ପଚାରିବାକୁ ଇଚ୍ଛା କଲେ ନାହିଁ । ଏଥର କଥା କହିଲାବେଳକୁ ତାଙ୍କର କଣ୍ଠ ବେଶ୍‌ କ୍ଷୀଣ ହୋଇଯାଇଥିଲା ।

 

‘‘ମୋର ଅନୁମାନ ଯେ ଆମେ ଏପରି ଏକ ଅବସ୍ଥାରେ ଆସି ପହଞ୍ଚିଲୁଣି..…’’, କବାଟର କିଳିଣି ଉପରେ ହାତ ରଖୁ ରଖୁ ଆଗାଥେ ବୁଲିପଡ଼ି ତାଙ୍କ ଆଡ଼କୁ ଅନାଇଲେ ।

 

‘‘ମେରୀକୁ ତା’ର ଯାହା ଇଚ୍ଛା ତାହା କରିବା ଲାଗି ଛାଡ଼ିଦେବା କଥା ତୁମେ ଭାବୁନାହଁତ-?’’

 

ଆର୍‌ମାଣ୍ଡ କିଛି କହିଲେ ନାହିଁ । ଜଳିଆଙ୍କର ସମାଧି ଉପରେ ପଡ଼ିଥିବା କଞ୍ଚାମାଟି ଶୁଖିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାଟା ଅଧିକ ସୁନ୍ଦର ହେବ ନାହିଁକି ବୋଲି ଆଗାଥେ ତାଙ୍କୁ ପଚାରିବାକୁ ଯାଉଥିଲେ । ସେ ମୁଣ୍ଡ ହଲାଇଲେ ।

 

‘‘ହାୟ, ଅଭାଗିନୀ ଜୁଲିଆ, ପ୍ରିୟତମ ଜୁଲିଆ….ବର୍ତ୍ତମାନ ତାଙ୍କର କ’ଣ ଦଶା ହେବ ? ଅବସ୍ଥାରେ ସମ୍ମୁଖୀନ ଅବଶ୍ୟ ହେବାକୁ ପଡ଼ିବ, ସେକଥା ତ ତୁମେ ଜାଣିଚ । କାଲି ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଚାହାଣୀରେ ଡାକ୍ତର ସାଲୋନ୍‌ ମୋତେ କହୁଥିଲେ, ‘‘ଯେତେଶୀଘ୍ର ସେତେ ଭଲ ଶ୍ରୀଯୁକ୍ତ ଡୁବେର୍ନେଟ୍‌ ।’’

ଗୃହଧାତ୍ରୀ ଗାତ୍ରକୁଞ୍ଚନ କଲେ, ସତେଅବା ସେ କହିବାକୁ ଚାହୁଁଥିଲେ–’’ ଓଃ, ଆମେ ସମସ୍ତେ ଡାକ୍ତର ସାଲୋନ୍‌ଙ୍କ କଥା ଜାଣିଚୁ ! କିନ୍ତୁ ତାଙ୍କର ଉଦ୍ଦେଶ୍ୟରୁ ତାଙ୍କୁ ବହିଷ୍କୃତ କରିଦେବା ଉଚିତ ହେବ ନାହିଁ ।

‘‘ଡାକ୍ତର ସାଲୋନ୍‌ ବଡ଼ ବିଚାରକଶୀଳ ମେଜାଜ୍‌ର ଲୋକ–ଡୋର୍ଥେର ତାଙ୍କ ଭଳି ଖୁବ୍‌ କମ୍‌ ଲୋକ ଅଛନ୍ତି–ଅବଶ୍ୟ ସଂସାରରେ ଏହିପରି ଲୋକ ଯେ ବିକ୍ଷିପ୍ତ ହୋଇ ରହିଚନ୍ତି, ସେଥିରେ ସନ୍ଦେହ ନାହିଁ...ମନୁଷ୍ୟ ଜାତିଟା ପ୍ରତି ତୁମର ଭାରି ଅଶ୍ରଦ୍ଧା ରହିଚି, ଆଗାଥେ । କିନ୍ତୁ ଜାଣିଥାଅ, ଏପରି ସମୟ ଆସେ, ଯେତେବେଳେ ମନୁଷ୍ୟ ଉପରେ ଆସ୍ଥା ରଖିବାକୁହିଁ ପଡ଼େ ।’’

ନିଜକୁ ସଂବୃତ କି ରଖିବାର କୌଣସି ଚେଷ୍ଟା ନ କରି ସେ କହିଗଲେ, ଏଥିପୂର୍ବେ ଜୁଲିଆଙ୍କଠାରୁ କଥାର ଗୁଳି ଆସି ବାଜିଯିବବୋଲି ଆଶଙ୍କା କରି ସେ କେତେଥର ଏହିପରି ମନ୍ତବ୍ୟମାନ ଦେଇଥିଲେ । ‘‘ତୁମର ଶିକାର-କୋଟ୍‍ଟି ଧୋବାଘରେ ଦେଇଆସିବା କଥା ତୁମର ମନେପଡ଼ିଲା ନା ନାହିଁ ? –ସୁତୀକ୍ଷ୍‍ଣ କଣ୍ଠରେ ସେ ଏହି କଥାଗୁଡ଼ିକ ଯେପରି ଆଜି ମଧ୍ୟ ଶୁଣିପାରୁଥିଲେ । କିନ୍ତୁ ଜୁଲିଆଙ୍କର ବନ୍ଧୁକ ଆଜି ଚିରଦିନପାଇଁ ଅପସୃତ ହୋଇଯାଇଚି । ଆଜି ପୃଥିବୀର କୌଣସି ଶକ୍ତି ଆର୍‌ମଣ୍ଡ ଡୁବେର୍ନେଟ୍‌ଙ୍କୁ ତାଙ୍କ ନିଜର କଣ୍ଠର ସ୍ୱର ନିଜେ ଶୁଣିବାରୁ ନିବୃତ୍ତ କରିପାରିବ ନାହିଁ । କୁଣ୍ଠିତ ଭାବରେ ପୁଣି ସେ କହିଲେ :

‘‘ଯେତେଶୀଘ୍ର ସେତେ ଭଲ ଏଥିରେ ତୁମର ସମ୍ମତି ଅଛିତ ?’’

ଗାଲିଗାଇ ଘର ଭିତରକୁ ଫେରିଆସିଲେ: ‘ତାହାହେଲେ ମୁଁ ବୁଝିବି ଯେ ତୁମେ କୌଣସି ଏକ ବିବାହ ସମ୍ପର୍କରେ ବର୍ତ୍ତମାନ କହବାକୁ ଯାଉଚ ? ଡାକ୍ତର ସାଲୋନ୍‌ଙ୍କ ପୁଅ ବିଷୟରେ ତୁମେ ଆଦୌ କୌଣସି କଥା ଜାଣିକି ? ….ପ୍ରକୃତରେ ସେ କିପରି ଧରଣର ପିଲା, ସେ ସମ୍ବନ୍ଧରେ ତୁମର ଏତେଟିକିଏ ହେଲେ ଧାରଣା ଅଛିକି ?’’

‘‘ସେ ଯେପରି ପିଲା ହୋଇଥାଉ ପଛକେ, ମେରୀ ତାକୁ ଭଲପାଏ…ତା’ର ବୟସରେ ସବୁ ଯୁବକ ସେହି ଏକାପରି । ତେଣୁ ଜଣକୁ ଛାଡ଼ି ଆଉଜଣକୁ ବାଛିବାରେ କୌଣସି ଲାଭ ନାହିଁ-।’’

ଆପଣାର ସ୍ୱରକୁ କ୍ରମଶଃ ଧୀରକରି ଆସି ଆଗାଥେ ଫୁସ୍‌ଫୁସ୍‌ କରି କହିଲେ: ‘‘ସେ ବିଲ୍‌କୁଲ ଗୋଟାଏ ଅସତ ଚରିତ୍ର ପିଲା…ତା’ ବିଷୟରେ ଘଟଣାକ୍ରମେ ମୁଁ କେତେଗୁଡ଼ାଏ କଥା ଜାଣିବାକୁ ପାଇଚି ।’’

‘‘କିଭଳି କଥା ?’’ –ସେ ପଚାରିଲେ । ଗାଲିଗାଇ କାନ୍ଥକୁ ଆଉଜି ଠିଆ ହୋଇଥାନ୍ତି । ଅବଶ୍ୟମ୍ଭାବୀ ଘଟଣାଚକ୍ର ଉପରେ ପ୍ରଭାବ ବିସ୍ତାର କରିବାକୁ ତାଙ୍କର ଯେଉଁ କ୍ଷମତା ଥିଲା, ସେହି କ୍ଷମତା ଉପରୁ ତାଙ୍କର ସମସ୍ତ ବିଶ୍ୱାସ ତୁଟି ଯାଇଥାଏ । ତଥାପି ସେ ଆପଣାର ଇଚ୍ଛାବୃତ୍ତର ପ୍ରତିଫଳନ-ପ୍ରକ୍ରିୟା ପାଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ ।

‘‘ସେଗୁଡ଼ିକ ସହଜରେ କୁହାଯାଇପାରିବ ନାହିଁ–କିନ୍ତୁ ମୁଁ ଯେଉଁସବୁ କଥା କହିବାକୁ ଯାଉଚି –ଅଃ, ସେଗୁଡ଼ିକ ପ୍ରକୃତରେ ବଡ଼ ଘୃଣାକର କଥା,’’ ତାଙ୍କର ସ୍ୱରରେ ଘୃଣା ଅପେକ୍ଷା ଅଧିକ କ୍ଳାନ୍ତିର ଭାବ ପ୍ରକାଶ ପାଉଥିଲା ।

‘‘କେଉଁସବୁ କଥା ?’’ ଶ୍ରୀଯୁକ୍ତ ଡୁବେର୍ନେଟ୍‌ ପୁଣି ପଚାରିଲେ । ଆପଣାର କପାଳ ଉପରେ ଥରେ ହାତ ବୁଲାଇ ଆଣି ଶୁଷ୍କ ଭାବରେ ଆଗାଥେ କହିଲେ...’’ କିନ୍ତୁ ଯେତେ ଯାହା ହେଉ ପଛକେ, ମୋ’ ପାଖରେ କୌଣସି ପ୍ରମାଣ ନାହିଁ,’’ ଠିକ୍‌ ସେହି ମୁହୂର୍ତ୍ତରେ ସେ ତାଙ୍କର ଦୁଃଖର ସର୍ବୋଚ୍ଚ ଚୂଡ଼ାରେ ଯାଇ ପହଞ୍ଚିଲେ । ଧୂଆଁର ମେଘ-ପଟଳ ଭିତରେ ବସି ରହିଥିବା ବୃଦ୍ଧ ଆଦୌ ହଲଚଲ ହେଉନଥାନ୍ତି । ତାଙ୍କର ଚିଲାଆଖି ଦୁଇଟା ଶିଥିଳ ଓ ରେଖାଙ୍କିତ ଆଖିପତା ଭିତରେ ଚିକ୍‌ଚିକ କରୁଥାଏ ।

 

ତାଙ୍କର ଅଚଳ ଶରୀରରେ ବେଙ୍ଗର ଏକ ଚମତ୍କାର ସାମଞ୍ଜସ୍ୟ ପ୍ରତୀତ ହେଉଥାଏ । ସେମାନେ ଶୁଣିପାରିଲେ, ମେରୀ ଘର ଭିତରକୁ ଆସିବାପୂର୍ବରୁ ବାହାରେ କବାଟ ପାଖରେ ଟିକିଏ ଠିଆ ହେଲା । କବାଟଟାକୁ ସେ ଅଧା ମେଲା କଲା, ତା’ର ଧାତ୍ରୀଙ୍କୁ ଦେଖିଲା ଓ ପୁଣି ତତ୍‌କ୍ଷଣାତ୍‌ କବାଟ ବନ୍ଦ କରିଦେଲା । ତା’ର ଧୀର ପଦକ୍ଷେପଗୁଡ଼ିକ କ୍ରମେ ଅଶ୍ରାବ୍ୟ ହୋଇ ମିଳେଇ ଯିବାର ଗାଲିଗାଇ କାନଡେରି ଶୁଣୁଥିଲେ ।

 

‘‘ଏଠାରେ ଆଉ ମୁଁ କୌଣସି କାମରେ ଆସିବି ନାହିଁ’’ –ସେ କହିଲେ: ‘‘ମୁଁ ଏହି ସପ୍ତାହରେ ଏଠାରୁ ଚାଲିଯିବି ।’’

 

ଏ କଥା ଶୁଣି ବେଙ୍ଗର ବପୁଟି ଈଷତ୍‌ ଭାବ ଚଞ୍ଚଳ ହୋଇଉଠିଲା । ଆପଣାର ଛୋଟ ଗୋଡ଼ ଦୁଇଟି ଉପରେ ଭରା ଦେଇ ସେ ଉଠି ଠିଆ ହେଲେ ।

 

‘‘ତୁମେ ନିଶ୍ଚୟ ପାଗଳ ହୋଇଗଲଣି, ଆଗାଥେ !’’ –ସେ କହିଲେ ।

 

‘‘ତୁମେହିଁ ପାଗଳ ହୋଇଗଲଣି । ଯେଉଁ ପିଲାଟିର ଧାତ୍ରୀ ଭାବରେ ମୁଁ ଏଠାରେ ରହିଥିଲି, ସେ ତ ବିବାହ କରିବାକୁ ଯାଉଚି । ତେବେ ଏ ଘରେ ରହିବାପାଇଁ ମୋର ଆଉ କ’ଣ ଯୁକ୍ତିଯୁକ୍ତତା ରହିଲା ?’’

 

ପାଉଁଶଦାନୀ ଭିତରେ ଆର୍‌ମଣ୍ଡ ଚୁରୁଟ୍‌ଟାକୁ ପକାଇ ଦେଲେ ଏବଂ ମାଡ଼ାମ୍‌ ଆଗାଥେଙ୍କ ଆଡ଼କୁ ଅଗ୍ରସର ହେଲେ ।

 

‘‘ଆଜି ସନ୍ଧ୍ୟାରେ–ଅନ୍ତ୍ୟେଷ୍ଟିକ୍ରିୟାର ଏହି ସନ୍ଧ୍ୟାରେ–ମୋର ମନକଥା ଖୋଲି ତୁମକୁ କହିବାଲାଗି ମୋର ସୁଅବସର ନାହିଁ । ତଥାପି ମୁଁ ନିଶ୍ଚିତ ଭାବରେ ଅନୁଭବ କରୁଚି ଯେ ଜୁଲିଆ ଏହି ପ୍ରସ୍ତାବକୁ ଅବଶ୍ୟ ସମର୍ଥନ କରିବ...ବସ୍ତୁତଃ, ଜୁଲିଆ ତାହାହିଁ ଆଶା କରିଥିଲା….ମୋର କଥାର ଅର୍ଥ ତୁମେ ଅବଶ୍ୟ ଜାଣିସାରିବଣି । ବର୍ତ୍ତମାନ ତୁମକୁ ମୁଁ ଏତିକି ବୁଝାଇଦେବାକୁ ଚାହେଁ ଯେ ତୁମର ଜୀବନଯାପନ ପ୍ରଣାଳୀରେ କୌଣସି ପରିବର୍ତ୍ତନ ହେବ ନାହିଁ । ବର୍ତ୍ତମାନ ତୁମେ ଯେଉଁ ବଖରାରେ ରହୁଚ, ଇଚ୍ଛା କଲେ ସେହି ବଖରାରେ ମଧ୍ୟ ରହିପାରିବ ।’’

 

ଟିକିଏ ଦୂରକୁ ଚାଲିଯାଇ ସେ ପୁଣି କ୍ଷୀଣ କଣ୍ଠରେ କହିଲେ : ‘‘ତୁମଠାରୁ ମୁଁ କିଛି ଆଶା କରୁନାହିଁ । ତୁମର ସମ୍ମତି ନ ନେଇ ତୁମ ଉପରେ ମୁଁ ଅଙ୍ଗୁଳିସ୍ପର୍ଶ ମଧ୍ୟ କରିବି ନାହିଁ ବୋଲି ଶପଥ କରି କହୁଚି । ଠିକ୍‌ ତୁମର ବାପା ପରି ମୁଁ ତୁମ ସହିତ ବ୍ୟବହାର କରିବି । ଏହି ଅଭ୍ୟାସଟି ମୁଁ ଭଲକରି ଶିଖିଚି ।’’

 

ଆପଣାର କ୍ରନ୍ଦନକୁ ସେ ସଂବରଣ କରି ରଖିଲେ । ନିକୋଲାସ୍‌ ତାଙ୍କ ମୁହଁକୁ ଛେପ ପକାଇବା ଦିନର କ୍ରନ୍ଦନ ସହିତ ଏହାର ତୁଳନା କରାଯାଇପାରିବ–‘‘ତୁମର ବ୍ୟବହାରରେ ମୋ’ର ଘୃଣାଜାତ ହେଉଚି !’’ ତଥାପି ଆଗାଥେ ବିସ୍ମିତ ହୋଇ ଲକ୍ଷ୍ୟକଲେ ଯେ ତାଙ୍କର ଗୋଟାଏ ଅଂଶ ‘ନାହିଁ’ବୋଲି କହିପାରିଲା ନାହିଁ । ପ୍ରକୃତରେ କହିବାକୁ ଗଲେ ଏକ ପ୍ରକାର ସମ୍ମତିଜ୍ଞାପନ କରିସାରିଥିଲା । କିନ୍ତୁ ତଥାପି ସେ କଦାପି ସମ୍ପୂର୍ଣ୍ଣ ପରାଜୟ ସ୍ୱୀକାର କରିବାର ଜନ୍ତୁ ନୁହନ୍ତି । ତାଙ୍କ ଜୀବନରେ ଅନୁଦ୍‌ଘାଟିତ ଦୁର୍ଘଟଣାଟିକୁ ଡୋର୍ଥେର ଲୋକମାନେ ଏକ ବିଜୟରୂପେ ଦେଖିବାକୁ ପାଇବେ । ଏପରିକି ମେରୀ ଆଗରେ ମଧ୍ୟ ସେ ମୁଣ୍ଡଟେକି ବାଟ ଚାଲିପାରିବେ । କେବଳ ସେ ନିଜେ ଯୁଦ୍ଧକ୍ଷେତ୍ରରେ ଅଧିକାରିଣୀ ହୋଇ ରହିବେ । ଆପଣାର ସମ୍ମୁଖକୁ ଚାହିଁ ସେ ଅନାଗତ କେତେ କେତେ ବର୍ଷର ଚିତ୍ର ଦେଖିପାରିଲେ । ଯେଉଁ ବାଳିକା ଆଜି ତାଙ୍କୁ ଏପରି ଅପମାନଜନକ ଭାବରେ ବିଦ୍ରୁପ କରିଚି, ବଞ୍ଚିଥିବା ପର୍ଯ୍ୟନ୍ତ ତାହାରି ଭାଗ୍ୟ ଉପରେ ଏକ ପଥର ପରି ହୋଇ ରହିପାରିବେ ।

 

ଶ୍ରୀଯୁକ୍ତ ଡୁବେର୍ନେଟ୍‌ ବସି ବସି ମୁହୂର୍ତ୍ତ ଗଣୁଥିଲେ । ଇତିମଧ୍ୟରେ ପୂରା ଗୋଟାଏ ମିନିଟ ଗତ ହୋଇଗଲାଣି, ତଥାପି ଆଗାଥେ କୌଣସି ପ୍ରତିବାଦ କରିନାହାନ୍ତି ।

 

‘‘ବର୍ତ୍ତମାନ ଆମ ଭିତରେ ଯାହାସବୁ କଥାବାର୍ତ୍ତା ହେଲା, ତୁମେ ସେସବୁ ଭୁଲିଯାଅ, ଆଗାଥେ ! ତରବର ହେବାର କୌଣସି କାରଣ ନାହିଁ । ସବୁଠାରୁ ବଡ଼କଥା ହେଉଚି ଯେ ତୁମେ ସ୍ଥିର ହୋଇ ସବୁକଥା ଚିନ୍ତା କରିବ ଓ ମୁଁ ଯାହାସବୁ କହିଲି, ସେ ବିଷୟରେ ଏକ ସମୀଚୀନ ନିଷ୍ପତ୍ତିରେ ଉପନୀତ ହେବ । ବିବାହପୂର୍ବରୁ ଏହି କେତୋଟି ଦିନ ମେରୀ ତୁମକୁ ସବୁଠାରୁ ଅଧିକ ଆବଶ୍ୟକ କରିବ । ତୁମେ ତା’ର ଲୁଗାପଟା ବନ୍ଦୋବସ୍ତ କରିଦେବ, ତୁମେ ତା’ର ପରିଚାରିକା ହୋଇ ରହିବ । ତୁମ ବୟସରେ ଲୋକେ ସୁଖ କହିଲେ ସାଧାରଣତଃ ଯାହା ବୁଝନ୍ତି, ସୁଖ ପ୍ରକୃତରେ ତାହା ନୁହେଁ । ଅପର ଉପରେ ମୁଁ ଆଦୌ ନିର୍ଭର କରୁନାହିଁ–ଏହି ସତ୍ୟକୁ ହୃଦୟଙ୍ଗମ କରିବା ହେଉଚି ସୁଖ । ମୋ’ର ସମାଜରେ ମୁହିଁ ସର୍ବାଗ୍ର ସ୍ଥାନ ଅଧିକାର କରିଚି, ଏହି ବିଷୟରେ ନିଶ୍ଚିତ ରହିବା ହେଉଚି ସୁଖ । ସୁଖ...’’

 

ଆଗାଥେ କଥା ମଝିରେ ବାଧା ଦେଲେ ।

 

‘‘ମୋ’ ମୁଣ୍ଡରେ ମୁଁ କ’ଣ ସବୁ ଚିନ୍ତା କରୁଥିଲି । ତୁମର କଥା ମୁଁ ଆଦୌ ମନେ ରଖିପାରିଲି ନାହିଁ ।’’

 

ଆଗାଥେ ତାହାହେଲେ ଇତି ମଧ୍ୟରେ ଜୁଲିଆଙ୍କର ବନ୍ଧୁକଟିକୁ ଆପଣାକୁ ହାତରେ ଉଠାଇ ସାରିଲେଣି ।

 

ସେ ଗୃହହତ୍ୟା କରି ଗଲାପରେ ଆର୍‌ମାଣ୍ଡ ଆଲୁଅ ପାଖକୁ ଯାଇ ବସି ପଡ଼ିଲେ । ସେ ଭାବୁଥିଲେ: ଅଠାବନ ବର୍ଷ ବୟସରେ ପୁଅଟିଏ ପାଇବା ଲାଗି କ’ଣ ସେ ଅତି ବୁଢ଼ା ହୋଇଗଲେଣି ? ଡାକ୍ତର ସାଲୋନ୍‌ଙ୍କ ସହିତ ଏ ବିଷୟରେ ପରାମର୍ଶ କରିବାକୁ ପଡ଼ିବ । କିନ୍ତୁ ନା–ଜୀବନଠାରୁ ଏତେଗୁଡ଼ାଏ ଆଶା କରିବା ତାଙ୍କ ପକ୍ଷରେ ଆଦୌ ଉଚିତ ନୁହେଁ । ତାଙ୍କର ଆଉ କୌଣସିକାଳେ ପୁଅ ହେବାଟା ଆଦୌ ସମ୍ଭବ ନୁହେଁ । କିନ୍ତୁ ବର୍ତ୍ତମାନ, ଏଇ ମୁହୂର୍ତ୍ତରେ ତାଙ୍କପାଇଁ ଯେଉଁଟା ସବୁଠାରୁ ବଡ଼କଥା, ସେ ତାହା ଜାଣିଥିଲେ । ବେଲ୍‍ମନ୍ତର ଉତ୍ତରାଧିକାରିଣୀ ସହିତ ସେ ବିବାହ କରିବାକୁ ଯାଉଚନ୍ତି । ସେ ମାଡ଼ାମ୍‌ ଆଗାଥେଙ୍କର ସ୍ୱାମୀ ହେବେ, ଆଉ ବେଲ୍‍ମନ୍ତ ତାଙ୍କର ସମ୍ପତ୍ତି ହୋଇଯିବ ।

 

କୋଡ଼ିଏ

 

‘‘ହାୟରେ ବିଧାତା, ମୁଁ ତ ଶକ୍ତ ପ୍ରଲୋଭନରେ ପଡ଼ିଯାଇଥିଲି, କିନ୍ତୁ ମୋର ସୌଭାଗ୍ୟକୁ କଣ୍ଟା ଗିଳିବାଟା ବାକୀ ଥିଲା’’ –ଠିକ୍‌ ସେହିଦିନ ସନ୍ଧ୍ୟାରେ ମାଡ଼ାମ୍‌ ପ୍ଲାସାକ୍‌ ପୁଅ ଆଗରେ କହିଲେ । ତହିଁଆରଦିନ ସକାଳେ ନିକୋଲାସ୍‌ର ପାରିସ୍‌ ଯିବା କଥା । ଛାତରେ ଝୁଲୁଥିବା ଆଲୁଅଟି ତଳେ ବର୍ତ୍ତମାନ ସେ ବସିଥାଏ, ମାଆ ତାକୁ ରାତ୍ରିଭୋଜନ ପରିବେଷଣ କରିଦେଇଥାନ୍ତି । ମାଆ ଏ ଘଟଣାଗୁଡ଼ିକୁ ଏପରି ସହଜ ଭାବରେ ଗ୍ରହଣ କରିନେବେ ବୋଲି ସେ କଳ୍ପନା କରିନଥିଲା । ଅନ୍ତତଃ ସେହି କଥାଟା ତାକୁ କେତେକ ପରିମାଣରେ ସାନ୍ତ୍ୱନା ଦେଉଥିଲା ।

 

‘‘ମାଡ଼ାମ୍‌ ଆଗାଥେଙ୍କୁ ମୁଁ ଯେଉଁ ମୁହୂର୍ତ୍ତରେ ମୋ’ ରୋଷେଇଘରକୁ ପ୍ରବେଶ କରିବାର ଦେଖିଲି, ମୁଁ ଠିକ୍‌ ଅନୁମାନ କରିନେଲି ଯେ ଏଥର ସବୁ ଭୁଶୁଡ଼ି ପଡ଼ିବା ସୁନିଶ୍ଚିତ ହୋଇ ଆସିଲାଣି-। ତଥାପି ଯାହାହେଲା, ତାହା ଆମର ମଙ୍ଗଳପାଇଁ ହିଁ ହେଲା । ମୋର ଆଖି ଯେ ଏପରି ହଠାତ୍‌ ଖୋଲିଗଲା, ଏହାକୁ ତୁ ଗୋଟାଏ ଅଦ୍ଭୁତ ଘଟଣା ବୋଲି ମନେକରୁ ନାହୁଁକି ? ତା’ ସହିତ ମୋତେ ଏକତ୍ର ବାସ କରିବାକୁ ପଡ଼ିବ, ତା’ର ଅଧୀନରେ ରହିବାକୁ ପଡ଼ିବ, ଏ କଥା ଭାବିଲାବେଳକୁ ତ ମୋର ମଧ୍ୟ ଆତଙ୍କିତ ହେବାର ଉଚିତ ଥିଲା । ଆଉ ତୋ’ ପରି ଜଣେ କୋମଳ ଓ ସରଳ ପ୍ରକୃତିର ଜୀବନକୁ ଗିଳି ପକାଇବାକୁ ତାକୁ ଗୋଟାଏ ସପ୍ତାହ ମଧ୍ୟ ଲାଗି ନ ଥାନ୍ତା, ସେଥିରେ ଆଉ ସନ୍ଦେହ ଅଛିନା ? ଓଃ ତୋ’ର ଟିକିଏ ବଳବାନ୍‌ ହେବା ଉଚିତ ଥିଲା, ମୋର ଜାଣିବାରେ ଠିକ୍‌ କୌଣସି ବଳବାନ୍‌ ଲୋକ ପରି । ଏ ସଂସାରରେ ଏପରି କେତେକ ସ୍ତ୍ରୀଲୋକ ଅଛନ୍ତି, ଯେଉଁମାନଙ୍କୁ କି ଆଚ୍ଛାକରି ଗୋଟିଏ କଠିନ ଆଘାତ ଦେବାପାଇଁ ଜଣେ ପୁରୁଷର ପ୍ରୟୋଜନ ଥାଏ ।’’

 

‘‘ତାକୁ ମୁଁ ଗୋଟାଏ ଭଲକରି କଠିନ ଆଘାତ ଦେଇପାରିଚି !’’ ନିକୋଲାସ୍‌ କହିବାକୁ ଲାଗିଲା: ‘‘ତୁ ଯେତେ କଠିନ ବୋଲି କଳ୍ପନା କରିପାରିବୁ । ତା’ଠାରୁ ଅନେକ ଅଧିକ !’’ –କିନ୍ତୁ ମାଆ ଶୁଣିପାରିବା ଭଳି ବଡ଼ପାଟିରେ ସେ ଏତକ କହିଲା ନାହିଁ । ଆପଣାର ନାକ ଚାରିପାଖରେ ଥିବା ସଂସାରଟି ଛଡ଼ା ଆଉ ଅଧିକ ଦେଖିପାରିବାର କି ଶକ୍ତି ଏହି ବୁଢ଼ୀର ଅଛି ? (ତାହାର ଚଷମା ଏ ବିଷୟରେ ତାକୁ କୌଣସି ସାହାଯ୍ୟ କରିପାରୁନାହିଁ) ଏଇ ବୁଢ଼ୀ ହେଉଚି ତା’ର ମାଆ, ଆଉ ସେ ନିଜେ ଏ ବୁଢ଼ୀର ପୁଅ । ଯେଉଁମାନେ ଆପଣା ଜୀବନରେ ତାକୁ ପ୍ରଶସ୍ତ ସ୍ଥାନ ଦେଇଥିଲେ, ତା’ର ଜୀବନର ଶେଷ ରକ୍ଷାବନ୍ଧ ପାଖକୁ ଫେରି ଆସିବାକୁ ଯେଉଁମାନେ ତାକୁ ବାଧ୍ୟ କରୁନଥିଲେ, ସେହି କୋମଳ ହୃଦୟ ବ୍ୟକ୍ତିମାନଙ୍କ ପ୍ରତି ତା’ର ହୃଦୟରେ ଅନେକ କୋମଳତା ଓ ମଧୁରତା ଭରି ରହିଥିଲା ।

 

‘‘ସେ ବର୍ତ୍ତମାନ ଭାରି ସୁନ୍ଦର ଦେଖାଯାଉଚି, ସବୁବେଳେ ତାକୁ ଏହିପରି ସୁନ୍ଦର ଦେଖିବାହିଁ ମୋ’ର ଇଚ୍ଛା । ସେ ଯେତେବେଳେ ଗୀର୍ଜା ଭିତରୁ ବାହାରି କରି ଆସୁଥିଲା, ସେତେବେଳେ ଅତି ନିକଟକୁ ଯାଇ ତାକୁ ଦେଖିବା ଉଚିତ ନ ଥିଲା । ତା’ର ଆଖି ଦୁଇଟି ଦେଖିବାକୁ ମତେ ଭଲ ଲାଗିବା ଉଚିତ ଥିଲା ।’’

 

ନିକୋଲାସ୍‌ ଆଡ଼କୁ ମୁହଁକରି ସେ ବସିଲେ । ଖଣ୍ଡେ ଚିଜ୍‍ କାଟି ତା’ର ଥାଳିରେ ଦେଲେ-। ଖୁବ୍‌ ଶାନ୍ତ ଭାବରେ ନିକୋଲାସ୍‌ ଉତ୍ତର ଦେଲା ।

 

‘‘ତା’ର ଆଖି ଶୁଷ୍କ ହୋଇଯିବାକୁ ଆଉ ବେଶୀ ବିଳମ୍ବ ହେବ ନାହିଁ । ଅତି ଅଳ୍ପଦିନରେ ତ ସେ ମାଡ଼ାମ୍‌ ଆର୍‌ମଣ୍ଡ ଡୁବେର୍ନେଟ୍‌ରେ ପରିଣତ ହୋଇଯିବ !’’

 

‘‘ମାଡ଼ାମ୍‌ ଡୁବେର୍ନେଟ୍‍ ? ତା’ହେଲେ ପବନ ସେଇ ଆଡ଼କୁ ବୋହିବାକୁ ଆରମ୍ଭ କଲାଣି-? ହୁଏ ତ ତୋ’ କଥା ସତ ହୋଇପାରି–କିନ୍ତୁ କେଡ଼େ ଅଦ୍ଭୂତ କଥା ଏ !’’

 

ମାଡ଼ାମ୍‌ ପ୍ଲାସାକ୍‌ ପ୍ରକୃତରେ ବଡ଼ ଅବାକ୍‌ ହୋଇଗଲେ ।

 

‘‘ଯଦି ମାଡ଼ାମ୍‌ ଆଗାଥେ ସେ କଥା କରିପାରିବେ, ତେବେ ତାଙ୍କ ଭିତରେ ଭାରି ସାହସ ଅଛି ବୋଲି କହିବାକୁ ହେବ । କିନ୍ତୁ ଆମ ସହିତ ସେ କେଡ଼େ ନିକୃଷ୍ଟ ଖେଳଟାଏ ଖେଳିବେ ?’’

 

‘‘କେତେ ନିକୃଷ୍ଟ ଖେଳ ସେ ଖେଳିବେ ?’’ ଅତି କ୍ଳାନ୍ତ ଭାବରେ ସେ ପଚାରିଲା, ‘‘ମୋତେ ବିଶ୍ୱାସ କର, ତଦ୍ଦ୍ୱାରା ଆମର ମଙ୍ଗଳହିଁ ହେବ ।’’

 

ସମ୍ମୁଖରେ ଥିବା ଟେବୁଲ ଉପରେ ତା’ର ସ୍ୱଚ୍ଛ ହାତ ନିଶ୍ଚଳ ହୋଇ ପଡ଼ିଥାଏ । ହଁ, ସବୁ କେବଳ ମଙ୍ଗଳପାଇଁ । ଆଖିରେ ଗୋଟାଏ ଶୂନ୍ୟ ଦୃଷ୍ଟି ଭରି ଦେଇ ମାଡ଼ାମ୍‌ ପ୍ଲାସାକ୍ ଭାବୁଥିଲେ । ସେ କହିଲେ:

 

‘‘କିନ୍ତୁ ଯାହାହେଉ ପଛକେ, ସାଲୋନ୍‌ ଘରର ସେହି ପିଲାଟିର ପଛେ ପଛେ ଏଣିକି ଗୋଟିଏ ଶତ୍ରୁ ଲାଗିରହିବ, ଯଦି ସେ କୌଣସି ଚକ୍ରାନ୍ତ କରି ଦୁହିଁଙ୍କର ବିବାହକୁ ସ୍ଥଗିତ କରିଦେଇ ନ ପାରେ ।’’

 

ନିକୋଲାସ୍‌ ମୁଣ୍ଡ ହଲାଇଲା ।

 

‘‘ନାଁ, ବର୍ତ୍ତମାନ ବନ୍ଦ କରିବାପାଇଁ ଆଉ କାହାର ଶକ୍ତି ନାହିଁ…କିନ୍ତୁ ତା’ର ଜୀବନସାରା ସେ ଆନନ୍ଦର ସମସ୍ତ ସୁଖସୌଧକୁ ଭାଙ୍ଗିଦେବାକୁ ଚେଷ୍ଟା କରୁଥିବ ।’’

 

‘‘ସେ ସବୁଥିରେ ହାତ ପୂରାଇ ଆଉ ଚୁମୁଟା ଖାଇବା ଦରକାର ନାହିଁ ।’’

 

‘‘ସେ ବିଷୟରେ ତୁ ନିଶ୍ଚିନ୍ତ ହୋଇଯା’’ । ସେ ସବୁ ଗୋଳମାଳରେ ଆଉ ମୁଁ କଦାପି ପଶିବାକୁ ଯିବି ନାହିଁ ।

 

ଆପଣା ପକେଟ୍‌ ଭିତରେ ଥିବା ଚିଠିଟିକୁ ସେ ହାତମାରି ଦେଖିଲା । ସେ ଦିନ ଗିଲେସ୍ ସେହି ଚିଠିଟି ତାହାର ହାତରେ ଦେଇଥିଲା । ମେରୀ ତା’ପାଖକୁ ଆସିଥିବା ଚିଠିଟିକୁ ମୁଖସ୍ଥ କରି ପକାଇଥିବା ପରି ସେ କିନ୍ତୁ ଚିଠିଟି ମୁଖସ୍ଥ କରି ପାରି ନ ଥିଲା । ଗିଲେସ୍ ସେହି ଶେଷ ସନ୍ଧ୍ୟାଟି ନିକୋଲାସ୍ ସହିତ କଟାଇ ପାରିଲା ନାହିଁ ବୋଲି କ୍ଷମା ପ୍ରାର୍ଥନା କରିଥିଲା । ଆଉ ଅଳ୍ପଦିନ ପରେ ତ ପାରିସ୍‍ରେ ଦେଖାହେବ ? ସେଠି ଛାଡ଼ି ଆସିଥିବା କେତେକ ଲୁଗାପଟା ଓ ବହିପତ୍ର ଆଣିବା ଲାଗି ଗିଲେସ୍‍କୁ ପାରିସ୍‍ ଯିବାକୁ ପଡ଼ିବ । ତା’ପରେ ସଙ୍ଗେ ସଙ୍ଗେ ସେ ପୁଣି ଡୋର୍ଥେକୁ ଫେରିଆସିବ । ଜାନୁଆରୀ ମାସରେ ବିବାହ ହେବାର ସ୍ଥିର ହୋଇସାରିଚି । ମେରୀ ଆଉ ସେ ବାଲୁଜ୍‍ରେ ରହିବାକୁ ସ୍ଥିର କରିଚନ୍ତି ।

 

ଧୀର ସ୍ୱରରେ ନିକୋଲାସ୍ କହିଲା: ‘‘ମଣିଷ ଆଉ ପତଙ୍ଗଙ୍କ ମଧ୍ୟରେ ବେଶୀକିଛି ପ୍ରଭେଦ ନାହିଁ ।’’

‘‘ତାହାର ଅର୍ଥ ?’’

‘‘ଗିଲେସ୍ ଆଉ ମୁଁ ଦୁହେଁଯାକ ଖୋସାଭିତରୁ ବାହାରିଚୁ ।’’

‘‘ତୁ ସବୁବେଳେ ଏହିପରି ନିରର୍ଥକ କଥାଗୁଡ଼ାକ କହୁ ।’’

 

ନିକୋଲାସ୍ ଉଠି ଠିଆହେଲା । ଅନ୍ଧାରରେ ଏକୁଟିଆ ଟିକିଏ ବୁଲି ବାହାରିବା ତା’ର ମନ ହେଉଥାଏ । ମାଆକୁ ସେ ଚାବିଟା ମାଗିଲା ।

 

‘‘କାଲି ତୁ ଅନୁକୂଳ କରି ଯିବୁ, ଆଜି ରାତିରେ ସେହି ସାଲୋନ୍ ଟୋକା ତୋତେ ମୋ’ଠାରୁ ଅପହରଣ କରି ନେଇଯିବ ?’’

 

‘‘ନାଁ ସେପରି କିଛି ନୁହେଁ,’’ –ସେ ଶୁଷ୍କ ଭାବରେ ଉତ୍ତର ଦେଲା: ‘‘ଗିଲେସ୍ ଆଜି ସନ୍ଧ୍ୟାରେ ତା’ର ବାଳିକା ସାଙ୍ଗରେ ଥିବ । ମୁଁ ଖାଲି ଟିକିଏ ଖୋଲା ପବନରେ ବୁଲି ଆସିବି ବୋଲି ଯାଉଚି ।’’

 

ଯଦି କେବଳ ସେଇଥି ସକାଶେ ବାହାରକୁ ଯାଉଚୁ, ତେବେ ତ ମାଆ ସେ ଫେରି ଆସିବା ଯାଏ ଅପେକ୍ଷା କରିପାରିବ । ସବୁଦିନେ ତ ସେ ସେମିତି ଅପେକ୍ଷା କରିଥାଏ ।

 

କିନ୍ତୁ ସେହିପରି ଶୁଷ୍କଭାବରେ ସେ ଜିଦ୍‍ଧରି କହିଲା:

 

‘‘ମୋତେ ଚାବିଟା ଦିଅ ।’’ –ହାତରେ ଇଙ୍ଗିତ କରି ବୃଦ୍ଧା ମନା କରିବାକୁ ଚେଷ୍ଟା କଲେ, ଦାନ୍ତର ଅଗ୍ରଭାଗରେ ହସିବାକୁ ଲାଗିଲେ । ନିକୋଲାସ୍ ଜାଣିଲା ଯେ ମାଆ ଚାବି ନ ଦେବାକୁ ମନସ୍ଥ କରିଚନ୍ତି । ଟେବୁଲ ଚାରିପାଖରେ ଥରେ ବୁଲିଆସି ସେହିପରି ଥିର ସ୍ୱରରେ ସେ କହିଲା: ‘‘ଦିଅ, ଚାବିଟା ଦିଅ, ଶୀଘ୍ର ।’’

 

ବୃଦ୍ଧା ହୋଇ ଅତି ବିସ୍ମୟର ସହିତ ଚେଙ୍ଗା ହୋଇଯାଇ ଚେୟାର ଉପରକୁ ଆଉଜିପଡ଼ି ଠିଆ ହେଲେ ।

 

‘‘ତୋର କ’ଣ ହେଲାଣି,’’ –ସେ କହିଲେ, ‘‘ଏପରି ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ଏ ଚାବି ମୋ’ର...’’

 

‘‘ତୁମର ? –ମାଆ, ତୁମେ ବୋଧହୁଏ ଭୁଲିଯାଉଚ ଯେ ଏଇଟା ମୋର ଘର... ।’’

ଏକଥା ଶୁଣି ସେ ବସିପଡ଼ିଲେ । ତଳୁ ଉପର ଯାଏ ପୁଅ ଆଡ଼କୁ ଅନାଇବାକୁ ଲାଗିଲେ-:

‘‘ଏଁ–ଏଁ,’’ ସେ କହିଲେ । ପୁଣି କହିଲେ: ‘‘ଏ–ଏ–’’ ‘‘ମୋତେ ଠିଆକରି ରଖନାହିଁ ।’’

‘‘ଚାବିଟା ମୁଁ କେଉଁଠି ରଖିଲି କେଜାଣି ?’’ –ସେ କହିଲେ ।

‘‘ତୁମ ଆପ୍ରନର ପକେଟରେ ।’’

 

ମୁହୂର୍ତ୍ତକପାଇଁ ତାଙ୍କର ପାଟିରୁ କୌଣସି କଥା ବାହାରିଲା ନାହିଁ । ଅଳ୍ପ ଅଳ୍ପ ଥରୁଥିବା ହାତରେ ଚାବିଟା ସେ ହାତକୁ ବଢ଼ାଇ ଦେଲେ । ଝାମ୍ପିନେଲା ପରି ସେ ତାଙ୍କ ହାତରୁ ଚାବିଟା ନେଇଗଲା । ବାଟଘର ପର୍ଯ୍ୟନ୍ତ ସେ ତା’ର ପଛେ ପଛେ ଗଲେ ।

 

‘‘ତୋ’ର ବୁଢ଼ୀମାଆକୁ ତେବେ ଗୋଟିଏ ଚୁମ୍ୱନ ଦେଇଯାଅ । ତୋତେ ତ ଅଠେଇଶି ପୂରିଲାଣି–ତୋତେ ଏଥର ଗୋଟାଏ ବୟସ୍କ ପୁରୁଷ ବୋଲି କୁହାଯାଇପାରେ ।’’

 

କାଷ୍ଟଲନ୍‍ ରାସ୍ତାଟି ମଧ୍ୟ ଛାୟାପଥରେ ଏକ ସମ୍ପ୍ରସାରଣ ପରି ଦିଶୁଥିଲା । ଆପଣାର ନିଃସଙ୍ଗ ପଦକ୍ଷେପଗୁଡ଼ିକର ଶବ୍ଦକୁ ସେ କାନଡେରି ଶୁଣିବାକୁ ଲାଗିଲା । ଗିଲେସ୍ ତା’ର ସାଙ୍ଗରେ ଥାଆନ୍ତା ଏପରି କୌଣସି ବାସନା ତା’ର ମନରେ ଉଦୟ ହେଲା ନାହିଁ । ସେହିପରି ନିର୍ଜନ ଓ ନିଃସଙ୍ଗ ଭାବରେ ସେ ଚାଲିବାକୁ ଲାଗିଲା । ସତେଅବା କୌଣସି ଦୁଃଖୋଦ୍ଦୀପକ କ୍ଷୁଧାରେ ପଡ଼ିଯାଇଥିଲା, ସେହି କ୍ଷୁଧାର ଉପଶମ କରିବା ଲାଗି ପୃଥିବୀରେ କୌଣସି ରାଜ୍ୟର ସାମର୍ଥ ନ ଥିଲା । କେବଳ ଏକ କୋମଳତାହିଁ ତା’ର ଏକମାତ୍ର ଯାତ୍ରା ସହଚର ଥିଲା, ସେହି କୋମଳତା ଉପରେ କୌଣସି ଚକ୍ଷୁର ଦୃଷ୍ଟି ପଡ଼ୁନଥିଲା, ଅନ୍ୟମନସ୍କ ତାରାପୁଞ୍ଜ ତଳେ ସେହି କୋମଳତା ଏକ ସମୁଦ୍ର ପରି ପ୍ରସାରିତ ହୋଇ ରହିଥିଲା । ଗୋଟାଏ ଜାଗାରେ ଲୋକମାନେ ପାଇନ୍ ଗଛଗୁଡ଼ିକୁ କାଟି ନେଇଥିଲେ, ସେହିଠାରେ ଟିକିଏ ଅଧିକ ଆକାଶ ଦୃଷ୍ଟିଗୋଚର ହେଉଥିଲା, ସେହିଠାରେ ଠିଆହୋଇ ନିକୋଲାସ୍ ଅନାଇଲା । ସହରର ଛାତ ଉପରକୁ ବାହାରି ପଡ଼ିଥିବା ଗୀର୍ଜାଟିର କଳା ଆକାରଟାକୁ ସେ ସେହିଠାରୁ ବେଶ୍ ଦେଖିବାକୁ ପାଇଲା । ମନୁଷ୍ୟ-ପତଙ୍ଗମାନେ ଅନ୍ତତଃ ଏହି ଜାହାଜଟିକୁ ଉଚ୍ଚ କରି ତିଆରି କହିଥିଲେ, –ଯେଉଁ ପ୍ରେମ ସେମାନଙ୍କ ଭିତରୁ ଅନେକଙ୍କୁ ତଣ୍ଟିରୁ କାମୁଡ଼ି ଧରିଥିଲା । ସେହି ପ୍ରେମର ପରିମାପରେ ସେମାନେ ଏହାକୁ ତିଆରି କରିଥିଲେ । ପୁନରାୟ ସେ ଆଗକୁ ଚାଲିବାକୁ ଲାଗିଲା ଓ ଯେଉଁଠାରେ ରାସ୍ତାଟି ନଦୀକୁ ଅତିକ୍ରମ କରିଯାଇଚି, ସେହିଠାରେ ଯାଇ ପହଞ୍ଚିଲା । ପୋଲର ବାଡ଼ା ଉପରେ ଯାଇ ସେ ବସିଲା-ଆପଣା ନିକଟରେ ସେ ଆପଣାକୁ ଏକ ଅପରିଚିତ ଅତିଥି ପରି ଭାବୁଥାଏ, ତା’ର ସମସ୍ତ ସୁହୃତ୍ ସହଚରଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଥିବା ପରି ସେ ସେହି ପୋଲ ଉପରେ ବସିଥାଏ । ସତେ ଯେପରି କେଉଁ ପରମ ସହଚର ସହିତ ସମ୍ମିଳିତ ହେବାକୁ ପ୍ରତିଶ୍ରୁତି ଦେଇ ସେ ଏହି ସ୍ଥାନକୁ ଆସିଥିଲା ।

 

ପୁନଶ୍ଚ

 

ବର୍ତ୍ତମାନ ‘‘ଗାଲିଗାଇ’’ ପ୍ରକାଶିତ ହେବାକୁ ଗଲାବେଳେ ମୋ’ ମନରେ କିଞ୍ଚିତ୍‍ ଉଦବେଗ୍ ଜାତ ହେଉଚି । ତିରିଶି ବର୍ଷପୂର୍ବେ, ମୋ’ର କୌଣସି ରଚନା ପ୍ରକାଶିତ ହେଲାବେଳେ ମୋ’ ମନରେ ଠିକ୍ ଏହିପରି ଉଦବେଗ ଜାତ ହେଉଥିଲା । ମୋ’ପରି ମୋର ପାଠକମାନଙ୍କ ଭିତରୁ ଯେଉଁମାନଙ୍କର ଜୀବନରେ ଏକ ଧର୍ମପ୍ରଧାନ ଦୃଷ୍ଟିକୋଣ ରହିଚି, ସେମାନଙ୍କର ମନରେ ମୁଁ କୌଣସି ଭୟ ବା ସଂଶୟ ଜାତ କରାଉଥିବିବୋଲି ମୋର ସେତେ ଚିନ୍ତା ନାହିଁ । କାରଣ ଏସବୁ କ୍ଷେତ୍ରରେ ଯେଉଁସବୁ ଭୁଲ ବୁଝିବା ଉପୁଜିବାର ଆଶଙ୍କା ରହିଚି, ଗୋଟିଏ ଉପନ୍ୟାସ ପ୍ରକାଶ ପାଇବା ବ୍ୟତୀତ ଅନ୍ୟାନ୍ୟ ଭିନ୍ନ ପରିସ୍ଥିତିରେ ମଧ୍ୟ ସେସବୁ ବେଶ୍ ଉପୁଜିପାରେ । ଏଠାରେ ଗୋଟିଏ ଦୃଷ୍ଟାନ୍ତ ଦିଆଯାଇପାରେ । କୌଣସି ଏକ ଧର୍ମ ସମ୍ପ୍ରଦାୟର ଜଣେ ସଦସ୍ୟ ମୋ’ ପାଖକୁ ଲେଖିଥିଲେ ଯେ LA Table Rounde ପୁସ୍ତକଟି ତାଙ୍କୁ ବଡ଼ ନିରାଶ କରି ପକାଇଚି । ପୁସ୍ତକଟିକୁ ସମ୍ପାଦନା କରିଥିବା ବ୍ୟକ୍ତିମାନଙ୍କର ନାମ ତାଲିକାରେ ପ୍ରଥରେ ପ୍ରଥମେହିଁ ମୋର ନାମଟି ଥିଲା ଖାସ୍ ସେଇଥିପାଇଁ କୁଆଡ଼େ ପତ୍ରିକାଟି ପଢ଼ିବାକୁ ଆଣିଲେ, ତାଙ୍କର ତତ୍ତ୍ୱାବଧାନରେ ଥିବା ଅନ୍ୟାନ୍ୟ ଯୁବକମାନଙ୍କୁ ସେ ସେହି ପତ୍ରିକାଟି ପଢ଼ିବାକୁ ସୁପାରିଶ୍ କରିବେ ବୋଲି ଭାବିଥିଲେ । ଏପରି ଏକ ଅନାବଶ୍ୟକ ପୁସ୍ତକର ପ୍ରଣୟନପାଇଁ ଯେ ମୁଁ ଏତେ ସମୟ ଦେଇଚି, ପୁସ୍ତକଟି ପଢ଼ିବାରେ ସେହି ପାଦ୍ରୀମହାଶୟ ସେଥିଲାଗି ଭାରି ବିସ୍ମିତ ହୋଇଚନ୍ତି । ଯେଉଁ ଭୁଲ ବୁଝିବା ବିଷୟରେ ମୁଁ ଉପରେ ଉଲ୍ଲେଖ କରିଚି, ଏହି ଘଟଣାଟି ତାହାରି ହେଉଚି ଗୋଟିଏ ଚମତ୍କାର ଉଦାହରଣ । କୌଣସି ଏକ ଧର୍ମସମ୍ପ୍ରଦାୟର ସଦସ୍ୟ ବା ଏପରିକି ଜଣେ ସାଧାରଣ ବ୍ୟକ୍ତି (ଯଦି ସେ ଯଥେଷ୍ଟ ଆଗ୍ରହୀ ହୋଇଥାନ୍ତି) ଭାବନ୍ତି ଯେ ଲେଖିବାର ଅର୍ଥ ହେଉଛି ସେବା କରିବା । ଆପଣାର ସମସ୍ତ ଦକ୍ଷତା ପ୍ରୟୋଗ କରି ଜୀବନର ଚିତ୍ରଣ ବିଷୟବସ୍ତୁକୁ ଯଥାସମ୍ଭବ ପ୍ରକାଶ ସମ୍ପନ୍ନ କରି ଉପସ୍ଥାପିତ କରିବା ବ୍ୟତୀତ କଳାକାର ଆଉ କୌଣସି ବିଷୟରେ ଚିନ୍ତା କରିବା ଉଚିତ ନୁହେଁ,-ଧର୍ମ ପ୍ରଚାର କରିବାକୁ ଆପଣାର ବ୍ରତବୋଲି ଗ୍ରହଣ କରିଥିବା କୌଣସି ବ୍ୟକ୍ତି ପକ୍ଷରେ ଏହା ବୁଝିବା ଅତି ଦୁରୁହ ବ୍ୟାପାର ବୋଲି କହିବାକୁ ହେବ ।

 

ସାହିତ୍ୟିକ ସୃଷ୍ଟିରେ ଅନ୍ତର୍ନିହିତ ସମସ୍ୟାଗୁଡ଼ିକ ବିଷୟରେ ଗଭୀର ଭାବରେ ବିଚାର କରୁଥିବା ବ୍ୟକ୍ତି ଯେ ଧର୍ମ ସମ୍ପ୍ରଦାୟମାନଙ୍କରେ ଅଛନ୍ତି, ଏକଥା କହିବା ବାହୁଲ୍ୟ ମାତ୍ର । କିଛି ପ୍ରମାଣ କରି ଦେଖାଇ ଦେବାର ପ୍ରବୃତ୍ତି ପ୍ରତି ଉପନ୍ୟାସକାରକୁ ଯେ ସତର୍କ ରହିବାକୁ ପଡ଼ିବ, ସେମାନେ ତାହା ଅବଶ୍ୟ ସ୍ୱୀକାର କରିବେ । ସେମାନେ ହୃଦୟଙ୍ଗମ କରୁଥିବେ ଯେ ମାନବ-ଜୀବନ ଓ ମାନବ-ଚରିତ୍ର ବିଷୟରେ ଆପଣାର ନିଜସ୍ୱ ଦୃଷ୍ଟିଟିକୁ ସ୍ପଷ୍ଟକରି କହିଦେବା ହେଉଚି ଉପନ୍ୟାସକାରର କର୍ତ୍ତବ୍ୟ । ଖ୍ରୀଷ୍ଟିୟାନ ଧର୍ମାବଲମ୍ୱୀ ଜଣେ ଉପନ୍ୟାସକାର ତା’ର ପୁସ୍ତକରେ ଯେଉଁ ଜଗତର ଚିତ୍ରଣ କରୁଚି; ସେଥିରୁ ଯଦି ସମସ୍ତ ଭଗବତ୍ କରୁଣା କ୍ଷୟ ହୋଇଯାଇଥାଏ, ଯଦି ସେହି ଜଗତରୁ ଈଶ୍ୱର ଅନୁପସ୍ଥିତି ରହିଯିବା ପରି ପ୍ରତୀତ ହୁଅନ୍ତି, ତେବେ ସେହି ପୁସ୍ତକାକୁ ତା’ର ଲେଖକ ବିରୁଦ୍ଧରେ ଏକ ପ୍ରମାଣ ପରି ବ୍ୟବହାର କରାଯିବ ଉଚିତବୋଲି ମତପ୍ରକାଶ କରିବାର ସମ୍ପୂର୍ଣ୍ଣ ଅଧିକାର ଯେ କୌଣସି କର୍ତ୍ତବ୍ୟାନୁରକ୍ତ ସମାଲୋଚକର ଅବଶ୍ୟ ରହିଚି ।

 

ମୋର ରଚନାଗୁଡ଼ିକର ଏକ ସଂଗୃହୀତ ସଂସ୍କରଣପାଇଁ ପ୍ରୁଫ୍ ସଂଶୋଧନ କଲାବେଳେ ମୋତେ ତୋର ରଚିତ ସମସ୍ତ ପୁସ୍ତକଗୁଡ଼ିକୁ ପୁନରାୟ ପଢ଼ିବାକୁ ପଡ଼ିଲା । ସେଥିରୁ ମୁଁ ଜାଣିପାରିଚି ଯେ ମୋର ପୁସ୍ତକମାନଙ୍କରେ ଅନେକ ସମୟରେ ଏହି ଭଗବତ୍ କରୁଣା ପ୍ରକଟ ହୋଇପାରିଚି, ତଥାପି ମୋର ବୟସ ଅଧିକ ହେବା ସଙ୍ଗେ ସଙ୍ଗେ ଏହି ପ୍ରକଟ କରିବାର ପ୍ରବୃତ୍ତି କ୍ରମେ କମି କମି ଯାଇଚି । (Le Sagouin) ପୁସ୍ତକରେ କେବଳ ଶେଷ କୋତୋଟି ପୃଷ୍ଠାରେ ଏହା ଦେଖିବାକୁ ମିଳେ ଏବଂ ‘ଗାଲିଗାଇ’ରେ ପୁସ୍ତକର ସର୍ବଶେଷ ବାକ୍ୟଟିର ପୂର୍ବରୁ ପାଠକକୁ ଏ ବିଷୟରେ କିଛି କୁହାଯାଇ ନାହିଁ । ପୁସ୍ତକର ପ୍ରାୟ ଶେଷ ଶବ୍ଦଟିରେ ଉପନ୍ୟାସର ଗୋଟିଏ ଚରିତ୍ର ଭଗବାନଙ୍କର ଉଦ୍ଦେଶ୍ୟରେ ଅଗ୍ରସର ହେଉଚି ବୋଲି ସୂଚିତ କରାଯାଇଚି ।

 

ତଥାପି, ରାସ୍ତାଟି ଲେରୋଟ୍ ନଦୀକୁ ଅତିକ୍ରମ କରିଯାଇଥିବା ସ୍ଥାନଟିରେ ନିକୋଲାସ୍ ପ୍ଲାସାକ୍‍ପାଇଁ ଅପେକ୍ଷା କରି ରହିଥିବା ‘କେଉଁ ପରମ ସହଚର’ ହେଉଚନ୍ତି ଭଗବାନ । କିନ୍ତୁ ଏହି ସାକ୍ଷାତ୍‍କାର ସମ୍ଭବ ହେବାପୂର୍ବରୁ ଗିଲେସ୍ ସାଲୋନ୍‍ରୂପୀ ପିତୁଳାକୁ ମୋତେ ଭାଙ୍ଗି ଦେବାକୁ ପଡ଼ିଚି । ନିକୋଲାସ୍ ସମସ୍ତ ପ୍ରକାର ନାମରୂପରୁ ନିର୍ଲିପ୍ତ ହୋଇ ରହିବା ଓ ଆପଣା ବିଷୟରେ ସେ ପୋଷଣ କରିଥିବା ଭ୍ରାନ୍ତ ପ୍ରତିମୂର୍ତ୍ତିଠାରୁ ମଧ୍ୟ ଆପଣାକୁ ବିଚ୍ଛିନ୍ନ କରିଦେବା ଅତ୍ୟାବଶ୍ୟକ ଥିଲା । ଦେହର କାମନାରୁ ଯେ ଅତୀବ ନିଦାରୁଣ ଦୁଃଖର ଉତ୍ପତ୍ତି ହୁଏ, ନିଷ୍ଠୁରତାର ଆଚରଣ କରିବାରେ ଅନ୍ୟାନ୍ୟ ଲୋକମାନଙ୍କ ଅପେକ୍ଷା ତା’ର ଯେ ଆଦୌ କମ୍ କ୍ଷମତା ନାହିଁ, ଭଗବାନଙ୍କ ବ୍ୟତୀତ ଯେ ଅନ୍ୟକାହାରିକୁ ସେ ପ୍ରକୃତରେ ଭଲ ପାଇପାରି ନାହିଁ, ଗାଲିଗାଇ ନିକୋଲାସ୍‍କୁ ଏହି ସତ୍ୟର ଉପଲବ୍ଧି କରାଇ ଦେଇଚି ।

 

‘ଗାଲିଗାଇ’କୁ ମୁଁ ‘କାମନା ଓ ଘୃଣା’ବୋଲି ଅଭିହିତ କରିପାରିଥାନ୍ତି । ନାରୀ ଓ ପୁରୁଷ ମଧ୍ୟରେ ଯେଉଁ ଘୃଣାଭାବ ରହିଚି, ସେହି ଘୃଣାର ଗୋଟିଏ ଦିଗକୁ ଅଧ୍ୟୟନ କରିବା ଲାଗି ଏହି ପୁସ୍ତକର ବିଷୟବସ୍ତୁ ଗ୍ରହଣ କରାଯାଇଚି । ଏହି ଦିଗଟିର ଅଧ୍ୟୟନ କରିବାଲାଗି ଏହି ପୁସ୍ତକର ବିଷୟବସ୍ତୁ ଗ୍ରହଣ କରାଯାଇଚି । ଏହି ଦିଗଟିର ଅଧ୍ୟୟନ କରିବାଲାଗି ଏହି ପୁସ୍ତକର ବିଷୟବସ୍ତୁ ଗ୍ରହଣ କରାଯାଇଚି । ଏହି ଦିଗଟିର ଅଧ୍ୟୟନ ଅନ୍ୟତ୍ର କ୍ୱଚିତ୍ ହୋଇଛି । କାରଣ ପ୍ରଥମତଃ ଏହା ଏପରି ଗୋଟିଏ ବିଷୟ ଯାହା ବିଷୟରେ ଆଲେଚନା କରିବାକୁ ଆମର ମନ ହୁଏ ନାହିଁ । ଦ୍ୱିତୀୟତଃ ମଣିଷ ଯେତେଦିନ ଯାଏ ପ୍ରେମର ଅଭାବ ଅନୁଭବ କରୁଥିବ, ସେତେଦିନ ଯାଏ ପାରସ୍ପରିକ ପ୍ରେମର ଛବି ଓ ଚିତ୍ରଣ ସବୁବେଳେ ମଣିଷକୁ ଅଧିକ ଭଲ ଲାଗୁଥିବ । ‘ଗାଲିଗାଇ’ରେ ପାଠକମାନଙ୍କୁ ଅବଶ୍ୟ ସେଥିରୁ ମୁଁ ବଞ୍ଚିତ କରିନାହିଁ । ଅନ୍ୟାନ୍ୟ ଅନେକ କଥାଥିଲେ ମଧ୍ୟ ପୁସ୍ତକଟିକୁ ଏକ ଯୁଗଳ ପ୍ରେମିକ ପ୍ରେମିକାଙ୍କର କାହାଣୀବୋଲି କହୁବାକୁ ହେବ । କିନ୍ତୁ ପୁସ୍ତକଟିର ଅସଲ ବିଷୟବସ୍ତୁକୁ ଅଧିକ ସ୍ପଷ୍ଟକରି ଦେଖାଇ ଦେବାପାଇଁ ଏକ ‘ସଚଳା’ ନାରୀର କବଳରେ ପଡ଼ିଥିବା ଜଣେ ଯୁବକର ଘୃଣା ଓ ବିରକ୍ତିର ଚିତ୍ରଣ ମଧ୍ୟ ପୁସ୍ତକଟିରେ କରାଯାଇଚି । ପ୍ରେମକ୍ଷେତ୍ରରେ ମଧ୍ୟ କେବଳ ସଂକଳ୍ପ ଓ ଦୁର୍ଦ୍ଦର୍ଷ ଇଚ୍ଛାଶକ୍ତିର ପରାକ୍ରମ ଦେଖାଇ ଯେ ବିଜୟୀନୀ ହେବା ସମ୍ଭବ, ଏପରି ଏକ ଦୃଢ଼ ବିଶ୍ୱାସ ସେହି ‘ସବଳା’ର ଥିଲା । ପ୍ରକୃତିଗତ ଭାବରେ କୌଣସି ପାପ ପ୍ରତି ଆକାଙ୍‍କ୍ଷିତ ନ ଥିବା ଜଣେ ଯୁବକ ତା’ର ଜଣେ ଆବାଲ୍ୟ ସହଚରର ପ୍ରେରଣାରେ ଉତ୍ପନ୍ନ ହୋଇଥିବା କେବଳ ଏକ ବନ୍ଧୁତାର ଅନୁଭୂତିରେ, ବା ବନ୍ଧୁତା ଓ ପ୍ରେମର ମଧ୍ୟବର୍ତ୍ତୀ ଏକ ଭାବାନୁଭୂତିରେ–ଏପରି ସନ୍ତୁଷ୍ଟ ହୋଇ ରହିପାରିବ ଯେ ତାହାର ଭଗବତ୍-ଅନୁରକ୍ତିର ସମସ୍ତ ଆବଶ୍ୟକତାକୁ ତାହା ପୂରଣ କରିଦେଇପାରିବ, ହୁଏତ ଏପରି ଏକ ସତ୍ୟକୁ ଗ୍ରହଣ କରିବା ଗାଲିଗାଇ’ର ପାଠକମାନଙ୍କ ପକ୍ଷରେ କଷ୍ଟକର ହୋଇପାରେ । ଆରିସିଆକୁ ବାଦ୍ ଦେଇ ଚିତ୍ରଣ କରାଯାଇଥିବା ଏହି ହିପୋଲିଟସ୍ ବିଷୟରେ ସେ ହୁଏତ ସବୁପ୍ରକାର ଅଧୋଗତ ଅବସ୍ଥା ଅନୁମାନ କରିନେବାକୁ ଇଚ୍ଛା କରିବ । (ରାସିନ୍‍ଙ୍କର ବିୟୋଗାନ୍ତକ ନାଟକ (Phedre)ରେ ଏଥେନ୍‍ସର ରାଜକୁମାରୀ ଆରିସିଆ ସହିତ ହିପ୍ୟୋଲିଟସ୍‍ର ବିବାହ ହୋଇଥିଲା–ଅନୁବାଦକ) କିନ୍ତୁ ମୁଁ ଭାବୁଚି, ଏପରି ଅନୁମାନ କଲେ ପାଠକ ବଡ଼ ଭୁଲ କରିବସିବ ।

 

କିନ୍ତୁ ଏଥର ପ୍ରଧାନ ଆଲୋଚ୍ୟ ବିଷୟକୁ ଫେରି ଆସିବା । ମୋର ସମସ୍ତ ପରିଶ୍ରମର ଫଳ କ’ଣ ହେବ, ପଢ଼ିବାଲୋକଙ୍କର ତଦ୍ଦ୍ୱାରା ପରମାର୍ଥ ସ୍ତରରେ କି ଉପକାର ହେବ, ମନୁଷ୍ୟ ଭିତରେ ଥିବା ପ୍ରାଣୀଟି ବିଷୟରେ ଏପରି ଏକ ପ୍ରକ୍ଷିପ୍ତ ଦୃଷ୍ଟିକୁ, ତା’ର ଧାର୍ମିକତାପ୍ରଣୋଦିତ ବୃତ୍ତ ମଧ୍ୟରେ ରହିଚି ବୋଲି ମୁଁ ଦାବୀ କରୁଥିବା ବିଶ୍ୱାସ ସହିତ କିପରି ମୁଁ ଖାପ୍ ଖୁଆଇ ପାରିବି, ସେକଥା ଭାବି ମୋ’ପାଖକୁ ପତ୍ର ଲେଖିଥିବା ଧର୍ମଯାଜକ ଆହୁରି ବିସ୍ମିତ ହୋଇପଡ଼ିବେ । ଗତ ଚାଳିଶି ବର୍ଷ ଯାବତ୍ ମୁଁ ଯେଉଁ ଯୁକ୍ତି ଦର୍ଶାଇଚି, ସେହି ବଳରେହିଁ ଏହି ପ୍ରତିବନ୍ଧକରୁ ମୁକ୍ତ ହେବା ମୋ’ ପକ୍ଷରେ ସହଜବୋଲି ମୁଁ ବିଚାରୁଚି । ମୋର ମତ ହେଉଚି ଯେ ଆମର ପୃଥିବୀରେ ପାପ ଗୋଟିଏ ସତ୍ୟ; ମୋର ପୁସ୍ତକରେ ଯେଉଁ ଚରିତ୍ରଗୁଡ଼ିକର ଚିତ୍ରଣ ମୁଁ କରିଚି, ସେମାନେ ସମସ୍ତେ ପତିତ, -ଜନ୍ମରୁହିଁ ସେମାନେ ପଙ୍କିଳ ଓ କଳୁଷିତ । କୌଣସି କଳାକାର ଆପଣାର ପ୍ରତିଭାଉପରେ ବଳ ପ୍ରୟୋଗ କରିବା ଉଚିତ ନୁହେଁ ବୋଲି ଜଣେ ବସୁଏଟ୍ (Bossuet) ବା ଜଣେ ବୋର୍ଦାଲୋ (Bourdaloue) ଯାହା ଉଲ୍ଲେଖ କରିଚନ୍ତି, ତାହାର ଏକ ନାଟକୀୟ ଦୃଷ୍ଟାନ୍ତ ଦେବା ବ୍ୟତୀତ ମୁଁ କିଛି ଅଧିକ କରିନାହିଁ ।

 

ଏସବୁ ସମ୍ପୂର୍ଣ୍ଣ ସତ୍ୟକଥା, କିନ୍ତୁ ଧର୍ମଯାଜକ ଓ ଧର୍ମପରାୟଣ ନାଗରିକ ପ୍ରକାଶ କରିଥିବା ଆପତ୍ତିର କୌଣସି ଉତ୍ତର ଏଥିରୁ ମିଳିବ ନାହିଁ । ସେମାନେ ତତ୍‍କ୍ଷାଣାତ୍ ପ୍ରତିବାଦ କରି କହିବେ ଯେ ମୋର ପ୍ରତିଭା ଉପରେ ବଳ ପ୍ରୟୋଗ କରି ମଧ୍ୟ ନିକୋଲାସ୍‍ର ଜୀବନରେ ଭଗବତ୍ କରୁଣାର ବିଜୟକୁ ପ୍ରଦର୍ଶିତ କରି ପୁସ୍ତକର ଏକ ଶେଷ ଅଧ୍ୟାୟ ଯୋଡ଼ିଦେବା ମୋର କର୍ତ୍ତବ୍ୟ ଥିଲା-। ଭଗବତ୍-କରୁଣା ଅବତରଣ କରିଥିବାର କଥା ଖାଲି ମୁଁ କହୁଚିବୋଲି ସେମାନେ କଦାପି ସେଥିରେ ବିଶ୍ୱାସ କରିପାରିବେ ନାହିଁ । ସେମାନେ କହିବେ ଯେ ମଣିଷର ପାପ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ ଧର୍ମବେଦୀ ଉପରେ ଠିଆ ହୋଇ ସେଗୁଡ଼ିକର ନିନ୍ଦା କରିବା ଗୋଟିଏ କଥା, କିନ୍ତୁ ସେଗୁଡ଼ିକୁ ଚିତ୍ତାକର୍ଷକ କରି ଦେଖାଇବାର ଉଦ୍ଦେଶ୍ୟରେ ନ ହେଲେ ମଧ୍ୟ, ପରମ ସାଧ୍ୟରୂପେ ବିଚାର କରାଯାଇଥିବା ଏକ କଳାକୃତିର ଉଦ୍ଦେଶ୍ୟ ସାଧନ କରିବା ଉଦ୍ଦେଶ୍ୟରେ ସେହି ପାପଗୁଡ଼ାକର ଚିତ୍ରଣ କରିବା ସମ୍ପୂର୍ଣ୍ଣ ଭିନ୍ନ କଥା । ମନୁଷ୍ୟର ଯାବତୀୟ ଚିତ୍ତୋଦମ୍ ଓ ଅନୁରାଗକୁ ବର୍ଣ୍ଣନା କରିବାକୁ ଗୁରୁତର ଅପରାଧ ବୋଲି ମନେକରୁଥିବା ଜାନସେନ୍–ପନ୍ଥୀମାନଙ୍କର ଦାବୀକୁ ବାଦ୍‍ଦେଲେ ମଧ୍ୟ ମୁଁ ତଥାପି ମତ ଦେବି ଯେ ଏହିଠାରେହିଁ ପ୍ରକୃତ ପାପ ନିହିତ ରହିଚି । ଆପଣା ଧର୍ମବିଶ୍ୱାସର ଉଦ୍ଦେଶ୍ୟ ସାଧନପାଇଁ ପ୍ରକାଶ୍ୟ ଭାବରେ ଆପଣାର ପ୍ରତିଭାକୁ ଖଟାଉ ନ ଥିବା କୌଣସି ଖ୍ରୀଷ୍ଟିୟାନପନ୍ଥାବଲମ୍ୱୀ କଳାକାର ଏହି ପାପକୁ ଅବଜ୍ଞା କରିପାରିବ ନାହିଁ । ଆପଣାକୁ ଆପଣାର ଚରମ ସାଧ୍ୟ ବୋଲି ମାନୁଥିବା କଳାକୁ କେବଳ ଏକ ପିତୁଳା ବୋଲି କହିବାକୁ ହେବ, ଯାହାର ପୂଜାଲାଗି କଳାକାରକୁ ତା’ର ସମସ୍ତ ବଳିଦେବାକୁ ହୁଏ, ସେହି ବଳି ଭିତରେ କଳାକାର ନିଜେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଯାଏ–ପ୍ରାଉସ୍ତଙ୍କ କ୍ଷେତ୍ରରେ ଠିକ୍ ଯେପରି ଘଟିଥିଲା ।

 

କିନ୍ତୁ ମୁଁ ଅନେକବାର ମତପ୍ରକାଶ କରିଆସିଚି ଯେ କଳାଜଗତର ସମସ୍ତ କୃତୀ ମନୁଷ୍ୟର ସେବା କରେ, ତା’ର ଏକମାତ୍ର କାରଣ ହେଉଚି ଯେ ସେବା କରିବାର ଉଦ୍ଦେଶ୍ୟ ରଖି କଳା କିଛି କରିବାକୁ ଲୋଡ଼େ ନାହିଁ । ଏହି ସତ୍ୟକୁ ମୁଁ ପ୍ରକୃତରେ ବିଶ୍ୱାସ କରେକି ? କୌଣସି ବିଳମ୍ୱ ନ କରି ମୋତେ ସ୍ୱୀକାର କରିବାକୁ ହେବ ଯେ ଶିକ୍ଷା ଦେବା ପରିବର୍ତ୍ତରେ କଳାକୃତି ଅଧିକାଂଶ ସମୟରେ ପ୍ରକ୍ଷେପର ସୃଷ୍ଟିହିଁ କରିଥାଏ । ଅମିତ ବ୍ୟବହୃତ ଘନ ରଙ୍ଗଦ୍ୱାରା ଏକ ଜୀବନଛବିର ଚିତ୍ରଣ କରି ଯେଉଁ ସୃଷ୍ଟିକାରୀ କଳାକାରର ଦାବୀକୁ କେବଳ କପଟ ଛଳନା ବୋଲି କହିବାକୁ ହେବ । ଜୀବନ୍ତ ବ୍ୟକ୍ତିମାନଙ୍କୁ କଦାପି ଉପନ୍ୟାସର ବ୍ୟକ୍ତିମାନଙ୍କର ସମତୁଲ କରାଯାଇ ନ ପାରେ । ଉପନ୍ୟାସ ବା ରଙ୍ଗମଞ୍ଚରେ ଉପସ୍ଥାପିତ କରାଯାଇଥିବା ବ୍ୟକ୍ତିମାନଙ୍କୁ ଏକ ସ୍ୱତନ୍ତ୍ର ଗୋଷ୍ଠୀର ବୋଲି କହିବାକୁ ପଡ଼ିବ । ସେମାନେ ଆମକୁ ଆମ ବିଷୟରେ କୌଣସି ଶିକ୍ଷା ଦିଅନ୍ତି ନାହିଁ, ଦେଉଥିଲେ ମଧ୍ୟ ସେଥିରେ ଆମର କୌଣସି ଉପକାର ହୁଏ ନାହିଁ । ତା’ର ପ୍ରଥମ କାରଣ ହେଉଚି ଯେ ସେମାନେ ଲେଖକର କଳ୍ପନା ପ୍ରସୂତ ପରିସ୍ଥିତି ଓ ପରିବେଶଦ୍ୱାରା ସ୍ପଷ୍ଟ ହୋଇଥାନ୍ତି, ଦ୍ୱିତୀୟତଃ ସେମାନେ ଯେତେ ଜଟିଳ ହେଲେ ମଧ୍ୟ ସେମାନଙ୍କର ଚରିତ୍ର ମଧ୍ୟ ଦେଇ ନିଃସନ୍ଦେହ ଭାବରେ କୌଣସି ନିର୍ଦ୍ଦିଷ୍ଟ ମନୋଗତି, ବାସନା ବା ପାପ ପ୍ରକାଶ ପାଉଥାଏ, ଏବଂ ସେଇଥିଲାଗି ମାନବୀୟ ଭୂମି ସହିତ ସେମାନଙ୍କର କୌଣସି ସମ୍ପର୍କ ସୂତ୍ର ନ ଥାଏ । କୃପଣ ଓ କପଟୀ ବ୍ୟକ୍ତି ସମ୍ବନ୍ଦରେ ପ୍ରାୟ ମମ ସମସ୍ତଙ୍କର ଅଭିଜ୍ଞତା ରହିଚି, କିନ୍ତୁ ଆମଭିତରୁ କେହି ଏ ସଂସାରରେ ଜଣେ ତାର୍ତୁଫ୍ ଜଣେ ହାର୍‍ପାଖଁ ବା ଜଣେ ଗ୍ରାଁଦେର ପରିଚୟରେ କଦାପି ଆସି ନ ଥିବେ । କିନ୍ତୁ ବାଲ୍‍ଜାକ୍ ଓ ଡଷ୍ଟୋ’ଭସ୍କି ନାମକ ଗୋଟାଏ ଗୋଟାଏ ରାକ୍ଷସାଧ୍ୟୁସିତ ଗ୍ରହ ଅଛି, ସେଠି ଯେତିକି ଜୀବନ୍ତ, ସେମାନେ ମଧ୍ୟ ସେତିକି ଜୀବନ୍ତ; ହୁଏତ ତା’ଠାରୁ ଅଧିକ ଜୀବନ୍ତ ଓ କମ୍ ନଶ୍ୱର । କିନ୍ତୁ କେବଳ ବାହ୍ୟ ଦିଗଟାକୁ ବାଦ୍‍ ଦେଲେ ତଥାପି ଦୁହିଁଙ୍କ ମଧ୍ୟରେ ଆଦୌ କୌଣସି ସାମଞ୍ଜସ୍ୟ ନାହିଁ-। ଗ୍ରମାଞ୍ଚଳର କୌଣସି ସହରରେ ଥିବା ଜଣେ ସ୍ତ୍ରୀଲୋକ ବିଷୟରେ ଯଦି ଆମେ ଆଲୋଚନା କରି କହିବା ଯେ ସେ ହେଉଚନ୍ତି ଜଣେ ‘ବୋଭାରି’ ତେବେ କଥୋପକଥନର ସୁବିଧା ଲାଗି ଆମେ ତାକୁ କେବଳ କୌଣସି ଏକ କାଳ୍ପନିକ ଟାଇପ୍ ବା ଛାଞ୍ଚ ସହିତ ତୁଳନା କରୁଚି ବୋଲି କହିବାକୁ ପଡ଼ିବ । ଆମେ ଭାରି ଭଲକରି ଜାଣୁ ଯେ ମାଡ଼ାମ୍ ବୋଭାରି ଓ ରକ୍ତମାଂସରେ ଗଢ଼ା ହୋଇଥିବା କୌଣସି ପ୍ରାଣୀ ମଧ୍ୟରେ ପ୍ରକୃତରେ କୌଣସି ସମ୍ପର୍କ ନାହିଁ, ଯାହାକୁ କି ନୀତିଶିକ୍ଷାର ଏକ ବିଷୟରୂପେ ବ୍ୟବହାର କରାଯାଇପାରିବ ।

 

ତଥାପି ଟାଇପ୍ ଓ ଚରିତ୍ରର ଉପସ୍ଥାପନାକୁ ଏଡ଼ିବା ଉଦ୍ଦେଶ୍ୟରେ ଯେତେବେଳେ କଳାକାର ତା’ର ସ୍ୱାଭାବିକ ମାର୍ଗକୁ ଛାଡ଼ିଦେଇଯାଏ ସେତେବେଳେ ସେ ଆମକୁ ଯେଉଁପରି ଏକ ବୈଚିତ୍ର୍ୟହୀନ ଓ ସାରହୀନ ଜଗତରେ ପ୍ରବେଶ କରାଇ ଦିଏ । ସେହି ଜଗତ ସହିତ ଆମ ନିଜ ଜଗତର କୌଣସି ସାମଞ୍ଜସ୍ୟ ନ ଥାଏ । ଏକଥା ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ବାସ୍ତବ ଜଗତର ମାଗି ନେଇଥିବା ଉପାଦାନଗୁଡ଼ିକରେହିଁ ସେ ତା’ର ଜଗତଟିକୁ ନିର୍ମାଣ କରେ । ଯେଉଁ ପ୍ରକାରର ବା ଯେଉଁ ଗୋଷ୍ଠୀର ହେଉ ପଛକେ, ସବୁ ଉପନ୍ୟାସ ବିଷୟରେ ଠିକ୍ ଏହିକଥା କୁହାଯାଇପାରେ । ଆପଣାର ସ୍ମରଣ ଶକ୍ତିଦ୍ୱାରା କଳାକାର ତା’ର ସ୍ମୃତି ଭଣ୍ଡାରରୁ ଅତି ସୂକ୍ଷ୍ମ ଭାବରେ ସ୍ମୃତି–କଣିକାମାନ ସଂଗ୍ରହ କରି ଆଣେ, ତାହାକୁ ଏକ ସମଗ୍ର ‘ଚିତ୍ର’ର ରୂପ ଦେଇ ଦେଖାଇବା ଉଦ୍ଦେଶ୍ୟ ରଖି ସେଥିରେ ସେ ଏଠି ସେଠି ଆପଣାର ହାତ ମଧ୍ୟ ଲଗାଏ, ଆପଣାର କାରିଗରୀ ଦେଇ ସେ ସେଗୁଡ଼ିକୁ ଆଉଥରେ ସିଦ୍ଧ କରିବାରେ ଲାଗିଯାଏ । ସବୁଠାରୁ ଭଲ ଓ ସବୁଠାରୁ ଖରାପ ଉପନ୍ୟାସର ନିର୍ମାଣ ଏହି ଗୋଟିଏ ପ୍ରଣାଳୀରେ ହୁଏ । ବାସ୍ତବ ମନୁଷ୍ୟ ଜୀବନର ଅନିର୍ଦ୍ଦେଶ୍ୟତାକୁ ବିଶୁଦ୍ଧ ଭାବରେ ଚିତ୍ରିତ କରିଥିବା ଉପନ୍ୟାସ ଏ ପର୍ଯ୍ୟନ୍ତ ପୃଥିବୀରେ ଲେଖା ହୋଇନାହିଁ ।

 

ବାସ୍ତବ ପୃଥିବୀରେ ବାସକରୁଥିବା ଲୋକମାନଙ୍କ ବିଷୟରେ କୌଣସି ଆଲୋକପାତ କରୁନଥିଲେହେଁ, ଉପନ୍ୟାସରୁ ଆମେ ସେହି ଉପନ୍ୟାସର ଲେଖକ ସମ୍ୱନ୍ଧରେ ଅନେକ ବିବରଣୀ ପାଇପାରୁ, ପାଇଥାଉ ମଧ୍ୟ । ଉପନ୍ୟାସ ବିଷୟରେ ଏହାଠାରୁ ଅଧିକ କିଛି କୁହାଯାଇ ପାରିବ ନାହିଁ । ମନୁଷ୍ୟ-ପ୍ରକୃତି ବିଷୟରେ ଆମର ଜ୍ଞାନ ବୃଦ୍ଧି କରିବାର ଏକ ସାଧନରୂପେ ଉପନ୍ୟାସର କୌଣସି ପ୍ରୟୋଜନ ନାହିଁ, ତେଣୁ ସ୍କୁଲମାଷ୍ଟର ବା ନୀତିବାଦୀମାନେ ଏହାକୁ ସେମାନଙ୍କର ହତିଆର ଭାବରେ ବ୍ୟବହାର କରିପାରିବେ ନାହିଁ । କିନ୍ତୁ ଯେଉଁ ବ୍ୟକ୍ତିଟି ତାହା ଲେଖିଚି, ତାହାରି ବିଷୟରେ ଉପନ୍ୟାସ ଆମକୁ ଅନେକ ତଥ୍ୟ ପ୍ରମାଣ ଯୋଗାଇ ଦିଏ । କିନ୍ତୁ ଏହାକୁ ଏକ ବଡ଼ ଲାଭବୋଲି କଦାପି କୁହାଯାଇପାରିବ ନାହିଁ, ତେଣୁ ଫ୍ରାସୋୟା ମୋରିଆକ୍‍ଙ୍କର ଉପନ୍ୟାସ ପଢ଼ି ତାଙ୍କ ବିଷୟରେ କେତେକ ବିବରଣୀ ସଂଗ୍ରହ କରିବାର ଉତ୍ସାହ ତାଙ୍କର ରଚନାବଳୀର ସମଗ୍ର ଅପ୍ରୟୋଜନୀୟତାର କ୍ଷତିପୂରଣ କରିବା ଲାଗି ଆଦୌ ଯଥେଷ୍ଟ ନୁହେଁ ଓ ଯେଉଁମାନଙ୍କ ଲାଗି ସାହିତ୍ୟ ରଚନା କରୁଚନ୍ତି, ସେମାନଙ୍କ ଲାଗି ସେ ସବୁ କ୍ଷତିକାରକ ହେବାର ଅନେକ ସମ୍ଭାବନା ରହିଚିବୋଲି ମୁଁ ଉଲ୍ଲେଖ କରିଥିବା ଧର୍ମଯାଯକ ଯଦି କହନ୍ତି, ତେବେ ସେପରି ବିଚାର କରିବାର ସମ୍ପୂର୍ଣ୍ଣ ଅଧିକାର ତାଙ୍କୁ ମୁଁ ଅବଶ୍ୟ ଦେବି । ତେଣୁ ଖ୍ରୀଷ୍ଟିଆନ୍ ଯଦି ଉପନ୍ୟାସକାର ମଧ୍ୟ ହୋଇଥାଏ, ତେବେ ଉପନ୍ୟାସ ଲେଖିବାକୁ ତା’ର ‘ବେଉସା’ ବୋଲି କହିବା ବ୍ୟତୀତ ଅନ୍ୟକୌଣସି ପ୍ରକାର କୈଫିୟତ୍ ସେ ଦେଇପାରିବ ନାହିଁ । ସେ ଉପନ୍ୟାସ ଲେଖେ, କାରଣ ସେ ବେଶ୍ ଯୁକ୍ତିଯୁକ୍ତ ଭାବରେ ଭାବେ ଯେ ଲେଖିବା ପାଇଁହିଁ ସେ ଏହି ସଂସାରରେ ଜନ୍ମ ହେଇଚି । ସେ ଦେଖୁଚିଯେ ତା’ର ବାଲ୍ୟକାଳରୁ ସେ ଏଇଥିଲାଗି ଅବିରାମ ସଂଗ୍ରାମ କରି ଆସିଚି । ତାକୁ ମୁଁ ମୋର ଜଣେ ପରିଚିତ ନୃତ୍ୟଶିଳ୍ପୀଙ୍କ ସହିତ ତୁଳନା କରିବି, ଯିଏକି ଛଅବର୍ଷ ବୟସରେ ମଧ୍ୟ କଷ୍ଟସାଧ୍ୟ ନୃତ୍ୟଗୁଡ଼ିକର ଅଭ୍ୟାସ କରୁଥିଲେ, ବା ପାଦ୍ରୀ ହୋଇଥିବା ମୋର ଭାଇଙ୍କ ସହିତ ତୁଳନା କରିବି ଯିଏକି ଠିକ୍ ସେହି ଛଅବର୍ଷ ବୟସରେ ତାଙ୍କର ଶିଶୁ ହାତରେ ତିଆରି କରିଥିବା ପୂଜାବେଦୀ ସମ୍ମୁଖରେ ଭକ୍ତିଭରେ ପ୍ରଣାମ କରିବାକୁ ମୋତେ ବାଧ୍ୟ କରିଥିଲେ । ଆମର ପୂର୍ବନିର୍ଦ୍ଦିଷ୍ଟ ଭାଗ୍ୟ ହେଉଚି ଈଶ୍ୱରଙ୍କର ଇଚ୍ଛାର ପ୍ରକାଶ ମାତ୍ର, ସବୁ ତଥ୍ୟ ପ୍ରକାଶ ପାଇଲା ପରେ ତଥାପି ଏପରି ଏକ ନିଷ୍ପନ୍ନ ସତ୍ୟରେ ଉପନୀତ ହେବାରେ ଯେ କେତେ ଭ୍ରାନ୍ତି ରହିଚି, ତାହା ମୁଁ ଜାଣିଚି । ଯେ କୌଣସି ପୁଣ୍ୟ-ବ୍ୟବସାୟ ପରି ଯେ କୌଣସି ପାପ ବ୍ୟବସାୟ ମଧ୍ୟ ତରୁଣମାନଙ୍କ ମନରେ ଯଥେଷ୍ଟ ପ୍ରେରଣା ଜାଗ୍ରତ କରିପାରିବ ।

 

ତଥାପି ହୁଏତ ଏକଥା ହୋଇପାରେ ଯେ ଯେଉଁ ଯୁଗରେ ପ୍ରାୟ ସମସ୍ତ ମାନ୍ୟଗଣ୍ୟ ଚିନ୍ତାଶୀଳ ଲେଖକ ସେମାନଙ୍କର ଶକ୍ତିକୁ ବିପ୍ଲବର ବିଷୟବସ୍ତୁ ଲାଗି ନିୟୋଜିତ କରୁଚନ୍ତି, ସେହି ଯୁଗରେ ମୋର ସୃଷ୍ଟି ହୋଇଚି ଓ ବିଶ୍ୱବ୍ରହ୍ମାଣ୍ଡର ଏକ କ୍ଷୁଦ୍ରାଦପିକ୍ଷୁଦ୍ର ଅଂଶରେ ମୋର ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଯାଇଚି । ଭଗବାନଙ୍କର ଅପାର ପରିଶୁଦ୍ଧତାର ସମ୍ମୁଖରେ ମଣିଷକୃତ ପାପର ସାକ୍ଷୀ ହୋଇ ରିହିବାକୁ, ବା ‘‘Le Sagouin’’ର ସମାଲୋଚନା କରି ଶ୍ରୀ R.M.Alberes କହିଲା ପରି ‘‘ତତ୍ତ୍ୱ ଶାସ୍ତ୍ରଦ୍ୱାରା ନିର୍ଣ୍ଣିତ ହୋଇଥିବା ସାହିତ୍ୟର ସମ୍ମୁଖରେ ମନୋବିଜ୍ଞାନକୁ ଭିତ୍ତିକରି ସୃଷ୍ଟି କରାଯାଇଥିବା ଏକ ସାହିତ୍ୟକୁ ଠିଆ କରାଇବା ଲାଗି’’ ମୋର ସୃଷ୍ଟି ହୋଇଚି । ‘‘ତତ୍ତ୍ୱଶାସ୍ତ୍ରରେ ମଣିଷ ପ୍ରତ୍ୟେକ ଜିନିଷକୁ ବିଦ୍ରୁପ କରେ, ମନୋବିଜ୍ଞାନରେ କେବଳ ଆପଣାକୁ ବିଦ୍ରୁପ କରିବାକୁ ହୁଏ ।’’

 

ଫ୍ରାଁସୋୟା ମୋରିୟାକ୍

 

ଖ୍ୟାତି ଓ ପ୍ରଭା ଅଧିକରୁ ଅଧିକ ବୃଦ୍ଧି ପାଉଛି । ତାଙ୍କର ସୁଦୃଢ଼ ସାହିତ୍ୟିକ ଦୃଷ୍ଟିକୁ ସେ ତାଙ୍କର ସମସାମୟିକମାନଙ୍କୁ ସନ୍ତୁଷ୍ଟ କରିବାଲାଗି କଦାପି ବ୍ୟବହାର କରିନାହାନ୍ତି, କାହାରି ସହିତ କୌଣସି ସାଲିସ୍ କରି ସେ ଆପଣାର ଖ୍ୟାତି କିଣି ନାହାନ୍ତି । ଅଧିକନ୍ତୁ ତାଙ୍କର ସାହିତ୍ୟରେ ଏକ ଆଧ୍ୟାତ୍ମିକ ପ୍ରେରଣାର ଗତିସ୍ରୋତ ସୁସ୍ପଷ୍ଟ ହୋଇ ରହିଛି; ଦୈନନ୍ଦିନ ଜୀବନର ଘଟଣା ଉପରେ ତାଙ୍କର ମନ୍ତବ୍ୟଗୁଡ଼ିକ ବୃହତ୍ତର ପୃଥିବୀର ସମ୍ମାନିତ ଦୃଷ୍ଟି ଆକର୍ଷଣ କରିପାରିଛି । ମଣିଷର ହୃଦୟକୁ ସେ ଠିକ୍ ଯେଉଁପରି ଦେଖିଛନ୍ତି, ଠିକ୍ ସେହିପରି ମନୁଷ୍ୟଚିତ, ଅତି ମନୁଷ୍ୟଚିତ ଓ କେବଳ ମନୁଷ୍ୟଚିତ ଭାବରେ ତାହାର ପରିବେଷଣ କରିଛନ୍ତି ।

ସୁଇଡ଼ିଶ୍ ଏକାଡେମୀ

 

ପାପକୁ ଏତେ ପ୍ରାଧାନ୍ୟ ଦେବାର ଅର୍ଥ ହେଉଛି ଶୁଦ୍ଧତାକୁ ପ୍ରାଧାନ୍ୟ ଦେବା, ଶିଶୁ ଓ ଶିଶୁ-ସୁଲଭତାକୁ ପ୍ରାଧାନ୍ୟ ଦେବା । ଲୋକେ ମୋର ଉପନ୍ୟାସରେ କେବଳ ବିଷଧର ସର୍ପଗୁଡ଼ାକୁ ଦେଖିଛନ୍ତି, କିନ୍ତୁ ଏକାଧିକ ସ୍ଥାନରେ ସେଥିରେ ଯେଉଁ କପୋତମାନେ ବସାବାନ୍ଧି ରହିଛନ୍ତି, ସେଗୁଡ଼ିକ ଉପରେ କାହାରି ଆଖି ପଡ଼ିନାହିଁ ।

ଫ୍ରାଁସୋୟା ମୋରିୟାକ୍

 

ପ୍ରାଚ୍ୟରୁ ପାଶ୍ଚାତ୍ୟ ଉଦ୍ଦେଶ୍ୟରେ ଏବଂ ପାଶ୍ଚାତ୍ୟରୁ ପ୍ରାଚ୍ୟ ଉଦ୍ଦେଶ୍ୟରେ ବାହାରିଥିବା ଏହି ସମାନ୍ତରାଳ ଅନୁବାଦ-ସମାରୋହକୁ ମାନବିକ ଭ୍ରାତୃତ୍ୱର ଏକ ସମାନ୍ତରାଳ ସ୍ପନ୍ଦନବୋଲି କହିବାକୁୟହିଁ ହେବ ।

ଆନ୍ତର୍ଜାତିକ–ସଭାପତି, ପ.ଇ.ଏନ୍.

Image